Unknown

 

 

 

 

 

 

 

 

 

 

 

ଦାକ୍ଷିଣାତ୍ୟ-ଭ୍ରମଣ

ଶ୍ରୀ ଶଶିଭୂଷଣ ରାୟ

 

ଦାକ୍ଷିଣାତ୍ୟ-ଭ୍ରମଣ

 

ଜୀବିତାଶାରେ ସନ୍ଧିହାନ ହୋଇ ଏବଂ ଗୃହସୁଖର ଆଶା ବିସର୍ଜ୍ଜନ କରି ସର୍ବମଙ୍ଗଳମୟ ପରମେଶ୍ୱରଙ୍କ ନାମ ଗ୍ରହଣପୂର୍ବକ ଆମ୍ଭେମାନେ ୧୭ ତାରିଖ ଜୁଲାଇ ୧୮୯୫ ସାଲ ବୁଧବାର ଦିବସ ଯାତ୍ରା କଲୁଁ । ଏହି କ୍ଷଣଭଙ୍ଗୁର-ସଂସାରେ ଦୂରଯାତ୍ରାର ସମୟ ସ୍ୱଭାବତଃ କାରୁଣ୍ୟପ୍ରଧାନ, ପୁଣି ଅଦୃଷ୍ଟବଶରୁ ମୋହର ହୃଦୟ ସ୍ୱଭାବତଃ ଶଙ୍କାପ୍ରବଣ । ଏପରି ସମୟରେ ଏବଂ ଅବସ୍ଥାରେ ବିଲାତ ଯାତ୍ରାକାଳୀନ ବଙ୍ଗ କବିବର ମାଇକେଲ ମଧୁସୂଦନଙ୍କ ମୂଖବିଃସୃତ

 

‘‘ରେଖୋ ମୋ ଦାସେରେ ମନେ ଏ ମିନତି କରି ପାଦେ,

ସାଧିତେ ମନେର ସାଧୁ, ଘଟେ ଯଦି ପରମାଦ,

ମଧୁହୀନ କର ନା ଗୋ ତବ ମନଃକୋକନଦେ ।’’

 

ଏହି ପଂକ୍ତିମାନ ମୋହର ସ୍ମୃତିପଥାରୂଢ଼ ହେବାର ଅସ୍ୱାଭାବିକ ନୁହେ ।

 

ସର୍ବ ପ୍ରଥମେ କାଠଯୋଡୀ ନଦୀର ‘‘ଫତେମୁଖା’’ ନାମକ ଘାଟ ନିକଟକୁ ଆସିଲୁଁ । ସ୍ୱଚ୍ଛ-ନାରୀ ସ୍ତିମିତ ସ୍ତୋତ୍ରା କାଠଯୋଡି ଆଜି ମହାପରାକ୍ରମଶାଳିନୀ, ଅବିଳ ଜଳରାଶି ସମୁଦ୍ରମୁଖରେ ମହାବେଗରେ ପ୍ରବାହିତା । ଆମ୍ଭେମାନେ ନୌକାରୋହଣଦ୍ୱାରା ଅତି କଷ୍ଟରେ ନଦୀର ପରପାରରେ ଉପସ୍ଥିତ ହେଲୁଁ । ଏଠାରେ ମୁଣ୍ଡମୁହାଣ ନାମକ ଗୋଟିଏ ଗ୍ରାମ ଏବଂ ଗୋଟିଏ କୋଠି ଉକ୍ତ ନାମ ଧାରଣ କରି ନଦୀକୂଳରେ ଅବସ୍ତିତ । କୋଠିର ଚତୁଷ୍ପାର୍ଶ୍ୱ ର ଶୋଭା ଅତିଶୟ ମନୋହର ।

 

ଏହିଠାରୁ ମାନ୍ଦ୍ରାଜର କାଣ୍ଡରଥ୍ୟା (Trunk-Road) ଆରମ୍ଭ ହୋଇଅଛି । ଏହି ମାର୍ଗରେ ଆମ୍ଭେମାନେ ଅଗ୍ରସର ହେଲୁଁ । ଏ ମାର୍ଗ ପରି ବାଣିଜ୍ୟଶକଟସଙ୍କୁଳ ମାର୍ଗ ଓଡିଶାରେ ଦ୍ୱିତୀୟ ନାହିଁ । ଉତ୍ତର, ଦକ୍ଷିଣ ଏବଂ ଗଡଜାତ ଏହି ତ୍ରିବିଧ ବାଣିଜ୍ୟସ୍ରୋତର ଏହି ମାର୍ଗ ତ୍ରିବେଣୀସ୍ୱରୂପ । ପଥର ଉଭୟପାର୍ଶରେ ଧାନ୍ୟକ୍ଷେତ୍ର, କିନ୍ତୁ ଆଜିକାଲି ସେହି କ୍ଷେତ୍ରମାନଙ୍କର ଦଶା ନିତାନ୍ତ ଶୋଚନୀୟ । ଏ ଅଞ୍ଚଳରେ ବନ୍ୟାଜଳର ପ୍ରାଦୁର୍ଭାବରୁ ପର୍ଯ୍ୟାପ୍ତ ପରିମାଣରେ ଶସ୍ୟ ପ୍ରାୟ ହୁଏ ନାହିଁ । କିଛିଦିନ ପୂର୍ବେ କାଠଯୋଡୀର ପ୍ରବଳ ପ୍ଳାବନରେ ଏହି ଅଂଶଗୁଡିକ ମଗ୍ନ ହୋଇଥିଲା ତାହାର କେତେକ ଚିହ୍ନ ବର୍ତ୍ତମାନ ଲକ୍ଷିତ ହେଲା । କ୍ରମଶଃ କୁଣ୍ଢେଇପଡା, ମଧୁବନ, ମଧୁପୁର, ଫୁଲପୋଖରୀ ପ୍ରଭୃତି ଗ୍ରାମମାନ ଅତିକ୍ରମ କରି ଆମ୍ଭେମାନେ ବାରଙ୍ଗନାମକ ଗ୍ରାମରେ ଉପନୀତ ହେଲୁଁ । ଏହିଠାରେ ତନ୍ନାମ୍ନୀ ଗୋଟିଏ ଚିରିନଦୀ ପ୍ରବଳବେଗରେ ପ୍ରବାହିତା । ଏହା ମହାନଦୀ ସଙ୍ଗେ ସଂଯକ୍ତ ଥିବା ପ୍ରଯକ୍ତ ବର୍ତ୍ତମାନ ବନ୍ୟାପ୍ରଭାବରୁ ସ୍ରୋତସ୍ୱତୀ ନାମ ଧରଣ କରିଅଛି, ଅନ୍ୟଥା, ଏହାର ଜଳ ସର୍ବଦା ସ୍ଥିର, ଶାନ୍ତ ଓ ସୁନିର୍ମ୍ମଳ । ଅଦୂରରେ ଚୂଡଙ୍ଗଦେବଙ୍କ ଦୁର୍ଭେଦ୍ୟ ଦୁର୍ଗର ଭଗ୍ନାବଶେଷ, ଏବଂ ଶୈଳବେଷ୍ଟିତ ମଧୁରସଲିଳର ହ୍ରଦ । ଏହି ହ୍ରଦଟି ‘‘ଚୂଡଙ୍ଗଦହୁ’’ ନାମରେ କଥିତ । ଚତୁର୍ଦ୍ଦିଗରେ ଘୋରାରଣ୍ୟ ଏବଂ ହ୍ରଦର ଶୋଭା ବାସ୍ତବିକ ମନୋମୁଗ୍‌ଧକର ।

 

ଏହି ସ୍ଥାନରେ ଆମ୍ଭେମାନେ ସ୍ନାନାହାର ସମାପନ କରି ପୁନଶ୍ଚ ବାହାରିଲୁଁ । ଅର୍ଦ୍ଧମାଇଲ ଦୂରରେ ଗୋଟିଏ କ୍ଷୁଦ୍ର ଶୈଳ କାଟି ମାର୍ଗ ପ୍ରସ୍ତୁତ ହୋଇଅଛି । ଏହି ପାହାଡ଼ ଉପରୁ ପଟିଆ ଦହର ଦୃଶ୍ୟ ବଡ ଚମତ୍କାର । ଏହି ଦହରୁ ପଦ୍ମପୁଷ୍ପ, ଏବଂ ଶୃଙ୍ଗାଟକ ପ୍ରଚୁର ପରିମାଣରେ କଟକକୁ ଆନୀତ ହୁଏ । ଏହିଠାରୁ ଖୋରଧା ସବ୍‌ଡିଭିଜନ ଆରମ୍ଭ ହୋଇଅଛି । କେତେକ ଦୂର ପର୍ଯ୍ୟନ୍ତ ଗଭର୍ଣ୍ଣମେଣ୍ଟଙ୍କ ନ୍ୟସ୍ତାରଣ୍ୟ (Reserved forest) ଦେଖାଗଲା । ଖୋର୍ଦ୍ଧାର ସମସ୍ତ ଅରଣ୍ୟ, ରକ୍ଷିଣୀ (Protected forest) ଏବଂ ନ୍ୟସ୍ତାରଣ୍ୟ (Reserved forest) ଏହି ଦୁଇ ଶ୍ରେଣୀରେ ବିଭକ୍ତ । କଠୋର ଫଳବାଦ (Utilitsrianism) ପ୍ରଭାବରୁ ତପୋବନ ଅନ୍ତର୍ହିତ ହୋଇଅଛି । ଶ୍ୱାପଦର ସହଚର ହୋଇ ରହିଲେ ସୁଦ୍ଧା କରରୁ ଅବ୍ୟାହିତ ନାହିଁ । ବିନା ପାସରେ ହୋମକାଷ୍ଠ ଆହରଣ କଲେ ସୁଦ୍ଧା ରାଜଦଣ୍ଡ ଅବଶ୍ୟମ୍ଭାବୀ । ଏଣିକି ହୋମର ଆବଶ୍ୟକତା ମଧ୍ୟ ଥିବାର ବୋଧ ହେଉ ନାହିଁ । ହେତୁ କି ଆମ୍ଭମାନଙ୍କର ଶାସ୍ତ୍ରକାରମାନେ ହୋମକୁ ବୃଷ୍ଟିର ଆକର୍ଷକ ବୋଲି ନିର୍ଦ୍ଦେଶ କରିଥିଲେ । ନବ୍ୟ ବୈଜ୍ଞାନିକମାନଙ୍କ ମତରେ ଅରଣ୍ୟସଂରକ୍ଷଣହିଁ ବୃଷ୍ଟି ଆକର୍ଷଣର ସର୍ବପ୍ରଧାନ ଉପାୟ ।

 

କଟକରୁ ୧୦ ମାଇଲ ଦୂରରେ ଦାରୁଠେଙ୍ଗ ନାମକ ପ୍ରସିଦ୍ଦ ବୃହତ୍‌ଗ୍ରାମ । ଖୋର୍ଦ୍ଧା ସବ୍‌ଡିବିଜନରେ ଏହା ଗୋଟିଏ ପ୍ରଧାନ ଗ୍ରାମ ବୋଲି କଥିତ । ୧୧ ମାଇଲରେ ପୂର୍ତ୍ତବିଭାଗର ଚନ୍ଦକା କୋଠି ଏବଂ ୧୧ ୧/୨ ମାଇଲରେ ଚନ୍ଦକା ଗ୍ରାମ ଏବଂ ଚଟି । ଏଠାରେ ଗୋଟିଏ ପୋଷ୍ଟ ଅଫିସ, ଆଉଟ ପୋଷ୍ଟ, ଏବଂ ଫରେଷ୍ଟରଙ୍କ ଅଫିସ ଅଛି । ଗ୍ରାମଟି ବଡ ନୁହେ, ଅଥଚ ଅପରିଷ୍କାର । ଏହିଠାରୁ ଖଣ୍ଡଗିରି ଏବଂ ଭୁବନେଶ୍ୱର ବାଟେ ପୁରୀ ଜଗନ୍ନାଥ ସଡକରେ ସରଦେଇପୁରଠାରେ ଗୋଟିଏ ରାସ୍ତା ମିଳିତ ହୋଇଅଛି । କିଛିଦୂର ଗଲେ ମାନ୍ଦ୍ରାଜ କାଣ୍ଡରଥ୍ୟାର ଉଭୟପାର୍ଶ୍ୱରେ ନ୍ୟସ୍ତାରଣ୍ୟ ଦୃଷ୍ଟ ହୁଏ । ୧୬ ମାଇଲରେ କଣ୍ଟାବାଡ ଗ୍ରାମ । ଏହିଠାରେ ଇଂରେଜଙ୍କ ସଙ୍ଗେ ଖୋର୍ଦ୍ଧା ରାଜାଙ୍କର ଯୁଦ୍ଧ ହୋଇଥିବାର ପ୍ରମାଣସ୍ୱରୂପ କେତେକ ପୁରାତନ କୂପ ଅଦ୍ୟାପି ବର୍ତ୍ତମାନ । ଏକ ମାଇଲ ପରେ ‘‘ଦୈତ୍ୟଦଳନୀ ଦେବୀଙ୍କ’’ କ୍ଷୁଦ୍ର ନିର୍ଝର । ଖୋର୍ଦ୍ଧା ସବ୍‌ଡିବିଜନର ଜଳ ଅତ୍ୟନ୍ତ ନିର୍ମ୍ମଳ ଏବଂ ସ୍ୱାସ୍ଥ୍ୟପ୍ରଦ, ସୁତରାଂ ଏହି ନିର୍ଝରର ଜଳ ମଧ୍ୟ ତଦ୍ରୂପ । ‘‘ବର୍ଣ୍ଣେ କୁରଙ୍ଗୀ ନୟନ-ନୀଳିମା ଜିଣେ’’ କହିଲା ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ସନ୍ଧ୍ୟାର କିଞ୍ଚିତ୍‌ପୂର୍ବେ ଆମ୍ଭେମାନେ ମେଣ୍ଢାଶାଳ ନାମକ ଚଟିରେ ଉପସ୍ଥିତ ହେଲୁଁ । ଏଠାରେ ରାତ୍ରି ଯାପାନର ପ୍ରସ୍ତାବ ଅଚିରେ କାର୍ଯ୍ୟରେ ପରିଣତ ହେଲା ।

 

୧୮-୭-୯୫ ବୃହସ୍ପତିବାର–ଅତି ପ୍ରତୂଷରୁ ଆମ୍ଭେମାନେ ଖୋର୍ଦ୍ଧାଭିମୁଖରେ ପ୍ରସ୍ତାନ କଲୁଁ । ଏହିଠାରୁ ଶ୍ୟାମଳ ଶସ୍ୟ କ୍ଷେତ୍ର ଏବଂ ଦୂରସ୍ଥ ଖୋର୍ଦ୍ଧାର ବରୁଣୀ ଦେବୀଙ୍କ ଶୈଳଆମ୍ଭମାନଙ୍କର ଚିତ୍ତାକର୍ଷକ ହୋଇଥିଲା । ଏକ ମାଇଲ ପରେ ଛତାବର କୋଠି । ଏହି କୋଠିର ନିର୍ଜ୍ଜନ ସ୍ଥାନରେ ଅବସ୍ଥାପିତ ଏବଂ କ୍ଷୁଦ୍ରବନବେଷ୍ଟିତ । ଅର୍ଦ୍ଧମାଇଲ ଉତ୍ତାରୁ ଛତାବାର ଗ୍ରାମ ଏବଂ ଗୋଟିଏ ପ୍ରାଚୀନ ଶିବମନ୍ଦିର ଆମ୍ଭମାନଙ୍କ ନୟନକୁ ଆକୃଷ୍ଟ କରିଥିଲା । ଏହି ଶିବଲିଙ୍ଗ ‘‘ବୁଦ୍ଧେଶ୍ୱର’’ ନାମରେ ଖ୍ୟାତ । ମନ୍ଦିର ନିକଟରେ ଗୋଟିଏ କ୍ଷୁଦ୍ର ଜଳାଶୟ ଅଛି ଏବଂ ଅଦୂରବର୍ତ୍ତୀ କେତେକ ଆମ୍ରବ୍ୟକ୍ଷ ପଥିକମାନଙ୍କୁ ଦାରୁଣ ରୌଦ୍ରର ଛାୟା ପ୍ରଦାନ କରେ ।

 

କଟକରୁ ୨୫ ମାଇଲ ନିକଟରେ ଏହି ରଥ୍ୟାରୁ ଖଣ୍ଡଗିରି ଏବଂ ଭୁବନେଶ୍ୱରକୁ ଗୋଟିଏ ଶାଖାରଥ୍ୟା ପ୍ରସ୍ତୁତ ହୋଇଅଛି । ଏହି ରଥ୍ୟାରେ ପ୍ରସିଦ୍ଧ ଯାଁଳାଗ୍ରାମ ପଡେ ।

 

୨୬ ୧/୨ ମାଇଲରେ ମୁକୁନ୍ଦପ୍ରସାଦ ଗ୍ରାମ ଏବଂ ବୃହତ ପୁଷ୍କରିଣୀ । ଏହି ପୁଷ୍କରିଣୀ ଅତି ପ୍ରାଚୀନ ଏବଂ ତଟରେ ‘‘ଇଚ୍ଛେଶ୍ୱର’’ ଶିବଙ୍କ କ୍ଷୁଦ୍ର ମନ୍ଦିର ଅଛି । ଏହିଠାରୁ ପିମ୍ପୋଲକୁ ଗୋଟିଏ ଶାଖା ସଡକ ଯାଇ ଜଗନ୍ନାଥ ସଡକ ସଙ୍ଗେ ସମ୍ମିଳିତ । ମଧ୍ୟପ୍ରଦେଶର ଜଗନ୍ନାଥ ଯାତ୍ରିମାନେ ପୂର୍ବେ ଏହି ମାର୍ଗରେ ଯାଇ ପିମ୍ପୋଲଠାରେ ଜଗନ୍ନାଥ ସଡ଼କ ଭେଟୁଥିଲେ । ବର୍ତ୍ତମାନ ଖୋର୍ଦ୍ଧାରୁ ଗୋଟିଏ ନୂତନ ମାର୍ଗ ପ୍ରସ୍ତୁତି ହୋଇ ଏ ସଡକରେ ବ୍ୟବହାର ଉଣା ପଡି ଯାଇଅଛି । ମାତ୍ର ଭାବୀ ରେଲଓୟେ ଷ୍ଟେଶନ ଏବଂ ପୁରୀ ଜିଲାର ଗୋଟିଏ ଭାବୀ ସହର ‘‘ଜଟଣୀ’’ ଏହି ମାର୍ଗରେ ତଟବର୍ତ୍ତୀ ହୋଇଥିବାରୁ ଏହାର ମାହାତ୍ମ୍ୟ ଶୀଘ୍ର ପୁନରୁଜ୍ଜୀବିତ ହେବାର ସମ୍ଭାବନା ।

 

ପୂର୍ବାହ୍ନ ୧୦ ଘଟିକା ସମୟରେ ଆମ୍ଭେମାନେ ଖୋର୍ଦ୍ଧା ମାଇନରସ୍କୁଲ ଗୃହରେ ପହୁଞ୍ଚିଲୁଁ । ଏହି ସ୍ଥାନରେ ଏହି ଦିବସ ଅତି ବାହିତ ହେଲା । ଖୋର୍ଦ୍ଧାରେ କେତେକ ଦର୍ଶନୀୟ ପଦାର୍ଥ ଅଛି । ପୂର୍ବେ ଏଠାରେ ଓଡିଶାରାଜାଙ୍କର ଦୁର୍ଗ ଥିଲା । ତାହାର ଭଗ୍ନାବଶେଷ, ନଶ୍ୱରତ୍ୱର ନିଦର୍ଶନସ୍ୱରୂପ ଅଦ୍ୟାପି ବର୍ତ୍ତମାନ । ନୂତନ ସହର ‘‘ ଜଜାରସିଂହ ’’ ନାମରେ ଅଭିହିତ; କିନ୍ତୁ ଓଡିଶା ରାଜବଂଶର ଲୀଳାଭୂମି ସହରରୁ ୨ ମାଇଲ ଦୂରବର୍ତ୍ତୀ । ଏହାହିଁ ପ୍ରକୃତ ଖୋର୍ଦ୍ଧା ଗ୍ରାମ ଏବଂ ଏହିଠାରେ ରାଜା ଓ ରାଣୀ ପ୍ରଭୃତିଙ୍କ ପ୍ରାଚୀନ ମନ୍ଦିରାଦି ଦୃଷ୍ଟ ହୁଏ । ଏହାର ଅଳ୍ପ ଦୂରରେ ‘‘ ବଡବନ୍ଦୁ ’’ ନିର୍ଝର ଏବଂ ‘‘ ନୀଳକଣ୍ଠେଶ୍ୱର ’’ ଶିବଙ୍କ ମନ୍ଦିର । ଏହି ନିର୍ଝର ବରୁଣୀ ଶୈଳର ପାଦଦେଶରେ ଏବଂ ସ୍ଥାନଟି କେତକୀବନବେଷ୍ଟିତ ହୋଇଥିବାରୁ ବସନ୍ତକାଳରେ ଅପୂର୍ବ ସୌରଭ ଉଥିତ ହୁଏ । ସହରରୁ ୩ ମାଇଲ ଗଲେ ବରୁଣୀ ଦେବୀଙ୍କ ପୀଠ ଶୈଳର କଟିଦେଶରେ । ଏହି ସ୍ଥାନଟି ନିର୍ଝର–ମୁଖରିତ, ଏବଂ ନିବିଡାରଣ୍ୟବେଷ୍ଟିତ । ଶୈଳଟି ଉଚ୍ଚରେ ୧୦୦୦ ଫୁଟର କମ ହେବ ନାହିଁ ଏବଂ ଶିଖରରେ ‘‘ପ୍ରାଣବଘରା’’ ନାମକ ଗୋଟିଏ ଗିରିଗୁହା ଅଛି । ଏହା ଉପରୁ ଚତୁର୍ଦ୍ଦିଗର ଦୃଶ୍ୟର ଅତୁଳନୀୟ ଶୋଭା, ମୋଗଲବନ୍ଦିରେ ବିରଳ । ଏହା ଉପରୁ ଦଶପଲ୍ଲାର ଘନନିବିଡବନଶୋଭିତ ବିଶାଳ ‘‘ମଣିଭଦ୍ରା’’, ଖଣ୍ଡପଡାର କଣ୍ଟିଲୋ ନିକଟବର୍ତ୍ତୀ ‘‘ଗୋଶୃଙ୍ଗ’’, ବାଙ୍କିର ମନ୍ଦରାକୃତି ‘‘ମହାପର୍ବତ’’, ବଡମ୍ବାର ଭଲ୍ଲୂକସଂକୁଳ ‘‘କୁମାରଙ୍ଗ’’ ଏବଂ ଢେଙ୍କାନାଳର ଚନ୍ଦ୍ରଶେଖର-ପବିତ୍ରୀକୃତ ପ୍ରସିଦ୍ଧ ‘‘କପିଳାସ’’ ଓ ନିର୍ଝରଶୋଭିତ ‘‘ସପ୍ତଶଯ୍ୟା’’ ପ୍ରଭୃତି ପର୍ବତସମୂହର ଅନୂପମ ସୌନ୍ଦର୍ଯ୍ୟ ଥରେ ମାତ୍ର ଅନୂଭୁତି ହେଲେ ଯାବନ୍ମୀବନ ବିସ୍ମୃତିର ସମ୍ଭାବନା ନାହିଁ ।

 

୧୯-୭-୯୫-ଶୁକ୍ରବାର–ଆଜି ସମସ୍ତ ଦିନ ଏଠାରେ ଅତିବାହିତ କଲି । ସ୍କୁଲଶିକ୍ଷକଗଣ ଏବଂ ଖୋର୍ଦ୍ଧା ସବ୍‌ଡିଭିଜନର ସୁଯୋଗ୍ୟ ସ୍କୁଲ ସବ୍‌ଇନ୍‌ସ୍ପେକ୍ଟର ଶ୍ରୀଯୁକ୍ତ ବାବୁ ମଧୁସୂଦନ ଦାସ ବି, ଏ ମହୋଦୟ ଆମ୍ଭମାନଙ୍କୁ ଯଥେଷ୍ଟ ସମାଦର କରିଥିଲେ ।

 

୨୦-୭-୯୫-ଶନିବାର-ସୂର୍ଯ୍ୟୋଦୟ ପୂର୍ବରୁ ଖୋର୍ଦ୍ଧା ପରିତ୍ୟାଗ କରି ଦକ୍ଷିଣାଭିମୁଖରେ ପ୍ରସ୍ଥାନ କଲି । ଏକମାଇଲ ପରେ ପଲ୍ଲା ଗ୍ରାମର ହାଟ । ଲୋକେ ସଚରାଚର ଏହାକୁ ‘‘ ଭାଲିଆବାଡି ’’ ହାଟ ବୋଲି କହନ୍ତି । ୧୦ ମାଇଲ ଉତ୍ତାରୁ ‘‘କେତକୀଝର’’ । ଏହାର ପାଣି ଅତିଶୟ ନିର୍ମଳ ଏବଂ ପରିଷ୍କାର । ଆମ୍ଭେମାନେ ପୂର୍ବାହ୍ନ ୮ ଘଟିକା ସମୟରେ ‘‘କୁଠାରମଲ’’ ଗ୍ରାମର ଆମ୍ରଉଦ୍ୟାନ ନିକଟରେ ଉପସ୍ଥିତ ହେଲୁଁ ।

 

ଏହିଠାରୁ ୩ ମାଇଲ ଦୂରରେ କାଇପଦର ଗ୍ରାମର ପ୍ରସିଦ୍ଧ ପୀର ବୋଖାରି ସାହେବଙ୍କ ଅଧିଷ୍ଠାନସ୍ଥଳକୁ ଗୋଟିଏ ରଥ୍ୟା ଯାଇଅଛି । ଆମ୍ଭେମାନେ ପୂର୍ବୋକ୍ତ ଅମ୍ରୋଦ୍ୟାନରେ ପାକର ଉଦ୍ୟୋଗ କରି ପୀର ସାହେବଙ୍କ ଦର୍ଶନ ନିମିତ୍ତ ଏହି ରଥ୍ୟାରେ ଯାଇଥିଲୁଁ । ଫେରି ଆସିବାକୁ ୧୧ ଘଟିକା ହୋଇଗଲା । ସ୍ନାନାହାର ସମାପନାନ୍ତେ ପୂନର୍ବାର ବାହାରିଲୁଁ । କିଛିକ୍ଷଣ ପରେ ସ୍କୁଲ ସବ୍‌ଇନ୍‌ସ୍ପେକ୍ଟର ମଧୁବାବୁ ଗସ୍ତରେ ଯାଉଥିବା ହେତୁ, ଖୋର୍ଦ୍ଧାରୁ ଆସି ଏହିଠାରେ ଆମ୍ଭେମାନଙ୍କ ସଙ୍ଗେ ମିଳିତ ହେଲେ ।

 

ଏହିଠାରୁ ପ୍ରାୟ୨ ମାଇଲ ପର୍ଯ୍ୟନ୍ତ କେତେକ ପାହାଡ ସଡକର ଉଭୟପାର୍ଶ୍ୱରେ ପ୍ରାଚୀରବତ୍‌ ରହିଅଛି । ସ୍ଥାନେ ସ୍ଥାନେ ଦୂରବିସ୍ତୃତ ରଗଡି ଅଥବା ଟଙ୍କଭୂମି (ଟାଙ୍ଗି), ‘‘ଧରଣୀ–ସୀମାନ୍ତ-ସେତୁ’’ ବତ୍‌ ବିରାଜିତ । ‘‘ଅମଣିଆ’’ ଆମ୍ରୋଦ୍ୟାନ ଏବଂ ବାମପାର୍ଶ୍ୱସ୍ଥିତ ‘‘ନୂପୁର’’ ଏବଂ ଦକ୍ଷିଣପାର୍ଶ୍ୱରେ ‘‘ବାଜେଣୀ’’ ଶୈଳଦ୍ୱୟ ଗୋଟିଏ ଘାଟି ପରି ପ୍ରତୀୟମାନ ହୁଏ । କ୍ରମଶଃ ପ୍ରାଚୀନ ମଲ୍ଲିପଡା ଗ୍ରାମ ଏବଂ ‘‘ କାଳୀବତୀ ’’ ନାମକ କ୍ଷୁଦ୍ର ପାହାଡ(ଏହି ପାହାଡ କାଟି ଏହିଠାରେ ବାରଙ୍ଗ ପରି ରାସ୍ତା ପ୍ରସ୍ତୁତ ହୋଇଅଛି) ଅତିକ୍ରମ କରି, ଆମ୍ଭେମାନେ ଜଙ୍କିଆ ଗ୍ରାମ ଏବଂ ବଜାର ନିକଟରେ ଉପସ୍ଥିତ ହେଲୁଁ । ଏଠାରେ ଗୋଟିଏ ପୋଷ୍ଟ ଅଫିସ ଏବଂ ପୂର୍ତ୍ତବିଭାଗୀୟ ଗୋଟିଏ କୋଠି ଅଛି । ଅର୍ଦ୍ଧମାଇଲ ଦୂରରେ ମନ୍ଦାକିନୀ ନାମ୍ନୀ ଗିରିନଦୀ ରଣପୁରରେ ପର୍ବତମାଳା ମଧ୍ୟରୁ ନିର୍ଗତ ହୋଇ, ବହି ଯାଉଅଛି । ଗ୍ରୀଷ୍ମ ସମୟରେ ଏହି କ୍ଷୁଦ୍ର ନଦୀରେ ଅତ୍ୟଳ୍ପ ଜଳ ଥାଏ, କିନ୍ତୁ ଆଜିକାଲି ଏହାର ତିବ୍ରସ୍ରୋତ ଦେଖିଲେ ଆଶ୍ଚର୍ଯ୍ୟନ୍ୱିତ ହେବାକୁ ହୁଏ । ଏହି ନଦୀରେ ଗୋ-ଶକଟ ପାରି ହେବାର କୌଣସି ଭଲ ବନ୍ଦୋବସ୍ତ ନ ଥିବାରୁ, ଆମ୍ଭମାନଙ୍କୁ ପ୍ରାୟ ଏକଘଣ୍ଟା କାଳ ଲାଗିଲା । ଅଳ୍ପଦୂର ପରେ ରାମେଶ୍ୱର ଗ୍ରାମକୁ ଯେଉଁ ଶାଖାରଥ୍ୟା ହୋଇଅଛି, ସେଥିରେ ଆମ୍ଭେମାନେ ଅଗ୍ରସର ହୋଇ, ଅପରାହ୍ନ ୪ ଘଟିକା ସମୟରେ ରାମେଶ୍ୱର ଭର୍ଣ୍ଣାକ୍ୟୁଲର ସ୍କୁଲଗୃହରେ ଉପନୀତ ହେଲୁଁ ।

 

ସ୍କୁଲଗୃହଟି ପର୍ବତପାଦଦେଶରେ ସ୍ଥାପିତ ହୋଇଥିବାରୁ, ଚତୁର୍ଦ୍ଦିଗର ଦୃଶ୍ୟ ଅତ୍ୟନ୍ତ ମନୋହର ଏବଂ ଆନନ୍ଦପ୍ରଦ । ଅଦୂରରେ ଚିତ୍ରକୂଟ ନାମକ କ୍ଷୁଦ୍ର ଶୈଳ । ଚିତ୍ରକୂଟରେ ଆମ୍ରବୃକ୍ଷର ସଂଖ୍ୟାହିଁ ଅଧିକ । ଗ୍ରାମ ସଙ୍ଗେ ସ୍କୁଲର ବଡ ସମ୍ପର୍କ ନାହିଁ,–ସ୍କୁଲଗୃହଟି ଅପେକ୍ଷାକୃତ ନିର୍ଜ୍ଜନପ୍ରଦେଶରେ ନିର୍ମ୍ମିତ । ଏ ଗ୍ରାମଟି ଖୁବ ବଡ ଏବଂ ପରିଷ୍କୃତ । ଗ୍ରାମର ପ୍ରାନ୍ତରେ ରାମେଶ୍ୱର ଶିବଙ୍କ ଭାସ୍କର୍ଯ୍ୟଶୋଭିତ ମନ୍ଦିର ଅଛି, ଏବଂ ମନ୍ଦିରର ଅଳ୍ପଦୂରରେ ମନ୍ଦାକିନୀ କଳ କଳ ନାବ ରେ ଧାବିତା । ସ୍ଥାନଟି ସୌନ୍ଦର୍ଯ୍ୟପୂର୍ଣ୍ଣ ଏବଂ ମଧୁର ।

 

ଆମ୍ଭେମାନେ ଏହି ରାତ୍ରି ସ୍କୁଲଗୃହରେ ଯାପନ କଲୁଁ । ସ୍କୁଲ ହେଡ ପଣ୍ଡିତ ବାବୁ ଶ୍ରୀ ଶ୍ୟାମବନ୍ଧୁ ଦାସ ମହୋଦୟଙ୍କ ଆଜି ଆମ୍ଭେମାନେ ଅତିଥି । ଏହାଙ୍କ ସୌଜନ୍ୟ ହେତୁରୁ ଅତିଥିସୁଲଭ ସଙ୍କୁଚିତଭାବ ଆମ୍ଭମାନଙ୍କ ହୃଦୟରେ ଆଦୌ ସ୍ଥାନ ପାଇ ନ ଥିଲା ।

 

୨୧-୭-୯୫–ରବିବାର–ପ୍ରାତଃକାଳ ମଧ୍ୟ ଏହିଠାରେ ଯାପିତ ହେଲା ସଙ୍ଗେ ସଙ୍ଗେ ମଧୁ ବାବୁଙ୍କ ସ୍କୁଲ ପରିଦର୍ଶନ କାର୍ଯ୍ୟ ମଧ୍ୟ ଶେଷ ହେଲା । ଭୋଜନାନ୍ତେ ଆମ୍ଭେମାନେ ପ୍ରସ୍ଥାନ କଲୁଁ । ମାନ୍ଦ୍ରାଜ ସଡକରେ ଉପନୀତ ହେବାକୁ ଆମ୍ଭମାନଙ୍କୁ ଏକ ଘଣ୍ଟା ସମୟ ଲାଗିଲା ।

 

ଏହି ସ୍ଥାନରୁ ରାସ୍ତାର ଦକ୍ଷିଣପାର୍ଶ୍ୱରେ ୮ ମାଇଲବ୍ୟାପୀ ‘‘ଅଟରା’’ ପାହାଡ ଶ୍ରେଣୀ ଦଣ୍ଡାୟମାନ । ବାମଦିଗରେ ମାର୍ଗର ପ୍ରାୟ ୨ ମାଇଲ ଅନ୍ତରରେ ‘‘ହାତିଆ’’ ପାହାଡ ସ୍ୱକୀୟ ତଟଦେଶରେ ତାରାଦେବୀଙ୍କର ମନ୍ଦିର ଧାରଣ କରି, ଅଦୂରବର୍ତ୍ତୀନୀ ଚିଲିକାକୁ ସରଭ୍ରୂଭଙ୍ଗରେ ଦେଖୁଅଇଛି । କ୍ରମଶଃ ବଡପୋଖରୀଆ ଏବଂ ଚମ୍ପାଗଡ ଗ୍ରାମଦ୍ୱୟ ପଡିଲା । ଏହି ସ୍ଥାନମାନଙ୍କରେ ସମୟ ସମୟ ରେ ଦସ୍ୟୁଭୟ ହେବାର ଶୁଣାଯାଏ । ୨ମାଇଲ ଉତ୍ତାରୁ ରଣପୁରରାଜ୍ୟର ଆରମ୍ଭ । ଏହିଠାରେ ସଡକରୁ ଚିଲ୍ଲା ଦିଶେ । କେତେକ ଦୂର ଗଲେ ରଣପୁରର ଗଉଣିଆ, ଧାନେଇ, ଏବଂ ମୈନାକ ନାମକ ବିଶାଳ ପର୍ବତତ୍ରୟ ସଡକର ଦକ୍ଷିଣପାର୍ଶ୍ୱରେ ଅନନ୍ତସୃଷ୍ଟ ସୌନ୍ଦର୍ଯ୍ୟର ଆଭାସ ପ୍ରଦାନ କରେ । କଟକରୁ ସଡକର ୫୦ ମାଇଲଠାରେ ରଣପୁର ଗଡକୁ ଏକ ଶାଖାବର୍ତ୍ତ୍ମ ଯାଇଅଛି । ଏହି ବର୍ତ୍ତୁ ରଣପୁରର ଭୂତପୂର୍ବ ସୁଯୋଗ୍ୟ ଦେବାନ ବାବୁ ଗୌରଚନ୍ଦ୍ର ସେନଙ୍କ କର୍ତ୍ତୃକ ସର୍ବପ୍ରଥମ ନିର୍ମ୍ମିତ ହୋଇଥିଲା । ଏକବର୍ଷ ପୂର୍ବେ ବ୍ରାହ୍ମଣକୁଳତିଳକ ଦେବାନ ବାବୁ ଲୋକନାଥ ମିଶ୍ର ମହୋଦୟ ଏହି ରାସ୍ତାର ସଂସ୍କାର କରାଇବାକୁ ଉଦ୍ୟତ ହୋଇ କେତେକ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିଥିଲେ । ରଣପୁରବାସିଙ୍କ ଅଦୃଷ୍ଟଦୋଷରୁ କେତେକ ମାସ ହେବ ଔଦାର୍ଯ୍ୟ ଏବଂ ସାରଲ୍ୟର ଅବତାର ଲୋକନାଥ ବାବୁ ଦୂରନ୍ତ କାଳକର୍ତ୍ତୃକ ନୀତ ହୋଇଅଛନ୍ତି । ଏ ମହାଶୟଙ୍କଦ୍ୱାରା ରଣପୁରରାଜ୍ୟର ଅଶେଷ ମଙ୍ଗଳ ସାଧିତ ହୋଇଥାନ୍ତା, କିନ୍ତୁ କାଳ ତାହା କରି ଦେଲା ନାହିଁ ।

 

ଏହି ରାସ୍ତାରୁ ରଣପୁର ଗଡ ପ୍ରାୟ ୧୦ ମାଇଲ । ରାସ୍ତା ଦୁର୍ଭେଦ୍ୟ ଅରଣ୍ୟ ମଧ୍ୟ ଦେଇ ଯାଇଅଛି, ଏବଂ ଗୋପାଳପୁର ନାମକ ଗୋଟଏ ବଡ଼ ଗ୍ରାମ ରାସ୍ତାର ୮ ମାଇଲ ପରେ ପଡେ । ରଣପୁର ଗଡ ପରି ସୂଦୃଶ୍ୟସ୍ଥାନାବସ୍ଥିତ ରାଜଧାନୀ ଓଡିଶାରେ ବିରଳ । ଏଠାରେ ଗୋଟିଏ ବୃହତ୍‌ ଦେବମନ୍ଦିର, ଭର୍ଣ୍ଣାକ୍ୟୁଲର ସ୍କୁଲ, ପୋଷ୍ଟ ଅଫିସ, ଥାନା ପ୍ରଭୃତି ଅଛି । ରାଜଧାନୀ ମଧ୍ୟସ୍ଥ ପ୍ରଶସ୍ତ ସଡକ ଦେଖିଲେ ପୁରୀର ‘‘ବଡଦାଣ୍ଡ’’ ବୋଲି ଭ୍ରମ ହୁଏ । ଏଠାର ଜଳବାୟୁ ମନ୍ଦ ନୁହେ । ରାଜକୁମାର ଶ୍ରୀଯୁକ୍ତ ହରିହର ଜଗଦେବ ସାମନ୍ତ ବାହାଦୂର ଗଡଜାତ ରାଜନ୍ୟ ବର୍ଗରେ ଜଣେ ଆଦର୍ଶ ପୁରୁଷ । ଏହାଙ୍କର ବିଦ୍ୟାବତ୍ତା, ସାତ୍ତଲ୍ୟ, ସୌଜନ୍ୟ ଏବଂ ବିନୟ, ଓଡିଶାର ଧନିମାନଙ୍କ ଘରେ ନିତାନ୍ତ ଦୁର୍ଲ୍ଲଭ ।

 

ଅର୍ଦ୍ଧମାଇଲ ପରେ ଚାନ୍ଦପୁର ଗ୍ରାମ । ଏଠାରେ ରଣପୁର ରାଜ୍ୟର ଗୋଟିଏ ଫାଣ୍ଡି ଏବଂ ଅପରପ୍ରାଇମେରୀ ସ୍କୁଲ ଅଛି । ୫୧୧/୨ ମାଇଲରରେ ରଣପୁର ରାଜ୍ୟର ଶେଷ ଏବଂ ଖୋରଧା ସବ୍‌ଡିବିଜନର ପୁନଶ୍ଚ ଆରମ୍ଭ ।

 

ସୂର୍ଯ୍ୟାସ୍ତର କିଛି ପୂର୍ବେ ଆମ୍ଭେମାନେ ଟାଙ୍ଗୀ କୋଠିରେ ଉପସ୍ଥିତ ହେଲୁଁ । ଏହି କୋଠି, ବନଶୋଭିତ ‘ରତ୍ନମାଳା’ ପର୍ବତର ମୂଳ ଦେଶରେ ଏବଂ ଗୈରିକବର୍ଣ୍ଣ ଅଧିତ୍ୟକା ଉପରେ ଅଧିଷ୍ଠିତ ଥିବାରୁ ସ୍ଥାନଟି ହୃଦୟସ୍ପର୍ଶୀ ଭାବୋଦୀପକ ଅଟେ । ଏଠାରୁ ଚିଲିକାର ନୀଳ ଜଳରେଖା ପୂର୍ବଦିଗ୍‌ବଳୟରେ ଅସ୍ପଷ୍ଟରୂପେ ଦୃଷ୍ଟିଗୋଚର ହେଉଥାଏ । ଟାଙ୍ଗୀ ଗ୍ରାମଟି ବୃହତ୍‌, କିନ୍ତୁ ସଡକରୁ ୧ ମାଇଲ୍ ଦୂରବର୍ତ୍ତୀ ।

 

ଏହି କୋଠିରେ ସମସ୍ତ ରାତ୍ରି ଅବସ୍ଥାନ କଲୁଁ । ଏଠାରେ ସମୟ ସମୟରେ ଭଲ୍ଲୁକର ଉପଦ୍ରବ ହୁଏ ।

 

୨୨-୭-୯୫-ସୋମବାର–ଅତି ପ୍ରତ୍ୟୁଷରୁ ଆମ୍ଭେମାନେ ବର୍ହିଗତ ହେଲୁଁ । ୧୧/୨ ମାଇଲ ପରେ ‘ସାତଶଙ୍ଖ’ ନାମକ ବୃହତ୍‌ପୋଲ ଏବଂ ତତ୍‌ସନ୍ନିହିତ ଗୋଟିଏ କ୍ଷୁଦ୍ର ବଜାର ଦେଖାଗଲା । ବାମ ପାର୍ଶ୍ୱରେ କୁସୁମୀ ଗ୍ରାମ, ଏବଂ ଚଣ୍ଡଶ୍ୱେର ନାମକ ବିଖ୍ୟାତ ଶିବଙ୍କ ମନ୍ଦିର । ଏହି ମନ୍ଦିରଟି ସଡକରୁ ୧ ମାଇଲ ଦୂରବର୍ତ୍ତୀ ହେଲେହେଁ ସ୍ପଷ୍ଟ ଦିଶେ । ଓଡିଶାରେ ଏହି ମନ୍ଦିର ଚତୁର୍ଥସ୍ଥାନୀୟ । ଏହା ସୁବୃହତ୍‌ ନାଗକେଶରବନ ଦ୍ୱାରା ପରିବେଷ୍ଟିତ । ପାରିକୁଦ ରାଜବଂଶ ଦ୍ୱାରା ଏହି ମନ୍ଦିର ନିର୍ମିତ ହୋଇଥିବାର କିମ୍ୱଦନ୍ତୀ ଅଛି ।

 

କିଛି ଦୂର ଗଲେ ଦକ୍ଷିଣପାର୍ଶ୍ୱରେ ଦୀକ୍ଷିତପଡ଼ା ଗ୍ରାମ ଏବଂ ବୋଇତାଳ ପାହାଡର ନିବିଡ ବନ । ଏହି ସ୍ଥାନରେ ସମୟ ସମୟରେ ଦସ୍ୟୁଭୟ ହୋଇଥିବାର ଶୁଣାଯାଏ । ଏହାର ଏକମାଇଲ ଉତ୍ତାରୁ ବାମପାର୍ଶ୍ୱରେ କୁହୁଡି ଗ୍ରାମ ପଡିଲା । ଏହି ଗ୍ରାମରେ ଗୋଟିଏ ଅପରପ୍ରାଇମେରୀ ସ୍କୁଲ ଅଛି । ଗତବର୍ଷ ଏହିଠାରେ ୩ ।୪ ଜଣ ଭଲ୍ଲୁକ ଦ୍ୱାରା ନଷ୍ଟ ହୋଇଥିବାର ଶୁଣାଗଲା । ଏହିଠାରୁ ସୁନାଖଳା ପର୍ଯ୍ୟନ୍ତ ସଡକର ଉଭୟ ପାର୍ଶ୍ୱରେ ସାମାନ୍ୟ ସାମାନ୍ୟ ଜଙ୍ଗଲ; କିନ୍ତୁ ସେହି ସବୁ ଜଙ୍ଗଲର ପ୍ରାନ୍ତ ଦେଶରେ ଘନ ନିବିଡ ଅରଣ୍ୟନୀର ସମାବେଶ । କଟକରୁ ୬୧୧/୪ ମାଇଲରେ ସଡକର ଦକ୍ଷିଣପାର୍ଶ୍ୱରେ ‘‘କଉଡିଖଣି’’ ନାମକ ଅତି ସୁନ୍ଦର ପୁଷ୍କରିଣୀ ଏବଂ ବାମପାର୍ଶ୍ୱରେ ସୁନାଖଳା ପାହାଡ । ଅନତିଦୂରରେ ’‘ପଦ୍ମପୁର’‘ ନାମକୁ ଗ୍ରାମକୁ ଗୋଟାଏ ଶାଖାରାସ୍ତା ପ୍ରସ୍ତୁତ ହୋଇଅଛି । ଅର୍ଦ୍ଧମାଇଲ ଦୂରରେ ସଡକର ବାମପାର୍ଶ୍ୱରେ ସୁନାଖଳା କୋଠି । ଏହି କୋଠିର ଅବସ୍ଥାନ ସ୍ଥାନଟି ବାସ୍ତବିକ ଅତୁଳନୀୟ, ଏହାର ଚତୁର୍ଦ୍ଦିଗର ଶୋଭାରେ କିଏ ମୁଗ୍ଧ ନ ହେବ ? ଅନୁମାନ ୧୫ ।୧୬ ବର୍ଷ ପୂର୍ବେ ଏହି ସ୍ଥାନରେ ଆମ୍ରତରୁମୂଳରେ ଗୋଟିଏ ପ୍ରସ୍ତର ଉପରେ ବସି ମୋହର ପିତା ମହାଶୟ ‘‘ରାମଚନ୍ଦ୍ରଙ୍କ ପ୍ରତି ଜାନକୀ’’ ନାମକ ଗୋଟିଏ ସୁଦୀର୍ଘ ବଙ୍ଗଳା କବିତା ରଚନା କରିଥିଲେ । ଏହାର ସମ୍ମୁଖରେ ୨ମାଇଲ ଦୂରବର୍ତ୍ତୀ ‘‘ବିମାନାକୃତି’’ ବିଶାଳ ଶୋଲରି ନୀରନ୍ଧ୍ରବନସମୂହବେଷ୍ଟିତ, ଏବଂ ପୁରୀ ଜିଲ୍ଲାର ସର୍ବୋଚ୍ଚ ପର୍ବତସ୍ୱରୂପ ଗର୍ବପୀତ ପରି ଦଣ୍ଡାୟମାନ । ପଶ୍ଚାଦ୍ଦେଶରେ ସୁନାଖଳା ପାହାଡର ପକ୍ଷିକୁଳକାକଳୀ, ଶ୍ରୁତିତୃପ୍ତିକର । ପଶ୍ଚିମରେ ବାଣପୁରର ଦୁର୍ଭେଦ୍ୟଶୈଳଶ୍ରେଣୀ, ଏବଂ ‘‘କରିମୁଣ୍ଡାକୃତି’’ ଖଣ୍ଡାହଣା ଗିରି ବିଦ୍ୟମାନ ।

 

ସୁନାଖଳା ଗ୍ରାମ ଏବଂ ବଜାରଟି ସଡ଼କରୁ ଅଳ୍ପ ବାଟ ଅନ୍ତରରେ । ଏଠାର ସ୍କୁଲଗୃହରେ ଆମ୍ଭେମାନେ ସ୍ନାନାହାର ସମାପନ କରି ପୁନଶ୍ଚ ବାହାରିଲୁଁ । ଏ ସ୍କୁଲଗୃହଟି ମଧ୍ୟ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନରେ ଅବସ୍ଥିତ । ସ୍କୁଲଗୃହ ସଙ୍ଗେ ପୋଷ୍ଟ ଅଫିସ ମଧ୍ୟ ସଂଯୁକ୍ତ ଅଛି ।

 

ଏକମାଇଲ ଉତ୍ତାରୁ ସଡ଼କର ବାମପାର୍ଶ୍ୱରେ କହ୍ନେଇପୁର ଗ୍ରାମ ପଡ଼େ । ଏହିଠାରୁ ବାମପାର୍ଶ୍ୱରେ ‘‘ମରାଳମାଳିନୀ ନୀଳାମ୍ବୁ ଚିଲିକା’’ର ଅପୂର୍ବ ଦୃଶ୍ୟ, ଏବଂ ଦକ୍ଷିଣପାର୍ଶ୍ୱରେ ଭୀମଦର୍ଶନ ଶୋଲରୀର ଭୀମକାନ୍ତଶୋଭା ଅନୁଭବ କରୁଁ କରୁଁ ଆମ୍ଭେମାନେ ଅଗ୍ରସର ହେଲୁଁ । ଦକ୍ଷିଣପାର୍ଶ୍ୱସ୍ଥିତ ବଡ଼ଡ଼ିହୀ ଗ୍ରାମ ନିକଟର’ ଇଷ୍ଟକୋଷ୍ଟ ରେଲଓୟେ ଲାଇନ ସଡ଼କରୁ କାଟି ଯାଇଅଛି । କ୍ରମଶଃ ଦକ୍ଷିଣପାର୍ଶ୍ୱରେ ବ୍ରାହ୍ମଣକୁଶଡ଼ିହୀ ଏବଂ ବାମପାର୍ଶ୍ୱରେ ଚିଲିକା ନିକଟବର୍ତ୍ତୀ ପଞ୍ଚପଲ୍ଲୀ ଗ୍ରାମଗୁଡ଼ିକ ଦେଖୁଁ ଦେଖୁଁ ଆମ୍ଭେମାନେ କଂସାରି ନଦୀ ନିକଟରେ ଉପସ୍ଥିତ ହେଲୁଁ । ଏହି ନଦୀରେ କୁମ୍ଭୀରର ଅତ୍ୟନ୍ତ ପ୍ରାଦୁର୍ଭାବ, କିନ୍ତୁ ନଦୀଟି ୫୦ । ୬୦ ହାତ ପ୍ରଶସ୍ତ । କ୍ଷୁଦ୍ରହେଲେହେଁ ଏହାର ପ୍ରବଳପ୍ରତାପ ସହସା ବିଶ୍ୱାସ୍ୟ ନୁହେ । ‘‘ଶୋଲରୀଶିଖ, ମୟୂର ବାଙ୍କ‌, କଂସାରି ନଈ, ବାଣପୁରିଆ ଭାଇ, ଏହାଙ୍କୁ ପରତେ ନାହିଁ ’’ଏହି ପ୍ରବଚନ ଏ ଅଞ୍ଚଳରେ ବହୁକାଳରୁ ପ୍ରଚଳିତ ଅଛି । ନଦୀର ଅପରପାର୍ଶ୍ୱରେ କୁମ୍ଭୀରପଡ଼ା ଗ୍ରାମ । ଏଠାରେ ପୂର୍ବକାଳରେ ଗୋଟିଏ ସଦ୍ୟପ୍ରସୂତା ସ୍ତ୍ରୀ କୁମ୍ଭୀରର ଗ୍ରାସରୁ ରକ୍ଷା ପାଇ ତାହାକୁ ମାରିଥିବାର କିମ୍ବଦନ୍ତୀରୁ ଗ୍ରାମଟିର ନାମକରଣ ହୋଇଛି । କେହି କେହି ଗ୍ରାମବାସୀ ପ୍ରାବ୍ଟଟର ଭୀଷଣ ପ୍ରକୋପ ଭୟରେ କିଞ୍ଚିତ୍‌ଉଚ୍ଚସ୍ଥାନରେ ଗୃହ ନିର୍ମ୍ମାଣ କରିଅଛନ୍ତି,–ଦୂରରୁ ସେମାନଙ୍କର ସେହି ତୃଣାଚ୍ଛାଦିତ କ୍ଷୁଦ୍ର-କୁଟୀରଗୁଡ଼ିକ ଚିତ୍ରବତ୍‌ଆମ୍ଭମାନଙ୍କ ଚକ୍ଷୁଃସମକ୍ଷରେ ପ୍ରତିଭାତ ହେଉଥିଲା ।

 

ଶିଖରପଦର ଗ୍ରାମଟି ଚିଲିକାକୂଳରେ ଅବସ୍ଥିତ । ଏହି ବର୍ଷାକାଳରେ ଗ୍ରାମସ୍ଥ ଲୋକମାନଙ୍କ ଦୂରବସ୍ଥା ଅକଥନୀୟ । ଏହି ସମୟରେ ପ୍ରତିବର୍ଷ ଚିଲିକାର ଜଳରାଶି ସ୍ଫୀତ ହୋଇ ଗ୍ରାମର ଚତୁଷ୍ପାର୍ଶ୍ୱ ବେଷ୍ଟନ କରି ଲୋକମାନଙ୍କ ଗମନାଗମନର ସୁବିଧା ଏକାବେଳକେ ବନ୍ଦ କରିଦିଏ । ନୌଯାନ ବ୍ୟତୀତ ଗମନାଗମନର ଅନ୍ୟ କୌଣସି ସୁବିଧା ନାହିଁ ।

 

କୁମ୍ଭୀରପଡ଼ା ଗ୍ରାମରୁ ଏକ ମାଇଲ ଦୂରରେ ‘‘ମାମୁଭଣଜା’’ ଶୈଳଦ୍ୱୟ ସଡ଼କର ଉଭୟପାର୍ଶ୍ୱରେ ଘାଟି ପରି ବିଦ୍ୟମାନ । ଏହି ଶୈଳଦୁହିଙ୍କ ଦୃଶ୍ୟ ଯଦିବା ଦୂରରୁ ନୈରାଶ୍ୟାବହ, ନିକଟରେ ସେପରି ନୁହେ । ଶୈଳଦ୍ୱୟ ସାମାନ୍ୟ ବନରେ ପରିଶୋଭିତ ଏବଂ ବୃହତ୍‌ବୃହତ୍‌ଉପଳଖଣ୍ଡରେ ପରିପୂର୍ଣ୍ଣ ।

 

ମାମୁଶୈଳର ଠିକ୍‌ପାଦଦେଶରେ ସଡ଼କର ବାମପାର୍ଶ୍ୱକୁ ସିଂହେଶ୍ୱର ଗ୍ରାମ । ସ୍ଥାନଟି ଅତି ମନୋରମ । ଦେବ ପିନାକୀଙ୍କ ଦେଉଳ, ଅନତିବୃହତ୍‌ପୁଷ୍କରିଣୀ, ଏବଂ କତିପୟ ନାରୀକେଳ ବୃକ୍ଷ ଗ୍ରାମର ଶୋଭା ବର୍ଦ୍ଧନ କରିଅଛି । ଖୋର୍ଦ୍ଧା ସବ୍‌ଡ଼ିବିଜନ ମଧ୍ୟରେ ଏହିଠାରୁ ବାଣପୁରର ଗ୍ରାମସମୂହ ପୂଗ ନାରିକେଳ ବୃକ୍ଷାବଳୀରେ ପରିପୂର୍ଣ୍ଣ । ନାରିକେଳକୁଞ୍ଜହିଁ ବ୍ରାହ୍ମଣଶାସନର ପ୍ରକୃତି ନିଦର୍ଶନ । ବିଶେଷତଃ ପୁରୀ ଜିଲାର ବ୍ରାହ୍ମଣଶାସନଗୁଡ଼ିକର ଏହି ଦୃଶ୍ୟପରିଶୋଭିତ । ବାଣପୁର ଅଞ୍ଚଳର ବିପ୍ରଶାସନ ମଧ୍ୟରେ ଭୀମପୁର, ଅଚ୍ୟୁତରାଜପୁର, ଏବଂ କୁମରାଙ୍ଗ, (ଓଡ଼ିଶାର ଭୁତପୂର୍ବ ସୁପ୍ରସିଦ୍ଧ ମହାତ୍ମା ୰ଦାଶରଥି କବିଚନ୍ଦ୍ରଙ୍କ ଜନ୍ମସ୍ଥାନ) ପ୍ରଭୃତି ପ୍ରସିଦ୍ଧ । ଯେଉଁ ୰ଦାଶରଥି କବିଚନ୍ଦ୍ର ଏକସମୟରେ କବିତ୍ୱଶକ୍ତିରେ ସମଗ୍ର ଉତ୍କଳର ଏକମାତ୍ର ରତ୍ନ ଥିଲେ, ଦୂରନ୍ତ କାଳ ତାହାଙ୍କୁ ହରଣ କରିଅଛି, କେବଳ ତାହାଙ୍କ ଗ୍ରାମସ୍ଥ ଗୃହଦର୍ଶନରେ ପଥିକମନରେ ପୂର୍ବସ୍ମୃତି ଜାଗରୂକ ହେଉଅଛି । ଦାଶରଥି ଆଶୁକବି ଥିଲେ । ସଦ୍ୟପ୍ରତିଷ୍ଠାପ୍ରିୟ ଆଶୁକବିମାନଙ୍କ ପରି ସ୍ଥାୟି-ଲିପିକୀର୍ତ୍ତି ସ୍ଥାପନରେ ସମ୍ଭବତଃ ସେ ଉଦାସୀନ ଥିଲେ ।

 

‘‘ମାମୁଭଣଜା’’ ଶୈଳର ୧ ମାଇଲ ପରେ ସଡ଼କର ଦକ୍ଷିଣପାର୍ଶ୍ୱରେ ବାଣପୁର ଗ୍ରାମକୁ ଗୋଟିଏ ଶାଖାବର୍ତ୍ତ୍ର ଯାଇଅଛି । ଏହି ବାଣପୁର ଗ୍ରାମ ଏକ ସମୟରେ ଉତ୍କଳରାଜାମାନଙ୍କ ଆବାସସ୍ଥଳ ଥିଲା । ପାରିକୁଦ ରାଜବଂଶ ମଧ୍ୟ ଏକ ସମୟରେ ବାଣପୁରର ଅଧୀଶ୍ୱର ଥିବାର କଥିତ ହୁଅଇ । ବର୍ତ୍ତମାନ ସେ ସବୁର ଚିହ୍ନ ମାତ୍ର ନାହିଁ । କେବଳ ଏ ଅଞ୍ଚଳରେ ଶିଳ୍ପନୈପୁଣ୍ୟର ପରାକାଷ୍ଠାସ୍ୱରୂପ ଦକ୍ଷପ୍ରଜାପତିଙ୍କ ମନ୍ଦିର ଏବଂ ‘‘ଅଷ୍ଟକାଳୀ’’ଙ୍କ ମଧ୍ୟରୁ ଅନ୍ୟତମ ଓ ଏ ଅଞ୍ଚଳର ସୁପ୍ରସିଦ୍ଧ ଦେବତା ଭଗବତୀଙ୍କ ମନ୍ଦିରର ନିଦର୍ଶନ ମଧ୍ୟ ଲକ୍ଷିତ ହୁଏ । ବାଣପୁର ଗ୍ରାମଟି ଅତି ସୁନ୍ଦର ସ୍ଥାନରେ ଅବସ୍ଥିତ । ଚତୁର୍ଦ୍ଦିଗରେ ବ୍ରାହ୍ମଣଶାସନ, ଏବଂ ଅଦୂରରେ ଘଣ୍ଟିଶିଳା ପର୍ବତ । ଏଠାରେ ଦାତବ୍ୟ ଚିକିତ୍ସାଳୟ, ପୋଷ୍ଟଅଫିସ, ଆଉଟପୋଷ୍ଟ ଏବଂ ସ୍କୁଲ ପ୍ରଭୃତିର ଅଭାବ ନାହିଁ । ଅଧିବାସିମାନଙ୍କ ମଧ୍ୟରେ କୁମଟି ବ୍ୟବସାୟିଙ୍କ ସଂଖ୍ୟା ଅଧିକ । ଅଧ୍ୟବସାୟରେ ଏମାନେ ମାରବାଡ଼ିମାନଙ୍କଠାରୁ ହୀନକଳ୍ପ ନୁହନ୍ତି । ବାଣପୁର ଗ୍ରାମ ମାନ୍ଦ୍ରାଜ ସଡ଼କରୁ ପ୍ରାୟ ୩ ମାଇଲ ଦୂରରେ ଅବସ୍ଥିତ ।

 

ବାଣପୁର ବର୍ତ୍ତ୍ୱର ଅପର ପାର୍ଶ୍ୱରେ ଚିଲିକାରୁ ଏକ ଶାଖାବର୍ତ୍ତ୍ୱ ଆସି ମାନ୍ଦ୍ରାଜ ସଡ଼କରେ ସମ୍ମିଳିତ । ଏହିଠାରେ ଚିଲିକା ସଡ଼କର ଅତିନିକଟ,–ପ୍ରାୟ ୧/୪ ମାଇଲ ହେବ ।

 

ଏ ସବୁର ଠିକ୍‌ପରେ ବାଲୁଗ୍ରାମ । ଖୋର୍ଦ୍ଧା ସବ୍‌ଡ଼ିବିଜନ ମଧ୍ୟରେ ଏହା ଗୋଟିଏ ବୃହତ୍‌ଗ୍ରାମ । ସଡ଼କର ଉଭୟପାର୍ଶ୍ୱ ଅଧିକାର କରି ଏହା ବିସ୍ତୃତ । ଗ୍ରାମରେ ନାରିକେଳ ବୃକ୍ଷର ଅଭାବ ନାହିଁ । କିନ୍ତୁ ଜନାକୀର୍ଣ୍ଣ ହେବାରୁ ଏହା ସ୍ୱଭାବତଃ ଅପରିଷ୍କୃତ । ଏହିଠାରେ ସନ୍ଧ୍ୟା ହେବାରୁ ଏଠାର ନବସ୍ଥାପିତ ଅପରପ୍ରାଇମେରୀ ସ୍କୁଲଗୃହରେ ଆମ୍ଭେମାନେ ରାତ୍ରିଯାପନର ଉଦ୍ୟୋଗ କରିବାକୁ ପ୍ରବୃତ୍ତ ହେଲୁଁ ।

 

ସନ୍ଧ୍ୟା ସମୟରେ ବର୍ଷା ଆରମ୍ଭ ହେଲା । କେବଳ ବର୍ଷା ନୁହେ, ବିଦ୍ୟୁତ୍‌, ବଜ୍ର,ଏବଂ ବାତ୍ୟା ଏହାର ସହଚର ହୋଇ ପ୍ରାୟ ସମସ୍ତ ରାତ୍ରି ପରସ୍ପର ଯୁଦ୍ଧ କରୁଥିଲେ । ରାତ୍ର ଶେଷ ହେଲା ଏବଂ ସେମାନଙ୍କର କ୍ରୂର ଅଭିନୟରେ ମଧ୍ୟ ଯବନିକା ପାତ ହେଲା ।

 

୨୩-୬-୯୫-ମଙ୍ଗଳବାର–ଏ ପ୍ରଭାତରେ ଉଦୀୟମାନ ସୂର୍ଯ୍ୟର ସ୍ୱର୍ଣ୍ଣକିରଣରେ ଆମ୍ଭମାନଙ୍କ ନୟନ ଏବଂ ମନ ପୁଲକିତ ହେଲା ନାହିଁ । ନିବିଡ଼ ମେଘରାଶି ପୂର୍ବାକାଶର ଆରକ୍ତ ଆଭାକୁ ଦେଖୁଁ ଦେଖୁଁ କବଳିତ କଲା । ପ୍ରକୃତି ଜଡ଼ରୁ ଜଡ଼ତର ବୋଧ ହେଲା । ଏହି ମେଘାନ୍ଧକାରବିଷାଦମୟ ପ୍ରଭାତ, ଆମ୍ଭମାନଙ୍କ ହୃଦୟରୁ ଦକ୍ଷିଣ ପରିଭ୍ରମଣର ଆଶା ଏକାବେଳେକେ ଦୂରୀଭୂତ କରି ହେବାକୁ ବସିଲା । କିନ୍ତୁ ‘‘ଶ୍ରେୟାଂସି ବହୁବିଘ୍ନାନି’’ ଏହା ମନେ କରି କିଞ୍ଚିତ୍‌ଆଶ୍ୱସ୍ତ ହୋଇ ଆମ୍ଭେମାନେ ନୀରବରେ ପ୍ରାତଃକୃତ୍ୟ ଆଡ଼କୁ ମନୋନିବେଶ କଲୁଁ ।

 

ଅପରାହ୍ନ ଘ ୨ଟିକା ସମୟରେ ମେଘର ପ୍ରଭାବ କିଞ୍ଚିତ୍‌ହ୍ରାସ ହେବାର ବୋଧ ହେଲା । ସୁତରାଂ ଆମ୍ଭେମାନେ ଆଶାନ୍ୱିତ ହୋଇ ବଡ଼କୂଳ ଅଭିମୁଖେ ପ୍ରସ୍ଥାନ କଲୁଁ । ବଡ଼କୂଳ ଏଠାରୁ ଅଧିକଦୂର ନୁହେ,–ପ୍ରାୟ ୨ ମାଇଲ । ମାର୍ଗରେ ଶାଳିଆ ନଦୀ । ଏହି ନଦୀ ବାଣପୁରର ପର୍ବତମାଳାରୁ ନିର୍ଗତ, ଏବଂ ନାନାଗ୍ରାମ ମଧ୍ୟ ଦେଇ, ପରିଶେଷରେ ସଡ଼କକୁ ଅତିକ୍ରମ କରି ଚିଲିକାରେ ଏହାଉପରେ ଗୋଟିଏ କ୍ଷୁଦ୍ର ଲୌହସେତୁ ନିର୍ମ୍ମିତ । କିଛିଦୂରରେ ଇଞ୍ଜନପୁର ଗ୍ରାମ ଏବଂ ନାରିକେଳବୃକ୍ଷଶୋଭିତ ଶିବଙ୍କ ମନ୍ଦିର ସଡ଼କର ବାମପାର୍ଶ୍ୱରେ ଲକ୍ଷିତ ହେଲା ।

 

ଏହା ଉତ୍ତାରୁ ବଡ଼କୂଳଗ୍ରାମ ସଡ଼କର ଦକ୍ଷିଣପାର୍ଶ୍ୱରେ ଅବସ୍ଥିତ କଲୁଁ । ସ୍କୁଲଗୃହଟି ସଡ଼କର ତଟଦେଶରେ ଅବସ୍ଥିତ ଏବଂ ଲୋକାଳୟର ଦୂରବର୍ତ୍ତୀ ହୋଇଥିବାରୁ ନିକାଞ୍ଚନ ଏବଂ ଶାନ୍ତିପୂର୍ଣ୍ଣ ।

 

ଅପରାହ୍ଣ ଘ ୫ ଟିକା ଉତ୍ତାରୁ ବୃଷ୍ଟି ଆରମ୍ଭ ହେଲା । ସୁତରାଂ ଏ ସ୍ଥାନର ସୁମଧୁର ଦୃଶ୍ୟରେ କାଳିମାର ବିଷାଦଚ୍ଛାୟା ପତିତ ହୋଇ, ଦୃଶ୍ୟକୁ ଗାମ୍ଭୀର୍ଯ୍ୟମିଶ୍ରିତ ସୌନ୍ଦର୍ଯ୍ୟରେ ପରିଣତ କରି ଦେଲା । ଅଦୂରରେ ୩୦ ମାଇଲବ୍ୟାପୀ ଭାଲେରିର ବିଶାଳ ଦେହ ଉତ୍କଳର ଦୁର୍ଭେଦ୍ୟ ପ୍ରାକାରରୂପେ ବିଦ୍ୟମାନ । ଭଲେଇ ଓଡ଼ିଶାର ଦକ୍ଷିଣତମ ପର୍ବତ, ଏବଂ ଓଡ଼ିଶାର ସୀମାନ୍ତ ପ୍ରଦେଶରେ ଅବସ୍ଥିତ । ପଶ୍ଚିମରେ ବାଣପୁର ଅଞ୍ଚଳର ସ୍ତରବିନ୍ୟସ୍ତ ଉଚ୍ଚ ଉଚ୍ଚ ଗିରିଶୃଙ୍ଗମାନ ଭୀଷଣ ଅରଣ୍ୟାନୀରେ ପରିଶୋଭିତ, ଏବଂ ଖଣ୍ଡାହଣା ଗିରି ସଦର୍ପରେ ନିଜ ମସ୍ତକ ଉନ୍ନତ କରିଅଛି । ଉତ୍ତରରେ ପ୍ରକାଣ୍ଡ ଶୋଲରୀ ପ୍ରକୃତିର ଅପରୂପ ଦୃଶ୍ୟରେ ହୃଦୟ ବିମୋହିତ କରୁଅଛି । ଏଠାରୁ ଚିଲିକା ଅତି ନିକଟ;–ପ୍ରାୟ ୨୦୦ ହାତ ହେବ । ପର୍ବତଶ୍ରେଣୀ ନିକଟରେ ଚିରକଳ୍ଳୋଳମୟୀ ଚିଲିକାର ଅପୂର୍ବ ସୌନ୍ଦର୍ଯ୍ୟ ପ୍ରତି ବର୍ଣ୍ଣନାଦ୍ୱାରା, ସୁବିଚାର କରିବାର ଅସମ୍ଭବ, ତାହା ଦେଖିବାର ପଦାର୍ଥ ।

 

ସହସା ଭାଲେରିର ଗାତ୍ରରେ ମେଘ ଓ ବୃଷ୍ଟିର ଗୋଟିଏ ଅତି ଚମତ୍କାର ଶୋଭା ଅନୂଭୁତ ହେଲା । ଶୃଙ୍ଗରୁ ଶୃଙ୍ଗାନ୍ତରକୁ ମେଘମାନେ ଉଡ଼ି ଯାଉଥିଲେ,–ଏହି ମେଘ କେତେବେଳେ କୃଷ୍ଣବର୍ଣ୍ଣ, କେତେବେଳେ ଅବା ସୂର୍ଯ୍ୟକିରଣ-ରଞ୍ଜିତ । ବିଷାଦ ଏବଂ ଆନନ୍ଦଜଡ଼ିତ ସଙ୍ଗୀତ ଯେପରି କର୍ଣ୍ଣର ତୃପ୍ତିସାଧନ କରେ, ସେହିପରି ପ୍ରକୃତିର ଏହି କ୍ଷଣବିଷର୍ଣ୍ଣ, ଏବଂ କ୍ଷଣପ୍ରସନ୍ନ ମେଘଚ୍ଛବି ଦେଖି ଚକ୍ଷୁ ପବିତ୍ର ହୁଏ । ତୁଳାରାଶି ପରି ଶୁଭ୍ର ମେଘପୁଞ୍ଜ ଯେତେବେଳେ ଶିଖରଦେଶରେ ସଂଲଗ୍ନ ହୋଇଥାଏ, ଯେତେବେଳେ ସେହି ଦୃଶ୍ୟ,–ସେହି ପର୍ବତ, ସେହି ସଞ୍ଚରଣଶୀଳ ଜଳଦପୁଞ୍ଜ, ଏବଂ ସ୍ଥଳେ ସ୍ଥଳେ ଗାଢ଼ନୀଳ ଆକାଶ,–ସେହି ଐଶ୍ୱରିକ ଶିଳ୍ପଚାତୁର୍ଯ୍ୟ, ମନୁଷ୍ୟର ସାମାନ୍ୟ ତୁଳିକାରେ ଚିତ୍ରିତ ହେବାର, ଅସମ୍ଭବ । କେଉଁଠାରେ ମେଘ ଏକ ଶିଖରରେ ସ୍ଥିରଭାବରେ ବସିଅଛି, କେଉଁଠାରେ ଶୃଙ୍ଗାନ୍ତରାଳରୁ କୌଣସି କୌଣସି ମେଘଖଣ୍ଡ ରବିକରୋଜ୍ଜ୍ୱଳ ମସ୍ତକ ତୋଳି ପ୍ରବଞ୍ଚକ ପରି ଝାଁକି ଦେଖୁଅଛି; କେଉଁଠାରେ ଅବା ଅତି ତୀବ୍ରଗତିରେ ଖଣ୍ଡିଏ ମେଘ ଦୃଷ୍ଟିପଥ ଅତିକ୍ରମ କରୁଅଛି ।

 

ବିଶାଳ ଭାଲେରିର ବକ୍ଷ ଏବଂ ଗ୍ରୀବାଦେଶରେ ଏହିପରି ମେଘସମୂହର ଲୀଳା; କିନ୍ତୁ ସର୍ବୋଚ୍ଚ ଶୃଙ୍ଗଟି ସ୍ତିମିତ ସୂର୍ଯ୍ୟକିରଣମଣ୍ଡିତ । ସେଠାରେ ସୁଦ୍ଧା ଅଳ୍ପକ୍ଷଣ ପୂର୍ବେ ମେଘର ଯତ୍‌କିଞ୍ଚିତ୍‌ ଉପଦ୍ରବ ଥିଲା, ତାହା କ୍ରମଶଃ ପ୍ରଶମିତ ହୋଇଅଛି । ବର୍ତ୍ତମାନ ସେଠାରେ ଶାନ୍ତି ଏବଂ ଗମ୍ଭୀର ନୀରବତା ।

 

ଏହି ସବୁ ସ୍ଥିରନେତ୍ରରେ କିଛିକ୍ଷଣ ଦେଖିଲେ ମନରେ କି ଭାବ ଉପସ୍ଥିତ ହୁଏ ?–ଶାନ୍ତି ପାଇବାକୁ ହେଲେ ସଂସାରରୁ ଅନେକ ଉଚ୍ଚରେ ଅବସ୍ଥାନ କରିବାକୁ ହେବ । ଏହି କୋଳାହଳମୟ ଜୀବନ ସଂଗ୍ରାମରେ ସର୍ବଦା ଲିପ୍ତ ହୋଇ ରହିଲେ ଶାନ୍ତି ନାହିଁ । ଆମ୍ଭମାନଙ୍କର ବିପଦ, ଦୁଃଖ ଏବଂ ଶୋକ ପ୍ରଭୃତିକୁ ଭାଲେରି ବେଷ୍ଟିତ ମେଘପୁଞ୍ଜ ସହିତ ତୁଳନା କଲେ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଭାଲେରିର ସର୍ବୋଚ୍ଚ ଶୃଙ୍ଗଟି ତାହାର ଜୀବନସଂଗ୍ରାମରୁ ଏକରୂପ ଉନ୍ମୁକ୍ତ । ଏହିପରି ଯେତେବେଳେ ଆମ୍ଭମାନଙ୍କ ଜ୍ଞାନ ଊର୍ଦ୍ଧ୍ୱଗାମୀ ହୁଏ, ସେତେବେଳେ ଆମ୍ଭେମାନେ ବୁଝି ପାରୁଁ ଯେ କେବଳ ବିପଦ, ଦୁଃଖ, ଓ ସୁଖ ପ୍ରଭୃତି ଆମ୍ଭମାନଙ୍କର ସର୍ବସ୍ୱ ନୁହେ । ଏହି ମର୍ତ୍ତ୍ୟର ମେଘାନ୍ଧକାର ଅତିକ୍ରମ କରି ଜ୍ଞାନ ଏବଂ ଶାନ୍ତିର ଉଜ୍ଜ୍ୱଳ ଆକାଶ ପ୍ରସାରିତ,-ସେଠାରେ ସଂସାରର କୋଳାହଳ ପହୁଞ୍ଚିପାରେ ନାହିଁ । ପହୁଞ୍ଚିଲେ ସୁଦ୍ଧା ସ୍ଥାୟୀ ହୁଏ ନାହିଁ ।

 

ଅତି ପାଷାଣହୃଦୟବିଶିଷ୍ଟ, ଏବଂ ନଗରର କୃତ୍ରିମତାରେ ନିତାନ୍ତ ବିକୃତି ବ୍ୟକ୍ତିମାନେ ସୁଦ୍ଧା ଏଠାର ଦୃଶ୍ୟରେ ମୁଗ୍ଧ ଏବଂ ଆଶ୍ଚର୍ଯ୍ୟାନ୍ୱିତ ହେବେ । ,ଏହା ଦେଖି ଥରେ ମାତ୍ର ଏହି ସବୁ ବିଷୟ ମନରେ ଆଲୋଚନା କଲେ, ନିଜର ଦେହ ଏବଂ ପ୍ରାଣ ଅତି ତୁଚ୍ଛ ବୋଧ ହୁଏ । ବାସ୍ତବିକ ପର୍ବତମାଳାହିଁ ପ୍ରକୃତିର ପ୍ରଥମଶ୍ରେଣୀର ଚିତ୍ର । ପାର୍ବତ୍ୟପ୍ରଦେଶର ରମଣୀୟତାଦ୍ୱାରା ପ୍ରକୃତି ସମସ୍ତଙ୍କ ହୃଦୟ ସ୍ପର୍ଶ କରି ପାରନ୍ତି । ପ୍ରକୃତି କେଡ଼େ ବିରାଟ୍‌ଏବଂ କେମନ୍ତ ବିଚିତ୍ର, ଏହାର ଉପଲବ୍ଧି ନିମନ୍ତେ ପର୍ବତାରୋହଣ ନିତାନ୍ତ ଆବଶ୍ୟକ । ଭାବି ଦେଖିଲେ ପ୍ରଥମେ ମନେ ହୁଏ, ପର୍ବତର ଉଚ୍ଚତା, ଆୟତନ, ଏବଂ ଭାର କେଡ଼େ ପ୍ରକାଣ୍ଡ ! ଅଥଚ ଏହିପରି ଲକ୍ଷ ଲକ୍ଷ ପାଷାଣ୍ଡସ୍ତୂପ ଘେନି ଏହି ପୃଥିବୀ ଶୂନ୍ୟରେ ପରିଭ୍ରାମ୍ୟମାଣା ! ପର୍ବତରୁ କିଏ ଧରିଅଛି ? ପୃଥିବୀକୁ କିଏ ଏହି ପର୍ବତମାଳାସହ ଶୂନ୍ୟରେ ରକ୍ଷା କରିଅଛି ? କେବଳ ଏହି ପର୍ଯ୍ୟନ୍ତ ଭାବିଲେ ମନ ସ୍ତବ୍ଧ ହୋଇଯାଏ,–ସେତେବଳେ ନାସ୍ତିକତା ଲୋପ ପାଏ,–ଏବଂ ମନେ ହୁଏ ଯେ କ୍ଷୁଦ୍ର ନରଶକ୍ତି, ଏହି ଅଦୃଶ୍ୟ ମହାଶକ୍ତିର ପରମାଣୁର ପରମାଣୁ ସୁଦ୍ଧା ନୁହଇ ।

 

ଦିନେ ଜଣେ ଇଂରେଜ ଭଦ୍ରଲୋକ ମୋହର ପିତା ମହାଶୟଙ୍କୁ ପଚାରିଥିଲେ ‘‘ ଆପଣ ହିମାଳୟ ଦେଖିଛଅନ୍ତି କି ?’’ ତଥାର୍ଥକ ଉତ୍ତର ପାଇ ସାହେବ କହିଲେ ‘‘ Then you have realized your own littleness’’ ଅର୍ଥାତ୍‌ ‘‘ଆପଣ କେଡ଼େ କ୍ଷୁଦ୍ର ତାହା ଆଉ ବୁଝିବାକୁ ଆପଣଙ୍କର ବାକି ନାହିଁ ।’’ ଏ କଥାଟି ସର୍ବଚ୍ଚୋଭାବରେ ଯୁକ୍ତିସଙ୍ଗତ । ମନୁଷ୍ୟ ଥରେ ଏହିପରି ସ୍ଥଳରେ ପଡ଼ି ଟିକିଏ ଭାବିଲେ ନିଜର ଅହମିକା ହରାଇ ସେହି ମହାଶକ୍ତିଙ୍କ ଅସୀମ କାର୍ଯ୍ୟାବଳୀରେ ବିସ୍ମିତ ଏବଂ ସ୍ତମ୍ଭିତ ହୋଇଯାଏ । କାହିଁ ପ୍ରକାଣ୍ଡ ମାର୍ତ୍ତଣ୍ଡ, କାହିଁ ଅବା ପ୍ରକୀର୍ଣ୍ଣ ପରମାଣୁ ?

 

ଏହି ସବୁ ଦେଖୁଁ ଦେଖୁଁ ସନ୍ଧ୍ୟା ହେଲା । ଅକସ୍ମାତ୍‌ ଭାଲେରିର ଶିଖରପ୍ରଦେଶରୁ ଖଣ୍ଡିଏ କୃଷ୍ଣବର୍ଣ୍ଣ ମେଘ ଉଠିଲା । ଉଠିଲା ବେଳେ ସାମାନ୍ୟ ବୋଧ ହେଲା, କିନ୍ତୁ କ୍ରମଶଃ ସେହି ମେଲ ସମସ୍ତ ଆକାଶ ବ୍ୟାପ୍ତ ହୋଇ, ଅଳ୍ପ ଅଳ୍ପ ବୃଷ୍ଟି ହେଲା–କିନ୍ତୁ ଅନବରତ ମେଘ ଚାଲିଲା । ଚାରିଆଡ଼େ ମେଘ, ଘୋର ଅନ୍ଧକାର, ଏବଂ ଆକାଶ ନିଃଶବ୍ଦ । ଅର୍ଦ୍ଧଘଣ୍ଟା ପରେ ମେଘଗର୍ଜ୍ଜନସହିତ ଚିଲିକା ଆଡ଼ୁଁ ଝଞ୍ଜାବାତ୍ୟାର ଆଲୋଡ଼ନ ଆସିବାର ଆରମ୍ଭ ହେଲା ।

 

ପବନର ଏହି ଗତି ଦେଖି ଆମ୍ଭମାନଙ୍କ ଆଶଙ୍କା ହେଲା । ଆଶଙ୍କାର ଅବଶ୍ୟ କାରଣ ଅଛି,-୧୮୮୮ ସାଲରେ ଥରେ ଏହିପରି ପବନ ଆରମ୍ଭ ହୋଇ କ୍ରମଶଃ ପ୍ରବଳ ଝଟିକାରେ ପରିଣତ ହୋଇଥିଲା ଏବଂ ଚିଲିକାର ଜଳ ଉଛୁଳି ସଡ଼କ ପର୍ଯ୍ୟନ୍ତ ମାଡ଼ି ଆସିଥିଲା ।

 

ଏହା ପରେ ପୁଣି ମେଘଗର୍ଜ୍ଜନ । ଯେଉଁମାନେ ପର୍ବତବେଷ୍ଟିକ ସ୍ଥାନରେ ମେଘଗର୍ଜ୍ଜନ କେବେ ଶୁଣି ନାହାନ୍ତି, ସେମାନଙ୍କ ନିକଟରେ ମୋହର ବର୍ଣ୍ଣନା ବୃଥା । ପ୍ରତି ବଜ୍ରଧ୍ୱନିରେ ଶତ ଶତ ଗିରିକନ୍ଦରାର ପ୍ରତିଧ୍ୱନି ଶୁଣି ବୋଧ ହେଲା ଯେମନ୍ତ କି ସମସ୍ତ ପର୍ବତ ସେହି ବ୍ରହ୍ମାଣ୍ଡବିକରବ୍ୟାପୀ ପ୍ରଳୟସଂଗୀତରେ ଯୁଗପତ୍‌ଯୋଗ ଦେଲେ । ସତେ ଯେମନ୍ତ ବିଶ୍ୱସଂହାରପ୍ରବୃତ୍ତ ମହାରୁଦ୍ରଙ୍କର ଭୈରବଶିଙ୍ଗା ପୁଣି ବାଜି ଉଠିଲା ।

 

୨୪-୭-୯୫ ବୁଧବାର-ଏ ପ୍ରଭାତଟି ଆମ୍ଭମାନଙ୍କ ପକ୍ଷରେ ଦୁଃଖାବହ ହୋଇଥିଲା । କାରଣ ଆଜି ଆମ୍ଭମାନଙ୍କର ବନ୍ଧୁବର୍ଗଙ୍କୁ ବିଦାୟ ଦେଇ ଅଭିନବ ଅପରିଚିତ ରାଜ୍ୟରେ ପ୍ରବିଷ୍ଟ ହେବାର କଥା କିନ୍ତୁ ମେଘ ସମ୍ପୂର୍ଣ୍ଣରୂପେ ଛାଡ଼ିଲା ନାହିଁ । ମୋହର ବନ୍ଧୁବର୍ଗ ବିଶେଷତଃ ମଧୁବାବୁ ମତେ ଅଗ୍ରସର ହେବାପାଇଁ ପୁନଃ ପୁନଃ ନିଷେଧ କଲେ, ମାତ୍ର ମୁଁ ମୋହର ଭ୍ରମଣସଂକଳ୍ପ ଅବିଚଳିତ ରଖିବା ସକାଶ ପ୍ରତିଜ୍ଞାରୂଢ଼ ହୋଇଥିଲି । ମଧୁବାବୁ ପ୍ରଭୃତିଙ୍କଠାରୁ ବିଦାୟଗ୍ରହଣପୂର୍ବକ ଭୂତ୍ୟଦ୍ୱୟ ଏବଂ ବ୍ରାହ୍ମଣପାଚକ ସହିତ ମାନ୍ଦ୍ରାଜ ପ୍ରେସିଡ଼େନ୍‌ସି ଅଭିମୁଖରେ ଦିବା ଦୁଇଘଟିକା ସମୟରେ ଯାତ୍ରା କଲି । ଯେତେବେଳେ ମଧୁବାବୁଙ୍କ ମଧୁମୟ ବ୍ୟବହାରରୁ ଯେ ବଞ୍ଚିତ ହେଲି, ଏଥିରେ ମନରେ ଅତ୍ୟନ୍ତ ଦୁଃଖ ଉପସ୍ଥିତ ହୋଇଥିଲା ।

 

କ୍ରମଶଃ ଭାଲେରିର କାନ୍ଥିରେ ଯିବାକୁ ହେଲା । ଏହିଠାରେ ପୂର୍ବଦିଗର ଦୃଶ୍ୟ ଅତିଶୟ ଚିତ୍ତାକର୍ଷକ । ଚିଲିକାର ତଟପ୍ରଦେଶରେ ଜଟିଆ ପାହାଡ଼ ଏବଂ ବଡ଼କୁଳର କୋଠି । ମଧ୍ୟରେ କାଳୀଜଈ ଦେବୀଙ୍କ ପାହାଡ଼, ଏବଂ ପାହାଡ଼ର ଏକ କୋଣରେ ଦେବୀଙ୍କର ମନ୍ଦିର । ଏହି ପାହାଡ଼ର କ୍ଷୁଦ୍ର ହେଲେହେଁ ବୃହତ୍‌ବୃହତ୍‌ପ୍ରସ୍ତରରେ ପରିପୂର୍ଣ୍ଣ ଥିବାରୁ, ଚିଲିକାଲହୁରୀର ଆଘାତ ପ୍ରତିଘାତରେ ପ୍ରଭୃତ ଫେନ-ପୁଞ୍ଜ ସମୁଭୂତ ହୋଇ ପାହାଡ଼ର ଚତୁର୍ଦ୍ଦିଗ ଶୁଭ୍ରବସ୍ତ୍ରବେଷ୍ଟିତ ପରି ଦିଶେ ।

 

‘‘ଚିଲିକା ଲହରୀମାଳିକା

ଭେଦି ଗିରି ଉଥିତ,

ଚଉଦିଗେ ନୀଳ ଚିଲିକା

ବକ୍ଷ ତରଙ୍ଗାୟିତ ।’’

 

ଏ ବର୍ଣ୍ଣନାଟି ସର୍ବାଂଶରେ ସତ୍ୟ । ଚଢ଼ାଇ ଗୁହା ଶୈଳଟି ଚିଲିକା ମଧ୍ୟରୁ ମର୍ମ୍ମର ନିର୍ମିତ ଖଣ୍ଡଶୈଳ ପ୍ରାୟ ବାହାରିଥିବାର ଦିଶୁଥାଏ ।

 

ନୂତନ ରେଲମାର୍ଗ ଏବଂ ଚିଲିକାର ଦିଗନ୍ତବିସ୍ତାରୀ ବାରିରାଶି ଦେଖି, ଆମ୍ଭେମାନେ କ୍ରମଶଃ ଅଗ୍ରସର ହେଉଥିଲୁଁ । ଚିଲିକା ଅନନ୍ତ ରତ୍ନରେ ଆକାର ସ୍ୱରୂପ । ଏତେ ମତ୍ସ୍ୟ ଏବଂ ଏତେ ପକ୍ଷୀ ଭାରତରେ ଅନ୍ୟତ୍ର ଦୁର୍ଲ୍ଲଭ । ପାରିକୁଦ ଅଞ୍ଚଳରେ ଏତେ ପକ୍ଷୀ ଯେ ସେମାନଙ୍କ ଉପଦ୍ରବ୍ୟରୁ ଶସ୍ୟକ୍ଷେତ୍ର ରକ୍ଷା କରିବା ସକାଶ ରାତ୍ରରେ ପ୍ରହରୀ ନିଯୁକ୍ତ କରିବାର ଆବଶ୍ୟକ ହୁଏ । ଚିଲିକାର ଭବିଷ୍ୟତ ଭାବି ମୋହ ମନରେ ହର୍ଷବିଷାଦ ଜାତ ହେଲା । ନବାଗତ ରେଲ ଦ୍ୱାରା ସମ୍ଭବତଃ ଚିଲିକା ଲବଣ, ମତ୍ସ୍ୟ, ଏବଂ ପକ୍ଷିର ଗୋଟିଏ ପ୍ରଧାନ ବାଣିଜ୍ୟ ସ୍ଥଳୀ ଏବଂ ଏହି ବାଣିଜ୍ୟସ୍ରୋତ ଭାରତ ଅତିକ୍ରମ କରି ଦେଶ ଦେଶାନ୍ତରକୁ ଯିବ । ମାତ୍ର ‘‘ଭାବି-ଅନ୍ଧ, ବର୍ତ୍ତମାନ–ସର୍ବସ୍ୱ’’ ହିନ୍ଦୁମାନେ ଏହାଦ୍ୱାରା ଅଧିକ ଲାଭବାନ୍‌ହୋଇ ପାରିବେ କି ? ‘ମାତ୍ସ୍ୟନ୍ୟାୟ’ ଏହା କରି ହେବ କି ? ରେଲ ଆସିବ, ଆସି କାହିଁ, ଏହା ମଧ୍ୟରେ ଶ୍ୱେତାଙ୍ଗମାନେ ଉିତସ୍ତତଃ ଦେଖା ଦେଇ ସ୍ଥାନ ଆବୋରି ବସିଲେଣି । ରେଲ ଆସିଲେ କି ନ ହେବ ?

 

ପାରିକୁଦର ରାଜା ଚିଲିକାର ଅଧିକାରୀ । ଲବଣ ଏବଂ ମତ୍ସ୍ୟ ଏହି ଦୁଇ ଉପାୟରେ ଏହାଙ୍କର ଯଥେଷ୍ଟ ଅୟ ହୁଏ । ଏହି ହେତୁରୁ ‘‘ପାରିକୁଦରେ ମଲେ କଉଡ଼ି’’ ଏହି ପ୍ରବାଦ ଏ ଅଞ୍ଚଳରେ ବହୁକାଳରୁ ପ୍ରଚଳିତ । ପାରିକୁଦର ଅଧିପତି ପୂର୍ବରୁ ସତର୍କ ହେଲେ ନବାଗତ ପ୍ରଚଳିତ । ପାରିକୁଦର ଅଧିପତି ପୂର୍ବରୁ ସତର୍କ ହେଲେ ନବାଗତ ରେଳଦ୍ୱାରା ସମାଧିକ ଲାଭବାନ୍‌ହୋଇ ପାରିବେ ।

 

କଟକରୁ ୭୪୧/୨ ମାଇଲରେ ଛତ୍ରଗଡ଼ ଘାଟି ଏବଂ ଗ୍ରାମ । ଏହି ସ୍ଥାନହଁ ଓଡ଼ିଶା ଏବଂ ମାନ୍ଦ୍ରାଜ ବିଭାଗରେ ସଂଯୋଗ ସ୍ଥଳ । ଏହି କ୍ଷୁଦ୍ର ପଲ୍ଲୀ ପର୍ବତର ପାଦ ଦେଶରେ ଅବସ୍ଥିତ, ଏବଂ ପଲ୍ଲୀସ୍ଥ କୁଟୀର ଗୁଡ଼ିକର ମୃଣ୍ମୟ ପ୍ରାଚୀରମାନ ଗୈରକ ବର୍ଣ୍ଣରେ ରଞ୍ଜିତ । ଜଣକର ଦୁଇ ଏକଖଣ୍ଡି କୁଟୀର ସମ୍ମୁଖରେ ଅନିତ ବୃହତ୍‌ପ୍ରାଣଙ୍ଗ–ପ୍ରାଙ୍ଗଣରେ ବାଇଗଣ ଏବଂ କଖାରୁ ଗଛର ଦୁଇ ଚାରୋଟି ନିଦର୍ଶନ । କ୍ଷୁଦ୍ର ବାଳକ ବାଳିକାଗଣର କୋଳାହଳାରେ ଗୃହପ୍ରାଙ୍ଗଣ ପୂର୍ଣ୍ଣ । ପବିତ୍ର ଶାନ୍ତି ଏବଂ ପ୍ରଫୁଲ୍ଲତା ଏଠାରେ ପୂର୍ଣ୍ଣମାତ୍ରାରେ ବିରାଜିତ । ଏହି ସ୍ୱଳ୍ପ ତୁଷ୍ଟ ଦରିଦ୍ରଗଣକୁ ଦୁରାକାଙ୍କ୍ଷତା ଏବଂ ଐଶ୍ୱର୍ଯ୍ୟର ଦାମ୍ଭିକତା ସ୍ପର୍ଶ କରି ନାହିଁ,–ଏହି ନିମିତ୍ତ ଏମାନଙ୍କର ଜୀବନ ନିରୀହ ଏବଂ ଶାନ୍ତିମୟ ।

 

ଏହିଠାରୁ ସ୍ୱଦେଶ ପରିତ୍ୟାଗ କରି ସମ୍ପୂର୍ଣ୍ଣ ଅପରିଚିତ ବିଦେଶରେ ପଦାର୍ପଣ କଲି । ଏହିଠାରୁ ମାର୍ଗ ଅତି କଦର୍ଯ୍ୟ ବୋଧ ହେଲା । ପୂର୍ତ୍ତିବିଭାଗୀୟ କର୍ମଚାରିମାନଙ୍କ ଏ ସବୁ ସ୍ଥାନ ପ୍ରତୀ ଆଦୌ ଦୃଷ୍ଟି ନାହିଁ ବୋଲି ଅନୁମିତ ହୁଏ । ଦୁଇ ପାର୍ଶ୍ୱରେ ବୃହତ୍‌ଜଙ୍ଗଲ । ଏଇଠାରୁ ବ୍ରହ୍ମପୁର ୪୨ ମାଇଲ ବାଟ ।

 

ମାନ୍ଦ୍ରାଜ ପ୍ରେସିଡେନ୍ସି ମଧ୍ୟସ୍ଥ ଗଞ୍ଜାମ ଜିଲ୍ଲାନ୍ତର୍ଗତ ଏହା ଖଲିକୋଟ ରାଜ୍ୟ । ଗଞ୍ଜାମ ଜିଲ୍ଲାର ପରିମାଣ ୮୩୬୯ ବର୍ଗମାଇଲ, ଲୋକସଂଖ୍ୟା ୧୮୯୬୮୦୩ ଏବଂ ଗ୍ରାମସଂଖ୍ୟା ୬୯୩୭ । ଖଲିକୋଟ ରାଜବଂଶ କ୍ଷତ୍ରିୟ କୁଳସମ୍ଭୁତ ବୋଲି ପ୍ରସିଦ୍ଧ । ପ୍ରବାଦ ଅଛି ଯେ ଜୟପୁର ରାଜବଂଶୀୟ ଏକ ବ୍ୟକ୍ତି ଜଗନ୍ନାଥ ଦର୍ଶନୋପଲ ପକ୍ଷରେ ଆସି ପ୍ରଥମେ ଗୋଟିଏ ସାମାନ୍ୟ ପାର୍ବତ୍ୟଭୂମି ଅଧିକାର କରିଥିଲେ । କ୍ରମଶଃ ଏହି ଭୁମିର ଅନ୍ୟ ପାର୍ଶ୍ୱସ୍ଥ ଭୁମିଖଣ୍ଡ ହସ୍ତଗତ କରି ବିସ୍ତୃତ ରାଜ୍ୟର ଅଧିପତି ହେଲେ । ଶଳାକାସ୍ୟୂତ ବ୍ୟବହାରୋପଯୋଗୀ ଶାଳପତ୍ରକୁ ‘ଖଲି’ କହନ୍ତି । ଖଲି ଯେପରି ଖଣ୍ଡ ଖଣ୍ଡ ହୋଇ ଗ୍ରଥିତ ହୁଏ, ବର୍ତ୍ତମାନ ରାଜ୍ୟ ମଧ୍ୟ ଇଦନୁରୂପ ଖଣ୍ଡ ଖଣ୍ଡ, ହୋଇ ମିଳିତ ହେବାରୁ ରାଜ୍ୟର ନାମ ଖଲିକୋଟ ହୋଇଅଛି । ‘କୋଟ’ ଶବ୍ଦ ସମ୍ଭବତଃ ସସ୍କୃତ ‘କୋଟ୍ଟ’ (ଦୁର୍ଗ) ଶବ୍ଦର ଅପଭ୍ରଂଶ । ପୂର୍ବେ ଏ ରାଜ୍ୟଟି ଉତ୍କଳ ସମ୍ରାଟଙ୍କ ଅଧୀନ ଥିଲା, ଏଥିପାଇଁ ରାଜାଙ୍କ ରୀତିନୀତି ପ୍ରଭୃତି ଓଡ଼ିଶା ରୀତିନୀତିର ଅନୁରୂପ । ରାଜକାର୍ଯ୍ୟ ମଧ୍ୟ ଓଡ଼ିଆ ଭାଷାରେ ନିର୍ବାହିତ ହୁଏ, ହେଲେହେଁ, ଜିଲ୍ଲାର ଇଂରେଜ ରାଜକାର୍ଯ୍ୟାଳୟ ମାନଙ୍କର ଭାଷା ତୈଲଙ୍ଗ ହେବାରୁ ରାଜାଙ୍କର ଗୋଟିଏ ତୈଲଙ୍ଗ ସିରସ୍ତା ମଧ୍ୟ ଅଛି ।

 

ଲାଙ୍ଗଳେଶ୍ୱର ଗ୍ରାମଟି ଏହି ସଡ଼କରେ ଛତ୍ରଗଡ଼ ଘାଟିଠାରୁ ୨ ମାଇଲରେ ଅବସ୍ଥିତ, ଏବଂ ଏହାହିଁ ମାନ୍ଦ୍ରାଜ ପ୍ରେସିଡେନ୍ସିର ସର୍ବପ୍ରଥମ ଗ୍ରାମ । ଗ୍ରାମଟି ଏଡେ ଅପରିଷ୍କାର ଯେ ଓଡ଼ିଶାର କୌଣସି ଗ୍ରାମ ଅବର୍ଜାନାଦିରେ ଏହା ସଙ୍ଗେ ତୁଳିତ ହୋଇ ନ ପାରେ । ଏହା ପରେ ବିଜିପଟ । ଏ ଗ୍ରାମଟି ମଧ୍ୟ ଉକ୍ତ ଗ୍ରାମର ସମଧାର୍ଯ୍ୟ । ଅପରାହ୍ନ ଘ ୫ ଟିକା ସମୟରେ ଆମ୍ଭେମାନେ ପଣ୍ଡିତ ଗ୍ରାମ ଚଟିରେ ଉପସ୍ଥିତ ହେଲୁଁ ।

 

ଏହି ଚଟିରେ ୩/୪ ଟି ଅପରିଷ୍କୃତ ଦୋକାନ, ଗୋଟିଏ ଆଉଟି ପୋଷ୍ଟ, ଏବଂ ଆଉଟପୋଷ୍ଟ ସଙ୍ଗେ ସମ୍ମିଳିତ ତଥାକଥିତ ପୋଷ୍ଟ ଅଫିସ ଅଛି । ସ୍ଥାନଟି ଏତେ କଦର୍ଯ୍ୟ ଯେ ମକ୍ଷିକା, ଦଂଶ, ମଶକ ପ୍ରଭୃତିର ନିତ୍ୟଲୀଳାଭୂମି ହୋଇଅଛି । ଏ ସ୍ଥାନରୁ ଚିଲିକା ମାଇଲ ବ୍ୟବ ଧାନରେ । ଏହିଠାରେ ଆମ୍ଭେମାନେ ରାତ୍ରିଯାପନର ମାନସ କରି ଦୁଇଗୋଟି ଘର ଭଡ଼ା କରି ରହିଲୁଁ ।

 

ଚଟିର ଏହି ଘରଦ୍ୱୟ ବର୍ଣ୍ଣନାଯୋଗ୍ୟ । ଓଡ଼ିଶାରେ ଏଭଳି ଚଟିଘର ସୌନ୍ଦର୍ଯ୍ୟ କ୍ରମେ ଦୁର୍ଲ୍ଲଭ । ପ୍ରତ୍ୟେକ ଘରର ଦୈର୍ଘ୍ୟ ପ୍ରାୟ ୫ ଫୁଟ ଏବଂ ପ୍ରସ୍ଥ ୩ ଫୁଟୁର ଅଧିକ ହେବ ନାହିଁ, ଏବଂ ଏଡ଼େ ଅପରିଷ୍କୃତ ଯେ କୁକ୍କୁର ରହିବାକୁ ସୁଦ୍ଧା ଶଙ୍କା କରିବ । ମୋହର ପିତାମହାଶୟ ଲକ୍ଷ୍ମୌ ନଗରରେ ବସାର ଅନୁସନ୍ଧାନ କରୁ, ଗୋଟିଏ ସର୍ପଚିଳପୂର୍ଣ୍ଣ ଘର ଦେଖି ସେଠାରୁ ଅନ୍ୟତ୍ର ଯିବାର ସଂକଳ୍ପ କରିବା ସମୟରେ ସେହି ଗୃହର ସ୍ୱାମୀ ତାହାଙ୍କୁ ସ୍ୱାଦର ସମ୍ଭାଷଣ ପୂର୍ବକ କହିଲେ ‘‘ମଜେସେ ରହିଏ, ସାହେବ ।’’ ସନ୍ଧ୍ୟା ହେବାରୁ ଆମ୍ଭେମାନେ ଅଗତ୍ୟା ଏହିଠାରେ ମଶକ ଦଂଶନରେ ‘‘ମିଜେସେ’’ ରାତ୍ରୀଯାପନ କଲୁଁ । ଏଠାରେ ଚୌର୍ଯ୍ୟଭୟର ମଧ୍ୟ ଅଭାବ ନାହିଁ ।

 

୨୫-୭-୯୫ ବୃହସ୍ପତିବାର–ଅତି ପ୍ରତ୍ୟୁଷର ଆମ୍ଭେମାନେ ପ୍ରାତଃକୃତ୍ୟ ସମାପନାନ୍ତେ ପ୍ରସ୍ଥାନ କଲୁଁ । ଏକ ମାଇଲ ପରେ ସଡ଼କର ଦକ୍ଷିଣ ପାର୍ଶ୍ୱରେ ଖଲିକୋଟ ରାଜଧାନୀକୁ ଏକ ଶାଖାବର୍ତ୍ତେ ଯାଇଅଛି । ଏକ ବର୍ଷ ପୂର୍ବେ ଏହି ରାଜଧାନୀ ଦେଖିଥିଲି, କିନ୍ତୁ ବର୍ତ୍ତମାନ ତାହା ଦେଖିବାର ସୁବିଧା ହେଲା ନାହିଁ । ରାଜଧାନୀଟି ଅତି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନରେ ଅବସ୍ଥିତ । ଚତୁର୍ଦ୍ଦିଗରେ ପର୍ବତମାଳା, ସତେ ଯେମନ୍ତ କି ଶତ୍ରୁପ୍ରବେଶର କୌଣସି ପନ୍ଥା ନାହିଁ ।

 

ରାଜାଙ୍କ ଆବାସ ରାଜଧାନୀର ପ୍ରାନ୍ତଭାଗରେ, ଏବଂ ସୌଧ ଉପରେ ଇଂରାଜ ପତାକା ଉଡ୍ଠୀୟମାନ । ଉକ୍ତ ସୌଧର କିଞ୍ଚିତ ଦୂରରେ ଦେବମନ୍ଦିର । ଏ ମନ୍ଦିରଟି ଅତି ବୃହତ ଏବଂ ସିଂହଦ୍ୱାର, ମଖଶାଳା, ନାଟ୍ୟମନ୍ଦିର ପ୍ରଭୃତି ମଧ୍ୟ ଏହାର ଶ୍ରୀ ସମ୍ପାଦନ କରୁଅଛି । ଏତଭିନ୍ନ ଟେଲିଗ୍ରାଫ ଅଫିସ, ପୋଷ୍ଟ ଅଫିସ, ଥାନା ପ୍ରଭୃତି ରାଜ୍ୟଶାସନର କେତକ ଆବଶ୍ୟକୀୟ ଗୃହ ମଧ୍ୟ, ଅଛି । ‘‘ବଡ଼ଦାଣ୍ଡ’’ ନାମକ ପ୍ରଶସ୍ତ ରଥ୍ୟା, ରାଜଧାନୀର ଆଦ୍ୟନ୍ତ ବ୍ୟାପୀ । ଏଥିରେ ଆଷାଢ଼ ମାସରେ ରଥ ଚାଲେ । ରାଧାନୀର ଅପର ପାର୍ଶ୍ୱରେ ପ୍ରାୟ ୧ ମାଇଲ ବ୍ୟବଧାନରେ ‘‘ନିର୍ମଳଝର’’ ନାମକ ଗୋଟିଏ କ୍ଷୁଦ୍ର ନିର୍ଝରିଣୀ ଅଛି; ଏହି ସ୍ଥାନଟି ବାସ୍ତବୀକ ମନୋମୁଗ୍ଧକର ।

 

ଏହି ରାଜାଙ୍କର ଅଧୀନରେ ଦିଓଟି ରାଜ୍ୟ ଅବସ୍ଥିତ । ଖଲିକୋଟ ଏବଂ ଆଠଗଡ଼ । କବିସୂର୍ଯ୍ୟ ବଳଭଦ୍ର ରଥଙ୍କ ଅମରଲେଖନୀ ଦ୍ୱାରା ଯେଉଁ ଆଠଗଡ଼ ଓଡ଼ିଶାରେ ପ୍ରସିଦ୍ଧ ଲିଭିଥିଲା, ଏ ସେହି ଆଠଗଡ଼ । ଆଠଗଡ଼ ରାଜ୍ୟ ନିଲାମରେ କ୍ରୀତ ହୋଇଥିଲା । ସୁତଂରା ଉଭୟ ରାଜ୍ୟର ଆୟ ସ୍ୱରୂପ ରାଜା ମହୋଦୟ ବାର୍ଷିକ ପ୍ରା୍ୟ ତିନିଲକ୍ଷ ଟଙ୍କା ପ୍ରାପ୍ତ ହୁଅନ୍ତି ।

 

ସୂର୍ଯ୍ୟୋଦୟର ଅବ୍ୟବହିତ ପୂର୍ବେ ଆମ୍ଭେମାନେ ହରିଡ଼ାମୂଳ ଘାଟିର ପାଦଦେଶରେ ଉପସ୍ଥିତ ହେଲୁ । ଏହି ଚିରସଙ୍କଟ ଅତିକ୍ରମ କରି ମାନ୍ଦ୍ରାଜରୁ ବ୍ରିଟିଶଦଳବଳ ପ୍ରଥମେ ଉତ୍କଳର ପ୍ରବିଷ୍ଟ ହୋଇଥିଲେ । ଆପାତ ଦୃଷ୍ଟିରେ ଏହି ଗିରିପଥ ସକାଶେ ଉତ୍କଳ ସମ୍ରାଟଙ୍କର ସର୍ବନାଶ ସଂଘଟିତ ହୋଇଥିଲା । ଇଂରେଜମାନଙ୍କ ଉତ୍କଳ ପ୍ରଦେଶର ପୂର୍ବେ ମହାରାଷ୍ଟ୍ରମାନଙ୍କ ଓଡ଼ିଶାର କେତେକାଂଶରେ ଆଧିପତ୍ୟ ଥିଲା । ଅପରାଂଶ ଉତ୍କଳାଧିପଙ୍କ ଶାସନାଧୀନା ଥିଲା । ପ୍ରଥମତଃ ଉତ୍କଳସମ୍ରାଟଙ୍କୁ ବ୍ରିଟିଶ କର୍ତ୍ତୃପକ୍ଷମାନେ ଏହି ନିୟମରେ ଆବଦ୍ଧ କଲେ ଯେ, ଏମାନେ ମାନ୍ଦ୍ରାଜରୁ ଉତ୍କଳରେ ପ୍ରବିଷ୍ଟ ହୋଇ ମହାରାଷ୍ଟ୍ରମାନଙ୍କୁ ତଡ଼ି ଦେବେ, ଏହି ସକାଶେ ସମ୍ରାଟ ଗିରିସଙ୍କଟର ପଥ ଛାଡ଼ି ଦେଇ ଅନ୍ୟ ସୁଗମ ପଥ ଦେଖାଇ ଦେବେ, ଏବଂ ଯଥା ସାଧ୍ୟ ସାହାଯ୍ୟ କରିବେ । ଏହି ଚୁକ୍ତି ସମ୍ରାଟଙ୍କ କାଳ ପ୍ରାପ୍ତି ହେଲା । ଅପ୍ରାପ୍ତ ବ୍ୟବହାର ପୁତ୍ର ରାଜ୍ୟର ଅଧିକାରୀ ହେଲେ; ସୁତରାଂ ମହିଳାମାନଙ୍କ ଦ୍ୱାରା ରାଜକାର୍ଯ୍ୟ ନିର୍ବାହ ହେଉଥିଲା । ଇତ୍ୟବସରରେ ବ୍ରିଟୀଶ କର୍ତ୍ତୃପକ୍ଷଙ୍କ ସମ୍ରାଟଙ୍କ ସହିତ ଚୁକ୍ତି ଅନୁସାରେ ସାହାଯ୍ୟ ପ୍ରାର୍ଥନା କଲେ । ମନ୍ତ୍ରିମାନେ ନାବାଳକ ରାଜପୁତ୍ର ଏବଂ ରାଜ୍ଞୀଙ୍କୁ ବୁଝାଇ ଦେଲେ ଯେ ‘‘ଫିରଙ୍ଗଙ୍କୁ ବାଟ ଛାଡ଼ି ଦେଲେ ଭବିଷ୍ୟତରେ ଆମ୍ଭମାନଙ୍କ ଅଧିକାର ଗ୍ରାସ କରିବେ, ଅତଏବ ସେମାନଙ୍କ ଉତ୍କଳରେ ପ୍ରବେଶ କରିବାକୁ ନ ଦେଇ ଯୁଦ୍ଧ କରିବାହିଁ ଶ୍ରେୟଃ ।’’ ଅପ୍ରାପ୍ତବୟସ୍କ ସମ୍ରାଟ୍‌ ମନ୍ତ୍ରିମାନଙ୍କ ମନ୍ତ୍ରଣା ଉପରେ ନିର୍ଭର କରି ଇଂରେଜସୈନ୍ୟ ସହିତ ଯୁଦ୍ଧରେ ପ୍ରବୃତ୍ତ ହୋଇ ପରିଶାମରେ ସର୍ବସ୍ୱ ହରାଇଲେ ।

 

ଆମ୍ଭେମାନେ ଏହି ଚିରିସଙ୍କଟ ଉପରେ ଆରୋହଣ କଲୁଁ । ଏଠାରେ ସଡ଼କ ଯେପରି ଭାବରେ ନିର୍ମ୍ମିତ ସେଥିରେ ଗୋଶକଟ ନିରାପଦରେ ଯିବାର ପ୍ରାୟ ଅସମ୍ଭବ । ସୁତରାଂ ବଳଦ ଫିଟାଇ, ଶକଟଚକ୍ରରେ କାଠ ବାନ୍ଧି ୩ ।୪ ଜଣ ଧୀରେ ଉଠାଇ ନେଲେ । ଏହା ଉପରୁ ଚିଲିକାର ଦୃଶ୍ୟ ସହିତ ଅନ୍ୟ କୌଣସି ସ୍ଥାନର ଚିଲିକାର ଦୃଶ୍ୟ ତୁଳନୀୟ ନୁହେ । ପାରିକୁଦରାଜାଙ୍କ ସୌଧ ମାଳା ସୂର୍ଯ୍ୟ ରଶ୍ମିରେ ପ୍ରତିଭାତ ହୋଇ ଅପୂର୍ବ ସୌନ୍ଦର୍ଯ୍ୟ ଧାରଣ କରିଥିବାର ଦେଖିଲି ।

 

ଗିରିସଙ୍କଟ ଅତିକ୍ରମ କରି ସଙ୍କଟର ଅପରପାର୍ଶ୍ୱରେ ମଧ୍ୟ ପ୍ରକୃତିର ଅପୂର୍ବ ଶୋଭା ଦେଖିଲି । ଚାରିଆଡ଼େ ଖଲିକୋଟ ରାଜ୍ୟର ନିବିଡ଼ବନ ଶୋଭିତ ପର୍ବତମାଳା ବେଷ୍ଟନ କରି ରହିଅଛି । ବୋଧ୍ୟ ହେଲା, ଆଉ ଯେମନ୍ତ ବାଟ ନାହିଁ, ଏଡିଠାରେ ଶେଷ ! ଏହି ଘାଟି ଉପରୁ ଦୃଶ୍ୟଟି ପଥିକର ମନରେ ହଠାତ୍‌ଭୟ ଜାତ କରାଇ ଦିଏ । ବାସ୍ତବ ଘାଟିର ଉପରିଭାଗର ଉଭୟପାର୍ଶ୍ୱର ଦୃଶ୍ୟ କବି ଏବଂ ଭାବୁକମାନଙ୍କ ବର୍ଣ୍ଣନୀୟ ବିଷୟା ହରଣର ଉପଯୋଗୀ ସ୍ଥାନ ।

 

କ୍ରମଶଃ ଘୋର ଜଙ୍ଗଲ ମଧ୍ୟ ଦେଇ ମାର୍ଗ ଯାଇଅଛି । ସଡ଼କର ଦୁଇ ପାର୍ଶ୍ୱରେ ଜଙ୍ଗଲ ବ୍ୟତୀତ ଅନ୍ୟ କୌଣସି ବସ୍ତୁ ପ୍ରାୟ ଦୃଷ୍ଟିଗୋଚର ହୁଏ ନାହିଁ । କେବଳ କେତକ ପର୍ବତର ଉପରି ଏବଂ ମଧ୍ୟଭାଗରେ ଯେଉଁ ଜଙ୍ଗଲ କଟା ହୋଇଅଛି, ‘ତଇଲା’ ପ୍ରସ୍ତୁତ ହୋଇଅଛି, ତାହା ଅତିଶୟ ଚିତ୍ତାକର୍ଷକ ହୋଇଥିଲା । ସହସ୍ର ଲୋଚନର ଗାତ୍ୟସ୍ଥିତ ଚକ୍ଷୁସମୁହ ପରି, ବିଶାଳ ପର୍ବତଗାତ୍ରରେ ଚିତ୍ରାକାର ହରିଦ୍‌ବର୍ଣ୍ଣ ସ୍ଥାନଗୁଡ଼ିକ ଆମ୍ଭମାନଙ୍କ ଚକ୍ଷୁ ସମକ୍ଷରେ ପ୍ରତିଫଳିତ ହେଉଥିଲା ।

 

ପୂର୍ବାହ୍ନ ଘ ୯ ଟିକା ସରିକ ଆମ୍ଭେମାନେ ରମ୍ଭାର ପହୁଞ୍ଚିଲୁ । ରମ୍ଭା ଗଞ୍ଜାମ ଜିଲ୍ଲାର ଗୋଟିଏ ପ୍ରସିଦ୍ଧ ବାଣିଜ୍ୟସ୍ଥଳୀ । ଏହା ଚିଲିକା କୁଳସ୍ଥ କୋଠି ସକାଶେ ବିଖ୍ୟାତ । କିନ୍ତୁ ସ୍ଥାନଟି ଅନ୍ୟାନ୍ୟ ସ୍ଥାନ ସମୂହ ପରି ଅପରିଷ୍କାର ।

 

ବର୍ତ୍ତମାନ ଏହି ପର୍ଯ୍ୟନ୍ତ ତେଲବାଟ (East Coast Railway) ପ୍ରସ୍ତୁତ ହୋଇଅଛି । ଯାତ୍ରିମାନଙ୍କ ସକାଶେ ଲୌହଶକଟ ଗତାୟାତ କରୁ ନାହିଁ, ଜିନିଷାଦି ପାଇଁ ମାଲଗାଡ଼ୀ (Ballast trains and Luggage Vans) ଚାଲୁଅଛି । ଅକସ୍ମାତ୍‌ରେଲଗାଡ଼ୀର ବଂଶୀଧ୍ୱନି ହେବାରୁ ସ୍ଥାନୀୟ କେତକ ଲୋକଙ୍କ ପଚାରିବାରେ ବୁଝିଲୁଁ ଯେ ଆଉ ଏକଘାଣ୍ଟ ମଧ୍ୟରେ ଗାଡ଼ୀ ଛତ୍ରପୁର ଯିବ । ଶୁଣିଲା ମାତ୍ରେ ଆମ୍ଭେମାନେ ଆମ୍ଭମାନଙ୍କ ଜିନିଷପତ୍ର ସହିତ ଷ୍ଟେସନମାଷ୍ଟରଙ୍କ ସହିତ ରୀତମତ ବନ୍ଦୋବସ୍ତ କର ଗୋଟିଏ ମାଲଗାଡ଼ୀରେ ଆରୋହଣ କଲୁଁ । ଏହିଠାରେ ଆମ୍ଭମାନଙ୍କ ଚିରପରିଚତ ଗୋଶକଟକୁ ଦୁଃଖିତାନ୍ତଃକରଣରେ ବିଦାୟ ଦେବାକୁ ହେଲା ।

 

ମଧ୍ୟାହ୍ନ ପରେ ବଂଶୀଧ୍ୱନ ସହିତ ରେଲଗାଡ଼ୀ ଚାଲିଲା । କ୍ରମଶଃ ପାହାଡ଼, ଶସ୍ୟକ୍ଷେତ୍ର, ଗିରିନଦୀ ଓ ପଲ୍ଲୀ ପ୍ରଭୃତି ପଶ୍ଚାତରେ ରଖି ଗାଡ଼ୀ ତୀବ୍ରବେଗରେ ପ୍ରଧାବିତ ହେଲା । ଯେଉଁମାନେ କେବେହେଁ ରେଲଗାଡ଼ୀ ଦେଖି ନାହାପନ୍ତି, ତାହାଙ୍କୁ ଉଭୟ ପାର୍ଶ୍ୱରେ ଅନେକ ସ୍ତ୍ରୀ ପୁରୁଷ ଏକତ୍ରିତ ହୋଇ ବିସ୍ମିତ ନୟନରେ ଅନାଇ ରହିଥାଆନ୍ତି । କୃଷକ କ୍ଷେତ୍ରରେ କାର୍ଯ୍ୟ କରୁଅଛି, ହଠାତ୍‌କର୍ଣ୍ଣରେ ଘର୍ଘରଧ୍ୱନି ପ୍ରବେଶ ହେଲା ମାତ୍ରେ, ନିଜ କାର୍ଯ୍ୟ ଛାଡ଼ି ରେଲଲାଇନ ପର୍ଯ୍ୟନ୍ତ ଦଉଡ଼ି ଆସେ । ସୀମନ୍ତନୀମାନେ ଗାଧୋଇବା ସମୟରେ ଦୁରରୁ ଏହି ବଜ୍ରଧ୍ୱନି ଶୁଣିଲାମାତ୍ରେ ପୋଖରୀ ତୁଠରୁ ପଲକଶୂନ୍ୟ ନେତ୍ରରେ ଚାହିଁ ରହନ୍ତି । ବାଳକମାନେ ଗୋଚରଣରେ ନିଯୁକ୍ତ–ଏହି ସମୟରେ ରେଲ ଆସିଗଲା । ହଠାତ୍‌ପଶୁଗୁନିଙ୍କୁ ଛାଡ଼ି ଗାଡ଼ୀ ଦେଖିବାକୁ ଦଉଡ଼ିଲେ । ପୁଣି ଯେଉଁ ରେଲଶବ୍ଦଦ୍ୱାରା ସେମାନେ ଆକୃଷ୍ଟ ହେଲେ, ସେହି ଶବ୍ଦ ସେମାନଙ୍କର ଣକ୍ଷିତ ପଶୁମାନଙ୍କୁ ବିପ୍ରକୃଷ୍ଟ କରାଇ ଦେଲା । ଭୀତ ହୋଇ ଶୃଙ୍ଗୋତ୍ତୋଳନ ପୂର୍ବକ ସେମାନେ ବିପରୀତ ଦିଗରୁ ପ୍ରଧାବିତ ହେଲେ । ଏଣେ କୌତୁହଳ, ତେଣେ ଉଦ୍ବେଗ, ଉଭୟତଃ ଆକୃଷ୍ଟ ହୋଇ ଦରିଦ୍ର ଶିଶୁଗୁଡ଼ିକ ନିଶ୍ଚଳବଡ଼ ପ୍ରତୀୟମାନ ହେଉଥିଲେ । ଆଉ ଅଳ୍ପଦିନ ମଧ୍ୟରେ ମଧ୍ୟ ଓଡ଼ିଶାରେ ପ୍ରଥମେ ରେଳଗାଡ଼ୀ ଦେଖିବାର ସ୍ପୃହା ଏହିରୂପେ ମେଣ୍ଟିବ ।

 

‘‘ହୁମା’’ ନାମକ କ୍ଷୁଦ୍ର ଷ୍ଟେସନରେ (ଷ୍ଟେସନଟି ଅବଧି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ନାହିଁ) କୌଣସି ବିଶେଷ କାର୍ଯ୍ୟ ସକାଶେ ଗାଡ଼ୀ ରହିଲା । ଏହି ସ୍ଥାନରୁ ହୁମାରାଜାଙ୍କ ନଅର ସ୍ପଷ୍ଟ ଦିଶେ ।

 

କିଛିକ୍ଷଣ ଉତ୍ତାରୁ ପୁନଶ୍ଚ ଗାଡ଼ୀ ଚାଲିଲା । ମାଇଲ ଉତ୍ତାରୁ ପୌରାଣିକ ଋଷିକୁଲ୍ୟା ନଦୀ ଉପରେ ପ୍ରକାଣ୍ଡ ସେତୁ । ସେତୁର ଆରମ୍ଭରେ ଗଞ୍ଜାମ ଷ୍ଟେସନ । ଏହା ଗୋଟିଏ କ୍ଷୁଦ୍ର ସହର ପରି । ସେତୁ ଉପରେ ଗାଡ଼ୀ ଚାଲିଲାବେଳେ ଲୌହଚକ୍ରର ଘର୍ଘର ଧ୍ୱନିରେ ଆମ୍ଭମାନଙ୍କ ଶବଣେନ୍ଦ୍ରିୟ ବଧିର ପ୍ରାୟ ବୋଧ ହେଲା । ପ୍ରାୟ ଅପରାହ୍ନ ଘ ୧ ଟିକା ସମୟରେ ଆମ୍ଭେମାନେ ଛତ୍ରପୁର ଷ୍ଟେସନରେ ଉପସ୍ଥିତ ହେଲୁଁ ।

 

ରମ୍ଭାନିବାସୀ ବାବୁ ଶ୍ରୀଯୁକ୍ତ ଗୋପୀନାଥ କାର୍ଯ୍ୟ ମହୋଦୟ, ରମ୍ଭାଠାରୁ ଏ ପର୍ଯ୍ୟନ୍ତ ଆମ୍ଭମାନଙ୍କ ସହଯାତ୍ରୀ ହୋଇଥିଲେ । ଆମ୍ଭେମାନେ ଏ ସବୁ ସ୍ଥାନରେ ସମ୍ପୂର୍ଣ୍ଣ ଅପରିଚିତ, କାର୍ଯ୍ୟ ମହାଶୟ ସଦୟ ହୋଇ ଆମ୍ଭମାନଙ୍କ ସକାଶେ ଗୋଟିଏ ବସା କରି ଦେଲେ । ଆମ୍ଭେମାନେ ତାହାଙ୍କର ଏ ଅନୁଗ୍ରହ ଲଭି ନ ଥିଲେ, ଅତିକଷ୍ଟରେ ପଡ଼ି ଥାଆନ୍ତୁ ।

 

ଛତ୍ରପୁର ସହରଟି କ୍ଷୁଦ୍ର ହେଲେହେଁ ଦେଖିବାକୁ ଅତି ପରିଷ୍କାର । ଏଠାରେ ମାନ୍ଦ୍ରାଜ ପଦାତି ସେନାଭୁକ୍ତ (Madras Infantry) ଏକ ଦଳ ସିପାହୀ ଅଛନ୍ତି । ମାନ୍ଦ୍ରାଜ ପ୍ରେସିଡେନ୍ସିର ଅନ୍ତର୍ଗତ ପ୍ରତ୍ୟେକ ସହରରେ ପ୍ରାୟ ଏହିପରି ରେଜିମେଣ୍ଟ ଥାଆନ୍ତି । ଏତେଦିନ କଚେରି ପୋଷ୍ଟଅଫିସ, ଟେଲିଗ୍ରାଫ ଅଫିସ ପ୍ରଭୃତି ଅଛି । ଏଠାରେ ବର୍ତ୍ତମାନ ନାବାଳାକ ରାଜାମାନଙ୍କ ନିମନ୍ତେ ଏକ ସ୍କୁଲ ହେବା ପ୍ରସ୍ତାବ ହୋଇ ଗୃହ ନିର୍ମାଣ କାର୍ଯ୍ୟ ଲାଗିଅଛି । ସମ୍ଭବତଃ ଅତ୍ୟନ୍ତ ଦିନ ମଧ୍ୟରେ ଏହାର କାର୍ଯ୍ୟାରମ୍ଭ ହେବ । ଗଞ୍ଜାମ ଜିଲ୍ଲାସ୍ଥ ସ୍କୁଲ ସମୁହର Sub Assistant Inspector ପୂଜନୀୟ ଶ୍ରୀଯୁକ୍ତ ବାବୁ ଭଗବତୀ ଚରଣ ଚାଟୁର୍ଯ୍ୟା ମହୋଦୟ ଏହାର ପ୍ରଧାନ ଶିକ୍ଷକ ରୂପେ ଅଧିଷ୍ଠିତ ହେବେ ।

 

ମାନ୍ଦ୍ରାଜ ପ୍ରେସିଡେନ୍ସିର ପ୍ରତ୍ୟେକ ସହରର ଗୋଟିଏ ବିଶେଷତ୍ୱ ଏହି ଯେ ସହର ମଧ୍ୟସ୍ଥ ପ୍ରସିଦ୍ଧ, ରଥ୍ୟାର ଉଭୟ ପାର୍ଶ୍ୱରେ ବୃହତ ବୃକ୍ଷରାଜି ଶ୍ରେଣୀବଦ୍ଧ ରୂପେ ଆରୋପିତ । ଫଳତଃ ଏ ଅଞ୍ଚଳରେ ରାଜ ପୁରୁଷମାନଙ୍କର କୁଞ୍ଜକୃଷି (Arboriculture) ଅନୁଷ୍ଠାନ ବିଷୟରେ ଯଥେଷ୍ଟ ଆସ୍ଥା ଥିବାର ବୋଧ୍ୟ ହୁଏ । ନାଗରିକ କୁତ୍ରିମତାରେ ପ୍ରକୃତିର କ୍ରୀଡ଼ନାକ ସ୍ୱରୂପ ଏହି ବୃକ୍ଷଗୁଡ଼ିକ ମିଶି ପ୍ରତ୍ୟେକ ନଗରର ଶୋଭା ବୃଦ୍ଧି କରେ, ଏବଂ ଶ୍ରାନ୍ତ ପାନ୍ଥମାନଙ୍କର ସୁଶୀତଳ ଛାୟାର ମଧ୍ୟ ଅଭାବ ନ ଥାଏ ।

 

ଛତ୍ରପୁର ସହରଟି ସମୁଦ୍ରତୀରବର୍ତ୍ତୀ । ଆମ୍ଭେମାନେ ସନ୍ଧ୍ୟାର କିଛିକ୍ଷଣ ପୂର୍ବେ ଆଡ଼କୁ ଭ୍ରମଣୋଦ୍ଦେଶ୍ୟରେ ଗଲୁଁ । ଅନେକ ଦିନ ପରେ ଆମ୍ଭେମାନେ ସମୁଦ୍ରର କଲ୍ଲୋଳ ଶୁଣିଲୁଁ ଏବଂ ସମୁଦ୍ରର ଦିଗନ୍ତ ବ୍ୟାପୀ ନୀଳିମା ଦେଖିଲୁଁ ।

 

ପର୍ବତାରୋହଣ ପରି ସମୁଦ୍ରର୍ଶନ ମଧ୍ୟ ମନୁଷ୍ୟଜୀବନର ଗୋଟିଏ ପ୍ରଧାନ ଘଟନା । ଉଭୟ ଘଟନା ଜଗତର ବିରାଟତ୍ୱ ଉପଲବ୍ଧିର ଉପଯୋଗୀ ଅଟେ । ପୂର୍ବେ ମୁଁ ଅନେକଥର ସମୁଦ୍ର ଦେଖିଥିଲି, ମାତ୍ର ଏହାର ନୂତନତା ଅପନୀତ ହେବାର ନୁହେ । ପୁଣି ସମୁଦ୍ର ଦେଖି ସ୍ତମ୍ଭୀଭୂତ ହୋଇ ରହିଲି । ଦୃଷ୍ଟିରେଖା ଚକ୍ରବାଳରେ ଅଟକିଲା, ମାତ୍ର କଳ୍ପନା ଅନନ୍ତ ଦେଶରେ ବିଚରଣ କରବିାକୁ ଲାଗିଲା । ବାଲ୍ମୀକିଙ୍କର ‘‘ଉତ୍ପେତୁଶ୍ଚ ନିପେତୁଶ୍ଚ ପ୍ରହୃଷ୍ଟାଃ ଜଳୟଶୟଃ ଏହି ପଂକ୍ତି ସ୍ମୃତିପଥରେ ଉଦିତ ହେଲା ।

 

ଅସଂଖ୍ୟ ରତ୍ନଗତି ଏବଂ ବିବିଧ ଜୀବକୂଳ ଗର୍ଭରେ ଧାରଣ କରି ଏହି ସମୁଦ୍ର ଏକଭାବରେ ଗର୍ଜ୍ଜନ ଓ ନର୍ତ୍ତନରେ ସର୍ବଦା ପ୍ରମତ୍ତ । ମାନବର ସୁଖ ଦୁଃଖରେ ତାହାର କ୍ରୁକ୍ଷେପ ନାହିଁ; ମାନବର କୌଶଳ ଏବଂ ବୁଦ୍ଧିକୁ ତୁଚ୍ଛ କରି ଅସୀମ ଉପେକ୍ଷାସହ ଏ ନିଜ କାର୍ଯ୍ୟରେ ନିଯୁକ୍ତ । ଏହାର ଅତୃପ୍ତିମୟ ଗର୍ଜ୍ଜନ ଅବଧି ନାହିଁ । ମାନବର ହୃଦୟ–ସମୁଦ୍ରରେ ମଧ୍ୟ ଏହିପରି ଏକ ଅଜ୍ଞାତ ଅତୃପ୍ତ ଉଚ୍ଛ୍ୱାସ ଚିରକାଳ ବହୁଅଛି । ଅତୃତ୍ପିହିଁ ଆମ୍ଭମାନଙ୍କ ଜୀବନ । କାର୍ଯ୍ୟର ବ୍ୟସ୍ତତାହିଁ ଜୀବନର ଲକ୍ଷ୍ମଣ । ଆମ୍ଭେମାନେ ଯେତିକି ପରିତୃପ୍ତ, ତେଣିକି ମୃତ । ସମୁଦ୍ର ପରି ମନୁଷ୍ୟର ପିପାସା ଅନନ୍ତ, କୌଣସି ବସ୍ତୁରେହିଁ ଆଶା ମେଣ୍ଟିବ ନାହିଁ । ବୀଚିବିତାଡ଼ିତ ସମୁଦ୍ରବତ୍‌ମାନବ ହୃଦୟ ଚିରବିକ୍ଷୋରିତ ।

 

ଏହି ସବୁ ବିଷୟ ମତରେ ଆଲୋଚନା କରୁଁ କରୁ ବସାଇ ଆସିଲି । ଆଜି ମୁଁ ଅତିଶୟ କ୍ଳାନ୍ତ, ସୁତରାଂ ଶଯ୍ୟାରେ ପତିତ ହେଲା ମାତ୍ରେ ଶ୍ରମହାରିଣୀ ନିଦ୍ରାର ଶାନ୍ତିମୟ କ୍ରୋଡ଼ରେ ଆତ୍ମବିସ୍ତୃତି ଲାଭ କଲି ।

 

୨୬-୭-୯୫–ଶୁକ୍ରବାର-ପ୍ରତ୍ୟୂଷରୁ ସ୍ନାନ ପ୍ରଭୃତି ସମାପନ କରି ବ୍ରହ୍ମପୁର ଅଭିମୁଖୀନ Ballast ଗାଡ଼ୀରେ ଆରୋହଣ କଲି । ଅତି ଦୂରରେ ଜଗନ୍ନାଥପୁର ନମାକ ଷ୍ଟେସନ ପଡ଼ିଲା । ଜଗନ୍ନାଥପୁର ଏ ଜିଲ୍ଲାର ଗୋଟିଏ ପ୍ରଧାନ ଗ୍ରାମ ।

 

ପୂର୍ବାହ୍ନ ଘ ୮ ଟିକା ସମୟରେ ଟ୍ରେନ୍‌ ବ୍ରହ୍ମପୁର ଷ୍ଟେସନରେ ଲାଗିଲା । ଏଠାରେ ଆମ୍ଭେମାନେ ଗାଡ଼ୀରୁ ଅବତରଣ କରି ଏ ସ୍ଥାନର ସୁପ୍ରସିଦ୍ଧ ଓକିଲ ପୂଜନୀୟ ଶ୍ରୀଯୁକ୍ତ ବାବୁ ବିପ୍ରଚରଣ ଚାଟୁର୍ଯ୍ୟାଙ୍କ ବସାକୁ ଯିବାର ପ୍ରସ୍ତାବ କଲୁଁ । ‘‘ବିପ୍ରବାବୁ’’ ଏହି କଥାରେ ଅଧିକାଂଶ ସାଧାରଣ ଲୋକେ ତାହାଙ୍କୁ ଚିହ୍ନି ପାରିବେ ନାହିଁ, କିନ୍ତୁ ‘ବଙ୍ଗାଳୀ ବାବୁ’’ ଏ କଥାଟି କହିଲେ ଗଞ୍ଜାମ ଜିଲାର ପ୍ରତ୍ୟେକ ଗ୍ରାମର ଲୋକେ ତାହାଙ୍କୁ ଚିହ୍ନି ପାରିବେ । ଅଗତ୍ୟା ଆମ୍ଭମାନଙ୍କୁ ଏହି ନାମ ବ୍ୟବହାର କରି ଗୋଟିଏ ଗାଡ଼ୀବାଲାରୁ ନିଯୁକ୍ତ କରିବାକୁ ହେଲା । ସେ ଅନତି ବିଳମ୍ବରେ ଆମ୍ଭମାନଙ୍କ ଜିନିଷ ପତ୍ରାଦି ସହ ବାବୁ ମହୋଦୟଙ୍କ ବସାକୁ ନେଇ ଗଲା । ଏଠାରେ ଆମ୍ଭେମାନେ ଅତ୍ୟନ୍ତ ସମାଦରର ସହିତ ନୀତ ହେଲୁଁ ସତ୍ୟ, କିନ୍ତୁ କୌଣସି କାରଣବଶତଃ ବାବୁ ମହୋୟଙ୍କ ବସାରେ ସ୍ଥାନଭାବ ହେବାରୁ ତାହାଙ୍କ ଆଜ୍ଞାନୁସାରେ ତାହାଙ୍କର କର୍ମ୍ମଚାରିମାନେ ଅତି ଯତ୍ନପୂର୍ବକ ଆମ୍ଭମାନଙ୍କ ନିମନ୍ତେ ଅଦାଲତ କଚେରୀ ନିକଟରେ ଗୋଟିଏ ସ୍ୱତନ୍ତ୍ର ବସା କରିଦେଲେ । ସୁତରା କେବଳ ପୂର୍ବାହଟି ବାବୁ ମହୋଦୟଙ୍କ ବସାରେ କଟାଇ ଅପରାହ୍ଣରେ ଆମ୍ଭେମାନେ ଏ ବସାକୁ ଆସିଲୁଁ ।

 

ବସାଟି ଅତି ନିର୍ଜ୍ଜନ ସ୍ଥାନରେ, ଏବଂ ଆମ୍ଭମାନଙ୍କୁ ଅତିବୃହତ ହୋଇଥିଲା । ବସାର ଠିକ୍‌ସମ୍ମୁଖରେ ଗୋଟିଏ ପୁଷ୍କରିଣୀ ଏବଂ ଅଦାଲତ କଚେରୀ । ଏହି ବସାକୁ ଲାଗି ମାନ୍ୟବର ଶ୍ରୀଯୁକ୍ତ ମଞ୍ଜୁଷାର ରାଜା ମହୋଦୟଙ୍କ ଏକ କୋଠି ଅଛି । ଆମ୍ଭମାନଙ୍କ ସୌଭାଗ୍ୟ ବଶତଃ ଉକ୍ତ ରାଜା ମହୋଦୟଙ୍କୁ ଆଜି ଆମ୍ଭେମାନେ ତାହାଙ୍କର ପ୍ରତିବେଶୀ । ସହ ଅନ୍ତର୍ଗତ ଏହି ପଲ୍ଲୀଟି ‘‘କୋର୍ଟପେଟା’’ ନାମରେ ଅଭିହିତ ।

 

ବ୍ରହ୍ମପୁର ସହରଟି ଅତି ପରିଷ୍କାର ଓ ପରିଚ୍ଛନ୍ନ । ରାଜପଥର ଉଭୟ ପାର୍ଶ୍ୱରେ ବହୁକାଳର ରାଜ କଲେଜ, କ୍ଳବ, ଗିର୍ଜା, ଏବଂ ମାନ୍ଦ୍ରାଜ ପଦାତିଦଳର ଉଚ୍ଚ କର୍ମ୍ମଚାରିମାନଙ୍କ ଆବାସ ସମୂହ ଅତି ସୁନ୍ଦର ସ୍ଥାନରେ ସ୍ଥାପିତ । ବିପ୍ର ବାବୁଙ୍କ ସୁବୃହତ କୋଠି ଏବଂ ଉଦ୍ୟାନ ଯୁଦ୍ଧଶିକ୍ଷା ଭୂମିର (parade ground) ସମୁଖରେ । ଏହାର ଅପର ପାର୍ଶ୍ୱରେ କୋଳାହାଳ ପୂର୍ଣ୍ଣ ବଜାର ଓ ହାଟ । ଏ ସ୍ଥାନକୁ ‘‘ଭାଉ ପୁରମ’’ କହନ୍ତି । ପୋଷ୍ଟ ଅଫିସର ପଶ୍ଚାତରେ ଗୋଟିଏ ଅନେକ ଦିନର ପୁରାତନ ଗିର୍ଜ୍ଜା ମଧ୍ୟ ଅଛି । ଏ ସହରରେ ଲୋକସଂଖ୍ୟା ୨୫୬୫୩ ।

 

ଏ ନଗରର ପଶ୍ଚିମପାର୍ଶ୍ୱରେ ଯେଉଁ ପର୍ବତ ଶ୍ରେଣୀର ବିଶାଳକାୟା ଦୃଷ୍ଟ ହୁଏ, ତାହାକୁ ‘‘କେରାଣ୍ଡିମାଳ’’ କହନ୍ତି । ଏହା ଘୋରାରଣ୍ୟରେ ଭୂଷିତ, ଏବଂ ଅତ୍ୟନ୍ତ ଦୁର୍ଗମ । ଏହାର ସର୍ବୋଚ୍ଚ ଶୃଙ୍ଗର ଉଚ୍ଚତା ୨୯୫୮ ଫୁଟ୍‌ । ବ୍ରହ୍ମପୁରର ଅତି ନିକଟରେ ବିରାଜିତ ।

 

୨୭-୭-୯୫ ଶନିବାର–ଏଠାରେ ଅବସ୍ଥାନ କରି, ଆଜି ଜେଲଖାନା ଅଭିମୁଖରେ ଭ୍ରମଣ କରିବାକୁ ଯାଇଥିଲି । ଏତବ୍ୟତୀତ ମାନ୍ୟବର ଶ୍ରୀଯୁକ୍ତ ମଞ୍ଜୁଷା ରାଜାଙ୍କ ସହିତ ସୁଚତୁର । ତାହାଙ୍କର ଆଶାତୀତ ଉଦାରତାରେ ମୁଁ ମୁଗ୍ଧ ହୋଇ ନିତାନ୍ତି ଅପ୍ୟାୟିତ ହେଲି ।

 

୨୮-୬-୯୫ ରବିବାର–ବ୍ରହ୍ମପୁରରେ ଅବସ୍ଥାନ । ଆଜି ଏଠାରେ ଘୋର ବର୍ଷା, ସମସ୍ତ ଦିନ ଆକାଶ ମେଘାଚ୍ଛନ୍ନ ।

 

ଏ ଅଞ୍ଚଳର ଓଡ଼ିଆଭାଷା ରାଜନୈତିକ ଓଡ଼ିଶାରୁ କେତେକାଂଶରେ ପୃଥକ୍‌ । ଏ ଜିଲ୍ଲାର ଦକ୍ଷିଣାଂଶର ନିବାସିମାନଙ୍କ ମାତୃଭାଷା ତୈଲିଙ୍ଗ, କିନ୍ତୁ ଏମାନେ ଓଡ଼ିଆ ଏକ ପ୍ରକାର ଶିଖି ଥାଆନ୍ତି । କଟକ ଅଞ୍ଚଳର ହିନ୍ଦିମିଶ୍ରିତ ଓଡ଼ିଆ ସଙ୍ଗେ ଏ ଅଞ୍ଚଳର ଓଡ଼ିଆର ବିସ୍ତର ପ୍ରଭେଦ, ଏହା ସାଧାରଣତଃ କହିବାକୁ ଗଲେ ଏକ ପ୍ରକାର ବିଶୁଦ୍ଧ ଓଡ଼ିଆ । ଖୋର୍ଦ୍ଧା ଅଞ୍ଚଳର ଆଦର୍ଶ ଓଡ଼ିଆ ସହିତ ଏହାର ଅନେକ ସାଦୃଶ୍ୟ ଅଛି । ଏ ଅଞ୍ଚଳର ପଶ୍ଚିମରେ ଘୁମସର ରାଜ୍ୟ, କବିପ୍ରବର ଉପେନ୍ଦ୍ରଭଞ୍ଜଙ୍କ ଜନ୍ମଭୂମି । ସେଠାରେ ଆଜିକାଲି ମଧ୍ୟ ଏହିପରି ଓଡ଼ିଆ ଭାଷାର ପ୍ରଚଳନ । ‘‘ଆବଶ୍ୟକ’’, ଏହି କଥାର କଟକାଞ୍ଚଳରେ ସଚରାଚର ଓଡ଼ିଆ ଦରକାର କିନ୍ତୁ ଏ ପ୍ରଦେଶରେ ‘‘ଲୋଡ଼ା’’ । ଏହିପରି ‘‘ଦରମାହା’’ କୁ ଏମାନେ ‘‘ବର୍ତ୍ତନ କହନ୍ତି । ‘‘ଠିକ୍‌’’ ପରିବର୍ତ୍ତନର ଏମାନେ ‘‘ଚିତ୍‌’’ (ଉଚିତ) ଏବଂ ‘‘ବିଦାୟ’’ ପରିବର୍ତ୍ତନରେ ‘‘ଶିହ୍ଲେ’’ (ଶୀଳ) ବ୍ୟବହାର କରନ୍ତି । ଏମାନଙ୍କର ‘‘ଯିବାର’’ ‘‘ଆସିବାର’’ ପ୍ରଭୃତି କ୍ରିୟା ବିୟୋଗ ମଧ୍ୟ କଟକବାସିଙ୍କି ଅପୂର୍ବ ବୋଧ ହେବ । ତୈଲିଙ୍ଗ ଓଡ଼ିଆରେ ମହାପ୍ରାଣ-ବର୍ଣ୍ଣର ଉଚ୍ଚାରଣ ପ୍ରାୟ ଦେଖା ଯାଏ ନାହିଁ । ଯଥା, ‘‘ଦେଖିଲି’’ ପରିବର୍ତ୍ତରେ ‘‘ଦେଖିଲି’’ ‘‘ଖାଉଛି’’ ପରିବର୍ତ୍ତନରେ ‘‘କାଉଚି’’, ‘‘ହଲାଉଛି’’ ପରିବର୍ତ୍ତରେ ‘‘ଅଲାଉଚ’’ ‘‘ଭାତ’’ ପରିବର୍ତ୍ତରେ ‘‘ବାତ’’, ‘‘ପିଠା’’ ପରିବର୍ତ୍ତରେ ‘‘ପିଟା’’ ଇତ୍ୟାଦି ।

 

୨୯-୭-୯୫ ସୋମାବାର–ଅତିପ୍ରତ୍ୟୁଷରୁ ସ୍ନାନାହାର ଶେଷ କରି, ଆମ୍ଭେମାନେ ଏଠାର ରେଲଓୟେ ଷ୍ଟେସନକୁ କଲୁଁ । ଆଜି ଆକାଶ ସମ୍ପୂର୍ଣ୍ଣ ମେଘଯୁକ୍ତ ନ ଥିବାରୁ, ଆମ୍ଭମାନଙ୍କୁ ବିୟତ୍‌କ୍ଷଣ ଚିନ୍ତିବାକୁ ହୋଇଥିଲା । ଷ୍ଟେସନ ଘରଟି ସମ୍ପୂର୍ଣ୍ଣ ରୂପେ ନିର୍ମିତ ନୋହିଁ ଥିବାହିଁ ଏହାର କାରଣ । ଅନନ୍ତର ଆମ୍ଭେମାନେ ‘‘ଉତ୍ତରଗୋଦାବରୀ’’ (Godavari north) ର ଟିକଟ କିଣି ଗାଡ଼ୀରେ ଆରୋହଣ କଲୁଁ । କୁମ୍ଭାର ଏ ପର୍ଯ୍ୟନ Ballast ଗାଡ଼ୀରେ ବସି ଆସି‌ଥିଲୁଁ, ଏହି ସେ ଗାଡ଼ୀ ନୁହେଁ, ଏଠାରୁ ରୀତିମତ ଯାତ୍ରୀ ଗାଡ଼ୀ (Passenger trains) ଚାଲୁଅଛି ।

 

ପୂର୍ବାହ୍ନ ଘ ୮ ଟିକା ବେଳେ ସର୍ବଶୀଧ୍ୱନିର ଗାଡ଼ୀ ଚାଲିଲା । ପ୍ରଥମେ ମୃଦୁମନ୍ଦଗତି, କିଛିକ୍ଷଣ ପରେ ମଧ୍ୟମ ଗତି, ଏବଂ ପରିଶେଷରେ ମେଘନିନାଦ ସହ ବାୟୁଗତି । ଅର୍ଦ୍ଧ-ଘଣ୍ଟା ମଧ୍ୟରେ ‘‘ଇଚ୍ଛାପୁର’’ ଷ୍ଟେସନର ଗାଡ଼ୀ ପହଁଚିଲା । ‘‘ଇଚ୍ଛାପୁର’’ ଏ ଅଞ୍ଚଳର ଗୋଟିଏ ପ୍ରସିଦ୍ଧସ୍ଥାନ, ଏବଂ ସମୁଦ୍ରକୂଳରେ ଅବସ୍ଥିତ । ଏହାର ଜଳବାୟୁ ସ୍ୱାସ୍ଥ୍ୟପ୍ରଦ ।

 

ଏଠାରେ ଗାଡ଼ୀ ୩ ମିନିଟ ରହିଥିଲା । ସୁତରାଂ ଏହି କ୍ଷୁଦ୍ର ସହରଟି ଦୁରରୁ ଦେଖିବାର ସୁବିଧା ପାଇଥିଲି । ସହରଟି ମନ୍ଦ ନୁହେ,–ରେଲଓୟେ ଷ୍ଟେସନ ନିକଟରେ ଗୋଟିଏ ମସ୍‌ଜିଦ୍‌ଏବଂ ସୁବୃହତ୍‌ପୁଷ୍କରିଣୀ ଅଛି । ଏହାର ପଶ୍ଚିମରୁ କେତକ କେତେକ କ୍ଷୁଦ୍ର ପାହୋଡ଼ ଅଛି, କିନ୍ତୁ ସେ ଗୁଡ଼ିକ ଏକ ପ୍ରକାର ଜଙ୍ଗଲଶୂନ୍ୟ ।

 

ଗାଡ଼ୀ ଚାଲିଲା । ଶ୍ୟାମଳ ଶସ୍ୟକ୍ଷେତ୍ର, ବିସ୍ତୀର୍ଣ୍ଣ ପ୍ରାନ୍ତର, ଗଣ୍ଡ ଶୈଳଶ୍ରେଣୀ ପ୍ରଭୃତି ଉଭୟ ପାର୍ଶ୍ୱରେ ରଖି ତୀବ୍ର-ବେଗରେ ଚାଲିଲା । ପୂର୍ବ ଦିଗରେ ନାରିକେଳ, ଏବଂ ପୁଗୁବୃକ୍ଷସୁଶୋଭିତ ବାଲୁକାମୟ ସମୁଦ୍ରତଟର ଚିତ୍ର, ଏବଂ ପଶ୍ଚିମରେ ସ୍ତରବିନ୍ୟସ୍ତ ସୁଦୀର୍ଘ ’‘‘କେରାଣ୍ଡିମାଳ’’ ର ଗମ୍ଭୀର ଦୃଶ୍ୟ ! ‘‘କେରା’’ ନାମକ ଗୋଟିଏ କ୍ଷୁଦ୍ର ଗିରିନଦୀ ଏହି ‘‘କେରାଣ୍ଡିମାଳ’’ ରୁ ବହିର୍ଗତି ହୋଇ ସମୁଦ୍ର ଆଡ଼କୁ ଯାଇଅଛି । ଏହା ପରେ ଝାଡ଼ିପୁଡ଼ି ଏବଂ କାଁଚିଲି ଷ୍ଟୋସନଦ୍ୱୟ । ଏହି ସବୁ ଷ୍ଟେସନ ନବନିର୍ମିତ ହେଉଥିବାର ଦେଖିଲି । କାଁଚଲି ଷ୍ଟେସନରୁ ୩ ମାଇଲ ଅଗ୍ରସର ହେଲାମାତ୍ରେ ଭୀଷଣଦର୍ଶନ ଅଭ୍ରଭେଦି ମହେନ୍ଦ୍ରଗିରି ଦର୍ଶନରେ ନୟନ ପରିତୃପ୍ତ ହେଲା । ଏହି ମହେନ୍ଦ୍ରଗିରି ମଞ୍ଜୁଷାରାଜ୍ୟର ସର୍ବପ୍ରଧାନ ପର୍ବତ, ୪୯୦୦ ଫୁଟ ଉଚ୍ଚ (ଓଡ଼ିଶାର ସର୍ବଶ୍ରେଷ୍ଟ ପାଲଲହୁଡ଼ାର ମାଲଗିରିଠାରୁ ପ୍ରାୟ ୧୫୦୦ ଫୁଟ ଅଧିକ) । ଏତେ ବଡ଼ ପର୍ବତ ଦର୍ଶନ ମୋହର ଏହି ପ୍ରଥମ, ସୁତରାଂ ଏହାର ଦୃଶ୍ୟ ଗାମ୍ଭୀର୍ଯ୍ୟରେ ମନ ଅଭିଭୂତ ହେଲା । ଦିଗବିଜୟୀ ମହାରାଜା ରଘୁଙ୍କ ବୀରତ୍ୱ ଏହିଠାରେ ମୋହର ମନେ ପଡ଼ିଲା ।

 

‘‘ସ ପ୍ରତାପଂ ମହେନ୍ଦ୍ରସ୍ୟ ନୁର୍ଦ୍ଧିତୀଷ୍ମ ବ୍ୟବେଶୟତ ।

ଅଙ୍କୁଶ ହିରଦସ୍ୟେବ ଯନ୍ତା ଗମ୍ଭୀରବେବ୍ଦନଃ ।’’

 

ଏହି ଶ୍ଳୋକରେ କାଳିଦାସ ଯେଉଁ ମହେନ୍ଦ୍ରଙ୍କୁ ଲକ୍ଷ୍ୟ କରିଅଛନ୍ତି, ଏ ସେହି ମହେନ୍ଦ୍ର । ଓଡ଼ିଶାର ସମସ୍ତ ପର୍ବତ ଏହି ‘‘ମହେନ୍ଦ୍ର’’ ନାମରେ ଅନ୍ତର୍ଭୁତ । ମହାତର ନାମଦ୍ୱାରା କ୍ଷୁଦ୍ର ଏହିପରିପ୍ରତିଷ୍ଠିତ ହୁଏ ।

 

ବାରୁଅ ଷ୍ଟେସନ ପରେ ମହେନ୍ଦ୍ରତନୟା ନାମକ ଅନତିବୃହତ ଗିରିନଦୀ ପଡ଼ିଲା । ନାମାନୁସାରେ ଏହା ମହେନ୍ଦ୍ର ପର୍ବତରୁ ନିର୍ଗତ ବୋଲି ସ୍ୱତଃ ଅନୁମିତ ହୁଏ ।

 

କିଛିକ୍ଷଣ ପରେ ମଞ୍ଜୁଷା ଷ୍ଟେସନରେ ଗାଡ଼ୀ ରହିଲା । ଏଠାରେ ମଞ୍ଜୁଷା ରଜାଙ୍କ ପ୍ରାଇଭେଟ୍‌ସେକ୍ରେଟାରୀ ଶ୍ରୀଯୁକ୍ତ ଭେଙ୍କଟଶ୍ୱର ଭ୍ରମର ବରରାଜ ମହାଦୟ (ଯେ ବ୍ରହ୍ମପୁରଠାରୁ ଆମ୍ଭମାନଙ୍କ ସହଯାତ୍ରୀ ହୋଇ ଆସିଥିଲେ) ଗାଡ଼ୀରୁ ଅବତରଣ କଲେ । ଏ ମହୋଦୟ ଆମ୍ଭମାନଙ୍କୁ ପ୍ରତ୍ୟାଗମନ ବେଳେ ମଞ୍ଜୁଷାଗଡ଼କୁ ଯିବା ସକାଶେ ପୁନଃ ଅନୁରୋଧ କଲେ । ଆମ୍ଭେମାନେ ମଧ୍ୟ ସ୍ୱୀକୃତ ହୋଇ ତାହାଙ୍କୁ ଠାରୁ ବିଦାୟ ନେଲୁଁ ।

 

ଏହିଠାରୁ ମଞ୍ଜୁଷାଗଡ଼ ପ୍ରାୟ ୩ ମାଇଲ । ଦୂରରୁ ରାଜପ୍ରାସାଦ ସୁନ୍ଦର ଦିଶୁଥାଏ । ଏହି ପ୍ରସ୍ତାବ ମହେନ୍ଦ୍ରଗିରିର ପାଦଦେଶରେ ଅବସ୍ଥିତ । ପ୍ରସାଦାର ଅନିତଦୂରରେ ଅରଣ୍ୟ ବେଷ୍ଟିତ ଗୋଟିଏ କ୍ଷୁଦ୍ର ହ୍ରଦ ।

 

ମଞ୍ଜୁଷା’’ ନାମଟି ‘‘ମଞ୍ଜୁର’’ ଊତ୍ପନ୍ନ ବୋଲି କଥିତ । ରାଜ୍ୟଟି ବାସ୍ତବିକ ପ୍ରକୃତିପାଳିତ–ସୌନ୍ଦର୍ଯ୍ୟର ଲୀଳାଭୂମି । ଏ ରାଜ୍ୟର ବାର୍ଷିକ ଆୟ ପ୍ରାୟ ଦେଢ଼ଲକ୍ଷ ଟଙ୍କା ହେବ ।

 

ଏହା ପରେ ପଳାଶ ଷ୍ଟେସନ । ଏହିଠାରେ ଗାଡ଼ୀ ୧୫ ମିନିଟ ରହିଲା । ଇଞ୍ଜିନଗାଡ଼ୀର କଳସଂଯୋଗରେ ପାଣି ନେବାହିଁ ଏହି ବିଳମ୍ବର କାରଣ ।

 

ମଧ୍ୟରେ ତିନିଗୋଟି ଷ୍ଟେସନ ଛାଡ଼ି ଗାଡ଼ୀ ପାରଳାଖିମିଡ଼ି ଷ୍ଟେସନରେ ଉପସ୍ଥିତ ହେଲା । ଏଠାରୁ ପାରଳାଖିମିଡ଼ ଗଡ଼ ପ୍ରାୟ ମା ୧୮ ଇଲ ବାଟ, କିନ୍ତୁ ରେଲଓୟେ କର୍ତ୍ତୃପକ୍ଷଙ୍କ ସୁବିଚାର ବଶତଃ ଅଥବା ଅନ୍ୟ କୌଣସି ଅସୁବିଧାଜନିତ ବାରଣରୁ ଷ୍ଟେସନଟି ଏହିଠାରେ ନିର୍ମ୍ମିତ ହୋଇଅଛି । ସୁତରାଂ ଗଡ଼ ଦେଖିବାର ଇଚ୍ଛାସତ୍ତ୍ୱେ, ଆମ୍ଭମାନଙ୍କ ଭାଗ୍ୟରେ ତାହା ଘଟିଲା ନାହିଁ । ଏ ରାଜ୍ୟର ଆୟ ପ୍ରାୟ ୮ ଲକ୍ଷ ଟଙ୍କା । ବିଭବ ବିଷୟରେ ଖିମିଡ଼ିରାଜା ଉତ୍କଳୀୟ ରାଜନ୍ୟବର୍ଗର ସମ୍ଭବତଃ ଶୀର୍ଷସ୍ଥାନୀୟ । ଫଳତ ଜ୍ୟୋତିଷର ଚର୍ଚ୍ଚା ସକାଶ ପାରଳା ଉତ୍କଳରେ ବହୁଦିନରୁ ପ୍ରସିଦ୍ଧ ।

 

‘‘ଚିକାକୋଲ’’ ଏହାର ପରବର୍ତ୍ତୀ । ଏହି ଉଭୟ ଷ୍ଟେସନ ମଧ୍ୟରେ ବଂଶଧାରୀ ନଦୀ ପ୍ରବାହିତା । ଏହା ଉପରେ ରେଲଓୟେ ସେତୁଟି ¼ ଲମ୍ବରେ ମାଇଲର ଊର୍ଦ୍ଧ୍ୱ ହେବ ।

 

‘‘ଚିକାକୋଲ’’ ଏହି ଶବ୍ଦର ଦୁଇ ପ୍ରକାର ବ୍ୟାଖ୍ୟା ଶୁଣିଲି । କେହି ଏହାକୁ ‘‘ଶ୍ରୀକାକୁଲମ୍‌’’ ସଂସ୍କୃତ ଶବ୍ଦର ଅପଭ୍ରଂଶ ବୋଲି କହନ୍ତି । ଅନ୍ୟ ଲୋକଙ୍କ ମତରେ ଏହାର ମୂଳଶବ୍ଦ ‘‘ଶିକାଖୋଲ’’ । ସେମାନେ କହନ୍ତି ପୂର୍ବେଏହି ଅଞ୍ଚଳ ନିଜାମ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ଏଠାରେ ଗୋଟିଏ ଡାକଘର ଥିବାରୁ ରାଜକୀୟ ଡାକରା ଶିକା ଏଡିଠାରେ ଖୋଲା ହେଉଥିଲା, ‘‘ଶିକାକୋଲ’’ ତୈଲଙ୍ଗୀୟ ଉଚ୍ଚାରଣବଶତଃ ‘‘ଶିକାକୋଲ’’ ଅଥବା ‘‘ଚିକାକୋଲ’’ ହୋଇଅଛି ।

 

ଏହିଠାରୁ ଭିଜିଗାପଟ୍ଟମ୍‌(ବିଶାଖାପତ୍ତନ) ଜିଲ୍ଲା ଆରମ୍ଭ ହେଲା । ଏହାର ପରିମାଣ ୧୭୨୪୨ ବର୍ଗମାଇଲ, ଲୋକସଂଖ୍ୟା ୨୮୦୨୯୯୨ ଏବଂ ଗ୍ରାମସଂଖ୍ୟା ୧୨୦୫୨ । ଏହି ଜିଲ୍ଲାଟି ସର୍ବାଂଶରେ ମାନ୍ଦ୍ରାଜ ପ୍ରେସିଡେନ୍ସି ମଧ୍ୟରେ ପ୍ରଥମ ସ୍ଥାନୀୟ ।

 

ଚିକାକୋଲ ପରେ ଡୁମି ଷ୍ଟେସନ । ଡୁମିଉତ୍ତାରୁ ଅଳ୍ପଦୂର ମଧ୍ୟରେ ନାଗବଲ୍ଲୀ ନଦୀ । ଏହି ନଦୀଟି ବଂଶୀଧାରାର ଅନୂରୂପ ।

 

ସନ୍ଧ୍ୟାର ଅବ୍ୟବହିତ ପୂର୍ବେ ଆମ୍ଭେମାନେ ଭିଜିଆନଗ୍ରାମ ଷ୍ଟେସନରେ ପହଁଚିଲୁଁ । ଏ ନାମଟି ଓଡ଼ିଶାରେ ପ୍ରାୟ ସମସ୍ତେ ଜାଣନ୍ତି । କଟକ ଅଞ୍ଚଳରେ ଲୋକମାନେ ଏହାକୁ ‘‘ଇଜାନଗର’’ କହନ୍ତି । ଓଡ଼ିଶାର ସ୍କୁଲଛାତ୍ରମାନଙ୍କ ମଧ୍ୟରେ ଏ ନାମ ବିଶେଷରୂପେ ସୁପରିଚିତ ଏବଂ ଗୌରବାନ୍ୱିତ । ଓଡ଼ିଶାର ମାଇନର ପରୀକ୍ଷାରେ ଗଣିତରେ ସର୍ବ ପ୍ରଥମ ସ୍ଥାନ ପାଇଥିବା ଛାତ୍ର ଏ ରାଜ୍ୟ ଦତ୍ତ ଟଙ୍କାରୁ ପ୍ରତିବର୍ଷ ପାଞ୍ଚଟଙ୍କା ଲେଖାଏଁ ମାସିକ ବୃତ୍ତି ପାଉଥିଲେ ।

 

ଏ ଷ୍ଟେସନଟି ଅପେକ୍ଷାକୃତ ବଡ଼ । ସୁତରାଂ ଏଠାରେ ଗାଡ଼ୀର ବିରାମ ଅର୍ଦ୍ଧଘଣ୍ଟାସ୍ଥାୟୀ ହୋଇଥିଲା ।

 

ଏ ସହରଟି ପ୍ରକୃତ ଦର୍ଶନୀୟ । ସହରର ଅବସ୍ଥାନ ମନୋମୁଗ୍ଧକର । ଚତୁର୍ଦ୍ଦିଗରେ ସନ୍ନିକଟସ୍ଥ ଉଚ୍ଚପର୍ବତମାଳା । ଏହିଠାରୁ ପୂର୍ବଘାଟ ପର୍ବତଶ୍ରେଣୀର ଆରମ୍ଭ । କିନ୍ତୁ ଏ ପର୍ବତମାଳା ଉଚ୍ଚ ହେଲେହେଁ ଅରଣ୍ୟର ଘନ ସମାବେଶ ନାହିଁ, ସୁତରାଂ ଅତି ନିକଟରୁ ତୃଣାଚ୍ଛାଦିତ ପ୍ରାନ୍ତର ପରି ହରିତ୍‌ବର୍ଣ୍ଣ ଦିଶେ । ଏହି ସ୍ଥାନରେ ଅଂସଖ୍ୟା ତାଳବୃକ୍ଷ ଦୃଷ୍ଟ ହୁଏ । ଏତେ ତାଳବୃକ୍ଷର ଏକତ୍ର ସମାବେଶ ବୋଧ ହୁଏ ଭାରତବର୍ଷର ଅନ୍ୟ କୌଣସି ସ୍ଥାନରେ ନାହିଁ । ଏହିଠାରୁ ସମସ୍ତ ଦାକ୍ଷିଣାତ୍ୟ ବିଶେଷତଃ ଗୋଦାବରୀ ପ୍ରଦେଶ ଲକ୍ଷେ ଲକ୍ଷ ତାଳ ବୃକ୍ଷରେ ପରିପୂର୍ଣ୍ଣ ।

 

ଏ ସହରରେ ଲୋକସଂଖ୍ୟା ୩୫୦୦୦ ରୁ ଅଧିକ ହେବ । ସୁସଜ୍ଜିତ ବିପଣିରାଜି, ଅତି୍‌ଥିଶାଳା, ଚିକତ୍ସାଳୟ, ବିଦ୍ୟାଳୟ, ଏବଂ ଧନିଲୋକମାନଙ୍କ ସୌଧମାଳାର ଅଭାବ ନାହିଁ । ସହରଟି ଅତି ପରିଚ୍ଛନ୍ନ । ରେଲଓୟେ ଷ୍ଟେସନରୁ ମହାରାଜଙ୍କ ପ୍ରସାଦ ଅଧିକ ଦୂର ନୁହେ ।

 

ସୂର୍ଯ୍ୟଦେବ ଅସ୍ତଗମନୋନ୍ମୁଖ ହେଲେ । ମହାରାଜଙ୍କ ସଦୃଢ଼ ନିର୍ମ୍ମିତ ଦୁର୍ଗ ହିଙ୍ଗୁଳରାଗରେ ରଞ୍ଜିତ ପରି ପ୍ରଭାବିତ ହେଲା । ଦୁର୍ଗ ଚୁଡ଼ାରେ ଦୁଇଗୋଟି ସୁରଞ୍ଜିତ ରାଜପତାକା ସାନ୍ଧ୍ୟ ସମୀରଣରେ ମୁଦୃଁ, ଆନ୍ଦୋଳିତ ହେଉଥିଲା । ଦୁର୍ଗର ଉପରିଭାଗରେ ମଧ୍ୟ ଅନେକ ପ୍ରତିହାରୀର ଏକତ୍ର ସଂସ୍ଥିତି ଦେଖିଲି । ସମୋନଙ୍କର ସମୁଜ୍ୱଳ ଅସ୍ତ୍ରଶସ୍ତ୍ର ଅସ୍ତଗାମୀ ସୂର୍ଯ୍ୟଙ୍କ ଲୋହିତ ବିରଣରେ ଝକ୍‌ଝକ୍‌ହୋଇ ମହାରାଜାଙ୍କ ଭାଷଣ ପ୍ରତାପର ପରିଚୟ ଦେଉଥିଲା । ମହାରାଜଙ୍କ ଆୟ ୩୦ ଲକ୍ଷ ଟଙ୍କାରୁ ଅଧିକ ।

 

ଏ ରାଜ୍ୟର ଇତିହାସ ଏହିପରି । ମାଧବ ବର୍ମ୍ମାଙ୍କଠାରୁ ଏ ରାଜଶର ଉତ୍ପତ୍ତି । ୫୯୧ ଖ୍ରୀଷ୍ଟାବ୍ଦରେ ଏ ମହାତ୍ମା କୃଷ୍ଣାନଦୀ ତୀରରେ ପ୍ରଥମେ ଏକ ଉପନିବେଶ ସ୍ଥାପନ କଲେ, ଏବଂ ଏହାଙ୍କ ବଂଶଧର ମାନେ ଗୋଲକଣ୍ଡା ରାଜ୍ୟର ପ୍ରଧାନ, ସର୍ଦ୍ଦାର ଥିଲେ । ୧୬୫୨ ଖ୍ରୀଷ୍ଟାବ୍ଦରେ ଏମାନଙ୍କ ମଧ୍ୟରୁ ପଶୁପତି ମାଧବ ବର୍ମ୍ମା ନାମକ ଜଣେ ବିଶାଖାପତ୍ତନ ପ୍ରଦେଶରେ ସ୍ୱୀୟ ପ୍ରଭାବ ବିସ୍ତାର କଲେ, ଏବଂ ଏହାଙ୍କ ପୁତ୍ର ପୌତ୍ରାଦି କ୍ରମଶଃ ନିଜ ବାହୁବଳରେ ଅନ୍ୟାନ୍ୟ ହସ୍ତଗତ କରି, ସମସ୍ତ ଭୂଖଣ୍ଡ ଏକ ରାଜ୍ୟରେ ପରିଣତ କଲେ । ୧୭୧୨ ଖ୍ରୀଷ୍ଟାବ୍ଦରେ ପେଡାଭିଜିୟ ରମାରାଜ ଏକ ନବଦୁର୍ଗ ନିର୍ମାଣ କରି ସ୍ୱନାନୁସାରେ ଦୁର୍ଗର ନାମ ଭଜିୟାନ ଗ୍ରାମ ରଖିଲେ ।

 

ଏଠାରେ ଗୋଟିଏ ପ୍ରଥମ ଶ୍ରେଣୀର କଲେଜ ଅଛି । ଭୂତପୂର୍ବ ମହାରାଜ ମହୋଦୟ ସ୍ୱରାଜ୍ୟର ଉନ୍ନତି କଳ୍ପରେ ଅନେକ ଟଙ୍କା ବ୍ୟୟ କରିଥିଲେ । ସଡ଼କ, ପୋଳ, ଦେବାଳୟ, ପୁଷ୍କରିଣୀ, କୂପ ପ୍ରଭୃତି ପୂର୍ତ୍ତିକାର୍ଯ୍ୟରେ ମନୋନିବେଶ କରିଥିଲେ । ୧୮୭୮ ପାଲରେ ତାହାଙ୍କର ମୃତ୍ୟୁ ହେଲା ।

 

ବର୍ତ୍ତମାନ ମହାରାଜଙ୍କ ବୟସ ୪୫ ବର୍ଷ । ଏହାଙ୍କ ନାମ, ଅନରେବଲ ହିସହାଇନେସ୍‌ ମହାରାଜ ସର୍‌ ପଶୁପତି ଆନନ୍ଦ ଗଜପତିରାଜ, କେ.ସି.ଆଇ.ଇ ।

 

ଏ ରାଜ୍ୟର ଉତ୍ତରରେ ବବିଲ ନମାରେ ଆଉ ଗୋଟିଏ ରାଜ୍ୟ ଅଛି । ଏହି ଉଭୟ ରାଜ୍ୟର ଅନେକ ଦିନର ବିବାଦ ବର୍ତ୍ତମାନ ଏକରୂପ ପ୍ରଶମିତ ହୋଇଅଛି । ୧୭୫୭ ଖ୍ରୀଷ୍ଟାବ୍ଦରେ ଭିଜିୟାନଗ୍ରାମ ସ୍ଥାପୟିତା ଭିଜିୟାରାମରାଜ ଫରାସିମାନଙ୍କ ସାହାଯ୍ୟରେ ସ୍ୱୀୟ ଶତ୍ରୁ ବବିଲିର ରାଜାଙ୍କୁ ନିହିତ କରି, ଦିନ ପରେ ବବିଲିର ଅନୁଚରଦ୍ୱୟଙ୍କ କର୍ତ୍ତ୍ୱକ ସ୍ୱୟଂ ହେଲେ ।

 

ବବିଲିରାଜ୍ୟର ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ ବେଶି । ରାଜା ଶ୍ରୀ ଭେଙ୍କଟେଶ୍ୱର ଚଳପତି ରଙ୍ଗରାଓ ବାହାଦୂର ଏହାର ଅଧିପତି । ବବିଲି ସହରର ଲେକାସଂଖ୍ୟା ୨୫ ହଜାର ।

 

ଅର୍ଦ୍ଧଘଣ୍ଟା ଉତ୍ତାରୁ ଗାଡ଼ୀ ପୁଣି ଚାଲିଲା । ବର୍ତ୍ତମାନ ସନ୍ଧ୍ୟା । ଆଜି ଶୁକ୍ଳପକ୍ଷୀୟା ନବମୀ, ସୁତରାଂ ଜ୍ୟୋସ୍ନାଲୋକ ପ୍ରତିଭାସିତ ଅସଂଖ୍ୟ ତାଳବୃକ୍ଷର ଶୋଭା ଅତି ହୃଦୟଗ୍ରାହୀ ହୋଇଥିଲା । କ୍ରମଶଃ ଆଲମଣ୍ଡା, କୋଟାଭଲ୍‌ସା, ବିମୁଲିମଟ୍ଟମ୍ ପ୍ରଭୃତି ୮ ।୧୦ ମାଇଲ ବ୍ୟବଧାନରେ ଷ୍ଟେସନମାନ ଅତିକ୍ରମ କରିବାକୁ ହେଲା ।

 

କୌମୁଦୀମୟୀ ରଜନୀର ଅନୁପମ ମାଧୁର୍ଯ୍ୟରେ ମୋହିତ ହୋଇ ରେଳଗାଡ଼ୀର ଉଭୟପାର୍ଶ୍ୱର ଦୃଶ୍ୟ ଦେଖୁଁ ଦେଖୁଁ ଚାଲିଲି । ଗାଡ଼ୀର ତୀବ୍ରଗତି, ପୁଣି ଦିବାଲୋକ ନ ଥିବାରୁ ଦୂରର ପଦାର୍ଥ ଦୃଷ୍ଟିଗୋଚର ହେଉ ନ ଥିଲା ସତ୍ୟ,–କିନ୍ତୁ ‘‘ପୌଢ଼ତାପିଚ୍ଛନୀଳ’’ ଦୁର୍ଭେଦ୍ୟ ଭୁଧରଶ୍ରେଣୀର କମନୀୟ ଶୋଭାରେ ନୟନ ପୁଲକିତ ହେଉଥିଲା । ବାସ୍ତବିକ ଚନ୍ଦ୍ରାଲୋକଧୌତ ଧରିତ୍ରୀଛବିର ପଟାନ୍ତର ନାହିଁ । ପ୍ରଚଣ୍ଡ ସୂର୍ଯ୍ୟକରୋତ୍ତପ୍ତା ମେଦିନୀ ଯେତେବେଳେ କୌମୁଦୀସ୍ରୋତରେ ପ୍ଲାବିତ ହୋଇଯାଏ,–ଗୃହ, ଦ୍ୱାର, ଜଳ, ସ୍ଥଳ, ତରୁ, ଲତା, ତୃଣ ପ୍ରଭୃତି ଯେତେବେଳେ ନୀରବରେ ସେହି ସୁଧାରସରେ ଅଭିଷିକ୍ତ ହୁଏ, ସେତେବେଳେ ପ୍ରକୃତିର କେଡ଼େ ହାସ୍ୟମୟୀ ମୂର୍ତ୍ତି !

 

ପୃଥିବୀର ପ୍ରାୟ ସମସ୍ତ ପଦାର୍ଥ ସମୟରେ ଆମ୍ଭମାନଙ୍କ ନିକଟରେ ପୁରାତନ ହୋଇଯାଏ । ଅଶୈଶବ ତରୁ, ଲତା, ପ୍ରାନ୍ତର, ମେଘ, ଜଳ, ପର୍ବତ ପ୍ରଭୃତି ଦେଖି ଦେଖି ଆମ୍ଭମାନଙ୍କ ହୃଦୟରେ ଆଉ ସେପରି ଆଗ୍ରହ ଜାତ ହୁଏ ନାହିଁ । ପ୍ରକୃତି ପ୍ରଶାନ୍ତଭାବରେ ଆମ୍ଭମାନଙ୍କ ଚକ୍ଷୁ ସମୟରେ ଅତ୍ୟାଶ୍ଚର୍ଯ୍ୟ କାଣ୍ଡ ସଂଘଟନ କରୁଅଛନ୍ତି, କିନ୍ତୁ ଆମ୍ଭେମାନେ ପ୍ରତିଦିନ ଅଭ୍ୟସ୍ତ ବୋଲି, ଏଥିରେ ଆଦୌ ବିସ୍ମୟ ବୋଧ ହୁଏ ନାହିଁ । ଟିକିଏ ଭାବି ଦେଖିଲେ ବିସ୍ମୟରେ ମନ ଅଭିଭୁତ ହୋଇଯାଏ ।

 

ଜୀବନ, କାର୍ଯ୍ୟକ୍ଷେତ୍ର, ଦୈନିକକର୍ମ, ଆଶା, ଆକାଂକ୍ଷା ପ୍ରଭୃତି କ୍ରମଶଃ ପୁରାତନ ବୋଲି ବୋଧ ହୁଏ । କିନ୍ତୁ ପ୍ରାକୃତିକ ଦୃଶ୍ୟ ମଧ୍ୟରେ ଦୁଇ ଏକ ଗୋଟି ଏପରି ପଦାର୍ଥ ଅଛି ଯାହା ମାନବଚକ୍ଷୁରେ ପ୍ରାୟ ପୁରାତନ ହୁଏ ନାହିଁ । ମନୁଷ୍ୟ ଯାହା ଆୟତ୍ତ କରି ପାରେ ଶୀଘ୍ର ତାହାର ନୂତନତ୍ୱ ଶେଷ ହୋଇଯାଏ । କିନ୍ତୁ ଯେଉଁଠାରେ ଆକାଙ୍କ୍ଷା ଅତୃପ୍ତ ସେଠରେ ‘‘ପୁରାତନତା’’ ର ପ୍ରବେଶ ନିଷେଧ । ବିଶେଷତଃ ସୁନ୍ଦର ବସ୍ତୁର ଆଦର ଏକାବେଳକେ ମନୁଷ୍ୟର ହୃଦୟରୁ ତିରୋହିତ ହୁଏ ନାହିଁ,–ମନୁଷ୍ୟ ସୌନ୍ଦର୍ଯ୍ୟର ଉପାସକ ।

 

ବର୍ତ୍ତମାନ ମନେ ହେଲା ଚନ୍ଦ୍ର ଏବଂ ଏହାର ଜ୍ୟୋତ୍ସ୍ନା କୌଣସି କାଳରେ ମନୁଷ୍ୟ ନିକଟରେ ପୁରାତନ ଅଥବା ବିରକ୍ତିର କାରଣ ହୋଇ ନାହିଁ । ବାକ୍ୟସ୍ଫୁର୍ତ୍ତି ଏବଂ ଅଙ୍ଗଚାଳନାର ଶକ୍ତି ନୋହିଥିବା ଦିନରୁ ସେହି ଗୋଟିଏ ଚନ୍ଦ୍ରକୁ ଯେ ଜୀବନର ସମସ୍ତ ପରିବର୍ତ୍ତନ ମଧ୍ୟରେ ଏତେକାଳ ଦେଖି ଆସିଲି, କାହିଁ ମୋହ ନିକଟରେ ତ ସେ ଚନ୍ଦ୍ର ପୁରାତନ ହେଲା ନାହିଁ ! ପୁରାତନ ହୋଇଥିଲେ ରେଲଗାଡ଼ୀର ଏହି ତୀବ୍ରଗତିସତ୍ତ୍ୱେ ମୋହର ଚକ୍ଷୁଦ୍ୱୟ କାହିଁକି ଅବା ଚନ୍ଦ୍ର ଉପରେ ନିର୍ନିମେଷରୂପେ ପତିତ ? ନିଶ୍ଚୟ ଚନ୍ଦ୍ରର ଗୋଟିଏ ମୋହିନୀଶକ୍ତି ଅଛି, ଯାହା ନିକଟରେ ମାନବହୃଦୟ ବିକ୍ରୀତ । କିଏ ଚନ୍ଦ୍ରକୁ ପୁରାତନ ମନେ କରି, ତାହା ଆଡ଼କୁ ଅନାଏ ନାହିଁ ? ଚନ୍ଦ୍ରର ପ୍ରହ୍ଲାଦନଜ୍ୟୋତିଃ ଆଖ୍ୟା ନିରର୍ଥକ ନୁହେ । କୋଜାଗରନିଶୀଥିନୀର ଶରତ୍‌ପ୍ରସନ୍ନ ଆକାଶରେ ଯେତେବେଳେ ପୂର୍ଣ୍ଣଚନ୍ଦ୍ର ଉଦିତ ହୁଏ, କେଉଁ କଠିଣହୃଦୟ ବ୍ୟକ୍ତି ତାହା ଥରେମାତ୍ର ଦର୍ଶନ କରି ଅପାର ଆନନ୍ଦ ସାଗରରେ ଭାସମାନ ନ ହୁଏ ? ଚନ୍ଦ୍ରର ସୌନ୍ଦର୍ଯ୍ୟ ଚିରକାଳ ସମଭାବରେ ରହିଅଛି, ପ୍ରକୃତିଙ୍କ ଏଡ଼େ ସୁନ୍ଦର ବେଶଭୁଷା କଦାପି ଜୀର୍ଣ୍ଣ ହେବାର ନୁହେ ।

 

ବିଧାତାଙ୍କ ବିଚିତ୍ର କୌଶଳରେ ଚନ୍ଦ୍ରର ନିଜସ୍ୱ କିଛି ନ ଥିଲେହେଁ, ତାହାଦ୍ୱାରା ପୃଥିବୀର କେତେ ଉପକାର ସାଧିତ ହେଉଅଛି । ଆମ୍ଭେମାନେ ପ୍ରକୃତିର ପିଣ୍ଡୀଭୁତ ହାସ୍ୟରାଶିସ୍ୱରୂପ ପ୍ରିୟଦର୍ଶନ ଚନ୍ଦ୍ରର ଯାହା କିଛି ଦେଖି ମୁଗ୍ଧ ହେଉଁ, ସମସ୍ତ ତାହାର ଋଣ,–ସୂର୍ଯ୍ୟଙ୍କ ନିକଟରୁ ମାଗି ଆଣିଅଛି । ସୂର୍ଯ୍ୟାଲୋକ ତିରୋହିତ ହେଲେ ଚନ୍ଦ୍ର ଗୋଟିଏ କୃଷ୍ଣବର୍ଣ୍ଣ କୁଶ୍ରୀ ଗ୍ରହମଣ୍ଡଳ ମାତ୍ର । ସୂର୍ଯ୍ୟର କିରଣ ଚନ୍ଦ୍ର ଉପରେ ପ୍ରତିଫଳିତ ହୋଇ ମଧୁର ସ୍ନିଗ୍ଧ ଜ୍ୟୋତ୍ସ୍ନା ସୃଷ୍ଟି କରିଅଛି । ମାର୍ତ୍ତଣ୍ଡଙ୍କ ପ୍ରଖର ରୌଦ୍ର ଚନ୍ଦ୍ରର ଗାତ୍ରରେ ପଡ଼ି ଶାନ୍ତିଦାୟିନୀ କୌମୁଦୀରୂପେ ପରିଣତ ହେଲା, ଗୁଣ କାହାର ? ଅପରପ୍ରଦତ୍ତ ପଦାର୍ଥର ଏପରି ସଦ୍‌ବ୍ୟବହାର କିଏ କରିପାରେ ? ଉଗ୍ରକୁ କୋମଳ, ତେଜୋଦୀପ୍ତକୁ ପ୍ରଶାନ୍ତ, ଉତ୍ତପ୍ତକୁ ସ୍ନିଗ୍ଧ କରି, ଏପରି ଭାବରେ ଜଗତର ଉପକାର କିଏ ସାଧିଥାଏ ?

 

ସୂର୍ଯ୍ୟାପେକ୍ଷା ଚନ୍ଦ୍ରରେ ଅଧିକ ବୈଚିତ୍ର ଅଛି । ସୂର୍ଯ୍ୟର ପ୍ରଖରମୂର୍ତ୍ତି ନୟନ ମନ ଆକର୍ଷଣ କରିପାରେ ନାହିଁ, କିନ୍ତୁ ଚନ୍ଦ୍ରର ପ୍ରତିକଳାରେ ସୌନ୍ଦର୍ଯ୍ୟ । ଯେପରି ମାନବ-ଶିଶୁ ଦେଖୁଁ ଦେଖୁଁ ପୂର୍ଣ୍ଣଯୌବନରେ କ୍ରମଶଃ ଉପନୀତ ହୁଏ, ସେହିପରି ଦ୍ୱିତୀୟାର ଜ୍ୟୋତିର୍ମୟୀ ରେଖାରୁ ଆରମ୍ଭ କରି ପ୍ରତିଦିନ ବୃଦ୍ଧି ପାଉଁ ପାଉଁ ଚନ୍ଦ୍ର କିପରି ପୂର୍ଣ୍ଣିମାର ମଧୁରିମା ଏବଂ ସୁଷମା ଧାରଣ କରେ । ଚନ୍ଦ୍ରର ହ୍ରାସବୃଦ୍ଧି, ଆବିର୍ଭାବ ଏବଂ ତିରୋଭାବ ଅଛି । ଚନ୍ଦ୍ର ସତେ ଯେମନ୍ତ ଆମ୍ଭମାନଙ୍କ ପ୍ରକୃତି ବୁଝିପାରେ । ଯେ ପଦାର୍ଥର ଅଭାବ ବୋଧ ହୁଏ ନାହିଁ, ତାହାର ସୌନ୍ଦର୍ଯ୍ୟ ଆମ୍ଭମାନଙ୍କ ମନକୁ ଲାଗେ ନାହିଁ, ଏବଂ ଆମ୍ଭେମାନେ ତାହାପାଇଁ ଆଦୌ ବ୍ୟାକୁଳ ହେଉ ନାହିଁ । ଯାହାର ଅଭାବ, ତାହାର ହିଁ ଆଦର, ପ୍ରିୟବସ୍ତୁ ଯେତିକି ଦୁଷ୍ପ୍ରାପ୍ୟ ହୁଏ, ସେତିକି ତାହାର ଆଦର ବୃଦ୍ଧି ପାଉଥାଏ । ବୋଧ ହୁଏ ଚନ୍ଦ୍ର ଏହି କଥା ବୁଝିପାରି ମାସର ରାତ୍ରି ଟିକିଏ ଟିକିଏ ଲୁଚୁଥାଏ । କୃଷ୍ଣପକ୍ଷର ରାତ୍ରିଗୁଡ଼ିକ କଟାଇଲାବେଳେ, ଟିକିଏ ଜ୍ୟୋତ୍ସ୍ନାଲୋକ ପାଇବା ସକାଶେ ଆମ୍ଭେମାନେ କେଡ଼େ ବ୍ୟଗ୍ର ହୋଇଥାଉଁ ! ରବିରଥାଶ୍ୱକ୍ଷୁରସ୍ଖଳିତ-ସବୁର୍ଣ୍ଣ-ଲାଲବତ୍‌ ଦ୍ୱିତୀୟା ଚନ୍ଦ୍ରର କ୍ଷୀଣରେଖା ପଶ୍ଚିମାକାଶ ପ୍ରାନ୍ତରେ ଦେଖି ଆମ୍ଭେମାନେ କେଡ଼େ ଉଲ୍ଲସିତ ହେଉଁ,–‘‘ଜହ୍ନରାତି’’ ଆସୁଅଛି ଭାବି ମନରେ କିପରି ଗୋଟିଏ ଆଶ୍ଚର୍ଯ୍ୟ ଆରାମ ଆସୁଥାଏ, ଏବଂ କେତେ ନୂତନ ଆଶା ଓ ସ୍ୱପ୍ନର ଛାୟା ଥରେ ଥରେ ମନ ଉପରେ ଚାଲିଯାଏ ।

 

ଏହିପରି ଭାବୁ ଭାବୁ ଗାଡ଼ୀ ସିମ୍‌ହଚିଲମ୍‌ଦେଇ ଭିଜିଗାପଟ୍ଟମ (ବିଶାଖାପଟ୍ଟନ) ଷ୍ଟେସନରେ ଆସି ପହଁଚିଲା । ଏହି ସହର ଦେଖିବାର ମୋହୁର ଅନେକ ଦିନର ସ୍ପୃହାସତ୍ତ୍ୱେ ଅଧିକ ରାତ୍ରି ହେତୁରୁ ଦେଖି ପାରିଲି ନାହିଁ । ସୀମ୍‌ହଚିଲମ୍ ଗୋଟିଏ ପ୍ରଧାନ ହିନ୍ଦୁତୀର୍ଥ । ଏଠାରେ ଅତିପୁରାତନ ମନ୍ଦିର ବିଦ୍ୟମାନ, ମାତ୍ର ଭାଗ୍ୟଦୋଷରୁ ସେଥିର ଦର୍ଶନସୁଖରୁ ମୁ ବଞ୍ଚିତ ହେଲି । ସାଧାରଣତଃ ଏହା ସୀମାଚଳ ନାମରେ ଅଭିହିତ । ମନେ ହେଲା ଫେରି ଆସିଲା ବେଳକୁ ଏହି ସବୁ ସ୍ଥାନରେ ଦିନ ହୋଇଥିଲେ ମଙ୍ଗଳ ।

 

ଏହା ପରେ ବାଲଟେୟାର । ଏ ଷ୍ଟେସନଟି ଏ ରେଲଓୟେ କୋମ୍ପାନିଙ୍କ (East Coast Railway Co.) ସଦା ମହକୁମା (Head Quarters) । ଏଠାରେ କୋମ୍ପାନିଙ୍କ ସମସ୍ତ କାର୍ଯ୍ୟର ଅଫିସ, ଏବଂ ରେଲଗାଡ଼ୀ ନିର୍ମାଣର ଗୋଟିଏ ବଡ଼ କାରଖାନା । ଗାଡ଼ୀର ବିଶ୍ରାମ ଏଠାରେ ଏକଘଣ୍ଟାସ୍ଥାୟୀ ହୋଇଥିଲା ।

 

ସାମଲ୍‌କୋଟ ନାମକ ଷ୍ଟେସନରୁ ଗୋଦାବରୀ ଜିଲ୍ଲା ଆରମ୍ଭ ହେଲା । ଏଠାରୁ ଏ ଜିଲ୍ଲାର ପ୍ରଧାନ ନଗର କାକନାଡ଼ାକୁ ଗୋଟିଏ ଶାଖାରେଲମାର୍ଗ ଯାଇଅଛି । କାକନାଡ଼ା ସହରଟି ସମୁଦ୍ରକୂଳରେ ଅବସ୍ଥିତ, ଏବଂ ଗୋଟିଏ ପ୍ରସିଦ୍ଧ ବାଣିଜ୍ୟସ୍ଥଳୀ । ଏହାର ଲୋକସଂଖ୍ୟା ୪୦୫୫୩ । ଗୋଦାବରୀ ଜିଲ୍ଲାର ପରିମାଣ ଫଳ ୭୮୫୭, ବର୍ଗମାଇଲ ଲୋକସଂଖ୍ୟା ୨୦୭୮୭୮୨, ଏବଂ ଗ୍ରାମସଂଖ୍ୟା ୨୬୧୨ ।

 

ଇତିପୂର୍ବେ ଆମ୍ଭେମାନେ ଗାଡ଼ୀରେ ଜଳଖିଆଦ୍ୱାରା ଉଦର ପୂରଣ କରିଥିଲୁଁ । ରାତ୍ରି ବର୍ତ୍ତମାନ ୧୨ଟା; ସୁତରାଂ ଦିବସର ସମସ୍ତ କ୍ଲାନ୍ତସଂହୁନ୍ତ୍ରୀତନ୍ଦ୍ରାଦେବୀଙ୍କ ଅତି ଶୀଘ୍ର ସାକ୍ଷାତ୍ ମିଳିଲା । କ୍ରମଶଃ ତନ୍ଦ୍ରା ଘୋର ନିଦ୍ରାରେ ପରିଣତ ହେଲା ।

 

୩୦-୦୭-୯୫-ମଙ୍ଗଳବାର–‘‘କେ-ଡିଏମ୍,–କେ-ଡି-ଏମ୍, –କେ-ଡି-ଏମ୍ ।’’ ଏହି ତୀବ୍ରଶଦ୍ଦ କର୍ଣ୍ଣକୁହରରେ ପଶିଲା କ୍ଷଣି ନିଦ୍ରା ଭାଙ୍ଗିଲା । ଉଠି ଦେଖିଲି ରାତି ପ୍ରାୟ ଶେଷ, ଏବଂ କେଡିଏମ୍ ନାମକ ଷ୍ଟେସନରେ ଗାଡ଼ୀ ଉପସ୍ଥିତ । ଏହାର ଠିକ୍ ପର ଷ୍ଟେସନ ରାଜମାହେନ୍ଦ୍ରୀ, କିନ୍ତୁ ଆମ୍ଭମାନଙ୍କୁ ‘‘ଉତ୍ତର ଗୋଦାବରୀ’’ Godavari north ଷ୍ଟେସନରେ ଅବତରଣ କରିବାକୁ ହେବ । କାରଣ ଏହି ଷ୍ଟେସନରୁ ରାଜମାହେନ୍ଦ୍ରୀ ସହର ଅତି ନିକଟ । ସୁତରାଂ ଆଉ ଦୁଇଗୋଟି ଷ୍ଟେସନର ବ୍ୟବଧାନ ଅଛି ମନେ କରି କିଞ୍ଚିତ୍ ନିଶ୍ଚିନ୍ତ ରହିଲି ।

 

ବର୍ତ୍ତମାନ ଉଷା । ଅତି ନୀରବରେ ମୁମୁର୍ଷୁ ନୈଶ ଅନ୍ଧକାର ଅପସୃତ ହେଉଅଛି;–ଆକାଶର ହୀରକଦୀପଗୁଡ଼ିକ ଜ୍ୟୋତିର୍ହୀନ ହୋଇ ଧୀରେ ଧୀରେ ନିଙ୍କାପିତ ହେଉଅଛି । ବିମଳ ଉଷାଙ୍କ ପ୍ରଭା, ପ୍ରଶସ୍ତ, ପ୍ରଶାନ୍ତ ନୀଳାକାଶରେ ବର୍ତ୍ତମାନ ବ୍ୟାପ୍ତ ।

 

ଆଲୋକ ସହିତ ଜୀବନ ଏବଂ କାର୍ଯ୍ୟର ସମ୍ବନ୍ଧ–ଅନ୍ଧକାର ମୃତ ଏବଂ ବିଶ୍ରାମର ଚିହ୍ନ । ସମସ୍ତ ରାତ୍ରର ଅନ୍ଧକାର ପରେ ଯେବେ ନବରବିର ପ୍ରାଣପୂର୍ଣ୍ଣ ଜ୍ୟୋତି ପ୍ରକାଶିତ ନ ହୁଅନ୍ତି, ତାହାହେଲେ ନିଦ୍ରିତ ପ୍ରାଣି-ଜଗତ ନିଶାନ୍ତର ନବତେଜରେ ସହସା ଜାଗ୍ରତ ହୋଇ ଉଠନ୍ତା କି ? ଉଷା ଜାଗ୍ରତ-ଜୀବନର ଦୂତୀ ।

 

ଉଷାର ନବୀନ ଆଲୋକଚ୍ଛଟାରେ କିପରି ଗୋଟିଏ ଜୀବନ୍ତ ଉତ୍ସାହ ମିଶ୍ରିତ ଥାଏ ଯେ, ଯାହାର ଶରୀର ସ୍ପର୍ଶ କରେ, ତାହାକୁ ଆଶା ଏବଂ ଉତ୍ସାହରେ ଅନୁପ୍ରାଣିତ କରିଦିଏ । ଗୋଦାବରୀ ପ୍ରଦେଶର ଅରଣ୍ୟ ଭୀମକାୟ ତାଳବୃକ୍ଷରାଜି ନବୋଦିତ ତରୁଣ ଅରୁଣର କନକ-କିରଣରେ ସ୍ୱର୍ଣ୍ଣାଭରୂପେ ପ୍ରତିଭାତ, ଏବଂ ଅସଂଖ୍ୟ ସୁକଣ୍ଠ ପକ୍ଷିକାକଳୀରେ ଝଂକାରିତ ହେଲା ।

 

ଦେଖୁଁ ଦେଖୁଁ ରାଜମାହେନ୍ଦ୍ରୀ ଷ୍ଟେସନରେ ଉପସ୍ଥିତ । ଆଉ ଏକ ମାଇଲ ପରେ ଗୋଦାବରୀ । ହିନ୍ଦୁପକ୍ଷରେ ଏହି ‘ଗୋଦାବରୀ’ ଶଦ୍ଦ କେତେ ପବିତ୍ର ଅନୁସୃତିର ଉଦ୍‌ବୋଧକ ! ହୃଦୟ ଆନନ୍ଦରେ ଉତ୍‌ଫୁଲ୍ଲ ହେଲା,–ଆଜି ଜୀବନର ଗୋଟିଏ ସୁପ୍ରଭାତ ।

 

ଚାରିମିନିଟ ପରେ ନୟନ ପରିତୃପ୍ତ ହେଲା,–ସମ୍ମୁଖରେ ଗଦ୍ଗଦନାଦିନୀ ଗୋଦାବରୀ । ଏଠାରେ ଗୋଦାବରୀ ପ୍ରାୟ ୪ ମାଇଲ ପ୍ରଶସ୍ତ । ଆଜିକାଲି ଗୋଦାବରୀର ସମ୍ପଦର ଦିନ,–ଭୀଷଣ ବନ୍ୟାପ୍ରବାହ ।

 

‘‘ଉତ୍ତର ଗୋଦାବରୀ’’ ଷ୍ଟେସନରେ ଗାଡ଼ୀ ରହିଲା । ଏହା ଉପରେ ସେତୁ ହୋଇ ନାହିଁ, ଏହି ସକାଶେ ଷ୍ଟିମାରଦ୍ୱାରା ଗୋଦାବରୀର ଅପରପାର୍ଶ୍ୱକୁ ଯାଇ ‘‘ଦକ୍ଷିଣଗୋଦାବରୀ’’ (Godavari south) ନାମକ ଷ୍ଟେସନରେ ଉପସ୍ଥିତ ହେବାକୁ ହୁଏ । କଲିକତାରୁ ଦାରଜିଲିଂ ଗଲେ ପଦ୍ମାନଦୀ ଏହିପରି ପାରି ହେବାକୁ ହୁଏ । ପଦ୍ମା ଉପରେ ମଧ୍ୟ ସେତୁ ନିର୍ମିତ ହୋଇ ନାହିଁ, ସୁତରାଂ ଷ୍ଟିମାରରେ ପାରି ହେବାକୁ ହୁଏ, ଏବଂ ନଦୀର ଉଭୟପାର୍ଶ୍ୱରେ ‘‘ଦାମୁକୁଦିଆ ଘାଟ’’, ଏବଂ ‘‘ସାରାଘାଟ’’ ନାମକ ଷ୍ଟେସନଦ୍ୱୟ ଅଛି ।

 

‘‘ଉତ୍ତରଗୋଦାବରୀ’’ ଷ୍ଟେସନରେ ଗାଡ଼ୀ ରହିଲାମାତ୍ରେ ଅଦୂରରେ ଷ୍ଟିମାରର ପାଞ୍ଚଜନ୍ୟପ୍ରତିମ ଶଙ୍ଖଶଦ୍ଦ ମାନ୍ଦ୍ରାଜାଭିମୁଖୀନ ଯାତ୍ରିମାନଙ୍କୁ ଆହ୍ୱାନ କଲା । ଆମ୍ଭେମାନେ ଏହି ସହରରେ ଅବସ୍ଥାନ କରିବୁଁ; ସୁତରାଂ ଶଙ୍ଖଧ୍ୱନିଆଡ଼କୁ ମନ ନ ଦେଇ ଗାଡ଼ୀରୁ ଅବତରଣ କଲୁଁ । ଏ ସ୍ଥାନଟି କଟକରୁ ୪୦୭ ମାଇଲ ଦୂରରେ ଅବସ୍ଥିତ ।

 

ଭଡ଼ାରେ ଏ ପ୍ରେସିଡେନ୍ସିର କୌଣସି ସହରରେ ବଗି ଗାଡ଼ୀ ପ୍ରାୟ ମିଳେ ନାହିଁ । ‘‘ବଣ୍ଡି’’ ଏବଂ ‘‘ଜଟକା’’ ନାମକ ଭିନ୍ନ ଭିନ୍ନ ପ୍ରକାରର ଗାଡ଼ୀ ଦେଖାଯାଏ । ଗାଡ଼ୀଗୁଡ଼ିକ ଅତି କଦର୍ଯ୍ୟ ଏବଂ କ୍ଷୁଦ୍ରପରିସରବିଶିଷ୍ଟ । ଏ ଗାଡ଼ୀରେ ବସିଲେ ଶରୀରର ଏକ ଅନନୁଭୁତପୂର୍ବ ଆନ୍ଦୋଳନ ଉପସ୍ଥିତ ହୁଏ, ସୁତରାଂ ଖାଦ୍ୟପଦାର୍ଥର ପରିପାକ ବିଷୟରେ ଏହା ଯେ କିପରି ସାହାଯ୍ୟ କରେ ତାହା ଅତି ସହଜରେ ଅନୁମେୟ । ଗୋଟିଏ ଗୋଟିଏ ଗାଡ଼ୀ ଦେହର ଗୋଟିଏ ଗୋଟିଏ ହେମାମଦିସ୍ତା ।

 

ଆମ୍ଭେମାନେ ଅଚିରାତ୍ ଏହି ଶ୍ରେଣୀର ଖଣ୍ଡିଏ ଗାଡ଼ୀ ନିଯୁକ୍ତ କଲୁଁ । ଇତିପୂର୍ବେ ବ୍ରହ୍ମପୁରରେ ପରମାନନୀୟ ବିପ୍ରବାବୁ, ଏଠା ଟ୍ରେନିଂ କଲେଜର ଭାଇସପ୍ରିନ୍ସପାଲ୍‌ଶ୍ରୀଯୁକ୍ତ ଟି, ଭି, ସୁଦ୍ଦାରାଓ ମହୋଦୟଙ୍କ ନିକଟକୁ ପତ୍ର ଲେଖିଥିଲେ, ଏବଂ ବ୍ରହ୍ମପୁରନିବାସୀ ମୋହର ଅନ୍ୟତମ ବନ୍ଧୁ ଶ୍ରୀଯୁକ୍ତ ଏସ୍, ରାମମୂର୍ତ୍ତି ମଧ୍ୟ ଏଠା କଲେଜର ବି, ଏ, କ୍ଲାସର ଛାତ୍ର ଶ୍ରୀଯୁକ୍ତ ବାବୁ ହରିହର ପଣ୍ଡାଙ୍କ ନିକଟକୁ ସମ୍ବାଦ ଦେଇଥିଲେ । ଅଗତ୍ୟା ଆମ୍ଭେମାନେ ଏପରି ଅପରିଚିତ ରାଜ୍ୟରେ ଏହି ରାଜମାହେନ୍ଦ୍ରୀ ସହରର ଇନିମ୍‌ପେଟା ନାମକ ଅଂଶରେ ଅବସ୍ଥିତ କଲେଜ ନିକଟକୁ ଗଲୁଁ । କଲେଜର ବୋର୍ଡରେ ଅନୁସନ୍ଧାନ କଲା ମାତ୍ରେ ଆମ୍ଭେମାନେ ହରିହର ବାବୁଙ୍କୁ ପାଇ ପରମାପ୍ୟାୟିତ ହେଲୁଁ ଏବଂ ତାହାଙ୍କ ଆତିଥ୍ୟ ସ୍ୱୀକାର କଲୁଁ ।

 

ହରିହର ବାବୁ ଘୁମସରାନ୍ତର୍ଗତ ରସୁଲକୋଣ୍ଡା * ନିବାସୀ । ଏ ବସାରେ ମଧ୍ୟ ତାହାଙ୍କ ଖୁଡୁତାପୁଅ ଭାଇ ଶ୍ରୀଯୁକ୍ତ ବାବୁ ଶ୍ରୀବତ୍ସ ପଣ୍ଡାଙ୍କୁ ଦେଖିଲି । ଏମାନେ ଏକରୂପ ସମବୟସ୍କ ଏବଂ ସହପାଠୀ । ପାରଳାଖିମିଡି ନିବାସୀ ଶ୍ରୀଯୁକ୍ତ ବାବୁ ହୃଦୟାନନ୍ଦ ପାଢ଼ୀ କଲେଜର ଏଫ, ଏ, କ୍ଲାସରେ ପଢ଼ନ୍ତି । ଏ ତିନି ବନ୍ଧୁଙ୍କୁ ଅପଚିଜ୍ଞାତ ତୈଲଙ୍ଗ ରାଜ୍ୟରେ ଏକତ୍ର ଅବସ୍ଥିତ ଦେଖି ବଡ଼ ସୁଖୀ ହେଲି । ଏମାନେ ମଧ୍ୟ ଅତି ଯତ୍ନ ସହକାରେ ଆମ୍ଭମାନଙ୍କର ସମାଦର କରିଥିଲେ ।

 

* କେହି କେହି କହନ୍ତି ଯେ ରସେଲ ନାମକ ଜଣେ ଇଂରେଜର ନାମରୁ ରସୁଲ-କୋଣ୍ଡା ହୋଇଛି । ଏ ବ୍ୟାଖ୍ୟ ସମୀଚୀନ ବୋଧ ହେଉ ନାହିଁ । ରସୁଲକୋଣ୍ଡା ସମ୍ଭବତଃ ଚୈତନ୍ୟଚରିତାମୃତ ଲିଖିତ ‘‘ରସାଳକୁଣ୍ଡ’’ର ଅପଭ୍ରଂଶ ।

 

ଆଜି ମୋହର ସର୍ବପ୍ରଧାନ କାର୍ଯ୍ୟ,–ଗୋଦାବରୀରେ ସ୍ନାନ କରି ଆତ୍ମାର ପରିତୃପ୍ତି ସାଧନ । ଗୋଦାବରୀ ଆଜିକାଲି ଅତ୍ୟନ୍ତ ସ୍ଫୀତ; ସୁତରାଂ ଜଳ, ଅବିଳ ଏବଂ ପଙ୍କିଳ । ଘାଟ ମଧ୍ୟ ନିତାନ୍ତ ଅପରିଷ୍କାର ଏବଂ କର୍ଦ୍ଦମାକ୍ତ ।

 

ଏଠାରେ ଗୋଟିଏ କଥା ବିଶେଷ ଉଲ୍ଲେଖଯୋଗ୍ୟ–ପଣ୍ଡାମାନଙ୍କ ଅତ୍ୟାଚାର । ୩ ।୪ ଜଣ ତୈଲଙ୍ଗ ପଣ୍ଡା ଆମ୍ଭମାନଙ୍କୁ ଅତ୍ୟନ୍ତ ବିରକ୍ତ କରିଥିଲେ । ହିନ୍ଦୁତୀର୍ଥ ମାତ୍ରେହିଁ ଏହିପରି । ଏଠାରେ ପୁଣି ଆଉ ଗୋଟିଏ ରହସ୍ୟ ଅଛି । ତୈଲଙ୍ଗଭାଷାରେ ଆମ୍ଭେମାନେ ସମ୍ପୂର୍ଣ୍ଣ ଅନଭିଜ୍ଞ, ସୁତରାଂ ସେମାନଙ୍କ ଭାଷା ଅତ୍ୟନ୍ତ କୌତୁକାହେ ହୋଇଥିଲା । ଗୋଦାବରୀର ଘାଟଟି ଅତିଶୟ କର୍ଦ୍ଦମାକ୍ତ ଥିବାରୁ ଏମାନେ ଆମ୍ଭମାନଙ୍କ ସତର୍କତା ସକାଶେ ପୁନଃ ପୁନଃ ‘‘ବାଡି’’, ‘‘ବାଡ଼ି’’ କହୁଥାଆନ୍ତି । ଆମ୍ଭମାନଙ୍କ ଏହାର ଅର୍ଥଗ୍ରହଣ କରିବାର କ୍ଷମତା ଆଦୈ ନାହିଁ, କାରଣ ଆମ୍ଭମାନଙ୍କ ଦେଶରେ ବାଡି ଶଦ୍ଦର ଅର୍ଥ ‘‘ଯଷ୍ଟି’’ । କାଦୁଅକୁ ଏମାନେ ‘‘ବାଡି’’ କହନ୍ତି । ଆମ୍ଭମାନଙ୍କ ଦେଶରେ ଲୋକପ୍ରବାଦ ଅଛି ।–

 

‘‘ଦେବତା ଲୋକଙ୍କ ଭାଷା;

ତମେ ଯାହାକୁ କହ ଗାଈ ବଳଦ,ଆମେ ତାହୁ କହୁଁ କଂସା ।’’

 

ଏହିଠାରେ ଆମ୍ଭମାନଙ୍କ ଏହିପ୍ରକାର ଦୁର୍ଦ୍ଦଶା ହୋଇଥିଲା । ଏହା ଅବଶ୍ୟ ନୂତନ କଥା ନୁହେ । ଓଡ଼ିଶାବାସିମାନେ ପଶ୍ଚିମାଞ୍ଚଳରୁ ଯାଇ ସେ ଦେଶ ପ୍ରଚଳିତ ‘‘ଛେନା’’ (ଘସି) ଶଦ୍ଦଦ୍ୱାରା ଏବଂ ବଙ୍ଗୀୟ ଯାତ୍ରିମାନେ ଓଡ଼ିଶାରେ ‘‘ମାଲପା’’ (ତେଲ) ଶଦ୍ଦଦ୍ୱାରା ଏହିପରି ପ୍ରତାରିତ ହୋଇଥିବାର କଥା ଅନେକଥର ଶୁଣା ଯାଇଅଛି ।

 

କିନ୍ତୁ ବିରକ୍ତିସତ୍ତ୍ୱେ, ଗୋଟିଏ ବିଷୟରେ ମୋହର ପ୍ରଭୂତ ଆନନ୍ଦ ଜାତ ହୋଇଥିଲା । ଏମାନଙ୍କର ସଂସ୍କୃତ ଉଚ୍ଚାରଣକୁ କେହି ପ୍ରଶଂସା ନ କରି ରହି ପାରିବ ନାହିଁ । ମୋହର ବୋଧ ହୁଏ, ଦାକ୍ଷିଣାତ୍ୟ ଲୋକମାନଙ୍କ ସଂସ୍କୃତ ଉଚ୍ଚାରଣ ପରି ବିଶୁଦ୍ଧ ଉଚ୍ଚାର ଭାରତବର୍ଷର ଅନ୍ୟ କୌଣସି ଅଂଶରେ ଦୃଷ୍ଟ ହୁଏ ନାହିଁ । ଛନ୍ଦୋନୁରୂପ ରାଗିଣୀରେ ସଂସ୍କୃତ ଶ୍ଳୋକ ଗାୟନ, ଦାକ୍ଷିଣାତ୍ୟର ସୃଷ୍ଟି । ବଙ୍ଗଦେଶର ସଂସ୍କୃତ ଉଚ୍ଚାରଣ ବିଶୁଦ୍ଧ ନୁହେ, ବରଂ ଓଡ଼ିଶାରେ ଏ ସମ୍ବନ୍ଧରେ କିୟତ୍‌ପରିମାଣରେ ଉତ୍କର୍ଷ ଲକ୍ଷିତ ହୁଏ ।

 

ଆହାର ସମାପନାନ୍ତେ ଆମ୍ଭେମାନେ ଟିକିଏ ବିଶ୍ରାମ କରି ପରମମାନନୀୟ ଶ୍ରୀଯୁକ୍ତ ଟି. ଭି. ସୁଦ୍ଦାରାଓଙ୍କ ନିକଟକୁ ସମ୍ବାଦ ଦେଲୁଁ । ସେତେବେଳେ ସେ କଲେଜକାର୍ଯ୍ୟରେ ବ୍ୟସ୍ତ ଥିଲେ, ତଥାପି ସନ୍ଧ୍ୟାସମୟରେ ତାହାଙ୍କ ସାକ୍ଷାତ୍ ଲାଭ ହେବ, ଏହି କଥା କହି ପଠାଇଲେ । ବସାରେ ନିଷ୍କର୍ମ ହୋଇ ଏକାକୀ ବସି ରହିବା ଅନୁଚିତ, ଏହି କଥା ମନେ କରି ସହର ଦେଖିବାକୁ ଗଲି ।

 

ରାଜମହେନ୍ଦ୍ରୀ ଅତି ସୁନ୍ଦର ଏବଂ ବୃହତ୍ ସହର । ଲୋକସଂଖ୍ୟା ପ୍ରାୟ ୪୦୦୦୦ । ଏହାର ସର୍ବପ୍ରଧାନ ରାଜପଥର ଉଭୟପାର୍ଶ୍ୱରେ ପ୍ରେସିଡେନ୍ସିର ଅନ୍ୟାନ୍ୟ ସହର ପରି ବୃକ୍ଷରାଜି ଶ୍ରେଣୀବଦ୍ଧରୂପେ ଆରୋପିତ । ଏଠାରେ ୧ମ ଶ୍ରେଣୀର କଲେଜ, କଚେରୀ, ଡାକ୍ତରଖାନା, ଟେଲିଗ୍ରାଫ ଅଫିସ ପ୍ରଭୃତି ସହରର ପ୍ରତ୍ୟେକ ଉପାଦାନ ବିଦ୍ୟମାନ । ଏତଦ୍‌ବ୍ୟତୀତ କେତେଗୁଡ଼ିଏ କଳର କାରଖାନା ଅଛି । ଏଠାର ସେଣ୍ଟ୍ରାଲ ଜେଲଖାନା ପ୍ରକୃତ ଦର୍ଶନୀୟ ପଦାର୍ଥ । ଏଠାରେ ଅତି ସୁନ୍ଦର ଲୁଗା ପ୍ରସ୍ତୁତ ହେଉଥିବାର ଦେଖିଲି ।

 

ସୂର୍ଯ୍ୟାସ୍ତର କିଞ୍ଚିତ୍‌ପୂର୍ବେ ହୃଦୟାନନ୍ଦବାବୁଙ୍କ ସହିତ ଶ୍ରୀଯୁକ୍ତ ଟି. ଭି. ସୁଦ୍ଦାରାଓଙ୍କ ଗୃହକୁ ଗଲି । ସାକ୍ଷାତ୍ ହେଲା ମାତ୍ରେ ମଧୁର ସମ୍ଭାଷଣ ! କଥୋପକଥନ ଅବଶ୍ୟ ଇଂରାଜୀରେ । ଏହିପରି କଥାବାର୍ତ୍ତା ପ୍ରାୟ ଦୁଇଘଣ୍ଟା ସ୍ଥାୟୀ ହୋଇଥିଲା । ରାଜନୈତିକ, ସାମାଜିକ, ଧର୍ମବିଷୟକ ସମସ୍ତ ପ୍ରକାରର କଥା ହୋଇଥିଲା । ସେ ଯାହା ହେଉ ମୋହର ଜୀବନରେ ସୁଦ୍ଦାରାଓଙ୍କ ପରି ସାରଲ୍ୟର ଆଦର୍ଶ ଏହି ପ୍ରଥମ ଦେଖିଲି । ଟ୍ରେନିଂ କଲେଜର ଭାଇସ ପ୍ରିନ୍ସପଲ୍‌ ଅଥଚ ପରିଧାନରେ ଚାରିଅଣା ମୂଲ୍ୟରେ ଖଣ୍ଡିଏ ଗାମୁଛା । କେବଳ ଏତିକି ନୁହେ, ଲୋକଟି ଅସୀମ ବିଦ୍ୱାନ ! ତାହାଙ୍କ ସହିତ ଅର୍ଦ୍ଧଘଣ୍ଟା କଥା କହିଲେ, ତାହାଙ୍କର ମହତ୍ତ୍ୱ, ଏବଂ ବିଦ୍ୟାବତ୍ତାର ବିଶେଷ ପରିଚୟ ମିଳିବ ।

 

ସୁଦ୍ଦାରାଓଙ୍କର ପରିଚ୍ଛଦ ଦେଖି ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ କଥା ସ୍ମରଣ ହେଲା । ‘‘ଅପଟୀ କୋଽପି ଶୋଭତେ’’ ଏକଥା କେବଳ ଏହିପରି ବଡ଼ଲୋକମାନଙ୍କ ସମ୍ବନ୍ଧରେ ପ୍ରଯୋଜ୍ୟ । ଆମ୍ଭମାନଙ୍କ ପରି ସାଧାରଣ ଲୋକଙ୍କର ଏଭଳି ଅତିରିକ୍ତ ସାରଲ୍ୟ ଅବଶ୍ୟ ଅନୁକରଣୀୟ ନୁହେ । ବଡ଼ଲୋକମାନଙ୍କର ଗୁଣ ଦୃଷ୍ଟିରେ ସମାଜ ସେମାନଙ୍କର କ୍ଷୁଦ୍ର କ୍ଷୁଦ୍ର ତ୍ରୁଟୀ କ୍ଷମା କରେ । ସାଧାରଣ ଲୋକଙ୍କ ପକ୍ଷରେ ଆଡ଼ମ୍ବର ଯେପରି ଦୁଷଣୀୟ, ପ୍ରଚଳିତ ପରିଚ୍ଛଦ ପ୍ରଥା ଲଙ୍ଘନ ମଧ୍ୟ ସେହିପରି ଦୁଷଣୀୟ ।

 

ରାଓ ମହୋଦୟ ଆଗାମୀ କଲ୍ୟ ମୋତେ ଗୋଦାବରୀର Anicut ଏବଂ ଧବଳେଶ୍ୱର (ମହାଦେବଙ୍କ ମନ୍ଦିର ଏବଂ କ୍ଷୁଦ୍ର ସହର) ଦେଖି ଯିବାକୁ ପରାମର୍ଶ ଦେଲେ । ଧବଳେଶ୍ୱର ଏବଂ Anicut ଏଠାରୁ ତିନି ମାଇଲ, ଏବଂ ଉପଯୁକ୍ତ ସଡ଼କ ମଧ୍ୟ ଅଛି ।

 

କିଛିକ୍ଷଣ ଉତ୍ତାରୁ ସାନ୍ଧ୍ୟକାଶରେ ଗଭୀର ମେଘାଡ଼ମ୍ବର ଦେଖି ବସାକୁ ଫେରି ଆସିଲି । ବର୍ତ୍ତମାନ ରାତ୍ରି ୭ ଘଟିକା । କିୟତ୍‌କ୍ଷଣ ଉତ୍ତାରୁ ବୃଷ୍ଟି ସହିତ ବାତ୍ୟା ଆରମ୍ଭ ହେଲା । ମଧ୍ୟେ ମଧ୍ୟେ କ୍ଷଣପ୍ରଭାର ପ୍ରଦୀପ୍ତଚ୍ଛଟା ଗବାକ୍ଷମାର୍ଗରେ ଆମ୍ଭମାନଙ୍କ ଶୟନକକ୍ଷରେ ପ୍ରବେଶପୂର୍ବକ ଗୃହସ୍ଥିତ Hinks ଲଣ୍ଠନର କ୍ଷୀଣାଲୋକକୁ ଯେପରି କି ଉପହାସ କରିବାକୁ ଆରମ୍ଭ କଲା–ପୁଣି ସେହି ତୀବ୍ର ପ୍ରଭାର ଅନ୍ତର୍ଦ୍ଧାନରେ ନିଖିଳ ଜଗତକୁ ଅସୁଚିଭେଦ୍ୟ ଅନ୍ଧକାରର ଗଭୀର ଗର୍ଭରେ ଥରେ ଥରେ ବୁଡ଼ାଇ ଦେଉଥିଲା । ମୁହୁର୍ମୁହୁ ବଜ୍ରପତନର ଭୀମନାଦ ସମଗ୍ର ରାଜମହେନ୍ଦ୍ରୀ ସହରକୁ କମ୍ପିତ କରୁଥିଲା । ଏହି କ୍ଷଣଭଙ୍ଗୁର ସଂସାରରେ ଏପରି ସମୟରେ ଦୂରପ୍ରବାସିଙ୍କର ଗୃହକଥା ଏବଂ ଆତ୍ମୀୟବର୍ଗଙ୍କର କଥା ସ୍ମରଣ କରି ହୃଦୟ ସ୍ୱଭାବତଃ ପର୍ଯ୍ୟୁତ୍ସୁକ ହୁଏ । ଆମ୍ଭମାନଙ୍କର ମଧ୍ୟ ଏହି ଦଶା ହୋଇଥିଲା ।

 

ରାତି ଘ୧୧ଣ୍ଟା ପର୍ଯ୍ୟନ୍ତ ହରିହର ବାବୁ ପ୍ରଭୃତିଙ୍କ ସହିତ ନାନା ପ୍ରସଙ୍ଗର ଆଲୋଚନା ହେଲା । ପରେ ଭୋଜନାନ୍ତେ ନିଦ୍ରା ।

 

୩୧-୭-୯୫-ବୁଧବାର–ଆଜି ଅତି ସୁନ୍ଦର ପ୍ରଭାତ । ମେଘର ଚିହ୍ନ ମାତ୍ର ନାହିଁ, ଗତ କାଲିର ବୃଷ୍ଟିରେ ଗୋଦାବରୀର ତଟବେଶ ଧୌତ, ଏବଂ ପରିସ୍କୃତ । ବର୍ଷା ପରେ ବୃକ୍ଷ, ଅରଣ୍ୟ ଏବଂ ପର୍ବତର ଦୃଶ୍ୟ କେଡ଼େ ପ୍ରଫୁଲ୍ଲ ଏବଂ ମନୋହର ହୁଏ ।

 

ପ୍ରତ୍ୟୁଷରେ ଗୋଦାବରୀରେ ସ୍ନାନ କଲି । ଘାଟରେ ଠିଆ ହୋଇଥିବା ସମୟରେ ‘‘ଉତ୍ତରଗୋଦାବରୀ’’କୁ ରେଲଗାଡ଼ୀ ଆସିଲା । ଗତ କାଲି ଆମ୍ଭମାନଙ୍କ ପରି ଅନେକଲୋକ ଏଠାରେ ଅବତରଣ କଲେ, ଏବଂ ନିୟମିତ ସମୟରେ ଷ୍ଟିମାରର ଶଙ୍ଖଧ୍ୱନି ହେଲା ।

 

ଆହାରାଦି କରି, ମୋହର ଭୃତ୍ୟଦ୍ୱୟ ସହିତ ଗୋଟିଏ ଘୋଡ଼ା ଲାଗିଥିବା ‘‘ଜଟ୍‌କା’’ରେ ଗୋଦାବରୀ Anicut ଦେଖିବାକୁ ବାହାରିଲି । ହୃଦୟାନନ୍ଦ ବାବୁ ମଧ୍ୟ ଅନୁଗ୍ରହ କରି ଆମ୍ଭମାନଙ୍କ ସହଗାମୀ ହୋଇଥିଲେ । ବାଟରେ ନାନା ବିଷୟର କଥୋପକଥନ ହେଲା,–ଏହାଙ୍କ ହୃଦୟ ସରଳ ଏବଂ ସ୍ନେହପୂର୍ଣ୍ଣ । ହୃଦୟାନନ୍ଦ ଯଥାର୍ଥନାମା ହୃଦୟାନନ୍ଦ ।

 

ମାର୍ଗର ଦୁଇ ସ୍ଥାନରେ ଦିଓଟି Watershed* (ଜଳଛତ୍ର) ଦେଖିଲି । ଏ ସବୁ ଧନିମାନଙ୍କ କୀର୍ତ୍ତି । ବହୁଦୂରରୁ ବିଶୁଦ୍ଧକାଳ ଅନୀତ ହୋଇ ପିପାସାକ୍ଲାନ୍ତ ପାନ୍ଥମାନଙ୍କୁ ଅକାତରେ ପ୍ରଦତ୍ତ ହୁଏ, ଏବଂ ଶାନ୍ତି ଅପନୋଦନ ସକାଶେ ଏଥିରେ ଗୋଟିଏ ଲେଖାଏଁ ବଡ଼ ବଡ଼ ଘର ଅଛି । ଏ ପ୍ରେସିଡେନ୍ସିର ଧନିମାନେ ଏହିପରି କୀର୍ତ୍ତିରେ ଟଙ୍କା ବ୍ୟୟ କରିବାକୁ କଦାପି କୁଣ୍ଠିତ ନୁହନ୍ତି । ଦାନ ବିଷୟରେ ଏମାନେ ଇଉରୋପୀୟମାନଙ୍କର ତୁଷ୍ଟି କିମ୍ବା ସଂବାଦପତ୍ରର ତକ୍କାର ଅପେକ୍ଷା ରଖନ୍ତି ନାହିଁ । ପ୍ରାଚୀନ ସାତ୍ୱିକଦାନପ୍ରଣାଳୀ ଅବଧି ଏ ଦେଶରୁ ତିରୋହିତ ହୋଇ ନାହିଁ ।

 

* ଏହା ଅବଶ୍ୟ ଭୌଗୋଳିକ Watershed ନୁହେ ।

 

ଅନେକକ୍ଷଣ ଏହି ଗାଡ଼ୀରେ ବସି ଶରୀରାନ୍ଦୋଳନରେ ଅତ୍ୟନ୍ତ କଷ୍ଟ ହେଲା । କ୍ରମଶଃ ଆମ୍ଭେମାନେ ଧବଳେଶ୍ୱର ସହରର ମଧ୍ୟ ଦେଇ ଚାଲିଲୁଁ । ଏ ଗୋଟିଏ କ୍ଷୁଦ୍ର ସହର, କିନ୍ତୁ ଆମ୍ଭମାନଙ୍କ କେନ୍ଦ୍ରାପଡ଼ା ଅଥବା ଯାଜପୁରର ଦୁଇ ଗୁଣ ହେବ । ଏହି କ୍ଷୁଦ୍ର ସହରଟିରେ ୩ ଗୋଟି ବଡ଼ ବଡ଼ କଳର କାରଖାନା, ୨ ।୩ ଗିର୍ଜାଘର ସ୍କୁଲ, ଏବଂ ଅଟ୍ଟାଳିକା ଶ୍ରେଣୀ ଦେଖିଲି ।

 

ଅଳ୍ପଦୂର ପରେ ଗୋଦାବରୀ Anicut ଏବଂ କେନାଲ । ଏହିଠାରେ ଗାଡ଼ୀ ରଖି ଆମ୍ଭେମାନେ ପଦବ୍ରଜରେ ଅଗ୍ରସର ହେଲୁଁ । କେନାଲ ଉପରେ ଦୂରରୁ ଭୀଷଣ ଜନତା ଦେଖି ମନେ ହେଲା କୌଣସି ଅଭିନବ କାଣ୍ଡ ସଂଘଟିତ ହୋଇଥିବ । କିନ୍ତୁ ନିକଟରେ ଯାଇ ଦେଖିଲି କେନାଲମୁଖରେ (ଲକ୍‌ନିକଟରେ), ଗୋଦାବରୀର ବନ୍ୟାରେ ଅଗଣ୍ୟ ବୃହତ୍ ବୃହତ୍ ବୃକ୍ଷମାନ ଭାସି ଲାଗିଅଛି, ଏବଂ ଲକର କବାଟ ଫିଟାଇଲା ବେଳକୁ ଏହି ବୃକ୍ଷ ସବୁ କେନାଲରେ ଭାସି ଯାଉଅଛି, ଏବଂ କେନାଲର ଉଭୟପାର୍ଶ୍ୱସ୍ଥିତ ଅସଂଖ୍ୟ ଲୋକ ଏହିଗୁଡ଼ିକ ଧରିବା ନିମନ୍ତେ ମହାବ୍ୟସ୍ତ ।

 

ନଦୀବନ୍ୟାରେ ମୁ ଅନେକ କାଠ ଭାସି ଆସିବାର ଦେଖିଅଛି, ମାତ୍ର ଏପରି କେବେହେଁ ଦେଖି ନ ଥିଲି । ପ୍ରତି ପାଞ୍ଚମିନିଟରେ ୨୦ ।୨୫ଟି ବୃହତ୍ ବୃହତ୍ ବୃକ୍ଷ କେନାଲ ଆଡ଼କୁ ପ୍ରଧାବିତ, ସମସ୍ତ ଗୋଦାବରୀରେ ଯେ କେତେ ଭାସି ଯାଉଅଛି କିଏ କଳନା କରିବ ? ମହାନଦୀ, କାଠଯୋଡ଼ୀ, ବ୍ରାହ୍ମଣୀ ପ୍ରଭୃତିରେ ଅନେକ କାଠ ଭାସି ଆସେ ସତ୍ୟ, କିନ୍ତୁ ଏହାର ଶତାଂଶରୁ ଏକାଂଶ ନୁହେ ।

 

କେନାଲ ପରିତ୍ୟାଗ କରି Anicut ଆଡ଼କୁ ଗଲି । ଏଠାରେ ନଦୀର ପରିସର ପ୍ରାୟ ୩ ମାଇଲ ହେବ । ଜ୍ୟୋତ୍ସ୍ନାଧବଳିତ ରଜନୀରେ ଏଠାକୁ ଆସିଲେ ହଠାତ୍ ମନେ ହେବ, ପ୍ରକୃତି ୩ ମାଇଲ ପ୍ରଶସ୍ତ ଗୋଟିଏ ଉଚ୍ଚତାସ୍ତରଣ ପାରି ରଖିଅଛି । ଏଠାରେ ପ୍ରାୟ ଏକଘଣ୍ଟା ବସି ନୀରାସ୍ତରଣର ଅପୂର୍ବ ଶୋଭା ଦେଖିଲି । ଏ ନଦୀର ଦୈଘ୍ୟ ୯୦୦ ମାଇଲ ।

Unknown

 

ଏହି Anicut ର ପ୍ରାୟ ୫ ମାଇଲ ପୂର୍ବରୁ ଚେଳାଟକମ୍ ନାମ ଗ୍ରାମ ବିଦ୍ୟମାନ । ଏହା ସମ୍ବନ୍ଧରେ ଗୋଟିଏ ପୌରାଣିକ ଗଳ୍ପ ଏଠାରେ ଶୁଣିଲି । ଗଳ୍ପଟି ଅନେକ ଦିନର, ସଂକୃତଜ୍ଞ ପଣ୍ଡିତ ମାତ୍ରେ ଜାଣନ୍ତି, ତଥାପି ଏଠାରେ ସେଥିର ଉଲ୍ଲେଖ ସ୍ଥାନୋଚିତ ମଣି ଲେଖିଲି ।

 

ପୂର୍ବେ ଏ ଗ୍ରାମର ନାମ ଚେଳାଟକ ଥିଲା । ଏହା ଗୋଦାବରୀ ତଟରେ ଅବସ୍ଥିତ । ଉକ୍ତ ନଦୀର ଅନତିଦୂରରେ ଶ୍ରୀନାଥ ସ୍ୱାମୀ ନାମକ କୌଣସି ବ୍ରାହ୍ମଣଙ୍କ ଛାତ୍ରାବାସ ଥିଲା, ଉକ୍ତ ଛାତ୍ରାବାସର କୌଣସି ଗୃହରେ ସ୍ୱାମୀ କତିପୟ ଛାତ୍ରଙ୍କୁ ପ୍ରତିଦିନ ଶିକ୍ଷା ଦେଉଥିଲେ । ଯେଉଁ ଗୃହରେ ଗୁରୁ ଛାତ୍ରମାନଙ୍କ ଅଧ୍ୟାପନା କାର୍ଯ୍ୟରେ ରତ ଥିଲେ, ସେହି ଗୃହର ଅଦୂରବର୍ତ୍ତୀ ମାର୍ଗ ଦେଇ ଚେଳାଟକ ଗ୍ରାମନିବାସୀ ଅନନ୍ତ ନାମକ ଜଣେ ରଜକପୁତ୍ର ପ୍ରତିଦିନ ବସ୍ତ୍ରଧାବନ ସକାଶ ଗୋଦାବରୀ ନଦୀକୁ ଯାଉଥିଲା । ମାଦ୍ରୀ ଓ ଭଦ୍ରୀ ନାମକ ଦିଓଟି ଗର୍ଦ୍ଦଭପୃଷ୍ଠରେ ଧୌତବସ୍ତ୍ରଗୁଡ଼ିକ ଲଦି ପୁନଶ୍ଚ ଗୃହକୁ ଫେରି ଆସୁଥିଲା । ଦିନେ ଗୋଧୁଳି ସମୟରେ ଉକ୍ତ ରଜକ ଗର୍ଦ୍ଦରପୃଷ୍ଠରେ ବସ୍ତ୍ର ଘେନି ଆସୁ ଆସୁ ସେହି ବିଦ୍ୟାଳୟ ନିକଟରେ ଦଣ୍ଡାୟମାନ ହୋଇ ଛାତ୍ରମାନଙ୍କ ପଠନରୀତି ଅବଲୋକନ କରି ଏହା ଭାବିଲା ଯେ ସରସ୍ୱତୀ ମୋହ କଣ୍ଠରେ ବସିଲେ କି ମୁ ଏମାନଙ୍କ ପରି ବିଦ୍ୟାଲାଭ କରି ପାରନ୍ତି ନାହିଁ ? ଏହା ଚିନ୍ତା କରି ଗୃହକୁ ଫେରି ଆସିଲା । ଏହିପରି ପ୍ରତିଦିନ ଉକ୍ତ ବିଦ୍ୟାଳୟ ସମୀପରେ ଦଣ୍ଡାୟମାନ ହୋଇ ଛାତ୍ରମାନଙ୍କ ପଠନରୀତି ସଦର୍ଶନପୂର୍ବକ ନିଜ କାର୍ଯ୍ୟକ୍ଷେତ୍ରରେ ବିଚରଣ କରୁଥାଏ । ପରିଶେଷରେ ନିଜ ପିତାମାତାଙ୍କୁ ପ୍ରବର୍ତ୍ତାଇ ପଠନ ସକାଶେ ଉକ୍ତ ବିଦ୍ୟାଳୟକୁ ଗଲା । ଗୁରୁ ଜଣେ ଅନ୍ୟଚ୍ଚ ଜାତିର ଏପରି ବିଦ୍ୟାଲିପ୍ସା ଦେଖି ତାହାକୁ ସଦୟଚିତ୍ତରେ ଶିକ୍ଷା ଦେଲା । ୫ ।୭ ବର୍ଷ କାଳ ପଢ଼ି ସେ ଏତେ ଶିଖିଲା ଯେ ଗୁରୁଙ୍କର ସମକକ୍ଷ ହୋଇଗଲା । ତଦନନ୍ତର ସେଗୁରୁଙ୍କଠାରୁ ବିଦାୟ ଗ୍ରହଣ କରି, ସ୍ୱରାଜ୍ୟରେ ସୁପ୍ରତିଷ୍ଠା ଲଭିବାର ସୁଦୂରପରାହତ ମଣି, ଅନ୍ୟ ରାଜ୍ୟକୁ ଗଲା । ତତ୍ରତ୍ୟ ରାଜସମୀପକୁ ସାକ୍ଷାତ୍ ପ୍ରାର୍ଥୀ ହୋଇ ଯାଇ ଆପଣାକୁ କ୍ଷତ୍ରିୟ ନାମରେ ପରିଚିତ କରାଇଲା । ରାଜା ତାହାର ପାଣ୍ଡିତ୍ୟ ଏବଂ ଗୁଣାବଳୀରେ ମୁଗ୍ଧ ହୋଇ ତାହାକୁ ଆପଣାର ଜାମାତୃପଦରେ ବରଣ କଲେ । ରାଜା ସ୍ୱୟଂ ଅପୁତ୍ରିକ ଥିବାରୁ କନ୍ୟା ଓ ଜାମାତା ଦୁହେଁ ରାଜାଙ୍କର ହୃଦୟସର୍ବସ୍ୱ ହୋଇ ରହିଲେ ।

 

ଏହିପରି କେତେକ ଦିନାନନ୍ତର ରାଜା ଜରାକ୍ଳିଷ୍ଟ ଓ ବ୍ୟାଧିପୀଡ଼ିତ ହୋଇ ମାନବଲୀଳା ସମ୍ବରଣ କଲେ । ରାଜାଙ୍କର ଅନ୍ୟ ଦାୟାଦାଭାବରୁ ଜାମାତା ଉତ୍ତରାଧିକାରୀ ହୋଇ ରାଜ୍ୟଶାସନ ଓ ପ୍ରଜାପାଳନ କରିବାକୁ ଲାଗିଲେ । ସୁଖ ସ୍ୱଚ୍ଛନ୍ଦରେ ଦିନାତିପାତ କରିବାରୁ ଜାମାତାଙ୍କର ନିରଙ୍କୁଶ ପ୍ରବୃତ୍ତି ଉଚ୍ଛୃଙ୍ଖଳଭାବରେ ପ୍ରଭାବିତ ହୋଇ ସମସ୍ତ ପ୍ରଜାବର୍ଗ ଓ ସ୍ୱୀୟ ପରିବାରବର୍ଗରେ ନିତ୍ୟ ନିତ୍ୟ ଅଶାନ୍ତି ସଂଜାତ କଲା । ଜାମାତା ଆଜି ଏକ ଭୃତ୍ୟକୁ, କାଲି ଅନ୍ୟ ଭୃତ୍ୟକୁ, ପରଶ୍ୱ ଅମାତ୍ୟମାନଙ୍କୁ ନାନାଦି ଭର୍ତ୍ସନା ଓ ପ୍ରହାର ପର୍ଯ୍ୟନ୍ତ କରିବାକୁ ଲାଗିଲେ । ଏହିପରି ଶାସନାଧୀନରେ ପ୍ରଜାପୁଞ୍ଜ ଓ ସମସ୍ତ ପରିବାରବର୍ଗ ଜାମାତାଙ୍କ ଉପରେ ଆନ୍ତରିକ ବିରକ୍ତ ହେଲେ । ଦିନକରେ ସେ ରାଜଜେମାଙ୍କୁ ସାମାନ୍ୟ କଥାରେ ଗୁରୁଦଣ୍ଡ ଦେଲେ । ଏହି ଚହଳ ଦିଗନ୍ତବ୍ୟାପୀ ହୋଇ ସ୍ୱରାଜ୍ୟ ଓ ପରରାଜ୍ୟ ସର୍ବତ୍ର ପ୍ରଚାରିତ ହେଲା । ଜାମାତାଙ୍କ ଏପରି ନିଦାରୁଣ ବ୍ୟବହାର ଦେଖି ଅନ୍ତଃପୁରତ୍ସ ଆବାଳବୃଦ୍ଧବନିତା, ନବରନିଯୋଗ, ଏବଂ ସମସ୍ତ ପ୍ରଜା କ୍ରୋଧଜର୍ଜରିତ ହୋଇ ମନେ ମନେ ତାହାଙ୍କ ପ୍ରତି ବିରକ୍ତ ହେଲେ ।

 

ଏହିପରି କିଛିଦିନ ଗଲା ଉତ୍ତାରୁ ଚେଳାଟକ ଗ୍ରାମର ପୂର୍ବୋକ୍ତ ଗୁରୁ କୌଣସି କାର୍ଯୋପଲକ୍ଷରେ ସେହି ରାଜ୍ୟକୁ ଆସି ଦେଖିଲେ ଯେ ତାହାଙ୍କର ସେହି ପୂର୍ବଶିଷ୍ୟ, ରଜକପୁତ୍ର ଏଠାରେ ରାଜା ହୋଇଅଛି । ସେ ସମ୍ବନ୍ଧରେ କାହାରିକୁ କିଛି ନ କହି ହୃଦୟର ଭାବ ହୃଦୟରେ ଗୋପନ ରଖି, ସେ ଗଣକବୃତ୍ତଦ୍ୱାରା କଥଞ୍ଚିତ୍ ଜୀବିକା ଅର୍ଜନ କରିବାକୁ ଲାଗିଲେ ।

 

ଦିନକରେ ଗଣକ ମହୋଦୟ ରାଜଗୃହ ସମୀପରେ କେତେକ ଲୋକଙ୍କର ଗ୍ରହରିଷ୍ଟାଦି ଗଣନା କରି ବିଶ୍ୱାସଯୋଗ୍ୟ ଫଳାଫଳ କହୁଥିବାର ଦେଖି ଗୋଟିଏ ଦାସୀ ରାଣୀଙ୍କ ଛାମୁରେ ସମସ୍ତ କୀର୍ତ୍ତନ କଲା । ରାଜକନ୍ୟା ଏହା ଶୁଣି ପରିଚାରିକା ପଠାଇ ଗଣକଙ୍କୁ ଅନ୍ତଃପୁରକୁ ଅଣାଇଲେ । କେଉଁ ହେତୁରୁ ରାଜା ପ୍ରଜାପୀଡ଼କ ହୋଇଅଛନ୍ତି, କେଉଁ ଗ୍ରହଦୋଷରୁ ତାହାଙ୍କର କୁମତି ଘଟିଅଛି, ଗଣକଙ୍କୁ ଏହି ପ୍ରଶ୍ନ କରିବାରୁ ସେ କହିଲେ ‘‘ମୁ ଏହାର କାରଣ ନିର୍ଦ୍ଦେଶ କରୁଅଛି, ମାତ୍ର ମୋହ ଉପରେ ଆପଣମାନେ ଚଳି ହେବେ ନାହିଁ । ଏହା ଶୁଣି କୌଣସି ଦାସୀ ନିର୍ଭୟଚିତ୍ତରେ ପ୍ରକୃତ ହେତୁ କହିବାକୁ ତାହାଙ୍କୁ ବାରମ୍ବାର ଅନୁରୋଧ କଲା । ଅନୁରୋଧ ଶୁଣି ଆଚାର୍ଯ୍ୟ କହିଲେ ‘‘ମଣିମା, ଆପଣଙ୍କ ସ୍ୱାମୀ ରଜକପୁତ୍ର ଅଟନ୍ତି । ଚେଳାଟକ ଗ୍ରାମ ତାହାଙ୍କର ଆବାସସ୍ଥଳ । ଗୋଦାବରୀ ତୀରପ୍ରଦେଶରେ ବସ୍ତ୍ର ଧୌତ କରି କରି ତାହାଙ୍କର ବାଲ୍ୟ ଏବଂ କିଶୋରାବସ୍ଥା ଅତିବାହିତ ହୋଇଅଛି । ମୋହ ନିକଟରେ ବିଦ୍ୟାଧ୍ୟୟନ କରି ସ୍ୱଦେଶରେ ସୁପ୍ରତିଷ୍ଠା ଲଭିବାର ଅସମ୍ଭବ ମଣି, ସ୍ୱକୀୟ ଗୁଣବତ୍ତା ପ୍ରଦର୍ଶନଦ୍ୱାରା ସେ ଅନ୍ୟ ଦେଶରେ ରାଜ୍ୟଲାଭ କରିଅଛି । ପୂର୍ବେ ପଟାରେ ବସ୍ତ୍ର ପିଟିବାର ଅଭ୍ୟାସ ଥିଲା । ବସ୍ତ୍ରାଭାବରେ ସମ୍ପ୍ରତି ଯଷ୍ଟି ବସ୍ତ୍ରର ସ୍ଥାନ ଏବଂ ଭୃତ୍ୟ ପରିବାରାଦିଙ୍କର ପୃଷ୍ଠ ପଟାର ସ୍ଥାନ ଅଧିକାର କରିଅଛି । ଶାସ୍ତ୍ରରେ ଲେଖାଅଛି;–

 

‘‘ଯଃ ସ୍ୱଭାବୋହି ଯସ୍ୟ ସ୍ୟାତ୍,

ତସ୍ୟାଽସୌ ଦୂରତିକ୍ରମଃ ।

ଶ୍ୱା ଯଦି କ୍ରିୟତେ ରାଜା,

ସ କିଂ ନିନ୍ନିତ୍ୟୁପାଳତମ୍ ?’’

 

ଏହାର ଅର୍ଥ ଏହି ଯେ ନୀଚବ୍ୟକ୍ତି ଉଚ୍ଚପଦରେ ଆରୋହଣ କଲେ ସୁଦ୍ଧା କଦାପି ଆପଣାର ସ୍ୱଭାବ ପରିତ୍ୟାଗ କରେ ନାହିଁ; କୁକୁରକୁ ରାଜା କଲେ ସେ କି ଚର୍ମୁପାଦୁକା ଭକ୍ଷଣରୁ ବିମୁଖ ହୋଇଥାଏ ?’’

 

ରାଜମର୍ହଷୀ ଏହା ଶୁଣି ମର୍ମାନ୍ତିକ ଯାତନା ପାଇ ସଖୀଙ୍କଦ୍ୱାରା ପ୍ରଶ୍ନ କଲେ ‘‘ଏଥିର କି କୌଣସି ପ୍ରତିକାର ନାହିଁ ?’’ ଗଣକ ରାଣୀଙ୍କର ବ୍ୟାକୁଳତା ବୁଝି ପାରି କହିଲେ ‘‘ ପ୍ରତୀକାର ଅବଶ୍ୟ ଅଛି । ଆଜି ରାଜା ଯେତେବେଳେ ଆବାସକୁ ବିଜେ ହେବେ, ସେତେବେଳେ ଆପଣ,

 

‘‘ସୁରଚେଳାଟକଂ ଗ୍ରାମଂ,

ସୁର ଗୋଦାବରୀନଦୀଂ ।

ସୁର ମାତ୍ରୀଂ ଚ ଭଦ୍ରଂ ଚ,

ସୁର ବାସଃ ଶୁଷୂଃଶୁଷୂଃ ।’’

 

ଏହି ଶ୍ଳୋକଟି ତାହାଙ୍କ ଛାମୁରେ ୨ ।୩ ଥର ପାଠ କରିବେ; ତାହାହେଲେ ନିଶ୍ଚୟ ଆପଣଙ୍କର ସେହି ଉକ୍ତି, ରାଜାଙ୍କର ଦର୍ପ-ଭୁଜଙ୍ଗ ପ୍ରତି ଆହିତୁଣ୍ଡିକ ମନ୍ତ୍ରସ୍ୱରୂପ ହେବ’’ । ଏହା କହି ଗଣକ ସୁବର୍ଣ୍ଣପାଣି ହୋଇ ବିଦାୟଗ୍ରହଣ କଲେ ।

 

କ୍ରମେ ସନ୍ଧ୍ୟା ହେଲା । ରାଣୀ ଗଣକଙ୍କର ସେହି ଶ୍ଳୋକଟି ବାରମ୍ବାର ଆବୃତ୍ତ କରୁଅଛନ୍ତି, ଇତ୍ୟବସରେ ରାଜା କୌଣସି ଭୃତ୍ୟ ଉପରେ ତର୍ଜ୍ଜନ ଗର୍ଜ୍ଜନ କରି ରାଣୀଙ୍କ ସମୀପରେ ରୋଷକ ଷାୟିତଲୋଚନରେ ଉପନୀତ ହେଲେ । ତାହାଙ୍କର ରୋଷ ଦେଖି ରାଜ୍ଞୀ ହାସ୍ୟ ସମ୍ବରଣ କରି ନ ପାରି ଦୁଇ ତିନିଥର ପୂର୍ବୋକ୍ତ ଉପଦିଷ୍ଟ ଶ୍ଳୋକଟି ଆବୃତ୍ତି କଲେ । ଜଳୌକା ମୁଖରେ ଲବଣ ପରି ଶ୍ଳୋକଟି ରାଜାଙ୍କ କର୍ଣ୍ଣବିବରରେ ପ୍ରବେଶ ମାତ୍ରେ ସେ ମ୍ରିୟମାଣ ହୋଇ ପଚାରିଲେ ‘‘ସୁନ୍ଦରି, ଏହା ତୁମ୍ଭେ କେଉଁଠାରୁ ଶିଖିଲ ? କେଉଁ ଚର ତୁମ୍ଭଙ୍କୁ ଏ ସମ୍ବାଦ ଦେଇଅଛି ? ଦୟା ବହି ସବୁକଥା ମୋତେ ଫେଡ଼ି କହ ।’’

 

ରାଣୀ ତହୁଁ ଅକପଟ ହୃଦୟରେ ଗୁରୁଙ୍କ ନାମ କହି ରାଜାଙ୍କୁ ଦୁଃଖିତ ନୋହିବାକୁ ପରାମର୍ଶ ଦେଲେ । ମାତ୍ର ରାଜା ନିଶ୍ଚିନ୍ତ ହୋଇ ରହି ପାରିଲେ ନାହିଁ । ତଦ୍ଦଣ୍ଡ ଦୂତଦ୍ୱାରା ଗୁରୁଙ୍କୁ ଡକାଇ ଆଣି ନିଜ କୌଳିକ ବୃତ୍ତାନ୍ତ ଗୋପନ ରଖିବାକୁ ବାରମ୍ବାର ଅନୁରୋଧ କରି ଗୁରୁଦକ୍ଷିଣାସ୍ୱରୂପ ପ୍ରଚୁର ପରିମାଣରେ ଅର୍ଥ ପ୍ରଦାନପୂର୍ବକ ତାହାଙ୍କୁ ଚେଳାଟକ ଗ୍ରାମକୁ ବିଦାୟ ଦେଲେ । ସେହି ଦିନୁଁ ରାଜା ପ୍ରକୃତିସ୍ଥ ହୋଇ ନିଜର ପୂର୍ବ ଅବସ୍ଥା ସ୍ମରଣ କରି ଶାନ୍ତଭାବରେ ରାଜ୍ୟ ଶାସନ କଲେ ।

 

ଆମ୍ଭେମାନେ Anicut ନିକଟରୁ କେନାଲ ପାଖକୁ ଆସିଲୁ । ଏହାର ଅନତିଦୂରରେ ଗୋଟିଏ କ୍ଷୁଦ୍ର ଶୈଳ ଉପରେ ଧବଳେଶ୍ୱର ଶିବଙ୍କ ମନ୍ଦିର । ଶୈଳଟି ଠିକ୍ ଗୋଦାବରୀ ଉପରେ ଥିବାରୁ ଆପାତଦୃଷ୍ଟିରେ କଟକ ନିକଟର ଧବଳେଶ୍ୱର ମନ୍ଦିର ପରି ଦିଶିଲା । କିନ୍ତୁ ଶେଷୋକ୍ତ ମନ୍ଦିର ଦ୍ୱୀପଶୈଳୋପରି ଅବସ୍ଥିତ ହୋଇଥିବାରୁ ଦୃଶ୍ୟର ବିଚିତ୍ରତା ଗୁଣରେ ଜ୍ୟେଷ୍ଠସ୍ଥାନୀୟ ।

 

ବସାକୁ ଫେରି ଆସିଲା ବେଳକୁ ସନ୍ଧ୍ୟା ହୋଇଥିଲା । ବସାରୁ ଗୋଦାବରୀ ଅତି ନିକଟ,–୩୦ ହାତରୁ ବେଶି ହେବ ନାହିଁ । ସୁତରାଂ ଶୁକ୍ଳପକ୍ଷୀୟା ଏକାଦଶୀ ରଜନୀରେ ପୂର୍ବୋକ୍ତ ବନ୍ଧୁତ୍ରୟ ସହିତ ଜ୍ୟୋତ୍ସ୍ନାଗର୍ଭିତ ଗୋଦାବରୀର ରାଜତ ଶୋଭା ସନ୍ଦର୍ଶନାର୍ଥ ପୁଣି ବହିର୍ଗତ ହେଲି ।

 

ବନ୍ଧୁତ୍ରୟ ଏବଂ ମୁଁ ଏକତ୍ରିତ ହୋଇ ଗୋଦାବରୀ ତଟରେ ବସିଲୁଁ । ନିର୍ମେଘନୀଳ ନରସ୍ତଳରେ ସହାସ୍ୟବଦନ ଶଶାଙ୍କ ବିରାଜମାନ । ସମସ୍ତ ଜଗତ୍ ଜ୍ୟୋତ୍ସ୍ନାପରିପ୍ଳୁତ, ସୃଷ୍ଟି ପାରଦଧୌତବତ୍ ପ୍ରତିଭାତ । କୋମଳ ମାଂସଳ ତରୁଁପତ୍ରରୁ ଜ୍ୟୋତ୍ସ୍ନା ନିଗିଡି ପଡ଼ୁଥିବା ପ୍ରାୟ ବୋଧ ହେଉଥିଲା । ସଲିଳ ନିଶ୍ଚଳ, ଆକାଶ ନିଶ୍ଚଳ, ଜଗତ୍ ନିଶ୍ଚଳ,–ସର୍ବତ୍ର ଶାନ୍ତ ଏବଂ ମଧୁରଭାବ ବିରାଜମାନ । କୋଳାହଳହୀନ ଜଗତରେ ପ୍ରକୃତିଙ୍କ ନିସ୍ତବ୍ଧତାର ସ୍ୱର ବ୍ୟତୀତ ଆଉ କିଛି ଶୁଣା ଗଲା ନାହିଁ । ଏ ସ୍ୱର ପୁଣି ସ୍ଥୁଳକର୍ଣ୍ଣର ଅତିଭୂମି ଭାବରାଜ୍ୟର ସ୍ୱର ।

 

ଗୋଦାବରୀ ଆଡ଼କୁ ଚାହିଁଲକ୍ଷଣି, ହୃଦୟ ପରିତୃପ୍ତ ହୋଇଗଲା, ମନରେ ଏକ ଅନନୁଭୁତ ଆନନ୍ଦର ଭଦ୍ରେକ ହେଲା । ପ୍ରକୃତିରୂପ ବିରାଟ ଗ୍ରନ୍ଥର ଉଜ୍ଜ୍ୱଳତମ ପୃଷ୍ଠା ସମ୍ମୁଖରେ ଉନ୍ମୁକ୍ତ । ଏପରି ବିଶାଳ ନଦୀର ଦୃଶ୍ୟ, ବିଶେଷତଃ କୌମୁଦୀରଞ୍ଜିତ ନୈଶଦୃଶ୍ୟ ପରି ଆଧ୍ୟାତ୍ମିକ ଭାବୋଦ୍ୱୀକପ ଦୃଶ୍ୟ ଆଉ କି ଅଛି ? ଏପରି ଦୃଶ୍ୟ ଦର୍ଶନରେ ଅତିସଂକୀର୍ଣ୍ଣ ହୃଦୟ ସୁଦ୍ଧା ପ୍ରଶସ୍ତ ହୋଇ ଯାଏ । କଟକରେ ମଧ୍ୟ ଏହିଭଳି ଦୃଶ୍ୟ ସମ୍ଭୋଗର ପ୍ରଚୁର ସୁବିଧା ଅଛି, କେବଳ ‘ଅତିପରିୟୋଦବଜ୍ଞା’, ଅତି ପରିଚୟ ହେତୁରୁ ଆମ୍ଭେମାନେ ସେହି ଦୃଶ୍ୟର ଉଦାରତା ହୃଦୟଙ୍ଗମ କରି ପାରୁଁ ନାହିଁ ।

 

ପ୍ରକୃତିର ଏହି ଗଭୀର ନିସ୍ତବ୍ଧତା ମଧ୍ୟରେ ସହସା ପେଚକର ବିକଟଶଦ୍ଦରେ ମୋହର ଚୈତନ୍ୟୋଦୟ ହେଲା । ବନ୍ଧୁତ୍ରୟ ମଧ୍ୟ ରାତ୍ରିର ଗଭୀତା ଜ୍ଞାପନ କରିବାରୁ ସମସ୍ତେ ଉଠିଲୁଁ । ଆଗାମୀ କାଲି ଏଠାରୁ ପ୍ରସ୍ଥାନ କରିବି, ଏହି ରାତ୍ରରେ ପୁଣି କେତେକ ଆୟୋଜନ କରିବାର ଅଛି । ବିଶେଷତଃ ନିଦ୍ରାଲାଳସା ହୁଁ ଆମ୍ଭମାନଙ୍କୁ ଅତିଶୀଘ୍ର ବସାକୁ ନେଲା ।

 

୧-୮-୯୫–ବୃହସ୍ପତି ବାର–ଅତି ପ୍ରତ୍ୟୁଷରୁ ବୃଷ୍ଟି ହେଲା, ସଙ୍ଗେ ସଙ୍ଗେ ପ୍ରବଳ ପବନବେଗର ଆଭାସ ମିଳିଲା । ଆମ୍ଭେମାନେ ଏପରି ଦୁର୍ଦ୍ଦିନର ପ୍ରଭାତରେ ସୁଦ୍ଧା ଅଗ୍ରସରଣ-ବ୍ରତୀ । ଅତି କଷ୍ଟରେ ନିତ୍ୟକର୍ମ ସମାପନ କରି ଭୋଜନ କଲୁଁ ।

 

ପୂର୍ବାହ୍ନ ଘ୯ଟିକା ସମୟରେ ଆମ୍ଭେମାନେ ବସାରୁ ବାହାରିଲୁଁ । ପ୍ରଥମେ ସୁଦ୍ଦାରାଓଙ୍କ ଗୃହକୁ ଗଲୁଁ, ସେ ଆମ୍ଭମାନଙ୍କୁ ଉଚିତ ପରାମର୍ଶ ଦେଇ, ମାନ୍ଦ୍ରାଜରେ ତାହାଙ୍କ ଜ୍ୟେଷ୍ଠପୁତ୍ର ଶ୍ରୀଯୁକ୍ତ ରଘୁନାଥ ରାଓଙ୍କ ନିକଟକୁ ଖଣ୍ଡିଏ ପତ୍ର ଆମ୍ଭମାନଙ୍କ ହସ୍ତରେ ପ୍ରଦାନ କଲେ । ଇତିପୂର୍ବେଂ ସେ ଉକ୍ତ ମହୋଦୟଙ୍କଠାରୁ ଆମ୍ଭମାନଙ୍କ ସମ୍ବନ୍ଧରେ ପତ୍ର ଲେଖିଥିଲେ, ଏବଂ ବେଜ୍‌ବାଡ଼ାରେ ମଧ୍ୟ କୌଣସି ବନ୍ଧୁଙ୍କୁ ସମ୍ବାଦ ଦେଇଥିଲେ । ଆଜି ଆମ୍ଭମାନଙ୍କ ବେଜ୍‌ବାଡ଼ା ପର୍ଯ୍ୟନ୍ତ ଯିବାର କଥା, ସମ୍ପୂର୍ଣ୍ଣ ଅପରିଚିତ ଏହି ପ୍ରଦେଶରେ ରାଓ ମହାଶୟଠାରୁ ଆମ୍ଭେମାନେ ଆଶାତୀତ ସାହାର୍ଯ୍ୟ ଲାଭ କରି ତାହାଙ୍କ ନିକଟରୁ ବିଦାୟ ଗ୍ରହଣ କଲୁଁ । ପରମଶ୍ରଦ୍ଧାସ୍ପଦ ହରିହରବାବୁ ଆମ୍ଭମାନଙ୍କ ସଙ୍ଗେ ‘‘ଉତ୍ତରଗୋଦାବରୀ ’’ ଷ୍ଟେସନ ପର୍ଯନ୍ତ ଯାଇଥିଲେ ।

 

ଯଥାସମୟରେ ଷ୍ଟେସନରେ ଉପସ୍ଥିତ । ଷ୍ଟିମାର ମଧ୍ୟ ତୀବ୍ର ଶଙ୍ଖଧ୍ୱନି ସହକାରେ ଆହ୍ୱାନ କଲା । ହରିହର ବାବୁ ଅନୁଗ୍ରହ କରି ଆମ୍ଭମାନଙ୍କ ସକାଶେ ବେଜ୍‌ବାଡ଼ା ପର୍ଯ୍ୟନ୍ତ ଟିକିଟ କିଣି ଦେଲେ ।

 

ଏହିଠାରୁ ହରିହର ବାବୁ ବିଦାୟ ଗ୍ରହଣ କଲେ । ତାହାଙ୍କ ଔଦାର୍ଯ୍ୟ ଏବଂ ସାରଲ୍ୟରେ ମୁଁ ବାସ୍ତବିକ ମୁଗ୍ଧ ଏବଂ ପ୍ରୀତି ହୋଇଥିଲି । ପୁଣି ଅନାଇ ଦେଖିଲି ଷ୍ଟେସନରେ ଶ୍ରୀବତ୍ସ ବାବୁ ଏବଂ ହୃଦୟାନନ୍ଦ ବାବୁ ମହୋଦୟଦ୍ୱୟ ଉପସ୍ଥିତ । ଏମାନେ ଆମ୍ଭମାନଙ୍କୁ ଗୋଦାବରୀ ନଦୀ ପାରି କରି ଦେଇ, ‘‘ଦକ୍ଷିଣଗୋଦାବରୀ’’ ଷ୍ଟେସନରେ ଛାଡ଼ି ଦେଇ ଆସିବେ । ଏମାନଙ୍କ ଦୟାଦାକ୍ଷିଣ୍ୟର ମୁଦ୍ରା ଆଜୀବନ ମୋହୋ ହୃଦୟରେ ମୁଦ୍ରିତ ରହିବ ।

 

ବାସ୍ତବିକ ଏମାନଙ୍କଠାରେ ମୁଁ ହୃଦୟବତ୍ତାର ପରାକାଷ୍ଠା ଦେଖିଲି । ସଦ୍ୟଃପରିଚିତ ସାମାନ୍ୟ ପଥିକପ୍ରତି ଏପରି ମମତା ଦେଖାଇବାକୁ କେତେ ଜଣ ସକ୍ଷମ ? ଏପରି ସଦାଶୟ ବ୍ୟକ୍ତିମାନଙ୍କ କଥା ସ୍ମରଣ କଲେ, ସଂସାର ଅମୃତମୟ ବୋଧ ହୁଏ । ପୁଣି ଏମାନଙ୍କ ବିପରୀତ ଧର୍ମା ଲୋକର ମଧ୍ୟ ସଂସାରରେ ଅଭାବ ନାହିଁ । ସମୟ ସମୟରେ ଅପରିଚିତି ସ୍ଥାନରେ ଲୋକଙ୍କୁ କେବଳ ମାତ୍ର ବାଟ ପଚାରି ଆମ୍ଭେମାନେ ଉତ୍ତର ପାଇ ନାହୁଁ, କିମ୍ବା ଯେବେ ପାଇଅଛୁଁ, ଆମ୍ଭମାନଙ୍କର ପ୍ରଶ୍ନଧୃଷ୍ଟତାର ଦଣ୍ଡସ୍ୱରୂପ ତାହା ଆମ୍ଭମାନଙ୍କୁ ଅଭିପ୍ରେତ ମାର୍ଗର ବିପରୀତ ଦିଗକୁ ନେଇ ଯାଇଅଛି । ଉଭୟ ଶ୍ରେଣୀର ଲୋକ ନାନା ସମୟରେ ଭେଟି ।

 

‘‘ନ ଜାନେ ସଂସାରଃ କିମମ୍ବତମୟଃ କଂ ବିଷମୟଃ ?’’

 

ଏହି ପ୍ରଶ୍ନ ସ୍ୱଭାବତଃ ମୋହୋ ମନରେ ଉଦିତ ହୋଇଅଛି ।

 

ଷ୍ଟିମାରର ଦ୍ୱିତୀୟ ଶଙ୍ଖଧ୍ୱନି ହେଲା । ଷ୍ଟିମାରର ଗତିବେଳେ ଆମ୍ଭେମାନେ କଳର ଶବ୍ଦଗାମ୍ଭୀର୍ଯ୍ୟ ଅନୁଭବ କରୁଁ କରୁଁ ଗୋଦାବରୀର ପ୍ରବଳ ବନ୍ୟାନୀରରେ ଭାସମାନ ହେଲୁଁ । ନଦୀ ମଧ୍ୟରୁ ରାଜମହେନ୍ଦ୍ରୀ ସହୁର ଅତି ସୁନ୍ଦର ଦିଶିଲା । ନଦୀର ଉତ୍ତରପଶ୍ଚିମାଂଶରେ ଅସଂଖ୍ୟ ଅଭ୍ରଭେଦୀ ପର୍ବତଶ୍ରେଣୀ, କିନ୍ତୁ ଏ ଗୁଡ଼ିକ ଅନେକ ଦୂରରେ ଅବସ୍ଥିତ ବୋଲି କେବଳ ନୀଳାଭବକ୍ରରେଖାବତ୍ୱ ବିଭାପିତ ହେଉଥିଲେ ।

 

ଗୋଦାବରୀରେ ଯାଉଁ ଯାଉଁ ଅନେକ ପ୍ରାଚୀନ କଥା ସ୍ୱଭାବତଃ ମୋହୋ ମନରେ ଉଦିତ ହେଲା । ବୋଲିବାର ବାହୁଲ୍ୟ ଯେ ବାଲ୍ମୀକି କିମ୍ବା ଭବଭୂତିଙ୍କର ସରସ୍ୱତୀ ଯେଉଁ ଗୋଦାବରୀକୁ ପାଠକଙ୍କର କଳ୍ପନା ସମକ୍ଷରେ ଉପସ୍ଥାପିତ କରନ୍ତି ଏ ସେ ଗୋଦାବରୀ ନୁହେ । ଏଠାରୁ ବହୁଶତ କ୍ରୋଶ ଉଜାଣି ବାହିଗଲେ ଜାଙ୍ଗଳ ଦକ୍ଷିଣାପଥରେମ ସେହି ଗୋଦାବରୀର ଦର୍ଶନ ଲାଭ ହୋଇପାରେ ।

 

‘‘ଏତେ ତେ କୁହରେଷୁ ଗତ୍ପତନଦତ୍ଗୋଦାବରୀ ବାରୟୋ ।

ମେଘାଳଙ୍କୃତମୌଳିନୀଶିଖରଃ କ୍ଷୌଣୀଭୃତୋ ଦକ୍ଷିଣାଃ ।

 

ଅନ୍ୟୋନ୍ୟପ୍ରତିଘାତସଙ୍କୁଳଚଳତ୍‌କଲ୍ଲୋଳକୋଳାହଳୈ–

ଗୁତ୍ତାକାସ୍ତ ଇମେ ଗଭୀରପୟସଃ ପୁଣ୍ୟାଃ ସଭିତ୍‌ ସଙ୍ଗମାଃ ।’’

 

ଭବଭୁତିଙ୍କର ଏହି ଅତୁଳନୀୟ ପ୍ରକୃତିଚିତ୍ର ଅନୁପଗୋଦାବରୀର ଚିତ୍ର ନୁହେ । ଆମ୍ଭେମାନେ ସମ୍ପ୍ରତି ସେହି ଅନୁପଗୋଦାବରୀରେ ଭାସମାନ । ଏହା କବିତାର ଗଦ୍ଗଦନାଦିନୀ ଗୋଦାବରୀ ନୁହେ, କଠୋର ଫଳବାଦର ପୂର୍ତ୍ତବିଭାଗଶୃଙ୍ଖଳିଜା ଗୋଦାବରୀ । ଷ୍ଟିମାରର ଶବ୍ଦ, କଳର ଶବ୍ଦ, ଏବଂ ଚିରବ୍ୟସ୍ତତାପୂର୍ଣ୍ଣ ନବ୍ୟସଭ୍ୟତାର କୋଳାହଳରେ ଏହାର ବକ୍ଷ ସର୍ବଦା ମୁଖରିତ । ଏହି କୋଳାହଳରେ ନିମଗ୍ନ ଥାଇ ସୁଦ୍ଧା ସମୟ ସମୟରେ କଳ୍ପନାପ୍ରଭାବରେ ମୂ ଭବଭୂତିଙ୍କର ସେହି ବହୁଦୂରବର୍ତ୍ତୀ

 

‘‘ଗୋଦାବର୍ଯ୍ୟାଃ ପୟସି ବିତତ ଶ୍ୟାମଳାନୋକହଶ୍ରୀଃ’’

 

ଶାନ୍ତିମୟ ବନଭୂମିରେ ବିଚରଣ କରୁଥିଲି ।

 

ଅର୍ଦ୍ଧଘଣ୍ଟା ପରେ ଆମ୍ଭେମାନେ ଗୋଦାବରୀ ଉତ୍ତୀର୍ଣ୍ଣ ହୋଇ ‘‘ଦକ୍ଷିଣଗୋଦାବରୀ’’ (Godavari South) ଷ୍ଟେସନରେ ପହିଁଚିଲୁଁ । ଏଠାରେ ଶ୍ରବତ୍ସ ବାବୁ ପ୍ରଭୃତିଙ୍କଠାରୁ ରୀତିମତ ମେଲାଣି ନେଇ, ଲୌହଶବଟାରୋହଣ ହେଲା । ବନ୍ଧୁଦ୍ୱୟ ଷ୍ଟିମାରରେ ଉଠି ରାଜମହେନ୍ଦ୍ରୀ ପ୍ରତିଗମନ କଲେ ।

 

ଅସଂଖ୍ୟ ତାଳବୃକ୍ଷର ଶ୍ରେଣୀ ଅତିକ୍ରମ କରି ଲୌହଶକଟ ଭୀମନାଦରେ ଚାଲିଲା । କ୍ରମଶଃ କୋଭର, ନିଡ଼ାଡ଼ୋଭଲ, ସିବ୍ରୋଲ, ଭୀମଡ଼ୋଲ ପ୍ରଭୃତି କ୍ଷୁଦ୍ର କ୍ଷୁଦ୍ର ଷ୍ଟେସନମାନ ପଡ଼ୁଥାଏ । ଦୁଇପାର୍ଶ୍ୱରେ ଦୃଶ୍ୟ ମଧ୍ୟରେ ବହୁକ୍ରୋଶବ୍ୟାପୀ ହରିଦ୍‌ବର୍ଣ୍ଣ ପ୍ରାନ୍ତର, ଅଗଣ୍ୟ ଋଜୁକାୟ ତାଳବୃକ୍ଷ, ଏବଂ ଶସ୍ୟପୋଷଣକାରୀ କେନାଲସମୂହ । ଧବଳେଶ୍ୱର ନିକଟସ୍ଥ ଗୋଦାବରୀ Anicut ଯୋଗୁଁ ଏହି ସବୁ କେନାଲର ସୃଷ୍ଟି । ଗୋଦାବରୀ ଏବଂ କୃଷ୍ଣାପ୍ରଦେଶରେ ଏହିପରି ଅନେକ କେନାଲ ଅଛି । ଏ ଗୁଡ଼ିକ ନ ଥିଲେ ଏ ପ୍ରଦେଶରେ ଅସୀମ ଜଳକଷ୍ଟ ହୁଅନ୍ତା ।

 

ଅପରାହ୍ଣ ୨ ଘଟିକା ସମୟରେ ‘‘ଇଲୋର’’ ନାମକ ବଡ଼ ଷ୍ଟେସନରେ ପହଁଚିଲୁଁ । ଏଠାରେ ଗାଡ଼ି ପ୍ରାୟ ୨୦ ମିନିଟ ରହିଲା । ଏ ଗୋଟିଏ କ୍ଷୁଦ୍ର ସହର, କିନ୍ତୁ ଓଡ଼ିଶାକୁ କ୍ଷୁଦ୍ର ନୁହେ,-ବାଲେଶ୍ୱର ପରି । ଏଠାରେ ମାଜିଷ୍ଟ୍ରେଟଙ୍କ କଚେରୀ ଅଛି ।

 

ଏହିଠାରୁ କୃଷ୍ଣା ପ୍ରଦେଶ ପଡ଼ିଲା । ଏହାର ପରିମାଣ ୮୩୯୭ ବର୍ଗମାଇଲ, ଲୋକସଂଖ୍ୟା ୧୮୫୫୫୮୨, ଏବଂ ଗ୍ରାମସଂଖ୍ୟା ୧୯୧୬ । ଇଲୋର ସହରର ଅନତିଦୂରରେ ଆବାଲ୍ୟଶ୍ରୁତି ଭୂଗୋଳପ୍ରସିଦ୍ଧ ସୁବୃହତ୍‌ କଲେଅର ହ୍ରଦ ଦୃଷ୍ଟିଗୋଚର ହେଉଥିଲା ।

 

ଏଠାରୁ ୧୬ ମାଇଲ ପରେ ବୀରବଲ୍ଲୀ । ଏହା ଗୋଟିଏ କ୍ଷୁଦ୍ର ଷ୍ଟେସନ । ଏହିଠାରୁ ହାଇଦରାବାଦ ରାଜ୍ୟର ସୁଦୀର୍ଘ ପର୍ବତମାଳାର ଚିତ୍ତବିମୋହନ ଦୃଶ୍ୟରେ ନୟନାକୃଷ୍ଟ ହୁଏ ।

 

ଅପରାହ୍ନ ୫ ଘଟିକା ସମୟରେ ଆମ୍ଭେମାନେ ବେଜ୍‌ବାଡ଼ା ଷ୍ଟେସନ୍‌ରେ ଉପସ୍ଥିତ ହେଲୁଁ । ଏହା ଗୋଟିଏ ଜଙ୍କସନ (ରେଲବର୍ତ୍ତୁସଂଯୋଗ) ଷ୍ଟେସନ । ଏହିଠାରୁ ତିନି ଦିଗକୁ ତିନି କୋମ୍ପାନିଙ୍କ ରେଲରାସ୍ତା ଯାଇଅଛି । ଏହାର ଉତ୍ତରପୂର୍ବରେ ଇଷ୍ଟକୋଷ୍ଟ ରେଲ୍‌ଓୟେ, ଯହିଁରେ ଆମ୍ଭେମାନେ ଆସିଲୁଁ । ଉତ୍ତରପଶ୍ଚିମରେ ନିଜାମଙ୍କ ଷ୍ଟେଟ ରେଲ୍‌ଓୟେ, ଏହା ହାଇଦାରାବାଦ, ଗୋଲକୁଣ୍ଡା ବାଟେ ବୋମ୍ବାଇ ଏବଂ କଲିକତା ଯିବାର ମାର୍ଗ, ଏବଂ ଦକ୍ଷିଣପଶ୍ଚିମରେ ସରରନ୍‌ ମରହଟ୍ଟା ରେଲଓୟେ, ଶେଷୋକ୍ତି ମାର୍ଗ ମାଲବାର ଉପକୂଳକୁ ଯାଇଅଛି, ଏଥିରେ ଆମ୍ଭମାନଙ୍କୁ ଆଗାମୀ କାଲି ଯିବାକୁ ହେବ । ଏଠାରେ ସର୍ବଦା ଲୋକଙ୍କର କୋଳାହଳ ଲାଗି ରହିଅଛି, ଏବଂ ଭିଡ଼ରେ ବାଟ ଚାଲିବା କଠିନ ।

 

ଷ୍ଟେସନରେ ଉପସ୍ଥିତ ହେଲା ମାତ୍ରେ ଶ୍ରୀଯୁକ୍ତ ଟ. ଭି. ସୁଦ୍ଧାରାଓଙ୍କ ବନ୍ଧୁ ମହୋଦୟ (ଯେ ଏଠାରେ ପୂର୍ବରୁ ଅପେକ୍ଷା କରୁଥିଲେ) ଆମ୍ଭମାନଙ୍କୁ ସାଦର ସମ୍ଭାଷଣରେ ଆପ୍ୟାୟିତ କରି ନଗରାଭିମୁଖକୁ ନେଇଗଲେ ।

 

୧୫ମିନିଟ୍‌ପରେ ସେ ଆମ୍ଭମାନଙ୍କୁ ଗୋଟିଏ ଚୋଲଟ୍ରିକୁ ଘେନି ଆସିଲେ । ଚୋଲଟ୍ରି ଅର୍ଥ ଧର୍ମ୍ମଶାଳା । ଏ ଧର୍ମ୍ମଶାଳା ଆମ୍ଭମାନଙ୍କର ଦେଶର ଆବରଣଶୂନ୍ୟ ଧର୍ମ୍ମଶାଳା ନୁହଇ । ଏଥିରେ ପ୍ରତ୍ୟେକ ଲୋକର ପ୍ରୟୋଜନାନୁଯାୟୀ ଭଲ ଘର ଏବଂ ଯଥେଷ୍ଟ ସ୍ଥାନ ମିଳେ । ଏ ଦେଶର ଧନିମାନେ ଏପରି କୀର୍ତ୍ତି କରି ନ ଥିଲେ, ବିଦେଶୀୟ ଲୋକଙ୍କର କଷ୍ଟର ସୀମା ରହନ୍ତା ନାହିଁ, କାରଣ ଏ ପ୍ରେସିଡ଼େନ୍ସିରେ ଚଟି ଅଥବା ବସାଘର ଭଡ଼ାରେ ସୁଦ୍ଧା ପ୍ରାୟ ମିଳେ ନାହିଁ । କିନ୍ତୁ ପ୍ରତ୍ୟେକ ସହରରେ ଏହିପରି ୮ ।୧୦ ଟି ଲେଖାଏଁ ଅତଥିଶାଳା ଅଛି । ମାନ୍ଦ୍ରାଜ ପ୍ରେସିଡ଼େନ୍ସିର ଧନିମାନଙ୍କ ଏପରି ଉଦ୍ୟମକୁ ସହସ୍ର ସହସ୍ର ଧନ୍ୟବାଦ ।

 

ଏହି ଧର୍ମ୍ମଶାଳାମାନଙ୍କରେ ଯାତ୍ରିମାନଙ୍କର ସବୁ ବିଷୟରେ ସୁବିଧା, କେବଳ ଗୋଟିଏ ବିଷୟରେ ଦାରୁଣ ଅସୁବିଧା ଭୋଗ କରିବାକୁ ପଡ଼େ । ଅଧିକାଂଶ ଧର୍ମ୍ମଶାଳାରେ ପାଇଖାନା ରୀତିମତ ପରିଷ୍କୃତ ହେବାର ବନ୍ଦୋବସ୍ତ ନାହିଁ । ଗୋଟିଏ ଗୋଟିଏ ପାଇଖାନା ଏପରି କଦର୍ଯ୍ୟ ଯେ ସେଠାକୁ ଗଲାକ୍ଷଣି ଅନ୍ନପ୍ରାଶନର ଅନ୍ନ ସୁଦ୍ଧା ଉଦ୍ଗାର ହେବାର ସମ୍ଭାବନା । ବିଶେଷତଃ ପୀଡ଼ିତାବସ୍ଥାରେ ଏହି ଅସୁବିଧା ଯୋଗୁଁ ଲୋକଙ୍କର କିପରି କଷ୍ଟ ହେଉଥିବ ତାହା ସହଜରେ ଅନୁମେୟ । ଘୃଣାଶୀଳ ପଥିକମାନଙ୍କୁ ଏହି ହେତୁରୁ ଏକ ଏକ ସମୟରେ କ୍ରୋଶାଧିକ ବାଟ ଯିବାକୁ ହୁଏ । ସୁରୁଚି-ବିରୁଦ୍ଧ ହେଲେ ସୁଦ୍ଧା ପଥିକ ପାଠକଙ୍କ ଅବଗତି ନିମନ୍ତେ ଏଠାରେ ଏହି ଅସୁବିଧାର ଉଲ୍ଲେଖ କରାଗଲା ।

 

ଆମ୍ଭେମାନେ ପୂର୍ବୋକ୍ତି ଧର୍ମଶାଳାରେ ରହିଲୁଁ । ସୁଖର ବିଷୟ, ଆଜି କେହି ଏ ଧର୍ମ୍ମଶାଳାରେ ନ ଥିଲେ, ଏହା ପାର୍ଶ୍ୱସ୍ଥିତ ଅନ୍ୟ ଏକ ପ୍ରକାଣ୍ଡ ଧର୍ମ୍ମଶାଳାରେ ଅନେକ ବ୍ୟକ୍ତି ଥିଲେ । ସୁତରାଂ ଆମ୍ଭେମାନେ ଅତି ନିର୍ଜ୍ଜନରେ ରହିଲୁଁ । କିଛିକ୍ଷଣ ପରେ ମୋହର ଭୃତ୍ୟ ଦ୍ୱୟ ରନ୍ଧନୋପଯୋଗୀ ଦ୍ରବ୍ୟଗୁଡ଼ିକ କ୍ରୟ କରିବାକୁ ଗଲେ । ସେମାନେ ଫେରି ଆସିଲା-ବେଳକୁ ସନ୍ଧ୍ୟା ହୋଇଥିଲା, କିନ୍ତୁ ଶୁଣିଲି ବହୁମୂଲ୍ୟରେ ସୁଦ୍ଧା ଆଶାନୁରୂପ ଦ୍ରବ୍ୟ ମିଳିଲା ନାହିଁ । ଚାଉଳ ତେଲ ଏବଂ କାଠ ଏଡ଼େ ଦୁର୍ମ୍ମୁଲ୍ୟ ଯେ ଓଡ଼ିଶାର କୌଣସି କୌଣସି ଦୁର୍ଭିକ୍ଷରେ ବୋଧ ହୁଏ ଏପରି ହୋଇ ନ ଥିବ । ବିଶେଷତଃ ସର୍ଷପତୈଳର ପ୍ରଚଳନ ଏ ଦେଶରେ ପ୍ରାୟ ନାହିଁ, ସୁତରାଂ ଗୋଟିଏ ନିତାନ୍ତ ପ୍ରୟୋଜନୀୟ ବସ୍ତୁର ଅଭାବ ! ଏ ଅଞ୍ଚଳରେ ସାଧାରଣତଃ ଦୁଇରକମ ତେଲର ପ୍ରଚଳନ ଅଛି । ‘‘ଆଏଁଦୁମ୍‌ନୁନି’’ ଏବଂ ‘‘ସାରିସାଉନୂନି’’ ଶବ୍ଦଦ୍ୱୟ ଯଥାକ୍ରମେ ଜଡ଼ାତେଲ ଏବଂ ଖସାତେଲକୁ ବୁଝାଏ । ‘‘ନୂନି’’ ଶବ୍ଦର ଅର୍ଥ ତେଲ । ଆମ୍ଭମାନଙ୍କୁ ଅଗତ୍ୟା ଏହି ସାରିସାଉ ତେଲର ବ୍ୟବହାର କରିବାକୁ ହେଲା ।

 

ବେଜ୍‌ବାଡ଼ା ସହରଟି ଅତି ସୁନ୍ଦର । ସୌନ୍ଦର୍ଯ୍ୟରେ ଏ ସହରଟି ଭଜିଗାପଟ୍ଟମ୍ ଅଥବା ଭଜିୟାନଗ୍ରାମଠାରୁ କୌଣସି ଅଂଶରେ ନ୍ୟୁନ ନୁହେ । ଚତୁର୍ଦ୍ଦିଗରେ ସୁଦୀର୍ଘ ପର୍ବତଶ୍ରେଣୀ, ଶିଖରଦେଶରେ ଧରାମାନଙ୍କର ସୁପ୍ରଶସ୍ତ ଅଟ୍ଟାଳିକା ଏବଂ ସୁଧାଧବଳିତ ଦେବାଳୟଗୁଡ଼ିକର ଅପୂର୍ବ ଶୋଭା ! ବିଶେଷତଃ ଏଠାର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗାଙ୍କ ମନ୍ଦିର ପର୍ବତର ଗ୍ରୀବାପ୍ରଦେଶରେ ଅଧିଷ୍ଠିତ ଥିବାରୁ ମନ୍ଦିରର ଦୃଶ୍ୟ ଅତୀବ ହୃଦୟଗ୍ରାହୀ ହୋଇଅଛି । ଏ ସବୁ ପର୍ବତରେ ପ୍ରାୟ ଜଙ୍ଗଲ ନାହିଁ, ସୁତରାଂ ଗୋଚାରଣର ଅତି ଉପଯୋଗୀ । ସନ୍ଧ୍ୟାର କିଛି ପୂର୍ବରୁ ଶ୍ରେଣୀବଦ୍ଧ ବିଶଦକାୟ ଗୋରୁଗୁଡ଼ିକ ପର୍ବତରୁ ଅବତରଣ କରୁଥିବା ବେଳେ ସଜଳଜଳଦସଂଚାରି-ବଳାକାର ଶୋଭାସ୍ମୃତି ପଥାରୂଢ଼ ହୁଏ । ସହରର ତଟଦେଶରେ କୃଷ୍ଣା ପ୍ରବାହିତା । ସହରଟି ବଡ଼ ନ ହେଲେହେଁ ଲୋକସଂଖ୍ୟା ୨୦ ହଜାରରୁ ଅଧିକ ।

 

କୂପର କଦର୍ଯ୍ୟ ଜଳରେ ଡାଲିସିଦ୍ଧ ହେଲା ନାହିଁ । ଏ ଅଞ୍ଚଳରେ ଡାଲିକୁ ଅର୍ଦ୍ଧସିଦ୍ଧାବସ୍ଥାରେ ପେଷଣ କରି ଆହାର କରନ୍ତି । ଆମ୍ଭେମାନେ ଏପରି ପ୍ରକ୍ରିୟା ସମ୍ୟକ୍‌ଅବଗତ ନ ଥିବାରୁ, ଅଗତ୍ୟା ଅର୍ଦ୍ଧସିଦ୍ଧ ଡାଲି ଆହାର କରି, ଅତିଶୀଘ୍ର ନିଦ୍ରିତ ହେଲୁଁ ।

 

୨୦୮-୯୫ ଶୁକ୍ରବାର-ପ୍ରତ୍ୟୁଷରୁ ଗୋଟିଏ ଭୃତ୍ୟକୁ ବସାରେ ରଖି ଆମ୍ଭେମାନେ ସ୍ନାନାର୍ଥ କୃଷ୍ଣାନଦୀକୁ ଗଲୁଁ । ଧର୍ମ୍ମଶାଳାରୁ କୃଷ୍ଣାନଦୀକୁ ଆସିବାକୁ ହେଲେ ସମସ୍ତ ନଗର ଅତିକ୍ରମ କରିବାକୁ ହୁଏ, ସୁତରାଂ ନଦୀସ୍ନାନଚ୍ଛଳରେ ନଗରଦର୍ଶନ ମଧ୍ୟ ହେଲା । କୃଷ୍ଣା ଗୋଟିଏ ତୀର୍ଥ, ସୁତରାଂ ସ୍ନାନ କରି ମନ ପ୍ରସନ୍ନ ହେଲା ।

 

ଏହା ଉତ୍ତାରୁ କନକଦୁର୍ଗା-ଦର୍ଶନ । ପର୍ବତର ଗ୍ରୀବା ପର୍ଯ୍ୟନ୍ତ ଉଠିଲୁଁ । କନକଦୁର୍ଗାଙ୍କ ଦର୍ଶନ କରି, ଆମ୍ଭମାନଙ୍କ ଦୃଷ୍ଟି ଚତୁଷ୍ପାର୍ଶ୍ୱରେ ନିକ୍ଷିପ୍ତ ହେଲା ମାତ୍ରେ ପ୍ରାଣ ପୁଲକିତ ହୋଇଗଲା । ଦକ୍ଷିଣପୁଙ୍କରେ ନେଲୋର ଜିଲ୍ଲାର, ଏବଂ ଦକ୍ଷିଣପଶ୍ଚିମରେ କରନୁଲ୍‌ଜିଲ୍ଲାର ନୀରନ୍ଧ୍ରବନଭୂଷିତ ନୀଳାୟମାନ ପର୍ବତମାଳା । କୃଷ୍ଣାନଦୀ ଭୁଜଙ୍ଗବତ୍ ବକ୍ରଗତିରେ ପ୍ରବାହିତା,-ନଦୀର ଉଭୟ ପାର୍ଶ୍ୱ ଅରଣ୍ୟଭୂଷିତ ପର୍ବତଶ୍ରେଣୀରେ ସମାଚ୍ଛନ୍ନ । ପର୍ବତର ପାଦଦେଶରେ ବେଜ୍‌ବାଡ଼ା ସହର, ସୌଧଗୁଡ଼ିକ ଚିତ୍ରପରି ପ୍ରତିଭାତ ହେଉଥିଲା ।

 

କେତେକ୍ଷଣ ଉତ୍ତାରୁ ଆମ୍ଭେମାନେ ପର୍ବତରୁ ଅବତରଣ କଲୁଁ । ଧର୍ମ୍ମଶାଳାରେ ପହଁଚିଲା ବେଳକୁ ପୂର୍ବାହ୍ଣ ୧୦ ଘଟିକା । ବେଜ୍‌ବାଡ଼ା ସହର କୃଷ୍ଣାଜିଲ୍ଲାନ୍ତର୍ଗତ । ଏହି କୃଷ୍ଣାଜିଲ୍ଲାର ପରିମାଣ ୮୩୯୭ ବର୍ଗମାଇଲ, ଲୋକସଂଖ୍ୟା ୧୮୫୫୫୮୨, ଏବଂ ଏଥିରେ ୧୯୧୬ ଖଣ୍ଡିଗ୍ରାମ ଅଛି । ଏ ଜିଲ୍ଲାର ବଳଦ ଏବଂ ଗାଈ ଅନ୍ୟତ୍ର ଦୁର୍ଲ୍ଲଭ । ଗାଈଗୁଡ଼ିକର ଅଙ୍ଗସୌଷ୍ଠବ ଅତି ପ୍ରୀତିକର । ଏମାନେ ପ୍ରଚୁର ଦୁଗ୍ଧ ଦିଅନ୍ତି । ଦୁଗ୍ଧ ଏ ଅଞ୍ଚଳରେ ଅତି ସୁମୂଲ୍ୟ ।

 

ଏ ସବୁ ଅଞ୍ଚଳରେ ‘ବବୁର’ ଗଛର ଶ୍ରେଣୀବବ୍ଦ ଉଦ୍ୟାନ ପ୍ରସ୍ତୁତ କରନ୍ତି, ପୁଣି ଅନେକ ସ୍ଥାନରେ ଏହାର ବିସ୍ତୃତ ଅରଣ୍ୟ ମଧ୍ୟ ଅଛି ।

 

ଅପରାହ୍ଣ ୪ ଘଟିକା ସମୟରେ ଆମ୍ଭେମାନେ ଆହାର କଲୁଁ । ଠିକ୍‌ସନ୍ଧ୍ୟା ସମୟରେ ଗାଡ଼ୀ ଛାଡ଼ିବ, ସୁତରାଂ ବାହାରିବାର ଅନେକ ପୂର୍ବରୁ ଆମ୍ଭମାନଙ୍କର ପ୍ରସ୍ତୁତ ଥିବାର ଉଚିତ । ବିଶେଷତଃ ଏଠାରୁ ରେଲଓୟେ ଷ୍ଟେସନ ପର୍ଯ୍ୟନ୍ତ ଯାଇ, ଟିକିଟ ଉପଯୁକ୍ତ ସ୍ଥାନରେ ବସିବାର ଆବଶ୍ୟକ ।

 

ଅପରାହ୍ଣ ୫ ଘଟିକା ଉତ୍ତାରୁ ଧର୍ମ୍ମଶାଳାରୁ ନିଷ୍କ୍ରାନ୍ତ ହେଲୁଁ । ରେଲଓୟେ ଷ୍ଟେସନରେ ଉପସ୍ଥିତ ହେବାକୁ ୧୫ । ୨୦ ମିନିଟ୍‌ଲାଗିଲା । ଏଠାରେ ଦେଖିଲି ଟିକିଟ କିଣିବା ମୋହ ପକ୍ଷରେ ନିତାନ୍ତ ଦୁରୂହ ବ୍ୟାପାର । ଭୟଙ୍କର ଜନତା, ପୁଣି ସେମାନଙ୍କର ଭାଷା ବୁଝିବାର ଆଦୌ କ୍ଷମତା ନାହିଁ । ଯାହାହେଉ ଏହି ଟିକିଟ କ୍ରୟ ସକାଶେ ରେଲଓୟେ ପୁଲିସର ଏ କାର୍ଯ୍ୟ କେବଳ ନିଃସ୍ୱାର୍ଥ ଭାବରେ ନୁହେ, ସୁତରାଂ ସେ ସର୍ବପ୍ରଥମେ ଅଯାଚିତଭାବରେ ଆମ୍ଭମାନଙ୍କୁ ଟିକିଟ କିଣି ଦେବା ସକାଶେ ଆହ୍ୱାନ କରି ଶେଷକୁ ଏହି କାର୍ଯ୍ୟର ପାରିଶ୍ରମିକ ପାଇଁ ତର୍ଜ୍ଜନ ଗର୍ଜ୍ଜନ ଆରମ୍ଭ କଲା । ଆମ୍ଭେମାନେ ସ୍ୱୀକୃତ ହେଲାରୁ ଟିକିଟ କିଣିବାକୁ ଗଲା ।

 

ଟିକିଟ କିଣି ଆଣି ସେ ଅତିରିକ୍ତ ଆଦରସୁଚକ ସ୍ୱରରେ, ଆମ୍ଭମାନଙ୍କୁ ଆହ୍ୱାନ କଲା । ‘‘ରେଲଗାଡ଼ୀର ଭଲସ୍ଥାନ ଦେଖି ବସାଇ ଦେବି’’, ‘‘ପେୟ ଜଳ ଅଣାଇ ଦେବି’’ ଇତ୍ୟାଦି ମଧୁର ବାକ୍ୟରେ ଆମ୍ଭେମାନେ କୃତାର୍ଥମ୍ମଣ୍ୟ ହୋଇ ତାହାକୁ ଦୁଇଅଣା ବକ୍ସିସ୍‌ଦେଲୁଁ । ବକ୍ସିସ୍ ପାଇଲା ମାତ୍ରେ ସେ ଆମ୍ଭମାନଙ୍କୁ ସେହିଠାରେ ପରିତ୍ୟାଗ କରି, ଅଳ୍ପକ୍ଷଣ ମଧ୍ୟରେ ଆସିବ କହି କୌଣସି କାର୍ଯ୍ୟ ଛଳରେ ଅନ୍ୟ ଦିଗକୁ ବାହାରି ଗଲା । ଏଣେ ସମୟ ଅତୀତ ପ୍ରାୟ, ଭଲସ୍ଥାନ ଦେଖି ଗାଡ଼ୀରେ ବସିବାକୁ ହେବ, ସୁତରାଂ ଆମ୍ଭେମାନେ ଷ୍ଟେସନର ପ୍ଲାଟଫରମ୍ ଉପରକୁ ଗଲୁଁ । ଏଠାରେ ଦୁଇ କନଷ୍ଟେବଲ ଆମ୍ଭମାନଙ୍କ ଗତିରୋଧ କରି କହିଲେ ‘‘ତୁମ୍ଭମାନଙ୍କ ଜିନିଷ ପତ୍ର ଫିଟାଇ ଦେଖାଅ ।’’ ଆମ୍ଭେମାନେ ବିଦେଶୀୟ ଲୋକ, ରେଲଓୟେ ଆଇନରେ ମଧ୍ୟ ଲେଖାଅଛି ଯେ;–

 

"If any railway servant has sufficient reason to believe any dangerours and offensive articles to be contained in a package, he may cause the package to be opened for the purpose of ascertaining its contents."

 

ସନ୍ଦେହର ପ୍ରକୃତ କାରଣ ଥାଉ ଅବା ନ ଥାଉ ସନ୍ଦେହ କରିବାର ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ଥିଲା । ଆମ୍ଭେମାନେ ମଧ୍ୟ ସନ୍ଦେହର ବୟାନାସ୍ୱରୂପ ସେମାନଙ୍କର ଜଣେ ସଙ୍ଗିକୁ ଦୁଇଅଣା ଦେଇଥିଲୁଁ । ବିଳମ୍ବ ହେଲେ ମହାହରବରରେ ପଡ଼ିବୁଁ, ଏହି ଆଶଙ୍କାରେ ଆଉ କିଛି ଦକ୍ଷିଣା ଦେଇ ସେମାନଙ୍କର କର୍ତ୍ତବ୍ୟନିଷ୍ଠାର ଅଭିନୟରୁ ନିଷ୍କୃତି ଲାଭ କଲୁଁ । ପ୍ରଥମୋକ୍ତ ମିଷ୍ଟଭାଷୀ କନ୍‌ଷ୍ଟେବଲ ମହୋଦୟଙ୍କର ଆଉ ସାକ୍ଷାତ୍ ମିଳିଲା ନାହିଁ । ସଙ୍ଗିମାନଙ୍କୁ କିଛି ଲାଭର ଉପାୟ କରାଇ ଦେଇ ସେ ସମ୍ଭବତଃ ଅନ୍ୟ ଶିକାର ଅନ୍ୱେଷଣରେ ପ୍ରବୃତ୍ତ ହୋଇଥିଲେ ।

 

ରେଲଓୟେ କର୍ମଚାରିମାନେ ଯାତ୍ରିମାନଙ୍କଠାରୁ କିଛି ନେଇ ପାରିବେ ନାହିଁ, ଏପରି ବିଧି ଅଛି ସତ୍ୟ ମାତ୍ର ଧର୍ମାଧିକରଣମାନଙ୍କରେ ଉତ୍କୋଚନିବାରକ ବିଧି ପରି ଏ ବିଧି ମଧ୍ୟ ପାଳନାପେକ୍ଷା ଲଂଘନରେ ଅଧିକତର ସମ୍ମାନିତ ହୋଇଥାଏ ।

 

ଗାଡ଼ି ପାଖରେ ଉପସ୍ଥିତ ହେଲା ମାତ୍ରେ ପ୍ରଥମୋକ୍ତ ସେହି ସଦାଶୟ କନ୍‌ଷ୍ଟେବଲଙ୍କୁ ଗଜେନ୍ଦ୍ରଗମନରେ ଆସୁଥିବାର ଦେଖିଲି । ଦର୍ଶନମାତ୍ରେ ପୁଣି ସାଦର ସମ୍ଭାଷଣ । ‘‘ଏତେ ଚଞ୍ଚଳ ହେଉଛ କାହିଁକି’’, ‘‘ଭଲ ସ୍ଥାନ ଦେଖେ’’, ‘‘ପାଣିବାଲା ଆସୁଅଛି-ପାଣି ଦେବ’’ ପ୍ରଭୃତି କେତେ ପ୍ରକାର ଆଦବ କାୟଦାମିଶ୍ରିତ ମଧୁର ବାକ୍ୟାମୃତ ପାନରେ ଆମ୍ଭମାନଙ୍କ କର୍ଣ୍ଣ ପରିତୃପ୍ତ ହେଲା । ଯାହାହେଉ ଆମ୍ଭେମାନେ ଭଲ ସ୍ଥାନରେ ବସିଲୁଁ, ଏବଂ ପିତ୍ତଳପାତ୍ରରେ ପାଣି ରଖିଲୁଁ । କହିବା ବାହୁଲ୍ୟ ଯେ ସ୍ଥାନ ଏବଂ ପାଣି ସକାଶେ କିଛି ଅତିରିକ୍ତ ଦକ୍ଷିଣା ପଡ଼ିଥିଲା ।

 

ଏ ରେଲକୋମ୍ପାନିଙ୍କ (Southern Marhatta Railway Co.) ଗାଡ଼ୀଗୁଡ଼ିକ ଅତ୍ୟନ୍ତ କ୍ଷୁଦ୍ର ଏବଂ ଅପ୍ରଶସ୍ତ । ଅନ୍ୟ କୋମ୍ପାନିମାନଙ୍କର ପ୍ରତ୍ୟେକ ଗାଡ଼ୀରେ ସଚରାଚର ୬ଟି ଲେଖାଏଁ କମ୍ପାର୍ଟମେଣ୍ଟ ଥାଏ, କିନ୍ତୁ ଏହି ଗାଡ଼ୀରେ ୩ ।୪ ଟିର ଅଧିକ ନାହିଁ, ଏବଂ ପ୍ରତି କମ୍ପାର୍ଟମେଣ୍ଟରେ ୮ ଜଣ ଲେଖାଏଁ ବସନ୍ତି । ଇଷ୍ଟକୋଷ୍ଟ ଅଥବା ଅନ୍ୟାନ୍ୟ ରେଲଓୟେ କୋମ୍ପାନିଙ୍କ ଗାଡ଼ୀଗୁଡ଼ିକର କମ୍ପାର୍ଟମେଣ୍ଟରେ ସାଧାରଣତଃ ୧୦ ଜଣ ଲେଖାଏଁ ବସନ୍ତି, ଏତିକିରେ ଅନୁମିତ ହେବ ଏ ଗାଡ଼ୀଗୁଡ଼ିକ କେଡ଼େ କ୍ଷୁଦ୍ର ।

 

ସନ୍ଧ୍ୟା ହେଲା । ବଂଶୀଧ୍ୱନି ଉତ୍ତାରୁ ଗାଡ଼ୀ ଧାବିତ ହେଲା । ଅଳ୍ପଦୂର ଉତ୍ତାରୁ କୃଷ୍ଣାନଦୀର ସେତୁ । ମୋହର ଜୀବଦ୍ଦଶାରେ ଏପରି ବଡ଼ ସେତୁ କେବେହେଁ ଦେଖି ନ ଥିଲି, ସୁତରାଂ ଏହା ମୋହ ପକ୍ଷରେ ଏକ ଅଦ୍ଭୁତ ବ୍ୟାପାର । ଏହା ଉପରେ ଗାଡ଼ୀ ମୃଦୁମନ୍ଦଗତିରେ ଚାଲିଲା । ଗାଡ଼ୀ ଉପରୁ ତଳକୁ ଅନାଇ ଦେଖିଲି,-ଚନ୍ଦ୍ରକାରକା ପ୍ରତିବିମ୍ବିତବକ୍ଷା, ମୃଦୃକଳନାଦିନୀ କୃଷ୍ଣାନଦୀ ସାଗରଭିମୁଖରେ ପ୍ରଧାବିତା । ନିଶାନାଥ ମୃଦୁମଧୁର ରଶ୍ମିକାଳ ବିକୀରଣ କରୁଅଛନ୍ତି, ଗଗନପଟରେ ଅସଂଖ୍ୟ ତାରକାରାଜି ସହାସ୍ୟ ଆସ୍ୟରେ ଶଶଧରଙ୍କ ଚତୁଷ୍ପାର୍ଶ୍ୱରେ ବିରାଜିତା । ସ୍ରୋତସ୍ୱିନୀ ମୃଦୁସମୀରବିଲୋଡ଼ିତା, କ୍ଷୁଦ୍ର କ୍ଷୁଦ୍ର ରଜତାଭ ବୀଚିମାଳାରେ ନଦୀବକ୍ଷ ଆଚକ୍ରବାଳପରିବ୍ୟାପ୍ତ । ମଧ୍ୟେ ମଧ୍ୟେ ଗୋଟିଏ ଗୋଟିଏ କ୍ଷୁଦ୍ର ତରଣୀ ଯାଉଅଛି, ତରଣୀର କ୍ଷେପଣୀକ୍ଷେପ, ସନ୍ଧିର ପକ୍ଷସଂଚାଳନ ଶୋଭାର ଅନୁକାରୀ । ପ୍ରତି କ୍ଷେପରେ ନୀରାସ୍ତରଣରୂପ ଇନ୍ଦ୍ରନୀଳସ୍ଥଳୀରୁ ମୁକ୍ତାର ଅସଂଖ୍ୟ ଉତ୍ସ ଫିଟୁଅଛି । ଚନ୍ଦ୍ରିକାର ନର୍ତ୍ତନରେ ସଂସାର ଶ୍ୱେତଦ୍ୱୀପବତ୍ୱ ପ୍ରତୀୟମାନ । ଶୋଭା ସମୁଦ୍ରରେ ମନ ବୁଡ଼ିଗଲା । ଆତ୍ମବିସ୍ମୃତ ହୋଇ କିୟତ୍‌କ୍ଷଣ ମୁଁ ଏକଧ୍ୟାନରେ ନଦୀ ଆଡ଼କୁ ଅନାଇ ରହିଲି । କେମନ୍ତ ଗୋଟିଏ ଅନିଙ୍କଚନୀୟ ଉଲ୍ଲାସ ସଂଜାତ ହେଲା, ମାତ୍ର ସେହି ଉଲ୍ଲାସ ଅମିଶ୍ର ଉଲ୍ଲାସ ନୁହେ । ସେହି ଉଲ୍ଲାସ ସହିତ କେମନ୍ତ ଏକପ୍ରକାର ଆକୁଳତା ମିଶ୍ରିତ ଥିଲା ଯାହା କି ବଚନରେ ବ୍ୟକ୍ତ ହେବାର ନୁହେ । ମୁଁ ମୋହର କ୍ଷୁଦ୍ର ଜୀବନରେ ଯେତେବେଳେ ଏହିପରି ବିଶାଳଜ୍ୟୋସ୍ନା ଦୃଶ୍ୟ ଦେଖିଅଛି, ମୋହ ହୃଦୟ ଯୁଗପତ୍‌ଉଲ୍ଲସିତ ଏବଂ ଆକୁଳିତ ହୋଇଅଛି । ଏହାର ହେତୁ କି ? ଦିନରେ ତ ଆମ୍ଭେମାନେ ଅନେକ ସୁନ୍ଦର ଦୃଶ୍ୟ ଦେଖୁଁ । ଦିନର ଦୃଶ୍ୟ ଅଧିକତର ସ୍ପଷ୍ଟ । ରାତ୍ରଠାରୁ ଦିନରେ ସୌନ୍ଦର୍ଯ୍ୟୋପଲବ୍ଧିର ସୁବିଧା ଅଧିକ, ମାତ୍ର ସେ ସୌନ୍ଦର୍ଯ୍ୟ ଦର୍ଶନଜନିତ ଉଲ୍ଲାସରେ ଆକୁଳତା ନ ଥାଏ । ଅସ୍ପଷ୍ଟତା ସହିତ ଏହି ଆକୁଳତାର କୌଣସି ସମ୍ପର୍କ ଅଛି କି ? ନିକଟରେ ସଂଗୀତ ଅପେକ୍ଷା ଦୂରର ସଂଗୀତ ଶୁଣିଲେ ମଧ୍ୟ ହୃଦୟ ଅଧିକ ଆକୁଳ ହୁଏ । ଆକୁଳ ହୋଇ,

 

‘‘ଚାଲିଯାଏ ଶୂନ୍ୟେ ଶୂନ୍ୟେ କେଉଁ ସ୍ଥାନେ,

କି ଲୋଡ଼ବା ଆଶେ ସେହି ତା ନ ଜାଣେ ।’’

 

ଏଠାରେ ମଧ୍ୟ ଅସ୍ପଷ୍ଟତା ସହିତ ଆକୁଳତାର ସମ୍ବନ୍ଧ । ସେ ଯାହାହେଉ ସାମାନ୍ୟ କଥାରୁ ମୁଁ ମୋହର କ୍ଷୁଦ୍ରବୁଦ୍ଧିର ଅତିଭୂମିକୁ ଚାଲି ଆସିଅଛି । ଏ ଗଭାର ପ୍ରଶ୍ନ ମୀମାଂସାର ଭାର ପାଠକଙ୍କ ପ୍ରତି ଅର୍ପଣ କରି ଏଣିକି ପ୍ରକୃତ ପ୍ରସଙ୍ଗର ଅନୁସରଣ କରିବି । ଏଠାରେ କୃଷ୍ଣାନଦୀ ପ୍ରାୟ ଦେଢ଼ମାଇଲ ପ୍ରଶସ୍ତ । ଏହାର ଦୈର୍ଘ୍ୟ ୮୦୦ମାଇଲ, ସୁତରାଂ ମହାନଦୀଠାରୁ ୨୬୦ ମାଇଲ ବେଶୀ । ଏହାର ବିସ୍ତାର ମୁହାଣ ନିକଟରେ ପ୍ରାୟ ୮ ।୧୦ ମାଇଲ । ସେଠାରେ ଏ ପ୍ରଦେଶର ପ୍ରଧାନ ନଗର ମଛଲିପଟ୍ଟମ୍ ସହର । ଏ ସହରର ଲୋକସଂଖ୍ୟା ୩୮୮୦୯ ।

 

କୃଷ୍ଣାନଦୀ ଅତ୍ୟନ୍ତ ଗଭୀର । ଦୁଇ ପାର୍ଶ୍ୱରେ ବିଶାଳ ଶୈଳଶ୍ରେଣୀ, ସୁତରାଂ ଅତି ଗାମ୍ଭୀର୍ଯ୍ୟପୁର୍ଣ୍ଣ ମୁର୍ତ୍ତ । ନଦୀ ଉପରେ ଗାଡ଼ୀ ମୃଦୁଗତିରେ ଚାଲୁଥିଲା । ଦେଖୁଁ ଦେଖୁଁ ଗୋଟିଏ ଷ୍ଟେସନ ପରିତ୍ୟାଗ କରି ଅନ୍ୟ ଷ୍ଟେସନରେ ଉପସ୍ଥିତ ହେଲା ।

 

ଏଠାରୁ ଗାଡ଼ୀ ତୀବ୍ରବେଗରେ ଚାଲିଲା । ଦୁଇପାର୍ଶ୍ୱରେ ଅତ୍ୟୁଚ୍ଚ ଭୃଧରଶ୍ରେଣୀ କୌମୁଦୀ ଆଲୋକରେ ହାସ୍ୟମୟ । ଶିଶିରୋତ୍‌ଫୁଲ୍ଲ ତରୁରାଜି ପରେ ପରେ ବିପରୀତ ଦିଗକୁ ଧାବମାନ । ସ୍ଥାନେ ସ୍ଥାନେ ଚକୋରଧ୍ୱନି ନୀରବଜ୍ୟୋସ୍ନାଧୌତ ନୈଶାକାଶ ପ୍ରତିଧ୍ୱନିତ କରୁଅଛି । କ୍ୱଚିତ୍ ଅବା ନିଶାରେ ପେଚକର ବିକଟରବ ନଶୀଥିନୀର ଅବାକ୍ ନିସ୍ତବ୍ଧତାକୁ ବାକ୍ୟଯୁକ୍ତ କରୁଅଛି । ଏହିରୂପେ ଐନ୍ଦ୍ରଜାଳିକବତ୍‌ ଦୃଶ୍ୟ ପରେ ଦୃଶ୍ୟ ଦେଖାଇ, ଗାଡ଼ୀ ଗୁଣ୍ଟୁର ଷ୍ଟେସନରେ ଉପସ୍ଥିତ । ବର୍ତ୍ତମାନ ରାତ୍ରି ୯ ଘଟିକା । ଏହି ଷ୍ଟେସନଟି ଏହି ରେଲଓୟେ କୋମ୍ପାନିଙ୍କ ସଦର ମହକୁମା । ଏଠାରେ କୋମ୍ପାନିଙ୍କ ଅଫିସ ଏବଂ କାରଖାନା ପ୍ରଭୃତିର ବିସ୍ତୃତ ସମାବେଶ ଦେଖିଲି ।

 

ଏହିଠାରୁ ଆମ୍ଭମାନଙ୍କର ଅଳ୍ପ ଅଳ୍ପ ତନ୍ଦ୍ରାକର୍ଷଣ ଆରମ୍ଭ ହେଲା । ଏ ଅଞ୍ଚଳରେ ରେଲଗାଡ଼ୀରେ ଚୌର୍ଯ୍ୟଭୟ ଅଧିକ, ସୁତରାଂ ତନ୍ଦ୍ରାର ନିଦ୍ରାପରିଣତିର ଅବସର ହେଲା ନାହିଁ ।

 

ଗାଡ଼ୀ କ୍ରମଶଃ ଆଠୋଟି ଷ୍ଟେସନ ଅତିକ୍ରମ କରି ରାତ୍ରି ପ୍ରାୟ ୨ଟା ବେଳେ କୁରୁଚେଡ଼ୁ ଷ୍ଟେସନରେ ଉପସ୍ଥିତ ହେଲା । ଏହିଠାରୁ ନେଲୋର ଜିଲ୍ଲାର ଆରମ୍ଭ । ଏହାର ପରିମାଣ ୮୭୬୫ ବର୍ଗମାଇଲ ଏବଂ ଲୋକସଂଖ୍ୟା ୧୪୬୩୬୩୬ । ଏଥିରେ ୧୯୦୧ ଖଣ୍ଡି ଗ୍ରାମ ଅଛି । ଏହାର ପ୍ରଧାନ ନଗର ନେଲୋର ସହର ବଙ୍ଗୋପସାଗର ତୀରବର୍ତ୍ତୀ । ଏ ସହରର ଲୋକସଂଖ୍ୟା ୨୯୩୩୬ ।

 

ଏ ଜିଲ୍ଲାରେ ଦୁଇଗୋଟି ପ୍ରସିଦ୍ଧ ରାଜ୍ୟ ଅଛି । ପ୍ରଥମ କଳାହସ୍ତୀ ରାଜ୍ୟ, ଏହାର ଆୟ ପ୍ରାୟ ୨୪ ଲକ୍ଷ ଟଙ୍କା, ଏବଂ ଅପରଟି ଭେଙ୍କଟଗିରି ରାଜ୍ୟ, ଆୟ ପ୍ରାୟ ୫ ଲକ୍ଷ ଟଙ୍କା । ପ୍ରସିଦ୍ଧ ଭ୍ୟଙ୍କଟାଚଳକ୍ଷେତ୍ର ଶେଷୋକ୍ତ ରାଜ୍ୟରେ ଅବସ୍ଥିତ । ପୁରୀ, ଭୂବନେଶ୍ୱର ଏବଂ ଭ୍ୟଙ୍କଟାଚଳ, ଏହି ତିନି ସ୍ଥାନରେ ମହାପ୍ରସାଦ ସେବନରେ ଜାତିଭେଦ ବିଚାର କରିବାକୁ ହୁଏ ନାହିଁ, ଭୁବନେଶ୍ୱର ମାହାତ୍ମ୍ୟ ଏକାମ୍ରପୁରାଣରୁ ନିମ୍ନଲିଖିତ ଶ୍ଲୋକଟି ଏ ବିଷୟରେ ପ୍ରମାଣସ୍ୱରୂପ ଗୃହୀତ ହୋଇଥାଏ ।

 

‘‘ସ୍ୱର୍ଣ୍ଣାଦ୍ରୌ ଚୈବ ନୀଳାଦ୍ରୌ ତଥା ଚ ଭ୍ୟଙ୍କଟାଚଳେ ।

ମହାପ୍ରସାଦମତ୍ରାଦ୍ୟାଦିତି ପୌରାଣିସ୍ମ୍ୟତିଃ ।’’

 

ଏହି ସବୁ ରାଜ୍ୟରେ ତାମ୍ର, ଲୌହ ଏବଂ ମୁଗୁନିପ୍ରସ୍ତରର ବୃହତ୍ ବୃହତ୍ ଆକର ଅଛି ।

 

୩୦୮୦୯୫ ଶନିବାର-ଉଷାର ପୂର୍ବକ୍ଷଣରେ ଆମ୍ଭେମାନେ କମ୍‌ବମ୍ ଷ୍ଟେସନରେ ପହଁଚିଲୁଁ । ଏହା ଗୋଟିଏ କ୍ଷୁଦ୍ର ସହର, ଏବଂ ଏହାର ଅଧିବାସୀ ସଂଖ୍ୟା ୧୯୭୪୨ । ଏହିଠାରୁ କର୍‌ନୁଲ ଜିଲ୍ଲା ପଡ଼ିଲା । କର୍‌ନୁଲ ଜିଲ୍ଲା ପରିମାଣ ଫଳ ୭୫୧୪ ବର୍ଗମାଇଲ, ଲୋକସଂଖ୍ୟା ୮୧୭୧୧୧ ଏବଂ ଗ୍ରାମସଂଖ୍ୟା ୭୮୬ । ଏହାର ପ୍ରଧାନ ନଗର କର୍‌ନୁଲରେ ୨୪୩୭୬ ମନୁଷ୍ୟ ବାସ କରନ୍ତି । ଏହି ଷ୍ଟେସନରେ ଗାଡ଼ୀ ପ୍ରାୟ ୨୦ ମିନିଟ୍ ରହିଥିଲା ।

 

କ୍ରମେ କ୍ରମେ ପୂର୍ବଘାଟ ପର୍ବତର ବିରାଟ ସମାବେଶ ଆରମ୍ଭ ହେଲା । ବର୍ତ୍ତମାନ ବାଳାକର ଲୋହିତ କିରଣରେ ଦଶଦିଗ ଉଜ୍ଜ୍ୱଳ । ଭୀଷଣଦର୍ଶନ ଶୈଳଶ୍ରେଣୀର ପରିସ୍ଫୁଟ ଛବି ଆମ୍ଭମାନଙ୍କର ପୁରୋବର୍ତ୍ତୀ ।

 

ଏହିଠାରୁ ୭୦୦୦ ।୮୦୦୦ ଫୁଟ ଉଚ୍ଚ ଶୃଙ୍ଗମାନଙ୍କର କ୍ରୋଶ କ୍ରୋଶ ବ୍ୟାପୀ ଭୀମଦର୍ଶନ ଦୃଶ୍ୟ ! ନେଲୋର ଜିଲ୍ଲା ପାର ହେଲା ଉତ୍ତାରୁ ଏହା ଯେପରି ଏକ ସମ୍ପର୍ଣ୍ଣ ନୂତନ ଦେଶ,–ପ୍ରଭୃତି ହଠାତ୍ ପଟ ପରିବର୍ତ୍ତନ କରି ଦେଲା ପରି ବୋଧ ହେଲା । ପ୍ରକୃତିର ଲଳିତମୂର୍ତ୍ତି ପରବର୍ତ୍ତରେ ବିରାଟମୂର୍ତ୍ତିର ଆର୍ବିଭାବ ହେଲା । ହୃଦୟ ଉଲ୍ଲାସର ରାଜ୍ୟରୁ ବିସ୍ମୟର ରାଜ୍ୟରେ ପ୍ରବିଷ୍ଟ ହେଲା ।

 

ଗିଡ଼ାଲୁର ଷ୍ଟେସନରୁ ଚକ୍ଷୁର ସମକ୍ଷରେ ଶ୍ୟାମଳରୁ କ୍ରମଶଃ ନୀଳାୟମାନ ନୀରନ୍ଧ୍ର ଅରଣ୍ୟାନୀର ଗୋଟିଏ ଗମ୍ଭୀର ଦୃଶ୍ୟପଟ ସହସା ଉଦ୍‌ଘାଟିତ ହେଲା । ଦୂରଦିକ୍‌ପଟରେ ମୁଦ୍ରିତ ମେଘମାଳାବତ୍ ଖୁନ୍ଦାଖୁନ୍ଦି ହେଲାପରି ନୀଳଶୈଳଶ୍ରେଣୀର ଦୃଶ୍ୟଗାମ୍ଭୀର୍ଯ୍ୟରେ ମନ ଅଭିଭୂତ ହୋଇ ପଡ଼ିଲା । ଏହି ସବୁ ସ୍ଥାନରେ ଲୌହବର୍ତ୍ତୃର କେଡ଼େ ଶିଳ୍ପଚାତୁରୀ, ଭାବିଲେ ବିସ୍ମିତ ହେବାକୁ ହୁଏ । କେଉଁ କେଉଁ ସ୍ଥାନରେ ୨ ।୩ ମାଇଲ ଲମ୍ବା ୪୦୦ ।୫୦୦ ଫୁଟ ଉଚ୍ଚର ପାହାଡ଼ କଟା ହୋଇ ମଧ୍ୟରେ ମାର୍ଗ ପ୍ରସ୍ତୁତ ହୋଇଅଛି, କେଉଁ ସ୍ଥାନରେ ଅବା ଦୁଇ ପାହାଡ଼ର ମଧ୍ୟବର୍ତ୍ତୀ ଗଭୀର ଦ୍ରୋଣି ଉପରେ ସେତୁ ନିର୍ମିତ । ଏହି ସେତୁ ଉପରୁ ଗାଡ଼ୀର ଗତିବେଳେ ନିମ୍ନକୁ ଦୃଷ୍ଟିପାତ କଲେ ଅନ୍ଧତମସାଚ୍ଛନ୍ନ ରସାତଳବତ୍ ବୋଧ ହୁଏ । ଏତଦ୍‌ବ୍ୟତୀତ ବର୍ତ୍ତୁର ଉଭୟ ପାର୍ଶ୍ୱରେ ବନଦେବତା ପ୍ରାସାଦକୃତି ସାଳଶାକାଦି ତରୁବୃନ୍ଦର ଅବିଶ୍ରାନ୍ତ ଅରଣ୍ୟଶ୍ରେଣୀ ।

 

ଘୋର ଧାରା ଶ୍ରାବଣର ସମୟ, ଅଥଚ ଏ ପ୍ରଦେଶରେ ଆଦୌ ବର୍ଷା ନାହିଁ । ଦକ୍ଷିଣରେ ନୀଳଗିରି, ସୁତରାଂ ଅନବରତ ବସନ୍ତର ମଳୟପବନର ଆର୍ବିଭାବରେ ମନ ପ୍ରଫୁଲ୍ଲ ହେଉଥାଏ । ବାସ୍ତବ ଏ ଅଞ୍ଚଳଟି ଚିରବସନ୍ତର କ୍ରୀଡ଼ାଭୂମି ! ସୁଶୀତଳ ମଳୟାନିଳ-ସଞ୍ଚାଳିତ-ନବପଲ୍ଲବାବଳୀ ମୋହର ଚିତ୍ତକୁ ଏପରି ଆକର୍ଷଣ କରିଥିଲା ଯେ ମୁଁ ପ୍ରାୟ ଅର୍ଦ୍ଧଘଣ୍ଟାକାଳ ଆତ୍ମବିସ୍ମୃତ ପରି ଅପଲକଚକ୍ଷୁରେ ସେହି ଶୋଭା ଦେଖୁଥିଲି । ବିଶାଳ ପର୍ବତମଧ୍ୟସ୍ଥିତ ଦୃଶ୍ୟଗୁଡ଼ିକ ଅତିସୁନ୍ଦର, କେଉଁଠାରେ ବୃହତ୍ ବୃହତ୍ ଉପଳଖଣ୍ଡ ସ୍ତୁପାକାରରେ ସଜ୍ଜିତ, କେଉଁ ସ୍ଥାନରେ ଅବା ପାହାଡ଼ ଭେଦ କରି ମୃଦୁବାହିନୀ ନିର୍ଝରିଣୀ ପ୍ରବାହିତା । କେଉଁଠାରେ ଅବା ନଟିବନାଚ୍ଛନ୍ନ ତମୋମୟ କନ୍ଦରା ମୁଖ ବ୍ୟାଦାନ କରି ରହିଅଛି । ଏହିରୂପେ ଭୃଗୁ ଉପରେ ଭୃଗୁ, ଶୃଙ୍ଗ ଉପରେ ଶୃଙ୍ଗ ବନ ଉପରେ ବନ, କ୍ରମଶଃ, ଉର୍ଦ୍ଧ୍ୱକୁ ଉଠି ଆକାଶରେ ମିଶି ଯାଇଅଛି ।

 

ମଧ୍ୟରେ ଡିଗୁରେମେଟ୍ଟା ଷ୍ଟେସନ ପଡ଼ିଲା । ଏ ଷ୍ଟେସନ ନିକଟରେ ଗ୍ରାମ ଅଥବା ସହର ନାହିଁ, କେବଳ ଗାଡ଼ୀର ଦୀର୍ଘଗତି ଉତ୍ତାରୁ ଅଳ୍ପ ବିଶ୍ରାମ ନିମିତ୍ତ ଏହା ପ୍ରସ୍ତୁତ ହୋଇଅଛି । ଏହିଠାରୁ ପ୍ରକୃତିର ବିଶ୍ୱୋନ୍ମାଦକ ଅଖଣ୍ଡ ସୌନ୍ଦର୍ଯ୍ୟର ବର୍ଣ୍ଣନା ମୋହର ବିଫଳପ୍ରୟାସ । ଓଡ଼ିଶାର ଗଡ଼ଜାତ ମଧ୍ୟରେ କୌଣସି ଜଙ୍ଗଲ ଏବଂ ପାର୍ବତ୍ୟପ୍ରଦେଶ, ଏହା ସହିତ ଆଦୌ ତୁଳନୀୟ ନୁହେ । ସର୍ବପ୍ରଧାନ କଥା ଓଡ଼ିଶାରେ ଏତେ ବଡ଼ ବଡ଼ ପର୍ବତ କାହିଁ ? ଗୋଟିଏ ଗୋଟିଏ ଗିରିଶୃଙ୍ଗର ଉଚ୍ଚତା ୭୦୦୦ । ୮୦୦୦ ଫୁଟ, ନିବିଡ଼ ମହାରଣ୍ୟରେ ଆମୂଳଚୂଳ ବିଭୂଷିତ ହୋଇ ସର୍ବାଙ୍ଗରେ ଦଣ୍ଡାୟମାନ । ପ୍ରକୃତିର ଏହି ବିରାଟଭାବ ଓଡ଼ିଶାରେ ଉପଲବ୍ଧ ହେବାର ସମ୍ଭାବନା କାହିଁ ? ରେଲର ଉଭୟପାର୍ଶ୍ୱରେ ୫୦ ।୬୦ ମାଇଲ ପର୍ଯ୍ୟନ୍ତ ଏହିପରି ଦୃଶ୍ୟରେ ଲୀଳାଭୂମି, ସୁତରାଂ କେଡ଼େ ଭୀଷଣତାମିଶ୍ରିତ ଗାମ୍ଭୀର୍ଯ୍ୟ ସୌନ୍ଦର୍ଯ୍ୟର ପୁର୍ଣ୍ଣ ବିକାଶ, ଏହା ଦେଖିବାର କଥା, ଲେଖିବାର କଥା ନୁହେ ।

 

ଏହି ମହାରଣ୍ୟଗୁଡ଼ିକ କେଡ଼େ ପ୍ରଶାନ୍ତଗମ୍ଭୀର । କେଉଁଠାରେ ସ୍ନିଗ୍ଧଶ୍ୟାମ, କେଉଁଠାରେ ଅବା ଭୀଷଣ ରୁକ୍ଷଦୃଶ୍ୟ । ସ୍ଥାନେ ସ୍ଥାନେ ବିରନ୍ତର ନିର୍ଝର-ଝରଝରମୁଖରିତ । ୧୫୦ ମାଇଲ ବିସ୍ତୃତିର ସୁଦୀର୍ଘ ଦକ୍ଷିଣାରଣ୍ୟ ନିରବଚ୍ଛିନ୍ନ ଭାବରେ ଚାଲିଅଛି । ଏହି ଅରଣ୍ୟଭୂମି ଚିରକାଳ ଲୋକଲୋମହର୍ଷକାରିଣୀ-ଏଠାର ଗିରିଗହ୍ୱରସବୁ ଉନ୍ମତ୍ତ ପ୍ରଚଣ୍ଡ ଶ୍ୱାପଦସଙ୍କୁଳ । କେଉଁ ସ୍ଥାନ ଏକାବେଳେକେ ନିଷ୍କୁତସ୍ତିମିତ, କେଉଁ ସ୍ଥାନ ନିରନ୍ତର ପକ୍ଷିକଣ୍ଠଧ୍ୱନିତ, କେଉଁସ୍ଥାନ ଅବା କରାଳ କାକୋଦରଗର୍ତ୍ତଭୀଷଣ । ବହୁଦୂରର ଘନସନ୍ନିବିଷ୍ଟ ବୃକ୍ଷସମୂହରେ ନିରନ୍ତର ସ୍ନିଗ୍ଧନୀଳପରିସର ତୁଙ୍ଗଭଦ୍ରାମୁଖରିତ ବୃହଦାରଣ୍ୟପ୍ରଦେଶ ସୌରକରୋଦ୍ଭାସିତ ହୋଇ କେଡ଼େ ନୟନାନନ୍ଦକର ହୋଇଥିଲା !

 

ଅହୋ ! ହଠାତ୍ ଏହା ପୁଣି କଅଣ ! ଦେଖୁଁ ଦେଖୁଁ ନିବିଡ଼ ଘନ ଅନ୍ଧକାର ! ଏହା ସ୍ୱପ୍ନ ନା ପ୍ରତ୍ୟକ୍ଷ ! ଏତେ ଅନ୍ଧକାର ଏ ପୃଥିବୀରେ ଅଛି ! ଆମ୍ଭେମାନେ କେଉଁଠାରେ ବସିଅଛୁଁ ଜାଣି ପାରୁ ନାହୁଁ, କେବଳ ରେଲଗାଡ଼ୀର ଅନବରତ ଝଣ ଝଣ ଶବ୍ଦ ! ବର୍ତ୍ତମାନ ଗାଡ଼ି ଚାଲିଅଛି, ନା କୌଣସି ଅଜ୍ଞାତ ଦୁର୍ଘଟଣାବଶତଃ ତମୋମୟ ଗିରିଗହ୍ୱର ଭିତରକୁ ନିମ୍ନ ମୁଖରେ ଧାବିତ ? ହଠାତ୍ କିଛି ନ ବୁଝି ପାରିବାରୁ ଏ ଘୋର ଅନ୍ଧକାରରେ ଶତଶତ ଭୟର ବିଭୀଷିକାମୂର୍ତ୍ତି ଆମ୍ଭମାନଙ୍କ ସମ୍ମୁଖରେ କରାଲ ତାଣ୍ଡବ ଆରମ୍ଭ କଲା । କବିମାନେ ଯେ ଅନ୍ଧକାରକୁ ସୂଚିଭେଦ୍ୟ କିମ୍ବା ମୁଷ୍ଟିଗ୍ରାହ୍ୟ ବୋଲି ବର୍ଣ୍ଣନା କରନ୍ତି ତାହା ଏହି ଅନ୍ଧାକାର । ଦାରୁଣ ଦୂରପେନୟ ବିପଦର ଆସହ୍ୟ କୁହଭରେ ନିଜ ନିତକୁ ପ୍ରବିଷ୍ଟ ମଣି ଆମ୍ଭେମାନେ ଚକିତ, ସ୍ତବ୍ଧ ଏବଂ ଅଭିଭୁତ ହୋଇଗଲୁଁ ।

 

ଏହି ଘଟଣା ୧୦ ମିନିଟ୍‌ରୁ ବେଶୀ ସ୍ଥାୟୀ ହୋଇ ନ ଥିଲା । ସହସା ମଧୁର ସୂର୍ଯ୍ୟାଲୋକର ଆର୍ବିଭାବ । ଚତୁର୍ଦ୍ଦିଗରେ ଦୃଷ୍ଟି ନିକ୍ଷେପ କରି ସମସ୍ତ ପୂର୍ବଘଟଣା ବୁଝି ପାରିଲି । ଏ ଘଟଣାରେ ପଡ଼ି ଆମ୍ଭେମାନେ ରେଲଓୟେ ଶିଳ୍ପଚାତୁର୍ଯ୍ୟର ପରାକାଷ୍ଠା ସମ୍ୟକ୍ ଅବଗତ ହେଲୁଁ । ଏହାକୁ ଇଂରାଜୀରେ Tunnel କହନ୍ତି । ଏହିଠାରେ ୨୫୦୦ । ୩୦୦୦ ଫୁଟ ଉଚ୍ଚ ପର୍ବତ ତଳେ ସୁଡ଼ଙ୍ଗ କଟା ହୋଇ ରେଲରାସ୍ତା ଯାଇଅଛି । ମସ୍ତକ ଉପରେ ୨୫୦୦ । ୩୦୦୦ ଫୁଟର ବିଶାଳ ପର୍ବତ, ଅଥଚ ଆମ୍ଭେମାନେ ଏହି ପ୍ରକାଣ୍ଡ ପର୍ବତର ଅସମ୍ଭବ ଭାର ଅକ୍ଲେଶରେ ବହନ କରିଥିଲୁଁ !! ଆମ୍ଭେମାନେ କେଡ଼େ ବଳିଷ୍ଠ ଏବଂ ବୀରପୁରୁଷ !! ବାସ୍ତବିକ ଏଠାର ଶିଳ୍ପଗରିମା ଦେଖି ଇଂରାଜରାଜତ୍ୱକୁ ଶତ ସହସ୍ର ଧନ୍ୟବାଦ ଦେବାକୁ ଇଚ୍ଛା ହୁଏ ! ଏ ବିରାଟଶିଳ୍ପ ଯେଉଁମାନଙ୍କର ଭିଆଣ, ସେହିମାନେ ସିନା ବିରାଟ (କ୍ଷତ୍ରିୟ) ପଦବାଚ୍ୟ !

 

ଏହାର ୩ ମାଇଲ ପରେ ଚେଲମା ଷ୍ଟେସନ ପଡ଼ିଲା । ଏ ଷ୍ଟେସନଟି ଘୋରାରଣ୍ୟ ମଧ୍ୟରେ । ଜନପ୍ରାଣୀର କୋଳାହଳ ନାହିଁ, ଗଭୀର ନିସ୍ତବ୍ଧତା ରାଜତ୍ୱ କରୁଅଛି । ରେଲଓୟେ କୁଲିମାନଙ୍କ ୭ ।୮ଟି କୁଟିର ଏବଂ ଯୋଡ଼ିଏ କ୍ଷୁଦ୍ର କ୍ଷୁଦ୍ର ଷ୍ଟେସନଗୃହ । ଏଠା ନିବାସିଲୋକଙ୍କର ଜୀବନକୁ ଗୃହାଶ୍ରମ ଏବଂ ବାନପ୍ରସ୍ଥାଶ୍ରମର ସମବାୟ ବୋଲା ଯାଇ ପାରେ । ରାତ୍ରରେ ଏଠାରେ ଆମିଷାନ୍ୱେଷି ବ୍ୟାଘ୍ର ଗର୍ଜ୍ଜନ ଏବଂ ଗୃହାବାସୀ ଭଲ୍ଲୂକ ହିକ୍କାଦ୍ୱାରା ଚତୁର୍ଦ୍ଦିଗ ପ୍ରତିଧ୍ୱନିତ ହୋଇ ଗଭୀର ନିସ୍ତବତା ଭଙ୍ଗ କରୁଥାଏ ।

 

ନିର୍ଦ୍ଧିଷ୍ଟ ବିରାମ ଉତ୍ତାରୁ ଗାଡ଼ୀ ଧାବିତ ହେଲା । କେଡ଼େ ମଧୁର ଦୃଶ୍ୟ । ଭିନ୍ନ ପ୍ରକାରର ସହସ୍ର ସହସ୍ର ବୃକ୍ଷରାଜି ଫଳ ଫୁଲରେ ଶୋଭିତ ହୋଇ ଅପୂର୍ବ ଶ୍ରୀ ଧାରଣ କରିଅଛି । ଏଠାରେ ଯୋଡ଼ିଏ ଗିରିନଦୀ ପଡ଼ିଲା । ଉପରେ ଯେଉଁ ସେତୁ ନିର୍ମିତ, ତାହା ନଦୀଠାରୁ ପ୍ରାୟ ୧୫୦ ।୨୦୦ ଫୁଟ ଉର୍ଦ୍ଧ୍ୱରେ । ନଦୀର ଜଳ କେଡ଼େ ସ୍ୱଚ୍ଛ, ଏତବଂ ଏହା ମଧ୍ୟରେ ବୃହତ୍ ବୃହତ୍ ଉପଳଖଣ୍ଡର ସମାବେଶ,-ସେଥିରେ ସ୍ରୋତ ଶତଧା ବିଶୀର୍ଣ୍ଣ ହୋଇ ଝର୍ଝର ନାଦରେ କର୍ଣ୍ଣ ବଧିର କରି ଦେଉଅଛି । ସ୍ଥାନଟି ଅତ୍ୟନ୍ତ ଭାବପୂର୍ଣ୍ଣ । ଏଠାରେ ‘‘ପୃକ୍ତସ୍ତୁଷାଭୈଗିରି ନିର୍ଝରାଣାମୁ, ଅନୌକହାକମ୍ପିତ ପୁଷ୍ପ ଗନ୍ଧୀ’’ ଶୈଳାନିଳ ସେବନ କଲେ ନିତାନ୍ତ ଅରସିକମାନଙ୍କ ମୁହଁରୁ ମଧ୍ୟ ପଦେ ଅଧେ ସରସ କଥା ବାହାରି ପଡ଼ିବ ।

 

କେତେକଦୂର ଉତ୍ତାରୁ ପୂର୍ବପ୍ରାୟ ଗୋଟିଏ ସାନ ସୁଡ଼ଙ୍ଗ ପଡ଼ିଲା । ଏଥିରେ ସେତେ ଅନ୍ଧକାର ନାହିଁ, ଏବଂ ଏହା ବହୁକ୍ଷଣସ୍ଥାୟୀ ନୁହେ,-ପ୍ରାୟ ୩ ମିନିଟ । ଏଠାରେ ସୁଡ଼ଙ୍ଗଗର୍ଭ ପର୍ବତଟିର ଉଚ୍ଚା ୨୦୦ ।୩୦୦ ଫୁଟର ଅଧିକ ନୁହେ ।

 

ପୂର୍ବାହ୍ନ ୯ ଘଟିକା ସମୟରେ ଗାଡ଼ୀ ଗାଜିଲ୍‌ପଲ୍ଲୀ ଷ୍ଟେସନରେ ଉପସ୍ଥିତ ହେଲା । ଏହାର ପରବର୍ତ୍ତୀ ଷ୍ଟେସନ ନନ୍ଦିଆଲରେ ଆମ୍ଭେମାନେ ଅବତରଣ କରିବୁଁ, ସୁତରାଂ ଏହିଠାରୁ ପ୍ରସ୍ତୁତ ରହିବାକୁ ହେଲା ।

 

ଯଥାସମୟରେ ନନ୍ଦିଆଲ ଷ୍ଟେସନରେ ଗାଡ଼ୀ ଲାଗିଲା । ଏଠାରେ ଆମ୍ଭମାନଙ୍କ କେହି ବନ୍ଧୁ ନାହାନ୍ତି, ନନ୍ଦିଆଲ ସହର ମଧ୍ୟ ଷ୍ଟେସନରୁ ପ୍ରାୟ ୩ମାଇଲ, ଅତଏବ, ଷ୍ଟେସନରୁ ୨୦୦ ହାତ ବ୍ୟବଧାନରେ ସ୍ଥିତ ଚୋଲଟ୍ରିରେ ଅବସ୍ଥାନ କଲୁଁ । ଏ ଚୋଲଟ୍ରିଟି ଗଭର୍ଣ୍ଣମେଣ୍ଟଙ୍କର, ସୁତରାଂ Locl Funds' Choultry ନାମରେ ଅଭିହିତ । ଏହା ନିକଟରେ ଗୋଟିଏ ଗ୍ରାମ ଅଛି ସତ୍ୟ, କିନ୍ତୁ ଖାଦ୍ୟପଦାର୍ଥ ଏବଂ ଜଳର ନିତାନ୍ତ ଅଭାବ । ରନ୍ଧନସାମଗ୍ରୀ ପ୍ରଭୃତି ନନ୍ଦିଆଲ ସହରରେ ମିଳେ ।

 

ଏଠାରେ ଉପନୀତ ହେଲା ବେଳକୁ ପ୍ରାୟ ପୂର୍ବାହ୍ନ ୧୧ ଘଟିକା ହୋଇଥିଲା । ସହରକୁ ଯାଇ ରନ୍ଧନସାମଗ୍ରୀ ଆଣି, ରୋଷାଇ କଲେ ପ୍ରାୟ ଅପରାହ୍ନ ୩ଟା ବାଜିଯିବ । ଅଗତ୍ୟା ଆମ୍ଭେମାନେ ଏ ଦେଶର ଅପୂର୍ବ ଜଳଖିଆ ଉପରେ ସମ୍ପୂର୍ଣ୍ଣ ନିର୍ଭର କଲୁଁ । ଜଳଖିଆର ବର୍ଣ୍ଣନା ଆବଶ୍ୟକ ନ ହେଲେହେଁ ସେଥି ସମ୍ବନ୍ଧରେ ପଦେ ଅଧେ କହିବାର ଉଚିତ । ବ୍ରୀହିରେ ପ୍ରସ୍ତୁତ ‘‘ବରା’’, ‘‘ବାଇଗଣି’’ ‘‘ପିଆଜି’’ ପ୍ରଭୃତି,-ଏ ଚୂଡ଼ିକ ପୁଣି ଲୋହିତ ଲଙ୍କାମରିଚ ଅଳଙ୍କାରରେ ଶୋଭିତ ! ବୁଟଭଜା, ହରଡ଼ଭଜା ପ୍ରଭୃତିର ମଧ୍ୟ ଅଭାବ ନାହିଁ, କିନ୍ତୁ ଲଙ୍କାମରିଚ ପ୍ରସାଦରୁ ଅତ୍ୟନ୍ତ କଟୁ । ମୋଟ ଚୂଡ଼ା ଟ ୯ ରେ କିଣିଲେ ୨ ଜଣରୁ ଅଧିକ ଲୋକଙ୍କୁ ଅଣ୍ଟିବ ନାହିଁ । ଆମ୍ଭମାନଙ୍କ ଦେଶରେ ଏକ ପଇସାର ଚୂଡ଼ା ଜଣକୁ ବେଶୀ ହୋଇ ପଡ଼ିବ, କିନ୍ତୁ ଏ ଅଞ୍ଚଳରେ ଏତେ ମୂଲ୍ୟ ! ମାରବାଡ଼ିମାନଙ୍କ କୃପାରୁ ରେଲଓୟେ ଷ୍ଟେସନରେ ମିଠେଇ, ବେଲଗ୍ରାମ, ବାଲୁସାଇ, ନିଖୁତି ଓ ମୋତିଚୂର ପ୍ରଭୃତିର ଅଭାବ ନାହିଁ, କିନ୍ତୁ ସେଥିରେ ଏତେ ଚିନି ମିଶ୍ରିତ ଯେ ଥରେ ବ୍ୟବହାର କଲା ମାତ୍ରେ ସହସା ଉଦ୍ଗାର ଉପସ୍ଥିତ ହୁଏ, ଏବଂ ଅନ୍ୟାନ୍ୟ ଖାଦ୍ୟପଦାର୍ଥ ପରି ମଧ୍ୟ ଦୁର୍ମ୍ମୁଲ୍ୟ ।

 

ନିତାନ୍ତ ଅନିଚ୍ଛାସତ୍ତ୍ୱେ, ଅୟଶ୍ଚଣକଜୀର୍ଣ୍ଣକାରିଣୀ ଦାରୁଣ କ୍ଷୁଧାର ପ୍ରେରଣାରେ, ଆମ୍ଭେମାନେ ଉପରୋକ୍ତ ଜଳଖିଆ ଗୁଡ଼ିକରୁ କିଛି ଉଦରସାତ୍ କଲୁଁ । ଏ ଗ୍ରାମ ମଧ୍ୟରେ ଗୋଟିଏ ବାମ୍ପି ଅଛି, ବାମ୍ପି ମଧ୍ୟସ୍ଥିତ ପାଣି ନିକଟ ପର୍ଯ୍ୟନ୍ତ ସୁନ୍ଦର ସୋପନାବଳୀ । ଏହି ଜଳରେ ସ୍ନାନ ହୁଏ, ଏବଂ ଏହାହିଁ ପାନୀୟରୂପେ ବ୍ୟବହୃତ । ଏପରି ଜଳର ଅସ୍ୱାସ୍ଥ୍ୟକରତା ସମ୍ବନ୍ଧରେ ବାଗ୍ବ୍ୟୟ ଅନାବଶ୍ୟକ । ଅନେକ ସ୍ଥଳରେ ପୋଖରୀରେ ସ୍ନାନ ଏବଂ ପାନର ସୁବିଧା ଦେଖାଯାଏ ସତ୍ୟ, କିନ୍ତୁ ବାମ୍ଫିରେ ଏପରି ପଦ୍ଧତିର ଉଦାହରଣ ଅନ୍ୟତ୍ର ଦେଖି ନାହିଁ ।

 

ବିଶ୍ରାମାନନ୍ତର ମୋହର ଜଣେ ଭୃତ୍ୟ ଏବଂ ପାଚକ ନନ୍ଦିଆଲ ସହରକୁ ରନ୍ଧନସାମଗ୍ରୀ ନିମିତ୍ତ ପ୍ରସ୍ଥାନ କଲେ । ଅବଶିଷ୍ଟ ଭୃତ୍ୟ ସହିତ ମୁଁ ଏହି ବନ୍ଧୁବିହୀନ ନିର୍ଜ୍ଜନ ସ୍ଥାନରେ ରହିଲି ।

 

ଏହା ଗୋଟିଏ ବିସ୍ତୀର୍ଣ୍ଣ ପ୍ରାନ୍ତର ମଧ୍ୟରେ ଅବସ୍ଥିତ, ବେଳବାଡ଼ା ନିକଟରୁ ଆମ୍ଭେମାନେ ଧାନ୍ୟକ୍ଷେତ୍ର ଛାଡ଼ି ଆସିଅଛୁଁ-ଏ ଅଞ୍ଚଳରେ କେବଳ ‘‘କାଙ୍ଗୁ’’, ‘‘ମାଣ୍ଡିଆ’’ ଏବଂ ‘‘ବାଜରା’’ ପ୍ରଭୃତିର କ୍ଷେତ୍ର ସମୂହ । ଏହି ଗୁଡ଼ିକହିଁଏ ଦେଶର ପ୍ରଧାନ ଖାଦ୍ୟ, ମଧ୍ୟବିତ୍ ଏବଂ ଧନିମାନେ କଦାଚିତ୍ ଚାଉଳର ସଦ୍‌ବ୍ୟବହାର କରିଥାଆନ୍ତି । ଏହି ଶସ୍ୟର କୃଷି ସକାଶ ଜଳର ଲୋଡ଼ା ନାହିଁ, ଏ ଅଞ୍ଚଳରେ ମଧ୍ର ଅଧିକାଂଶ ସମୟରେ ବର୍ଷା ହୁଅଇ ନାହିଁ । ସୁତାରଂ ଚାଉଳ ଅତ୍ୟନ୍ତ ଦୁର୍ମ୍ମୂଲ୍ୟ, ଟଙ୍କାରେ ପ୍ରାୟ ୫ । ୬ ସେର । ଓଡ଼ିଶାରେ କେବଳ ବଡ଼ ବଡ଼ ଦୁର୍ଭିକ୍ଷରେ ଏପରି ଶୁଣାଯାଏ ।

 

ଏଠାରେ ନୀଳ ଚାଷର ସଧ୍ୟ ବିସ୍ତୃତ କ୍ଷେତ୍ର ଦେଖିଲି । ସ୍ଥାନେ, ସ୍ଥାନେ ପ୍ରକାଣ୍ଡ ନୀଳକୋଠି,-ଇଂରାଜ ବ୍ୟବସାୟିମାନଙ୍କ କୁରୁଚି ପୂର୍ଣ୍ଣ ଲୀଳାଭୂମି । ବଙ୍ଗ ଦେଶର ନାଟ୍ୟକୂଳଚୂଡ଼ାମଣି ସ୍ୱର୍ଗୀୟ ରାୟ ଦୀନବନ୍ଧୁ ମିତ୍ର ବାହାଦୂରଙ୍କ ପ୍ରସିଦ୍ଧ ‘‘ନୀଳଦର୍ପଣ’’ ନାଟକର କେତେକଅଂଶ ମୋହର ମନେ ପଡ଼ିଲା । ଏହି ନିୀଳଦର୍ପଣ ନାଟକ ପ୍ରଣୟନ ଦ୍ୱାରା ସେ ବଙ୍ଗ ଦେଶର କେଡ଼େ ଉପକାର କରି ଅଛନ୍ତି, ତାହା ବ୍ୟାଖ୍ୟାନ କରିବା ବାହୁଲ୍ପ ମାତ୍ର । ଏ ଅଞ୍ଚଳରେ ଯେ ସେପରି ପାଶବ ଅତ୍ୟାଚାର ହୋଇ ନଥିବ,ଏହା କଦାପି ସମ୍ଭବପର ନୁହେଁ, ମାତ୍ର ତାହାକୁ ପଦାକୁ ଓଟାରି ଆଣିବାର ପ୍ରତିଭା ଏ ଦେଶରେ ଅବଧି ଆବିର୍ଭୂତ ହୋଇ ନାହିଁ ।

 

ଅପରାହ୍ନ ଘ ୪ ଟିକା ବେଳକୁ ଭୃତ୍ୟମାନେ ସହରରୁ ଫେରି ଆସିଲେ । ଆମ୍ଭେମାନେ ଏ ଦେଶର ଭାଷାନଭିଜ୍ଞ, ସୁତରାଂ କୌଣସି ଦ୍ରବ୍ୟ କ୍ରୟ ସମୟରେ କିପରି ବିପଦରେ ପଡ଼ିବାକୁ ହୁଏ, ତାହା ଅତି ସହଜରେ ଅନୁମେୟ । ତେବେ, କେତେ ଗୁଡ଼ିଏ ନିତାନ୍ତ ପ୍ରୟୋଜନୀୟ ପଦାର୍ଥରର ତୈଲଙ୍ଗ ନାମ ଆମ୍ଭମାନଙ୍କୁ ମୂଖସ୍ଥ ରଖିବାକୁ ହୋଇଥିଲା,ଏହିଥିରେ ରକ୍ଷା !

 

ପାଚକ ରନ୍ଧନ କାର୍ଯ୍ୟରେ ବ୍ୟସ୍ତ ରହିଲେ । ଗତ କାଲିର ସନ୍ଧ୍ୟାରୁ ଆମ୍ଭମାନଙ୍କର ଏକରୂପ ଅନାହାର କହିଲେ ଚଳେ । ପୁଣି ଅନବରତ ରେଲଗାଡ଼ୀରେ ବସି ବସି ନିତାନ୍ତ କ୍ଲାନ୍ତ ହୋଇଅଛୁଁ, ବର୍ତ୍ତମାନ ଭାତ ଅତୀବ ପ୍ରିୟ ବସ୍ତୁ ପରି ବୋଧ ହେଲା । ଅଭାବ ସିନା ବସ୍ତୁର ମୂଲ୍ୟ ଚିହ୍ନାଇ ଦିଏ ।

 

ଦିବା ଅବସାନ ପ୍ରାୟ, ସୂର୍ଯ୍ୟଦେବ ଅସ୍ତାଚଳଶିଖରାବଲମ୍ବୀ । ଏହାକୁ ଅସ୍ତାଚଳ ଶିଖର ନ କହି ପୂର୍ବ୍ବଘାଟ ଶିଖର କହିଲେ ଅଧିକତର ସଙ୍ଗତ ହେବ । କଟକର ହରହରି ଘାଟ ଉପରେ ବସି କେତେଦିନ କେତେ ସୂର୍ଯ୍ୟାସ୍ତ ଦେଖି ଅଛି । ଶୀତକାଳରେ ଦେବୀଦ୍ୱାର, ଅଥବା କୁମାରଙ୍ଗ, ଗ୍ରୀଷ୍ମକାଳରେ ସପ୍ତଶଯ୍ୟା, ଅଥବା କଖଡ଼ି ପାହାଡ଼ରେ, ସୂର୍ଯ୍ୟ ଦ୍ୱାଦଶ ଘଟିକା ସକାଶେ ବିଶ୍ରାମ ନେଇ ଅଛନ୍ତି, କିନ୍ତୁ ଆଜି ଦୈବବଶରୁ ସେହି ସୂର୍ଯ୍ୟଙ୍କ ପଦ୍ମରାଗପ୍ରଭଚ୍ଛଟାରେ ପୂର୍ବଘାଟ ଶୃଙ୍ଗମାଳାକୁ ଆଲୋକିତ ଦେଖିଲି । ମନୁଷ୍ୟର ସମସ୍ତ ସମୟ ଗୋଟିଏ ସ୍ଥାନରେ ବ୍ୟୟିତ ହେବ ନାହିଁ, ଏହା ବିଧାତାଙ୍କ ଇଚ୍ଛା । ସେହି ବିଧାତା ପୁଣି ନବ୍ୟସଭ୍ୟତା ଏବଂ ବିଜ୍ଞାନର ପ୍ରସାର ବଢ଼ାଇ ଦେଇ ତାହାଙ୍କର ସେହି ଇଚ୍ଛାକୁ ଉତ୍ତରୋତ୍ତର ଅଧିକତର ଫଳବତୀ କରାଇବାର ପ୍ରବୃତ୍ତ । ଭାଗ୍ୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ମନୁଷ୍ୟର ଗତି ମଧ୍ୟ ପରିବର୍ତ୍ତନ ହେଉଅଛି । ଆଜି କାଲିକତାରେ, କାଲି ଆଗ୍ରାରେ, ପରଶ୍ୱ ବୋମ୍ବାଇରେ,ଏହିପରି ନିୟତି ଚକ୍ରରେ ଆମ୍ଭେମାନେ ସଭତ ପରିଭ୍ରମ୍ୟମାଣ ।

 

ସନ୍ଧ୍ୟା ଆସିଲା । ଗୋଗୁଡ଼ିକ ତୃଣାଚ୍ଛାଦିତ ପ୍ରାନ୍ତର ପରିତ୍ୟାଗ କରି, ଗୃହାରମୁଖରେ ବାହୁଡ଼ିଲେ । ଶ୍ରେଣୀବଦ୍ଧ ହଂସରାଳୀ ଗୁଡ଼ିକ ସର୍ପଗତିରେ ବାୟୁସାଗରରେ ସନ୍ତରଣକରୁଁ କରୁଁ, ନୀଡ଼ାଭିମୁଖରେ ପ୍ରସ୍ଥାନ କଲେ । ଏବଂ ପରାଧୀନ ଦୁଃସ୍ଥ ଲୋକେ ଦିନଯାକ ପ୍ରଭୁଙ୍କ ନିଗ୍ରହ ସହ୍ୟକରି, ବିଶ୍ରାମ ଲାଭର ଅବସର ପ୍ରାପ୍ତ ହେଲେ ।

 

ଆମ୍ଭେମାନେ ମଧ୍ୟ ଆହାର କରି ଅତି ଶୀଘ୍ର ନିଦ୍ରିତ ହେଲୁଁ । ସମସ୍ତ ଦିନର ପରିଶ୍ରମ ଏବଂ ଚିନ୍ତାପରେ ରଜନୀର ବିଶ୍ରାମ କେଡ଼େ ସୁଖପ୍ରଦ !

 

୪-୮-୯୫-ରବିବାର-ଆତି ପ୍ରତ୍ୟୂଷରୁ ପ୍ରାତଃକୃତ୍ୟ ଶେଷକରି ରନ୍ଧନର ଉଦ୍ୟୋଗ କଲୁଁ । ଏଠାରୁ ଗାଡ଼ୀ ପୂର୍ବାହ୍ଣ ୧୦ ଘଟିକା ସମୟରେ ବାହାରିବ, ସୁତରାଂ ଅତି ବ୍ୟବସ୍ତା ସହିତ କାର୍ଯ୍ୟଗୁଡ଼ିକ ଯେ ସମାପ୍ତ କରିବାକୁ ହୋଇଥିଲା ତାହା ବୋଲିବା ବାହୁଲ୍ୟ ମାତ୍ର । କିଛି ଦିନ ରେଲଗାଡ଼ୀରେ ଭ୍ରମଣ କଲେ ବାସ୍ତବିକ ଦେହରୁ ଆଳସ୍ୟ ଏକାବେଳେକେ ଅନ୍ତର୍ହିତ ହୁଏ,-ଉତ୍ସାହ, ସାହସ, କ୍ଷିପ୍ରକାରିତା, ଚାତୁର୍ଯ୍ୟ ପ୍ରଭୃତିର ଆବିର୍ଭାବ ହୁଏ । କେବଳ ରେଳଗାଡ଼ୀରେ ଅଭିଯାନ କଲେ ଯେ ଏହା ହେବ, ଏମାନ୍ତ ନୁହେ, ନିଜଗୃହରେ ପରିବାରବେଷ୍ଟିତ ହୋଇ ନିଷ୍କର୍ମ୍ମା ପରି ବସିବାଠାରୁ କୌଣସି ନୂତନ ଦେଶକୁ ଆସିଲେ ଏହିପରି ହୋଇଥାଏ । କବି କହିଅଛନ୍ତି ।

 

‘‘ତୀର୍ଥାନାର୍ଥାନାମବଲୋକନଂ ପରିଚୟଃ ସର୍ବତ୍ରବିଦ୍ୟାର୍ଜ୍ଜନଂ,

ନାନାଶ୍ଚର୍ଯ୍ୟନିରୀକ୍ଷଣଂ ଚତୁରତା, ବୁଦ୍ଧେଃ ପ୍ରଶସ୍ତାଗିରଃ

ଏତେ ସନ୍ତିଗୁଣାଃ ପ୍ରବାସ ବିଷୟେ *** ।’’

 

ଜ୍ଞାନୋପାର୍ଜ୍ଜନ ଦେଶ ଭ୍ରମଣର ଅପରିହାର୍ଯ୍ୟଫଳ ଅଟେ । ଇଂରାଜୀରେ କହନ୍ତି "Obscrvation is the best of all the teachers;" କିନ୍ତୁ ଅଧିକାଂଶଲୋକେ ପ୍ରାୟ ବଣିକଭାବରେ ଦେଶାଟନରେ ବ୍ୟସ୍ତ,-ଅର୍ଥଲାଳସା, ଜ୍ଞାନଲାଭର ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ନୁରୂଭିତର ଅନ୍ତରାୟ ହୋଇ ଉଠେ ।

 

ଆଉ ଯେଉଁମାନେ ପ୍ରଭୃତି ବିତ୍ତ ଥିଲେହେଁ ଦେଶ ଭ୍ରମଣରେ ପରାଡ୍ମୁଖ, ସେମାନଙ୍କ ଜୀବନ ଅତି ବିଚିତ୍ର ! ଏମାନଙ୍କୁ ଉଦ୍ଭିଦ୍ଧର୍ମ୍ମାବୋଲାଯାଇପାରେ । ଏମାନେ କୂପସ୍ଥ ଭେକ ପରି ନିଜର ଗ୍ରାମ ଅଥବା ସହରକୁ ସମଗ୍ର ଜଗତ୍ ମନେ କରି ଏକାବେଳକେ ନିଶ୍ଚିନ୍ତ । ଏହି ରୀତିର ଲୋକେ ଆମ୍ଭମାନଙ୍କ ଦେଶରେ ପ୍ରଚୁର ।

 

ଏହି ରୀତିର ବିତ୍ତଶାଳିଲୋକଙ୍କୁ ଦେଖି କବିବର ମାଇକେଲ ମଧୂସୁଦନଙ୍କ ସହିତ କିଏ ନ କହିବ-

 

‘‘** କିଗୁଣ ଦେଖେ କବି ତା କେମନେ,

ପ୍ରସାଦ ତୋମାର ରମା କର ବିତରଣ

ଭୁମି ?*****’’

 

ସମ୍ଭବତଃ ଏହି ଶ୍ରେଣୀର ଧନଶାଳିବ୍ୟକ୍ତିଙ୍କୁ ଦେଖି ସଂସ୍କୃତ କବି କହୁଥିଲେ–

 

‘‘ଗୋଭିଃ କ୍ରୀଡ଼ିତବାନ୍ କୃଷ୍ଣଃ ଇତି ଗୋସମବୁଦ୍ଧିଭିଃ

କ୍ରିଡ଼ତ୍ୟଦ୍ୟାପି ସା ଲକ୍ଷ୍ମୀ ରହୋବେଦୀ ପବିତ୍ରତା !’’

 

ଅନୁସଙ୍ଗିକ ଦୁଇ ଚାରି କଥା କହୁ କହୁ ମୁ ପ୍ରସଙ୍ଗରୁ ଅନେକଦୂର ଚାଲି ଆସିଲି । ପୁଣି ପ୍ରସଙ୍ଗ ଧରିବି ।

 

ଆମ୍ଭେମାନେ ଅତିଶୀଘ୍ର ଆହାରାଦିସମାପନ କରି, ରେଲଓୟେ ଷ୍ଟେସନକୁ ଆସିଲୁଁ । ବେଜ୍‌ବାଡ଼ାରୁ ଗାଡ଼ୀ ଆସିବାକୁ ପ୍ରାୟ ଏକଘଣ୍ଟା ବିଳମ୍ବ-ସୁତରାଂ ଗାଡ଼ୀର ଆଗମନକୁ ଅତ୍ୟନ୍ତ ଉତ୍କଣ୍ଠା ସହିତ ଅପେକ୍ଷା କରିବାକୁ ହୋଇଥିଲା । ରେଲଓୟେ ଷ୍ଟେସନରେ ଏହିପରି ନିଷ୍କର୍ମ୍ମାହୋଇ ବସି ରହିବାଠାରୁ, କିଛି କାର୍ଯ୍ୟରେ ବ୍ୟାପୃତ ରହିବା ଉଚିତ ମନେ କରି, କଟକକୁ ଦୁଇଖଣ୍ଡି ପତ୍ର ଲେଖିଲି ।

 

ଚାହୁଁ ଚାହୁଁ ଗାଡ଼ୀ ଆସି ପହଁଚିଗଲା । ଆମ୍ଭେମାନେ ବ୍ୟସ୍ତ ହୋଇ କୌଣସ ଗୋଟାଏ ଗାଡ଼ୀରେ ଆଶ୍ରୟ ନେଲୁଁ । ଗାଡ଼ୀ ମଧ୍ୟରେ ଜଣେ କାକନାଡ଼ାବାସୀ ମାନ୍ଦ୍ରାଜ ଯାଉଅଛନ୍ତି,–ଆମ୍ଭେମାନେ ମଧ୍ୟ ମାନ୍ଦ୍ରାଜଯାତ୍ରୀ; ସୁତାରଂ ପରସ୍ପର ଆଳାପାଦି ହେଲା । କଥୋପକଥନ ଅବଶ୍ୟ ଇଂରାଜୀରେ । ରାଜମାହେନ୍ଦ୍ରୀରେ ହରିହର ବାବୁ ପ୍ରଭୃତିଙ୍କ ସହିତ ଅବଶ୍ୟ ଓଡ଼ିଆରେ କଥୋପକଥନ ହୋଇଥିଲା, ଆଉ ଏଣିକି ଓଡ଼ିଆ କିଏ କହିବ ? କେବଳ ମୋହର ଭୃତ୍ୟମାନଙ୍କ ମୁଖ ନିଃସୃତ ଓଡ଼ିଆଭାଷାହିଁ, କର୍ଣ୍ଣପରିତୃପ୍ତିର ପ୍ରଧାନ ଅବଲମ୍ବନ । ଆଉ କାହାରି ସହିତ କଥା କହିବାକୁ ହେଲେ ଇଂରେଜି ବ୍ୟତୀତ ଗତ୍ୟନ୍ତର ନାହିଁ ।

 

୨୦ ମିନିଟ ବିଶ୍ରାମ ଉତ୍ତାରୁ ଗାଡ଼ୀ ଧାବିତ ହେଲା । ଆମ୍ଭେମାନେ ଦକ୍ଷିଣ ପଶ୍ଚିମ ଆଡ଼କୁ ଯାଉଅଛୁଁ,-ମହୋଦଧି (ବଙ୍ଗୋପସାଗର) ର କୂଳ ଅନେକ ଦୂରରେ ରହିଲା,-ବର୍ତ୍ତମାନ ରତ୍ନାକର (ଆରବ-ସାଗର) ଅଭିମୁଖରେ ଗତି । ରେଲର ଉଭୟ ପାର୍ଶ୍ୱରେ ବିସ୍ତୀର୍ଣ୍ଣ ପ୍ରାନ୍ତର,-ପ୍ରାନ୍ତର ମଧ୍ୟସ୍ଥିତ ଖଜୂର ଗଛର ଶ୍ରେଣୀ । ଶ୍ରାବଣମାସ,-ଆମ୍ଭମାନଙ୍କ ଦେଶ ଶରତ୍‌କାଳର ଶ୍ୟାମଳ ଶସ୍ୟପୂର୍ଣ୍ଣ କ୍ଷେତ୍ର ସମୂହରେ କେଡ଼େ ନୟନରଞ୍ଜନ ହୋଇଥିବ । ମାତ୍ର ଏ ପ୍ରଦେଶ ଗ୍ରୀଷ୍ମକାଳର ଅନ୍ତଃସାରଶୂନ୍ୟ ବିଗ୍ଧ ମରୁଭୂମି ପ୍ରାୟ ଏ ପ୍ରଦେଶ ଗ୍ରୀଷ୍ମକାଳର ଅନ୍ତଃସାରଶୂନ୍ୟ ଦଗ୍ଧ ମରୁଭୂମି ପ୍ରାୟ ପ୍ରତୀୟମାନ । ସ୍ଥାନେ ସ୍ଥାନେ ‘‘ମାଣ୍ଡିଆ’’ ଏବଂ ‘‘କାଙ୍ଗୁ’’ ପ୍ରଭୃତିର ଚାଷ ।

 

ପାନିଏମ୍ ଷ୍ଟେସନରୁ ନୟନାନନ୍ଦକର ଦୃଶ୍ୟରାଜି ପୁଣି ଚକ୍ଷୁ ସମକ୍ଷରେ ସହସା ଉଦ୍‌ଘାଟିତ ହେଲା । ଉଭୟପାର୍ଶ୍ୱରେ ଶୈଳ କାନନର ରମଣୀୟ ଶୋଭା । ଏ ପାହାଡ଼ଗୁଡ଼ିକ ବାଣପୁର ଅଞ୍ଚଳର ‘‘ମାମୁଭଣଜା’’ ଶୈଳଦ୍ୱୟର ଅନୁରୂପ, କେବଳ ବୃହତ୍, ପ୍ରସ୍ତର ଖଣ୍ଡର ନଗ୍ନ ସ୍ତୂପ ମାତ୍ର, ଉପରେ ଅରଣ୍ୟ ନାହିଁ । ମାତ୍ର ତଳେ ଅରଣ୍ୟର ପୂର୍ଣ୍ଣ ସମାବେଶ । ଏହିପରି ପାହାଡ଼ ଗୋଟିଏ ଯୋଡ଼ିଏ ନୁହେ,-ସଂଖ୍ୟାରେ ୮୦୦୦ ।୧୦୦୦୦ରୁ କମ ହେବ ନାହିଁ । ଯୁଦ୍ଧକ୍ଷେତ୍ରରେ ଅସଂଖ୍ୟ ପଟଗୃହ ସଦୃଶ,ଏହି ସୁବିସ୍ତୀର୍ଣ୍ଣ ପ୍ରାନ୍ତରରେ ସୂର୍ଯ୍ୟକର ପ୍ରତିଭାତ ଅସଂଖ୍ୟ ପ୍ରସ୍ତରସ୍ତୂପ ଶ୍ରେଣୀବଦ୍ଧ ଭାବରେ ଦଣ୍ଡାୟମାନ ।

 

ଏ ପାହାଡ଼ମାନଙ୍କରେ ଶ୍ଳେଟ, ଏବଂ ମଣିଶିଳା (ମର୍ମର ପ୍ରସ୍ତର) ର ଖଣି ବିଶେଷଭାବରେ ପରିଲକ୍ଷିତ ହେଲା । ରେଲମାର୍ଗର ଉଭୟପାର୍ଶ୍ୱରେ କେତେ ମଣିଶିଳାଖଣ୍ଡ ପଡିଅଛି,–ସଂଗ୍ରହ କରିବାକୁ ମନ ବଳିଲା,-କିନ୍ତୁ ଏଣେ ଗାଡୀର ତୀବ୍ରଗତି ! ସୁଲଭତା ହେତୁରୁ ଏଠାରେ ଏଗୁଡ଼ିକର କୌଣସି ଆଦର ନାହିଁ । ଏଠାରେ ମଧ୍ୟ ‘‘ଅତିପରିଚୟାଦବଜ୍ଞା’’ ଏହି ଉକ୍ତିଟି ସମ୍ପୂର୍ଣ୍ଣ ପ୍ରଯୋଜ୍ୟ । ଅତିପରିଚୟ ବଶତଃ ବହୁମୂଲ୍ୟ ପ୍ରସ୍ତର କର୍କରା ଏବଂ ଚନ୍ଦନ ଇନ୍ଧନରୂପେ ବ୍ୟବହୃତ ହୋଇଥାଏ ।

 

‘‘କର୍‌ନୁଲ୍‌ରୋଡ’’ ନାମକ ଷ୍ଟେସନରୁ କରନୁଲ ସହରକୁ ରାଜ ମାର୍ଗ ଯାଇଅଛି । ସହରଟି ଏଠାରୁ ପ୍ରାୟ ୨୦ ମାଇଲ । ଶୁଣିଲି ଏଠାରେ ଗୋଟିଏ ଦୁର୍ଗ ଅଛି ।

 

ଏହି ଷ୍ଟେସନଠାରୁ ରେଲଓଏର ଦୁଇପାର୍ଶ୍ୱରେ ମରୁ ପ୍ରାୟ ସୁବିସ୍ତୀର୍ଣ୍ଣ ପ୍ରାନ୍ତର । ପ୍ରାନ୍ତର ମଧ୍ୟରେ ଅସଂଖ୍ୟ ହରିଣଯୂଥବିଚରଣ କରୁଅଛନ୍ତି; ଆମୋଦ ନିମିତ୍ତ ଏଞ୍ଜିନଡ୍ରାଇଭାର (ଗାଡ଼ୀଚାଳକ) ମଧ୍ୟେ ମଧ୍ୟେ ବଂଶୀଧ୍ୱନି କଲା ମାତ୍ରେ ମୃଗଗୁଡିକର ବାୟୁବେଗରେ ଧାବନ ଅତୀବକୌତୁକାବହ ହୋଇଥାଏ ।

 

ଅପରାହ୍ନ ଘ ୫ଟିକା ସମୟରେ ଗାଡ଼ୀ ଗୁଣ୍ଟାକାଲୁ ଷ୍ଟେସନରେ ଉପସ୍ଥିତ ହେଲା । ଉଭୟ ଉପକୂଳର ସମଦୂରବର୍ତ୍ତୀ ଏହି ଷ୍ଟେସନଟି ବେଲେରି ଜିଲା ମଧ୍ୟରେ । ଏ ଜିଲାର ପରିମାଣ ୫୯୦୭ ମାଇଲ, ଲୋକସଂଖ୍ୟା ୯୦୦୧୨୬, ଏବଂ ଗ୍ରାମ ସଂଖ୍ୟା ୮୮୨ । ବେଲେରି ସହରଟି ଏଠାରୁ ୩୦ ମାଇଲ ଦୂରବର୍ତ୍ତୀ । ଏହାର ଲୋକସଂଖ୍ୟା ୫୯୪୬୭ । ଏହି ଜିଲା ତୈଲଙ୍ଗ ଏବଂ ତାମିଲ ଭାଷାର ସନ୍ଧିସ୍ଥଳ ।

 

ମାନ୍ଦ୍ରାଜ ଯିବାକୁ ହେଲେ ଗୁଣ୍ଟାକାଲ ଷ୍ଟେସନରେ ଅବତରଣ କରି ଅନ୍ୟ ଗାଡ଼ୀରେ ଯିବାକୁ ହୁଏ, ସୁତରାଂ ଆମ୍ଭେମାନେ ମଧ୍ୟ କାକନାଡ଼ା ନିବାସୀ ବନ୍ଧୁଙ୍କ ସହିତ ଗାଡ଼ୀରୁ ଅବରୋହଣ କଲୁଁ । ବନ୍ଧୁମହାଶୟଙ୍କ ରେଲଓୟେ ନିୟମାବଳୀରେ ବିଶେଷ ଅଭିଜ୍ଞତା ଅଛି, ସୁତରାଂ ଅବତରଣ କଲା ମାତ୍ରେ ଆମ୍ଭେମାନଙ୍କ ନିକଟରେ ତାହାଙ୍କ ଜିନିଷାଦି ରଖି, କୌଣସି ବିଶିଷ୍ଟ ସ୍ଥାନରେ ବସାଇ, ରେଲଓୟେ କୋମ୍ପାନିଙ୍କ ଭୋଜନାଗାର (Refeshment room) କୁ ଆହାରାର୍ଥେ ଗମନ କଲେ । ଯିବା ବେଳେ ଆମ୍ଭମାନଙ୍କୁ ଆହ୍ବାନ କରିବାକୁ ପାସୋରି ନ ଥିଲେ । ମାତ୍ର ଆମ୍ଭମାନଙ୍କର ‘‘ନୈତିକ ସାହସ’’ ର ମାତ୍ରା ନିତାନ୍ତ ଅଳ୍ପ, ସୁତରାଂ ଏଥିରେ ପ୍ରବୃତ୍ତ ହେବାକୁ ଆଦୌ ମନ ବଳିଲା ନାହିଁ । ରାତ୍ରିଯାକ ଅନାହାରରେ ରହିବାକୁ ହେବ ଭାବି, ବୀହିପ୍ରସ୍ତୁତ ଜଳଖିଆର ଆଶ୍ରୟଗ୍ରହଣ କଲୁଁ । ହିନ୍ଦୁମାନଙ୍କର ଏହି ଅନ୍ନଗତ ନିଷ୍ଠା ସମ୍ବନ୍ଧରେ ମୋହ ପରି କ୍ଷୁଦ୍ରଜୀବର କୌଣସି କଥା କହିବାର ଅଶୋଭନୀୟ, ସନ୍ଦେହ ନାହିଁ । ମାତ୍ର ସଂସାରର ରୀତିଗତି ଯେମନ୍ତ ଦେଖା ଯାଉଅଛି, ସେଥିରୁ ଏହି ନିଷ୍ଠାର ଆୟୁଷ୍କାଳ ଅଧିକ ବୋଲି ବୋଧ ହେଉ ନାହିଁ । ଆଧୁନିକସଭ୍ୟଜଗତ୍ ଯାହାର ବିରୋଧୀ, ନବ୍ୟସଭ୍ୟତା ଯାହାର ବିରୋଧୀ, ହିନ୍ଦୁ ବ୍ୟତୀତ ସମଗ୍ର ମାନବଜାତି ଯାହାର ବିରୋଧୀ, ଆମ୍ଭମାନଙ୍କର ପ୍ରାଚୀନ ଇତିହାସ ଗ୍ରନ୍ଥ ମଧ୍ୟ ଯାହା ବିପକ୍ଷରେ ସାକ୍ଷ୍ୟ ଦେଉଅଛି, ତାହା କେତେଦିନ ବର୍ତ୍ତି ରହିବ ? ଏହି ନିଷ୍ଠାର ଦୁର୍ବହ ବୋଝ ମୁଣ୍ଡାଇ ହିନ୍ଦୁମାନେ ଏହି ଦାରୁଣ ଜୀବନ ସଂଗ୍ରାମରେ ଆତ୍ମରକ୍ଷା କରି ପାରିବେଟିକି ?

 

ଗୁଣ୍ଟାକାଲ୍ ଗୋଟଏ ବୃହତ୍ ଜଙ୍କ୍‌ସନ୍ ଷ୍ଟେସନ । ଏହିଠାରୁ ୫ଟି ରେଲମାର୍ଗ ଯାଇଅଛି । ପଶ୍ଚିମଦିଗରେ ଆରବସାଗର ପର୍ଯ୍ୟନ୍ତ, ଉତ୍ତର ପଶ୍ଚିମରେ ରାଇଚର ଏବଂ ଓ୍ୟାଡି ଜଙ୍କ୍‌ସନ୍ ପର୍ଯ୍ୟନ୍ତ, ଉତ୍ତର ପୂର୍ବରେ ବେଜ୍‌ବାଡ଼ା ପର୍ଯ୍ୟନ୍ତ, ଦକ୍ଷିଣରେ ମହୀଶୁରାନ୍ତର୍ଗତ ବେଙ୍ଗେଲୋର ପର୍ଯ୍ୟନ୍ତ, ଏବଂ ଦକ୍ଷିଣ ପୂର୍ବରେ ମାନ୍ଦ୍ରାଜ ପର୍ଯ୍ୟନ୍ତ ଲୌହବର୍ତ୍ତୁଗୁଡ଼ିକ ପ୍ରସାରିତ । ଶେଷୋକ୍ତ ବର୍ତ୍ତରେ ଆମ୍ଭେମାନେ ଯିବୁଁ, ସୁତରାଂ ରାଇଚରରୁ ଆସୁଥିବା ମେଲ୍‌ଟ୍ରେନ୍ (ଡାକଗାଡ଼ୀ) କୁ ଅପେକ୍ଷା କରି ଚାହିଲୁଁ । ମେଲ୍‌ଟ୍ରେନ୍ ଅତି ଶୀଘ୍ରପାଏ, ଘଣ୍ଟାରେ ପ୍ରାୟ ୩୦ ମାଇଲ୍, କିନ୍ତୁ ପ୍ୟାସେଞ୍ଜର ଟ୍ରେନ୍ (ଯାତ୍ରୀ ଗାଡ଼ୀ) ଗୁଡ଼ିକ ପ୍ରତ୍ୟେକ ଷ୍ଟେସନରେ କିଛିକ୍ଷଣ ରହେ ବୋଲି ଶୀଘ୍ର ଯାଇ ପାରେ ନାହିଁ । ଉଭୟର ଗିତ ସମାନ ହେଲେହେଁ ମେଲ୍‌ଟ୍ରେନକୁ କେବଳ ଅତି ପ୍ରଧାନ ପ୍ରଧାନ ଷ୍ଟେସନରେ ବିଶ୍ରାମ ନେବାକୁ ପଡ଼ଇ ବୋଲି, ଅତି ଶୀଘ୍ର ଯାଏ ।

 

ସୂର୍ଯ୍ୟାସ୍ତର ଅବ୍ୟବହିତ ପୂର୍ବେ ମୁ ଗୋଟିଏ ଭୃତ୍ୟକୁ ଆମ୍ଭମାନଙ୍କ ଜିନିଷ ଗୁଡ଼ିକ ନିକଟରେ ରଖି, ଅପର ଭୃତ୍ୟ ଏବଂ ପାଚକ ସହିତ ସନ୍ନିକଟସ୍ଥ ପ୍ରାନ୍ତରରେ ସନ୍ଧ୍ୟ ବାୟୁ ସେବନାର୍ଥ ବାହାରିଲି ନିକଟରେ ରେଲଓୟେ କୁଲିମାନଙ୍କର ଗୋଟିଏ କ୍ଷୁଦ୍ର ଗ୍ରାମ,–କୁଲିମାନେ ପରିବାରବର୍ଗ ସହିତ ବାସ କରନ୍ତି ।

 

କିଛିକ୍ଷଣ ଉତ୍ତାରୁ ଷ୍ଟେସନକୁ ଫେରି ଆସିଲି । ବର୍ତ୍ତମାନ ସନ୍ଧ୍ୟା । ଷ୍ଟେସନଟି ଆଲୋକମାଳାରେ ସଜ୍ଜିତ ହୋଇ ଉତ୍ସବପୂର୍ଣ୍ଣ ପରି ବୋଧ ହେଲା । କିନ୍ତୁ ପ୍ରକୃତୀରେ ତାହା ନୁହେଁ । କୌଣସି ଗାଡ଼ୀ ଉପନୀତ ହେଲା ପୂର୍ବରୁ ଏହିପରି ଆଲୋକହାରରେ ଭୂଷିତ ହୁଏ, ଏବଂ ଗାଡ଼ୀ ପ୍ରସ୍ଥାନର ଅବ୍ୟବହିତ ପରେ, କେବଳ କତିପୟ ନିତାନ୍ତ ପ୍ରୟୋଜନୀୟ ଆଲୋକ ବ୍ୟତୀତ ସମସ୍ତ ନିର୍ବାପିତ ହୁଏ । ସଚରାଚର ଏହି ରୀତିରେ କାର୍ଯ୍ୟ ହୋଇ ଥାଏ ।

 

ବର୍ତ୍ତମାନ ରାତି ୭ ଘଟିକା । ଆମ୍ଭେମାନେ ବୋମ୍ବାଇରୁ ପ୍ରତ୍ୟାଗତ ୨ ଜଣ ବୈଷ୍ଣବ ସଙ୍ଗେ ହିନ୍ଧିଭାଷାରେ କଥୋପକଥନ କରୁ ଅଛୁଁ । ବହୁଦିବସ ପରେ ହିନ୍ଦିଭାଷାର ବ୍ୟବହାର ଅତ୍ୟନ୍ତ ମିଷ୍ଟ ବୋଧ ହେଲା । ଏ ଦେଶର ମୁଶଲମାନଙ୍କର ସୁଦ୍ଧା ମାତୃଭାଷା ତୈଲଙ୍ଗ । କେହି କେହି କଦାଚିତ୍ ତୈଲଙ୍ଗ ମିଶ୍ରିତ ହିନ୍ଦି କହି ଥାଆନ୍ତି । ଏପରି ଅବସ୍ଥାରେ ବୈଷ୍ଣବଦ୍ୱୟଙ୍କ ମୁଖନିଃସୃତ ହିନ୍ଦିଭାଷା ଆମ୍ଭମାନଙ୍କ ପକ୍ଷରେ ମଧୁର ସଙ୍ଗୀତ ତୁଲ୍ୟ ।

 

ସହସା ଗୋଟିଏ ଚହଳ ପଡ଼ିଗଲା । ଅନୁସନ୍ଧାନରେ ଜାଣିଲି ମେଲ୍‌ଟ୍ରେନ୍ ଆସିବାର ସମୟ ନିକଟବର୍ତ୍ତୀ । ଆମ୍ଭେମାନେ ଜିନିଷ ପତ୍ରାଦି ଘେନି ପୂର୍ବୋକ୍ତ ବନ୍ଧୁଙ୍କ ସହିତ ପ୍ଲାଟଫରମରେ ପ୍ରସ୍ତୁତ ରହିଲୁଁ । ଗାଡ଼ୀ ଆସୁଥିବାର ବିଜ୍ଞାପନସ୍ୱରୂପ ଘଣ୍ଟାଧ୍ୱନି ହେଲା । ଦେଖୁଁ ଦେଖୁଁ ଷ୍ଟେସନର ଲାଲ ଆଲୋକ ନୀଳରେ ପରିଣତ ହେଲା । ଏହା ଗାଡ଼ୀର ସଙ୍କେତ । ଲାଲ ଆଲୁଅ ଦିଆଯାଇ ଥିଲେ, କୌଣସି ଗାଡ଼ୀ ଷ୍ଟେସନରେ ଅଛି, ଅଥବା କୌଣସି ବିପଦ ଘଟିଅଛି, ଜାଣିବାକୁ ହେବ, ସୁତରାଂ ଆସୁଥିବା ଗାଡ଼ୀର ପ୍ରବେଶ ନିଷେଧ । କିନ୍ତୁ ନୀଳ ଏହାର ସମ୍ପୂର୍ଣ୍ଣ ବିପରୀତ । ଏ ଆଲୁଅଟି ଥିଲେ ଗାଡ଼ୀ ଅବାଧରେ ଷ୍ଟେସନ ମଧ୍ୟକୁ ଆସିପାରେ, କିଛି ଶଙ୍କା ନାହିଁ ।

 

କିୟତ୍‌କ୍ଷଣ ପରେ ଦୂରରୁ ଗୋଟିଏ କ୍ଷୁଦ୍ର ଆଲୁଅର ଆଭାସ ଦେଖାଗଲା । କ୍ରମଶଃ ତାହାସ୍ପଷ୍ଟ ଦିଶିଲା,-ସ୍ପଷ୍ଟରୁ ସ୍ପଷ୍ଟତର ହୋଇ ଗାଡ଼ୀ ସମ୍ମୁଖର ବଡ଼ ଲଣ୍ଟନରୂପେ ପ୍ରତିଭାତ ହେଲା,-ଚାହୁଁ ଚାହୁଁ ଗଭୀର ଗର୍ଜ୍ଜନରେ ଗାଡ଼ୀ ଉପସ୍ଥିତ !

 

ବଡ଼ ଷ୍ଟେସନ ହେଲେସୁଦ୍ଧା ରେଲଗାଡ଼ୀର ଅଧିକ ବିଶ୍ରାମର ପ୍ରୟୋଜନ ହୁଏ ନାହିଁ, ଅତି ଶୀଘ୍ର ଚାଲି ଯିବ, ଏହା ଭାବି, ଆମ୍ଭେମାନେ ତତ୍ପରତା ସହକାରେ ଗାଡ଼ୀରେ ଆରୋହଣ କଲୁଁ । ଗାଡ଼ୀକୁ ଯିବାବେଳେ ଅସମ୍ଭବ ଜନତା ଭେଦ କରି ଯିବାକୁ ହୋଇଥିଲା, ସୁତରାଂ ଗାଡ଼ୀରେ ବସିଲା ମାତ୍ରେ, କଷ୍ଟରୁ ଅବ୍ୟାହତି ପାଇଲୁଁ ।

 

ଗାଡ଼ୀର ତୀବ୍ରଧାବନ ଆରମ୍ଭ ହେଲା । ମଧ୍ୟେ ମଧ୍ୟେ କ୍ଷୁଦ୍ର ଷ୍ଟେସନମାନ ଛାଡ଼ି ଚାଲ ଯାଉଥାଏ, ଷ୍ଟେସନସ୍ଥିତ ଯାତ୍ରୀମାନଙ୍କ ଆଶାପ୍ରତି ସତେ ଯେମନ୍ତ ତ୍ରୁକ୍ଷେପ ନାହିଁ ! ଆଜି ପୂର୍ଣ୍ଣିମା, ସୁତରାଂ ଦୁଇସ୍ଥିତ ପୂର୍ବଘାଟ ପର୍ବତ ଶ୍ରେଣୀର ଅସ୍ପଷ୍ଟ ନୀଳରେଖା, ଚନ୍ଦ୍ରକିରଣ ପ୍ରତିଭାତ ହୋଇ କେଡ଼େ ମନୋହରା ଦିଶୁଥିଲା ! ଏହି ନୀଳରେଖା କ୍ରମଶଃ ସ୍ପଷ୍ଟ ହୋଇ ଆସିଲା,-ଦେଖୁଁ ଦେଖୁଁ ରେଲମାର୍ଗର ଉଭୟ ପାର୍ଶ୍ୱରେ ପ୍ରକାଣ୍ଡ ପ୍ରକାଣ୍ଡ ପର୍ବତର ସମାବେଶ ! ଏହିଠାରୁ ପ୍ରସିଦ୍ଧ ପାନ୍ନାର ନଦୀ ପଡ଼ିଲା । ଏହା ଉପରେ ଅର୍ଦ୍ଧମାଇଲ ବ୍ୟାପୀ ସେତୁ ନିର୍ମିତ ହୋଇଅଛି । ଏହାର ଦୈର୍ଘ୍ୟ ପ୍ରାୟ ୨୨୦ ମାଇଲ ।

 

ରାତ୍ରି ୧୦ ଘଟିକା ସମୟରେ ଗାଡ଼ୀ ଟାଡ଼ପଟ୍ରି ଷ୍ଟେସନରେ ଉପସ୍ଥିତ ହେଲା । ଏହା ଗୋଟିଏ ବଡ଼ ଷ୍ଟେସନ । ସ୍ଥାନଟି ଅନନ୍ତପୁର ନାମକ କ୍ଷୁଦ୍ରଜିଲ୍ଲାରେ । ଏହାର ପରିମାଣ ୫୨୭୫ ବର୍ଗମାଇଲ, ଲୋକସଂଖ୍ୟା ୭୦୮୫୪୯, ଏବଂ ଗ୍ରାମସଂଖ୍ୟ ୯୪ । ଅନନ୍ତପୁର ସହରଟି ଏଠାରୁ ପ୍ରାୟ ୪୦ ମାଇଲ ଦୂରରେ, ଲୋକସଂଖ୍ୟା ୬୯୯୪ ।

 

ରାତ୍ରି ୧ ଘଟିକା ସମୟରେ ଗାଡ଼ୀ କଡ଼ପ୍ପା ଷ୍ଟେସନରେ ପହଁଚିଲା । ଟାଡ଼ପଟ୍ରି ଷ୍ଟେସନରୁ ଏ ଷ୍ଟେସନ ପର୍ଯ୍ୟନ୍ତ ଦଶୋଟି ଷ୍ଟେସନ ପଡ଼େ, କିନ୍ତୁ ଏ ଗାଡ଼ୀ ଚାରୋଟି ଷ୍ଟେସନରେ ୨ ମିନିଟ ଅଥବା ୩ ମିନିଟ ରହି, ଚାଲି ଆସିଲା । କଡପ୍ପା ସହରଟି ଷ୍ଟେସନର ଅତି ନିକଟବର୍ତ୍ତୀ ଏହାର ଲୋକସଂଖ୍ୟା ୧୭୩୭୯ । କଡ଼ପ୍ପାଜିଲ୍ଲା ନେଲୋରଠାରୁ ଆୟତନରେ କିଞ୍ଚିତ୍ କ୍ଷୁଦ୍ର । ଏହାର ପରିମାଣ ୮୭୩୦ ବର୍ଗ ମାଇଲ, ଲୋକସଂଖ୍ୟା ୧୨୭୨୦୭୨, ଏବଂ ଗ୍ରାମସଂଖ୍ୟା ୧୩୪୦ ।

 

୫-୮-୯୫-ସୋମବାର-କୋଡୁର ନାମକ ଷ୍ଟେସନରେ ରାତ୍ରି ଶେଷ ହୋଇ ଆସିଲା । ସୂର୍ଯ୍ୟଙ୍କ ଊର୍ଦ୍ଧ୍ୱଗତି ଏବଂ ଚନ୍ଦ୍ରଙ୍କ ଅଧୋଗତି ଦେଖି ମର୍ତ୍ତ୍ୟ ଭାବର ଭଙ୍ଗୁରତାମନେ ପଡ଼ିଲା । ଦୃଶ୍ୟଟି କାଳିଦାସଙ୍କ ଶକୁନ୍ତଳାର ନିମ୍ନଲିଖିତ ଶ୍ଲୋକର ସ୍ମାରକ ।

 

‘‘ଯାତ୍ୟେକତୋଽସ୍ତଶିଖରଂ ପତିରୋଷଧୀତ୍ରାମ୍

ଆକୃଷ୍ଟ ତାରୁଣପୁରଃସର ଏକତୋଽର୍କଃ ।

ତେଜୋହୟସ୍ୟ ଯୁଗପଦ୍‌ବ୍ୟସନୋଦୟାଭ୍ୟାମ୍

ଲୋକୋ ନିୟମ୍ୟତ ଇବୈଷ ଦଶାନ୍ତରେଷୁ ।’’

 

କ୍ରମେ କ୍ରମେ ସୂର୍ଯ୍ୟ ପ୍ରକାଶିତ ହେଲେ । ଆମ୍ଭେମାନେ ରେନିଗୁଣ୍ଟା ଷ୍ଟେସନରେ ପହଁଚିଲୁଁ । ଏହା ଗୋଟିଏ ବଡ଼ ଷ୍ଟେସନ, ଏଣୁ ଗାଡ଼ୀର ବିରାମ ଦୀର୍ଘ ହୋଇଥିଲା । ଆଜି ଆମ୍ଭମାନଙ୍କ ସୁପ୍ରଭାତ । ଏଠାରୁ ତିରପଟିର ପ୍ରସିଦ୍ଧ ବାଲାଜୀଙ୍କ ମନ୍ଦିର ପର୍ବତ ଶିଖର ଉପରେ ସ୍ପଷ୍ଟ ଦିଶିଲା-ମୁଗ୍ଧ ହୋଇ ଭକ୍ତିଭାବରେ ପ୍ରଣାମ କଲି । ମାନ୍ଦ୍ରାଜ ପ୍ରେସିଡେନ୍ସିର ମନ୍ଦିର ଗୁଡ଼ିକରେ ଗଠନ ଓଡ଼ିଶାର ମନ୍ଦିରଠାରୁ ସମ୍ପୂର୍ଣ୍ଣ ପୃଥକ୍ । ଭାରତବର୍ଷର ଚାରିଅଂଶରେ ମନ୍ଦିର ନିର୍ମ୍ମାଣ ମଧ୍ୟରେ ପ୍ରଣାଳୀର ସମ୍ପୂର୍ଣ୍ଣ ପାର୍ଥକ୍ୟ ଦୃଷ୍ଟ ହୁଏ । ବଙ୍ଗଂଦେଶ ଏବଂ ନେପାଲ ପ୍ରଭୃତି ଅଂଶରେ ବିମାନାକୃତିର, ଉତ୍ତର ପଶ୍ଚିମପ୍ରଦେଶ, ପଞ୍ଜାବ, ଏବଂ ବୋମ୍ବାଇ ପ୍ରଭୃତି ଅଞ୍ଚଳରେ ରଥ ଏବଂ ମସ୍‌ଜିଦାକୃତିର, ଓଡ଼ିଶାରେ ନର ଦେହାକୃତିର, ଏବଂ ସମସ୍ତ ମାନ୍ଦ୍ରାଜ ପ୍ରେସିଡେନ୍ସିରେ ପ୍ରାୟ ପିରମିଡାକୃତିର, କିନ୍ତୁ ବିଷମ ଷଡ଼୍‌ଭୁଜାକୃତିର କହିଲେ ବୋଧହୁଏ ଅଧିକ ସଙ୍ଗତ ହେବ । ଏ ମନ୍ଦିର ଗୁଡ଼ିକର ସିଂହଦ୍ୱାର(ସଂସ୍କତ)–ଗୋପରମ୍ ନାମରେ ଅଭିହିତ । ଏହି ଗୋପୁରମ୍ ଗୁଡ଼ିକର ଉଚ୍ଚତା ବଡ଼ କମ ନୁହେଁ, ସ୍ଥଳବିଶେଷରେ ପୁରୀ ଏବଂ ଭୁବନେଶ୍ୱର ମନ୍ଦିର ଠାରୁ ଅନେକ ବୃହତ୍ । ପ୍ରଧାନ ମନ୍ଦିର ଅତ୍ୟନ୍ତ ସାନ ହେଲେ ସୁଦ୍ଧା ଗୋପୁରମ୍‌ଗୁଡ଼ି ଅବଶ୍ୟ ବଡ଼ ହେବ,-ଏହା ଏ ଦେଶର ରାତି । ଟିରୁପଟିର ଏହି ଗୋପୁରମ୍ ଅଛି, ଏବଂ ସମସ୍ତଗୁଡ଼ିକହିଁ ଅସାଧାରଣ କାରୁକାର୍ଯ୍ୟଭୂଷିତ । ଏଠାକୁ ବହୁଦୂରରୁ ଯାତ୍ରିମାନେ ଆସନ୍ତି । ଓଡ଼ିଶାରେ ଗଙ୍ଗାସନ ପରେ ଶ୍ରୀକ୍ଷେତ୍ର ଦର୍ଶନ ପରି ରାମଶ୍ୱେର ଯାତ୍ରି ମାନଙ୍କ ଥରେ ଏ ତୀର୍ଥ ଦର୍ଶନ କରିଯିବା ଚିର ପ୍ରଥାରୂପେ ପ୍ରତିଷ୍ଠିତ ।

 

ଏ ଷ୍ଟେସନଟି ଗୋଟିଏ ଜଙ୍କସନ୍ । ଉତ୍ତର ପୂର୍ବଦିଗକୁ ନେଲୋର ସହର ପର୍ଯ୍ୟନ୍ତ, ଏବଂ ଦକ୍ଷିଣ ପୂର୍ବ୍ବକୁ ପଣ୍ଡିଚେରୀ ପର୍ଯ୍ୟନ୍ତ ରେଲମାର୍ଗ ଯାଇଅଛି । ଏହି ରେଲମାର୍ଗଗୁଡ଼ିକ ‘‘ସାଉଥ୍ ଇଣ୍ଡିଆନ୍ ରେଲଓୟେ କୋମ୍ପାନି’’ ଙ୍କ, ଏବଂ ଆମ୍ଭେମାନେ ଯହିଁରେ ଆସିଲୁ, ତାହା ‘‘ମାନ୍ଦ୍ରାଜ ରେଲଓୟେ କୋମ୍ପାନି’’ଙ୍କ ସମ୍ପତ୍ତି । ଏଠାରୁ ଉତ୍ତର ଆରକଟ୍ ଜିଲ୍ଲାର ଆରମ୍ଭ । ଏହାର ପରିମାଣ ଫଳ ୭୬୧୬ ବର୍ଗମାଇଲ, ଲୋକସଂଖ୍ୟା ୨୧୮୦୪୮୭, ଏବଂ ଗ୍ରାମସଂଖ୍ୟା ୩୭୨୪ । ଏ ଜିଲ୍ଲାର ପ୍ରଧାନନଗର ଚିତ୍ତୁର ।

 

୬ ଘଟିକା ସମୟରେ ଗାଡ଼ୀ ଆରକୋମନ୍ ଷ୍ଟେସନରେ ଉପସ୍ଥିତ । ମାନ୍ଦ୍ରାଜ ରେଲଓୟେ କୋମ୍ପାନିଙ୍କ ଏହା ଗୋଟିଏ ବଡ଼ ଜଙ୍କସନ୍ ଷ୍ଟେସନ । ଏଠାରୁ ଏହି କୋମ୍ପାନିଙ୍କ ଗୋଟିଏ ଦୀର୍ଘ ରେଲମାର୍ଗ ମହୀଶୂର ରାଜ୍ୟ, ଏବଂ ନୀଳଗିରି ପର୍ବ୍ବତ ନିକଟ ଦେଇ ଆରବ ସାଗର କୂଳବର୍ତ୍ତୀ ପ୍ରସିଦ୍ଧ କେଲିକଟ ସହରକୁ ଯାଇଅଛି । ଅପର କୋମ୍ପାନିଙ୍କ (South Indian Railway Co.) ଗୋଟିଏ ଶାଖାମାର୍ଗ ଚେଙ୍ଗଲପଟକୁ ଯାଇଅଛି ।

 

ଏ ଷ୍ଟେସନରେ ଅନେକଗୁଡ଼ିଏ ଶ୍ୱେତାଙ୍ଗର ଆବିର୍ଭାବ ଦେଖିଲି । ସମସ୍ତେ ମାନ୍ଦ୍ରାଜ ରେଲଓୟେ କୋମ୍ପାନିଙ୍କ ଭୃତ୍ୟ, ସୁତରାଂ ଯେ ଯାହା କାର୍ଯ୍ୟରେ ଲାଗିଥିଲେ । ଭୋଜନାଗାର (Refreshment Room) ରେ ସାହେବମାନେ ପ୍ରାତଃଚାପାନ ଏବଂ ଅନ୍ୟାନ୍ୟ ଦକ୍ଷିଣ ହସ୍ତ ବ୍ୟାପାରରେ ନିଯୁକ୍ତ,-ଖାନସମାଗୁଡ଼ିକ ପରିବେଶନରେ ବ୍ୟସ୍ତ । ପ୍ଲାଟଫରମ୍ ଉପରେ ବିକ୍ରୋତା ଏବଂ କ୍ରୋତାମାନଙ୍କର କୋଳାହଳ,–ବିକ୍ରୋତାମାନେ ସୁଯୋଗ ବୁଝି ଖାଦ୍ୟ ପଦାର୍ଥର ମୂଲ୍ୟ ଦୁଇଗୁଣ ବୁଦ୍ଧି କରୁଅଛନ୍ତି, କିନ୍ତୁ କ୍ରୋତାର ଯୁକ୍ତିତର୍କରେ ପଡ଼ି, ଅବଶେଷରେ କ୍ରୋତା କଥିତ ମୂଲ୍ୟରେ ଦେଇ ଯାଉଅଛନ୍ତି ।

 

ଆମ୍ଭେମାନେ ଅନ୍ୟମନସ୍କଭାବରେ ସାହେବମାନଙ୍କ ‘‘ଛୋଟାହାଜିରି’’ ଆଡ଼କୁ ଚାହିଁ ରହିଥିଲୁଁ,–ହଠାତ୍ ଶବ୍ଦ ହେଲା ‘‘ଗାରିଲ ପୁଚକଣ୍ଟାରା ଗାରିଲୁଁ’’ । ଅନାଥ ଦେଖିଲା ବେଳକୁ ଏକ ଅପୂର୍ବ୍ବ ମୂର୍ତ୍ତି ନୟନପଥରେ ପଡ଼ିଲା,-ତାହା ହାତରେ ବ୍ରୀହି ପ୍ରସ୍ତୁତ ‘‘ବରା’’ ସମଷ୍ଟିର ତାମ୍ରପାତ୍ର । ଆମ୍ଭେମାନେ ଏ ଭାଷା ବୁଝିବାକୁ ସମ୍ପୂର୍ଣ୍ଣ ଅକ୍ଷମ, ସୁତରାଂ ଗ୍ରୀବା ସଞ୍ଚାଳନଦ୍ୱାରା ଅସମ୍ମତି ଜଣାଇଲୁଁ । ବନ୍ଧୁଙ୍କଠାରୁ ବୁଝିଲି ଏହାର ଅର୍ଥ ‘‘ବରା ନେବ ବରା (?)’’ । କିୟତ୍‌କ୍ଷଣ ପରେ ଜଣେ, ଅତି ସୁନ୍ଦର ଏବଂ ଚିତ୍ରବିଚିତ୍ର ଅନେକଗୁଡ଼ିଏ କାଠର ଖେଲଣା ଘେନି ଆସି କହିଲା ‘‘କାରବମଲ୍ କଣ୍ଟାରା ।’’ ଆମ୍ଭେମାନେ ଅବଶ୍ୟ ଅନୁମାନରେ ଏହାର ଅର୍ଥ ବୁଝି ପାରି ହିନ୍ଦିଭାଷାରେ ଅସମ୍ମତିସୂଚକ ବାକ୍ୟ ପ୍ରୟୋଗ କଲୁଁ । ସେ ହିନ୍ଦିଭାଷା ଶୁଣି ହଠାତ୍ କହି ଉଠିଲା ‘‘ମିଇଲ୍ଲୁଏକ୍କଡ଼ା’’ । ଅନୁମାନରେ ସୁଦ୍ଧା ଆମ୍ଭେମାନେ ଏ ବାକ୍ୟଟିର ଅର୍ଥ ବୁଝି ନ ପାରି ହସ୍ତସଞ୍ଚାଳନଦ୍ୱାରା ନିଷେଧ କଲୁଁ । ଆମ୍ଭମାନଙ୍କ ଏହି ରୀତି ଦେଖି ସେ ସମ୍ଭବତଃ ଅତ୍ୟନ୍ତ ବିରକ୍ତ ହେଲା, ଏବଂ ଭ୍ରୃନାସିକା କୁଞ୍ଚିତ କରି ଅନ୍ୟ ଦିଗକୁ ପ୍ରସ୍ଥାନ କଲା । ପରେ ବନ୍ଧୁଙ୍କ ନିକଟରୁ ଜାଣି ପାରିଲି ଯେ ‘‘ମିଇଲ୍ଲୁଏକ୍କଡ଼ା’’ ର ଆକ୍ଷରିକ ଅର୍ଥ ତୁମ୍ଭଘର କେଉଁଠାରେ ?’’ ଫଳିତାର୍ଥ ‘‘ତୁମ୍ଭେମାନେ ବିଦେଶୀ, ଚଷା ହୋଇ ପଶାର କଥା କଅଣ ବୁଝିବ ?’’

 

ଏକଘଣ୍ଟା ଉତ୍ତରୁ ଆମ୍ଭେମାନେ ‘‘ପିରାମ୍ବୁର’’ ଷ୍ଟେସନରେ ପହଁଚିଲୁ । ଏଠାରୁ ମାନ୍ଦ୍ରାଜ ୩ ମାଇଲ, ସୁତରାଂ ମନର ଔତ୍ସୁକ୍ୟ କ୍ରମଶଃ ବର୍ଦ୍ଧିତ ହେଲା । ଏ ଷ୍ଟେସନରେ ବିସ୍ତୀର୍ଣ୍ଣଜନତା,-ଅସୀମଜନପ୍ରବାହ ! କ୍ରମେ, କ୍ରମେ ମାର୍ଗର ଉଭୟପାର୍ଶ୍ୱରେ ବଡ଼ ବଡ଼ କଳ କାରଖାନା ଏବଂ ଦୂରସ୍ଥିତ ମାନ୍ଦ୍ରାଜର ଅଟ୍ଟାଳିକା ଶ୍ରେଣୀ ଦୃଷ୍ଟ ହେଲା । ଏହି ଅଟ୍ଟାଳିକା ଗୁଡ଼ିକ ସ୍ପଷ୍ଟ ହୋଇ ଆସିଲା,-ଅନୁସନ୍ଧାନରେ ଜାଣିଲି ତାହା ହାଇକୋର୍ଟ, ଜେନେରେଲ ପୋଷ୍ଟଅଫିସ, ଗିର୍ଜ୍ଜା ପ୍ରଭୃତି । ଏହି ପ୍ରକାଣ୍ଡ ନିକେତନ ଗୁଡ଼ିକର ଚୂଡ଼ା ପ୍ରଦେଶ ବିଶେଷତଃ ହାଇ କୋର୍ଟଗୃହର ସ୍ୱର୍ଣ୍ଣମଣ୍ଡିତ ଚୁମ୍ବୁଚ୍ଚ ସମୂହର ଅଗ୍ରଭାଗ ସୂର୍ଯ୍ୟ କର ପ୍ରତିଭାସିତ ହୋଇ କେଡ଼େ ରମଣୀୟ ଦିଶୁଥାଏ !

 

ଦେଖୁଁ ଦେଖୁଁ କୌତୁହଳ ସମ୍ପୂର୍ଣ୍ଣ ଚରିତାର୍ଥ ହେଲା,-ପୂର୍ବ୍ବାହ୍ନ ୮ ଘଟିକା ସମୟରେ ଗାଡ଼ୀ ତୀବ୍ରବେଗରେ, ମାନ୍ଦ୍ରାଜର ସେଣ୍ଟ୍ରେଲ ଷ୍ଟେସନ ଭିତରକୁ ପ୍ରବେଶ କଲା । ଏହି ଷ୍ଟେସନର ଭୀମଦର୍ଶନମୂର୍ତ୍ତି ଦେଖିଲେ ବାସ୍ତବିକ ବିସ୍ମୟ ହୃଦୟାଧିକାର କରେ । କଲିକତାର ହାବଡ଼ା ଷ୍ଟେସନରେ ଅସଂଖ୍ୟ ଗାଡ଼ୀ ଏବଂ ସାଜସଜ୍ଜା ବେଶି ଅଛି ସତ୍ୟ, ମା ଏପରି ଘର ନିର୍ମ୍ମିତ ହୋଇ ନାହିଁ । ସିଆଳଦହ ଷ୍ଟେସନର ଶିଳ୍ପକାର୍ଯ୍ୟ ଏହା ସଙ୍ଗେ ତୁଳନୀୟ ହୋଇ ପାରେ କିନ୍ତୁ ତାହା ଏଡ଼େ ପ୍ରକାଣ୍ଡ ନୁହେଁ । ଏହାର ଗୋଟିଏ ଦୀର୍ଘ ଚୁଡ଼ା,-ଚୂଡ଼ାମଧ୍ୟସ୍ଥିତ ଏକ ବୃହତ୍ ଘଟିକା ଯନ୍ତ୍ର, ଏହାର ବ୍ୟାସ ପ୍ରାୟ ୩ ଫୁଟ ।

 

ଆମ୍ଭେମାନେ ଅବତରଣ କଲୁଁ । ଇତିପୂର୍ବେ ମାନ୍ୟବର ଶ୍ରୀଯୁକ୍ତ ସୁବ୍ଦାରାଓଙ୍କ ପୁତ୍ର, ସ୍ୱୟଂ କୌଣସି ପ୍ରୟୋଜନୀୟକାର୍ଯ୍ୟବଶତଃ ନ ଆସି ପାରିବାରୁ, ଅନ୍ୟ ଜଣେ ଭଦ୍ରଲୋକଙ୍କୁ ପଠାଇ ଦେଇଥିଲେ । ସେ ଏହି ଦୁର୍ଭେଦ୍ୟଜନତା ମଧ୍ୟରୁ ଆମ୍ଭେମାନଙ୍କୁ ଅତି ଶୀଘ୍ର ବାହାର କରି ନେଲେ । ଆମ୍ଭମାନଙ୍କ ଦେଶରେ ଏପରି ଚିହ୍ନିନେବାର କଠିନ ସତ୍ୟ, ମାତ୍ର ଏଠାରେ ସେପରି ନୁହେଁ । ଏଠାର ସମସ୍ତ ଲୋକେ ‘‘ପଗଡ଼ି’’ ଅଥବା କୌଣସି ପ୍ରକାର ଶିରସ୍ତ୍ରାଣ ବ୍ୟବହାର କରନ୍ତି । ଶିରସ୍ତ୍ରାଣ ଅଭାବରୁ ଆମ୍ଭେମାନେ ବାରି ହୋଇ ପଡ଼ିଲୁଁ । ସୁତରାଂ ହଠାତ୍ ଖୋଜି ନେବା ବିଚିତ୍ର ନୁହେଁ ।

 

ବନ୍ଧୁଙ୍କ ସହିତ ଇଂରାଜୀରେ କଥୋପକଥନ କରୁଁ କରୁଁ ଷ୍ଟେସନ ବାହାରକୁ ଆସିଲି । ଇଂରେଜୀ ଅନଭିଜ୍ଞ ବିଦେଶୀୟ ଲୋକଙ୍କ ଏ ଅଞ୍ଚଳରେ ଭ୍ରମଣ ଅତି ଦୂରୁହ ବ୍ୟାପାର । ଏଠାରେ ପୁଣି ତାମିଲ ଭାଷାର ପ୍ରଚଳନ । ଏହା ତୈଲଙ୍ଗଠାରୁ ସମ୍ପୂର୍ଣ୍ଣ ପୃଥକ୍ । ସାଧାରଣ ଲୋକେ ତାମିଲ ଭାଷାରେ କଥାବାର୍ତ୍ତା କରନ୍ତି, କେବଳ ବିଦ୍ୱାନ୍‌ମାନେ ତୈଲଙ୍ଗ ଜାଣନ୍ତି । କିନ୍ତୁ ଇଂରେଜୀ ପ୍ରାୟ ଅଧିକାଂଶର କଣ୍ଠସ୍ଥ । ଅଶୁଦ୍ଧ ହେଲେ ମଧ୍ୟ ଇଂରାଜୀ କହିବାକୁ କେହି ପଶ୍ଚାତ୍‌ପଦ ନୁହନ୍ତି । ସାମାନ୍ୟ ଦୋକାନୀ, ଗାଡ଼ୀଚାଳକ, ବୁଲି ପ୍ରଭୃତିଙ୍କ ଇଂରାଜୀ ବୁଝିବାର କ୍ଷମତା ଅଛି । ଏତେ ଇଂରାଜୀ ଭାଷାର ପ୍ରଚଳନ ଅନ୍ୟତ୍ର ଦେଖା ଯାଏ ନାହିଁ ।

 

ଷ୍ଟେସନର ଅତି ନିକଟରେ ରାଜା ସରରାମସ୍ୱାମୀ ମୁଡ଼ଲିଆଗଙ୍କ ଚୋଲଟ୍ରି । ସୁଦ୍ଧାରାଓଙ୍କ ପୁତ୍ର ଶୀଯୁକ୍ତ ରଘୁନାଥରାଓ ମହୋଦୟ ପୂର୍ବ୍ବରୁ ଏହିଠାରେ ଆମ୍ଭମାନଙ୍କ ବସା ଠିକ କରିଥିଲେ, ସୁତରାଂ ସେଠାକୁ ଯିବାକୁ ହେଲା । ବଡ଼ ବଡ଼ ସହରରେ ସାଧାରଣତଃ ଯେପରି ଗାଡ଼ୀ ଏବଂ ମନୁଷ୍ୟ ଯିବା ସକାଶେ ସ୍ୱତନ୍ତ୍ର ଯୋଡ଼ିଏ ରାସ୍ତା ଥାଏ, ଏଠାରେ ତାହାର ଅଭାବ ନାହିଁ, ସୁତରାଂ ଆମ୍ଭେମାନେ Foot path ରେ ଅଲୁଦୂର ଚାଲିଲୁଁ । ୫ ମିନିଟର ଗତି ଆମ୍ଭମାନଙ୍କୁ ଚୋଲଟ୍ରିକୁ ଆଣିଲା ।

 

ଏ ଚୋଲଟ୍ରିଟି ନିବନିର୍ମ୍ମିତା ବର୍ତ୍ତମାନ କାର୍ଯ୍ୟ ଲାଗିଅଛି, ଶେଷ ହୋଇ ନାହିଁ । ଗୋଟିଏ ଘରରେ ଆମ୍ଭମାନଙ୍କ ଅବାସ ସ୍ଥିର ହେଲା । ଚୋଲଟ୍ରି ନିର୍ମ୍ମାଣରେ ବହୁବ୍ୟୟ ହୋଇଥିବାର ଅନୁମତି ହେଲା । ଏହା ଗୋଟିଏ ପ୍ରକାଣ୍ଡ ଅଟ୍ଟାଳିକା, ଦ୍ୱିତଳ ନ ହେଲେ ସୁଦ୍ଧା ମାନ୍ଦ୍ରାଜ ପରି ସହରରେ ମନ୍ଦନୁହେ,-ସମ୍ମୁଖରେ ପୁଣି କ୍ଷୁଦ୍ରରମଣୀୟ ଉଦ୍ୟାନର ସମାବେଶ ।

 

ଏହାର ଛାତ ଖପରଲିରେ ନିର୍ମ୍ମିତ । ଏ ଖପରଲି ଗୁଡ଼ିକ ଆମ୍ଭମାନଙ୍କ ଦେଶର ଖପରଲି ପରି କୃଷ୍ଣବର୍ଣ୍ଣ ନୁହେ, ଏହା ଆରବସାଗର କୂଳବର୍ତ୍ତୀ ମାଙ୍ଗାଲୋର ନିର୍ମ୍ମିତ, ରକ୍ତାଭ ଏବଂ ଅତି ସୁନ୍ଦର । ଏକା ମାନ୍ଦ୍ରାଜ ସହର କାହିଁକି, ମାନ୍ଦ୍ରାଜ ପ୍ରେସିଡେନ୍ସିର ସର୍ବତ୍ର ଏହି ଖପରଲି, ଏବଂ ଟାଇଲର ବ୍ୟବହାର । ଏମନ୍ତ କି ଏହି ଚୋଲଟ୍ରିର ଠିକ୍ ସମ୍ମୁଖରେ ଅବସ୍ଥିତ, ମାନ୍ଦ୍ରାଜର ଭିକ୍ଟୋରିଆ ନାମକ ପ୍ରକାଣ୍ଡ ହଲ୍, ଏବଂ ମାନ୍ଦ୍ରାଜ ସେଣ୍ଟ୍ରାଲ ଷ୍ଟେସନର ଆବରଣ ମଧ୍ୟ ଏହି ଖପରଲି ଏବଂ ଟାଇଲରେ ନିର୍ମ୍ମିତ ।

 

ଆମ୍ଭେମାନେ ପ୍ରାତଃକୃତ୍ୟ ସମାପନରେ ବ୍ୟସ୍ତ ରହିଲୁଁ । ବନ୍ଧୁ ମହୋଦୟ ବିଦାୟ ଗ୍ରହଣ କଲେ । କିଛିକ୍ଷଣ ପରେ ସୁବ୍‌ବା ରାଓଙ୍କ ପୁତ୍ର ହଠାତ୍ ଉପସ୍ଥିତ ହେଲେ । ତାହାଙ୍କ ସହିତ ଏ ମୋହର ପ୍ରଥମ ସାକ୍ଷାତ୍ । ସୁତରାଂ ବହୁକ୍ଷଣବ୍ୟାପୀ ମିଷ୍ଟାଳାପ ହେଲା ।

 

ଏଥିପୂର୍ବେ ଗୋଟିଏ ଚୋଲଟ୍ରି ସମ୍ବନ୍ଧରେ ଯେଉଁ ଅସୁବିଧାର କଥା ଉଲ୍ଲେଖ କରିଅଛି ଏଠାରେ ପୁଣି ସେହି ଅସୁବିଧା ପୂର୍ଣ୍ଣମାତ୍ରାରେ ଦେଖିଲି । ପ୍ରତ୍ୟେକ ବଡ଼ ସହର ସ୍ୱର୍ଗ ନରକର ଏକତ୍ର ସମାବେଶ, ମାନ୍ଦ୍ରାଜ ଏ ନିୟମର ବହିର୍ଭୁତ ହେବ କାହିଁକି ?

 

ଏପରି ସ୍ଥାନରେ କିଛି କାଳ ଅବସ୍ଥାନ କଲେ ଶରୀର ଅସୁସ୍ଥ ହେବାର ସମ୍ଭାବନା । ସୁତରାଂ ଏଠାର ହାଇକୋର୍ଟର ସୁପ୍ରସିଦ୍ଧ ଉକିଲ ଅନରେବଲ ପି. ଆନନ୍ଦ ଚାଲୁ ରାୟ ବାହାଦୁରଙ୍କ କୋଠାକୁ ଯିବାର ପ୍ରସ୍ତାବ କଲି । ଏ ମହୋଦୟ ଆମ୍ଭମାନଙ୍କ ନିକଟରେ ଅନେକ ଦିନରୁ ସୁପରିଚିତ । ୧୮୮୮ ସାଲର ଏଲାହାବାଦ କଂଗ୍ରେସକୁ ନିମନ୍ତ୍ରିତ ହୋଇ ଯାଉଥିବା ବେଳେ ଏ ମହାଶୟ କଟକରେ ଆମ୍ଭମାନଙ୍କ ବସରେ ଦିନେ ଅବସ୍ଥାନ କରିଥିଲେ, ସୁତରାଂ ମୋହର ପିତାମହାଶୟ ଏହାଙ୍କୁ ମୋହର ମାନ୍ଦ୍ରାଜଯାତ୍ରା ବିଷୟ ପୂର୍ବରୁ ପତ୍ର ଲେଖି ଜଣାଇଥିଲେ । ଏଡ଼େ ବଡ଼ ସହରରେ ତାହାଙ୍କ ବସା ଖୋଜି ନେବା ଦୁଃସାଧ୍ୟ ଏବଂ ସେଥିରେ ବିଳମ୍ବ ହେବାର ସମ୍ଭାବନା ବୋଲି ଅଗତ୍ୟା ଆମ୍ଭେମାନେ ପୂର୍ବାହ୍ନ ଏହି ଚୋଲଟ୍ରିରେ କଟାଇବ ।

 

ଶ୍ରୀଯୁକ୍ତ ରଘୁନାଥ ରାଓ ମହାଶୟ ଆହାରାର୍ଥେ ବସାକୁ ଗଲେ । ଆମ୍ଭେମାନେ ଆଜି ସବୁ ବିଷୟରେ ନିୟମାବଦ୍ଧ ହୋଇ ରହିଅଛୁଁ,-କଳର ପାଣିରେ ସ୍ନାନ କରିବାକୁ ହେଲା, ମୋହର ନିତାନ୍ତ ପ୍ରିୟ ଅବଗାହନ ସ୍ନାନ ଏକାବେଳକେ ନିଷିଦ୍ଧ ! ଏହା ପରେ ଆହାର ଏବଂ ଏକଘଣ୍ଟା ସ୍ଥାୟୀ ବିଶ୍ରାମ । ଅପରାହ୍ନ ୧ ଘଟିକା ସମୟରେ ଦିଇଜଣ ଭୃତ୍ୟକୁ ବସାରେ ରଖି, ରଘୁନାଥ ରାଓ ମହୋଦୟ ଏବଂ ମୋହର ଗୋଟିଏ ଭୃତ୍ୟ ସହିତ ହାଇକୋର୍ଟ ଅଭିମୁଖରେ ପ୍ରସ୍ଥାନ କଲି । Foothpath ରେ କିଛିକ୍ଷଣ ଅଗ୍ରସର ହେଲା ପରେ ସାଇନ ବୋଡ଼ରେ ଲେଖା ହୋଇଥିବା "Tram cars Stop here" ସ୍ଥାନ ରେଟ୍ରାମଗାଡ଼ୀର ଅପେକ୍ଷାରେ ଛିଡ଼ା ହେଲୁଁ । ତିନିମିନିଟ ପରେ ଟ୍ରାମଗାଡ଼ୀ ଦର୍ଶନ ଦେଲା । ଏ ଟ୍ରାମଗାଡ଼ୀ କଲିକତାର ଘୋଡ଼ାଯୁକ୍ତ ଅଥବା ଷ୍ଟିମ୍ ଟ୍ରାମଗାଡ଼ୀ ନୁହେ, ଏହା ଇଲେକ୍‌ଟ୍ରିକ୍ ଅର୍ଥାତ୍ ବୈଦ୍ୟୁତିକ ଟ୍ରାମଗାଡ଼ୀ । ଏପରି ଟ୍ରାମଗାଡ଼ୀ ଏବଂ କାରଖାନା ଭାରତବର୍ଷର ଅନ୍ୟ କୌଣସି ସହରରେ ଆଜି ପର୍ଯ୍ୟନ୍ତ ହୋଇ ନାହିଁ । ନ ଜାଣିଲା ଲୋକେ ଏହାକୁ ଦେଖିଲେ ‘‘ଏ ଗାଡ଼ୀକୁ ଭୂତ ଚଲାଉଛି ପରା’’ ହଠାତ୍ ଏହି କଥା ମୁହଁରୁ ବାହାରିବ । କଳ, ଧୂଆଁ, ବଳଦ, ଘୋଡ଼ା ପ୍ରଭୃତି କିଛ ନାହିଁ, ଅଥଚ ମନକୁ ଚାଲୁଅଛି ! ଗାଡ଼ୀର ସମ୍ମୁଖରେ ଗୋଟିଏ ବେଟେରି, ଜଣେ ଲୋକ ଏହି ବେଟେରି ଚଳାଇବାରେ ନିଯୁକ୍ତ ।

 

ଆମ୍ଭେମାନେ ଏହି ଟ୍ରାମଗାଡ଼ୀରେ ଆରୋହଣ କଲୁଁ । କ୍ରମଶଃ ସହରର ଗହଳ ମଧ୍ୟ ଦେଇ ଗାଡ଼ୀ ଚାଲିଲା । ଅସଂଖ୍ୟ ଲୋକ, ଦୋକାନ ମଧ୍ୟ ତଦ୍ରୁପ । Christian Society ଙ୍କ ବୃହତ୍ ଲାଇବ୍ରେରୀ ଦେଖିଲି । ଏହି ଲାଇବ୍ରେରୀର ଅନେକ ବହି ମୋହର ବାଲ୍ୟ ଜୀବନରେ ପଢ଼ିଥିଲି, ସୁତରାଂ ଦେଖିଲା ମାତ୍ରେ ଅତ୍ୟନ୍ତ ଭକ୍ତି ହେଲା । ଏଠାରୁ ପ୍ରତିବର୍ଷ ଅତ୍ୟଳ୍ପ ମୂଲ୍ୟରେ ନାନାଜ୍ଞାତବ୍ୟସମ୍ବଳିତ ଅସଂଖ୍ୟ ପୁସ୍ତକ ପ୍ରକାଶିତ ହୁଏ । ଭାରତବର୍ଷର ଅନ୍ୟତ୍ର ଏପରି ଅଳ୍ପମୂଲ୍ୟରେ ଏତେ ଭଲ ଭଲ ବହି କଦାଚିତ୍ ଦୃଷ୍ଟ ହୁଏ । ସହରର ଏହି ଅଂଶଟି ‘‘ଭେପେରି’’ ନାମରେ ଅଭିହିତ ।

 

୧୫ ମିନିଟ ମଧ୍ୟରେ ଗାଡ଼ୀ ହାଇକୋର୍ଟ ସମ୍ମୁଖରେ ପହଁଚିଲା । ଆମ୍ଭେମାନେ ଅବତରଣ କରି ହାଇକୋର୍ଟ ଭିତରକୁ ଗଲୁଁ । ଏଠାରେ ମୋହର ପ୍ରଧାନ ଉଦ୍ଦେଶ୍ୟ ରାୟ ବାହାଦୂର ଆନନ୍ଦ ଚାର୍ଲୁଙ୍କ ସନ୍ଧାନ । ସୋପାନାବଳୀ ଅତିକ୍ରମ କରି ଦ୍ୱିତଳରେ ପଦାର୍ପଣ କଲୁଁ । ଏଠାରେ ଜଣେ ଜଷ୍ଟିସ୍‌ଙ୍କ ବିଚାର ପ୍ରତ୍ୟକ୍ଷ କଲି । କ୍ରମଶଃ ଅଗ୍ରସର ହୋଇ ଦେଖିଲି ଏକସ୍ଥାନରେ ଲେଖା ଅଛି ‘‘P. ANUNDA CHARLU, VAKIL"; ଏହିଠାରେ ଆମ୍ଭେମାନେ ସ୍ଥଗିତ ହୋଇ ରହିଗଲୁଁ । ହାଇକୋର୍ଟରେ ପ୍ରସିଦ୍ଧ ପ୍ରସିଦ୍ଧ ଉକିଲମାନଙ୍କ ପରାମର୍ଶ ପ୍ରଭୃତି ସକାଶେ ସ୍ୱତନ୍ତ୍ର ସ୍ୱତନ୍ତ୍ର ଘର ନିର୍ଦ୍ଦିଷ୍ଟ ଥାଏ । ଏହି ସବୁ ଘରେ ଏମାନଙ୍କ ମୋହରିର, କର୍ମ୍ମଚାରି, କାଗଜ ପତ୍ର ପ୍ରଭୃତିର ସମାବେଶ । ରାୟ ବାହାଦୂରଙ୍କ ମଧ୍ୟ ତଦ୍ରୂପ ଗୋଟିଏ ଘର ଅଛି । ଏହି ଘର ସହିତ ଅନ୍ୟ ଗୋଟିଏ ଘର ସଂଶ୍ଲିଷ୍ଟ ଥିବାରୁ ପ୍ରଥମ ଘରେ ରାୟ ବାହାଦୂର ମହୋଦୟ ଅବକାଶମତେ ପରାମର୍ଶ ପ୍ରଭୃତି କରନ୍ତି, ଏବଂ ଖବର କାଗଜାଦି ପାଠରେ ନିଯୁକ୍ତ ଥାଆନ୍ତି । ଦ୍ୱିତୀୟ ଘରଟିରେ ତାହାଙ୍କ ମୋହରିର ପ୍ରଭୃତି କାର୍ଯ୍ୟ କରନ୍ତି । ଆମ୍ଭେମାନେ ଏହାଙ୍କୁ ଅନ୍ୱେଷଣ କରିବାରୁ ତାହାଙ୍କର ଜଣେ ସାହେବ ମୋହରିରଙ୍କଠାରୁ ଅବଗତ ହେଲୁଁ ଯେ ସେ କୌଣସି ଜଷ୍ଟିସଙ୍କ ନିକଟରେ ମୋକଦ୍ଦମା ସମ୍ବନ୍ଧୀୟ ବକ୍ତୃତାରେ ବ୍ୟସ୍ତ ଅଛନ୍ତି; ସୁତରାଂ ଆମ୍ଭେମାନେ ସେ ସ୍ଥାନ ପରିତ୍ୟାଗ କରି ଦ୍ୱିତଳରେ ଅନ୍ୟାନ୍ୟ ଅଂଶ ପରିଦର୍ଶନ କଲୁଁ । ପୁନଶ୍ଚ କେତେକ ସୋପାନାରୋହଣ କରି ତ୍ରିତଳରେ ଉପସ୍ଥିତ ହେଲୁଁ । ଏଠାରୁ ସମଗ୍ର ମାନ୍ଦ୍ରାଜ ସହର ଦିଶିଲା । ହାଇକୋର୍ଟର ସମ୍ମୁଖରେ ପ୍ରସିଦ୍ଧ Christian College । ଏହି କଲେଜଟି ବଙ୍ଗ ଦେଶର ସୁପ୍ରସିଦ୍ଧ Presidency College ପରି ଉତ୍କୃଷ୍ଟ । ଏହି କଲେଜଗୃହର ଚୁଡ଼ାଗୁଡ଼ିକ ଗିର୍ଜ୍ଜାପରି ନିର୍ମିତ ହୋଇ ଅତି ମନୋହର ଦିଶୁଅଛି । ଅନ୍ୟ ଦିଗରେ Low College ବର୍ତ୍ତମାନ ତିୟାରି ହେଉଅଛି, ସମୟରେ ଏହା ଗୋଟିଏ ପ୍ରକାଣ୍ଡ ଅଟ୍ଟାଳିକାରେ ପରି ଗଣିତ ହେବ । ଅଧୁନା ପ୍ରାୟ ତିନିଭାଗ କାର୍ଯ୍ୟ ହୋଇ ଗଲାଣି ଆଉ ଏକବର୍ଷ ମଧ୍ୟରେ ଶେଷ ହୋଇଯିବାର ସମ୍ଭାବନା । Victoria Hall, Central, Station, Senate Hall, Church, General Post Office, ପ୍ରଭୃତି ବଡ଼ ବଡ଼ ଅଟ୍ଟାଳିକାଗୁଡ଼ିକ ସହରର ଭିନ୍ନ ଭିନ୍ନ ଅଂଶରେ ସଦର୍ପରେ ଦଣ୍ଡାୟମାନ । ଅନ୍ୟପର୍ଶ୍ୱରେ ଊର୍ମ୍ମିମାଳାକୁଳ ନୀଳାୟମାନ ଊର୍ମ୍ମମାଳୀର ଅପୂର୍ବ୍ବଶୋଭା ! ସେଥିରେ ପୁଣି ଅସଂଖ୍ୟ ଅର୍ଣ୍ଣବପୋତ ଦିକ୍‌ପ୍ରାଚୀରଲମ୍ବିତ ଅଲେଖ୍ୟବତ୍ ପ୍ରତିଭାତ । ପ୍ରକୃତ କହିବାକୁ ଗଲେ, ଆକାଶ ଏବଂ ସାଗର ପରି ଉଦାର ଏବଂ ପ୍ରଶସ୍ତ ପଦାର୍ଥ ପ୍ରକୃତିରେ ଆଉ ନାହିଁ । ଏହି ଉଭୟ ପଦାର୍ଥର ସମ୍ମିଳନ ଦୃଶ୍ୟ କେଡ଼େ ଗମ୍ଭୀର ! ଅସୀମ ଆକାଶ ଦିଗ୍‌ବଳୟରେ ବଦ୍ଧ ହୋଇ ଅୟତ ବିଶାଳ ସିନ୍ଧୁକୁ ଆଲିଙ୍ଗନ କରୁଅଛି,-ଏଠାରେ ଏ ଶୋଭାର ପରାକାଷ୍ଠା ଦେଖିଲି ।

 

ଅଦୂରରେ ସମୁଦ୍ରକୂଳରେ ଫୋର୍ଟ ସେଟ୍‌ ଜର୍ଜ । କଲିକତାର ଫୋର୍ଟ ଉଇଲିୟମ ଗଙ୍ଗାକୂଳରେ,ଏ କିଲ୍ଲାଟି କୌଣସି ନଦୀକୂଳରେ ନୋହି ସାଗରର ନୀଳୋର୍ମ୍ମିମାଳା ଉପରେ ନିର୍ମିତ ।

 

ଏହାର ଉତ୍ତରରେ ସାଧାରଣ ପୋତାଶ୍ରୟ । ବଡ଼ ବଡ଼ ଷ୍ଟିମାର ଏବଂ ଜାହାଜ ପ୍ରଭୃତିର ବିଚିତ୍ର ସମାବେଶ । ଏହିସ୍ଥାନକୁ Beach କହନ୍ତି । ଏହି ଅସଂଖ୍ୟ ଜାହାଜ ଏବଂ ଷ୍ଟିମାର ବାତ୍ୟାରୁ ରକ୍ଷା ପାଇବା ସକାଶେ ସମୁଦ୍ରଭିତର ପର୍ଯ୍ୟନ୍ତ ୩ ମାଇଲବ୍ୟାପୀ ଗୋଟିଏ ପ୍ରକାଣ୍ଡ ପ୍ରାଚୀର ନିର୍ମିତ ହୋଇଅଛି ।

 

ଆମ୍ଭେମାନେ ତ୍ରିତଳରୁ ଦ୍ୱିତଳକୁ ଓହ୍ଲାଇ ଆସିଲୁ । ବାରନ୍ଦାର ଅନ୍ୟ ମାର୍ଗବାଟେ ଗୋଟିଏ ଅତ୍ୟନ୍ତ ମନୋହର ସ୍ଥାନରେ ଉପସ୍ଥିତ ହେଲୁ । କି ବିଚିତ୍ର ଶିଳ୍ପଚାତୁର୍ଯ୍ୟ । ଜୀବନରେ ଅନେକ ପ୍ରକାଣ୍ତ ପ୍ରକାଣ୍ତ ଅଟ୍ଟାଳିକାର ମନୋମୋହକର କାରୁକାର୍ଯ୍ୟ ଦେଖିଅଛି, କିନ୍ତୁ ଏପରି ମୋହୋ ଭାଗ୍ୟରେ କେବେହେଁ ଘଟି ନାହିଁ । ମୁଁ ସାହସ କରି କହିପାରେ ଏ ପ୍ରେସିଡ଼େନ୍ତିର ଚୁନର କାରୁକାର୍ଯ୍ୟ ନିକଟରେ ଭାରତ ବର୍ଷର ଅନ୍ୟ ଯେ କୌଣସି ପ୍ରଦେଶ ନତମସ୍ତକ ହୋଇ ରହିବ ।

 

କ୍ରମଶଃ ଆମ୍ଭେମାନେ ଅନ୍ୟ ଏକ ପ୍ରକୋଷ୍ଠରେ ଉପସ୍ଥିତ ହେଲୁ । ଗୋଟିଏ ପ୍ରକାଣ୍ତ ହଲ୍‌,–ଏଥିରେ ଅନରେବଲ ଚିଫ୍‌ଜଷ୍ଟିସ ମହୋଦୟ ବିଚାରରେ ନିଯୁକ୍ତ । ଚିପ୍‌ଜଷ୍ଟିସ ହସ୍ତିବନ୍ତକାରୁକାରୁକାର୍ଯ୍ୟ ଖଚିତ ବିଚାରମଞ୍ଚରେ ଉପବିଷ୍ଟ,–ସମ୍ମୁଖରେ ୭ ।୮ ଜଣ ଇଂରାଜ ବାରିଷ୍ଟର, ତତ୍‌ପରେ ୧୦ ।୧୨ ଜଣ ଦେଶୀୟ ବାରିଷ୍ଟର ଏବଂ ଉକିଲ, ସର୍ବ୍ବ ଶେଷରେ ଦର୍ଶକମାନଙ୍କ ଶ୍ରେଣୀବଦ୍ଧ କାଷ୍ଠାସନ, ଏଠାରେ ପ୍ରାୟ ୩୦୦ ଦର୍ଶକ ନିସ୍ତବ୍ଧଭାବରେ ଉପବିଷ୍ଟ । ଆମ୍ଭେମାନେ ମଧ୍ୟ ଅର୍ଦ୍ଧଘଣ୍ଟା କାଳ ଦର୍ଶନକାର୍ଯ୍ୟରେ ବ୍ୟାପୃତ ହେଲୁଁ । ଏ ହଲ୍‌ଟି ଶିଳ୍ପନୈପୃଣ୍ୟର ପରାକାଷ୍ଠାସ୍ୱରୂପ । ଚୂନର ଅତୁର୍ବ୍ବଶିଳ୍ପରେ ଚିତ୍ର ବିଚିତ୍ର କାଚଖଣ୍ତର କେଡ଼େ ମନୋହର ଶୋଭା । ମର୍ତ୍ତ୍ୟରେ ସତେ ଅବା ବାସବଭବନର ଆବିର୍ଭାବ ?

 

ଏ ସ୍ଥାନରୁ ଆମ୍ଭେମାନେ ଅନ୍ୟ ଗୋଟିଏ ହଲ୍‌ରେ ପ୍ରବିଷ୍ଟ ହେଲୁଁ । ଏ ହଲ୍‌ଟି ପୂର୍ବ୍ବକଥିତ ହଲଠାରୁ କୌଣସି ଅଂଶରେ ନ୍ୟୁନ ନୁହେ,–ଏଠାରେ ଅନରେବଲ ଜଷ୍ଟିସ ସୁବ୍ରାହ୍ମଣ୍ୟ ଆୟାର ସି. ଆଇ. ଇ. ମହୋଦୟ ବିଚାରମଞ୍ଚରେ ଆସୀନ । ହାଇକୋର୍ଟର ଦେଶୀୟ ଜଷ୍ଟିସ୍‌ଙ୍କ ବିଚାର ଦେଖିବାକୁ ଅତ୍ୟନ୍ତ ଆଗ୍ରହ ଜନ୍ମିଲା, ସୁତରାଂ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଦର୍ଶକମଣ୍ତଳୀଙ୍କ ମଧ୍ୟରେ ପରିଗଣିତ ହେଲୁଁ ।

 

ଜଷ୍ଟିସ୍‌ ମହୋଦୟ ଗୋଟିଏ ଅପିଲ ମୋକଦ୍ଦମାରେ ନିଯୁକ୍ତ, ସମ୍ମୁଖରେ ବାଦୀ ପ୍ରତିବାଦୀଙ୍କ ବାରିଷ୍ଟର ଏବଂ ଉକୀଲମାନେ ଜଣ ଜଣ କରି ଓଜସ୍ୱୀ ଭାଷାରେ ବକ୍ତୁତା କରୁଅଛନ୍ତି, ମଧ୍ୟ ମଧ୍ୟ ଉଭୟ ପକ୍ଷର ତର୍କ ବିତର୍କ, ବାଦାନୁବାଦ ଲାଗି, ହାସ୍ୟ ପରିହାସରେ ପରିଣତ ହେଉଅଛି । ଜଷ୍ଟିସ୍‌ ମହୋଦୟ ସମସ୍ତ ଶ୍ରବଣପୂର୍ବ୍ବକ ଲିପିବଦ୍ଧ କରିବାରେ ବ୍ୟସ୍ତ,–ପ୍ରଶାନ୍ତ ସୌମ୍ୟମୂର୍ତ୍ତି,–ମୁଖାକୃତିର ସ୍ତରେ ସ୍ତରେ ଗାମ୍ଭୀର୍ଯ୍ୟ ବିରାଜିତ ! ପାଠକେ ! ଏହାଙ୍କ ବେଷଭୂଷା ବିଷୟରେ କିଛି ଶୁଣିବେ ? ପରିଧାନରେ ଦେଶୀୟ ଧୋତି, ଅଙ୍ଗାଚ୍ଛାଦନ ନିମିତ୍ତ କୋଟ, ଉତ୍ତରୀୟ ଶିରୋଦେଶରେ ପଗଡ଼ିରୂପେ ବିଦ୍ୟମାନ ! କପାଳରେ ଦୀର୍ଘ ରାମାନନ୍ଦୀଚିତା, ଏବଂ ମୁଣ୍ତିତଶୁଶ୍ରୁ ପ୍ରଭୁତି, ହିନ୍ଦୁଧର୍ମର ପରିଚୟ ପ୍ରଦାନ କରୁଅଛି ! ଏଡ଼େ ବଡ଼ଲୋକ, ଅଥଚ ଏହିପରି ବେଶ ! ଏ ଦେଶୀୟ ଶିକ୍ଷିତମ୍ମନ୍ୟଦଳ ଏହାଙ୍କୁ ଅଜ୍ଞ ଏବଂ କୁସଂସାରାବିଷ୍ଟ ଆଖ୍ୟା ଦେବାକୁ ସାହାସୀ ହୋଇ ପାରିବେ କି ? ଏପରି ସାରଳ ବଙ୍ଗବିଭାଗରେ ନିତାନ୍ତ ବିରଳ ।

 

ଏଠାରୁ ଆମ୍ଭେମାନେ ସୋପାନଦ୍ୱାରା ଭିନ୍ନମାର୍ଗରେ ଅବତରଣ କରି ଏକାବେଳକେ ସମୁଦ୍ରକୁଳ ପଥରେ ଉପସ୍ଥିତ ହେଲୁଁ । ନିକଟରେ ଗୋଟିଏ କ୍ଷୁଦ୍ର ମନୋହର ଉଦ୍ୟାନ, ଏହାର ଅପରପାର୍ଶରେ ସେଟ୍‌ଜର୍ଜ ଜିଲ୍ଲା । ଆମ୍ଭେମାନେ ଅବିଳମ୍ବେ ଜିଲ୍ଲା ଦେଖିବାକୁ ଗଲୁଁ । କଲିକତାର ଫୋର୍ଟ ଉଇଲିୟମ ପରି ଜିଲ୍ଲାଟି ଏକପ୍ରକାର ଭୁଗର୍ଭରେ ନିର୍ମ୍ମିତ, ସୁତରାଂ ପ୍ରବେଶମାର୍ଗୁ ମଧ୍ୟ ସେହିପରି । ଫୋର୍ଟ ଉଇଲିୟମଠାରୁ ଏହା କିଞ୍ଚିତ୍‌କ୍ଷୁଦ୍ର ହେଲେହେଁ, ନିର୍ମ୍ମାଣ କୌଶଳରେ ଉଭୟର ସାଦୃଶ୍ୟ ଲକ୍ଷିତ ହେଲା । ଦୁର୍ଗର ଚତୁଷ୍ପାର୍ଶ୍ୱ ପରିଖାବେଷ୍ଟିତ,–ପରିଖାଟି ଅଧିକାଂଶ ସମୟ ଶୁଷ୍କପ୍ରାୟ । ଏହା ସମୁଦ୍ର ସଙ୍ଗେ ସଂଯୁକ୍ତ ଥିବାରୁ ଆବଶ୍ୟକ ହେଲେ ଅର୍ଦ୍ଧଘଣ୍ଟା ମଧ୍ୟରେ ଜଳପୂର୍ଣ୍ଣ କରିବାର ଉପଯୁକ୍ତ କଳ ଅଛି । ଗୋଟିଏ ଉତ୍ତୋଳନସେତୁ (Draw Bridge) ଉପର ଦେଇ ପରିଖା ପାରି ହୋଇ ଆମ୍ଭେମାନେ ରିତରେ ପ୍ରବିଷ୍ଟ ହେଲୁଁ । ଦୁର୍ଗ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରକାଣ୍ତ ତୋପଗୁଡ଼ିକର ଅବିରଳ ସଂସ୍ଥିତି । ପିତ୍ତଳନିର୍ମ୍ମିତ ତୋପ ମଧ୍ୟ କେତେ ଗୁଡ଼ି ଦେଖିଲି,–ଏଗୁଡ଼ିକ କେବଳ ଦୁର୍ଭେଦ୍ୟ ପ୍ରସ୍ତରପ୍ରାଚୀର ବିଦାରଣ ସକାଶ ବ୍ୟବହୃତ ହୁଏ । ସେନାନିବାସ (Magazine) ଏବଂ ଅସ୍ତ୍ରାଗାର (Arsenel) ର ଅଟ୍ଟାଳିକାଗୁଡ଼ିକ ଅତି ଚମତ୍କାର । ଏହା ଛଡ଼ା ଜେଲଖାନା, ଭଜନାଳୟ, ଏବଂ ଆଲୋକସ୍ତମ୍ଭ ପ୍ରଭୂତି କେତେଗୁଡ଼ିଏ ମନୋହର ସୌଧ ମଧ୍ୟ ଅଛି । ଦୃଢ଼ ଏବଂ ପ୍ରଶସ୍ତ ମୃଣୁୟ ପ୍ରାଚୀରଦ୍ୱାରା ଦୁର୍ଗ ସୁରକ୍ଷିତ । ପ୍ରସ୍ତରର ପ୍ରାଚୀରରେ କୋପର ଗୋଳା ଭେଦ କରିପାରେ, କିନ୍ତୁ ଏଥିରେ ସେ ସମ୍ଭାବନା ନାହିଁ । ଏହା ଉପରେ ଗୋଳା ନିକ୍ଷିପ୍ତ ହେଲାମାତ୍ରେ ହଠାତ୍‌ଧସି ଯାଏ, ସୁତରାଂ ଆଶଙ୍କା ନାହିଁ ।

 

ଏକ ଘଣ୍ଟା ଉଭାରୁ ଆମ୍ଭେମାନେ ଦୁର୍ଗରୁ ନିର୍ଗତ ହୋଇ, ହାଇ କୋର୍ଟକୁ ଗଲୁଁ । ରାୟବାହାଦୁରଙ୍କ କୋଠରୀ ନିକଟକୁ ଆସି ବୁଝିଲୁଁ, ସେ ଏ ପର୍ଯ୍ୟନ୍ତ ମୋକଦ୍ଦମାରୁ ପ୍ରତ୍ୟାବର୍ତ୍ତିତ ହୋଇ ନାହାନ୍ତି । ଅଗତ୍ୟା ଆମ୍ଭମାନଙ୍କୁ କିୟତ୍‌କ୍ଷଣ ଅପେକ୍ଷା କରିବାକୁ ହେଲା । ୧୫ ମିନିଟ ପରେ ସେ ଉପସ୍ଥିତ ହେଲେ, ଏବଂ ମୋହର ବିନୀତ ଅଭିବାଦନ ଗ୍ରହଣ କରିବ ପୂର୍ବ୍ବରୁ ମୋତେ ହଠାତ୍‌ଚିହ୍ନି ପାରି ହସ୍ତପ୍ରସାରଣ ପର୍ବ୍ବକ ସମାଦରସହିତ ନାନା କଥା କହିଲେ । ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଚୋଲଟ୍ରିରେ ଅବସ୍ଥାନ ଏବଂ କଷ୍ଟର କଥା ଉଠିଲା । ସେ ଶୁଣିଲାମାତ୍ରେ, ଚୋଲଟ୍ରି ପରିତ୍ୟାଗ କରି ତାହାଙ୍କ ‘‘ ଅନୁରୋଧ’’ କହିବାର ମଧ୍ୟ ସଙ୍ଗତ ନୁହେ, କାରଣ ସେ ଚୋଲଟ୍ରିରୂପ ପାର୍ଥବରୌରବରୁ ମୋହରି ମୁକ୍ତିବିଧାନର ଆଜ୍ଞା ପ୍ରଦାନ କଲେ । ଅନୁମତି ପ୍ରାପ୍ତ ହୋଇ ମୋହର ସମଭିବ୍ୟାହାରୀ ଭାତ୍ୟକୁ ଚୋଲଟ୍ରିକୁ ପଠାଇ ତାହାକୁ ଭଡ଼େ ଭଡ଼ା ଗାଡ଼ୀ କରି ଜିନିଷପତ୍ରଗୁଡ଼ିକ ରାୟବାହାଦୁରଙ୍କ କୋଠକୁ ନେଇ ଯିବାପାଇଁ ଆଦେଶ ଦେଲି । ରାୟବାହାଦୁର ମଧ୍ୟ ଅନୁଗ୍ରହ କରି ତାହାଙ୍କର ଗୋଟିଏ ଭୃତ୍ୟକୁ ମୋହ ଭାଇ ସହିତ ଯିବାକୁ ଆଜ୍ଞା ଦେଲେ ।

 

ଅତଃପର ରାୟବାହାଦୁର ମହୋଦୟ ମୋତେ ଆପଣା ଗାଡ଼ୀରେ ବସାଇ ସହରର କେତେକ ପ୍ରଧାନ ପ୍ରଧାନ ସ୍ଥାନ ପରିଦର୍ଶନ ନିମିତ୍ତ Mount road ମଧ୍ୟକୁ ନେଇ ଗଲେ । ଏହି ମାର୍ଗଟିରେ ବଡ଼ ବଡ଼ କୋମ୍ପାନିଙ୍କ ଦ୍ୱିତଳ, ତ୍ରିତଳ ଅଟ୍ଟାଳିକା ଏବଂ ଏହାହିଁ ଏଠାରେ ‘‘Chowringhee of Madras’’ (ମାନ୍ଦ୍ରାଜର ଚୌରଙ୍ଗୀ) ବୋଲି କଥିତ । ଆମ୍ଭେମାନେ ଏଠାର ସୁପ୍ରସିଦ୍ଧ Vest & Co. Wrenn Bennett & Co., ଏବଂ Oakes & Co. ପ୍ରଭୃତିଙ୍କ ଦୋକାନ ମଧ୍ୟକୁ ଯାଇ ସମସ୍ତ ଦେଖି ଆସିଲୁଁ । ତତ୍ପରେ ବିଖ୍ୟାତ ଅଳଙ୍କାର ନିର୍ମାତା P, Orr & Sons ଙ୍କ ଦୋକାନକୁ ଯାଇ ନାନାବିଧ ବହୁମୂଲ୍ୟ ଅଳଙ୍କାରର ଶୋଭା ଦେଖି ଆସିଲୁଁ । କଲିକତାର Hamilton & Co.ଙ୍କ ଦୋକାନରେ ଏହା ଅପେକ୍ଷା ମୂଲ୍ୟବାନ୍‌ଅଳଙ୍କାର ପ୍ରସ୍ତୁତ ହୁଏ ସତ୍ୟ, କିନ୍ତୁ ଏଠାର ଗହଣାଗୁଡ଼ିକ ଭଲ ସୁନାରେ ନିର୍ମିତ, ଏବଂ ମଣି ମୁକ୍ତାର କାର୍ଯ୍ୟ ମଧ୍ୟ କଲିକତାଠାରୁ ଅନେକାଂଶରେ ଭଲ । ‘‘ଜଡ଼ାଉ ଗହଣା ’’ ମାନ୍ଦ୍ରଜ ପ୍ରେସିଜେନ୍ସି ପରି ଭାରତର ଅନ୍ୟ କୌଣସି ଅଂଶରେ ଭଲରୂପେ ପ୍ରସ୍ତୁତ ହୋଇ ପାରେ ନାହିଁ । ବିଶେଷତଃ ଏ ପ୍ରେମିଡ଼େନ୍ସିର ସ୍ୱର୍ଣ୍ଣ ଅତ୍ୟନ୍ତ ବିଶୁଦ୍ଧ ଏବଂ ମନୋହର । ଆମ୍ଭମାନଙ୍କ ଦେଶରେ ଏପରି ସୁନା ଏକପ୍ରକାର ଦୁଷ୍ପ୍ରାପ୍ୟ, ଏଠାର ସାଧାରଣ ସୁନା ଓଡ଼ିଶାର ବାରବାଣୀ ସୁନାର ସମକକ୍ଷ । ‘‘ ଦକ୍ଷିଣୀ ସୁନା’’ ର ଆଦର କେବେହେଁ କମିବ ନାହିଁ । ଏମାନଙ୍କ ଦୋକାନରେ ଅଧିକ ମୁଲ୍ୟବାନ୍‌ଅଳଙ୍କାର ସର୍ବ୍ବଦା ସଜ୍ଜିତ ନ ଥାଏ,–୩୦ ।୪୦ ହଜାର ଟଙ୍କା ମୂଲ୍ୟର ଗୋଟିଏ ଗୋଟିଏ ଅଳଙ୍କାର ଦେଖିଲି । ମାତ୍ର ଅନୁମତି ଦେଲେ ଏମାନେ ୧ ।୨ ଲକ୍ଷ ଟଙ୍କା ମୂଲ୍ୟର ଗହଣା କରି ଦେଇ ପାରନ୍ତି ।

 

ଏଠାରୁ ଚାର୍ଲୁ ମହୋଦୟ ଆମ୍ଭମାନଙ୍କୁ ‘‘ମାନ୍ଦ୍ରାଜ କ୍ଲବ’’ କୁ ନେଇ ଗଲେ । ଏହା ଗୋଟିଏ ବିଚିତ୍ର କ୍ରୀଡ଼ାସ୍ଥାନ, ମାନ୍ଦ୍ରାଜର ପ୍ରଧାନ ପ୍ରଧାନ ଲୋକଙ୍କ ଆମୋଦ ପ୍ରମୋନର ଲୀଳାଭୂମି । ପ୍ରବେଶ ମାତ୍ରେ Billiard ଏବଂ Badminton ର ପୃଥକ୍‌ପୃଥକ ଛଅ ଗୋଟି ଘରେ ବଡ଼ ବଡ଼ ଲୋକେ କ୍ରୀଡ଼ାରେ ନିଯୁକ୍ତ ଥିବାର ଦେଖିଲି । ଏଠାରେ ଖଣ୍ତିଏ ବହିରେ ‘‘Shashi bhushan Rai, Cuttack, a friend of the club, introduced by P, Anunda Churlu ’’ ଏହି କଥାଗୁଡ଼ିକ ରାୟ ବାହାଦୁର ମହୋଦୟ ଲେଖି ଦେଲେ, ଏବଂ ମୁ ସ୍ୱୟଂ ସ୍ୱାକ୍ଷର କରି ଦେଇ । ଅତଃପର ରାୟ ବାହାଦୂର ମହୋଦୟଙ୍କ ସହିତ ଦ୍ୱିତଳ ଗୃହରେ ଉପସ୍ଥିତ ହେଲି । ଏହା ଗୋଟିଏ ପ୍ରସିଦ୍ଧ ଲାଇବ୍ରେରୀ ଏବଂ ପାଠ ଗୃହ । ଏହି ହଲରେ ଦେଖିଲି ପକ୍ୱକେଶ ଅଶୀତିବର୍ଷୀୟ ବୃଦ୍ଧଠାରୁ, ବିଂଶବର୍ଷୀୟ ଯୁବା ପର୍ଯ୍ୟନ୍ତ ପ୍ରାୟ ୫୦ ।୬୦ ଲୋକ ସମ୍ମୁଖରେ ପୃସ୍ତକରାଶି, ଅଥବା ସଂବାଦପତ୍ର ଘେନି ପୂର୍ବ୍ବାହ୍ନ ୧୦ ଘଟିକାଠାରୁ ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ପାଠ କରୁଅଛନ୍ତି । ଏହି ପାଠଗୃହରେ ଟିକିଏ ଶବ୍ଦ ନାହିଁ, ନିଃଶବ୍ଦରେ ଏତେ ଲୋକ ସମକାଳରେ ପାଠରେ ନିଯୁକ୍ତ । ଅନ୍ୟାନ୍ୟ ଶାସ୍ତ୍ରବିତ୍‌ଏବଂ ଜ୍ଞାନୀ ପଣ୍ତିତମାନଙ୍କୁ ମୋହର ଦେଖିବାର ସୁବିଧା ହୋଇ ନାହିଁ ସତ୍ୟ, କିନ୍ତୁ ଏହି ଗୃହର ପାଠକମାନେ ଯେ କେତେ ପରିଶ୍ରମ, କଷ୍ଟ ଏବଂ ଯନ୍ତ୍ର କରି, କିଞ୍ଚନ୍ନାତ୍ର ଅଥର ଆଶା ନ ରଖି, କେବଳ ଜ୍ଞାନୋନ୍ନତି ନିମନ୍ତେ ଜୀବନ ଉତ୍ସର୍ଗ କରିଅଛନ୍ତି, ଏହା ଦେଖିଲେ ମନେ ହୁଏ, ଆମ୍ଭେମାନେ କେବଳ ବାଲ୍ୟକ୍ରୀଡ଼ା କରୁ ଅଛୁ ମାତ୍ର । ବଙ୍ଗଦେଶର ଗୋଟିଏ ଅହଙ୍କାର ଅଛି, ବଙ୍ଗାଳିମାନେ ବଡ଼ ମେଧାବୀ । ବଙ୍ଗାଳିଙ୍କ ବୁଦ୍ଧି ଅତୀବ ତୀକ୍ଷ୍ଣ ! ଆମ୍ଭମାନଙ୍କ ଦେଶର କେତେକ ଶିକ୍ଷିତାଭିମାନୀ ଓଡ଼ିଆ ମଧ୍ୟ ଏହି ସ୍ରୋତରେ ଭାସୁଅଛନ୍ତି । ପ୍ରତିବର୍ଷ ନାନା ବିଦ୍ୟାରେ ଏତେ ଉପାଧି ପ୍ରାପ୍ତ ହେଉଅଛୁ, ଇଂରାଜୀମାନଙ୍କ ପରି ଶିକ୍ଷା କରୁଁ, ଇଂରାଜୀ ସଂବାଦପତ୍ର ଆମ୍ଭମାନଙ୍କ କର୍ତ୍ତୃକ ସମ୍ପାଦିତ ହେଉଅଛି, ସୁତରାଂ ଆମ୍ଭମାନଙ୍କ ପରି ସୁତୀକ୍ଷ୍ଣବୁଦ୍ଧି ଅତି ଅଳ୍ପଜାତିର ଅଛି । ସବୁ ବିଷୟରେ ଗର୍ବ୍ବହିଁ ମନୁଷ୍ୟର ଅଧଃପତନର କାରଣ; ଏହି ବିଦ୍ୟାଭିମାନ ଆମ୍ଭମାନଙ୍କ ପ୍ରକୃତି ବିଦ୍ୟୋନ୍ନତି ପକ୍ଷରେ ପ୍ରଧାନ ପ୍ରତିବନ୍ଧକ ହୋଇ ରହିଅଛି । ଏ ପ୍ରେସିଡ଼େନ୍ସିର ଜଣେ ଅତି ସାମାନ୍ୟଲୋକ ସୁଦ୍ଧା ସମସ୍ତ ପ୍ରେସିଡ଼େନ୍ସିର କେଉଁ ଠାରେ କଅଣ ହେଉଅଛି, ତାହାର ସଂବାଦ ରଖେ । ଆମ୍ଭମାନଙ୍କ ଦେଶରେ ବିଶ୍ୱବିଦ୍ୟାଳୟର ଉପାଧିଧାରୀ ଅନେକଙ୍କୁ କଟକର ଲୋକସଂଖ୍ୟା କେତେ ପଚାରିଲେ ସଦୁତ୍ତର ମିଳିବ କି ନାହିଁ, ସନ୍ଦେହ,–ତଥାପି ଆମ୍ଭେମାନେ ବିଦ୍ୟାଭିମାନୀ ! ଏହି ମାନ୍ଦ୍ରାଜର କେତେକ ବଡ଼ ବଡ଼ ସ୍କୁଲ ଏବଂ କଲେଜରେ ଅଧସ୍ତନ ଶ୍ରେଣୀ ଠାରୁ ଉଚ୍ଚତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କୁ ମାନ୍ଦ୍ରାଜଭୂଗୋଳ ଏବଂ ଦେଶୀୟ ପ୍ରଚଳିତ ଅଙ୍କଗୁଡ଼ିକ ସର୍ବ୍ବାଦୌ ଶିକ୍ଷା କରିବାକୁ ହୁଏ ପରେ ବିଦେଶର ଭୂଗୋଳ ଏବଂ ଅଙ୍କରେ ପାରଦର୍ଶତା ଲାଭ କରିବାକୁ ହୁଏ । ଆମ୍ଭମାନଙ୍କ ଦେଶର ଗ୍ରାଜୁଏଟ୍‌ମାନେ ବଡ଼ ବଡ଼ ବିଷୟ ଘେନି ବ୍ୟସ୍ତ,–କିନ୍ତୁ ଅତି ସାମାନ୍ୟ ବଜାରହିସାବ ସମ୍ବନ୍ଧୀୟ ପ୍ରଶ୍ନ ଏମାନଙ୍କର ବୁଦ୍ଧିକୁ କଣା କରିଦିଏ ! ମାନ୍ଦ୍ରାଜର ସମସ୍ତେ ବିଦ୍ୱାନ୍‌ଏ କଥା ମୁଁ କହୁ ନାହିଁ । ଜ୍ଞାନଲାଭ ଏବଂ ଜ୍ଞାନବିସ୍ତାର ପାଇଁ ଅଧିକାଂଶ ଲୋକଙ୍କର ଚେଷ୍ଟ ଅଛି, ଏବଂ ଦୈନିକ ପ୍ରୟୋଜନୀୟ ବିଷୟ ଅଗ୍ରେ ଜାଣିବାକୁ ସମସ୍ତେ ତତ୍ପର । ପ୍ରାୟ ଅଧିକାଂଶଲୋକେ ଦେଶୀୟ ସଂବାଦପତ୍ର ପଢ଼ିବାକୁ ଊତ୍ସୁକ । ଏହି ପାଠାଗାରରେ ଇଂରାଜୀ ବ୍ୟତୀତ ବଡ଼ ବଡ଼ ଲୋକମାନେ ଦେଶୀୟ ତାମିଲ ଏବଂ ତୈଲଙ୍ଗଭାଷାର ସଂବାଦପତ୍ର ପାଠରେ ବ୍ୟସ୍ତ ଥିବାର ଦେଖିଲି । ଆଚ୍ଚିପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଖଣ୍ତିଏ ସୁଦ୍ଧା ସଂବାଦପତ୍ର ଭଲ ରୂପେ ଚାଲିଲା ନାହିଁ । ସଂବାଦପତ୍ର ଚାଲିବ କଣ ? ଏକେତ ଦେଶରେ ପାଠକସଂଖ୍ୟା ଅଳ୍ପ, ସେଥିରେ ପୁଣି, ଯେଉଁମାନେ ପାଠକ, ସେମାନେ ଓଡ଼ିଆ ସଂବାଦପତ୍ର ପଢ଼ି ବାକୁ ଲଜ୍ଜା ବୋଧ କରନ୍ତି । ସ୍ୱଜାତିର ନିନ୍ଦା-କୁତ୍ସାପୂର୍ଣ୍ଣ ଇଂରେଜୀ କାଗଜ ପୋଷଣରେ ଏମାନେ ମୁକ୍ତହସ୍ତ, ଅଥଚ ଦେଶୀୟ ସମ୍ପାଦକମାନଙ୍କୁ ଉତ୍ସାହ ଦେବାକୁ କାତର । ମାନ୍ଦ୍ରାଜର କୌଣସି ବଡ଼ ଦୋକାନରେ କିଛି କ୍ରୟ କରିବାକୁ ଗଲେ ପ୍ରଥମ କଥା ‘‘ଆଜି ସକାଳେ ଯେ ଟେଲିଗ୍ରାମ ଆସିଅଛି, ସେ ସମ୍ବନ୍ଧରେ ଆପଣଙ୍କର ମତ କଅଣ ’’ ‘‘ମଲୟାଲମ୍‌ରାଜ୍ୟରେ ଅଭ୍ୟନ୍ତ ଜଳସ୍ଥିତ’’,‘‘ତ୍ରିନାବଳୀରେ ଭୂମିକମ୍ପ ହେଲା, ବଡ଼ ଦୁଃଖର ବିଷୟ’’ । ‘‘ଓଡ଼ିଶାର ଦୀର୍ଘ ପ୍ରସ୍ଥ କେତେ’’,‘‘ଶତକଡ଼ା କେତେ ଲୋକର ମୃତୁ ହୁଏ’’, ‘‘କେତେ ଚାଉଳ ବିଦେଶକୁ ରପ୍ତାନି ହୁଏ’’, ଏହିପରି ସାମାନ୍ୟ ପ୍ରଶ୍ନର ଉତ୍ତର ପ୍ରଦାନରେ ଅକ୍ଷମ ହୋଇ, ମୁଁ ଅନେକସ୍ଥଳରେ ଅପ୍ରସ୍ତୁତ ହୋଇଅଛି–ତଥାପି ଆମ୍ଭେମାନେ ଶିକ୍ଷିତାଭିମାନୀ ! ଆମ୍ଭମାନଙ୍କ ଦେଶରେ ଯେଉଁମାନେ କୃତବିଦ୍ୟ, ସେମାନେ ସାଧାରଣଙ୍କୁ ଶିକ୍ଷା ଦେବାପାଇଁ କିଞ୍ଚିନ୍ନାତ୍ର ଚେଷ୍ଟା କରନ୍ତି ନାହିଁ । କେବଳ ସ୍ୱୟଂ ଶିକ୍ଷା କଲେ ଜ୍ଞାନର ସମ୍ପୁର୍ଣ୍ଣ ସଦ୍‌ବ୍ୟବହାର ହେଲା ନାହିଁ । ଏ ସ୍ଥାନର ବଡ଼ ବଡ଼ ଲୋକେ ଶିକ୍ଷା ଦେବା ସକାଶେ ପ୍ରତିବର୍ଷ ଅଜସ୍ର ଟଙ୍କା ବ୍ୟୟ କରିଥାଆନ୍ତି । ବୃତ୍ତିସ୍ଥାପନ, ସ୍କୁଲଗୃହନିର୍ମାଣ, ସାଧାରଣ ଲୋକଙ୍କୁ ଶିକ୍ଷାର ଉପକାରିତା ବୁଝାଇବା ବିଷୟରେ ଏମାନେ ଅତ୍ୟନ୍ତ ଆସ୍ଥାବାନ୍‌ । ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଭିଜିଆନଗ୍ରମ ମହାରାଜଙ୍କ ପରି ଧନୀ ନାହାନ୍ତି ସତ୍ୟ, କିନ୍ତୁ ଏପରି ବୃତ୍ତି ସ୍ଥାପନ ସକାଶେ ପ୍ରଭୂତ ଟଙ୍କା ବ୍ୟୟ କରିବା ଭଳି ଅନେକ ଧନୀ ନାହାନ୍ତି କି ? ସେପରି ପ୍ରବୃତ୍ତି କାହିଁ ?

ସମସ୍ତ କ୍ଲବ୍‌ଟି ଭଲରୂପେ ଦେଖି ଚାର୍ଲୁ ମହୋଦୟଙ୍କ ସହିତ ଗାଡ଼ୀରେ ତାହାଙ୍କ କୋଠାକୁ ଗଲି । ରାସ୍ତାଟି ମର୍ତ୍ତ୍ୟକୁବେରମାନଙ୍କ ସୁରମ୍ୟ ହର୍ମ୍ମବାବଳୀରେ ଭୂଷିତ, ଏବଂ ଗିର୍ଜ୍ଜା, ଶିଳ୍ପବିଦ୍ୟାଳୟ (Shool of Arts) ଏବଂ ସେନେଟ୍‌ହଲ୍‌ପ୍ରଭୃତି ପ୍ରକାଣ୍ତ ପ୍ରକାଣ୍ତ ଅଟ୍ଟାଳିକାରେ ପରିପୂର୍ଣ୍ଣ । ଚାଲୁଁ ମହୋଦୟଙ୍କ କୋଠା ଅତି ନିକାଞ୍ଚନ ପ୍ରଦେଶରେ,–ଏହା ସହିତ ସହରୀ କୋଳାହଳପୂର୍ଣ୍ଣ ପଲ୍ଲୀଗୁଡ଼ିକର (ସାଧାରଣ Black town) ପ୍ରାୟ ସମ୍ପର୍କ ନାହିଁ । ଉପଯୁକ୍ତ ଲୋକର ଉପଯୁକ୍ତ ସ୍ଥାନ ଦେଖି କୋଠା ନିର୍ମ୍ମିତ ହୋଇଅଛି,–କୋଠାଟି ଗୋଟିଏ କ୍ଷୁଦ୍ର ହ୍ରଦ ଉପରେ ଅବସ୍ଥିତ ବୋଲି, କୋଠାର ନାମ ‘‘Lakeside’’ ହୋଇଅଛି । ସହରର ଏହି ଅଂଶର ନାମ Egmore । ଏ କୋଠାର ଅନ୍ୟ ପାର୍ଶରେ ରାଜା ସାର୍‌ ରାମସ୍ୱାମୀ ମୁଡ଼ଲିୟାର ମହୋଦୟଙ୍କ କୋଠା ଅବସ୍ଥିତ ।

 

ଚାର୍ଲୁ ମହୋଦୟଙ୍କ ଭବନଟି ବଡ଼ କମ ନୁହେ । ଏହାର ଶିଳ୍ପଚାତୁର୍ଯ୍ୟ ପ୍ରଶଂସନୀୟ । ସମ୍ମୁଖ ଏବଂ ପଶ୍ଚାତରେ ସୁନ୍ଦର ରମଣୀୟ ଉଦ୍ୟାନ ଶୋଭିତ ହୋଇ ଏହା ଅତି ମନୋହର ହୋଇଅଛି । ଏଠାରେ ଉପସ୍ଥିତ ହେଲା ମାତ୍ରେ ଚାର୍ଲୁ ମହୋଦୟଙ୍କ ଏକମାତ୍ର ପୁତ୍ର ଶ୍ରୀଯୁକ୍ତ ଶ୍ରୀନିବାସ ଚାର୍ଲୁ ମହୋଦୟ ମୋତେ ସମାଦର କରି କୋଠା ଭିତରକୁ ନେଇଗଲେ । ଏଠାରେ ଆମ୍ଭ ଉଭୟଙ୍କ ମଧ୍ୟରେ ନାନା ପ୍ରସଙ୍ଗ ପଡ଼ିଲା । ଯଥାସମୟରେ ମୋହର ଭୃତ୍ୟ ଏବଂ ପାଚକମାନେ ଜିନିଷ ପତ୍ରାଦି ସହି ଉପସ୍ଥିତ ହେଲେ, ଏବଂ ରହିବା ସକାଶେ କୋଠାମଧ୍ୟସ୍ଥିତ ଗୋଟିଏ ମନୋହର ଘର ନିର୍ଦ୍ଦିଷ୍ଟ ହେଲା ।

 

ସନ୍ଧ୍ୟାରେ ଚାର୍ଲୁ ମହୋଦୟ ଏବଂ ତାହାଙ୍କ ପୁତ୍ର ସହିତ ନାନା ପ୍ରକାର କଥାବାର୍ତ୍ତା ହେଲା । ରାତ୍ରିରେ ଆହାର କରିବାବେଳେ ଚାର୍ଲୁ ମହୋଦୟଙ୍କ ଅନ୍ତଃପୁରସ୍ଥା ସ୍ତ୍ରୀଲୋକଙ୍କ କର୍ତ୍ତୁକ ପ୍ରସ୍ତୁତ ଖଲିପତ୍ର ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲି । ପତ୍ରଗୁଡ଼ିକ ଏପରି ଭାବରେ ପ୍ରସ୍ତୁତ ଯେ ସେଥିରେ ଆହାର କରିବାକୁ ଇଚ୍ଛା ହେବ ନାହିଁ, କେବଳ ଦର୍ଶନଯୋଗ୍ୟ ବୋଲି ମନେ ହେବ । ଏପରି ସାମାନ୍ୟ କଥାରେ ସୁଦ୍ଧା ଶିଳ୍ପର ଅନୁଷ୍ଠାନ ।

 

୬-୮-୯୫–ମଙ୍ଗଳବାର–ପ୍ରାତଃକୃତ୍ୟ ସମାପନାନ୍ତେ ଚାର୍ଲୁମହୋଦୟଙ୍କ କୋଠରିରେ ଆସି ବସିଲି । ସେ ମୋହର ଦକ୍ଷିଣପାତ୍ରା ସମ୍ଭନ୍ଧିରେ ବିଶେଷ ବନ୍ଦୋବସ୍ତ କରି ଦେଉଥିଲେ । କୋମ୍‌ବେକୋନମ୍‌, ମଦୁରା, ଟିଉଟିକରିନ୍‌ପ୍ରଭୃତି ପ୍ରସିଦ୍ଧ ପ୍ରସିଦ୍ଧ ସହରର ବନ୍ଧୁଙ୍କୁ ଟେଲି ଗ୍ରାମ ଦ୍ୱାରା ମୋହର ଗମନବାର୍ତ୍ତା ଜଣାଇ ଉତ୍ତର ପାଇବାର ପ୍ରତୀକ୍ଷାରେ ରହିଲେ ।

 

ମଧ୍ୟାହ୍ନରେ ଚାର୍ଲୁ ମହୋଦୟଙ୍କ ସହିତ High Court କୁ ଗଲି । ଏଠାରେ ପ୍ରାୟ ପ୍ରାୟ ଘଣ୍ଟା ପର୍ଯ୍ୟନ୍ତ ବିଚାରକାର୍ଯ୍ୟ ଅବଲୋଚନ କରି Black town ର କେତେକ ପ୍ରଧାନ ପ୍ରଧାନ ସଡ଼କରେ ପରିଭ୍ରମଣ କଲି । ପରିଶେଷରେ ବନ୍ଦରକୁ ଆସିଲି । ଅସଂଖ୍ୟ ବାଷ୍ପୀୟ ପୋତର ଧୂମୋଦ୍ଗୀରଣ ଏବଂ ଅଜମ୍ର ବ୍ୟସ୍ତମନୁଷ୍ୟମାନଙ୍କ କୋଳାହ୍ୱଳ ବେଳା ପ୍ରଦେଶର ସ୍ୱାଭାବିକ ଗାମ୍ଭୀର୍ଯ୍ୟ ବିନଷ୍ଟ କରି ଦେଇଅଛି ।

 

ଏହାର ଅନତିଦୂରରେ General Post Officer । ଏହା ବିଚିତ୍ରଗଠଣର ଅଟ୍ଟାଳିକା । ଏହାର ବହିରାକୃତି ଦର୍ଶନ କରି ତୃପ୍ତ ହେବାକୁ ହେଲା, ଭିତରକୁ ଯିବାର ସୁବିଧା ଘଟିଲା ନାହିଁ ।

 

ଅପରାହ୍ନ ୪ ଘଟିକା ସମୟରେ ପୁନଶ୍ଟ ହାଇକୋର୍ଟକୁ ଆସିଲି । ଚାର୍ଲୁ ମହୋଦୟଙ୍କ ମଧୁର ପ୍ରଶ୍ନଗୁଡ଼ିକର ଯଥାଯୋଗ୍ୟ ଉତ୍ତର ଦେବାକୁ ପଡ଼ିଲା । ଉତ୍ତର ଆଉ କିଛି ନୁହେ,–ପରିଦୃଷ୍ଟ ସ୍ଥାନ-ଚୁଡ଼ିକର ଦୀର୍ଘ ନିର୍ଦ୍ଦଣ୍ଟ ମାତ୍ର ।

 

ଚାର୍ଲୁ ମହୋଦୟଙ୍କର High Court ରେ କିଛି ବିଶେଷ କାର୍ଯ୍ୟ ଥିବାରୁ ଆମ୍ଭେମାନେ ଅତିଶୀଘ୍ର କୋଠାକୁ ଫେରି ଆସିଲୁଁ । ସେ ଫେରି ଆସିଲାବେଳକୁ ସନ୍ଧ୍ୟା ହୋଇଗଲା । ଶ୍ରୀନିବାସ ଚାର୍ଲୁଙ୍କସହିତ କଥୋପକଥନରେ ରାତ୍ରିର ପ୍ରଥମ ଯାମ ଗତ ହେଲା ।

 

୭-୮-୯୫–ବୁଧବାର–ପ୍ରାତଃକାଳରେ ଚାର୍ଲୁ ମହୋଦୟଙ୍କ ଟେଲିଗ୍ରାମର ଉତ୍ତର ଆସିଲା । ଆମ୍ଭେମାନେ ଆଜି ସନ୍ଧ୍ୟାସମୟରେ ଦକ୍ଷିଣାଭିମୁଖରେ ଯିବାର ପ୍ରସ୍ତାବ କଲୁଁ । ଆବଶ୍ୟକୀୟ ବନ୍ଦୋବସ୍ତ କରି ଦେବା ସକାଶେ ଚାର୍ଲୁ ମହୋଦୟ ମଧ୍ୟ ସ୍ୱୀକୃତ ହେଲେ ।

 

Unknown

ମଧ୍ୟହ୍ନରେ ରାୟବାହାଦୁରଙ୍କ ସହିତ ହାଇକୋର୍ଟକୁ ଗଲି । ଆଜି ରାୟବାହାଦୁରଙ୍କ ଅଧିକ କାର୍ଯ୍ୟ ନ ଥିବାରୁ ଅତି ଶ୍ରଘ୍ର ଫେରି ଆସିଲୁଁ । ଅପରାହ୍ନ ୫ ଘଟିକା ମଧ୍ୟରେ ମୋହର ପ୍ରସ୍ତୁତ ଥିବା ଉଚିତ, ସୁତରାଂ ମୋହର ପାଚକ ରନ୍ଧନରେ ପ୍ରବୃତ୍ତି ହେଲେ ।

 

ଆହାରାଦି କରିବା ବେଳକୁ ଅପରାହ୍ନ ୪ ଘଟିକା । ଚାର୍ଲୁମହୋଦୟଙ୍କ ଗାଡ଼ୀରେ ଆମ୍ଭେମାନେ Egmore Station କୁ ଆସିଲୁଁ । ଏହା South India Railway କୋମ୍ପାନିଙ୍କ ପ୍ରଧାନ ଷ୍ଟେସନ । ଯଥା ସମୟରେ ଟିକିଟ କ୍ରୟ ହେଲା । ଆମ୍ଭେମାନେ ପଣ୍ତିଚେରୀକୁ ଲକ୍ଷ୍ୟ କରି ଗାଡ଼ୀରେ ବସିଲୁଁ ।

 

ଅପରାହ୍ନ ୫ ଘଟା ୧୮ ମିନିଟରେ ଗାଡ଼ୀ ଛାଡ଼ିଲା । ଚାର୍ଲୁ ମହୋଦୟଙ୍କ କୋଠି ଏବଂ ଉଦ୍ୟାନର ଅତି ନିକଟରେ ଲୌହବର୍ତ୍ତ୍ୱ ଯାଇଅଛି, ସୁତରାଂ ରେଲରେ ଯାଉଁ ଯାଉଁ ଆମ୍ଭମାନଙ୍କ ବିଶେଷ ପରିଚିତ କୋଠା ଏବଂ ଉଦ୍ୟାନ ଛାଡ଼ି ଚାଲିଲୁଁ,–ଚାର୍ଲୁ ମହୋଦୟ ଏବଂ ତାହାଙ୍କ ପୁତ୍ର କୋଠା ସମ୍ମୁଖରେ ବସିଥିବାର ଦେଖିଲୁଁ ।

 

କ୍ରମେ କ୍ରମେ ଗାଡ଼ୀ ଚେଟ୍‌ପେଟ୍‌, କୋଡ଼ମ୍ବାକମ୍‌ନାମକ କ୍ଷୁଦ୍ର କ୍ଷୁଦ୍ର ଷ୍ଟେସନମାନ ଛାଡ଼ି ଚାଲିଲା । ଏହା ମେଲ୍‌ଗାଡ଼ୀ, ସୁତରାଂ ବଡ଼ ବଡ଼ ଷ୍ଟେସନ ବ୍ୟତୀତ ସାନ ଷ୍ଟେସନ ଗୁଡ଼ିକରେ ରହେ ନାହିଁ । ସୈଦାପେଟ୍‌ନାମକ ସହର ମଧ୍ୟ ଦେଇ ଗାଡ଼ୀ ଚାଲିଗଲା । ଏହା ଚେଙ୍ଗଲପଟ୍‌ଜିଲ୍ଲାର ରାଜଧାନୀ, ଏଠାରେ କଲେକ୍ଟରଙ୍କ କଚେରୀ ଅଛି । ଏ ଜିଲ୍ଲାର ପରିମାଣ ୨୮୪୨ ବର୍ଗ ମାଇଲ, ଲୋକସଂଖ୍ୟା ୧୧୩୬୯୨୮, ଏବଂ ଗ୍ରାମସଂଖ୍ୟା ୨୦୭୩ । ଏହି ଜିଲ୍ଲାର କଞ୍ଜିରରମ ନାମକ ପ୍ରସିଦ୍ଧ ସହରରେ ଗୋଟିଏ କାରୁକାର୍ଯ୍ୟ ଭୁଷିତ ବୃହତ୍ର ମନ୍ଦିର ଅଛି । ଏହା କାଞ୍ଚିପୁର ନାମରେ କଥିତ । ପୂର୍ବେ ଏହା ଦ୍ରାବିଡ଼ ଅନ୍ତର୍ଗତ ଚୋଳରାଜ୍ୟର ରାଜଧାନୀ ଥିଲା । ଓଡ଼ିଶାଧୀଶ୍ୱର ପୁରୁଷୋତ୍ତମ ଦେବ କାଞ୍ଚିରାଜାଙ୍କୁ ପରାଜୟ କରି, ତାହାଙ୍କ କନ୍ୟା ପଦ୍ମାବତୀ ଏବଂ ଇଷ୍ଟଦେବ ଗଣେଶଙ୍କୁ ଘେନି ଆସିଥିବାର କିମ୍ବଦନ୍ତୀ ଅବଧି ଉତ୍କଳରେ ପ୍ରଚଳିତ । ବଙ୍ଗକବି ଭାରତଚନ୍ଦ୍ରଙ୍କର ଅମର ଲେଖନୀ ପ୍ରସାଦରୁ ଏହି କାଞ୍ଚିପୁର ବଙ୍ଗଦେଶରେ ମଧ୍ୟ ସୁପରିଚିତ । ‘ବିଦ୍ୟାସୁନ୍ଦର’ କାବ୍ୟର ନାୟକ ‘ସୁନ୍ଦର’ ଏହି କାଞ୍ଚପୁରର ରାଜ–ପୁତ୍ର ଥିଲେ ଏବଂ କବିକରୁନାକଳ୍ପିତ ଘୋଟକରେ କାଞ୍ଚିପୁରରୁ ୬ ଦିନରେ ବର୍ଦ୍ଧମାନ ନଗରରେ ଉପସ୍ଥିତ ହୋଇଥିଲେ । କାଞ୍ଚିଗୋଟିଏ ପ୍ରଧାନ ହିନ୍ଦୁତୀର୍ଥ ଏବଂ ପବିତ୍ରତା ସମ୍ବନ୍ଧରେ ଏହା ଅଯୋଧ୍ୟା ମଥୁରା, ଗୟା, କାଶୀ ଏବଂ ଅବନ୍ତୀର ତୁଲ୍ୟକକ୍ଷ ଅଟେ । ଏଠାର ସଦୃଶ୍ୟ ଦେଉଳର ସଂଖ୍ୟା ନିତାନ୍ତ ଅଳ୍ପ ନୁହେ । ବୌଦ୍ଧିକୀର୍ତ୍ତିର ମଧ୍ୟ ଏଠାରେ ଅଭାବ ନାହିଁ ।

 

ସୈଦାପେଟ୍‌ ଷ୍ଟେସନର ପରବର୍ତ୍ତୀ ଷ୍ଟେସନଟି St. Thomas Mount । ଏହା ମାନ୍ଦ୍ରାଜର ଗୋଟିଏ ପ୍ରସିଦ୍ଧ ସ୍ଥାନ । ଷ୍ଟେସନର ଦକ୍ଷିଣପୂର୍ବକୁ ଗୋଟିଏ କ୍ଷୁଦ୍ରଶୈଳ, ଏଥିରେ ପର୍ଟୁଗିଜ୍‌ମାନଙ୍କ ଚିର୍ଚ୍ଚା ଏବଂ ମାନ୍ଦ୍ରାଜ ଗଭଣ୍ଣରଙ୍କ ଗ୍ରୀଷ୍ମାବାସ ଲକ୍ଷିତ ହେଲା । ଏହା ଗୋଟିଏ ମନୋହର ବିସ୍ତୀର୍ଣ୍ଣ ପ୍ରାନ୍ତର,–ଏହା ମାନ୍ଦ୍ରାଜର ପ୍ରସିଦ୍ଧ ‘‘ଘୋଡ଼ଦୌଡ଼’’ ର କାର୍ଯ୍ୟରେ ବ୍ୟବହୁତ ହୁଏ । ଅନ୍ୟ ଗୋଟିଏ ଅପେକ୍ଷାକୃତ ବଡ଼ ଶୈଳ ଉପରେ ଆର୍ମ୍ମେନିୟାନ ଚିର୍ଚ୍ଚା ଏବଂ ପାଦଦେଶରେ ମାନ୍ଦ୍ରାଜ ପଦାତିକଦଳର ଗୋଟିଏ କାଣ୍ଟନମେଣ୍ଟ ଅଛି ।

 

ଏଠାରୁ ୩1/2 ମାଇଲ ଦୂରବର୍ତ୍ତୀ ପାଞ୍ଚଭରମ ଷ୍ଟେସନ । ଏଠାରେ ମଧ୍ୟ ମାନ୍ଦ୍ରାଜ ପଦାତିକଦଳର ଗୋଟିଏ ରେଜିମେଣ୍ଟ ଅଛି । ମାନ୍ଦାଜ ପ୍ରେସଡ଼େନ୍ସିର ପ୍ରାୟ ପ୍ରତ୍ୟେକ ସହର ଏବଂ ପ୍ରସିଦ୍ଧ ସ୍ଥାନମାନଙ୍କରେ ପଦାତିକଦଳର ସୁବ୍ୟବସ୍ଥା ଲକ୍ଷିତ ହୁଏ । ଏହି ଷ୍ଟେସନ ନିକଟରୁ ସମୁଦ୍ର ପର୍ଯ୍ୟନ୍ତ ଅନୁଚ୍ଚ ଶୈଳଶ୍ରେଣୀର ସମାବେଶ–ସ୍ଥାନେ ସ୍ଥାନେ ଏହାର ଉଚ୍ଚତା ୪୦୦ । ୫୦୦ ପୁଟରୁ ଅଧିକ ହେବ ନାହିଁ । ଏଠାରୁ ୩ ମାଇଲ ଅନ୍ତରରେ ରଙ୍ଗନାଥ ସ୍ୱାମିଙ୍କ ମନ୍ଦିର । ଜ୍ୟେଷ୍ଟମାସରେ ଏଠାରେ ଗୋଟିଏ ପ୍ରକାଣ୍ତ ଯାତ ହୁଏ, ନାନା ଦେଶରୁ ଯାତ୍ରିମାନେ ଆସନ୍ତି, ବିଶେଷତଃ ମାନ୍ଦ୍ରାଜ ସହରର ଲୋକେ ଏ ଦେବତାଙ୍କୁ ଅତ୍ୟନ୍ତ ଭକ୍ତି କରନ୍ତି ।

 

ତେଙ୍ଗଲପଟ୍‌ ଜଙ୍ଗସନରେ ସନ୍ଧ୍ୟା ହେଲା । ଏଠାରୁ ଗୋଟିଏ ଶାଖାଲାଇନ ମାନ୍ଦ୍ରାଜ ରେଲଓଏ କୋମ୍ପାନିଙ୍କ ଆରକୋନମ୍‌ଜଙ୍କସନ ସଙ୍ଗେ ସମ୍ମିଳିତ । ଏହି ଲାଇନରେ ପୂର୍ବ୍ବୋକ୍ତ କଞ୍ଜିଭରମ୍‌ ପଡ଼େ । କଞ୍ଜିଭରମ୍‌ଏଠାରୁ ୨୧ ମାଇଲ ।

 

ରାତ୍ରି ୧୦ ଟା ୧୬ ମିନିଟରେ ଭିଲୁପୁରମ୍‌ ଜଙ୍କସନରେ ଗାଡ଼ୀ ପହଁଚିଲା । ଏଠାରୁ ଉତ୍ତରକୁ ମାନ୍ଦ୍ରାଜ ରେଲଓଏ କୋମ୍ପାନିଙ୍କ ରେନିଗୁଣ୍ଟା ଜଙ୍କସନ ବାଟେ ନେଲୋର ସହର ପର୍ଯ୍ୟନ୍ତ ଲୌହବର୍ତ୍ତ ଯାଇଅଛି । ପୂର୍ବ୍ବଆଡ଼େ ପଣ୍ତିଚେରୀ ପର୍ଯ୍ୟନ୍ତ ଶାଖାରାସ୍ତା, ସୁତରାଂ ଆମ୍ଭମାନଙ୍କୁ ଅବତରଣ କରି ଅନ୍ୟ ଗାଡ଼ୀରେ ଆରୋହଣ କରିବାକୁ ହେଲା ।

 

ରାତ୍ରି ୧୦ ଟା ୪୦ ମିନିଟରେ ଗାଡ଼ୀ ଚାଲିଲା । ୧୩ ମାଇଲ ପରେ କନଡ଼ମଙ୍ଗଲମ୍‌ଷ୍ଟେସନ । ଏଠାରେ ଗାଡ଼ୀର ବିଶ୍ରାମ ୧୦ ମିନିଟ ସ୍ଥାୟୀ ହୋଇଥିଲା । ଏହିଠାରୁ ଫରାସୀ ଗଭର୍ଣ୍ଣମେଣ୍ଟଙ୍କ ରାଜ୍ୟ ଆରବ୍ଧ ହେଲା, ସୁତରାଂ ଯାତ୍ରିମାନଙ୍କ ଜିନିଷପତ୍ରାଦି ପ୍ରେଞ୍ଚ ଗଭର୍ଣ୍ଣମେଣ୍ଟାଙ୍କ Customs କର୍ମ୍ମଚାରିମାନଙ୍କ ଦ୍ୱାରା ତଦନ୍ତ ହେଲା । ଏମାନଙ୍କୁ ଫ୍ରେଞ୍ଚଭାଷାରେ ‘‘Douane’’ କହନ୍ତି । ଗିଞ୍ଜିନଦୀ ଏ ଷ୍ଟେସନର ପରବର୍ତ୍ତୀ । ଏହିଠାରୁ ପ୍ରକୃତ ଫରାସିପ ସୀମା ଆରବ୍ଧ ହେଲା ।

 

ରାତ୍ରି ୧୨ ଟା ୪୦ ମିନିଟରେ ଗାଡ଼ୀ ପଣ୍ତିଚେରୀ ଷ୍ଟେସନରେ ଉପସ୍ଥିତ ହେଲା । ଷ୍ଟେସନରୁ ଏକ ଫର୍ଲଙ୍ଗ ଅନ୍ତରରେ ଗୋଟିଏ ପାନ୍ଥଶାଳା । ଏଠାରେ ଆମ୍ଭମାନଙ୍କର କେହି ବନ୍ଧୁ ନାହାନ୍ତି, ଭଲ ବସା ସୁଲଭ ନୁହେ, ସୁଲଭ ହେଲେ ସୁଦ୍ଧା ଏତେ ରାତ୍ରରେ ଖୋଜି ନେବାର ସହଜ ନୁହେ, ଅଗତ୍ୟା ପାନ୍ଥଶାଳାରେ ଆଶ୍ରୟ ଗ୍ରହଣ କଲୁ ।

 

୮-୮-୯୫–ବୃହସ୍ପତି ବାର–ପ୍ରାତଃକୃତ୍ୟ ସମାପନାନ୍ତେ ଏକମାତ୍ର ଭାତ୍ୟ ସହିତ ନଗରର ଦ୍ରଷ୍ଟବ୍ୟ ଦର୍ଶନ ସକାଶ ବାହାରିଲା । ପଥମଧ୍ୟରେ ଆମ୍ଭମାନଙ୍କୁ ଜଣେ ‘‘ପଣ୍ତା’’ ମିଳିଲେ, କିନ୍ତୁ ଯୁଙ୍କାହୁ ୧୦ ଘଟିକା ସମୟରେ ଗାଡ଼ୀ ବାହାରି ଯିବ, ସୁତରାଂ ‘ ପଣ୍ତା’ ଙ୍କଠାରୁ ଆମ୍ଭେମାନେ ସ୍ୱପ୍ରବତ୍ତ ଦକ୍ଷିଣାର ଉପଯୁକ୍ତ ପୁଣ୍ୟ ଆଦାୟ କରି ପାରିଲୁଁ ନାହିଁ । କେତେଗୁଡ଼ିଏ ପ୍ରଧାନ ପ୍ରଧାନ ସ୍ଥାନର ବହିରାକୃତି ଦେଖି ପ୍ରତି ନିବୃତ୍ତ ହେଲୁଁ ।

 

ପଣ୍ତିଚେରୀ ସମୁଦ୍ରକୂଳରେ ଅବସ୍ଥିତ । ଏହି ସକାଶେ ଏଠାରେ ଗୋଟିଏ ଅତି ସୁନ୍ଦର ଆଲୋକସ୍ତମ୍ଭ ଅବସ୍ଥାପିତ । ଏହାର ଅନତିଦୂରରେ ପ୍ରସିଦ୍ଧ DupleiX ସାହେବଙ୍କ ଗୋଟିଏ ମର୍ମ୍ମରପ୍ରସ୍ତରନିର୍ମ୍ନିତ ପ୍ରତିମୂର୍ତ୍ତି ଅଛି । ‘‘Place de Government,’’ ଫ୍ରଞ୍ଚ ଶାସନକର୍ତ୍ତାଙ୍କ ବାସଭବନ । ଏହି ଶାସନକର୍ତ୍ତାଙ୍କ ଅନୁମତିକ୍ରମେ ଭାରତବର୍ଷରେ ସମସ୍ତ ଫରାସିସ୍‌ ଅଧିକାର ଶାସିତ ହୋଇଥାଏ । ଆମ୍ଭମାନଙ୍କର ଉକ୍ତ ‘ପଣ୍ତା’ ଙ୍କ ଠାରୁ ଗୋଟିଏ କଥା ଶୁଣିଲି । ଏ କଥାଟି ଏଠାରେ ଉଲ୍ଲେଖଯୋଗ୍ୟ ହେଲେହେଁ, ଏହାର ସତ୍ୟତା ସମ୍ଭନ୍ଧରେ ମୁଁ ଅବଶ୍ୟ ସନ୍ଦିହାନ । ପ୍ରେଞ୍ଚ ଗଭର୍ଣ୍ଣମେଣ୍ଟଙ୍କର କୌଣସି ପେନ୍‌ସନ୍‌ପ୍ରାପ୍ତ ଲୋକ ଜୀବଦ୍ଦଶା ପର୍ଯ୍ୟାନ୍ତ ବୃତ୍ତିଭୋଗୀ ହୋଇ ପରଲେକ ପ୍ରାପ୍ତ ହେଲାରୁ, ତାହାଙ୍କ ସହଧର୍ମ୍ମିଣୀ ମଧ୍ୟ ମରଣକାଳ ପର୍ଯ୍ୟନ୍ତ ଏହି ବୃତ୍ତିରୁ ବଞ୍ଚିତ ହୁଅନ୍ତି ନାହିଁ । ଏ ସମ୍ବନ୍ଧରେ କୌଣସି ବିଶ୍ୱସ୍ତଶୂତ୍ରରୁ ମୋହର ଅବଗତ ହୋବାର ତାଦୃଶ ସୁବିଧା ଏ ପର୍ଯ୍ୟନ୍ତ ମିଳି ନାହିଁ ।

 

ଏଠାରେ ଅନେକଗୁଡ଼ିଏ ମନୋହର ଉଦ୍ୟାନ ଦେଖିଲି । ଏଗୁଡ଼ିକ ଏ ସ୍ଥାନର କେତେକ ବିଶିଷ୍ଟବ୍ୟକ୍ତିଙ୍କ ସମ୍ପତ୍ତି । ଶୁଣିଲି, ଏଠାରେ ଆହୁରି କେତେକ ସ୍ଥାନ ଦର୍ଶନୀୟ ରହିଗଲା, କିନ୍ତୁ ସମୟଭାବରୁ ଦର୍ଶନସୁଖରୁ ବଞ୍ଚିତ ହେଲି । ‘‘ପଣ୍ତା’’ ମହୋଦୟଙ୍କ କଥିତ ଦ୍ରଷ୍ଟବ୍ୟ ପଦାର୍ଥଗୁଡ଼ିକର ନିର୍ଦ୍ଦଣ୍ଟ ପ୍ରକାଶ କଲେ ବୋଧ ହୁଏ ଏଠାରେ ଅସଙ୍ଗତ ହେବ ନାହିଁ । ତାହା ଏହି;–The Bibliotheque, The Cours Chabrol, The Pier, ଏବଂ The Artesian Wells । ଏଗୁଡ଼ିକ କଅଣ, ସେ ଜାଣନ୍ତି, ମୁଁ ପ୍ରତ୍ୟକ୍ଷ କରିବାର ନାହିଁ, ସୁତରାଂ ଏହାର ବିବରଣ ପ୍ରଦାନରେ ମୁଁ ଅକ୍ଷମ । କେବଳ ଇଂରେଜୀ ଶବ୍ଦ ସହିତ ସାଦୃଶ୍ୟ ଉପରେ ନିର୍ଭର କରି ମତ ବ୍ୟକ୍ତ କରିବାର ଉଚିତ ନୁହେ ।

 

ପାନ୍ଥଶାଳାକୁ ଫେରି ଆସୁଁ ଆସୁଁ ଗୋଟିଏ ବୃହତ୍‌ମନ୍ଦିର ଦୃଷ୍ଟିଗୋଚର ହେଲା । ଏ ମନ୍ଦିରର କାରୁକାର୍ଯ୍ୟଖଚିତ ପ୍ରତିମୂର୍ତ୍ତିଗୁଡ଼ିକର ଚିତ୍ରବିଚିତ୍ର ଶୋଭା ଦେଖି କିଛିକ୍ଷଣ ସକାଶେ ମନ ଆକୃଷ୍ଟ ହୋଇଥିଲା । ମନ୍ଦିରଟି ବୃଦ୍ଧଦେବଙ୍କ ନାମରେ ଉତ୍ସୃଷ୍ଟ,–ବୁଦ୍ଧଦେବଙ୍କ ବୃହତ୍‌ପ୍ରତିମୂର୍ତ୍ତି ଅଭ୍ୟନ୍ତରରେ ବିଦ୍ୟମାନ । ତ୍ରିପିଟକର ଚିହ୍ନସ୍ୱରୂପ ମନ୍ଦିରଚୁଡ଼ାରେ ପ୍ରସ୍ତରକଳସତ୍ରୟ ଲକ୍ଷିତ ହେଲା । ପଣ୍ତିଚେରୀର ଲୋକସଂଖ୍ୟା ପ୍ରାୟ ୬୫୦୦୦ ।

 

ଯଥାସମୟରେ ଆହାର କରି ଆମ୍ଭେମାନେ ଷ୍ଟେସନରେ ଉପସ୍ଥିତ ହେଲୁଁ । ଠିକ ପୂର୍ବ୍ବାହ୍ନ ୧୦ ଘଟିକା ସମୟରେ ଗାଡ଼ୀ ବାହାରିଲା । ପୂର୍ବ୍ବାରାତ୍ରିରେ ଫରାସିସ୍‌ରାଜ୍ୟ ଭଲରୂପେ ଦେଖି ପାରି ନ ଥିଲି; ଆଜି ସୂର୍ଯ୍ୟକରୋବ୍ଦୀପ୍ତ ପ୍ରାଜାତନ୍ରିକ ରାଜ୍ୟ ବାହ୍ୟଦୃଶ୍ୟରେ ସାଧାରଣତଃ ଇଂରାଜରାଜ୍ୟର ସମ୍ପୂର୍ଣ୍ଣ ଅନୁରୂପ ହେଲେହେଁ, ମୋହର ମାନସଚକ୍ଷୁରେ ସମ୍ପୁର୍ଣ୍ଣ ନୂତନବତ୍‌ପ୍ରତିଭାତ ହେଲା । ପୃଥିବୀର ନୈତିକଭୁମିକମ୍ପରୂପୀ ଫରାସିବିପ୍ଲବର ଲୋମହର୍ଷଣକାଣ୍ତ ଏବଂ ସେହି ମହାନାଟକର ଏବଂ ସର୍ପ୍ରଧାନ ଅଭିନେତା ମହାବୀର ନେପୋଲି ଅନଙ୍କର ଲୋକୋତ୍ତର ବୀରତା ଏବଂ ମାହାତ୍ୱ୍ୟର ଅନୁସ୍ମୃତି ସ୍ୱଭାବତଃ ହୃଦୟରେ ଉଦିତ ହେଲା । ସାମ୍ୟ-ମୈତ୍ରୀ ସ୍ୱାଧୀନତାସୂଚକ ଫରାସି ରାଷ୍ଟ୍ରବିପ୍ଳବର ସେହି ତ୍ରିବର୍ଣ୍ଣରଞ୍ଜିତ ପତାକା ଅଦ୍ୟାପି ପଣ୍ତିଚେରୀରେ ଉଡ୍ଡୀୟମାନ, ମାତ୍ର ଏଠାର ପ୍ରଜାମାନେ ରାଜନୈତିକ ଅଧିକାର ବିଷୟରେ ଆମ୍ଭମାନଙ୍କ ଅପେକ୍ଷା କେତେଦୂର ଅଗ୍ରସର, ମୂଳରାଜ୍ୟକ୍ତ ପ୍ରତିନିଧି ପ୍ରେରଣର କ୍ଷମତା ଏମାନେ ପାଇଅଛନ୍ତି କି ନା ସମ୍ବନ୍ଧ ରେ କୌଣସି ଅନୁସନ୍ଧାନ କିମ୍ବା ଜ୍ଞାନଲାଭର ସୁବିଧା ମୋହୋ ଭାଗ୍ୟରେ ଘଟି ନାହିଁ । ସଂବାଦପତ୍ରାଦିରୁ ଯେତେଦୂର ବୋଧ ହୁଏ ଏପରି ବିଷୟମାନଙ୍କରେ ଫରାସିଗଭର୍ଣ୍ଣମେଣ୍ଟ, ଇଂରେଜଗବର୍ଣ୍ଣମେଣ୍ଟଙ୍କ ବହୁଦୂର ଅଗ୍ରଗାମୀ । ଅଷ୍ଟ୍ରେଲିଆ, କାନାଡ଼ା ପ୍ରଭୃତି ପ୍ରଧାନ ପ୍ରଧାନ ଉପନିବେଶମାନ ବ୍ରିଟିଶ ପାର୍ଲିମେଣ୍ଟକୁ ପ୍ରତିନିଧି ପଠାଇବାର ଅଧିକାର ଅବଧି ପାଇ ନାହାନ୍ତି, ମାତ୍ର ପାରିସ ମହାସଭାକୁ ପ୍ରତିନିଧି ପଠାଇବାର ଅଧିକାର, ପ୍ରାନ୍ସ, ଭାରତବାସିଙ୍କୁ ସୁଦ୍ଧା ଦେଇଥିବାର ଶୁଣା ଯାଏ ।

 

ଗାଡ଼ୀ ୧୨ ଟା ୨୫ ମିନିଟରେ ଭିଞ୍ଜୁପୁରମ୍‌ ଜଙ୍କସନ୍‌ରେ ପହଁଚିଲା । ଆମ୍ଭେମାନେ ଅବତରଣ କରି ଷ୍ଟେସନର ବିଶ୍ରାମାଗାରରେ ରହିଲୁଁ । ଅପରାହ୍ନରେ ଜଣେ ଭାବ୍ୟ ସହିତ ନିକଟସ୍ଥ କେତେଗୁଡ଼ିଏ ଗ୍ରାମ ଦେଖି ଆସିଲି । ମାନ୍ଦ୍ରାଜରୁ ଦକ୍ଷିଣକୁ ଯେଉଁ ଗାଡ଼ୀଯିବ, ପୂର୍ବରାତ୍ରି ପରି ୧୦ ଟା ବାଜି ୧୬ ମିନିଟରେ ଏଠାରେ ତାହାର ଉପସ୍ଥିତ ହେବାର କଥା । ସୁତରାଂ ସେହି ଗାଡ଼ୀର ଅପେକ୍ଷାରେ ଆମ୍ଭେମାନେ କେତେକ ଅପଥ୍ୟ ଜଳଖିଆ ଉଦରସାତ୍‌କରି ଲୌହମାର୍ଗ ଆଡ଼କୁ ଚାହିଁ ରହିଲୁଁ ।

 

ନିର୍ଦ୍ଦିଷ୍ଟ ସମୟରେ ଗାଡ଼ୀ ଉପନୀତ । ବ୍ୟସ୍ତହୋଇ ଜିନିଷପତ୍ରାଦି ସହ ଗାଡ଼ୀରେ ଉଠିବାକୁ ପଡ଼ିଲା । ଏ ଅଞ୍ଚଳର ଷ୍ଟେସନମାନଙ୍କରେ କୁଲିର ନିତାନ୍ତ ଅଭାବ, ସୁତରାଂ ଆମ୍ଭମାନଙ୍କର ସମୁଦାୟ ଜିନିଷ ସ୍ୱ ସ୍ୱ ହସ୍ତରେ ଅତିଶୀଘ୍ର ବହି ଗାଡ଼ୀରେ ରଖିବାକୁ ହେଲା । ନିବିଡ଼ ଜନତା ଭେଦ କରି ଏହିପରି ସ୍ଥଳରେ ପଡ଼ିଲେ, ମନୁଷ୍ୟ ମାତ୍ରର ଆଳସ୍ୟ ଏବଂ ଜଡ଼ତା ଏକାବେଳକେ ଅନ୍ତର୍ହିତ ହୋଇଯାଏ । ରେଳଓଏ ଷ୍ଟେସନ ଗୋଟିଏ ଗୋଟିଏ କ୍ଷୁଦ୍ର ସଂସାର । କେତେ ଅସୁ ଅଛନ୍ତି, କେତେ ଯାଉଅଛନ୍ତି, ସମସ୍ତେ ବ୍ୟସ୍ତ, ସମସ୍ତେ ସ୍ୱାର୍ଥପର, କେହି କାହାରିକି ଅନାଇବାକୁ ନାହିଁ, ପ୍ରତ୍ୟେକ ଲୋକର ଅଧିକ ସ୍ଥାନ ଆବୋରି ନେଇ ବସିବାର ଇଚ୍ଛା, ଆଗନ୍ତୁକକୁ ତଡ଼ି ଦେବାପାଇଁ ସମସ୍ତେ ତତ୍ପର । ଯେ ଯେଡ଼େ ଚତୁର, ଯେ ଯେଡ଼େ କର୍ମ୍ମଠ, ତାହାର ସିଦ୍ଧି ମଧ୍ୟ ସେହିପରି । ଅଳସର ପଦେ ପଦେ ଅସୁବିଧା, ପଦେ ପଦେ କଷ୍ଟ । ଆଜି ଆମ୍ଭେମାନେ କୋମ୍‌ବେକୋନମ୍‌ଯାତ୍ରୀ ।

 

ଏହିଠାରୁ ଆମ୍ଭେମାନେ ଦକ୍ଷିଣ ଆରକଟ୍‌ଜିଲ୍ଲାରେ ଅଗ୍ରସର ହେଲୁଁ । ଏ ଜିଲ୍ଲରର ପରିମାଣ ୫୨୧୬ ବର୍ଗମାଇଲ, ଲୋକସଂଖ୍ୟା ୨୧୬୨୮୫୧, ଏବଂ ଗ୍ରାମ ସଂଖ୍ୟା ୨୯୪୮ । କିଛିଦୂର ଉତ୍ତାରୁ ପୋନେୟାର ନଦୀ ପଡ଼ିଲା । ଏ ନଦୀ ଉପରେ ନିର୍ମ୍ମିତ ସେବୁର ଲମ୍ଭ ଅର୍ଦ୍ଧମାଇଲରୁ ବେଶି ହେବ ।

 

ରାତ୍ରି ୧୧ ଟା ୪୭ ମିନିଟରେ ଗାଡ଼ୀ କଡ଼୍‌ଲୋର ଷ୍ଟେସନରେ ପହଁଚିଲା । ଏହା ଦକ୍ଷିଣ ଆରକଟ୍‌ଜିଲ୍ଲାର ପ୍ରଧାନ ନଗର,–ଅଧିବାସିଙ୍କ ସଂଖ୍ୟା ୪୭୩୫୫ । ଏହି ନଗରଟି ଦୁଇ ଭାଗରେ ବିଭକ୍ତ, ନୁତନ ସହର (Cuddlore, Newtown), ଏବଂ ପୁରାତନ ସହର (Oldtown) । ନୂତନ ନିକଟରୁ ପୁରାତନ ପ୍ରାୟ ୩ ମାଇଲ ଅନ୍ତରରେ । ନୂତନ ସହରରେ ବିଖ୍ୟାତ ସେଟ୍‌ଡ଼େଭିଡ଼ ଦୁର୍ଗ, ସମୁଦ୍ରକୂଳରେ ଅବସ୍ଥିତ । ଏ ଦୁର୍ଗଃ ବର୍ତ୍ତମାନ ଭଗ୍ନ ପ୍ରାୟ, କିନ୍ତୁ ଏହା ନିକଟରୁ ସମୁଦ୍ରର ଶୋଭା ଅତି ଚମତ୍କାରଜନକ । ଏହାର କିଛି ଅନ୍ତରରେ କଲେକ୍ଟରଙ୍କ କଚେରୀ, ସେଁଟ୍‌ଜୋସେଫ କଲେଜ, ଜିଲ୍ଲାସ୍କୁଲ, ଏବଂ parry & Co. ଙ୍କ ଅଫିସ ।

 

ପୁରାତନ ସହରରେ ପେନ୍‌ସନ୍‌ପ୍ରାପ୍ତ ଲୋକେ ଅବସ୍ଥାନ କରନ୍ତି । ଗିର୍ଜ୍ଜା ଏବଂ ଜେଲ ଏହିଠାରେ ଅବସ୍ଥିତ । ଏ ସ୍ଥାନର ବନ୍ଦରରୁ ଅନେକ ଜିନିଷ ଇଉରୋପକୁ ରପ୍ତାନି ହୁଏ । ରେଲଓଏ ଷ୍ଟେସନ ନିକଟରେ ଅନେକ ଗୁଡ଼ିଏ କଳକାରଖାନା ଅଛି ।

 

ଗାଡ଼ୀ କାବେରୀ ନଦୀ ନିକଟରେ ପହଁଚିଲା ବେଳକୁ ରାତ୍ରି ଗୋଟାଏ ବାଜି ୫ ମିନିଟ । ମଦୀ ଉପରେ ସେତୁର ଦୈର୍ଘ୍ୟ ଏକ ମାଇଲରୁ କମ ହେବ ନାହିଁ । କାବେରୀ ନଦୀ ଦୈର୍ଘ୍ୟରେ ୪୭୨ ମାଇଲ । ଏଠାରେ ଏହା କୋଲେରୁନ୍‌ନାମ ଧାରଣ କରିଥିବାର ଶୁଣିଲି, ଏଠାରୁ ନଦୀର ମୁହାଣ ପ୍ରାୟ ପ୍ରାୟ ମାଇଲ ହେବ ।

 

ଏହାର ଠିକ ପରେ ଚିଡ଼ାମ୍‌ବରମ୍‌ଷ୍ଟେସନ । ଏ ସହରଟି ବହୁ ପୁରାତନ ଏବଂ କାରୁାକାର୍ଯ୍ୟଭୂଷିତ ମନ୍ଦିର ସକାଶେ ବିଖ୍ୟାତ । ରାତ୍ରି ଅଧିକ ହୋଇଥିବାରୁ ଦେଖିବାର ସୁବିଧା ହେଲା ନାହିଁ । ଫେରି ଆସିଲା ବେଳେ ଦେଖିବାର ସଂକଳ୍ପ କଲି ।

 

୨ ଟା ୨୫ ମିନିଟରେ ଗାଡ଼ୀ ମାୟାଭରମ୍‌ଜଙ୍କସନ୍‌ରେ ପ୍ରବିଷ୍ଟ ହେଲା । ଏହିଠାରୁ ଦକ୍ଷିଣକୁ ଗୋଟିଏ ଶାଖାଲାଇନ୍‌ସମୁଦ୍ରୋପକୂଳବର୍ତ୍ତୀ କଲିମିର୍‌ଅନ୍ତରୀପ ନିକଟସ୍ଥ ମୁଟ୍‌ପେଟ୍‌ବନ୍ଦର ପର୍ଯ୍ୟନ୍ତ ଯାଇଅଛି ।

 

ମାୟାଭରମ୍‌ ସହରଟି ଷ୍ଟେସନରୁ ପ୍ରାୟ ୩ ମାଇଲ । ଏଠାରେ ଶିବ ଏବଂ ବିଷ୍ଣଙ୍କର ଯୋଡ଼ିଏ ପ୍ରକାଣ୍ତ ମନ୍ଦିର ଅଛି । କାର୍ତ୍ତିକମାସବ୍ୟାପୀ ଯାତରେ ପ୍ରାୟ ୨୦୦୦୦ ଯାତ୍ରୀ ଏକତ୍ର ହୁଅନ୍ତି । ଡ଼ିଷ୍ଟ୍ରିକ୍ଟ ମୁନ୍‌ସଫ୍‌ଙ୍କର ଗୋଟିଏ କଚେରୀ ଏହି ସ୍ଥାନରେ ଅବସ୍ଥିତ । ଷ୍ଟେସନ ନିକଟସ୍ଥ କୋରାନେଡ଼ୁ ଗ୍ରାମଟି ସ୍ତ୍ରୀବ୍ୟବହାର୍ଯ୍ୟ ଶାଟୀ ସକାଶେ ବିଖ୍ୟାତ । ରେମକିନାରୀ ଅତି ସୁନ୍ଦର ଲୁଗା ଏଠାରେ ପ୍ରସ୍ତୁତ ହୁଏ ।

 

୧୫ ମାଇଲ ଉତ୍ତାରୁ ଟିରୁଭେଡ଼ାମାରୁଡ଼ୁର ଷ୍ଟେସନ । ଏଠାରେ ମହାଲିଙ୍ଗ ସ୍ୱାମିଙ୍କ ମନ୍ଦିର ଅବସ୍ଥିତ । ବୈଶାଖ ଏବଂ ମାଘମାସରେ ଦୁଇ ଗୋଟି ପ୍ରଧାନ ଯାତ ହୁଏ,–ଏହି ଯାତ ଏକସପ୍ତାହ ସ୍ଥାୟୀ ହେଲେହେଁ, ୪୦୦୦୦ ପର୍ଯ୍ୟନ୍ତ ଯାତ୍ରୀ ସମବେତ ହୁଅନ୍ତି । ସହର ମଧ୍ୟରେ ସବ୍‌ମାଜିଷ୍ଟେଟ୍‌, ଏବଂ ସବ୍‌ରେଜିଷ୍ଟାରଙ୍କ କଚେରୀ, ଥାନା, ଲୋକେଲଫଣ୍ତ, ଡ଼ିସ୍‌ପେନ୍ସରି ପ୍ରଭାତି ଲକ୍ଷିତ ହୁଏ, ଏବଂ ମାନ୍ଦ୍ରାଜ ପ୍ରେସିଡ଼େନ୍ସିର ପ୍ରତ୍ୟେକ ସହର ପରି, ୪ । ୫ ଗୋଟି ପାନ୍ଥଶାଳା ଏବଂ ଛତ୍ର ଅଛି । ଏତଦ୍ବ୍ୟତୀତ ଗୋଟିଏ ମନୋହର ଅଟ୍ଟାଳିକାରେ ତାଞ୍ଜୋର ରାଜବଂଶୀୟ ଜଣେ ବିଶିଷ୍ଟ ବ୍ୟକ୍ତି ବାସ କରନ୍ତି ।

 

୩ ଟା ୨୫ ମିନିଟରେ ଗାଡ଼ୀ କୋମ୍‌ବେକୋନମ୍‌ ଷ୍ଟେସନରେ ଉପସ୍ଥିତ ହେଲା । ଆମ୍ଭେମାନେ ଅବତରଣ କରି ଦେଖିଲୁଁ, ଏ ସ୍ଥାନର ଡ଼ିଷ୍ଟ୍ରିକ୍ଟ ମନ୍‌ସଫଙ୍କ ପ୍ରେରିତ ଦୁଇଜଣ ଚପରାସୀ ଏବଂ ଜଣେ କ୍ସାର୍କ ଆମ୍ଭମାନଙ୍କର ଅଭ୍ୟର୍ଥନା ସକାଶ ପ୍ରତୀକ୍ଷାରେ ଥିଲେ । ବୋଲିବାର ବାହୁଲୁ ଯେ ଏହା ପୂଜନୀୟ ଶ୍ରୀ ଚାର୍ଲୁ ମହୋଦୟଙ୍କ ପ୍ରଭାବର ଫଳ । ଆମ୍ଭେମାନେ ଏମାନଙ୍କ (କ୍ଲାର୍କ ଏବଂ ଚପରାମୀ) ଅନୁସରଣ କରି ଗୋଟିଏ ଧର୍ମ୍ମ ଶାଳାରେ ପହଁଚିଲୁଁ । ପୂର୍ବ୍ବରୁ ମୁନ୍‌ସଫ ମହୋଦୟଙ୍କ ଆଦେଶକ୍ରମେ ପାନ୍ଥଶାଳାଟି ସୁପରିଷ୍କୃତ ହୋଇ ଅନ୍ୟ କାହାରି ପ୍ରବେଶ ପ୍ରବେଶ ନିଷିଦ୍ଧ ହୋଇଥିଲା, ରହିବାରେ କୌଣସି କଷ୍ଟ ହେଲା ନାହିଁ । ଚପରାସୀ ଏବଂ କ୍ଲାର୍କ ଆମ୍ଭମାନଙ୍କ ନିକଟରେ ପ୍ରହରୀସ୍ୱରୂପ ରହିଲେ ।

 

୯-୮-୯୫–ଶୁକ୍ରବାର-ପ୍ରତ୍ୟୁଷରୁ ପାନ୍ଥଶାଳା ନିକଟସ୍ଥ ପୋଖରୀରେ ସ୍ନାନ କଲି । ପୋଖରୀର ଚତୁର୍ଦ୍ଦିଗରେ ନାରିକେଳବୃକ୍ଷ ଶ୍ରେଣୀ, ସୁତରାଂ ବଡ଼ ମନୋହର, କିନ୍ତୁ ପାନ୍ଥଶାଳା । ନିକଟରେ ରହିବାରୁ ସ୍ଥାନଟି ଆବର୍ଜ୍ଜନାଦିରେ ପରିପୂର୍ଣ୍ଣ ହୋଇ ରହିଅଛି । ହିନ୍ଦୁ ଯାତ୍ରି ମାନଙ୍କର ଏ ଗୋଟିଏ ମହାଦୋଷ । ପ୍ରତ୍ୟେକ ପଥିକ ଭାବନ୍ତି ‘‘ମୁ ଦିନକପାଇଁ ଆସିଅଛି, ମୁଁ ଗଲାଉତ୍ତାରୁ ଘର ପରିଷ୍କୃତ ଥିଲେ କେତେ, ନ ଥିଲେ କେତେ ।’’ ଏହି କଥା ଭାବି ସ୍ଥାନକୁ ଆବର୍ଜ୍ଜନା ପୂର୍ଣ୍ଣ କରି ଚାଲି ଯାଆନ୍ତି । ଯାଇ ପରବର୍ତ୍ତୀ ପାନ୍ଥଶାଳାରେ ଦେଖନ୍ତି ଯେ ତାହାଙ୍କର ସମଧର୍ମା କୌଣସି ଯାତ୍ରୀ ସେଠାରେ ତାହାଙ୍କ ସୁବିଧା ସକାଶ ସେହିପରି ସୁବନ୍ଦୋବସ୍ତ କରି ଚାଲି ଯାଇ ଅଛନ୍ତି । ଏହିପରି ପ୍ରତ୍ୟେକର ଦୋଷରୁ ପ୍ରତ୍ୟେକ ଲୋକକୁ କଷ୍ଟଭାଗୀ ହେବାକୁ ହୁଏ ।

 

କେତେକ ପତ୍ର ଲେଖିବା କାର୍ଯ୍ୟରେ ବ୍ୟାପୃତ ଥିଲି, ଏହି ସମୟରେ ମୁନସଫ୍‌ ମହୋଦୟଙ୍କ ଗାଡ଼ି ଆସି ଦ୍ୱାର ଦେଶରେ ଉପସ୍ଥିତ ହେଲା । ମୁନସଫ୍‌ଗାଡ଼ିରୁ ଅବତରଣ କରି ମୋତେ ସାଦର ସମ୍ଭାଷଣରେ ଅନୁଗୃହୀତ କଲେ, ଏବଂ ମୋହ ପାର୍ଶ୍ୱରେ ଆସନ-ପରିଗ୍ରହ ପୁଙ୍କଳ ମଧୁର କଥାଦ୍ୱାରା ମୋତେ ଅପ୍ୟାୟିତ କଲେ । ଏହାଙ୍କ ନାମ ଏ, ଶାମ୍ବମୂର୍ତ୍ତି ଆୟୋର । ବୟସ ଅଳ୍ପ,–ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ହେବ ନାହିଁ, କପାଳରେ ଦୀର୍ଘରମାନନ୍ଦୀ ଚିକା, ଏବଂ ପରିଧାନରେ ଦେଶୀୟ ଧୋତି, ସାମାନ୍ୟରକମର କୋଟ, ଉଞ୍ଜୀଷଭୂତ ଉତ୍ତରୀୟଦ୍ୱାରା ମସ୍ତକବେଷ୍ଟିତ, ଓ ‘‘ଚୁପୁଲି’’ ନାମକ ଚର୍ମ୍ମପାଦୁକାଦ୍ୱାରା ପାଦ ପରିଶୋଭିତ । ‘‘ଚୁପୁଲି’’ ସାମାନ୍ୟ ଚଟିବିଶେଷ, କିନ୍ତୁ ଚଟିପରି ଏହାର କୌଣସି ଉର୍ଦ୍ଧ୍ବାବରଣ ନାହିଁ,–ଆମ୍ଭମାନଙ୍କ ଦେଶରେ ଅର୍ଥହୀନ ଲୋକେ, ବିଶେଷତଃ ଇନ୍ଧନନାହରଣକାରୀ କୁମ୍ଭକାରମାନେ ଏହା ପରିଧାନ କରନ୍ତି । ଏ ସାରଳ୍ପ କଥା ଭାବିଲେହିଁ ବିସ୍ମିତ ହେବାକୁ ହୁଏ, ଦେଖିବାତ ତେଣିକି ଥାଉ । ହା ବିଧାତଃ ! ବଙ୍ଗ ଏବଂ ଉତ୍କଳରେ ଏପରି ସାରଳ୍ପର ନିଦର୍ଶନ ଥରେ ଅନୁଭୂତି ହେବଟି କି ଏ ପ୍ରେସିଡେନ୍ସିର ହାଇକୋର୍ଟ ଜଷ୍ଟିସ୍‌, ସବଡ଼ିନେଟ୍‌ଜଜ୍‌, ମୁନ୍‌ସଫ, ଡେପୁଟିମାଜିଷ୍ଟ୍ରେଟ, ଏବଂ କଲେଜର ପ୍ରିନ୍ସିପାଲ ପ୍ରଭୃତି ଉଚ୍ଚପଦସ୍ଥ ଲୋକେ ଧୋତି ଏବଂ ଚାଦର ବ୍ୟବହାର କରନ୍ତି । କି ବିଚାରାସନକୁ, କି ରାଜପଥକୁ, କି ଅସଂଖ୍ୟ ମନୁଷ୍ୟ ସମକ୍ଷକୁ ଏମାନେ ଏପରି ବେଶରେ ବାହାରିବାକୁ ଆଦୌ ସଙ୍କୁଚିତ ହୁଅନ୍ତି ନାହିଁ, ପୁଣି କପାଳରେ ଦୀର୍ଘତିଳକରେଖା ସର୍ବଦା ସୁଧର୍ମ୍ମାନୁରାଗର ଗୌରବ ଘୋଷଣା କରେ । ଆମ୍ଭମାନଙ୍କ ଦେଶରେ ପରିଚ୍ଛଦସଙ୍କସ୍ୱ ଶିକ୍ଷିତାଭିମାନିଦଳ ନିକଟରେ ଏ ସାରଳ୍ପ ଉପହସନୀୟ ଅଟେ । ହାଇକୋର୍ଟ କଥା ଛାଡ଼ି ଦିଆଯାଉ, ଆଜିକାଲି ଏ ଦେଶରେ ଯେ ଟ ୩୦ ଙ୍କାର ଚାକରୀ ଖଣ୍ଡିଏ ପ୍ରାପ୍ତ ହେଲେ, ହଠାତ୍‌ତାହାଙ୍କର Pentaloons, Trousers ନ ହେଲେ ଚଳିବ ନାହିଁ, ଅଟୋଡ଼ିରୋଜ ନ ହେଲେ ମନର ତୃପ୍ତି ହୁଏ ନାହିଁ, ଏବଂ ଯେ ଟ ୨୦ ଙ୍କାର ଚାକିରୀବେଳେ କୌଣସି ଦେବତାଙ୍କୁ ଦେଖିଲେ ହାତ ଉଠାଇ ପ୍ରଣାମ କରୁଥିଲେ, ସେ ବର୍ତ୍ତମାନ ତାହାଙ୍କ ତଥାକଥିତ ବନ୍ଧୁମାନଙ୍କ ସହିତ ଭ୍ରମଣକାଳୀନ କୌଣସି ଦେବତାଙ୍କୁ ଦେଖିଲେ ପ୍ରଣାମ କରିବା ଦୁରେ ପାଉ, ଅବଜ୍ଞା ପ୍ରଦର୍ଶନ ସ୍ୱକୀୟ ସଭ୍ୟତାର ଅଙ୍ଗୀଭୂତ ମଣନ୍ତି । ଆମ୍ଭମାନଙ୍କ ଦେଶରେ ଆଜିକାଲି ଅଧିକାଂଶ ଲୋକେ fashion ରେ ବୁଡ଼ି ରହିଅଛନ୍ତି, ତେଣୁଁ ଯଥା ସମ୍ଭବ ବିଦେଶୀୟ ଦ୍ରବ୍ୟର ବ୍ୟବହାରଦ୍ୱାରା ନିଜ, ସୁରୁଚିର ପରିଚୟ ଦେବା ସକାଶ ପ୍ରାୟ ସମସ୍ତେ ପ୍ରୟାସୀ । ଏ ପ୍ରେସିଡେନ୍ସିର ସାମାନ୍ୟରୁ ବଡ଼ ପର୍ଯ୍ୟନ୍ତ ଦେଶୀୟ ଧୋତି ଚାଦର ବ୍ୟବହାର କରନ୍ତି, ସ୍ତ୍ରୀମାନଙ୍କରତ କଥାହିଁ ନାହିଁ । ଏମାନେ ବିଲାତକୁ ଅଧିକ ପଇସା ଦେବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ପରା ! ସ୍ୱଦେଶୀୟ ଶିଳ୍ପପ୍ରତି ଏମାନଙ୍କର ସହାନୁଭୂତି ଏବଂ ଆସ୍ଥା ବାସ୍ତବ ପ୍ରଶଂସନୀୟ ।

 

ମୂନ୍‌ସଫ ମହୋଦୟ ଆମ୍ଭମାନଙ୍କ ଅଭ୍ୟର୍ଥନା ନିମନ୍ତେ ଯାହା କରିଥିଲେ ସବିସ୍ତାରେ ପ୍ରକାଶ କରିବା ମୋହପକ୍ଷରେ ଏକପ୍ରକାର ଦୁଃସାଧ୍ୟ । ଅପରିଚିତ ରାଜ୍ୟ, ପୁଣିସ୍ଥାନୀୟ ଭାଷାରେ ଆଦୌ ଅଧିକାର ନାହଁ । ଏପରି ସ୍ଥଳରେ ଅସହାୟ ହେଲେ ମନୁଷ୍ୟର କିପରି ଅବସ୍ଥା ହୁଏ, ଥରେ ଏ ଅବସ୍ଥାରେ ନ ପଡ଼ିଥିଲେ ତାହା ବୁଝି ହୁଏ ନାହିଁ, କିନ୍ତୁ ମୁନ୍‌ସଫ ମହୋଦୟ ଏପରି ସବୁନ୍ଦୋବସ୍ତ କରିଥିଲେ ଯେ ବଜାରରୁ ପ୍ରୟୋଜନୀୟ ଜିନିଷପତ୍ର ଆଣିବା ସକାଶେ ପଥଶ୍ରମ ପ୍ରଭୃତି ଦୁରେ ଥାଉ, କୌଣସି ଜିନିଷର ମୂଲ୍ୟସ୍ୱରୂପ ଏକ ପାହୁଲା ସୁଦ୍ଧା ଆମ୍ଭେମାନେ ଦେଇ ନାହୁଁ । ପୁଣି ଦୁଇଜଣ ଚପରାସୀ ଏବଂ ଜଣେ କ୍ଲାର୍କ ଅନବରତ ମୋହ ନିକଟରେ ଉପସ୍ଥିତ ଥିଲେ ।

 

ଅନ୍ୟାନ୍ୟ କଥାବାର୍ତ୍ତା ମଧ୍ୟରେ ମୁନ୍‌ସଫ ମହୋଦୟ ମୋତେ କାବେରୀରେ ସ୍ନାନ କରଣାର୍ଥ ଉପଦେଶ ଦେଇ, ଏ ସ୍ଥାନର ପ୍ରଧାନ ପ୍ରଧାନ ଦ୍ରଷ୍ଟବ୍ୟସ୍ଥାନଗୁଡ଼ିକ ଦେଖାଇବାକୁ ନିଜ କ୍ଲାର୍କଙ୍କୁ ଆଦେଶ ଦେଲେ । କଚେରୀ ଯିବାର ସମୟ ଅତୀତ ହେଉଅଛ କହି, ମୋହ ନିକଟରେ କ୍ଷମା ପ୍ରାର୍ଥନା କଲେ; ପୁଣି ତାହାଙ୍କ କଚେରୀ ଦେଖି ଯିବାରୁ ମୋତେ ଅନୁରୋଧ କରିଗଲେ । ସୌଜନ୍ୟ ବିଷୟରେ ଏ ମହାଶୟ ନିଜେ ନିଜର ପଟାନ୍ତର ।

 

କ୍ଲାର୍କ ମହାଶୟ ଏବଂ ଗୋଟିଏ ଭୃତ୍ୟ ସହିତ କାବେରୀ ସ୍ନାନ ସକାଶ ବାହାରିଲି । କ୍ଲାର୍କ ଅତିସୁନ୍ଦର ଲୋକ,–ପଥି ମଧ୍ୟରେ ନାନାରୂପ କଥାବାର୍ତ୍ତା ହେଲା । ଏହାଙ୍କ ନାମ ଶ୍ରୀଯୁକ୍ତ ଚିଡାବରାମ୍‌ ପିଲେ ।

 

ଏ ସହରଟି ଅତି ପୁରାତନ ହେଲେ ମଧ୍ୟ ସୁପରିଷ୍କୃତ ଏବଂ ମନୋରମ । ପୂର୍ବେ ଏହା ଚୋଳରାଜ୍ୟର ରାଜଧାନୀ ଥିଲା । ଉତ୍କୃଷ୍ଟ କାରୁଭୁଷିତ ଅପୂର୍ବ ମନ୍ଦିର ଏବଂ ଦେବାଳୟରେ ସହର ପରିପୂର୍ଣ୍ଣ । ରାଜପଥର ଉଭୟପାର୍ଶ୍ୱରେ ବୃକ୍ଷଶ୍ରେଣୀ ନଗରର କୃତ୍ରିମଶୋଭାକୁ ପରାସ୍ତ କରି ନିଜ ସୌନ୍ଦର୍ଯ୍ୟ ଏବଂ ଶୀତଳତାରେ ପଥିକମାନଙ୍କ ମନୋରଞ୍ଜନ କରୁଅଛି ।

 

ଆମ୍ଭେମାନେ ସହରର ଏକ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ ଚାଲିଲୁଁ ଅବଶେଷରେ ଆମ୍ଭମାନଙ୍କ ଆଶା ପୂର୍ଣ୍ଣ ହେଲା,–ସମ୍ମୁଖରେ କାବେରୀ ଶ୍ରୀଖଣ୍ଡଶୈଳସମ୍ଭୂତା, ଲୋପାମୁଦ୍ରା–ସ୍ନନପୁଣ୍ୟୋଦକା କାବେରୀ ଦେଖି କେଉଁ ହିନ୍ଦୁର ମନ ପୁଲକିତ ନ ହେବ ? ନଦୀର ଘାଟଟି ଅତି ସୁନ୍ଦର, ଅତି ସୁପ୍ରଣାଳୀରେ ଗଠିତ । ଘାଟର ତିନି ପାଶ୍ୱରେ ପାତ୍ର ଶାଳାକୃତି ସଦୃଶ୍ୟ ଘରଗୁଡ଼ିକୁ ଅବସ୍ଥିତ,–ଅନ୍ୟ ଦିଗରେ ଘାଟର ପ୍ରସ୍ତରସୋପାନାବଳୀ । ଏଠାରେ କାବେରୀ ନଦୀର ପ୍ରସ୍ତ ପ୍ରାୟ ୧୫୦ । ୨୦୦ ହସ୍ତରୁ ଅଧିକ ନୁହେ ।

 

କାବେରୀ ନଦୀରେ ସ୍ନାନ କରି ପରମପରିତୋଷ ଲଭିଲି । ଏଠାରେ ଅସଂଖ୍ୟ ନର ନାରୀ ସ୍ନାନୋଦ୍ଦେଶରେ ପ୍ରତ୍ୟେହ ସମବେତ ହୁଅନ୍ତି । ଏ ପ୍ରେସିଡେନ୍ସିର ସ୍ତ୍ରୀଲୋକମାନଙ୍କ ବେଶଭୂଷା ଭାରତରେ ଅତୁଳନୀୟ । ବଙ୍ଗଦେଶ ପରି ଏ ଦେଶରେ ଆଗୁଳଲମ୍ବିତ କେଶରାଶିଧାରିଣୀ’’ ନ ଥିଲେ ମଧ୍ୟ, ଏମାନଙ୍କ ମସ୍ତକ ଶୋଭା ଦେଖିଲେ ଚମତ୍କୃତ ହେବାକୁ ହୁଏ । ଯେଉଁମାନେ ତେଲଙ୍ଗ ଏବଂ ତାମିଲ ସ୍ତ୍ରୀମାନଙ୍କ ବେଶ ଭୂଷା ଦେଖି ଅଛନ୍ତି, ତାହାଙ୍କ ନିକଟରେ ଏ ସମ୍ବନ୍ଧରେ ବ୍ୟାଖ୍ୟାନ କରିବା ଅନାବଶ୍ୟକ । କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ନିତାନ୍ତ ନିଃସ୍ୱଗୃହର ସ୍ତ୍ରୀମାନେ ସୁଦ୍ଧା ମସ୍ତକରେ ସ୍ୱର୍ଣ୍ଣାଳଙ୍କାର ଧାରଣ କରିବାକୁ ଛାଡ଼ନ୍ତି ନାହିଁ,–ପୁଣି ଗହଣା ଗୁଡ଼ିକର ଅଧିକାଂଶ ମୁକ୍ତା ଏବଂ ବହୁମୂଲ୍ୟ ପ୍ରସ୍ତରର; ଖଚିତ । ଏସବୁ ଅଞ୍ଚଳରେ ଯେପରି ବିଶୁଦ୍ଧ ଏବଂ ଉଚ୍ଚଶ୍ରେଣୀର ମୁକ୍ତା ଓ ପ୍ରସ୍ତରାଦି ମିଳେ ଭାରତର ଅନ୍ୟ କୌଣସି ଅଂଶରେ ଏପରି ମିଳେ କି ନାହିଁ ସନ୍ଦେହ । ଏହାର ପ୍ରଧାନ କାରଣ ଏହି ଯେ ପ୍ରେସିଡେନ୍ସିର ଦକ୍ଷିଣତମ ପ୍ରଦେଶରେ ସ୍ଥାନେ ସ୍ଥାନେ ମୁକ୍ତା ଉତ୍ତୋଳିତ ହୁଏ ଏବଂ ଏହିୁ ସ୍ଥାନମାନଙ୍କରୁ ଅପର୍ଯ୍ୟାପ୍ତ ପରିମାଣରେ ମୁକ୍ତା ଚତୁର୍ଦ୍ଦିଗକୁ ପ୍ରେରିତ ହୁଏ ।

 

ଭଦ୍ରମହିଳାମାନେ ସାଧାରଣତଃ ରେସମକ ନାରୀ ଧଳାଲୁଗା ବ୍ୟବହାର କରନ୍ତ, କିନ୍ତୁ ଦାସୀମାନଙ୍କଠାରେ ବିବିଧବର୍ଣ୍ଣର ଲୁଗା ଦୁଷ୍ଟ ହୁଏ । ପୁରୁଷମାନଙ୍କ ମଧ୍ୟରେ ମଧ୍ୟ ଲୁଗାର ପ୍ରଚଳନ ଏହିପରି । ଭଦ୍ରସନ୍ତାନମାନେ ରେସମ କନାର ମୂଲ୍ୟବାନ୍‌ ଧୋତି ଚାଦର ପରିଧାନ କରନ୍ତି ।

 

ପରିଶେଷରେ କ୍ଲାର୍କ ମହୋଦୟଙ୍କ ସହିତ ଗୋଟିଏ ଭଡ଼ାଗାଡ଼ୀରେ ସହର ପରିଭ୍ରମଣ କଲି । ଏ ସହରର ଲୋକସଂଖ୍ୟା ୬୨୦୦୦ । ମାନ୍ଦ୍ରାଜ ପ୍ରେସିଡେନ୍ସିର ଅଧିକାଂଶ ସହରଗୁଡ଼ିକ ଅତ୍ୟନ୍ତ ବୃହତ୍‌, ଲୋକସଂଖ୍ୟା ତାଦୃଶ ନ ହେଲେହେଁ, ଗୋଟିଏ ଗୋଟିଏ ସହର କଟକର ଦୁଇ ତିନିଗୁଣ ହେବ । ତାହାର କାରଣ ଆଉ କିଛି ନୁହେ, ପ୍ରତ୍ୟେକ ସହର ସୁନ୍ଦର ସୁନ୍ଦର ଉଦ୍ୟାନରେ ପରିପୂର୍ଣ୍ଣ । କଟକରେ କାହିଁକି ସମସ୍ତ ଉତ୍କଳରେ ଏପରି ଗୋଟିଏ ସୁଦ୍ଧା ଉଦ୍ୟାନ ଆଦୌ ଦୂଷ୍ଟି ହୁଏ ନାହିଁ । ବାମଣ୍ଡାର ପ୍ରସିଦ୍ଧ ରାଜକୀୟ ଉଦ୍ୟାନର ଯେପରି ବର୍ଣ୍ଣନା ଶୁଣିଅଛି, ଏ ସବୁ ଉଦ୍ୟାନ ସଙ୍ଗେ ସ୍ଥାନ ପାଇବାକୁ କେବଳ ସେହି ଏକା ଅଧିକାରୀ ନତୁବା ସମସ୍ତ ଉତ୍କଳ ଖଣ୍ଡରେ ଏ ଉଦ୍ୟାନସମୁହର ସମକକ୍ଷ ହେବାକୁ ଆଉ ଦ୍ୱିତୀୟ ଉଦ୍ୟାନ ନାହିଁ । କଲିକତାର ପ୍ରଥମ ଶ୍ରେଣୀର ବଡ଼ ବଡ଼ ଉଦ୍ୟାନ ଅନେକ ଅଛି ସତ୍ୟ, ମାତ୍ର ତାହା ସହର ମଧ୍ୟରେ ନୁହେ । ମାନ୍ଦ୍ରଜ ଏ ବିଷୟରେ ତାହାର ସମ୍ପୂର୍ଣ୍ଣ ବିପରୀତ । କଲିକତା ସାଧାରଣତଃ ସୌଧନଗରୀ City of palace ନାମରେ ଅଭିହିତ; କିନ୍ତୁ ମାନ୍ଦ୍ରାଜକୁ ସମସ୍ତେ ଉଦ୍ୟାନନଗର City of Gardens କହନ୍ତି ।

 

ମନ୍ଦିର ଦେବାଳୟପରିପୂରିତ ସହରଟିର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବା ମୋହର ସଧ୍ୟାତୀତ । ଏସବୁ ଦର୍ଶନରେ ମନରେ ଅଦ୍ଭୁତପୂର୍ବ ଆନନ୍ଦର ଉଦ୍ରେକ ହୁଏ । ପ୍ରତି ମନ୍ଦିରରେ ଯେ କେତେ କାରୁକାର୍ଯ୍ୟ, କେତେ ଅର୍ଥବ୍ୟୟ, କେତେବର୍ଷବ୍ୟାପୀ ପରିଶ୍ରମ ହୋଇଅଛି, ଆମ୍ଭମାନଙ୍କ ପରି ସାମାନ୍ୟ ଲୋକର କଳ୍ପନାକୁ ତାହା କେଉଁଠାରୁ ଆସିବ ? ଏହା ଦେଖିଲେ ହଠାତ୍‌ ଭୁବନେଶ୍ୱର ମନେ ପଡ଼େ; କିନ୍ତୁ ବର୍ତ୍ତମାନ ଭୁବନେଶ୍ୱରର ଅବସ୍ଥା ନିରତିଶୟ ଶୋଚନୀୟ, ଏ ସହରର ଅବସ୍ଥା କେତେଦୂର ହୋଇ ନାହିଁ । ଭୁବନେଶ୍ୱରସ୍ଥିତ ମନ୍ଦିରଗୁଡ଼ିକ ବର୍ତ୍ତମାନ ଧ୍ୱସ୍ତପ୍ରାୟ, କିନ୍ତୁ ଏ ମନ୍ଦିରସମୂହର କୌଣସି ଅଂଶରେ କେତେ କ୍ଷତି ହୋଇଥିବାର ଦେଖିଲି ନାହିଁ । ଭୁବନେଶ୍ୱରର ଦେଉଳଗୁଡ଼ିକ ପ୍ରସ୍ତରନିର୍ମ୍ମତ; ମାତ୍ର ଏ ମନ୍ଦିର ସବୁରେ ଚୁନର କାରୁକାର୍ଯ୍ୟ ଅଧିକ, ଏବଂ ବହୁପୁରାତନ ହେଲେହେ କୌଣସ କ୍ଷତି ହେବାର ତାଦୃଶ ସମ୍ଭାବନା ନାହିଁ । ଅନେକ ମନ୍ଦିର ଜୀର୍ଣ୍ଣ ହେବାରୁ ସ୍ଥାନେ ସ୍ଥାନେ ସଂସାରକାର୍ଯ୍ୟ ଲାଗିଅଛି । ଆମ୍ଭମାନଙ୍କ ଦେଶରେ ପୂର୍ବକୀର୍ତ୍ତି ରକ୍ଷା କରିବାକୁ ଧନିମାନଙ୍କର ଅଭାବ ନାହିଁ, ମାତ୍ର କେତେ ଜଣ ଭୁବନେଶ୍ୱର ଆଡ଼କୁ ଦୃଷ୍ଟି ନିକ୍ଷେପ କରି, ଏହାର ବର୍ତ୍ତମାନ ଦୁର୍ଦ୍ଦଶା ଭାବିଅଛନ୍ତି ? ଅର୍ଥସାହାଯ୍ୟ କରିବାର ତେଣିକି ଥାଉ ।

 

‘‘ଉତ୍କଳ କାହିଁକି ବିଖ୍ୟାତ ?’’–ଏ ପ୍ରଶ୍ନର ଉତ୍ତର ଅତି ସହଜ । ପୁରୀ, ଭୁବନେଶ୍ୱର ଏବଂ କୋଣାର୍କନିମନ୍ତେ । ଏହିମାନଙ୍କ ହେତୁରୁ ଉତ୍କଳର ଏତେ ପ୍ରତିଷ୍ଠା । ପ୍ରତିବର୍ଷ ନଦୀବନ୍ୟା ପ୍ରାୟ ଅସଂଖ୍ୟ ଯାତ୍ରୀ ଏକ ଦେବତା, ଏକ ସ୍ଥାନରୁ ଲକ୍ଷ୍ୟ କରି ଆସୁଅଛନ୍ତି, ସଙ୍ଗେ ସଙ୍ଗେ ଭୁବନେଶ୍ୱର ଶିଳ୍ପଗରିମା ମଧ୍ୟ ଅନୁଭବ କରି ଯାଆନ୍ତି । ହିନ୍ଦୁମାତ୍ରେ ଜଗନ୍ନାଥଙ୍କୁ ଜାଣନ୍ତି, ଜଗନ୍ନାଥଙ୍କ ନାମରେ ଉତ୍ସାହିତ ହୁଅନ୍ତି, ମାତ୍ର ଜଗନ୍ନାଥଙ୍କ ମନ୍ଦିରସଂସ୍କାର ସମିତିରେ ଆଜପର୍ଯ୍ୟନ୍ତ କେତେ ଅବସ୍ଥାନୁଯାୟୀ ଅର୍ଥ ସାହାଯ୍ୟ କଲେଣି ? ସମସ୍ତ ବ୍ୟୟର ହିସାବ ହୋଇଥିଲା ତିନିଲକ୍ଷଟଙ୍କା; ୪ ।୫ ବର୍ଷ ଅତୀତ ଧର୍ମ୍ମାନୁଗୁଣ ଜଣା ପଡ଼ୁଅଛି । ଆମ୍ଭମାନଙ୍କ ଦେଶରେ ଏପରି ସତ୍‌କାର୍ଯ୍ୟରେ ତିନି ଲକ୍ଷ ଟଙ୍କା ବ୍ୟୟ କରିବା ଭଳି ଜଣେ ଜଣେ ଧନୀ ନାହାନ୍ତି କି ? ଯେଉଁ ଦେଶରେ ଏକ ଦେବତାପ୍ରତି ଲକ୍ଷ ଲକ୍ଷ ଭକ୍ତର ଭକ୍ତି ଏବଂ ଶ୍ରଦ୍ଧା ଥାଉଁ, ତିନି ଲକ୍ଷ ଟଙ୍କା ଆଦାୟ ହୋଇ ପାରିଲା ନାହିଁ, ସେ ଦେଶରେ ଭୁବନେଶ୍ୱର ପରି ଅସାମାନ୍ୟ କାରୁକାର୍ଯ୍ୟର ସଂସାରର କଳ୍ପନା କରିବାହିଁ ବାତୁଳତା ମାତ୍ର ।

 

ପୂର୍ବାହ୍ନ ପ୍ରାୟ ଘ ୯ଟିକା ସମୟରେ ଆମ୍ଭମାନେ ଏ ସ୍ଥାନର ସର୍ବପ୍ରଧାନ ମନ୍ଦିର ନିକଟରେ ଉପସ୍ଥିତ ହେଲୁ । ଅଳ୍ପଦୂରରୁ ଏହାର ଦୃଶ୍ୟ ଅତି ଗମ୍ଭୀର । ଏହାର ସିଂହଦ୍ୱାର (ଗୋପୁରମ୍‌) ଟି ଦ୍ୱାଦଶତଳରେ ବିରକ୍ତ ହୋଇ ୧୭୦ ଫୁଟ ଉଚ୍ଚ, ଏବଂ ଆପାଦମଦସ୍ତକ ନାନା କାରୁବିଭୂଷିତ ହୋଇଅଛି । କାରୁକାର୍ଯ୍ୟଗୁଡ଼ିକ କେବଳ ମନୁଷ୍ୟ ଏବଂ ପଶୁମାନଙ୍କ ବିଭିନ୍ନ ପ୍ରତିମୂର୍ତ୍ତି, ଏବଂ ନାନା ଦେବତାଙ୍କ ସ୍ୱରୁଚିସମ୍ମତ ମୁତ୍ତିରେ ପରିପୂର୍ଣ୍ଣ । ଏଥିରେ ପୁରୀ ଏବଂ ଭୁବନେଶ୍ୱର ପରି ଅଶ୍ଲୀଳତାବ୍ୟଞ୍ଜକ କୌଣସି ପ୍ରତିମୂର୍ତ୍ତି ନାହିଁ,–ଏହା କେବଳ ଏହି ସହରର ଯେ ଦୁଷ୍ଟ ହୁଏ ଏମନ୍ତ ନୁହେ, ସମସ୍ତ ପ୍ରେସିଡେନ୍ସିର ପ୍ରାୟ ଅଧିଂକାଶ ମନ୍ଦିର ଏହି ରୀତିରେ ଗଠିତ ।

 

ମନ୍ଦିର ପ୍ରକାର ମଧ୍ୟରେ ପ୍ରବେଶ କରି ଦେଖିଲି, ଚତୁର୍ଦ୍ଦିଗରେ ବୃହତ୍‌ବୃହତ୍‌ସମ୍ଭଶ୍ରେଣୀର ପ୍ରକାଣ୍ଡ ପ୍ରକାଣ୍ଡ ହଲ୍‌ଗୁଡ଼ିକର ସଂସ୍ଥିତି । ଏ ସମସ୍ତ ବୁଲି ଦେଖିବାକୁ ପ୍ରାୟ ଏକଘଣ୍ଟା ଅତିବାହିତ ହେଲା, ଅବଶେଷରେ ଆମ୍ଭେମାନେ ମନ୍ଦିରାଭ୍ୟନ୍ତରରେ ପ୍ରବିଷ୍ଟ ହୋଇ ଦେବତାଙ୍କ ଦର୍ଶନ ଲଭିଲୁଁ । ପ୍ରଣିପାତ ଏବଂ ପ୍ରସାଦଗ୍ରହଣ ଉତ୍ତାରେ ଟିକିଏ ଭଲ କରି ଦେଖିଲି । ବିଷ୍ଣୁମୂର୍ତ୍ତି,–ନାମ ଶ୍ରୀ ୰ଶାର୍ଙ୍ଖ ପାଣି ସ୍ୱାମୀ । ବିଷ୍ଣୁବିଗ୍ରହଙ୍କ ହସ୍ତ ପ୍ରଦାଦି ହୀରକଖଚିତ ବହୁମୂଲ୍ୟ ଅଳଙ୍କାରରେ ସୁଶୋଭିତ, ଅନୁସନ୍ଧାନଦ୍ୱାରା ଜାଣିଲି ଅଳଙ୍କାରର ମୂଲ୍ୟପ୍ରାୟ ଛଅଲକ୍ଷ ଟଙ୍କା ! ଏତଦ୍ବ୍ୟତୀତ ସ୍ୱର୍ଣ୍ଣନିର୍ମ୍ମିତ ଅନ୍ୟାନ୍ୟ ଦ୍ରବ୍ୟା ଦିର ମଧ୍ୟ ପ୍ରଚୁର ସାମବେଶ ଦେଖିଲି । ସ୍ୱର୍ଣ୍ଣ ସିଂହାସନ, ଛତ୍ର ଚାମର, ଦଣ୍ଡ ପ୍ରଭୃତିତ ସ୍ତୂପାକାରରେ ସଜ୍ଜିତ । ଶୁଣିଲି, ଏ ଦେବ ତାଙ୍କର ବିସ୍ତୀର୍ଣ୍ଣ ଭୁସମ୍ପିତ୍ତି ଅଛି, ତାହାର ବାର୍ଷିକ ଆୟ ଏକଲକ୍ଷ ଟଙ୍କାରୁ ଊଣା ନୁହେ ।

 

ବୃହତ୍‌ ଗୋପୁରମ୍‌ ସମ୍ମୁଖରେ ଦୁଇ ଗୋଟି ପ୍ରକାଣ୍ଡ ରଥ ଥିବାର ଦେଖିଲି । ପ୍ରତିବର୍ଷ ରଥଯାତ୍ରା ସମୟରେ ଏଗୁଡ଼ିକ ଟଣା ହୋଇ ଥାଏ । ଏ ରଥଗୁଡ଼ିକ ପୁରୀ ଏବଂ ଭୁବନେଶ୍ୱରର ଅନୁରୂପ ନୁହେ,–ଏହା ପିରାମିଡ଼ାକୃତିର ଏବଂ ଗୋପୁରମ୍‌ପରି ଅପାଦମସ୍ତକ ନାନା କାଷ୍ଠକାରୁରେ ସୁଶୋଭିତ । ଏଡ଼େ ସୁନ୍ଦର ରଥର ପ୍ରଚଳନ ଆମ୍ଭମାନଙ୍କ ଦେଶରେ ଆଦୌ ଲକ୍ଷିତ ହୁଏ ନାହିଁ, ଏବଂ ଏଗୁଡ଼ିକ ଉଚ୍ଚତାରେ ମଧ୍ୟ ଊଣା ନୁହେ,–ପ୍ରାୟ ୬୦ ପୁଟ ।

 

ଏଠାରୁ ଆମ୍ଭେମାନେ ରାମାସ୍ୱାମୀ ଏବଂ ଚକ୍ରପାଣିସ୍ବାମୀଙ୍କ ଏବଂ ଗୋପୁରମ୍‌ ଦେଖିବକୁ ଗଲୁଁ । ଏ ମନ୍ଦିରଦ୍ୱୟ ବୃହତ୍‌ଗୋପୁରମ୍‌ନିକଟରୁ ପ୍ରାୟ ଅର୍ଦ୍ଧମାଇଲ ବ୍ୟବଧାନରେ ଅବସ୍ଥିତ । ମନ୍ଦିର ଯୋଡ଼ିକର ଅପୂର୍ବ କାରୁକାର୍ଯ୍ୟ ବର୍ଣ୍ଣନାତୀତ, ନ ଦେଖିଲେ ସୌନ୍ଦର୍ଯ୍ୟ ଉପଲବ୍ଧ ହେବ ନାହିଁ ।

 

ପାନ୍ଥଶାଳାକୁ ଫେରି ଆସିବା ସମୟରେ ଆମ୍ଭେମାନେ ମେଘାମଗ ନାମକ ସୁନ୍ଦର ପୁଷ୍କରିଣୀ ଦେଖି ଆସିଲୁଁ । ଏ ପୁଷ୍କରିଣୀଟି ବହୁକାଳର ପ୍ରାଚୀନ ହେଲେହେଁ, ଚତୁର୍ଦ୍ଦଗରେ କ୍ଷୁଦ୍ର କ୍ଷୁଦ୍ର ମନ୍ଦିରସମାବିଷ୍ଟ ହୋଇ ଅପୂର୍ବ ଶ୍ରୀ ଧାରଣ କରିଅଛି । ପୋଖରୀର ଚାରିକୋଣରେ ଚାରୋଟି ମନ୍ଦିର, ଏବଂ ପ୍ରତ୍ୟେକ କୋଣଦ୍ୱୟର ମଧ୍ୟବର୍ତ୍ତୀ ସ୍ଥାନରେ ଗୋଟିଏ ଲେଖାଏଁ ମନ୍ଦିର,–ପ୍ରତି ମନ୍ଦିରର; ମହାଦେବଙ୍କ ବିଗ୍ରହ । ପୁଷ୍କରିଣୀର ପ୍ରତ୍ୟେକ ଅଂଶ ପ୍ରସ୍ତରଗଥିତ, ପୁରୀର ନରେନ୍ଦ୍ର ଅଥବା ଭୁବନେଶ୍ୱରର ବିନ୍ଦୁସାଗରର ଅନୁରୂପ । ଏହାର ସମ୍ମୁଖରେ କୁମ୍ଭେଶ୍ୱର ଶିବଙ୍କ ମନ୍ଦିର ଏବଂ ଗୋପୁରମ୍‌ । ଶିବମନ୍ଦିରରେ ଏଠାରେ ବହୁଲୋକର ସମାଗମ ହୁଏ ବୋଲି ଶୁଣିଲି । ଏ ପୁଷ୍କରିଣୀ ସମ୍ବନ୍ଧରେ ଏଠାରେ ଲୋକମାନଙ୍କର ଗୋଟିଏ ସଂସ୍କାର ଅଛି ଯେ ପ୍ରତିବର୍ଷ ଶିବରାତ୍ରିରେ ପୁଷ୍କରିଣୀର ପାଣି କିଛି ସ୍ଫୀତ ହୋଉ ଉଠେ,–ସୁତରାଂ ଗଙ୍ଗାଦେବୀ ଆବଭୂତା ହୁଅନ୍ତି । ଏ ପ୍ରବାଦର ସତ୍ୟତା ସମ୍ବନ୍ଧରେ ମୁ ଅବଶ୍ୟ ସନ୍ଦିହାନ, କିନ୍ତୁ ଏତିକି କହିପାରେଁ ଯେ ପାଣିମାଠିଆରେ ହାତ ବୁଡ଼ାଇଲେ ପାଣି ଯେପରି ସ୍ୱତଃ ସ୍ଫୀତ ହୋଇଥାଏ, ଏକାବେଳକେ ବହୁଲୋକ ଗୋଟିଏ ପୁଷ୍କରିଣୀରେ ପ୍ରବେଶ କଲେ ପାଣିର ଉପରିଭାଗ ସ୍ଫୀତ ସେହିପରି ହେବାହିଁ ସମ୍ଭବ । କ୍ଲାର୍କ ମହୋଦୟଙ୍କୁ ଏହା କହିବାରେ ସେ କିୟତ୍‌କ୍ଷଣ ମୋହ ଆଡ଼କୁ ଅନାଇ ଏ କଥାଟି ସମ୍ପୂର୍ଣ୍ଣ ଅନୁମୋଦନ କଲେ ।

 

ପୂର୍ବାହ୍ନ ଘ ୧୧ ଟିକା ସମୟରେ ଆମ୍ଭେମାନେ ପାନ୍ଥଶାଳାକୁ ଫେରି ଆସିଲୁଁ । କ୍ଲାର୍କ ମହାଶୟ ସ୍ନାନ ଭୋଜନ ନିମନ୍ତେ ମୋହ ନିକଟର ଘ ୨ ଣ୍ଟା ସକାଶେ ଅବସର ଗ୍ରହଣ କଲେ । ମୁ ମଧ୍ୟ ଆହାର ସମାପନ କରି କିୟତ୍‌କ୍ଷଣ ବିଶ୍ରାମ କଲି ।

 

ଅପରାହ୍ନ ଘ ୨ ଟିକା ସମୟରେ ମୁନ୍‌ସଫ ମହୋଦୟଙ୍କ ବଗିଗାଡ଼ୀ ଆସି ପାନ୍ଥଶାଳା ଦ୍ୱାରରେ ଉପସ୍ଥିତ ହେଲା । ମନେ କଲି, ସ୍ୱୟଂ ମୁନ୍‌ସଫ ମହାଶୟ ଆସିଅଛନ୍ତି; କିନ୍ତୁ ତାହା ନୁହେ, ଗାଡ଼ୀଟି ଆମ୍ଭମାନଙ୍କ ବ୍ୟବହାର ସକାଶେ ପ୍ରେରିତ ହୋଇଥିଲା । କ୍ଲାର୍କ ମହୋଦୟ ଘରୁ ଆସି ପହଁଚିଥିଲେ, ସୁତରାଂ ମୋହର ଯୋଡ଼ିଏ ଭୃତ୍ୟ ସହିତ ମୁ ତାଙ୍କ ସଙ୍ଗରେ ବାହାରିଲି । ପ୍ରଥମେ ସହରର ଉପକଣ୍ଠବର୍ତ୍ତୀ ମାର୍ଗ ଦେଇ ଆମ୍ଭେମାନେ ମୁନ୍‌ସଫ ମହୋଦୟଙ୍କ କଚେରୀକୁ ଆସିଲୁଁ । ଦ୍ୱିତଳଗୃହ ଉପରକୁ ଯାଇ ମୁନ୍‌ସଫଙ୍କ ସଙ୍ଗେ ସାକ୍ଷାତ କରି ସଭ୍ୟ, ମାତ୍ର ସେ ସମୟରେ ସେ ଗୋଟିଏ ଜଟିଳ ମୋକଦ୍ଦମାରେ ବ୍ୟସ୍ତ ଥିବାରୁ ବେଶି କଥାବାର୍ତ୍ତା ହୋଇ ପାରିଲା ନାହିଁ । ମୁନ୍‌ସଫ ମହୋଦୟ ବିଚାରାସନରେ ଉପବିଷ୍ଟ ଥିଲେ ମଧ୍ୟ ଧୋତି ଚାଦର ଏବଂ କୋଟ ଛଡ଼ା ଅନ୍ୟ କୌଣସି ବେଶ ଭୁଷା ଲକ୍ଷିତ ହେଲା ନାହିଁ,–ଲଲାଟରେ ହିନ୍ଦୁଧର୍ମ୍ମଜ୍ଞାପକ ରାମାନନ୍ଦୀ ଚିତା !

 

ଏଠାରୁ ଆମ୍ଭେମାନେ ଅନ୍ୟମାର୍ଗ କାଟେ ବୋକେମ୍ପ କଲେଜରେ ଉପସ୍ଥିତ ହେଲୁଁ । ମାନ୍ଦ୍ରାଜ ପ୍ରେସିଡେନ୍ସି ମଧ୍ୟରେ ଏହା ଗୋଟିଏ ବିଖ୍ୟାତ କଲେଜ । କଲେଜର ଛାତ୍ରମାନଙ୍କ ମଧ୍ୟରେ ଅଧିକାଂଶ ବ୍ରାହ୍ମଣ । କଲେଜଗୃହଟି ଠିକ୍‌କାବେରୀ ଉପରେ, ପବିତ୍ରତୋୟୀ କାବେରୀ କଲେଜର ପାଦଚୁମ୍ବନ କରି ପ୍ରଧାବିତା । ଏଠାରେ ଗଣିତ ଶାସ୍ତ୍ରର ବିଶେଷ ଚର୍ଚ୍ଚା ହୁଏ । ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ଗଣିତ ପ୍ରଶ୍ନଗୁଡ଼ିକ ଭାରତବର୍ଷର ଅନ୍ୟ ସମସ୍ତ ବିଶ୍ୱବିଦ୍ୟାଳୟର ପ୍ରଶ୍ନଠାରୁ କଠିନ, ଏହା ସମସ୍ତେ ସ୍ୱୀକାର କରନ୍ତି । ଏ ପ୍ରେସିଡେନ୍ସିରେ, ବିଶେଷତଃ ଏ ଅଞ୍ଚଳରେ ଯେତେ ଯେତେ ଜଣ ବଡ଼ ବଡ଼ ଗଣିତବେତ୍ତା ଅଛନ୍ତ, ଭାରତର ଅନ୍ୟ କୌଣସି ଅଂଶରେ ଏପରି ମିଳିବା ସମ୍ବବପର ନୁହେ । ଏହି ସହରଟିକୁ ଦାକ୍ଷିଣାତ୍ୟର କେମ୍ବ୍ରିକ (Cambridge of southern India) କହନ୍ତି । ଗଣିତଶାସ୍ତ୍ରର ଚର୍ଚ୍ଚା । ଏହିଠାରେ ସାଧାରଣତଃ ବହୁଳ ପରିମାଣରେ ହୋଇଥାଏ ।

 

କ୍ରମଶଃ ସହରମଧ୍ୟସ୍ଥିତ ପ୍ରଧାନ ପ୍ରଧାନ ମାର୍ଗ ଦେଇ ଗାଡ଼ୀ ଧାବିତ ହେଲା, ବଜାର ମଦ୍ୟସ୍ଥିତ ବିପଣିଗୁଡ଼ିକ ପଣ୍ୟଦ୍ରବ୍ୟାବଳୀରେ ସୁଜ୍ଜିତ ହୋଇ ମନୋହର ଦିଶୁଥିଲା । ନାନାପ୍ରକାର ପିତ୍ତଳ ଏବଂ ତମ୍ବାର ବାସନ, ଲୁଗା, ଛବି, ଲୌହ ଏବଂ କାଂସ୍ୟଦ୍ରବ୍ୟ, ବହୁମୂଲ୍ୟ ମୁକ୍ତା ଖଚିତ ସ୍ୱର୍ଣ୍ଣାଳଙ୍କାର ପ୍ରଭୃତି କାରିଗିରିର ପରାକାଷ୍ଠା ପ୍ରଦର୍ଶନ କରୁ ଥିଲା । ‘‘କୋମବେକୋନମ୍‌’’ ଏ ନାମଟି ସମ୍ଭବତଃ ‘‘କୁମ୍ଭକର୍ଣ୍ଣ’’ ରୁ ଉତ୍ପନ୍ନ । ପ୍ରସିଦ୍ଧ କୁମ୍ଭକର୍ଣ୍ଣୀ ଶାଟୀର ଆଦିସ୍ଥାନ ଏହି । ଏଠାରେ ବିବିଧ ରକମର କୁମ୍ଭକାର୍ଣ୍ଣୀ ଶାଟୀର ପ୍ରଚଳନ ଦେଖାଯାଏ,–ଗୋଟିଏ ଗୋଟିଏ ରେସମଶାଟୀର ମୂଲ ୬୦ ।୮୦ ଟଙ୍କା ପର୍ଯ୍ୟନ୍ତ ଲକ୍ଷିତ ହେଲା ।

 

ଅପରାହ୍ନ ଘ ୫ ଟିକା ସମୟରେ ଆମ୍ଭେମାନେ ପାନ୍ଥଶାଳାରେ ଉପସ୍ଥିତ ହେଲୁଁ । ପ୍ରାୟ ଏକ ଘଣ୍ଟା ଉତ୍ତାରୁ ମୁନ୍‌ସଫ ମହୋଦୟ କଚେରୀରୁ ଫେରି ଆସିଲେ । ଉଭୟେ ଏକତ୍ର ବସି ଅନେକ ବେଳଯାଏ ଗଳ୍ପ କଲୁଁ । ତାହାଙ୍କ ମୁଖରୁ ଶୁଣିଲି ଏହି ସମୟରେ ଆଠୋଟି ‘ଛତ୍ରମ୍‌’ (ପାନ୍ଥଶାଳା) ଏବଂ ବିଂଶସଂଖ୍ୟକ ଦେଶୀୟ ହୋଟେଲ ଅଛି । ଦେଶର ଧନିମାନଙ୍କ କର୍ତ୍ତୃକ ଏହିଗୁଡ଼ିକ ସୁଚାରୂଭାବରେ ପରିଚାଳିତ ହୁଏ । ଆମ୍ଭମାନଙ୍କ ଦେଶର ଧନିମାନଙ୍କଠାରୁ ଏମାନେ ଯେ କେତେ ଗୁଣରେ ଉତ୍କୃଷ୍ଟ ଏହା ସେଥିର ଅନ୍ୟତର ପରିଚାୟକ । ଫେରି ଆସିଲା ବେଳକୁ ଏଠାରେ ତାହାଙ୍କ ସହିତ ସାକ୍ଷାତ୍‌କରି ଯିବି ମୋତେ ଏପରି ପ୍ରତିଶ୍ରୁତି କରାଇ ନେଇ, ସେ ମୋହ ନିକଟରୁ ବିଦାୟ ଗ୍ରହଣ କଲେ । ଦୁଇ ଜଣ ଚପରାସୀ ଏବଂ କ୍ଲାର୍କ ମହାଶୟ ମୋହ ପାଖରେ ପୂର୍ବବତ୍‌ ଅବସ୍ଥାନ କଲେ ।

 

ସନ୍ଧ୍ୟା ହେଲା । ଦେବମନ୍ଦିର ଏବଂ ମଠସମୂହର ଆରତିସୂଚକ ଘଣ୍ଟା ଏବଂ ବାଦ୍ୟର ଧ୍ୱନି ସହର ପ୍ରକମ୍ପିତ କରି, ମନରେ ଏକ ଅପୂର୍ବ ଭାବର ଉଦ୍ରେକ କଲା । ଆଜି ରାତ୍ରି ୩ ଘଣ୍ଟିକା ବେଳେ ଆମ୍ଭମାନଙ୍କୁ ଏଠାରୁ ପ୍ରସ୍ଥାନ କରିବାକୁ ହେବ ଭାବି, ଅତି ଶୀଘ୍ର ଭୋଜନ ସମାପନାନ୍ତେ ନିଦ୍ରିତ ହେଲି । ଚପରାସୀଦ୍ୱୟ ମଧ୍ୟ ନିକଟରେ ରହିଲେ । ଆଜି ସମସ୍ତ ଦିବସ ଅତିଶୟ କ୍ଲାନ୍ତ, ସୁତରାଂ ବିଛଣାରେ ପଡ଼ିଲା ମାତ୍ରେ ନିଦ୍ରାର ସାକ୍ଷାତ୍‌କାର ଲଭିଲି ।

 

୧୦-୮-୯୫-ଶନିବାର-ପ୍ରତ୍ୟୁଷ ୩ ଟା ବାଜି ୩୨ ମିନିଟରେ ଗାଡ଼ୀରେ ଅରୋହଣ କଲୁଁ । ଚପରାସୀଦ୍ୱୟ ଷ୍ଟେସନ ପର୍ଯ୍ୟନ୍ତ ଆସି ଆମ୍ଭମାନଙ୍କ ଗାଡ଼ୀରେ ଚଢ଼ିବାର ଏବଂ ଟିକଟ କିଣିବାର ସୁବିଧା କରି ଦେଇଥିଲେ । ଆମ୍ଭେମାନେ ଆଜି ତାଞ୍ଜୋର ଯାତ୍ରୀ ।

 

ତାଞ୍ଜୋର ଏଠାରୁ ୨୪ ମାଇଲ । ସୁତରାଂ ପହଁଚିବାକୁ ଅଧିକ ସମୟ ଅତିବାହିତ ହୋଇ ନ ଥିଲା । ମଧ୍ୟରେ ଆୟାମ୍‌ପେଟ୍‌ ଷ୍ଟେସନ ପଡ଼ିଲା । ଏଠାରେ ରେସମର ଉତ୍କୃଷ୍ଟ ଲୁଗା ପ୍ରସ୍ତୁତ ହୋଇ ବାରଣାସୀ, ନାଗପୁର, କାମ୍ପଟି ପ୍ରଭୃତି ସହରକୁ ରପ୍ତାନି ହୁଏ । ଏ ସ୍ଥାନର ୪ଟି ସୁନ୍ଦର କାରୁକାର୍ଯ୍ୟଭୂଷିତ ମନ୍ଦିର ଦୂରରୁ ଅନେକ ଯାତ୍ରୀ ଆକର୍ଷଣ କରେ । ୪ ଟା ବାଜି ୩୬ ମିନିଟ ବେଳେ ଆମ୍ଭେମାନେ ତାଞ୍ଜୋର ଷ୍ଟେସନରେ ଗାଡ଼ୀରୁ ଅବତରଣ କଲୁଁ ।

 

ଆମ୍ଭେମାନେ ଷ୍ଟେସନରୁ ବିଶ୍ରାମାଗାରରେ ଅବସ୍ଥାନ କଲୁଁ । ପ୍ରାତଃକୃତ୍ୟ ଶେଷପୂର୍ବକ ଜଣେ ଲୋକଙ୍କୁ କିଛି ଦେବାକୁ ପ୍ରତିଶ୍ରୁତି ହୋଇ, ଏ ସ୍ଥାନର ପ୍ରଧାନ ପ୍ରଧାନ ଦର୍ଶନୀୟ ପଦାର୍ଥ ଦେଖିବା ନିମନ୍ତେ ଜଣେ ଭୃତ୍ୟ ସହିତ ପ୍ରସ୍ଥାନ କଲି । ପୂର୍ବାହ୍ନ ଘ ୯ ଟିକା ସମୟରେ ଏଠାରୁ ଲୌହଶକଟ ଦକ୍ଷିଣାଭିମୁଖକୁ ପ୍ରସ୍ଥାନ କରିବ ଭାବି, ଦ୍ରୁତପାନ୍ଦବିକ୍ଷେପରେ ନଗର ଭ୍ରମଣ କଲି ।

 

ତାଞ୍ଜୋର ବହୁକାଳର ପ୍ରାଚୀନ ସହର । ଲୋକସଂଖ୍ୟା ୭୦୦୦୦ ରୁ କମ ନୁହେ ! ୧୬୮୭ ଖ୍ରୀଷ୍ଟାବ୍ଦରେ ଏହା ଚୋଳ ରାଜ୍ୟର ରାଜଧାନୀ ଥିଲା । ବର୍ତ୍ତମାନ ତାଞ୍ଜୋର ଜିଲ୍ଲାର ପରିମାଣ ୩୭୦୯ ବର୍ଗମାଇଲ, ଅଧିବାସୀ ସଂଖ୍ୟା ୨୨୨୮୧୧୪, ଏବଂ ଗ୍ରାମସଂଖ୍ୟା ୩୮୪୭ । ମହାରାଷ୍ଟ୍ରୀୟ ବ୍ରାହ୍ମଣମାନଙ୍କ ଏକତ୍ର ସଂସ୍ଥିତି ବହୁଳ ପରିମାଣରେ ଏଠାରେ ଦୁଷ୍ଟ ହୁଏ । ଏମାନେ ବଡ଼ ବୁଦ୍ଧିଜୀବୀ । ମହାରାଷ୍ଟ୍ରରୀୟ ପ୍ରାଧାନ୍ୟ ସମୟରେ ମହାରାଷ୍ଟ୍ରୀୟ ବ୍ରାହ୍ମଣମାନେ ପ୍ରଧାନ ପ୍ରଧାପ ରାଜକାର୍ଯ୍ୟ ଚଳାଉଥିଲେ । ସେ ସମୟରେ ଏହିମାନେ ସାଧାରଣତଃ ମନ୍ତ୍ରୀ, ପ୍ରଣିଧି, ପ୍ରାଡ଼୍‌ବିବେକ ଏବଂ ସାନ୍ଧିବିଗ୍ରହିକ ପଦରେ ନିଯୁକ୍ତ ହେଉଥିଲେ ଏବଂ ରାଜକାର୍ଯ୍ୟରେ ସର୍ବଦା ଭାରତବର୍ଷର ଭିନ୍ନ ଭିନ୍ନ ପ୍ରଦେଶକୁ ଯାଉଥିଲେ । ସମ୍ଭବତଃ ସେହି ସୂତ୍ରରେ ଏମାନେ ଏଠାର ସ୍ଥାୟୀ ନିବାସୀ ହୋଇଅଛନ୍ତି । ତ୍ରିବାଙ୍କୁଡ଼ ଏବଂ ଗାଇକବାଡ଼ ପ୍ରଭୃତି ରାଜ୍ୟର ଭୂତପୂର୍ବ ମନ୍ତ୍ରୀ ଭାରତପ୍ରସିଦ୍ଧ ସ୍ୱରଟି ମାଧବ ରାଓ ଏହି ବ୍ରାହ୍ମଣବଂଶୀୟ ଏବଂ ଏହି ତାଞ୍ଜୋର ନଗରବାସୀ ଥିଲେ । ପୂର୍ବେ ଏହି ତାଞ୍ଜୋର ନଗର ବେଦାଧ୍ୟୟନ ସକାଶ ପ୍ରସିଦ୍ଧ ଥିଲା, ଆଜିକାଲି ସେପରି ଶିକ୍ଷାର ଅଧିକ ପ୍ରଚଳନ ଦୃଷ୍ଟ ହୁଏ ନାହିଁ ।

 

ତାଞ୍ଜୋରର ପ୍ରଧାନ ମନ୍ଦିର ଦକ୍ଷିଣଭାରତବର୍ଷର ପ୍ରକୃତ ଦର୍ଶନୀୟ ପଦାର୍ଥ । ଏହା ଠିକ୍‌ଗୋଟିଏ ପିରାମିଡ଼ ପରି । ୮୦ ଫୁଟ ବର୍ଗର ଭୂମି ଉପରେ ଏହା ଦଣ୍ଡାୟମାନ, ଏବଂ ଚତୁର୍ଦ୍ଦଶ ତଳରେ ବିଭକ୍ତ ହୋଇ ୨୧୦ ଫୁଟ ଉଚ୍ଚ । ଅପୂର୍ବ ଭାସ୍କର୍ଯ୍ୟର ଏପରି ନିଦର୍ଶନ ଦକ୍ଷିଣ ଭାରତବର୍ଷରେ ବିରଳ । ଏ ମନ୍ଦିରର ଚୁଡ଼ାସ୍ଥିତ ପଥରଖଣ୍ଡିକ (ସାଧାରଣତଃ ଯାହାକୁ ‘‘ଦଧିନଉଡି’’ କହୁନ୍ତି) ବଡ଼ କାମ ନୁହେ, ଏବଂ ତିନି ସହସ୍ର ମହଣ ଓଜନ ଥିବାର କଥିତ ଅଛି । ଦାକ୍ଷିଣାତ୍ୟରେ ଏଡ଼େ ଉଚ୍ଚ ମନ୍ଦିର ଦୃଷ୍ଟ ହୁଏ ନାହିଁ, କେବଳ ଦାକ୍ଷିଣତ୍ୟ କାହିଁକି, ସମସ୍ତ ଭାରତବର୍ଷରେ ହିନ୍ଦୁମାନଙ୍କର ଏଡ଼େ ଉଚ୍ଚ ମନ୍ଦିର ନାହିଁ ।

 

ଏଠାରେ ପ୍ରସ୍ତର ନିର୍ମିତ ଗୋଟିଏ ପ୍ରକାଣ୍ଡ ବୃଷର ଦେଖିଲି । ବୃଷଭଟି ଦୌର୍ଘ୍ୟରେ ୧୫ ଫୁଟ୍‌ଏବଂ ୧୨ ଫୁଟ୍‌ଉଚ୍ଚ । ଏହା ଗୋଟିଏ ମଞ୍ଚ ଉପରେ ଉପବିଷ୍ଟ, ମଞ୍ଚାରୋହଣ ବେଳେ ଦ୍ୱାଦଶଟି ସୋପାନ ଅତିକ୍ରମ କରି ଯିବାକୁ ହୁଏ, ଏବଂ ମଞ୍ଜର ଚତୁଷ୍ପାର୍ଶ୍ୱରେ ଗୋଦନ୍ତ ପ୍ରସ୍ତରର ସ୍ତମ୍ଭଶ୍ରେଣୀ ଉପରିସ୍ଥ ପ୍ରସ୍ତରଚନ୍ଦ୍ରାତପ ଧାରଣ କରି ରହିଅଛି ।

 

ସୁବ୍ରାହ୍ମଣ୍ୟ ସ୍ୱାମିଙ୍କ ମନ୍ଦିରର କାରୁକାର୍ଯ୍ୟ ଅତି ମନୋହର । ଏହା ଅପେକ୍ଷାକୃତ କ୍ଷୁଦ୍ର ହେଲେହେଁ ହସ୍ତୀ, ଘୋଟକ, ମନୁଷ୍ୟ ଏବଂ ନାନାବିଧ ପଶୁପକ୍ଷୀମାନଙ୍କର ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତିରେ ସୁଶୋଭିତ । ତାଞ୍ଜୋର ରାଜାଙ୍କ ଦୁର୍ଗର ବାହ୍ୟଦର୍ଶନରେ ମନ ପୁଲକିତ ହୁଏ । ଗଙ୍ଗବଂଶ ବର୍ତ୍ତମାନ ଲୋପ ପାଇଅଛି, କିନ୍ତୁ ସମୟରେ ଏହି ରାଜାଙ୍କ କର୍ତ୍ତୃକ ସମସ୍ତ ଦକ୍ଷିଣଭାରତବର୍ଷ ଆଲୋଡ଼ିତ ହେଉଥିଲା । ଶୁଣିଲି ଗୋଟିଏ ଧର୍ମରପ୍ରସ୍ତରନିର୍ମିତ ଏହାଙ୍କର ପ୍ରତିମୂର୍ତ୍ତି ଦୁର୍ଗାଭ୍ୟନ୍ତରରେ ଅବସ୍ଥିତ ଏବଂ ଦୁର୍ଗମଧ୍ୟସ୍ଥିତ ମନ୍ତ୍ରଣାଗୃହଟି ସୁନ୍ଦର ଭାସ୍କର୍ଯ୍ୟରେ ସୁଶୋଭିତ ।

 

ତାଞ୍ଜୋର ଜିଲ୍ଲାଟି ଅତିଶୟ ଉର୍ବର । କାବେରୀନଦୀରୁ ଅସଂଖ୍ୟ ଜଳପ୍ରଣାଳୀ (Canals) ପ୍ରସ୍ତୁତ ହୋଇ ଭୂମିପୋଷଣକାର୍ଯ୍ୟରେ ବ୍ୟବହୃତ ହେଉଅଛି । ଏ ଅଞ୍ଚଳରେ ପ୍ରଧାନଖାଦ୍ୟ କାଙ୍ଗୁ ଏବଂ ମାଣ୍ଡିଆ । ଚାଉଳ ଅତ୍ୟନ୍ତ ଦୁର୍ମୁଲ୍ୟ । ଜଳଖିଆସ୍ୱରୂପ ପ୍ରାୟ ସମସ୍ତଲୋକେ କଫିପାନ କରନ୍ତି । ପ୍ରତ୍ୟେକ ଷ୍ଟେସନର ପ୍ଲାଟ୍‌ଫର୍ମରେ ବିକ୍ରେତା ମୁଖନିଃସୃତ ‘‘ପାଲ୍‌କଫି’’, ‘‘ପାଲକଫି’’, ଏହାର ଅନ୍ୟତର ପ୍ରମାଣ । ‘‘ପାଲ୍‌’’ ଶବ୍ଦର ଅର୍ଥ ଦୁଗ୍ଧ ।

 

ଏ ସହରରେ ଯେପରି ସଂସ୍କୃତଭାଷାର ଚର୍ଚ୍ଚା ହୋଇଥାଏ, ଦାକ୍ଷିଣାତ୍ୟର ଅନ୍ୟ କୌଣସିସ୍ଥାନରେ ସେପରି ଦୃଷ୍ଟ ହୁଏ ନାହିଁ । ମୋହର ସଂସ୍କୃତଜ୍ଞାନ ଯତ୍‌ସମାନ୍ୟ ହେଲେ ସୁଦ୍ଧା କେତେକ ଲୋକଙ୍କ ସହିତ ସେହି ଭାଷାରେ କଥୋପକଥନ କରିବାର ସୁବିଧା ଘଟିଥିଲା । ଜଣକ ମୁଖରୁ ଏତଦ୍ଦେଶୀୟ ଗୋଟିଏ ସୁନ୍ଦର ଗଳ୍ପ ଶୁଣିଲି । ଗଳ୍ପଟି ହାସ୍ୟରସୋଦ୍ଧୀପକ ହେଲେହେଁ ନୀତିଗର୍ଭକ । ଏଠାରେ ଗଳ୍ପଟିକୁ ଅବିକଳ ଉଦ୍ଧୃତ କରିଦେଲି ।

 

ଚାଉଳକୁ ତାମିଲ ଭାଷାରେ ଆରିସି କହନ୍ତି । ତାଞ୍ଜୋର ଜିଲ୍ଲାରା ଆରିସିରାମ ନାମକ ଗୋଟିଏ ଗ୍ରାମ ଥିଲା । ସେହି ଗ୍ରମାବାସୀ ମାଧବ ରାଓ ନାମରେ ଜନୈକ କ୍ଷତ୍ରିୟକୁମାର ପ୍ରଥମେ କ୍ଷୁଦ୍ର କ୍ଷୁଦ୍ର ସୈନିକକାର୍ଯ୍ୟ କରୁ କରୁ ଏକସମୟରେ ସୈନ୍ୟାଧ୍ୟକ୍ଷପଦରେ ନିଯୁକ୍ତ ହେଲେ । କ୍ରମଶଃ ତାହାଙ୍କର ବାହୁବଳ ଏତେଦୁର ବୃଦ୍ଧିପ୍ରାପ୍ତ ହେଲା ଯେ ଆରସି ରାମ ଗ୍ରାମର ନିକଟବର୍ତ୍ତୀ ଅନେକଗୁଡ଼ିଏ ଗ୍ରାମ ନିଜ କରାଧୀନ କରି ପରିଶେଷରେ କମଳାଳମ୍‌ନାମକ ସ୍ଥାନରେ ରାଜତ୍ୱଲାଭ କଲେ, ଏବଂ ଦୁର୍ଗ ନିର୍ମାଣ କରି ମହାସୁଖରେ ଦିନାତିପାତ କରିବାକୁ ଲାଗିଲେ ।

 

ଦିନକରେ ମାଧବ ରାଓଙ୍କର ଗୁରୁ ଏବଂ ତଦ୍ବଂଶୀୟ ବ୍ୟକ୍ତି ମାନେ ସ୍ଥିର ବିଚାରକଲେ ମାଧବ ରାଓଙ୍କ ନିକଟକୁ ଗଲେ ସେଠାରୁ କିଛି କିଛି ଉପାଜ୍ଜନ କରିପାରିବ । ଏହା ସ୍ଥିର କରି କମଳାଳମ୍‌ଗ୍ରମାରେ ଉପସ୍ଥିତ ହୋଇ ଦେଖିଲେ ସେଠାରେ କୌଣସି ଲୋକ ଏହାଙ୍କର ସଂସ୍କୃତ ଭାଷା ବୁଝିପାରୁ ନାହାନ୍ତି । ଅନ୍ୟ କୌଣସି ଭାଷାରେ କଥା କହିବାକୁ ମଧ୍ୟ ଏମାନଙ୍କର ଶକ୍ତି ନ ଥିଲା, କାରଣ ସଂସ୍କୃତ ତଦ୍ବଂଶୀୟ ବ୍ୟକ୍ତିମାନେ ବିଚାର କଲେ ମାଧବ ରାଓଙ୍କ ନିକଟକୁ ଗଲେ ସେଠାରୁ କିଛି, ଉପାର୍ଜ୍ଜନ କରିପାରିବା । ଏହା ଛଡ଼ା ଅନ୍ୟ କୌଣସି ଭାଷାରେ ଏହାଙ୍କର ଆଦୌ ଅଧିକାର ଥିଲା ନାହିଁ । ଯାହାହେଉ କୌଣସିରୂପେ ଅଙ୍ଗୁଳିନିର୍ଦ୍ଦେଶପୂର୍ବକ କାହାରି କାହାରି ଠାରେ ମନୋଭାବ ବ୍ୟକ୍ତ କରି ପରିଶେଷରେ ରାଜଦ୍ୱାରରେ ଉପନୀତ ହେଲେ । ପ୍ରହରିବର୍ଗ ଏମାନଙ୍କୁ ଦେଖି ତାମିଲଭାଷାରେ ପଚାରିଲେ ‘‘ତୁମ୍ଭମାନଙ୍କ ଘର କେଉଁଠାରେ ଏ ଏମାନେ ତାହା ନ ବୁଝି ପାରି ସଂସ୍କୃତରେ ଉତ୍ତର ଦେଲେ ‘‘ଆମ୍ଭେମାନେ ରାଜାଙ୍କର ସାକ୍ଷାତ୍‌ପ୍ରାର୍ଥୀ ।’’ ପ୍ରହରିମାନେ ପୁନଶ୍ଚ ପଚାରିଲେ ‘‘ରାଜାଙ୍କୁ କି ସମ୍ବାଦ ଦେବା ?’’ ସେ କହିଲେ ‘‘ରାଜାଙ୍କୁ ଆରିସିରାମ ଗ୍ରାମରୁ ଗୁରୁ ଆସିଥିବାର ସମ୍ବାଦ ଦିଅ ।’’ ତନ୍ମଧ୍ୟରୁ ଜଣେ ଜଡ଼ବୁଦ୍ଧି ଦୌବାରିକ ଗୁରୁଙ୍କର ସମ୍ପୂର୍ଣ୍ଣ ଉକ୍ତି ନ ବୁଝି ପାରି, କଥାକୁ ଓଲଟାଇ ଦେଇ ରାଜାଙ୍କୁ ଜଣାଇଲା ଛାମୁଙ୍କର ଗୁରୁଗ୍ରାମରୁ (ବୋଲିବାର ବାହୁଲ୍ୟ ରାଜାଙ୍କ ଗୁରୁନାମକ ଗୋଟିଏ ଗ୍ରାମ ଥିଲା) ଚାଉଳ ଆସିଅଛି । ରାଜା ତାହାକୁ ଅମାରରେ ରଖି ଦିଅ ବୋଲି ଆଦେଶ ଦେଲେ । ସେଠାରୁ ପ୍ରହରୀ ବ୍ୟଗ୍ର ହୋଇ ଆସି ଗୁରୁ ଏବଂ ତାହାଙ୍କର ଅନୁଚରମାନଙ୍କୁ ଅମାର ଭିତରେ ଧାନ ଗଦାର ଉପରିଭାଗରେ ବସାଇ ଦ୍ୱାରରେ ତାଲା ବନ୍ଦ କରି ସ୍ୱକାର୍ଯ୍ୟରେ ରତ ହେଲା ।

 

ଗୁରୁ ଅନୁଚରବର୍ଗଙ୍କୁ କହିଲେ ‘‘ଦେଖ, ଏ ଦେଶର କି ସୁନ୍ଦର ରୀତି । ଅତିଥି ହୋଇ ଆସିବାରୁ ସର୍ବୋଚ୍ଚ ଆମ୍ଭମାନଙ୍କୁ ଲକ୍ଷ୍ମୀ ଉପରେ ବସାଇ ତତ୍ପରେ ଆଦର ଅଭ୍ୟନର୍ଥନାଦି କରିବେ । ଏଣେ ବେଳ କ୍ରମଶଃ ଅଧିକ ହେବାକୁ ଲାଗିଲା । ଗୁରୁ ଏକେ କ୍ଷୁଧାର୍ତ୍ତ, ତହିଁରେ ପୁଣି ପଥଶ୍ରାନ୍ତ, ଅତ୍ୟନ୍ତ ଆକୁଳ ହେଲେ । ଅନେକ ସମୟ ଉତ୍ତାରୁ ଯହୁଁ କେହି ଦ୍ୱାରୋନ୍ମୋଚନ ନ କଲେ ଗୁରୁ ଓ ତାହାଙ୍କର ଅନୁଚରବର୍ଗ କୋଳାହଳ କରି ପ୍ରହରିମାନଙ୍କୁ ଆହ୍ୱାନ କରିବାକୁ ଲାଗିଲେ । ସେ କୋଳାହଳ କ୍ରମଶଃ ରାଜକର୍ଣ୍ଣରେ ପ୍ରବିଷ୍ଟ ହେଲା । ରାଜା କୌଣସି ପ୍ରହରୀକି ଡକାଇ ପଚାରିଲେ ‘‘ଆମର ଘରେ କେଉଁ ଲୋକ ଚିତ୍କାର କରୁଅଛି ?’’ ପ୍ରହରୀ କହିଲା ‘‘ଗୁରୁଗ୍ରାମରୁ ଆସିଥିବେ ଚାଉଳ ଚିତ୍କାର କରୁଅଛି ।’’ ପ୍ରଜା ତହୁଁ କୃପିତ ହୋଇ କହିଲେ ‘‘ମୂର୍ଖ, ଚାଉଳ କେବେ କଥା କହିଥାଏ ?’’ ଏହା କହି, ରାଜା ସ୍ୱୟଂ ଅମାରଘରକୁ ଯାଇ ଦେଖିଲେ ଯେ ନିଜ ଗୁରୁ ଓ ତାହାଙ୍କର ଅନୁଚରବର୍ଗ ଧାନ୍ୟ ଉପରେ ଉପବିଷ୍ଟ ! ରାଜା ସେମାନଙ୍କୁ ଅତି ଆଦରରେ ଅବରୋହଣ କରିବାକୁ ଅନୁରୋଧ କରି, ଉକ୍ତ ପ୍ରହରିର ଶାସ୍ତିବିଧାନ କଲେ, ଏବଂ ଗୁରୁଙ୍କଠାରେ ପ୍ରାର୍ଥନା କରି, ପ୍ରହରିମାନେ ସଂସ୍କୃତ ନ ଜାଣି ଥିବାର ଜଣାଇ ତାହାଙ୍କୁ ଆହାରାଦି ପ୍ରଦାନ ଓ ବହୁବିଧ ପୁରସ୍କାର ବିତରଣପୂର୍ବକ ଅଭ୍ୟର୍ଥନା କଲେ । ଗୁରୁ ଏବଂ ତଦୀୟ ଅନୁଚରବର୍ଗ ତାମିଲଭାଷା ଜାଣିଥିଲେ କଦାପି ପ୍ରହରିଙ୍କ କର୍ତ୍ତୃକ ଏପରି ନିର୍ଦ୍ଦୟଭାବରେ ଲାଞ୍ଛିତ ହୋଇ ନ ଥାନ୍ତେ । ସ୍ୱଦେଶୀୟ ଭାଷାନଭିଜ୍ଞତାର ଅପବାଦରୁ ଏଦେଶୀୟ ସଂସ୍କୃତଜ୍ଞ ପଣ୍ଡିତମାନେ ଯେ ସମ୍ପୂର୍ଣ୍ଣ ମୁକ୍ତ ତାହା ନୁହେ ।

 

ଉପଯୁକ୍ତ ସମୟରେ ଆମ୍ଭେମାନେ ଷ୍ଟେସନରେ ଉପସ୍ଥିତ ହେଲୁଁ । ଆଜି ସ୍ନାନ ବନ୍ଦ,–ନିକଟରେ ପାଣି ନାହିଁ । ଆହାର ମଧ୍ୟ ତଦ୍ରୂପ,–ଜଳଖିଆ । କିନ୍ତୁ ଏ ଜଳଖିଆରେ ଟିକିଏ ବିଶେଷତ୍ୱ ଥିଲା, ଶ୍ରାବଣ ମାସରେ ସୁଦ୍ଧା ପ୍ରଚୁର ପରିମାଣରେ ଭଲ ଆମ୍ବ ଏବଂ ସେଓ ଫଳର ମୂଲ୍ୟ କଟକରେ ଟ ୦ । ରୁ କମ ହେବ ନାହିଁ, କିନ୍ତୁ ଏଠାରେ ଏକ ପଇସାରେ ଯୋଡ଼ିଏ ସେଓ ମିଳିଲା ।

 

ଏହି ଷ୍ଟେସନରୁ ବଙ୍ଗୋପସାଗରକୂଳବର୍ତ୍ତୀ ନେଗୋପଟ୍ଟମ୍‌ପର୍ଯ୍ୟନ୍ତ ପୂର୍ବକୁ ଗୋଟିଏ ଶାଖାଲୌହବର୍ତ୍ତୃ ଯାଇଅଛି । ଏହା ପ୍ରେସିଡେନ୍ସିର ଗୋଟିଏ ପ୍ରଧାନ ବାଣିଜ୍ୟସ୍ଥଳୀ,–ପ୍ରାୟ ଏକଶତାବ୍ଦୀ ପୂର୍ବେ ଏହା ଓଲନ୍ଦାଜମାନଙ୍କ ଅଧୀନରେ ଥିଲା । ତାହାର ଚିହ୍ନସ୍ୱରୂପ ଏ ସହରର ପ୍ରଧାନ ରଥ୍ୟାଟି Holland Street ନାମରେ ବର୍ତ୍ତମାନ ସୁଦ୍ଧା କଥିତ ହେଉଅଛି ।

 

ଯଥାସମୟରେ ଟିକଟ କିଣି ଗାଡ଼ୀରେ ବସିଲୁଁ । ଗାଡ଼ୀ ବାୟୁବେଗରେ ଚାଲିଲା । ଅସଂଖ୍ୟ ଗ୍ରାମ ଏବଂ ଜନପଦ ଅତିକ୍ରମ କରି, ଇଂରେଜରାଜତ୍ୱର ସର୍ବପ୍ରଧାନ ସୁବିଧାଜନକ ଯାନ ଅପ୍ରତିହତ ଭାବରେ ପ୍ରଧାବିତ ହେଲା । ଦକ୍ଷିଣାପଥର ଗ୍ରାମକୁଡ଼ିକ ମନରେ ଏକ ଅନନୁଭୂତପୂର୍ବ ଭାବର ସଂଚାର କରାଇ ଦିଏ । ପ୍ରାୟ ସମସ୍ତେ ଗ୍ରାମହିଁ ସୌଧମନ୍ଦିରମଠପୂର୍ଣ୍ଣ । ପବିତ୍ରତାର ଭାବ ପ୍ରତ୍ୟେକ ଗ୍ରାମର ବାହ୍ୟିକ ଶୋଭାରେ ନିହିତ । ପୁଣି ଅନେକ ପର୍ବତ ଏବଂ ରଗଡ଼ିର ଶିରୋ ଦେଶ ଦେଉଳ–କିରୀଟ-ମଣ୍ଡିତ । ମହାନଦୀର ଦ୍ୱୀପଶୈସ୍ଥିତ ଧବଳେଶ୍ୱରଙ୍କ ମନ୍ଦିର, ‘‘ରଣୁପରମଣ୍ଡନା’’ ମୈନାକଦୁର୍ଗାଙ୍କ ମନ୍ଦିର, ଚିଲିକାଧିଷ୍ଠାତା କାଳୀଜାଈଙ୍କ ମନ୍ଦିର, ଖଣ୍ଡଗିରିର ଜୈନମନ୍ଦିର, ଦୟାନଦୀର ଅଦୁରବର୍ତ୍ତୀ ବିଶ୍ୱନାଥପୂର୍ବତଶିଖରସ୍ଥ ମନ୍ଦିର, କଣ୍ଟିଲୋର ଉପକଣ୍ଠସ୍ଥ ନୀଳମାଧବଙ୍କ ମନ୍ଦିର, ନରାଜଶୈଳୋପରି ସିଦ୍ଧନାଥଙ୍କ ମନ୍ଦିର, ଧଉଳୀଶିଖରସ୍ଥ ଗଣେଷଙ୍କ ମନ୍ଦିର, ବାଙ୍କୀ ଅନ୍ତର୍ଗତ ରତାଗଡ଼ର ମନ୍ଦିର, ବୈଦ୍ୟେଶ୍ୱର ନିକଟସ୍ଥ ରାମନାଥଙ୍କ ମନ୍ଦିର, ଏବଂ ଦଶପସାର ବୃଢଙ୍ଗ ନଦୀ ନିକଟସ୍ଥ ଶୈଳଶୃଙ୍ଗସ୍ଥିତ କ୍ଷୁଦ୍ରମନ୍ଦିର ପ୍ରଭୃତିହିଁ ଓଡ଼ିଶାର ଏହି ଶ୍ରେଣୀର କତିପୟ ନିଦର୍ଶନ କିନ୍ତୁ ଦାକ୍ଷିଣାତ୍ୟରେ ଏପରି ଉଦାହରଣ ଶତ ଶତ । ଉତ୍ତରାପଥ ଏ ବିଷୟରେ ଦକ୍ଷିଣାପଥର ପ୍ରତିଦ୍ୱନ୍ଦୀ ହେବାକୁ ସମ୍ପୂର୍ଣ୍ଣ ଅକ୍ଷମ ।

 

ଦୁଇ ଘଣ୍ଟା ମଧ୍ୟରେ ଅର୍ଥାତ୍‌୧୨ଟା ବାଜି ୩୫ ମିନିଟରେ ଗାଡ଼ୀ ତ୍ରିଚିନାପଲୀ ଜଂସନରେ ଉପସ୍ଥିତ ହେଲା । ଏହି ସହରର ପ୍ରାଚୀନ ନାମ ତ୍ରିଶିରପଲ୍ଲୀ ଥିଲା ବୋଲି କେହି କେହି ଅନୁମାନ କରନ୍ତି ରାମାୟଣ–ପ୍ରସିଦ୍ଧ ଖର ଦୁଷଣ ତ୍ରିଶିରାଙ୍କର ଛାଉଣି ସମ୍ଭବତଃ ଏହି ଅଞ୍ଚଳରେ ଥିଲା । ସହର ଷ୍ଟେସନରୁ ପ୍ରାୟ ୩ ମାଇଲ ବ୍ୟବଧାନରେ, ସୁତରାଂ ଫେରିବା ବେଳେ ଦିଦୃକ୍ଷା ପୂର୍ଣ୍ଣ କରି ପାରିବ ଭାବ ଏକପ୍ରକାର ନିଶ୍ଚିତ ରହିଲି । ଏହି ଜିଲ୍ଲାର ପରିମାଣଫଳ ୩୬୩୧ ବର୍ଗମାଇଲ, ଲୋକସଂଖ୍ୟା ୧୩୭୨୭୧୭, ଏବଂ ଗ୍ରାମସଂଖ୍ୟା ୧୬୩୪ ।

 

ଷ୍ଟେସନଟି ଏହି ରେଲଓଏ କୋମ୍ପାନିଙ୍କ ସଦର ମହକୁମା । କୋମ୍ପୋନିଙ୍କ ନାନାବିଧ ଅଫିସଗୃହର ଉପରିଭାଗରେ ଲୌହନିର୍ମିତ ହସ୍ତିର ପ୍ରତିମୂର୍ତ୍ତି । ହସ୍ତିର ମୂର୍ତ୍ତି ଏହି କୋମ୍ପାନିଙ୍କ ବ୍ୟବସାୟ ବିହି (Trade mark) ଏହିଠାରୁ ଗୋଟିଏ ଶାଖାଲାଇନ ଉତ୍ତରପଶ୍ଚିମକୁ ଯାଇ ମାନ୍ଦ୍ରାଜ ରେଲଓଏର ଇରୋଡ ଜଙ୍କସନ୍‌ସଙ୍ଗେ ମିଳିତ ହୋଇଅଛି । ଏହି ବାଟେ କୋଇମ୍ବାଟୁର, ମେଟେପଲିୟମ୍‌ପ୍ରଭୃତି ନୀତିଗିରିର ପ୍ରସିଦ୍ଧ ପ୍ରସିଦ୍ଧ ସ୍ୱାସ୍ଥ୍ୟନିବାସକୁ ଯିବାକୁ ପଡ଼େ ।

 

ଏ ଷ୍ଟେସନରେ ଗାଡ଼ୀ ୩୫ ମିନିଟ ବିଶ୍ରାମ କଲା । ଆମ୍ଭେମାନେ ଏହି ସମୟ ଆମ୍ବ ଏବଂ ସେଓ ଫଳାହାରରେ କଟାଇ ଦେଉଁ । ୧୨ ଟା ବାଜି ୧୦ ମିନିଟରେ ଗାଡ଼ୀ ବାହାରିଲା ।

 

ଏହିଠାରୁ ସହସ୍ର ସହସ୍ର ଅଭ୍ରଭେଦି ଗିରିଶୃଙ୍ଗର ଭୀମକାନ୍ତ ଦୃଶ୍ୟ ! ସ୍ନିଗ୍ଧ ନୀଳ-ମେଘମାଳାମଣ୍ଡିତ ଅସଂଖ୍ୟ ଗିରିରାଜି ରେଲଓଏର ପଶ୍ଚିମପ୍ରଦେଶରେ ଶତ ଶତ ମାଇଲ ବ୍ୟାପି ରହିଅଛି ! ପ୍ରଥମେ କ୍ଷୁଦ୍ର କ୍ଷୁଦ୍ର ଶୈ,, ପଶ୍ଚାତଭାଗରେ ଅଗଣ୍ୟ ଗିରିରାଜି, ଗୋଟିକ ପରେ ଗୋଟିଏ ବୀଚିମାଳାବତ୍‌ନୀଳଗିରି ଏବଂ ପଶ୍ଚିମଘାଟ ପର୍ବତଶ୍ରେଣୀରେ ପରିଣତି ଲଭିଅଛି ।

 

କ୍ରମଶଃ ପର୍ବତଗୁଡ଼ିକ ନିକଟରୁ ନିକଟତର ହେଲ । ଦୁଇ ଘଣ୍ଟା ମଧ୍ୟରେ ଆମ୍ଭେମାନେ ୪୨ ମାଇଲ ଯାଇ ଆୟାଲରୁ ନାମକ ସ୍ଥାନ ରେ ଉପସ୍ଥିତ ହେଲୁଁ । ହଠାତ୍‌ଚାହିଁ ଦେଖିଲି, ଲାଇନର ଏକ ପାଶ୍ୱରେ 1090 FT.–LEVEL ଲେଖା ରହିଅଛି । ଆମ୍ଭେମାନେ ଏତେ ଉରପକୁ ଉଠିଅଛୁଁ ! ପର୍ବତ ଉପରେ ରାସ୍ତା ପ୍ରସ୍ତୁତ ହୋଇଅଛି ।

 

୧୬ ମାଇଲ ପରେ ଡିଣ୍ଡିଗୁଲ ସହର । ଏ ସହରଟି ୯୦୦ ଫୁଟ ଉର୍ଦ୍ଧ୍ୱରେ ଅବସ୍ଥିତ, ସୁତରାଂ ଏଠାରେ ଗ୍ରୀଷ୍ମକାଳରେ ରାଗିଗୁଡ଼ିକ ମଧ୍ୟ ଶୀତଳ ବୋଦ ହୋଇଥାଏ । ଏହାର ଲୋକସଂଖ୍ୟା ୪୦୦୦୦ ଏବଂ ଏହାର ଦୁର୍ଗଟି ୧୦୫୦ ଫୁଟ ଉପରେ ସୁଦୃଢରୂପେ ନିର୍ମିତ ହୋଇ ଥିବାରୁ ବହୁଦୂରରୁ ଦୃଷ୍ଟ ହୁଏ । ଗହରଟି ଧୂଆଁ ପତ୍ର ସକାଶେ ମାନ୍ଦ୍ରାଜ ପ୍ରେସିଡେନ୍ସିରେ ବିଖ୍ୟାତ ।

 

ଏହି ସ୍ଥାନରୁ ପୂର୍ବ ପଶ୍ଚିମଦିଗବ୍ୟାପୀ ବିଶାଳ ପର୍ବତଶ୍ରେଣୀ ଲକ୍ଷିତ ହେଲା । ପଶ୍ଚିମଦିଗରେ ନୀଳଗିରି ଓ ପାଲୁନି, ଏବଂ ପୂର୍ବ ଦିଗରେ ମରୁମାଳୟ ପର୍ବତ ବିସ୍ତୃତ । ନୀଳଗିରି ପର୍ବତଶ୍ରେଣୀ ତହୁଦୂରରେ ଥିବାରୁ ସାନ୍ଧ୍ୟକାଶରେ ଘନମେଘପୁଞ୍ଜବତୁ ପ୍ରତୀୟମାନ ହେଲା; କିନ୍ତୁ ପାଲୁହ ଏବଂ ସିୁତ୍ତୁମାଳୟ ରେଲଓଏର ନିକଟବର୍ତ୍ତୀ, ସୁତରାଂ ଏପରି ବୃହତ୍‌ବୃହତ୍‌ଗିରିଶୃଙ୍ଗର ଗଭୀର ଦୃଶ୍ୟ ଚିତ୍ତପଟରେ ଯେଉଁ ଛବି ଅଙ୍କିତ କରି ଦେଲା, ତାହା ମୋହର ସ୍ମୃତିର ଚିରସମ୍ପତ୍ତି ହୋଇ ରହିବ । ଜୀବନରେ ଏଡ଼େ ଉଚ୍ଚ ପର୍ବତ ଆଜି ଦେଖିଲି, ପାଲୁନି ପର୍ବତଶୃଙ୍ଗର ସ୍ଥାନେ ସ୍ଥାନେ ଉଚ୍ଚତା ୮୦୦୦ । ୯୦୦୦ ଫୁଟ୍‌, ନୀଳଗିରିର ଉଚ୍ଚତା ମଧ୍ୟ ଏହିପରି । ଦାକ୍ଷିଣ୍ୟତର ଦକ୍ଷିଣତମ କୋଟୀରୁ ଅର୍ଯ୍ୟାବତ୍ତର ସୀମାନ୍ତରେଖା ପର୍ଯ୍ୟନ୍ତ ଏପରି ଉଚ୍ଚପଦ୍ଧତି ଆଦୌ ଲକ୍ଷିତ ହୁଏ ନାହିଁ, ଉତ୍କଳର ସାମାନ୍ୟ ପଙ୍କଜରାଜି, ତୁଳନାରେତ ବଲ୍ମୀକ ମାତ୍ର । ସମ୍ମାନସ୍ପଦ ଉତ୍କଳବାସିଗଣ ! ଆପଣମାନଙ୍କ ମଧୁର ସହବାସସୁଖରୁ ବଞ୍ଚିତ ହୋଇ ନିଜ ପ୍ରିୟତମ ସ୍ଥାନରୁ ପ୍ରାୟ ୧୪୦୦ ମାଇଲ କେତେ କଷ୍ଟ ସହ୍ୟ କରି ଚାଲି ଆସିଅଛି, ପ୍ରିୟତମ ଓଡ଼ିଆଭାଷାରେ କଥୋପକଥନର ଆଶା ଏହି କେତେକ ଦିବସ ବିସର୍ଜନ ଦେଇଅଛି, ତଥାଚ ଏହି ପ୍ରାକୃତିକ ଦୃଶ୍ୟରେ ବର୍ତ୍ତମାନ ପ୍ରାଣ ମିଶିଗଲା,-ପାଲ୍‌ନି, ନୀଳଗିରି ପ୍ରଭୃତି ପଙ୍ଗତ ଶ୍ରେଣୀରୁ ଚକ୍ଷୁ ପଲକ ସକାଶେ ବିଚଳିତ ହେଉ ନାହିଁ । ‘‘ସତ୍ତା ଗଲା ସେହି ମହାଭାବେ ବୁଡ଼ି’’ ଏତେ ଦିନଯାଏ ଏ ପଙ୍‌କ୍ତିର କେବଳ ଆକ୍ଷରିକ ଅର୍ଥ ବୁଝିଥିଲି; ବର୍ତ୍ତମାନ ଏହାର ଯାଥାର୍ଥ୍ୟ ଅନୁଭବ କରୁଅଛି । ମପଣମାନେ ଗୃହର ଏକକୋଣରେ ବସି କେବଳ ଗୃହସୁଖ ସମ୍ଭୋଗରେ ବ୍ୟସ୍ତ ଥିବେ କି ? ଏହା ନିଶ୍ଚୟ ଜାଣି ଥାଆନ୍ତ ଯେ ପ୍ରକୃତିଦେବୀଙ୍କ ଉଦାରତମ ସୌନ୍ଦର୍ଯ୍ୟ ଦର୍ଶନରେ ହୃଦୟ ଯେପରି ପ୍ରଶସ୍ତ ଏବଂ ପବିତ୍ର ହୁଏ, ଏବଂ ସୌନ୍ଦର୍ଯ୍ୟ ଅନୁଭୂତିର ସମକାଳୀନ ହଠାତ୍‌ଯେପରି ସେହି ଅଖଣ୍ଡଶୋଭାଧାରା ବିଶ୍ୱପତିଙ୍କୁ ସ୍ମରଣ କରି ପ୍ରୀତିରସରେ ଅଭିଷିକ୍ତ ହୁଏ, ପୃଥିବୀରେ ବୋଧ ହୁଏ ଅନ୍ୟ କୌଣସି ପଦାର୍ଥ ନାହିଁ, ଯାହା ଏ ନିର୍ମ୍ମଳ ସୁଖରାଶିର କଣିକା ମାତ୍ର ପ୍ରଦାନ କରି ପାରିବ । ଆପଣମାନଙ୍କ ମଧ୍ୟରେ ଧନିର ଅଭାବ ନାହିଁ, ଇଚ୍ଛା ହେଲେ ଏ ସୁଖ ଆପଣମାନଙ୍କର କରାୟତ୍ତ । ଥରେ ଏ ଅଞ୍ଚଳକୁ ଆସି ଏହି ଗିରିସମୂହର ଅପୂଙ୍କ ଶୋଭା ଦେଖି ଯାଆନ୍ତୁ, ଥରେ ପ୍ରକୃତି କ୍ରୋନରେ ବସି ବିଶ୍ୱନାଥଙ୍କ ଅସୀମ ମହିମା ଚିନ୍ତା କରନ୍ତୁ । ମୁ ସାହାସ ପୂର୍ବକ କହି ପାରେଁ ଆପଣମାନେ ଶ୍ରମ ଏଂ ବ୍ୟୟ ସାର୍ଥକ ମଣିବେ । ଦାକ୍ଷିଣାତ୍ୟ ବାସ୍ତବିକ ଦର୍ଶନୀୟ । ଆର୍ଯ୍ୟାବର୍ତ୍ତଠାରୁ ଦାକ୍ଷିଣାତ୍ୟ ଏହି ଗୁଣରେ ଉତ୍କୃଷ୍ଟ । ଉତ୍ତରାଖଣ୍ଡଙ୍କୁ ଛାଡ଼ିଦେଲେ ଆପତ୍ୟାବର୍ତ୍ତ ପ୍ରାୟଶଃ ସହରର କୃତ୍ରିମତାରେ ପରିପୁର୍ଣ୍ଣ, କିନ୍ତୁ ଦାକ୍ଷିଣାତ୍ୟରେ ପ୍ରକୃତିକ ଏବଂ କୃତିମ ଉଭୟବିଧ ସୌନ୍ଦର୍ଯ୍ୟର ପୂର୍ଣ୍ଣ ସମାବେଶ । ଦାକ୍ଷିଣାତ୍ୟରେ ଗୋଟିଏ ଗୋଟିଏ ହିନ୍ଦୁମନ୍ଦିରର ଭାସ୍କର୍ଯ୍ୟ ଭାରତବର୍ଷ ମଧ୍ୟରେ ଅତୁଳନୀୟ । ପ୍ରକୃତିକ ଶୋଭା ସମ୍ବନ୍ଧରେ ଅଧିକ ବାଗ୍ବ୍ୟୟ ଅନାବଶ୍ୟକ ଏଭଳି ଯାବତୀୟ ଦୃଶ୍ୟ ନିତାନ୍ତ ହୃଦୟହୀନ ବ୍ୟକ୍ତିକୁ ସୁଦ୍ଧା ସହୃଦୟ କରାଇ ପାରେ । ଅକବିକୁ କବି ନ କରାଉ, ଅନ୍ତତଃ ମୂକକବି କରାଇପାରେ ।

 

ପାର୍ବତ୍ୟଦେଶରେ ରମଣୀୟତା ଏବଂ ଶାନ୍ତିପୂର୍ଣ୍ଣ ନିର୍ଜ୍ଜନତା ଧର୍ମ୍ମଚିନ୍ତା ପକ୍ଷରେ ଏକାନ୍ତ ଉପଯୋଗୀ । ଭରତବର୍ଷର ପୂର୍ବତନ ତପସ୍ୱିମାନେ ପର୍ବତକନ୍ଦରରେ ବସି ତପସ୍ୟା କପରୁଥିଲେ, ଲୋକାଳୟ ଏବଂ ସଂସାରଚିସନ୍ତା ବ୍ୟସ୍ତତାରୁ ଅପସୃତ ହୋଇ ଦୂରନିଭୃତ ଗୁହାରେ ସେମାନେ ଜୀବନବ୍ୟାପି ଧର୍ମ୍ମଚିନ୍ତାରେ ରତ ଥିଲେ । ପ୍ରକୃତିର ଗାମ୍ଭୀର୍ଯ୍ୟ ମଧ୍ୟରେ ଏକାକୀ ଆମ୍ଭମଗ୍ନ ହୋଇ ସମୟ ଯାପନ କରି ପାରିଲେ ଧର୍ମଜୀବନର ଯେ ଉନ୍ନତି ହୁଏ, ଏଥିରେ ସନ୍ଦେହ ନାହିଁ । ଏକାକୀ ଅସହାୟ ଅବସ୍ଥାରେ ନିଜ ଆଡ଼କୁ ଦୃଷ୍ଟି ନ ପଡ଼ିଲେ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରକୃତ ଅଭାବ ହୃଦୟଙ୍ଗମ କରି ନ ପାରୁଁ । ଜନକୋଳାହଳ ମଧ୍ୟରେ ଆତ୍ମଚିନ୍ତା ଉଦ୍ଦୀପିତ ହେଲେ ମଧ୍ୟ କ୍ଷଣସ୍ଥାୟୀ ହୋଇଥାଏ । ଆମ୍ଭେମାନେ ଧନ, ଜନ, ମାନ, ସମ୍ଭାମରେ ପରିବେଣ୍ଟିତ ହୋଇ ଦୈନିକ ଜୀବନର କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ କରୁ କରୁ କେବେ ହେଁ ନିଜକୁ ସମ୍ପୂର୍ଣ୍ଣ ଅସହାୟ ମଣୁଁ ନାହିଁ । ଏକାକୀ ଏହି ସଂସାରକୁ ଆସି, ଏକାକୀ ଚାଲି ଯିବାକୁ ହେବ ।’’ ଏ କଥା ସାମାଜିକ ଆଚାର ବ୍ୟବହାର ମଧ୍ୟରେ ଥାଇ ଭଲରୂପେ ବୁଝି ହୁଏ ନାହିଁ । ସଂସାରାଶ୍ରମରେ ‘‘ମୋହର’’ କହିବାର ଅନେକ ପଦାର୍ଥ ଥାଏ, ଆତ୍ମୀୟ ସ୍ୱଜନ, ଗୃହ, ପରିବାର, ସମ୍ପଦ, ସମ୍ମାନ ପ୍ରଭୃତିରେ ସମ୍ୟକ୍‌ପରିବୃତ ହୋଇ ଆମ୍ଭେମାନେ ଯେ ‘‘ଏକାକୀ’’ ଏ କଥା କିଏ ବିଶ୍ୱାସ କରିପାରେ ? ଈଶ୍ୱରମାୟାରେ ଏହିରୂପେ ଜଡ଼ିତ ହୋଇ ଆମ୍ଭେମାନେ ନିଶ୍ଚିନ୍ତ ଥାଉଁ । ପରମତତ୍ତ୍ୱପ୍ରତି ପ୍ରାୟ ଦୃଷ୍ଟି ଆକୃଷ୍ଟ ହୁଏ ନାହିଁ, ହେଲେ ସୁଦ୍ଧା ତାହା ତଡ଼ିଦୁନ୍ମେଷବତ୍ୱ କ୍ଷଣସ୍ଥାୟୀ ହୁଏ । ନିର୍ମ୍ମମ ମୃତ୍ୟୁ ସମୟ ସମୟରେ ଆସି ଆମ୍ଭମାନଙ୍କ ମୋହ ଭାଙ୍ଗି ଦିଏ ସତୃ, କିନ୍ତୁ ଅବସ୍ଥାବଶରୁ ଆମ୍ଭେମାନେ ପୁଣି ସେହି ମୋହନିଦ୍ରାରେ ଅଭିଭୁତ ହୋଇ ପଡ଼ୁଁ ।

 

ଦେଖୁଁଦେଖୁଁ ଗାଡ଼ୀ ଆମ୍ମାୟାନାକାନୂର ଷ୍ଟେସନରେ ଉପସ୍ଥିତ ହେଲା । ଏହିଠାରୁ ଯାତ୍ରିମାନେ ପାଲ୍‌ନି ପର୍ବତ ଦେଖିବାକୁ ଯାଆନ୍ତି । ପାଲ୍‌ନି ପର୍ବତଶ୍ରେଣୀର ଗୋଟିଏ ଅତ୍ୟୁଚ୍ଚ ଶୃଙ୍ଗ ଏଠାରୁ ଅତି ନିକଟ, ପ୍ରାୟ ୬ ମାଇଲ ହେବ । ଏହି ଶୃଙ୍ଗର ଉଚ୍ଚତା ୭୦୦୦ ହଜାର ଫୁଟ । ଷ୍ଟେସନ ନିକଟରୁ ଏହି ମେଘମୁଦୁଲିର ଅଭ୍ରଭେଦୀ କୋଡ଼କାନଲ୍‌ନାମକ ଶୃଙ୍ଗର ଦୃଶ୍ୟ କେଡ଼େ ଚମତ୍କାରଜନକ ! ଏହି ଶୃଙ୍ଗଶିଖରରେ ଗୋଟିଏ ସ୍ୱାସ୍ଥ୍ୟନିବାସ ସ୍ଥାପିତ ହୋଇଅଛି । ପ୍ରତିବର୍ଷ ଅସଂଖ୍ୟ ସ୍ୱାସ୍ଥ୍ୟଯାତ୍ରୀଙ୍କର ଏଠାରେ ସମାଗମ ହୁଏ । ପର୍ବତମୂଳରୁ ଶିଖରାଗ୍ର ପର୍ଯ୍ୟନ୍ତ ଉଠିବାକୁ ହେଲେ ୧୨ ମାଇଲ ପଡ଼େ, ଏବଂ ମାର୍ଗ ମଧ୍ୟ ଅତି ଦୁର୍ଗମ ।

 

କୋଡ଼କାନଲର ନୟନାନନ୍ଦଦାୟୀ ନୈସର୍ଗିକ ଶୋଭା ସୌନ୍ଦର୍ଯ୍ୟର କ୍ରୋଡ଼ାରେ କ୍ରୀଡ଼ା କରୁଁ କରୁଁ ହୃଦୟ ଏକ ଅନିର୍ବାଚନୀୟ ପ୍ରଫୁଲ୍ଲଭାବରେ ପରିପୂରିତ ହେଲା । ମୋହର ଅନ୍ତରତମ ପ୍ରଦେଶରୁ ଯେପରି ପାଷାଣାବରଣ ଉନ୍ମୁକ୍ତ ହୋଇ ଭାବ-ପ୍ରସବଣ ପ୍ରବାହିତ ହେଲା । ପର୍ବତର ବିରାଟ ଛବି ଦେକି କଳ୍ପନା ଅପାର୍ଥିବ ବିଷୟର ତତ୍ତ୍ୱ ଚିତ୍ରିତ କରୁଥିଲା । ମନେ ହେଲା ଏହିପରି ନିଭୃତ ନିଳୟରେ ପ୍ରକୃତି-ସହାନୁଭୂତି-ମଗ୍ନ ହୋଇ ଜୀବନ ଏକ ଅବିଚ୍ଛିନ୍ନ ସୁଖ-ସ୍ୱପ୍ନରେ ବହିଗଲେ ମଙ୍ଗଳ ।

 

ଏଡ଼େ ବଡ଼ ପର୍ବତ, ଚିରକାଳ ଅଚଳ, ଅଟଳଭାବରେ ଦଣ୍ଡାୟମାନ;-ପରିବର୍ତ୍ତନଶୀଳ ଚାତୁର ଆକ୍ରମଣ ଉପେକ୍ଷା କରି ସଗର୍ବରେ କ୍ଷିତି ଉପରେ ଭଗ୍ନ ଦେଇ ଆକାଶ ଆଡ଼କୁ ମସ୍ତକୋତ୍ତୋଳନପୂର୍ବକ ରହିଅଛି । ଯେପରି ମହାଯୋଗୀ ମହାଯୋଗରେ ନିମଗ୍ନ ! କେତେ ଯୁଗ ଯୁଗାନ୍ତ, ଅଗଣିତ ପରିବର୍ତ୍ତନରାଶି ବହି ଚାଲି ଯାଉଅଛି, କିନ୍ତୁ ଭୁଧରର ତପସ୍ୟା ଶେଷ ନାହିଁ, ଏହାର ନୀରବତା ମଧ୍ୟ ବାବଦୂକ । ନୀରବ ହୋଇ ସୁଦ୍ଧା ଭ୍ରାନ୍ତିଶୀଳ ମାନବକୁ ପର୍ବତ, ସହିଷ୍ଣୁତା, ଏବଂ ଏକାନ୍ତତ ଭାବ ଶିକ୍ଷା ଦେଉଅଛି । ସ୍ୱୟଂ ଦୃଢ଼ବିଶ୍ୱାସର ଭୂମିରେ ଦଣ୍ଡାୟମାନ ହେଲେ ମନୁଷ୍ର ଏହିପରି ଚିନ୍ତାଶୀଳ, ଅଚଞ୍ଚଳ, ଏବଂ ଯୋଗନିଷ୍ଠ ହୋଇଥାଏ । ପର୍ବତସ୍ଥ ତରୁ ଲତା, ଏବଂ ନିବିଡ଼ ଅରଣ୍ୟ ଯେପରି ଲୋମ ଏବଂ ଜଟା; ପ୍ରସ୍ରବଣ ଏବଂ ନିର୍ଝର ପ୍ରଭୃତି ଯେପରି ଉତ୍‌ସାରିତ ଅଶ୍ରୁମାଳାର; ଅନନ୍ତଙ୍କ ମହିମା ଧ୍ୟାନ କରୁଁ କରୁଁ ଯୋଗୀ ପର୍ବତ ବାଲ୍ମୀକିବତ୍‌ଅଚଳ ହୋଇ ଯାଇଅଛି ।

 

ସନ୍ଧ୍ୟା ଘ ୭ଟିକା ସମୟରେ ଆମ୍ଭେମାନେ ମଦୁରା ଷ୍ଟେସନରେ ପହଁଚି ଗାଡ଼ୀରୁ ଅବତରଣ କଲୁଁ । ମଦୁରା ଭାରତବର୍ଷର ଗୋଟିଏ ବୃହତ୍‌ପ୍ରାଚୀନ ନଗର,-ସୁତରାଂ ଷ୍ଟେସନ୍‌ଟି ତଦନୁଯାୟୀ ନିର୍ମ୍ମିତ ଆଲୋକମାଳାରେ ସୁଶୋଭିତ ହୋଇ ଷ୍ଟେସନ ଅପୂର୍ବ ଶ୍ରୀ ଧାରଣ କରିଥିଲା, ଏବଂ ଜନକୋଳାହଳ ଦେଖି ମନେ ହେଲା ଯେପରି କୌଣସି ବିଶେଷ ଉତ୍ସବର ଅନୁଷ୍ଠାନରେ ସମସ୍ତେ ବ୍ୟସ୍ତ !

 

ଷ୍ଟେସନରେ ପ୍ରବେଶ କଲା ମାତ୍ରେ ସ୍ୱୟଂ ଷ୍ଟେସନମାଷ୍ଟର ଆମ୍ଭମାନଙ୍କର ଅଭ୍ୟର୍ଥନା କଲେ । ପୂର୍ବରୁ ଏହାଙ୍କ ନିକଟକୁ ଟେଲିଗ୍ରାମ ହୋଇଥିଲା, ସୁତରାଂ ଏ ମହୋଦୟ ପ୍ରସ୍ତୁତ ଥିଲେ । ମୋହର ଆଗାମୀ କାଲି ପ୍ରତ୍ୟୁଷରେ ଏଠାରୁ ବାହାରି ଯିବାର କଥା ଏବଂ ଫେରି ଆସିବା ସମୟରେ ସହର ପରିଦର୍ଶନ କରିବି, ଏହି ଅଭିପ୍ରାୟ ତାହାଙ୍କ ନିକଟରେ ବ୍ୟକ୍ତ କରିବାରୁ, ସେ ଆମ୍ଭମାନଙ୍କୁ ‘‘Gentlemens' Waiting room''(ଭଦ୍ରଲୋକଙ୍କର ବିଶ୍ରାମାଗାର) ରେ ଆଶ୍ରୟ ଦେଲେ, ଏବଂ ନିକଟରେ ପାନୀୟ ଜଳର ଅଭାବ ବୋଲି, ଦୁଇଜଣ ରେଲଓଏ କର୍ମ୍ମଚାରିଙ୍କୁ ବିଶୁଦ୍ଧ ଜଳ ସରବରାହ ଏବଂ ପ୍ରୟୋଜନୀୟ ପଦାର୍ଥଗୁଡ଼ିକ ବଜାରରୁ କ୍ରୟ କରି ଆଣିବା ସକାଶେ ଆଦେଶ ଦେଲେ ।

 

''Gentlemens' Waiting room'' କୁ ଆସିଲି । ଏ ଘରକୁ ଆସିବା ମୋହର ଅବଶ୍ୟ ଯୁକ୍ତିସଙ୍ଗତ ହୋଇ ନାହିଁ, ଏବଂ, ଷ୍ଟସନମାଷ୍ଟରଙ୍କ ଆଦେଶ ମଧ୍ୟ ଅତୀତ ଅନ୍ୟାୟ ହୋଇଅଛି, ଯେହେତୁରୁ ରେଲଓର କୋମ୍ପାନିଙ୍କ ଅଭିନିଙ୍କ ଅଭିଧାନରେ ‘‘ଭଦ୍ରଲୋକ’’ ଅର୍ଥ ଇଉରୋପୀୟ । ନେଟିଭ୍‌ଭଦ୍ର ହେଲେ ମଧ୍ୟ କୋମ୍ପାନିଙ୍କ ଚକ୍ଷୁରେ ଭଦ୍ରୋତର । ଇଉରୋପୀୟ ସହିତ ନୋଟିଭର ଏକା ରେଲଓର ଗାଡ଼ୀରେ କିମ୍ୱା ଏକା ବିଶ୍ରାମଘରେ ଉପବେଶନ ଏବଂ ଏକ ସ୍ଥାନରେ ଲଘୁକ୍ରିୟା ସମ୍ପାଦନ ନିଷିଦ୍ଧ । ରେଲଓଏର ତୃତୀୟ ଶ୍ରେଣୀ ଗାଡ଼ୀରେ ''For Europeans Only'' ନାମରେ ସ୍ୱତନ୍ତ୍ର ଗାଡ଼ୀ ଅଛି, ଏବଂ ''Gentlemen'' ଆଖ୍ୟା ଧାରଣ କରିଥିବା ପାଇଖାନାରେ ନେଟିଲର ପ୍ରବେଶ ଦଣ୍ଡନୀୟ । ଇଉରୋପୀୟମାଙ୍କ ନିକଟରେ ନେଟିରର ପର୍ବତ ଏହି ଦଶା । ନେଟିଭ ନିଜର ସର୍ବନାଶ ନିଜେ କରିଅଛି, ମଧ୍ୟ କରୁଅଛି, ନିଜର ଲାଞ୍ଛନା ନିଜେ ଆମନ୍ତ୍ରଣ କରି ଆଣିଅଛି । ପରକୁ ଦୋଷ ଦେଇ ଫଳ କଅଣ ? ଏକତାମନ୍ତ୍ରରେ ଦୀକ୍ଷିତ ନ ହେବା ପର୍ଯ୍ୟନ୍ତ ନେଟିଭର ଏ ଦଶା ଅପରିହାର୍ଯ୍ୟ । ଏ ରୋଗର ଅନ୍ୟ ଔଷଧ ନାହିଁ ।

 

ଷ୍ଟେସନମାଷ୍ଟର ମହୋଦୟ ଘରଭିତରକୁ ଆସି ମୋହ ସହିତ ନାନାପ୍ରକାର କଥାବାର୍ତ୍ତା କଲେ । ଏ ମହୋଦୟଙ୍କ ନାମ ଶ୍ରୀଯୁକ୍ତ ସୌନ୍ଦରାଜୁ ଅଇଓଙ୍ଗାର । ସର୍ବଦା ସହାସ୍ୟମୂର୍ତ୍ତି, ବୟସ ପ୍ରାୟ ୫୦ ହେବ । ଆଜି ରାତ୍ରିରେ ଅତି ପ୍ରତ୍ୟୁଷରେ ଟ୍ରେନ ବାହାରି ଯିବ, ସୁତରାଂ ରାତ୍ରିରେ ସାବଧାନ ଥିବାକୁ ମୋତେ ଉପଦେଶ ଦେଲେ । ମଦୁରାର ଦର୍ଶନୀୟ ବିଷୟ ସମ୍ୱନ୍ଧରେ ଅନେକ ପ୍ରସଙ୍ଗ ହେଲା । ଅତଃପର ରାତ୍ରି ଅଧିକ ହେବାରୁ ସେ ବିଦାୟ ଗ୍ରହଣ କରି ସ୍ୱସ୍ଥାନକୁ ପ୍ରସ୍ଥାନ କଲେ ।

 

ଆଜି ଆମ୍ଭମାନଙ୍କ ପ୍ରାତଃକାଳୀନ ଆହାର ହୋଇ ନାହିଁ । ରାତ୍ରିରେ ମଦ୍ର ସୁବିଧା ନ ହେବାରୁ ପାକ ହୋଇ ପାରିଲା ନାହିଁ । ଅଖାଦ୍ୟ ଜଳଖିଆଗୁଡ଼ାକ ଅଗତ୍ୟା ଉଦରସାତ୍‌କରିବାକୁ ହେଲା । ଆମ୍ଭମାନେ ସର୍ବଦା ଅନ୍ନୋପାସକ, ସୁତରାଂ ସୁସ୍ଥଶରୀରରେ କ୍ରମାଗତ ବହୁକ୍ଷଣ ଅନ୍ନର ସାକ୍ଷାତ୍‌ନ ପାଇ ଅତ୍ୟନ୍ତ ଯାତନା ଅନୁଭବ କଲୁଁ ।

 

୧୧-୮-୯୫ ରବିବାର-ପ୍ରତ୍ୟୁଷ ୪ଟା ବାଜି ୫୦ ମିନିଟରେ ଆମ୍ଭେମାନେ ଗାଡ଼ୀ ଆରୋହଣ କରି, ମଦୁରା ଜିଲ୍ଲା ମଧ୍ୟରେ ଅଗ୍ରସର ହେଲୁଁ । ଏ ଜିଲ୍ଲାଟି ଆକୃତିରେ ମାନ୍ଦ୍ରାଜ ପ୍ରେସିଡେନ୍ସି ମଧ୍ୟରେ ଦ୍ୱିତୀୟ ସ୍ଥାନୀୟ । ପରିମାଣଫଳ ୮୮୦୮ ବର୍ଗମାଇଲ, ଲୋକସଂଖ୍ୟା ୨୬୦୮-୪୦୪ ଏବଂ ଗ୍ରାମସଂଖ୍ୟା ୫୬୦୫ । ଏହି ଜିଲ୍ଲାରେ ଯୋଡ଼ିଏ ପ୍ରଧାନ ରାଜ୍ୟ ଅଛି,-ରାମନଦ ଏବଂ ଶିବଗଙ୍ଗା । ରାମନଦ ରାଜ୍ୟଟି ସେତୁବନ୍ଧ ରାମେଶ୍ୱର ଧାରଣ କରିଥିବାରୁ ରାଜାଙ୍କ ଉପାଧି ‘‘ସେତୁପତି’’ ହୋଇଅଛି,-ଏହାଙ୍କ ମୟ ପ୍ରାୟ ୧୦ ଲକ୍ଷ ଟଙ୍କା । ଅପର ଶିବଗଙ୍ଗା ରାଜ୍ୟର ଆୟ ୬ ଲକ୍ଷ୍ୟ ଟଙ୍କା ।

 

୪ ମାଇଲ ଉତ୍ତାରୁ ଟିରୁପୁରନ କୁଣ୍ଡ୍ରାମ୍‌ଷ୍ଟସନ୍‌ପଡ଼ିଲା । ଷ୍ଟେସନର ଅତି ନିକଟବର୍ତ୍ତୀ ବୃକ୍ଷଶୂନ୍ୟ ଗୋଟିଏ ଉଚ୍ଚ ପାହାଡ଼,–ଏହାର ନାମ ସେକାନ୍ଥମଲାଇ । ଏହାର ଶିଖରଦେଶ ଏବଂ ନିମ୍ନଭାଗରେ ଯୋଡ଼ିଏ ସୁନ୍ଦର ଭାସ୍କର୍ଯ୍ୟବିଶିଷ୍ଟ ପ୍ରାଚୀନ ମନ୍ଦିର ଦୃଷ୍ଟ ହେଲା ।

 

କ୍ରମଶଃ ଗାଡ଼ୀ କ୍ରୋଶ କ୍ରୋଶ ବ୍ୟାପୀ ସୁବିସ୍ତୀର୍ଣ୍ଣ ପ୍ରାନ୍ତର ମଧ୍ୟରେ ଧାବିତ ହେଲା । ପଶ୍ଚିମରେ ଦୂରସ୍ଥିତ ବିଶାଳ ପର୍ବତଶ୍ରେଣୀର ଅବିରାମ ସମାବେଶ,-ସତେ ଯେମନ୍ତ ଏଗୁଡ଼ିକର ଶେଷ ନାହିଁ ।

 

ଆମ୍ଭେମାନେ ଯେଉଁ ଗାଡ଼ୀରେ ଥିଲୁଁ, ସେହି ଗାଡ଼ୀରେ କେତେ ଗୁଡ଼ିଏ ବିଖ୍ୟାତ ଦସ୍ୟୁ ଧୃତ ହୋଇ ପ୍ରହରିଙ୍କ ତତ୍ତ୍ୱାବଧାନରେ ଯାଉଥିଲେ । ମଦୁରା ଜିଲ୍ଲାରେ ଦସ୍ୟୁତାର ଅତ୍ୟନ୍ତ ପ୍ରାଦୁର୍ଭାବ, ବିଶେଷତଃ ରାମେଶ୍ୱର ଯାତ୍ରିମାନଙ୍କ ହେତୁରୁ ଦସ୍ୟୁସଂଖ୍ୟା ଅଧିକ ଦୃଷ୍ଟ ହୁଏ,-ନିରପରାଧ ଯାତ୍ରିମାନଙ୍କ ପ୍ରାଣବଧରେ ସୁଦ୍ଧା ଏମାନେ ବିନ୍ଦୁମାତ୍ର କୁଣ୍ଠିତ ହୁଅନ୍ତି ନାହିଁ । ବିପଦ ଯେଡ଼େ ଭୀଷଣ ହେଉ, ଏମାନେ ସହାସ୍ୟରେ ଆଲିଙ୍ଗନ କରିବାକୁ ସର୍ବଦା ପ୍ରସ୍ତୁତ । ଲୋକନିନ୍ଦାରେ ଏମାନଙ୍କର ଭ୍ରୁକ୍ଷେପ ନାହିଁ, ରାଜଦଣ୍ଡକୁ ଭୟ ନାହିଁ । ସରସ ସୁକୁମାର ବୃତ୍ତିଗୁଡ଼ିକୁ ନିର୍ମମଭାବରେ ଉତ୍ପଟନ କରି ସ୍ୱ ସ୍ୱ ହୃଦୟକ୍ଷେତ୍ରକୁ ଏମାନେ କର୍କରାକୀର୍ଣ୍ଣ ମରୁବତ୍‌ରୁକ୍ଷ କରିଅଛନ୍ତି । ମନୁଷ୍ୟଜୀବନର ମୂଲ୍ୟ ଏମାନଙ୍କ ଚକ୍ଷୁରେ ଏକ କପର୍ଦ୍ଦକ ସୁଦ୍ଧା ନୁହେ । ଅନୁଗୋଳ, ତାଳଚେର, ଦଶପଲ୍ଲା ପ୍ରଭୃତି ରାଜ୍ୟର କୁଖ୍ୟାତ ପ୍ରାଣିମାନେ ଏମାନଙ୍କର ଶିଷ୍ୟାନୁଶିଷ୍ୟ ହେବାର ସୁଦ୍ଧା ଯୋଗ୍ୟ ନୁହନ୍ତି । ଏମାନଙ୍କର ମୂର୍ତ୍ତି ଏମାନଙ୍କର ବ୍ୟବସାୟର ଅନୁରୂପ । ପ୍ରତ୍ୟେକର ମୁଖମଣ୍ଡଳରେ ନୃଶଂସତାର ଭୀଷଣମୁଦ୍ରା ପରିସ୍ଫୁଟରୂପେ ମୁଦ୍ରିତ । ଜଣେ ସହଯାତ୍ରିଙ୍କ ମୁଖରୁ ଅବଗତ ହେଲି ଯେ ଏମାନଙ୍କ ଦାରୁଣଦୌରାତ୍ମ୍ୟରୁ ରାମେଶ୍ୱର ଦର୍ଶନ ଅତୀବ ସଙ୍କଟଜନକ ହୋଇଅଛି । ଏମାନଙ୍କୁ ଦେଖି ଭାରତବର୍ଷର ‘‘ଠଗ’’ମାନଙ୍କ ଲୋମହର୍ଷଣ କିୟା କଳାପ ସ୍ମୃତିପଥରେ ଉଦିତ ହେଲା ।

 

୬ଟା ବାଜି ୧୫ ମିନିଟରେ ଗାଡ଼ୀ ଭୀରୁଡୁପଟି ଷ୍ଟେସନରେ ଉପନୀତ ହେଲା । ଏହିଠାରେ ତୁଳା ମର୍ଦ୍ଦନ କରିବାର ତିନି ଚାରୋଟି କଳ ଅଛି । ବେରାର ପରି ଭାରତବର୍ଷର ଏ ଅଂଶରେ ମଧ୍ୟ ତୁଳାର ଚାଷ ବହୁପରିମାଣରେ ଦେଖାଯାଏ, ବିଶେଷତଃ ମଦୁରା ଏବଂ ତ୍ରିନାବଳୀ, ଜିଲ୍ଲାଦ୍ୱୟ କେବଳ ତୁଳାର ଚାଷରେ ପରିପୂର୍ଣ୍ଣ । ଏହି ତୁଳାଗୁଡ଼ିକ ଇଂଲଣ୍ଡକୁ ରପ୍ତାନି ହୋଇ ତଦ୍‌ବିନିମୟରେ ଲୁଗା ପ୍ରସ୍ତୁତ ହୋଇ ଆସେ, ଯାହା ଆମ୍ଭମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟରେ ପରିଗଣିତ । ଆମ୍ଭେମାନେ ଏପରି ଶକ୍ତିମାନ୍‌ଯେ ପ୍ରତ୍ୟେକ ଦ୍ରବ୍ୟ ସକାଶେ ବିଲାତକୁ ଚାହିଁ ବସିଅଛୁଁ । ପ୍ରକୃତିର ଏପରି ଅନୁକୂଳତା ସତ୍ତ୍ୱେ ପୁରୁଷକାରର ଏପରି ଅଭାବ ଜଗତରେ ଆଉ କାହିଁ ?

 

କଏଲପଟି ଷ୍ଟେସନରୁ ତ୍ରନାବଳୀ ଜିଲ୍ଲାର ଆରମ୍ଭ । ଏହାର ପରିମାଣ ଫଳ ୫୩୮୪ ବର୍ଗମାଇଲ, ଲୋକସଂଖ୍ୟା ୧୯୧୬୦୯୫ ଏବଂ ଗ୍ରାମ ସଂଖ୍ୟା ୧୬୩୯ । ଏହାହିଁ ମାନ୍ଦ୍ରାଜ ପ୍ରେସିଡେନ୍ସିର ଦକ୍ଷିଣତମ ଜିଲ୍ଲା ।

 

ପୂର୍ବାହ୍ନ ୯ଟା ବାଜି ୨୪ ମିନିଟରେ ଗାଡୀ ମଣିଆରି ଷ୍ଟେସନରେ ପହଁଚିଲା । ଏହିଠାରୁ ଗୋଟିଏ ଶାଖାବର୍ତ୍ତୁ ତ୍ରିନାବଳୀ ସହର ପର୍ଯ୍ୟନ୍ତ ଯାଇଅଛି । ତ୍ରିନାବଳୀ ସହର ଏଠାରୁ ୧୮ ମାଇଲ,-ଏକଘଣ୍ଟା ମଧ୍ୟରେ ପହଁଚି ହୁଏ । ଏ ସହରର ଲୋକସଂଖ୍ୟା ୫୬୦୦୦, ଏବଂ ଏହା କେତେଗୁଡ଼ିଏ ସୁନ୍ଦର କରୁକାର୍ଯ୍ୟଖଚିତ ମନ୍ଦିରକୁ ଧାରଣ କରି ପ୍ରତିଷ୍ଠାସ୍ପଦ ହୋଇଅଛି ।

 

ମଣିଅଚି ଷ୍ଟେସନରୁ ପୂର୍ବଦିଗରେ ଦୂରବର୍ତ୍ତୀ ଅନନ୍ତ ତରଙ୍ଗାୟିତ ସାଗର ସୃଷ୍ଟ ହେଲା,-ଶରଦଭ୍ରସନ୍ନିର ବିପୁଳବେଳାସ୍ଥ ସିକତାସ୍ତୂପ ମଧ୍ୟରୁ ତାହାର ଗାଢ଼ନୀଳରେଖା ଅସ୍ପଷ୍ଟରୂପେ ପ୍ରତିଭାତ ହେଉଥିଲା । ପଶ୍ଚିମରେ ପଶ୍ଚିମଘାଟର ସମୁଦ୍ଦ ପର୍ବତମାଳା, ଏବଂ ତ୍ରିବାଙ୍କୁଡ଼ର ତ୍ରିଭୁଜାକୃତି ଅଗସ୍ତ୍ୟ ପର୍ବତ । ଅଗସ୍ତ୍ୟ ପର୍ବତର ଉଚ୍ଚତା ୭୫୦୦ ଫୁଟ । ଏହାର ଉପରିଭାଗରେ ବୃହତ୍‌, ଶିଳାଖଣ୍ଡର ଘନସମାବେଶ ଥିବାରୁ ସୂର୍ଯ୍ୟକର ବିମ୍ୱିତ ହୋଇ ଅତିଶୟ ମନୋହର ଦିଶୁଥିଲା । ଲୌହମୁଦ୍ଗରକୁ ମଳମ୍ୱିତ କଲେ ଯେପରି ଦିଶିବ, କରୁଣାର୍କରାଗରଞ୍ଜିତ ଅଗସ୍ତ୍ୟ ଗିରିଶିଖର ସେହିପରି ଲୋଚନନନ୍ଦନ ହୋଇଥିଲା । ଏ ସୌନ୍ଦର୍ଯ୍ୟ ମୋହର ବର୍ଣ୍ଣନାର ସମ୍ପୂର୍ଣ୍ଣ ଅତୀତ ।

 

ଅଳ୍ପଦୂର ଉତ୍ତାରୁ ପ୍ରାଚୀନ ତାମ୍ରପର୍ଣ୍ଣୀ ନଦୀ ପଡ଼ିଲା । ଏହାର ଦୈର୍ଘ୍ୟ ୩୪୦ ମାଇଲ, ରେଲମାର୍ଗ ନିକଟରେ ପ୍ରସ୍ଥପ୍ରାୟ ଅର୍ଦ୍ଧମାଇଲ । ରଘୁବଂଶପାଠକଙ୍କ ନିକଟରେ ତାମ୍ରପର୍ଣ୍ଣୀ ସୁପରିଚିତ । ମଧୁନିକ ଉତ୍କଳ ସାହିତ୍ୟରେ ମଧ୍ୟ ‘‘ମୁକ୍ତାପ୍ରସୁ ତାମ୍ରପର୍ଣ୍ଣୀର’’ର ଉଲ୍ଲେଖ ଦେଖାଯାଏ ।

 

ପୂର୍ବାହ୍ନ ସାର୍ଦ୍ଧ ଘ ୧୦ ଟିକା ସମୟରେ ଗାଡ଼ୀ ଟିଉଟିକରିନ୍‌ସହରରେ ପହଞ୍ଚିଲା । ଏହାହିଁ ଭାରତବର୍ଷର ଦାକ୍ଷିଣତମ ସହର, ସୁତରାଂ ରେଲମାର୍ଗର (Terminus) ଆମ୍ଭେମାନେ ଅବତରଣ କରି ଷ୍ଟେସନମାଷ୍ଟରଙ୍କ ସମୀପକୁ ଗଲୁଁ । ଷ୍ଟେସନମାଷ୍ଟର ମହୋଦୟ ଯଥୋଚିତ ସମାଦର କଲେ, କାରଣ ମଦୁରାର ଷ୍ଟେସନମାଷ୍ଟର ମହୋଦୟ ଏହାଙ୍କ ନିକଟକୁ ପୂର୍ବରୁ ପତ ଦେଇ ଦେଇଥିଲେ । ଅନନ୍ତର ସେ ଗୋଟିଏ ଗାଡ଼ୀ କରି ଆମ୍ଭମାନଙ୍କୁ ଏଠାରେ ଡିଷ୍ଟ୍ରିକ୍ଟ ମୁନ୍ୱସଫ୍‌ଶ୍ରୀଯୁକ୍ତ ଭି.କେ. ଡିପିକାଚେରିଅରୁ ମହୋଦୟଙ୍କ ଘରକୁ ପଠାଇ ଦେଲେ । ମାନ୍ଦ୍ରାଜରୁ ଏହାଙ୍କ ନିକଟକୁ ଟେଲିଗ୍ରାମ କରା ହୋଇଥିଲା, ସୁତରାଂ ସାକ୍ଷାତ୍‌ହେଲାକ୍ଷଣି, ଏ ମହୋଦୟ ମୋତେ ପାଦର ଅଭ୍ୟର୍ଥନା କଲେ । ଅନ୍ୟାନ୍ୟ କଥା ବାର୍ତ୍ତା ପରେ, ଏଠାରେ ନିତାନ୍ତ ଜଳକଷ୍ଟ ବୋଲି, ମୋହର ରହିବାର ସ୍ଥାନ ଏହାଙ୍କ କଚେରୀଘରେ ନିର୍ଦ୍ଦିଷ୍ଟ ହେଲା । ଏ ସହରଟି ଆକୃତିରେ କଟକର ପ୍ରାୟ ଦୁଇଗୁଣ ହେବ, ମାତ୍ର ଗୋଟିଏ ପ୍ରଧାନ ବିଷୟରେ ଲୋକମାନଙ୍କ ଅବସ୍ଥା ଅତି ଶୋଚନୀୟ । ଏଡ଼େ ବଡ଼ ସହରରେ, ଏହି ଧରାଶ୍ରାବଣ ସମୟରେ କିପରି ଜଳକଷ୍ଟ, ଦେଖିଲେ ହଠାତ୍‌ସ୍ତମ୍ଭିତ ହୋଇ ଯିବାକୁ ହୁଏ । ଗୋଟିଏ ଗୋଟିଏ କୂପ ନିକଟରେ ଶତ ଶତ ମନୁଷ୍ୟର କୋଳାହଳ,-ସମସ୍ତଙ୍କର ଜଳୋତ୍ତୋଳନରେ ସମାନ ଆଗ୍ରହ । ସର୍ବାଗ୍ରେ ଜଳ ନେବା ପ୍ରକାଶ ପ୍ରତ୍ୟେକ ବ୍ୟକ୍ତି ବ୍ୟସ୍ତ ।

 

ମୁନ୍‌ସଫ୍‌ମହୋଦୟଙ୍କର ନାଜିରଙ୍କ ସହିତ ତାହାଙ୍କ କଚେରୀକୁ ଗଲି । କଚେରୀ ମଧ୍ୟସ୍ଥିତ ଗୋଟିଏ ସ୍ୱତନ୍ତ୍ର ଗୃହ ମୋହର ବ୍ୟବହାର ସକାଶେ ନିର୍ଦ୍ଦିଷ୍ଟ ହୋଇଥିଲା, ଏବଂ ଦୁଇଜଣ ଚପରାସୀ ପ୍ରୟୋଜନୀୟ ଜିନିଷାଦି ବଜାରକୁ ଆଣି ଦେବା ସକାଶେ ଆଦିଷ୍ଟ ହୋଇଥିଲେ । କଚେରୀପ୍ରାଙ୍ଗଣ ମଧ୍ୟସ୍ଥିତ କୂପର ଜଳହିଁ ଆମ୍ଭମାନଙ୍କର ଆଜି ଏକମାତ୍ର ଅବଲମ୍ୱନ ହୋଇଅଛି, ଅନ୍ୟତ୍ର ଜଳ ଦୁରୁହ ବ୍ୟାପାର । ବିଦେଶୀୟ ବ୍ୟକ୍ତି ପକ୍ଷରେ ଅସମ୍ଭବ ବୋଇଲେ ଅତ୍ୟୁକ୍ତି ହେବ ନାହିଁ ।

 

ମଧ୍ୟାହ୍ନରେ ମୁନ୍‌ସଫ ମହୋଦୟ ମୋହୁ ସହିତ ପୁନଶ୍ଚ ସାକ୍ଷାତ୍‌କରିବା ସକାଶେ କଚେରୀକୁ ଆସିଲେ । ନାନା ପ୍ରକାର ଗଳ୍ପ ହେଲା, କଲମ୍ୱା ଯିବାର ମଧ୍ୟ ପ୍ରସ୍ତାବ କଲି । କଲମ୍ବୋ ଏଠାରୁ ଏକ ରାତ୍ରିର ଏବଂ ସିଂହଳ ପ୍ରାୟ ୪ ଘଣ୍ଟାର ବାଟ । କଲମ୍ୱୋ ପର୍ଯ୍ୟଟନ-ଶ୍ରମାର୍ହ କିନା ପ୍ରଶ୍ନ କରିବାରେ, ଏ ମହୋଦୟଙ୍କଠାରୁ ଏହି ଉତ୍ତର ପାଇଲି ଯେ ଟିଉଟିକରିନ୍‌ପରି କଲମ୍ୱୋ ପ୍ରକୃତ ଦର୍ଶନୀୟ ନୁହେ, ତେବେ ହେଲେ ଆଡାମସ୍‌ପିକ୍‌ନାମକ ପର୍ବତର ଦୃଶ୍ୟାବଳୀ ଅତି ବିସ୍ମୟକର । ସେହିକ୍ଷଣି ଏଠାରେ ବିଖ୍ୟାତ ବଣିକ୍‌ଶ୍ରୀଯୁକ୍ତ ଜେ.ଏମ.ବି.ରକ୍‌ଭିକ୍ଟୋରିଆଙ୍କ ଠାକୁ ଏ ମହୋଦୟ ପତ୍ର ଲେଖି, ଉତ୍ତର ଅଣାଇଲେ ଏବଂ ପତ୍ରଖଣ୍ଡିକ ମୋତେ ପଢ଼ିବାକୁ ଦେଲେ । ପଢ଼ି ଦେଖିଲି ବଣକ୍‌ମହୋଦୟ କଲମ୍ୱୋ ଯିବ ସକାଶେ ବିଶେଷଭାବରେ ନିଷେଧ କରିଅଛନ୍ତି । ମୁ ସହଜରେ ଛାଡ଼ିବାର ପାତ୍ର ନୁହେ, ମୁନ୍‌ସଫ ମହୋଦୟଙ୍କୁ ଆହୁରି ଥରେ ପତ୍ର ଲେଖିବାକୁ କହିଲି । ଏ ପତ୍ରର ଉତ୍ତରରେ ଲେଖା ଥିଲା ‘‘ଯଦି ଆମ୍ଭମାନଙ୍କ ବଙ୍ଗାଳୀବନ୍ଧୁ ନିତାନ୍ତ ଯିବାକୁ ଇଚ୍ଛା କରନ୍ତି, ଯିବା ପୂର୍ବରୁ ମୋହ ସଙ୍ଗେ ସାକ୍ଷାତ୍‌ହେବା ଏକାନ୍ତ ବାଞ୍ଛନୀୟ ।’’ ଅତଃପର ମୁନ୍‌ସଫ ମହୋଦୟ ମୋତେ ପ୍ରୋକ୍ତ ବଣିକଙ୍କ ଗୃହଠାକୁ ନେଇ ଯିବାପାଇଁ ତାହାଙ୍କ ନାଜିରଙ୍କୁ ଆଦେଶ ଦେଲେ ।

 

ଆହାର କରୁଁ କରୁଁ ଅପରାହ୍ନ ଘ ୨ଟିକା । ୪୨ ଘଣ୍ଟା ଉତ୍ତାରୁ ଅନ୍ନାହାର,-ଅତିଶୟ ତୃନ୍ତିପ୍ରଦ ହେଲା । ମୁନ୍‌ସଫ୍‌ମହାଶୟ ଇତିପୂର୍ବରୁ ବିଦାୟ ନେଇଥିଲେ, ସୁତରାଂ ଆହାର ପରେ ବଣିକଙ୍କ ଘରକୁ ଯିବାର କୌଣସି ପ୍ରତିବନ୍ଧକ ନ ଥିଲା । ଅପରାହ୍ନଣ ଘ ୩ଟିକା ବେଳେ ନାଜିର ମହୋଦୟଙ୍କ ସହିତ ସହରର କେତେକ ପ୍ରଧାନ ପ୍ରଧାନ ଅଟ୍ଟାଳିକାସୁଶୋଭିତ ରାଜପଥ ଦେଇ ବଣିକଙ୍କ ପ୍ରକାଣ୍ଡ ଦ୍ୱିତଳସୌଧରେ ଉପସ୍ଥିତ ହେଲି ।

 

ଏହାଙ୍କ ବ୍ୟବସାୟର ଆୟବାର୍ଷିକ ପାଞ୍ଚଲକ୍ଷ ଟଙ୍କାରୁ କମ ନୁହେ । ଏଡ଼େ ଧନୀ, କିନ୍ତୁ ପହଚିଲା ମାତ୍ରେ ତତ୍‌କ୍ଷଣାତ୍‌ଗୃହ ମଧ୍ୟରୁ ବାହାରି ଆସି ଆମ୍ଭମାନଙ୍କୁ ମଧୁର ସମ୍ଭାଷଣରେ ଅନୁଗୃହୀତ କଲେ । ଅନନ୍ତର ଆମ୍ଭେମାନେ ତାହାଙ୍କ ସୁସଜ୍ଜିତ ପ୍ରକୋଷ୍ଠକୁ ନୀତ ହେଲୁଁ । କିୟତ୍‌କ୍ଷଣ ପରେ ନାଜିର ମହାଶୟ ବିଦାୟ ନେଲେ, କାରଣ ବଣିକ୍‌ମହାଶୟ ସ୍ୱୟଂ ମୋତେ କଚେରୀରେ ଛାଡ଼ି ଆସିବାରୁ ଭାର ଗ୍ରହଣ କଲେ ।

 

ଏଠାରେ ଆମ୍ଭ ଦୁହିଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ପଡ଼ିଲା । ଏ ମହୋଦୟଙ୍କ ମୁଖରୁ ଶୁଣିଲି ଯେ ଏହାଙ୍କ ବ୍ୟବସାୟ ସୁଦୂର ଚୀନ ଏବଂ ବର୍ଣ୍ଣିଓ ପର୍ଯ୍ୟନ୍ତ ବିସ୍ତୃତ । ଏ ନିଜଜୀବନରେ ଅନେକ କଷ୍ଟ ସହ୍ୟ କରିଅଛନ୍ତି, ଅନେକ ବିପଦରେ ପଡ଼ି, ଏ ଅଞ୍ଚଳର ଜଣେ ପ୍ରଧାନ ଅଧ୍ୟବସାୟୀ ମନୁଷ୍ୟ ବୋଲି ପରିଗଣିତ ହୋଇଅଛନ୍ତି । ବର୍ତ୍ତମାନ ଏ ମୋତେ କଲମ୍ୱୋଯିବା ସକାଶେ ବାରମ୍ୱାର ନିଷେଧ କରିବାକୁ ଳଶଗିଲେ, ‘‘ଏପରି ସମୟରେ ସାଗରରେ ଝଟିକାପ୍ରବାହ ବଡ଼ ଭୟଙ୍କର’’, ଏହି କଥା କହିଲେ । ଏହାଙ୍କ ଦୁଇ ତିନିଖଣ୍ଡି ବୃହତ୍‌ବୃହତ୍‌ଜାହାଜ ଅଛି ସତ୍ୟ, କିନ୍ତୁ ଏ ସ୍ୱୟଂ ଯିବାକୁ ନିତାନ୍ତ ଅନିଛୁକ । ପରିଶେଷରେ ଏତିକି କହିଲେ ଯେ ‘‘କଲମ୍ୱୋ ଟିଉଟିକରିନ୍‌ଠାରୁ କୌଣସି ଅଂଶରେ ଭଲ ନୁହେ, ଆପଣ ଯେବେ ଏତେଦୁର ଆସିଅଛନ୍ତି, ମନେ କରି ନିଅନ୍ତୁ କଲମ୍ୱୋ ଦେଖିଲିଣି, କଲମ୍ୱୋ ଗଲେ ଲାଭ ମଧ୍ୟରେ ସମୁଦ୍ରଝଟିକାରେ ପ୍ରାଣସଂଶୟ ଉପସ୍ଥିତି ହେବାର ସମ୍ଭାବନା ।’’ ଅଗତ୍ୟାମୋତେ ଏହି ଦୁଃସାହସିକ କର୍ମ୍ମରୁ କ୍ଷାନ୍ତ ହେବାକୁ ହେଲା ।

 

ଅନନ୍ତର ଏ ମହୋଦୟ ଏହାଙ୍କ ଗାଡ଼ୀରେ ମୋତେ ସହରର ପ୍ରଧାନ ପ୍ରଧାନ ଅଂଶଗୁଡ଼ିକ ଦେଖାଇଲେ । ଦେଖୁଁ ଦେଖୁଁ ଆମ୍ଭେମାନେ ସମୁଦ୍ରତୀରବର୍ତ୍ତୀ ବର୍ତ୍ତରେ ଉପନୀତ ହେଲୁଁ । ଏହା ମାନ୍ନାର ଉପସାଗର । ଏଡିଠାରେ ମୁକ୍ତା ଉତ୍ତୋଳନ ପ୍ରଣାଳୀର କିଛି କାର୍ଯ୍ୟ ଅବଲୋକନ କଲି । ସ୍ଥାନେ ସ୍ଥାନେ ସୈକତ-ବିମୁକ୍ତ-ମୌକ୍ତିକ ପଂକ୍ତ ଅତି ମନୋଜ୍ଞ ହୋଇଥିଲା ।

 

ଏହିଠାରୁ ପଶ୍ଚିମ ଦିଗ ମରୁବତ୍‌ପ୍ରତୀୟମାନ ହେଲା । କୁମାରିକା ଅନ୍ତରୀପ ଏବଂ ପାଲିମକୋଟା ପର୍ଯ୍ୟନ୍ତ ଯୋଜନ ଯୋଜନ ବ୍ୟାପୀ ବାଲୁକା ରାଶି ବିସ୍ତୃତ । ଦକ୍ଷିଣରେ ଉତ୍ତାଳତରଙ୍ଗାଲୋଡ଼ିତ ଅନନ୍ତ ଜଳଧି ଦର୍ଶନ କରି ପ୍ରାଣରେ ଅପାର ଆନନ୍ଦ ଅନୁଭବ କଲି । ଅପର ଦିଗରେ ଭୀଷଣ ମରୁସ୍ଥଳୀମଧ୍ୟସ୍ଥିତ ଉତ୍ତପ୍ତ ବାଲୁକାରେ ଦଗ୍ଧପଦ, ଏବଂ ରୁଦ୍ରଝଞ୍ଜାବତାର ଉଷ୍ଣନିଶ୍ୱାସରେ ମ୍ରିୟମାଣ, ତୁଷାତୁ ପଥିକର ଦାରୁଣ ଯନ୍ତ୍ରଣା କଳ୍ପନା ମନ ବିଷଣ୍ଣ ହେଲା । ଦୃଶ୍ୟ ଏବଂ ଭାବର ଏହିପରି ବୈପରୀତ୍ୟ ହେତୁରୁ ପ୍ରକୃତି ଏଡ଼େ ମନୋହର । ଏହାହିଁ ସୃଷ୍ଟିର ବୈଚିତ୍ର୍ୟ ଉପାଦାନ । ସମସ୍ତ ଯେବେ ଏକାକାର ହୁଅନ୍ତା, ତାହାହେଲେ ଆମ୍ଭମାନଙ୍କର ଭେଦଜ୍ଞାନ ରହନ୍ତା ନାହିଁ, ଏବଂ କୌଣସି ବିଶେଷ ଅନୁଭୂତି ହୁଅନ୍ତା ନାହିଁ । ବିଭିନ୍ନ ପଦାର୍ଥର ବିଭିନ୍ନ ଗୁଣାବଳୀ ନ ଥିଲେ ଆମ୍ଭେମାନେ ଜ୍ଞାନର କୌଣସି ଅସ୍ୱାଦ ପାଆନ୍ତୁ ନାହିଁ । ଆମ୍ଭେମାନେ କେବଳ ଆଲୋକ, କେବଳ ସୁଖ ନେଇ ରହି ପାରନ୍ତୁ ନାହିଁ । ଜୀବନରାଜ୍ୟର ଏହା ଗୋଟିଏ ପ୍ରଧାନ ରହସ୍ୟ ଅଟେ, ଏବଂ ଏହି ହେତୁରୁ ସୁଖ ପରେ ଦୁଃଖ, ଉଥାନ ପରେ ପତନ, ଏବଂ ଆଲୋକ ପରେ ଅନ୍ଧାରର ସଂଘଟନ ହୋଇଅଛି । ଆମ୍ଭେମାନେ କେବଳ ଫୁଲର ସୌନ୍ଦର୍ଯ୍ୟ, ଶୁଭ୍ରଜ୍ୟୋତିନୀର ସ୍ୱପ୍ନମୟୀ ମାଧୁରୀ, ସୁକଣ୍ଠବିହଙ୍ଗସଙ୍ଗୀତର ପ୍ରଫୁଲ୍ଲତା, ଶସ୍ୟଶ୍ୟାମଳପ୍ରାନ୍ତରର ଆଶାପ୍ରଦ ଶୋଭା, ଏବଂ ମନ୍ଦଗାମିନୀ ଦର୍ପଣହୃଦୟା ତଟିନୀର ମୃଦୁ କଳ କଳ ଧ୍ୱନି ସମ୍ଭୋଗ କରିବାକୁ ସୃଷ୍ଟ ହୋଇ ନାହୁଁ । ଆମ୍ଭମାନଙ୍କୁ ଭୀଷଣ ବଜ୍ରପାତ, ଅମାନିଶାର ଭୀତିମୟ ତିମିରୌଘ, ଶ୍ୱାପଦର ବିପଜ୍ଜନକ କୋଳାହଳ, ଝଟିକାସଙ୍କୁଳ ଅକୂଳସମୁଦ୍ରର ଭୟଙ୍କର ଗର୍ଜ୍ଜନ, ଏବଂ ମରୁଭୂମିର ପ୍ରାଣଶୋଷୀ ଉତ୍ତାପ ମଧ୍ୟ ଅନୁଭବ କରିବାକୁ ହେବ ।

 

କ୍ରମଶଃ ଆମ୍ଭେମାନେ ବନ୍ଦରକୁ ଆସିଲୁଁ । ଏ ଘାଟର ଶୋଭା ଅହା କେଡ଼ ମନୋରମ ! ଅସଂଖ୍ୟ ମହାଜନୀ ନୌକା ଏବଂ ଧୂମଦ୍ଗାରୀ ଜଳର ଅଳ୍ପତା ଯୋଗୁଁ ଆସି ପାରେ ନାହିଁ, କିଛି ଦୂରରେ ଥାଏ । ସମୁଦ୍ରତୀରସ୍ଥିତ ରାଜପଥର ଉଭୟପାର୍ଶ୍ୱରେ ହରିଦ୍‌ବର୍ଣ୍ଣ ବୃକ୍ଷଶ୍ରେଣୀ,-ବୃକ୍ଷଶ୍ରେଣୀର ମଧ୍ୟରେ ଠାକୁଠା ବଡ଼ ବଡ଼ ବ୍ୟବସାୟୀ କମ୍ପୋନିଙ୍କ କୋଠି ।

 

ବନ୍ଦରଟି ଚଞ୍ଚଳତାର ଲୀଳାଭୂମି । ଲକ୍ଷ ଲକ୍ଷ ତୁଳାପଟ କୁମାରଘାଟ Jetty ଉପରକୁ ନୀତ ହେଉଅଛି, କୋଟି କୋଟି ଟଙ୍କାର ତୁଳା ବିଲାତକୁ ରପ୍ତାନି ହେଉଅଛି । ବନ୍ଦରସ୍ଥ ବଡ଼ ବଡ଼ ମହାଜନଙ୍କ ଦ୍ୱିତଳ ଏବଂ ତ୍ରିତଳ ଅଟ୍ଟାଳିକାଗୁଡ଼ିକ ଏହି ତୁଳାରେ ପରିପୂର୍ଣ୍ଣ ।

 

ଏଠାରେ କେତେକ ସିଂହଳଙ୍କୁ ଦେଖିଲି । ଏମାନଙ୍କ ଭାଷା ତାମିଲ ଭାଷାରୁ ସମ୍ପୂର୍ଣ୍ଣରୂପେ ପୃଥକ୍‌ହେଲେ ହେଁ, ଶୁଣିବାକୁ ପ୍ରାୟ ଏକପ୍ରକାର । ଏ ସହରକୁ ପ୍ରତିଦିନ ସିଂହଳମାନଙ୍କ ଆଗମନ ହୋଇଥାଏ,-ପ୍ରତ୍ୟହ ଏଠାରୁ ଷ୍ଟିମାର କଲମ୍ବୋକୁ ଗତାୟତା କରୁଅଛି ।

 

ଏଠାରୁ ଆମ୍ଭେମାନେ ଅନ୍ୟମାର୍ଗ ଦେଇ କଚାରୀ ଅଭିମୁଖରେ ଚାଲିଳୁଁ । ମାର୍ଗରେ ଅନେକ କଲଘର, ଅଟ୍ଟାଳିକା, ଗିର୍ଜ୍ଜା, ଏବଂ ମନ୍ଦିର ପଡ଼ିଲା । ଆମ୍ଭେମାନେ ସମଗ୍ର ସହର ପ୍ରଦକ୍ଷିଣ କରି ସନ୍ଧ୍ୟା ସମୟରେ କଚେରୀଠାରେ ଉପସ୍ଥିତ ହେଲୁଁ ।

 

ବଣିକ୍‌ମହାଶୟଙ୍କଠାରୁ ରୀତିମତ ବିଦାୟ ଗ୍ରହଣ କଲି । ଏ ଜଣେ ରୋମାନକେଥଲିକ ସମ୍ପ୍ରଦାୟଭୁମକ୍ ଖ୍ରୀଷ୍ଟିଅନ୍‌ । ତାହାଙ୍କୁ ସମୟ ସମୟରେ ପତ୍ର ଲେଖିକି ମୋହୋଠାରୁ ଏହି ଅଙ୍ଗୀକାର କରାଇ ନେଇ ଦୃଷ୍ଟଚିତ୍ତରେ ମୋତେ ବିଦାୟ ଦେଲେ । ଅଳ୍ପଦିବସ ହେଲା ଏ ମହୋଦୟ ଟିଉଟିକରିନ ସହର ମିଉନସିପାଲଟିର ଚେୟାରମେନ (ସଭାପତି) ନିର୍ବାଚିତ ହୋଇଅଛନ୍ତି । ରାତ୍ରି ଘ ୮ଟିକା ସମୟରେ ମୁନ୍‌ସଫ ମହୋଦୟଙ୍କ ଘରକୁ ଗଲି । ଆଗାମୀ କାଲି ସକାଳେ ଏଠାରୁ ଫେରିବି, ସୁତରାଂ ବିଦାୟୋଚିତ ନାନାପ୍ରକାର କଥା ହେଲା । ଏ ମହୋଦୟ, ତାହାଙ୍କର ଖଣ୍ଡିଏ ଫଟୋଗ୍ରାଫ ଦେଲେ, ଏବଂ ବିନିମୟରେ ଖଣ୍ଡିଏ ଯେପରି ପାଆନ୍ତି, ସେଥି ସକାଶେ ବିଶେଷ ଅନୁରୋଧ କଲେ । ପରିଶେଷରେ ପତ୍ରାଦି ଲେଖିବା ବିଷୟରେ କେଉଁ କଥା ହେଲା, ତାହା ଅବିକଳ ଏହି;

 

“In conclusion, I must ask you to prove to me, that the distance of time and space, cannot possibly lessen the ties of friendship.”

 

‘‘ପରିଶେଷରେ ତୁମ୍ଭଠାରେ ମୋହର ଏହି ଅନୁରୋଧ ଯେ ଦେଶକାଳର ବ୍ୟବଧାନ ବନ୍ଧୁତାର ଶୃଙ୍ଖଳ ଛିନ୍ନ କରିପାରେ ନାହିଁ, ତୁମ୍ଭ କାର୍ଯ୍ୟଦ୍ୱାରା ଏହା ଯେମନ୍ତ ସପ୍ରମାଣ ହୁଏ ।’’

 

ମୁ ଏହିସବୁ ବାକ୍ୟରେ ସ୍ୱୀକୃତ ହୋଇ ବିଦାୟ ଗ୍ରହଣ କରି ଆସିଲି । ଯଦିବା କଟକରୁ ଭାରତବର୍ଷର ଦକ୍ଷିଣତମ ସହରଟି ୧୫୭୪ ମାଇଲରେ ଅବସ୍ଥିତ, ତଥାପି ଏମାନଙ୍କ ସରଳ ଏବଂ ମଧୁର ବ୍ୟବହାର ଯାବଜ୍ଜୀବନ ମୋହର ସ୍ମୃତି-ପଟରେ ଅଙ୍କିତ ରହିଥିବ । ଏ ଭଳି ସଦାଶୟ ବ୍ୟକ୍ତିଙ୍କୁ ହୃଦୟରେ ଧାରଣ କରି ଦାକ୍ଷିଣାତ୍ୟ ବାସ୍ତବ ଦାକ୍ଷିଣ୍ୟର ମାତୃଭୂମି ହୋଇଅଛି ।

 

ରାତ୍ର ଘ ୧୦ ଟିକା ସମୟରେ ଆହାର ନିଦ୍ରିତ ହେଲି । ୧୨-୮-୯୫ ସୋମବାର-ବ୍ରାହ୍ମମୁହୂର୍ତ୍ତରେ କଚାରୀ କୂପରୁ ଜଳୋତ୍ତୋଳନପୂର୍ବକ ଅତି କଷ୍ଟରେ ସ୍ନାନ କଲି । କାଠଯୋଡ଼ୀ ନଦୀର ସ୍ୱଚ୍ଛଜଳରେ ପ୍ରତ୍ୟହ ୩ ।୪ ଥର ସ୍ନାନରେ ଯାହାର ତୃପ୍ତି ହୁଏ ନାହିଁ, ଏ ଜଳ ତାହାର ମନ୍ତ୍ରସ୍ନାନକୁ ନିଅଣ୍ଟ । ମାତ୍ର ଅଭାବ ଇଚ୍ଛାକୁ ଖର୍ବ କରାଇଦିଏ । ଦେଖୁଁ ଦେଖୁଁ ଦୁଇଜଣ ଚପରାସୀ ଏବଂ ନାଜିର ମହୋଦୟ ଆସି ଉପସ୍ଥିତ ହେଲେ । ଏମାନଙ୍କ ଉଦ୍ଦେଶ୍ୟ ଯେ ଏମାନେ ରେଲଓଏ ଷ୍ଟେସନରେ ଛାଡ଼ି ଦେଇ ଆସିବେ । କିଞ୍ଚିତ୍‌ଜଳଯୋଗପୂର୍ବକ ଷ୍ଟେସନରେ ଉପସ୍ଥିତ ହୋଇ, ଗାଡ଼ୀରେ ଆରୋହଣ କଲି । ଆଜି ଗୃହମୁଖରେ ପ୍ରତ୍ୟାବୃତ୍ତ ହେବାର ପ୍ରଥମ ଦିବସ ଭାବି ହୃଦୟ ଆନନ୍ଦରେ ପୂର୍ଣ୍ଣ ହେଲା ।

 

ଗାଡ଼ୀରେ ଥାଇ ନାଜିର ମହୋଦୟଙ୍କଠାରୁ ବିଦାୟ ନେଲି । ଏ ମହାଶୟଙ୍କ ହୃଦୟ ଅତି ଉଦାର ଏବଂ ପ୍ରୀତିପୂର୍ଣ୍ଣ,-ନାମ ଏସ.ଏ. ଉଇଲିୟମ ପିଲେ । ଗତ କାଲିଠାରୁ ଆଜି ପର୍ଯ୍ୟନ୍ତ ମୋହ ସକାଶେ ଏ ଅନେକ ପରିଶ୍ରମ କରିଅଛନ୍ତି, ମୁଁ ଏହାଙ୍କ ନିକଟରେ ଚିରଋଣୀ । ଏ ଜଣେ ଦେଶୀୟ ଖ୍ରୀଷ୍ଟିଅନ୍‌ ।

 

ପୂର୍ବାହ୍ନ ୬ଟା ବାଜି ୨୦ ମିନିଟ୍‌ରେ ଗାଡ଼ୀ ଧାବିତ ହେଲା । ପଶ୍ଚିମ ଦିଗରେ ତ୍ରିବାଙ୍କୁଡ଼ ଏବଂ ପଶ୍ଚିମଘାଟ ପର୍ବତମାଳାର ଶୋଭା କେଡ଼େ ମୋହକର ! ତ୍ରିବାଙ୍କୁଡ଼ ରାଜ୍ୟଟି ବାସ୍ତବିକ ପ୍ରକୃତିଦେବୀଙ୍କ କ୍ରୀଡ଼ାଭୂମି । ପୂର୍ବଦିଗରେ ଭିଜିଆନଗ୍ରାମଠାରୁ ଯେପରି ଶତ ଶତ ମାଇଲବ୍ୟାପୀ ତାଳବୃକ୍ଷର ଘନସମାବେଶ ଦେଖାଯାଏ, ପଶ୍ଚିମରେ ତ୍ରିବାଙ୍କୁଡ଼ ରାଜ୍ୟରୁ ପଶ୍ଚିମଘାଟ ପର୍ବତ ପର୍ଯ୍ୟନ୍ତ ସେହିପରି ଅସଂଖ୍ୟା ନାରିକେଳ ଓ ଗୁବାକ ବୃକ୍ଷଶ୍ରେଣୀ ଦୃଷ୍ଟ ହୁଏ । ଏହି ଶୋଭାରାଶିରୁ କଣିକାଏ ନେଇ ବିଧାତା ପୁରୀର ବ୍ରାହ୍ମଣଶାସନଗୁଡ଼ିକ ଗଢ଼ିଥିଲେ କି ? ସମ୍ଭବତଃ ଭାରତବର୍ଷର ଏହି ପ୍ରଦେଶ ଦେଖି କାଳିଦାସ ନିମ୍ନୋକ୍ତ ଶ୍ଲୋକ ରଚନା କରିଥିଲେ–

 

‘‘ଏତେ ବୟଂ ସୈକତ-ଭିନ୍ନ-ଶୁକ୍ତି-

ସୂର୍ଯ୍ୟସ୍ତ-ମୁକ୍ତା-ପଟଳଂ ପୟୋଧେଃ,

ପ୍ରାପ୍ତ ମୁହୂର୍ତ୍ତେନ ବିମାନବେଗାତ୍ୱ

କୂଳଂ ଫଳାବର୍ଜିତ-ପୂରାମାଳମ୍‌ ।’’

 

ମାନ୍ଦ୍ରାଜ ପ୍ରେସିଡେନ୍ସି ସଙ୍ଗେ ଯେଉଁ କେତୋଟି ଦେଶୀୟ ରାଜ୍ୟର ରାଜନୈତିକ ସମ୍ବନ୍ଧ ଅଛି, ତାହା ଭାରତବର୍ଷର ଏହି ଦାକ୍ଷିଣପଣ୍ଚିମ ଅଂଶରେ ଅବସ୍ଥିତ । ଏଗୁଡ଼ିକ ରାଜନୈତିକ ଭାଷାରେ ମିତ୍ରରାଜ୍ୟ ବୋଲି କଥିତ । ଇଂରେଜ ସମ୍ରାଟ୍‌ହେବା ପୂଙ୍କେ ଏମାନଙ୍କୁ ‘ମିତ୍ର’ ବୋଲି ସମ୍ବୋଧନ କରୁଥିଲେ । ଶିଷ୍ଟାଚାର ହେତୁରୁ ଏ ଶବ୍ଦର ପ୍ରଚଳନ ଅବଧି ବନ୍ଦ ହୋଇ ନାହିଁ । ନିମ୍ନରେ ଏମାନଙ୍କର ନାମ ଏବଂ ସ୍ଥୂଳ ବିବରଣ ପ୍ରଦତ୍ତ ହେଲା ।

 

ପ୍ରଥମ,-ତ୍ରିବାଙ୍କୁଡ଼ ରାଜ୍ୟ,-ଏହାର ଆୟ ୮୪୧୯୪୧୬ ଟଙ୍କା । ମହାରାଜ ସର୍‌ରାମବର୍ମ୍ମା କେ.ଜି.ସି.ଏସ୍‌.ଆଇ ଏହାର ବର୍ତ୍ତମାନ ଭୂପତ୍ତି । ଏହାଙ୍କ ବୟଃକ୍ରମ ୩୬ ବର୍ଷ । ଏହି ରାଜବଂଶୀୟ ରାଜା ଶ୍ରୀ ରବିବର୍ମ୍ମାଙ୍କର ଅପୂର୍ବ ପୌରାଣିକ ହିନ୍ଦୁଚିତ୍ରମାନ ସମଗ୍ର ଭାରତବର୍ଷରେ ପ୍ରତିଷ୍ଠାଲାଭ କରିଅଛି ।

 

ଦ୍ୱିତୀୟ,-କୋଚିନ ରାଜ୍ୟ,-ଏହାର ଆୟ ୧୭୪୨୨୭୦ ଟଙ୍କା । ବର୍ତ୍ତମାନ ଭୂପତିଙ୍କ ନାମ,-ମହାରାଜ ବୀରକେରଳବର୍ମ୍ମା କେ.ସି.ଆଇ.ଇ. । ବୟସ ୪୮ ବର୍ଷ ।

 

ତୃତୀୟ,-ପଦୁକୌଟି ରାଜ୍ୟ,-ଆୟ ୧୩୦୦୦୦୦ ଟଙ୍କା । ବର୍ତ୍ତମାନ ଭୂପତିଙ୍କ ନାମ,–ରାଜା ମାର୍ତ୍ତଣ୍ଠଭୈରବତାଣ୍ଡ୍ୟମାନ ବାହାଦୂର । ଏହାଙ୍କ ବୟସ ୧୮ ବର୍ଷ, ସୁତରାଂ ଅପ୍ରାପ୍ତବ୍ୟବହାର ।

 

ଚତୁର୍ଥ,-ବାଙ୍ଗନାପେଲି ରାଜ୍ୟ,-ଆୟ ୨୦୫୬୫୦ ଟଙ୍କା । ନବାବ ସଏଦ୍‌ଫତେଅଲି ଖାଁ ବାହାଦୂର ସି.ଏସ.ଆଇ. ଏହାର ବର୍ତ୍ତମାନ ଶାସନକର୍ତ୍ତା । ବୟସ ୪୬ ବର୍ଷ ।

 

ପଞ୍ଚମ,-ସାଣ୍ଡୁରୁ ରାଜ୍ୟ,-ଆୟ ୪୮୬୭୮ ଟଙ୍କା । ବର୍ତ୍ତମାନ ରାଜାଙ୍କର ନିତାନ୍ତ ଶୈଶବାବସ୍ଥା ହେଲେ ହେଁ ନାମଟି ନିତାନ୍ତ କ୍ଷୁଦ୍ର ନୁହେଁ । ବୟସ ପ୍ରାୟ ୨ ବର୍ଷ; ନାମ,-ଭ୍ୟଙ୍କଟ ରାଓ ସାହେବ ହିନ୍ଦୁ ରାଓ ଘୋରପଦୈ ।

 

ଏହିସବୁ ରାଜ୍ୟ ଥିସବାରୁ ଏବଂ ରାଜାଙ୍କର ଅପ୍ରାପ୍ତବ୍ୟବହାର ଅବସ୍ଥାରେ ଦେଶୀୟ ସଚିବଦ୍ୱାରା ରାଜ୍ୟକାର୍ଯ୍ୟ ଚଳାଇବାର ବ୍ୟବସ୍ଥା ଥିବାରୁ, ମାନ୍ଦ୍ରାଜ ପ୍ରେସିଡେନ୍ସିର କେତେଗୁଡ଼ିଏ ବିଶିଷ୍ଟବ୍ୟକ୍ତି ସେମାନଙ୍କ ନିଜ ନିଜ ଯୋଗ୍ୟତା ପ୍ରଦର୍ଶନ ସକାଶେ ଉପଯୁକ୍ତ ଏବଂ ଅନୁକୂଳ କ୍ଷେତ୍ର ପାଇଅଛନ୍ତି ଏବଂ ନିଜ ନିଜ ଉଚ୍ଚାଶର ସୀମା ସ୍ପର୍ଶ କରିବାକୁ ସକ୍ଷମ ହୋଇଅଛନ୍ତି । ଏଭଳି ସୁବିଧା ନ ଥିବାରୁ ଆପେ ଅପେକ୍ଷାକୃତ ଉଚ୍ଚତର ବିଷୟରେ ସମଧିକ କୃତକାର୍ଯ୍ୟ ହୋଇ ରାମମୋହନ, କେଶବଚନ୍ଦ୍ର ଏବଂ ଈଶ୍ୱରଚନ୍ଦ୍ରଙ୍କର ମାତୃଭୂମି ବଙ୍ଗଭୂମି, ସର୍‌ଟି. ମାଧବରାଓଙ୍କ ସମକକ୍ଷ ରାଚ୍ଚମନ୍ତ୍ରିର ପ୍ରସୂତି ହୋଇ ପାରି ନାହାନ୍ତି ।

 

ମାନ୍ଦ୍ରାଜ ପ୍ରେସିଡେନ୍ସିର ପଶ୍ଚିମାଂଶରେ ମାଙ୍ଗାଲୋର ଏବଂ କେଲିକଟ ନାମକ ଦୁଇ ଗୋଟି ପ୍ରସିଦ୍ଧ ସହର ଅଛି । ସର୍ବପ୍ରଥମେ କେଲିକଟକୁ ପର୍ତ୍ତୁଗୀଜ୍‌ମାନଙ୍କର ଆଗମନ ହୋଇଥିଲା । ମାଙ୍ଗାଲୋର ନିର୍ମ୍ମିତ ଖପରଲିରେ ପ୍ରେସିଡେନ୍ସିର ଅଧିକାଂଶ ଗୃହର ଛବି ନିର୍ମିତ ହୋଇଥାଏ,-ଏହି ଖପରଲିଗୁଡ଼ିକ ଈଷଦ୍ରକ୍ତାଭ ହୋଇଥିବାରୁ ଘରର ଶୋଭା ଅତି ମନୋହର ହୁଏ । ମଙ୍ଗାଲୋରର ଲୋକସଂଖ୍ୟା ୪୯୦୨୨ ଏବଂ କେଲିକଟ୍‌ର ଲୋକସଂଖ୍ୟା ୬୬୦୭୮ ।

 

କ୍ରମେ କ୍ରମେ ଅଗସ୍ତ୍ୟ ପର୍ବତ ଦିଶିଲା । ମହର୍ଷି ଅଗସ୍ତ୍ୟ ବିନ୍ଧ୍ୟାଚଳର ଉନ୍ନତି ନିବାରଣ ପୂର୍ବକ ଦକ୍ଷିଣଯାତ୍ରା କରି ଏହିଠାରେ ବସତି କରିଥିବାର କିମ୍ୱଦନ୍ତୀ ଅଛି । ସଂକ୍ରାନ୍ତିର ପରଦିବସ ଏହା ଅନୁଷ୍ଠିତ ହୋଇଥିବାରୁ, ଆମ୍ଭମାନଙ୍କ ଦେଶରେ ସୁଦ୍ଧା ‘‘ଅଗସ୍ତ୍ୟଯାତ୍ର’’ର ଦିନ ପ୍ରବାସ ଗମନ ପକ୍ଷରେ ନିଷିଦ୍ଧ ଦିନ ଅଟେ । ଦାକ୍ଷିଣାତ୍ୟରେ ଅଗସ୍ତ୍ୟ ସମ୍ଭବତଃ ସର୍ବପ୍ରଥମେ ଆର୍ଯ୍ୟ-ଉପନିବେଶ ସ୍ଥାପନ କରିଥିଲେ । ଦାକ୍ଷିଣାତ୍ୟରେ ସେ ତାମିଲଭାଷାର ସ୍ରଷ୍ଟା ବୋଲି କଥିତ ।

 

ଠିକ୍‌ମଧ୍ୟାହ୍ନରେ ଆମ୍ଭେମାନେ ମଦୁରା ଷ୍ଟେସନରେ ପହଁଚି ଷ୍ଟେସନ ମାଷ୍ଟରଙ୍କ କୋଠରିରେ ରହିଁଲୁ । ଆଜି ଅନ୍ନର ସାକ୍ଷାତ୍‌ନାହିଁ, ଜଳଖିଆରେ ଉଦର ପୂରଣ ହେଲା । ଷ୍ଟେସନମାଷ୍ଟରଙ୍କ ସମ୍ମତି ଏବଂ ଆଦେଶାନୁସାରେ ଆମ୍ଭମାନେ ଅପରାହ୍ନ ଘ ୨ ଟିକା ସମୟରେ ନଗର ପରିଦର୍ଶନାର୍ଥ ଗୋଟିଏ ଭଡ଼ାଗାଡ଼ୀରେ ବାହାରିଲୁଁ ।

 

ଏ ନଗରର ଲୋକସଂଖ୍ୟା ୮୨୦୦୦ । ପ୍ରଶସ୍ତ ରାଜପଥ ଏବଂ ସଙ୍କୀର୍ଣ୍ଣ ଗଳୀମାର୍ଗ ଏ ଉଭୟର ପ୍ରାୟ ସମସଂଖ୍ୟାକ ସମାବେଶ । ମମ୍ଭେମବାନେ ସହରର ସର୍ବପ୍ରଧାନ ମାର୍ଗ ଦେଇ ପ୍ରାୟ ଏକମାଇଲ ଗଲୁଁ,-ପଥର ଉଭୟପାର୍ଶ୍ୱସ୍ଥିତ ବିଚିତ୍ରଗଠନ ମନୋହର ପ୍ରାଚୀନ ଅଟ୍ଟାଳିକାଶ୍ରେଣୀ ନୟନାକର୍ଷଣ କଲା । ସ୍ଥାନେ ସ୍ଥାନେ ଭାସ୍କର୍ଯ୍ୟକୀର୍ତ୍ତିର ଅପୂର୍ବ ନିଦର୍ଶନ,-ଏଗୁଡ଼ିକ ଅନେକ ଦିନର ପୁରାତନ । ଏହି ସକାଶେ ଏବଂ ସଂସ୍କୃତଚର୍ଚ୍ଚାର ପ୍ରଧାନ କେନ୍ଦ୍ର ବୋଲି ସହରଟି "Athens Of South India" (ଦାକ୍ଷିଣାତ୍ୟର ଏଥେନ୍ସ) ନାମରେ ଅଭିହିତ । ଏକ ସମୟରେ ଏହା ପ୍ରଚୀନ ପାଣ୍ଡ୍ୟରାଜ୍ୟର ରାଜଧାନୀ ଥିଲା ।

 

ଯଥାସମୟରେ ଆମ୍ଭେମାନେ ଟିପ୍ପୋକୋଲମ୍‌ନାମକ ବୃହତ୍‌ପୁଷ୍କରିଣୀ ନିକଟରେ ଉପସ୍ଥିତ ହେଲୁଁ । ଏ ପୁଷ୍କରିଣୀଟି ଭୁବନେଶ୍ୱରର ବିନ୍ଦୁସାଗରଠାରୁ କୌଣସି ଅଂଶରେ ନ୍ୟୂନ ନୁହେଁ, ଦୀପଦଣ୍ଡି ବିନ୍ଦୁସାଗରର ଦୀପଦଣ୍ଡିଠାରୁ ବୃହତ୍‌ । ଦୀପଦଣ୍ଡି ମଧ୍ୟରେ ପାଞ୍ଚଗୋଟି ପ୍ରକାଣ୍ଡ ମନ୍ଦିର ଏବଂ ଆମ୍ରବୃକ୍ଷଶ୍ରେଣୀ ଦୃଷ୍ଟ ହେଲା । ପୁଷ୍କରିଣୀ ଚତୁର୍ଦ୍ଦିଗ ପ୍ରସ୍ତରଗ୍ରଥିତ । ଏହିଠାରୁ ପୂର୍ବଦିଗରେ ସେତୁବନ୍ଧ ରାମେଶ୍ୱର ପର୍ଯ୍ୟନ୍ତ ଗୋଟିଏ ରସ୍ତା ଯାଇଅଛି । ଏହିଠାରୁ ୪୦ ମାଇଲ । ଦସ୍ୟୁଭୟ ପ୍ରବଳ ବୋଲି ଯିବାକୁ ଆମ୍ଭମାନଙ୍କର ସାହାସ ବଳିଲା ନାହିଁ । ସାଉଥ୍‌ଇଣ୍ଡିଆନ୍‌ରେଲଓର କୋମ୍ପାନିଙ୍କର ଏହିଠାରୁ ରାମେଶ୍ୱର ପର୍ଯ୍ୟନ୍ତ ଗୋଟିଏ ଶାଖାଲୌହବର୍ତ୍ତୃ କରିବାର ପ୍ରସ୍ତାବ ହେଉଅଛି, ହୋଇଗଲେ ଯାତ୍ରିମାନଙ୍କର କଷ୍ଟର ସମଧିକ ଲାଘବ ହେବ ।

 

ଏଠାରୁ ଆମ୍ଭମାନେ ଅନ୍ୟ ମାର୍ଗଦେଇ ଗମନ କଲୁଁ । ଏହାର ଉଭୟପାର୍ଶ୍ୱରେ ବୃହତ୍‌ବଟବୃକ୍ଷଶ୍ରେଣୀ । ସହରର ଏହି ଅଂଶଟି ଇଂରେଜମାନଙ୍କର ବଡ଼ ବଡ଼ କୋଠିରେ ପରିଶୋଭିତ । ଜଜସାହେବଙ୍କ କୋଠିର ଉଦ୍ୟାନରେ ଗୋଟିଏ ଅତି ବୃହତ୍‌ବଟବୃକ୍ଷ ଦେଖିଲୁଁ,-ଏହା ପ୍ରାୟ କଲିକତାର Botanical garden (ଉଦ୍ଭିଦ୍‌ଉଦ୍ୟାନ) ମଧ୍ୟସ୍ଥିତ ପ୍ରକାଣ୍ଡ ବଟବୃକ୍ଷର ସମକକ୍ଷ ।

 

୧୫ ମିନିଟ ମଧ୍ୟରେ ଆମ୍ଭମାନେ ଟିରୁମଲାଙ୍କ ଭବନରେ ଉପସ୍ଥିତ ହେଲୁଁ । ଏ ଗୃହର ବର୍ଣ୍ଣନା ମୋହର ସମ୍ପର୍ଣ୍ଣ ଅସାଧ୍ୟ । ପ୍ରଙ୍ଗଣ ମଧ୍ୟରୁ ଚତୁପାର୍ଶ୍ୱ ପର୍ଯ୍ୟବେକ୍ଷଣ କରି ମନେ ହେଲା, ଆଜି ମୋହର ସୁପ୍ରଭାତ, ଜୀବନ ସାର୍ଥକ ହେଲା । ମାନ୍ଦ୍ରଜ ହାଇକୋର୍ଟରେ ଆଧୁନିକ ଗଠନର ଅନେକ କାଚର କାର୍ଯ୍ୟ ଅଛି ସତ୍ୟ, ମାତ୍ର ଘରର କାର୍ଯ୍ୟ ଏଡ଼େ ସୁନ୍ଦର ଏବଂ ଦୃଢ଼ ନୁହେ । ୫୦ । ୬୦ ଫୁଟ ଉଚ୍ଚ ଏକ ସହସ୍ର ସ୍ତମ୍ଭ ଏହା ମଧ୍ୟରେ ଅଛି । ସହସ୍ରସ୍ତମ୍ଭଯୁକ୍ତ ଅଟ୍ଟାଳିକାକୁ ପ୍ରକୃତ ଚୌଲଟ୍ରି କହନ୍ତି । କ୍ରମଶଃ ଏହି ଶବ୍ଦଟି ସାଧାରଣ ପାନ୍ଥଶାଳାପ୍ରତି ପ୍ରଯୁକ୍ତ ହୋଇଅଛି ।

 

ଗୋଟିଏ ଗୋଟିଏ ସମ୍ଭର ବେଢ଼ ପୁଣି ୧୦ ହାତରୁ କମ ନୁହେ । ବୃହତ୍‌ଖିଲାଣ୍ୟକାର୍ଯ୍ୟ ମସ୍ତକରେ ଧାରଣ କରି ଏହି ସ୍ତମ୍ଭମାନ ବିରାଜିତ । ଗୃହଗୁଡ଼ିକର ତଳ, ମର୍ମର ଏବଂ ମୁଗୁନି ପ୍ରସ୍ତରରେ ଆବୃତ ହୋଇ ଚିତ୍ରାସ୍ତରଣର ଶୋଭା କରିଅଛି । ମଦୁରାର ପରାକ୍ରାନ୍ତ ରାଜା ଟିବୁମଲାନାୟକଙ୍କ ଏହାହିଁ ପ୍ରଧାନ କୀର୍ତ୍ତି । ସପ୍ତଦଶ ଶତାବ୍ଦୀରେ ଏହା ନିର୍ମ୍ମିତ ହୋଇଥିଲା, ମାତ୍ର ଗଭର୍ଣ୍ଣମେଣ୍ଟ ଆଜିକାଲି ଏହାର ସଂସ୍କାର କରି ଜଜକୋର୍ଟରୂପେ ବ୍ୟବହାର କରୁଅଛନ୍ତି । ଟିରୁମଲାଙ୍କ ଜୀବଦ୍ଦଶାରେ ସଦ୍ୟଗଠିତାବସ୍ଥାରେ ଏହାର କେଡ଼େ ଶୋଭାଂହୋଇ ନ ଥି । ? ବଙ୍ଗକବିପ୍ରବର ମାଇକେଲଙ୍କ–

 

‘‘କୋଥା ସେ ରାଜେନ୍ଦ୍ର ଏବେ, ଯାର ଇଚ୍ଛାବଳେ

ବୈଜୟନ୍ତି ସମ ଧାମ ଏ ମର୍ତ୍ତ୍ୟକ୍ରନ୍ଦନେ

ଶୋଭିଲ ? * * * * * *

 

ଏହି ଉକ୍ତି ଏହିଠାରେ ସମ୍ପୂର୍ଣ୍ଣ ସାର୍ଥକତା ଲଭିଅଛି । ଟିଭୁମଲାଙ୍କ ନଶ୍ୱରଦେହ କାଳକର୍ତ୍ତ୍ୱକ ଅପଦ୍ରୁତ ହୋଇଅଛି, କେବଳ ଏହି ଗଗନସ୍ପର୍ଶୀ ବିଶାଳହର୍ମ୍ମ୍ୟ ତାହାଙ୍କର ସ୍ମୃତିକୁ ଆଜିପର୍ଯ୍ୟନ୍ତ ସଜୀବ ରଖିଅଛି; ମଧ୍ୟ ବହୁକାଳ ରଖିବ ।

 

ଏହିଠାରୁ ଆମ୍ଭେମାନେ ଏଠାର ମିନାସୀଦେବୀଙ୍କ ପ୍ରଧାନମନ୍ଦିର ସନ୍ଦର୍ଶନାର୍ଥ ଗମନ କଲୁଁ । ଏ ମନ୍ଦିରର ଦୁଇଗୋଟି ବୃହତ୍‌ଗୋପୁରମ୍‌ଦାକ୍ଷିଣାତ୍ୟରେ ପ୍ରଧାନ ଦ୍ରଷ୍ଟବ୍ୟ ମଧ୍ୟରେ ଗଣ୍ୟ । ପ୍ରତିମୂର୍ତ୍ତିର ଏଡ଼େ ସୁଚାରୁ ଭାସ୍କର୍ଯ୍ୟ ଭାରତର ଅନ୍ୟ କୌଣସି ଅଂଶରେ ନ ଥିବ ପରା–ପୁଣି ପ୍ରାୟ ସମସ୍ତ ଚୁନରେ ନିର୍ମ୍ମିତ । ସମସ୍ତ ବେଢ଼ା ଦୁଇ ମାଇଲରୁ କମ୍‌ହେବ ନାହିଁ,–ଏତେଗୁଡ଼ିଏ ମନ୍ଦିର ଏବଂ ଗୃହରେ ଏହା ପରିପୂର୍ଣ୍ଣ । ମଧ୍ୟସ୍ଥିତ ସହସ୍ରସ୍ତମ୍ଭର ଚୌଲଟ୍ରି ଏବଂ ଗୋପୁରମ୍‌ସମ୍ମୁଖରେ ଅନ୍ୟ ଗୋଟିଏ ଚୌଲଟ୍ରି ଅତି ସଦୃଶ୍ୟ । ଗୋପୁରମ୍‌ସମ୍ମୁଖସ୍ଥ ଚୌଲଟ୍ରିର ଯାବତୀୟ ସ୍ତମ୍ଭମୁଗୁନି ପ୍ରସ୍ତରରେ ନିର୍ମ୍ମିତ, ଏବଂ ଏଥିରେ ଏପରି କୌଣସି ଅଂଶ ନାହିଁ ଯାହା କାରୁକାର୍ଯ୍ୟମଣ୍ଡିତ ନୁହେ । ଏ ଚୌଲଟ୍ରିର ଗଠନପ୍ରଣାଳୀରେ ସବୁଚିର ପରାକାଷ୍ଠା ପ୍ରଦର୍ଶିତ ହୋଇଅଛି ।

 

ପରିଶେଷରେ ମିନାସୀଦେବୀଙ୍କ ସିନ୍ଦୁରାବୁଣିତ ଚରଣଯୁଗଳରେ ପ୍ରଣତ ହେଲି । ରତ୍ନାଳଙ୍କାରଶୋଭିତ ଦେବୀବିଗ୍ରହ କେଡ଼େ ସୁନ୍ଦର ! ମନ୍ଦିରାଭ୍ୟନ୍ତରସ୍ଥ ସମଗ୍ର ସ୍ୱର୍ଣ୍ଣ ଏବଂ ଧାତୁନିର୍ମିତ ଦ୍ରବ୍ୟମାନଙ୍କର ଅନୁମାନିକ ମୂଲ୍ୟ ଆଠ ଲକ୍ଷ ଟଙ୍କା ବୋଲି ଶୁଣିଲି ।

 

ଏଠାରେ ପିତ୍ତଳ ଏବଂ ତାମ୍ରବାସନଗୁଡ଼ିକର ନିର୍ମାଣପ୍ରଣାଳୀ ଅତୀବ ଚମତ୍କାରଜନକ । ପିତ୍ତଳ ଏବଂ ତାମ୍ରପାତ୍ର ଏଡ଼େ ସୁଶ୍ରୀ ହେବାର ମୁଅନ୍ୟତ୍ର ଦେଖି ନାହିଁ । ଆମ୍ଭେମାନହେ ୨ ।୩ ଟି ଦୋକାନରେ ଉଭୟଧାତୁନିର୍ମ୍ମିତ ପାତ୍ରସମୁହର ଉତ୍କୃଷ୍ଟ କାର୍ଯ୍ୟ ଦେଖି ଚକ୍ଷୁ ସାର୍ଥକ କରି ନେଲୁଁ ।

 

ଅପରାହ୍ନ ଘ ୫ ଟିକା ସମୟରେ ଆମ୍ଭେମାନେ ଷ୍ଟେସନ ଗୃହରେ ଆସି ଉପସ୍ଥିତ ହେଲୁଁ । କିଛିକ୍ଷଣ ପରେ ପ୍ରୟୋଜନ ବିଶେଷରେ ଆମ୍ଭେମାନେ ଷ୍ଟେସନର ଅର୍ଦ୍ଧମାଇଲଦୂରବର୍ତ୍ତୀ ଗୋଟିଏ ପ୍ରାନ୍ତରକୁ ଚାଲି ଗଲୁଁ । ସେଠାରେ ପହୁଞ୍ଚଲା ବେଳକୁ ସେଥିର ନିକଟବର୍ତ୍ତୀ ଗୋଟିଏ ଶ୍ମଶାନକୁ ଅଗ୍ନିସଂସାର ସକାଶ ଗୋଟିଏ ଶବ୍ଦ ଆନୀତ ହେଉଥିବାର ଦେଖିଲି । ଏମାନଙ୍କର ଶବିଦାହ ପ୍ରଥା ଅତି ଅଦ୍ଭୁତ । ମୃତମନୁଷ୍ୟର ମୁଖ ଏବଂ ଦେହ ଉନ୍ମୁକ୍ତ ରଖି, ଶବକୁ ଫୁଲରେ ସଜ୍ଜିତ କରି ଆଣିଥିଲେ । କ୍ରମଶଃ ଚିତା ଉପରେ ଶବ ସ୍ଥାପନ କରି ବାହକମାନେ ନାନାପ୍ରକାର ହାସ୍ୟ ପରିହାସ ଆରମ୍ଭ କଲେ । ଠିକ୍‌ଅଗ୍ନି ପ୍ରଦାନ ସମୟରେ ମୃତବ୍ୟକ୍ତିର ସ୍ତ୍ରୀ ଏବଂ ସନ୍ତାନମାନେ ହୃଦୟବିଦାରକ କ୍ରନ୍ଦନ ଆରମ୍ଭ କଲେ । ଏ କ୍ରନ୍ଦନ ଅବଶ୍ୟ ଏତଦ୍ଦେଶୀୟ ଭାଷାରେ, ଆମ୍ଭେମାନେ ତାହା କାହୁଁ ବୁଝିବା, ମୃତ୍ୟୁ ପରକ୍ଷଣରେ ପରି ବାରବର୍ଗ ସାଧାରଣତଃ ଯେପରି ଶୋକ କରନ୍ତି, ଏହା ସେହିପରି ହୋଇଥିବ । ପରିଶେଷରେ ଗୋଟିଏ ବୃଦ୍ଧା (ସମ୍ଭବତଃ ମୃତଲୋକର ମାତା) ଶବର ନିକଟସ୍ଥ ହୋଇ ନିଜର କେଶାକର୍ଷଣପୁଙ୍କକ ଗଗନଭେଦୀ ଚିତ୍କାର ଆରମ୍ଭ କରି ଉନ୍ମତ୍ତ ପ୍ରାୟ ହେଲା । ପ୍ରାନ୍ତରର ପ୍ରତିଧ୍ୱନି ଏହି ଚିତ୍କାରକଚୁ ବ୍ୟଙ୍ଗ କଲା, କିନ୍ତୁ ମୃତମନୁଷ୍ୟ ଉତ୍ତର ଦେଲା ନାହିଁ । ଶବସତ୍କାରସନ୍ଦର୍ଶନ ମୋହର ଜୀବନର ଏହି ପ୍ରଥମ ସୁତରାଂ ଏହା ଦେଖି ଶରୀର ଅନୁକ୍ଷଣ ଲୋମାଞ୍ଚିତ ହେଉଥିଲା, ଏବଂ ମନ ଅତୀବ ବ୍ୟାକୁଳ ହେଉଥିଲା । ଭାଳିଲି ବିଧାତଃ ! ଏ ନିର୍ମ୍ମମ ସଂସାର ସୃଜନ କରିବାକୁ ତୁମ୍ଭଙ୍କୁ କିଏ କହୁଥିଲା ? ଯେ ମୋତେ ପ୍ରାଣଠାରୁ ଅଧିକ କରି ମଣେ, ସେ ଥରେ ଆଖି ବୁଜିଲେ ଆଉ ମୋତେ ଚାହିଁବ ନାହିଁ । ମୁ ଟିକିଏ ‘‘ଉହୁ’’ କଲେ ଯେ କାତର ହୋଇ କାରଣ ଜିଜ୍ଞାସୁ ହେଉଥିଲା, ବର୍ତ୍ତମାନ ମୁ ପ୍ରାଣତ୍ୟାଗ କଲେ ସୁଦ୍ଧା ସେ ଆଖି ଫିଟାଇବ ନାହିଁ ! ତାହା ହେଲେତ ସଂସାରରେ ସମସ୍ତେହିଁ ପର ! କେହି କି ଆପଣାର ନୁହେ ? ସମସ୍ତଙ୍କ ସହିତ କଅଣ ଜୀବନାବଧି ସମ୍ବନ୍ଧ ? ଏ ବିକଟ ଶ୍ମଶାନରେ ଶୟାନ ହେଲେ, ଆଉ କାହାରି ସଙ୍ଗେ ସମ୍ପର୍କ ରହେ ନାହିଁ । ରେ ସମ୍ବନ୍ଧବିଚ୍ଛନ୍ନକାରୀ ଶ୍ମଶାନ ! ମର୍ତ୍ତ୍ୟରଙ୍ଗଭୂମିରେ ତୁ କି ଅଦ୍ଭୁତ ଯବନିକା ପକାଇ ରଖିଅଛୁ ! ସୃଷ୍ଟିରୁ ଆରମ୍ଭରୁ ଆଜିଯାଏ କାହାରି ଦୃଷ୍ଟିତ ସେହି ଯବନିକା ଭେଦକରି ପାରିଲା ନାହିଁ ! କାହାରି ଡାକର ସେ ଯବନିକାର ଆରପାଖକୁ ଗଲା ନାହିଁ, କିମ୍ବା ସେ ପାଖର ଡାକର ଏ ପାଖକୁ ଶୁଭିଲା ନାହିଁ ! ଏହି ଯେ ଦୁଃଖିନୀ ସ୍ନେହମୟୀ ଜନନୀର ପାଷାଣଦ୍ରବକାରୀ କରୁଣ ଅର୍ତ୍ତନାଦ, ତାହା ତୋହର ସେହି ଦାରୁଣ ଯବନିକାରେ ଭେଟି ସେହିଠାରୁ ଫେରିଲା ସିନା ! ତୁ କି ଏଡ଼େ ନିର୍ମ୍ମମ, ଏଡ଼େ ବଧିର ! ତୋହର ଘଟ୍ଟକୁଟୀର ଶୁଳୁରୁ କି କାହାରି ଛାଡ଼ି ନାହିଁ ? ଆମ୍ଭେମାନେ ଦରିଦ୍ର, ଆମ୍ଭମାନଙ୍କର ଛାଡ଼ି ପାଇବାର କଥା ନୁହେ । ମାତ୍ର ଯେମାନେ ଧନୀ, ବୃତ୍ତୀଶ୍ୱର, ରାଜ୍ୟେଶ୍ୱର, ଚକ୍ରେଶ୍ୱର, ଯେମାନେ ତୋହର ପେଟ ପୂରାଇ ତୋତେ ଉତ୍କୋଚ ଦେବାକୁ ସକ୍ଷମ, କାହିଁ ସେମାନଙ୍କର ସୁଦ୍ଧାତ ଆମ୍ଭମାନଙ୍କ ପରି ଦଶ !

 

ଏପରି ଭାବୁଁ ଭାବୁଁ ନିତାନ୍ତ ବ୍ୟାକୁଳଚିତ୍ତରେ ଷ୍ଟେସନକୁ ଫେରି ଆସିଲି । ଗାଡ଼ୀ ରାତ୍ରି ଘ ୮ ଟିକା ବେଳେ ପ୍ରସ୍ଥାନ କରିବ, ସତରାଂ ସମୟ ଅଳ୍ପ ବୋଲି ଆମ୍ଭମାନଙ୍କ ନିତ୍ୟକାଯ୍ୟଗୁଡ଼ିକ ଶୀଘ୍ର ସମାଧାନ କଲୁଁ । ଜଳଖିଆ ଉରତ୍ତାରୁ ଏ ଷ୍ଟେସନର ବୁକିଂ କ୍ଲାର୍କ ଶ୍ରୀଯୁକ୍ତ ନରସିଂହ ରାଓ ଏବଂ ସିଗ୍‌ନେଲାର ଶ୍ରୀଯୁକ୍ତ ନାରାୟଣ ରାଓ ମହୋଦୟଦ୍ୱୟଙ୍କ ସହିତ ଆଳାପ ହେଲା । ଏମାନଙ୍କ ସ୍ୱଭାବ ଅତି ଶିଷ୍ଟ ଏବଂ ସରସ । ଏମାନେ ଅତି ଯତ୍ନସହକାରେ ମୋତେ ଷ୍ଟେସନର ପ୍ରଧାନ ପ୍ରଧାନ ସ୍ଥାନଗୁଡ଼ିକ ଦେଖାଇଲେ । ଷ୍ଟେସନର ଭୋଜନାଳୟଟି (Refreshment room) ସୁରୁଚିସମ୍ମତ ଉପକରଣରେ ସଜ୍ଜିତ, ଏବଂ ଦାକ୍ଷିଣାତ୍ୟରେ ପ୍ରଧାନ ପ୍ରଧାନ ଦର୍ଶନୀୟ ଦେବମନ୍ଦିରଗୁଡ଼ିକର ଆଲୋକଚିତ୍ର (Photograph) ଧାରଣ କରି ଅତି ସୁନ୍ଦର ଦିଶୁଥିଲା ।

 

କ୍ରମଶଃ ଆମ୍ଭମାନଙ୍କ ପ୍ରସ୍ଥାନର ସମୟ ନିକଟବର୍ତ୍ତୀ ହେବାରୁ ଆମ୍ଭେମାନେ ଉଦ୍ବିଗ୍ନ ହେଲୁଁ । ଟିକଟ କିଣି, ଷ୍ଟେସନମାଷ୍ଟର, ବୁକିଂ କ୍ଲାର୍କ, ଏବଂ ସିର୍‌ନେଲାର ମହୋଦୟମାନଙ୍କୁ ଅଭିବାଦନପୂର୍ବକ ବିଦାୟ ଗ୍ରହଣ କଲି । ଯଥାସମୟରେ ଗାଡ଼ୀ ଟିଉଟିକରି ନ ଆଡ଼ରୁ ପହଁଞ୍ଚିଲା । ସ୍ୱୟଂ ଷ୍ଟେସନମାଷ୍ଟର ମହାଶୟ ଆମ୍ଭମାନଙ୍କୁ ଗାଡ଼ୀରେ ଭଲସ୍ଥାନ କରି ଦେଲେ । ସେ ବ୍ରାହ୍ମଣ, ଅତଏବ ଆମ୍ଭେମାନେ ପ୍ରଣତ ହୋଇ ତାହାଙ୍କ ନିକଟରୁ ବିଦାୟ ଗ୍ରହଣ କରି ଗାଡ଼ୀରେ ଆସୀନ ହେଲୁଁ ।

 

ଗାଡ଼ୀର ଗତିବେଳେ କ୍ଲାନ୍ତିବଶତଃ ନିଦ୍ରା ଉପସ୍ଥିତ ହେଲା । ପାଲନି, ଏବଂ କୋଡ଼କୋନଲ ପର୍ବତ ପଶ୍ଚାତରେ ପଡ଼ି ରହିଲା । ଏ ଗୁଡ଼ିକର ନୈଶଶୋଭା ଦେଖିବାର ମୋହୋ ଭାଗ୍ୟରେ ଘଟିଲା ନାହିଁ ।

 

୧୩-୮-୯୫ ମଙ୍ଗଳବାର–ରାତ୍ରି ଘ ୨ ଟିକା ସମୟରେ ଗାଡ଼ୀ ତ୍ରିଚିନାପଲୀ ଷ୍ଟେସନରେ ଉପନୀତ ହେଲା, ଆମ୍ଭେମାନେ ମଧ୍ୟ ଅବତରଣ କଲୁଁ । ଷ୍ଟେସନରେ ଦେଖିଲୁଁ ଅନେକ ଭଡ଼ାଗାଡ଼ୀ ଏକତ୍ର ରହିଅଛି । ସହର ଏଠାରୁ ୩ ମାଇଲ, ସୁତରାଂ ଆମ୍ଭେମାନେ ଗୋଟିଏ ଗାଡ଼ୀ ଭଡ଼ା କରି ବାହାରିଲୁଁ । ଏକଘଣ୍ଟା ପୂର୍ବରୁ ନିଦ୍ରାର ତିରୋଧାନ ହୋଇଥିଲା ସତ୍ୟ, କିନ୍ତୁ ତନ୍ଦ୍ରାର କିଛି କିଛି ଦୌସତ୍ୱ୍ୟ ଅନୁଭୂତି ହେଉଥିଲା,–ତାହା ମଧ୍ୟ ଗାଡ଼ୀର ଦୀର୍ଘକାଳ ବ୍ୟାପୀ ଆନ୍ଦୋଳନରେ ଦୂର ହୋଇଗଲା । ଏହି ୩ ମାଇଲ ବାଟ ପହଁଚିବାକୁ ପ୍ରାୟ ଦେଢ଼ଘଣ୍ଟା ସମୟ ଲାଗିଲା ।

 

ଗାଡ଼ୀଚାଳକ ଆମ୍ଭମାନଙ୍କୁ ଗୋଟିଏ ଛତ୍ରମୁ (ପାନ୍ଥଶାଳା) ରୁ ନେଇ ଆସିଲା । ଆମ୍ଭେମାନେ ଏଠାରେ ଅବଶିଷ୍ଟ ରାତ୍ରି ଯାପନ କଲୁଁ । ଏହି ସମୟ ମଦ୍ୟରେ ଆଉ ନିଦ୍ରାର ସାକ୍ଷାତ୍‌ମିଳିଲା ନାହିଁ, ଅପରିଚିତ ଦେଶରେ ଚୌର୍ଯ୍ୟଭୟର ଅଧିକ ସମ୍ଭାବନା ହେତୁରୁ ଅତି ସତର୍କତାର ପ୍ରୟୋଜନ ହେଲା ।

 

ଆଜି ଅନୁଦୟଶୀନ ବନ୍ଦ । ପ୍ରାତଃକାଳରେ ଗୋଟିଏ ଇଂରାଜୀ ଜାଣିଥିବା ବ୍ୟକ୍ତିଙ୍କର ସାକ୍ଷାତ୍‌ପାଇଲି, ସେ ଏ ସ୍ଥାନର ଦର୍ଶନୀୟ ପଦାର୍ଥ ଦେଖାଇ ଦେବା ସକାଶେ ପ୍ରତିଶ୍ରୁତି ହେଲେ, କିଛି ପ୍ରାପ୍ତିର ଆଶା ମଧ୍ୟ ତାହାଙ୍କ ହୃଦୟରେ ଉପୁଜାଇ ଦେଲି । ତତ୍‌କ୍ଷଣାତ୍‌ଗୋଟିଏ ଗାଡ଼ୀ ରଡ଼ାକରି ସେ ଆମ୍ଭମାନଙ୍କୁ ଏଠାର ଶୈଳଶିଖରସ୍ଥିତ ମନ୍ଦିର ନିକଟକୁ ନେଇ ଗଲେ । ଏହି ପର୍ବତପାଦଦେଶରେ ଆମ୍ଭମାନଙ୍କ କାବେରୀସ୍ନାନ ଅନୁଷ୍ଠିତ ହେଲା ।

 

ଏ ଶୈଳଟି ସହରରୁ ୨୫୦ ଫୁଟ ଉର୍ଦ୍ଧ୍ୱରେ ଅବସ୍ଥିତ । ଶୈଳର ଦେହ ଉଦ୍ଭିଦଶୂନ୍ୟ,–କେବଳ ପ୍ରସ୍ତରଖଣ୍ଡର ଗୋଟିଏ ବୃହତ୍‌ସ୍ତୁପ । ଆମ୍ଭେମାନେ ଅରୋହଣ କଲୁଁ । ଶୈଳର କଟିଦେଶରେ ଗୋଟିଏ ଶିବମନ୍ଦିର ଏବଂ କେତେଗୁଡ଼ିଏ ଗୁମ୍ଫା ବିଦ୍ୟମାନ । ଶିଖରକୁ ଯିବାର ମାର୍ଗ ମନ୍ଦ ନୁହେ, ପ୍ରସ୍ତର କଟା ହୋଇ ସୋପାନାକୃତିରେ ନିର୍ମିତ । ଶିଖରରେ ଗଣେଶଙ୍କ ଗୋଟିଏ ମନ୍ଦିର, ଏବଂ ଚତୁର୍ଦ୍ଦିଗରେ ପ୍ରାଚୀରବେଷ୍ଟିତ । ଏହା ଦେଖି ହଠାତ୍‌ଧଉଳୀ ପଦ୍ଧତି ମୋହର ମନେ ପଡ଼ିଲା । ଓଡ଼ିଶାର ବିଖ୍ୟାତ ବୌଦ୍ଧକୀର୍ତ୍ତି ଭୁଷିତ ଧଉଳୀପ୍ରାୟ ଏହିପରି । ଧଉଳୀ ତଳେ ଦୟା ପରି ଏହା ତଳେ କାବେରୀ । ଏହାର ଶିଖରରେ ଗଣେଷଙ୍କ ମନ୍ଦିର, ଧଉଳୀରେ ମଧ୍ୟ ତଦ୍ରୁପ । ନଗ୍ନତାରେ ମଧ୍ୟ ଏହା ଧଉଳୀ ସଦୃଶ ।

 

ଏହି ପର୍ବତତାଳୁରୁ ଚତୁର୍ଦ୍ଦିଗର ଆନନ୍ଦପ୍ରଦାୟିନୀ ଶୋଭାର ସମାବେଶ ଅତି ନୟନତୃପ୍ତିକର । ଉତ୍ତରଦିଗରେ ଶ୍ରୀରଙ୍ଗମର ମନ୍ଦିରଗୁଡ଼ିକ,ପୁର୍ବରେ ତାଞ୍ଜୋର କ୍ରୋଶ କ୍ରୋଶ ବ୍ୟାପୀ ବିସ୍ତୀର୍ଣ୍ଣ ପ୍ରାନ୍ତର, ଦକ୍ଷିଣରେ ତ୍ରିଚିନାପଲୀ ସହର ଏବଂ ପଶ୍ଚିମରେ ‘‘କାବେରୀ ମେଖଳ’’ ତ୍ରିକୋଣାକୃତି ମଳୟଗିରି । ପ୍ରାଚୀନ ମଳୟଗିରି ଅଚ୍ଚିକାଲି ନୀଳଗିରି ନାମ ଧାରଣ କରିଅଛି । ଏକଭୂମି ଉପରେ ବହୁସଂଖ୍ୟକ ତ୍ରିଭୁଜପ୍ରାୟ ଏହା ଦୃଷ୍ଟ ହେଲା । ଏହାର ଦୌର୍ଘ ୪୦ ମାଇଲ, ସ୍ଥାନେ ସ୍ଥାନେ ଉଚ୍ଚତା ୮୦୦୦ ।୯୦୦୦ ଫୁଟ । ଏଥିରେ ଅସଂଖ୍ୟ ଚନ୍ଦନବୃକ୍ଷ ଲକ୍ଷିତ ହୁଏ, କଫି ଏବଂ ସିନ୍‌କୋନାର ବିସ୍ତୃତ ଚାଷ ମଧ୍ୟ ଅଛି । ‘‘ଟୁଡ଼ା’’ ନାମକ ଏକ ସମ୍ପ୍ରଦାୟକଙ୍କର ଏହା ଆବାସସ୍ଥଳ । ଏମାନେ ଅତି ନିରୀହ ଏବଂ ସତ୍ୟପ୍ରିୟ । ବ୍ରାହ୍ମଣମାନଙ୍କପ୍ରତି ଏମାନଙ୍କର ଆଦୌ ଶ୍ରଦ୍ଧା ନାହିଁ । ଏମାନଙ୍କ ଆଚାର ବ୍ୟବହାର ଆମ୍ଭମାନଙ୍କ ଦେଶରେ କନ୍ଦଜାତିଙ୍କ ପରି, କନ୍ଦମାନଙ୍କ ପରି ଏମାନେ ନିର୍ଭୀକ । ଏମାନେ ଅବଶ୍ୟ ଆମ୍ଭମାନଙ୍କ (ସହରିଙ୍କ) ନିକଟରେ ଜଙ୍ଗଲୀ ବୋଲି ଅନାଦୃତ, କିନ୍ତୁ ଯେଉଁମାନେ ଏହି ସବୁ ପାର୍ବତ୍ୟଜାତିଙ୍କ ଆଚରଣ ଚାକ୍ଷୁଷ ପ୍ରତ୍ୟକ୍ଷ କରିଅଛନ୍ତି, ସେମାନେ ଏମାନଙ୍କ ପ୍ରତି କଦାଚ ଅବଜ୍ଞା ପ୍ରଦର୍ଶନ କରିବେ ନାହିଁ । ଏମାନଙ୍କଠାରେ ସଦ୍ଗୁଣର ଅଭାବ ନାହିଁ,–ଏକତା, ସାହସ, ଶୌର୍ଯ୍ୟ, ସାରଲ, ଓଦାର୍ଯ୍ୟ ପ୍ରଭୃତି ବିଷୟରେ ଏମାନେ ଆମ୍ଭମାନଙ୍କୁ ସନ୍ଥ ଦେବାକୁ ଯୋଗ୍ୟ । ମୁ ସ୍ୱୟଂ ଓଡ଼ିଶାର କେତେକ ପାର୍ବତ୍ୟପ୍ରଦେଶରେ ଏମାନଙ୍କ ରୀତିନୀତି ଦେଖି ଅନୁମାନ କରିଅଛି ଯେ ଏହି ଅଶିକ୍ଷିତ ଏବଂ ବର୍ବରଜାତିଙ୍କ ସତ୍ୟପ୍ରିୟତା ଶିକ୍ଷିତ ଏବଂ ସଭ୍ୟଜାତିମାନଙ୍କ ରୀତିନୀତି ଅପେକ୍ଷା ବହୁପରିମାଣରେ ଅଧିକ । ପାର୍ବତ୍ୟପ୍ରଦେଶରେ ଅଧିବାସିମାନଙ୍କ ଉପରେ ପ୍ରକୃତ ସମ୍ଭବତଃ ଅଧିକ ପ୍ରସନ୍ନ । ପାର୍ବତ୍ୟଜାତିଙ୍କ ଦେହ ଏବଂ ମନର ଶିକ୍ଷାର ଭାର ପ୍ରକୃତି ସ୍ୱୟଂ ଗ୍ରହଣ କରନ୍ତି । ଏମାନଙ୍କ ଦେହ ପ୍ରାୟ ବଳିଷ୍ଠ ଓ ଦୃଢ଼ ହୁଏ, ଏବଂ ପ୍ରକୃତିଦୁର୍ଗରେ ସୁରକ୍ଷିତ ହୋଇ ଏମାନେ ସ୍ୱାଧୀନତାପ୍ରିୟ ହୁଅନ୍ତି । ଏମାନଙ୍କୁ ବଳେ ଆତ୍ମନିର୍ଭରଶୀଳ ହେବାକୁ ହୁଏ; କାରଣ ପାର୍ବତ୍ୟ ପ୍ରଦେଶରେ ଜୀବକାଲାର ଅଳ୍ପାୟସ ସାଧ୍ୟ ନୁହେ । ବିଳାସମୁଖ କିମ୍ବା ଦୁରାକାଙ୍କ୍ଷା । ଏମାନଙ୍କ ମଧ୍ୟରେ ପଶିପାରେ ନାହିଁ; ଅନ୍ୟ ଧନ ଅଭାବରେ ସନ୍ତୋଷ ଏମାନଙ୍କର ପରମଧନ । ପ୍ରକୃତିକ୍ରୋଡ଼ରେ ଭାଳିତ ହୋଇ, ସଭ୍ୟତାଡ଼ମ୍ବରରୁ ବହୁଦୂରରେ ରହି ଏମାନେ ଆମ୍ଭମାନଙ୍କ ଅପେକ୍ଷା କେତେ ଅଧିକ କଷ୍ଟସହିଷ୍ଣୁ ଏବଂ ଅଧ୍ୟବସାୟଶୀଳ ହୋଇ ଉଠନ୍ତି । ପୁଣି ଟୁଡ଼ାମାନଙ୍କର ଗୋଟିଏ ବିଶେଷତ୍ୱ ଏହି ଯେ ଶାରୀରିକ ସୌନ୍ଦର୍ଯ୍ୟ ଏବଂ ଅବସ୍ୱବଗଠନ ସମ୍ବନ୍ଧରେ ଏମାନେ ଆର୍ଯ୍ୟମାନଙ୍କର ସମ୍ପୂର୍ଣ୍ଣ ସମକକ୍ଷ । ଏମାନଙ୍କ ପରି ସୁଶ୍ରୀ ଅରଣ୍ୟଜାତି ଭାରତ ବର୍ଷରେ ପ୍ରାୟ ନାହାନ୍ତି । ଏମାନଙ୍କର ସଦ୍ଗୁଣରାଶି ସଙ୍ଗେ ଶିକ୍ଷା ଯୋଗ ହେଲେ ମଣିକାଞ୍ଜନ ତୁଲ୍ୟ ହୁଅନ୍ତା । ମାତ୍ର ଦୁଃଖର ବିଷୟ ଏହି ଯେ ଶିକ୍ଷାଦ୍ୱାରା ଯେପରି ସୁଫଳ ହେବାର ଉଚିତ, ଅନେକସ୍ଥଳରେ ସେଥିର ବିପରୀତ ଘଟିଦାର ଦେଖାଯାଏ । ଅଳ୍ପଦିନ ପୂର୍ବେ କୌଣସି ସଭ୍ୟଦେଶରେ ଶିକ୍ଷିତ ଏବଂ ଅଶିକ୍ଷିତ କଏଦିଙ୍କ ମଧ୍ୟରେ ତୁଳନା କରାଯାଇ ଦେଖା ଯାଇଅଛି ଯେ ସମସଂଖ୍ୟକ ଶିକ୍ଷିତ ଏବଂ ଅଶିକ୍ଷିତ କଏଦୀ ମଧ୍ୟରେ ପ୍ରଥମୋକ୍ତ କଏଦିପୁଞ୍ଜର ଅପରାଧ ଅଧିକ ଗରୀୟନ୍‌ । ଶିକ୍ଷାଦ୍ୱାରା ମନୁଷ୍ୟର ବୁଦ୍ଧିବୃତ୍ତି ଯେପରି ମାର୍ଜଜିତ ହୁଏ, ଧର୍ମଜ୍ଞାନ ସେହିପରି ଉଜ୍ଜ୍ୱଳ ହେବାର ଉଚିତ, ମାତ୍ର ଫଳରେ ଏହା ହୁଏ କି ? ବରଂ ଅନେକସ୍ଥଳରେ ଶିକ୍ଷା ବିଷଧର ଭୁଜଙ୍ଗର ମଣି ପରି ଭୟଙ୍କର ହୁଏ ।

 

ମଳୟପର୍ବତର ଅବସ୍ଥିତି ହେତୁରୁ ହେଉ ଅଥବା ସମଶୀତଳ ମଳୟସମମାରଣର ଚିରସଂଚାର ହେତୁରୁ ହେଉ ଭାରତବର୍ଷର ଦକ୍ଷିଣ ପଶ୍ଚିମସ୍ଥିତ ଏହି ପାର୍ବତୀୟ ପ୍ରଦେଶର ସାଧାରଣ ନାମ ମଳୟାଲୟ ଅଟେ । ଉତ୍ତରରେ ହିମାଳୟ ଯେପରି କୌଣସି ପର୍ବତକିଶେଷର ନାମ ନୁହେ, ମଳୟାଲୟ ସେହିପରି କୌଣସି ଗୋଟିଏ ପର୍ବତର ନାମ ନୁହେ । ସମଗ୍ର ଶୈଳାକୀର୍ଣ୍ଣ ପ୍ରଦେଶର ଏହା ସାଧାରଣ ନାମ । ଏହାର ଅପର ନମା କେରଳ । କେରଳୀମାନଙ୍କର ଏବଂ ‘‘କେରଳୀ କେଶପାଶ’’ର ସୌନ୍ଦର୍ଯ୍ୟ ବ୍ୟାଖ୍ୟାନ ବିଷୟରେ ସୌନ୍ଦର୍ଯ୍ୟୋପାସକ ସଂସ୍କୃତକବିମାନେ ମୂକ ନ ଥିଲେ ।

 

ଶୈଳରୁ ଅବତରଣ କରି ଆମ୍ଭେମାନେ ସହରର ଦିଓଟି ପ୍ରଧାନ କଲେଜ ଦେଖିଲୁଁ, ଏହା ଠିକ୍‌ଶୈଳର ପାଦଦେଶରେ ଅବସ୍ଥିତ । St.Joseph College ଏବଂ S.P.G College ନାମରେ ଏଗୁଡ଼ିକ ଅଭିହିତ ।

 

ଆଜି ମଧ୍ୟ ଅନ୍ନସହିତ ସାକ୍ଷାତ୍‌ନାହିଁ, ଜଳଖିଆର ସେବା କରିବାକୁ ହେଲା । ପୂର୍ବାହ୍ନ ଘ ୧୧ ଟିକା ବେଳେ ପ୍ରଥପ୍ରଦର୍ଶକଙ୍କ ସହିତ ଆମ୍ଭେମାନେ ଶ୍ରୀରଙ୍ଗମ ଯାତ୍ରା କଲୁଁ । ଶ୍ରୀରାଙ୍ଗମ୍‌ବା ଶ୍ରୀରଙ୍ଗପତ୍ତନ ଏଠାରୁ ପ୍ରାୟ ୨ ମାଇଲ ହେବ, ପହଁଚିବାକୁ ଦେଢ଼ଘଣ୍ଟା ସମୟ ଲାଗିଲା । ଏହା କାବେରୀମଧ୍ୟସ୍ଥିତ ଗୋଟିଏ ଦ୍ୱୀପୋପରି ମନ୍ଦିର । କାବେରୀ ପାରି ହୋଇ ଆମ୍ଭେମାନେ ଏହାର ପ୍ରବେଶଦ୍ୱାରରେ ଉପସ୍ଥିତ ହେଲୁଁ । ଏହି ମନ୍ଦିର ଏକ ବର୍ଗକ୍ଷେତ୍ର ଉପରେ ନିର୍ମିତ । ଏହି ବର୍ଗକ୍ଷେତ୍ରର ପ୍ରତ୍ୟେକ ଭୁଜ ୧ ମାଇଲ ଦୀର୍ଘ । ବାସ୍ତବିକ ଏଡ଼େ ବଡ଼ ପ୍ରକାରବିଶିଷ୍ଟ ହିନ୍ଦୁମନ୍ଦିର ପୃଥିବୀରେ ଦ୍ୱିତୀୟ ନାହିଁ । ମନ୍ଦିରର ବେଡ଼ାନ କହି ଏହାକୁ ଗୋଟିଏ ପହର କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଏହି ବେଢ଼ା ମଧ୍ୟରେ ବହୁସଂଖ୍ୟକ ବ୍ରାହ୍ମଣ ସପରିବାରେ ବସତି କରିଅଛନ୍ତି, ଅନ୍ୟଜାଜାତିଙ୍କ ଅବସ୍ଥାନ ନିଷିଦ୍ଧ । ଏହି ବ୍ରାହ୍ମଣମାନଙ୍କଠାରୁ ରୀତିମତ କରି ଆଦାୟ ହୁଏ । ଗୋଟିଏ ସହରର ସମସ୍ତ ଲକ୍ଷଣ ଏଠାରେ ଦୃଷ୍ଟ ହେଲା । ରୀତିମତ ବଜାର ଦୋକାନ ପ୍ରଭୃତି ମଧ୍ୟ ଏହି ପ୍ରାକାରର ଅନ୍ତବର୍ତ୍ତୀ ।

 

ଆମ୍ଭେମାନେ ଏହା ମଧ୍ୟସ୍ଥିତ ୧୪ଟି ଗୋପୁରମ୍‌(ପ୍ରବେଶଦ୍ୱାର) ପାରି ହେଲୁଁ । ଗୋପୁରମ୍‌ଗୁଡ଼ିକର ଉଚ୍ଚତା ୧୨୦ ଫୁଟରୁ ୨୦୦ ଫୁଟ ପର୍ଯ୍ୟନ୍ତ, ଏବଂ ପ୍ରତ୍ୟେକ ନାନା ଚିତ୍ରବିଚିତ ଭାସ୍କର୍ଯ୍ୟଭୂଷିତା ସର୍ବଶେଷରେ ସହସ୍ରସ୍ତମ୍ଭଶୋଭିତ ଗୋଟିଏ ଚୌଲଟ୍ରି ଦେଇ ଯିବାକୁ ହେଲା । ପ୍ରତ୍ୟେକ ସ୍ତମ୍ଭ ଐକୋପଳିକ ଏବଂ କୌଣସି ସ୍ତମ୍ଭରେ ଏମନ୍ତ କୌଣସି ସ୍ଥାନ ନାହିଁ ଯାହା ଅପୂର୍ବ କାରୁକାର୍ଯ୍ୟରେ ଶୋଭିତ ନୁହେ । ଏହା ପରେ ରଙ୍ଗନାଥାସ୍ୱାମିଙ୍କ ମନ୍ଦିର । ମନ୍ଦିରର ଉପରିଭାଗରେ ଗୋଟିଏ ବୃହତ୍‌ସୁବର୍ଣ୍ଣକଳସ ଲକ୍ଷିତ ହେଲା । ଭାରତବର୍ଷର ଅନ୍ୟତ୍ର ଏଡ଼େ ଉଚ୍ଚ ଏତେ ଗୁଡ଼ିଏ ମନ୍ଦିର ଏକ ପ୍ରକାଶ ପ୍ରକାର ମଧ୍ୟରେ ଏକତ୍ର ଦୁଷ୍ଟ ହୁଏ ନାହିଁ । ପୁଣି ପ୍ରତିମନ୍ଦିର ସୂକ୍ଷ୍ମଭାସ୍କର୍ଯ୍ୟର ସ୍ତୂପବିଶେଷ ।

 

ଆଜି ଜନ୍ମାଷ୍ଟମୀ । ଏଠାରେ ମହାମହୋତ୍ସବ ଲାଗିଅଛି, ଯାତ୍ରିଙ୍କ ବଡ଼ ଚହଳ,–ମନ୍ଦିରର ଦ୍ୱାର ଆଜି ଅବାରିତ । ସ୍ୱାମିଙ୍କ ବିଗ୍ରହ ନବୀନବେଶରେ ଭୂଷିତ ହୋଇଥିବାରୁ ଦର୍ଶକମାନଙ୍କ ମନ ଆନ୍ଦ ପରିପୂର୍ଣ୍ଣ ହୋଇଥିଲା । ସମସ୍ତ ଅଳଙ୍କାର ହୀରକଖଚିତ ହୋଇଥିବାରୁ ଅନୁମାନରେ ୫ । ୬ ଲକ୍ଷ ଟଙ୍କାର ବୋଧ ହେଲା । ମନ୍ଦିର ମଧ୍ୟରେ ଘୋର ଅନ୍ଧକାର ବୋଲି ୧୦ । ୧୨ ଟି ସୁବର୍ଣ୍ଣପ୍ରଦୀପ ଜଳୁଅଛି,–ତଦ୍ୱାରା ମନ୍ଦିରଟି ସମ୍ପୂର୍ଣ୍ଣ ରୂପେ ଆଲୋକିତ ।

 

ସ୍ୱାମୀଜିଙ୍କ ସମ୍ବନ୍ଧରେ ଏଠାରେ ନିମ୍ନୋକ୍ତ କିମ୍ବଦନ୍ତୀ ପ୍ରଚଳିତ ଥିବାର ଶୁଣିଲି ।

 

ସାନୁଜ ଓ ସାନୁଚର ହୋଇ ରାମଚନ୍ଦ୍ର ଯେତେବେଳେ ଅଯୋଧ୍ୟାରେ ଉପନୀତ ହେଲେ, ସେତେବେଳେ ବିଭୀଷଣ ବହୁଦିନରୁ ଲଙ୍କା ପରିତ୍ୟାଗ କରି ଆସିଥିବା ହେତୁରୁ ରାମଚନ୍ଦ୍ରଙ୍କ ବିଦାୟ ପ୍ରାର୍ଥନା କରି କହିଲେ ‘‘ମହାପ୍ରଭୋ, ମୋତେ ସଦଳରେ ଲଙ୍କା ଗମନ ନିମିତ୍ତ ଅନୁମତି ପ୍ରଦାନ କରନ୍ତୁ ଏବଂ ଆପଣଙ୍କର ଗୋଟିଏ ପ୍ରତିମୂର୍ତ୍ତି ଦିଅନ୍ତୁ ଯେ ତାକୁ ବିକ୍ଷଃସ୍ଥଳରେ ସ୍ଥାପନ କରି ନିୟତ ଆପଣଙ୍କ ଚରଣସେବାରେ ରତ ଥିବି ।’’ ରାମଚନ୍ଦ୍ର ବିଭୀଷଣଙ୍କର ଭକ୍ତିପୁର୍ଣ୍ଣ ପ୍ରାର୍ଥନା ଗୁଣି ସାତଶୟ ଆନନ୍ଦିତ ହୋଇ, ତାହାଙ୍କୁ ନିଜର ଗୋଟିଏ ପ୍ରସ୍ତରମୟୀ ପ୍ରତିମୂର୍ତ୍ତି ଦେଇ କହିଲେ ‘‘ବିଭୀଷଣ, ତୁମ୍ଭେ ଏ ମୂର୍ତ୍ତି ନିଅ, ଏଠାରୁ ଲଙ୍କା ପର୍ଯ୍ୟନ୍ତ ଏହାକୁ ବୌଣସିଠାରେ ନ ରଖି ଏକାକୀ ଘେନିଯିବ ।’’ ବିଭୀଷଣ ପୁଲକିତଚିତ୍ତରେ ନିଜ ଅନୁଚରମାନଙ୍କୁ ଆଗେ ବିଦାୟ ଦେଇ ଏକାକୀ ପଦବ୍ରଜରେ ଗମନ କଲେ । ପଥିମଧ୍ୟରେ ନାନା ବାଧା ବିଘ୍ନ ଅତିକ୍ରମ କରି କ୍ରମଶଃ ଆର୍ଯ୍ୟାବର୍ତ୍ତ ଅତିକ୍ରାନ୍ତ ହେଲେ । ଦାକ୍ଷିଣାତ୍ୟରେ ପଦାର୍ପଣ କରି ଦ୍ରୁତଗତିରେ ଲଙ୍କା ଆଡ଼କୁ ଯାଉଅଛନ୍ତି, ଇତ୍ୟବସରେ ତାହାଙ୍କର ଲଘୁକ୍ରିୟାବେଗ ଉପସ୍ଥିତ ହେଲା । ସେ ସମୟରେ ରାତ୍ରି ଦ୍ୱିତୀୟ ପ୍ରହର, ସୁତରାଂ ସେଠାରେ କାହାରି ହସ୍ତରେ ମୂର୍ତ୍ତିଦେଇ ଯିବେ ଏପରି କୌଣସି ସୁବିଧା ପାଇଲେ ନାହିଁ । ରାମଚନ୍ଦ୍ରଙ୍କର ଆଜ୍ଞା ମୂର୍ତ୍ତିଟି ଭୁମିରେ ରଖିବେ ନାହିଁ, ସଂକଟରେ ପଡ଼ି ଏହିପରି ନାନା ଚିନ୍ତା କରୁଅଛନ୍ତି ଏମନ୍ତ ସମୟରେ ସ୍ୱଂୟ ବିଷ୍ଣୁ ଗୋଟିଏ ବାଳକରୂପ ଧରି ତାହାଙ୍କ ସମକ୍ଷରେ ଉପସ୍ଥିତ ହେଲେ । ବିଭୀଷଣ ତାହାଙ୍କୁ ଦେଖି କହିଲେ ‘‘ବାବୁ, ତୁମ୍ଭେ ଏ ମୂର୍ତ୍ତିଟି ଧରି ଏହିଠାରେ ଠିଆ ହୋଇଥାଅ, ମୁ ଏହି ନିକଟବର୍ତ୍ତୀ ବନରୁ ଲଘୁକ୍ରିୟା ସାରି ଆସିଲେ ତୁମ୍ଭଠାରୁ ମୂର୍ତ୍ତିନେଇ ତୁମ୍ଭଙ୍କୁ ଯଥେଷ୍ଟ ପୁରସ୍କୃତ କରିବି । ବାଳକ ଏହା ଶୁଣି କହିଲେ ‘’ମୁ ମୂର୍ତ୍ତି ମସ୍ତକରେ ଧରୁଅଛି, ମାତ୍ର ମୋହର ତିନୋଟି କରତାଳି ଶୁଣିଲା ଉତ୍ତାରୁ ତୁମ୍ଭେ ନ ଆସିଲେ ମୁ ଏହିଠାରେ ମୂର୍ତ୍ତି ରଖିଦେଇ ଚାଲିଯିବି ।’’ ବିଭୀଷଣ ସ୍ୱୀକୃତ ହୋଇ ବାଳକ ହସ୍ତରେ ମୂର୍ତ୍ତି ଦେଇ ଗଲେ । ସେ ଯବାକ୍ଷଣ ବାଳକ ଗୋଟିଏ କରତାଳି ଦେଲେ, ଓ ଲଘୁକ୍ରିୟା ସମୟରେ ଆଉ ଗୋଟିଏ କରତାଳି ଦେଲେ । ତିନୋଟି ତାଳି ସମ୍ପୂର୍ଣ୍ଣ ହେବାରୁ ସେହିଠାରେ ମୂର୍ତ୍ତିଟି ଫିଙ୍ଗି ଦେଇ ଚାଲିଗଲେ । ବିଭୀଷଣ ବ୍ୟଗ୍ରଚିତ୍ତରେ ଫେରି ଆସି ଦେଖିଲେ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଧରାବଲୁଣ୍ଠିତ ହୋଇ ସେହିଠାରେ ପ୍ରକୃତି ହୋଇଅଛି । ବିଭୀଷଣ ସହସ୍ର ଚେଷ୍ଟା କରି ସୁଦ୍ଧା ଭୂମିରୁ ମୂର୍ତ୍ତିକୁ କଦାପି ତୋଳି ପକାଇଲେ ନାହିଁ । ଶେଷରେ ନିରାଶ ହୋଇ ଲଙ୍କା ପ୍ରତିଗମନ କଲେ । ସେହି ରାତ୍ରିରେ ଏ ଦେଶରେ ତାତ୍କାଳିକ ରାଜାଙ୍କୁ ସ୍ୱପ୍ନାଦେଶ ହେବାରୁ ସେ ଅତି ପ୍ରତ୍ୟୁଷରେ ରାଜ୍ୟରେ ଅନ୍ୱେଷଣ କରି ଦେଖିଲେ ଯେ ଏକ ସ୍ଥାନରେ ଗୋଟିଏ ମୂର୍ତ୍ତି ଭୂମିଭେଦ କରି ବାହାରିଅଛନ୍ତି । ତଦନନ୍ତର ରାଜା ତଦ୍ଦଣ୍ଡରେ ଶିଳ୍ପିକୁଳ ଅଣାଇ ବିଷ୍ଣୁମନ୍ଦିର ତୋଳିବାପାଇଁ ଆଦେଶ ଦେଲେ, ସେହି ମନ୍ଦିର ଅଦ୍ୟାପି ଭାରତର ଏକ ଅପୂର୍ବକୀର୍ତ୍ତୀ ଧ୍ୱଜା ତୁଳ୍ପ ବିରାଜମାନ ।

 

ବୋଲିବାର ବାହୁଲ୍ୟ ଯେ ଏହିପରି ଆଖ୍ୟାୟିକା ଭାରତବର୍ଷର ଅନ୍ୟାନ୍ୟ ଦେବତା ସମ୍ବନ୍ଧରେ ବିଶେଷତଃ ଦିଓଘରର ଶ୍ରୀ ୰ ବୈଦ୍ୟନାଥ ଦେବଙ୍କ ସମ୍ବନ୍ଧରେ ମଧ୍ୟ ପ୍ରଚଳିତ ଅଛି । ଏ ବିଷ୍ଣୁମନ୍ଦିର ହୋଇଥିବାରୁ ବିଭୀଷଣ ଏ ଅଖ୍ୟାୟିକାର ନାୟକ । ଶୈବ ରାବଣ ବୈଦ୍ୟନାଥ ସମ୍ବନ୍ଧୀୟ ଆଖ୍ୟାୟିକାର ନାୟକ । ଏଭଳି ପ୍ରବାଦର ପ୍ରାମାଣିକତା ସମ୍ବନ୍ଧରେ ମୋହର ବାଗ୍ଦ୍ୟୟ ଅନାବଶ୍ୟକ ।

 

ଅପରାହ୍ନ ଘ ୨ ଟିକା ସମୟରେ ମମ୍ଭେମାନେ ଏହି ଦ୍ୱୀପରୁ ନିଷ୍କାନ୍ତ ହେଲୁଁ । ନଦୀର ପରିପାଶ୍ୱରେ ଆସି ଦେଖିଲୁଁ ଏହିଠାରେ କାବେରୀ ନଦୀ ଦୁଇଶାଖାରେ ବିଭକ୍ତ ହୋଇଅଛି, ଏହି ହେତୁରୁ ଦ୍ୱୀପଟି ଏଡ଼େ ବୃହଦାକାର । ଦ୍ୱୀପମଧ୍ୟସ୍ଥିତ ଗୋପୁରମ୍‌ଗୁଡ଼ିକ ଗଛ ମଧ୍ୟରୁ ବାହାରି ପଡ଼ି ଅତି ସୁନ୍ଦର ଦିଶୁଥିଲା । ନଦୀମଧ୍ୟସ୍ଥ ପର୍ବତ କିମ୍ବା ଦ୍ୱୀପରେ ଦେବାଳୟର ସମାବେଶ ପାଷାଣହୃଦୟ ଲୋକଙ୍କ ପ୍ରାଣରେ ସୁଦ୍ଧା ପବିତ୍ରତା ଢାଳିଦିଏ । ବାସ୍ତବିକ ପ୍ରକୃତି ଏଠାରେ ଯେପରି ମୋହନବେଶରେ ସୁଶୋଭିତା, ଦେଖିଲାକ୍ଷିଣି ହୃଦୟରେ ଶାନ୍ତିରସର ସଞ୍ଚାର ହେବ ।

 

ତ୍ରିଚିନାପଲୀ ସହରକୁ ଫେରି ଆସିବାକୁ ଅପରାହ୍ନ ଘ ୪ ଟିକା ହେଲା । ସହରର କେତେକ ପ୍ରଧାନ ୨ ରାଜପଥ ମଧ୍ୟ ଦେଇ ଗମନ କଲୁଁ । ଏହା ମାନ୍ଦ୍ରାଜ ପ୍ରେସିଡେନ୍ସି ମଧ୍ୟରେ ଦ୍ୱିତୀୟ ସହର ବୋଲି ପ୍ରସିଦ୍ଧି ଲଭିଅଛି । ଲୋକସଂଖ୍ୟା ୯୦୬୦୯ । ସହରର ଶେଷ ଅଂଶରେ କ୍ୟାଣ୍ଟନ୍‌ମେଣ୍ଟ,–ଏଠାରେ ପାଞ୍ଚ ସହସ୍ର ପଦାତିକ ଏବଂ ଏକସହସ୍ର ଅଶ୍ୱବାର ସୈନ୍ୟଙ୍କ ଆବାସସଯୋଗୀ ଗୃହ ଅଛି ।

 

ସନ୍ଧ୍ୟା ହେଲା । ଆମ୍ଭେମାନେ କାବେରୀର ଗୋଟିଏ ଘାଟ ଉପରେ ଆମ୍ଭମାନଙ୍କ ଲଣ୍ଠନ ଜାଳି ଜଳଖିଆ କରିବା ମାନସରେ ଯାଇ ବସିଲୁଁ । ଏଠାରେ ପାର୍ବତୀୟ ସାୟଂସମୀରଣ ସାୟଂପୁଷ୍ପ ସୌରଭରେ ଆମୋଦିତ ହୋଇ ପ୍ରବାହିତ ହେଉଥିଲା । ନୀଳାକାଶରେ କୋଟି କୋଟି ନକ୍ଷତ୍ରରୂପୀ ରଜତପୁଷ୍ପ ବିକଶିତ ହେଲା । କାବେରୀଛଳରେ ସେହି ରତ୍ନଖଚିତ ସୁନୀଳ ଚନ୍ଦ୍ରାତପର ମୋହନ ଛାୟା ପତିତ ।

 

ହୋଇ ଅନୁପମ ଶୋଭା ଧାରଣ କଲା । ନଗର ମଧ୍ୟରେ ଗୃହେ ଗୃହେ ପ୍ରତି ବିପଣିରେ, ଅଟ୍ଟଳିକାରାଜିରଦ୍ୱାରେ ଦ୍ୱାରେ, ଏବଂ ସୁପ୍ରଶସ୍ତ ରାଜପଥର ଉଭୟପାଶ୍ୱରେ ସହସ୍ର ସହସ୍ର ଦ୍ୱୀପମାଳା ପ୍ରଜ୍ୱଳିତ କରାଇ ସନ୍ଧ୍ୟାଦେବୀ ଆଲୋକଭରଣରେ ସଜ୍ଜିତା ହେଲେ । ଦ୍ୱୀପମାଳିନୀ ତ୍ରିରନାପଲ୍ଲୀ ମଣିକିରୀଟିନୀ, ମଣିମାଳିନୀ ରାଜରାଣୀ ପରି ଦିଶିଲା । ଶୈଳଶିଖରସ୍ଥ ଗଣେଷ ଏବଂ ଶିବମନ୍ଦିରରେ ଆଲତିମୁଚକ ଶଙ୍ଖ ଘଣ୍ଟାଧ୍ୱନି ହେଲା ।

 

ଆଜି ଜଳଖିଆରେ ଉଦର ପୂର୍ଣ୍ଣ କଲୁଁ । ଯେପରି କି ଜନ୍ମାଷ୍ଟମୀର ଉବପାସ୍ତାନ୍ତେ ପାରଣା ହେଲା । ଏଣେ ଆହୋରାତ୍ର ପରିଶ୍ରମ ହେତୁରୁ ନିଦ୍ରାର ଅଭାବ, ତେଣେ ଅନ୍ନ ସଙ୍ଗେ ପ୍ରାୟ ଦୁଇଦିନ ସାକ୍ଷାତ୍‌ନାହିଁ, କି ରୀତିମତ ସ୍ନାନ ନାହିଁ । ଶରୀର ନିତାନ୍ତ ଅବସନ୍ନ ହୋଇ ପଡ଼ିଥିଲା । ଏତେ କଷ୍ଟ ସ୍ୱୀକାର କରି ନ ଥିଲେ କିଛି ଦେଖି ନ ପାରିଥାଆନ୍ତି, ଏତିକି ଭାଳି ମନକୁ ଆଶ୍ୱାସ ଦେଲି ।

 

ରାତି ପ୍ରାୟ ଘ ୯ ଟିକା ସମୟରେ ଗୋଟିଏ ଭଡ଼ାଗାଡ଼ୀ କରି ଆମ୍ଭେମାନେ ଷ୍ଟେସନଭିମୁଖରେ ବାହାରିଲୁଁ । ଷ୍ଟେସନର ବିଶ୍ରାମଗୃହରେ (Waiting room) ପହଁରିଲା ବେଳକୁ ରାତ୍ରି ଘ ୧୧ଟିକା ।

 

ରାତ୍ରି ଘ ୨ ଟିକା ସମୟରେ ଟିଉଟିକରିନ୍‌ରୁ ଆଗତ ଗାଡ଼ୀ ମାନ୍ଦ୍ରାଜଭିମୁଖରେ ଯିବା ସୁତରାଂ ଆମ୍ଭମାନଙ୍କୁ ରାତ୍ରିର ଏହି ନିସ୍ତବ୍ଧ ଏବଂ ଗଭାର ଅଂଶଟି ଲଣ୍ଠନ ସାହାଯ୍ୟରେ ଆବରଣଶୂନ୍ୟ ଗୃହର ଏକ କୋଣରେ କଟାଇବାକୁ ହେଲା । ଶାନ୍ତବଶତଃ ନିଦ୍ରାକର୍ଷଣ ହେଲେ ସୁଦ୍ଧା ଚୌରଭୟ ହେତୁରୁ ଏତେ ମୂଳ୍ୱ ଦେଇ ନିଦ୍ରାସୁଖ କ୍ରୟ କରିବାକୁ ପ୍ରବୃତ୍ତ ହେଲା ନାହିଁ ।

 

୧୪-୮-୯୫ ବୁଧବାର–ରାତ୍ରି ସାର୍ଦ୍ଧ ଦୁଇଘଟିକା ସମୟରେ ଏଠାରୁ ଗାଡ଼ୀ ଛାଡ଼ିଲା । ଗାଡ଼ୀ ମଧ୍ୟରେ ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଏକ ୨ ଘଣ୍ଟା ଲେଖାଏଁ ସାମାନ୍ୟ ବିଦ୍ରା ହୋଇଥିଲା ମାତ୍ର । କ୍ରମଶଃ ତାଞ୍ଜୋର ପ୍ରଭୃତି ବଡ଼ ବଡ଼ ଷ୍ଟେସନ ଛାଡ଼ି ଗାଡ଼ୀ ପ୍ରତ୍ୟୁଷ ଘ ୬ ଟିକା ବେଳେ କୋମ୍‌ବେକୋନମ୍‌ଷ୍ଟେସନରେ ଉପନୀତ ହେଲା ।

 

ମଦୁରାରୁ, ଏଠାର ଡଷ୍ଟି୍ରକୁ ମୁନ୍‌ସଫ ଶ୍ରୀଯୁକ୍ତ ଏ.ଶାମ୍ବମୂର୍ତ୍ତ ଆୟାର ମହୋଦୟଙ୍କ ନିକଟକୁ ପତ୍ର ଲେଖିଥିଲି, ସୁତରାଂ ଷ୍ଟେସନରେ ଅବତରଣ କଲା ମାତ୍ରେ ପୂର୍ବଚପରାସୀଦ୍ୱୟ ଏବଂ କ୍ଲାର୍କଙ୍କ କର୍ତ୍ତୃକ ଅଭ୍ୟର୍ଥିତ ହେଲି । ପାନ୍ଥଶାଳାରୁ ସମସ୍ତେ ଆସି ଦେଖିଲୁଁ ଯେ ପୂର୍ବପ୍ରାୟ ସମସ୍ତ ପରିଷ୍କୃତ ଓ ଆମ୍ଭମାନଙ୍କ ରନ୍ଧନନୋପଯୋଗୀ ସମସ୍ତ ଦ୍ରବ୍ୟ ସଜ୍ଜିତ ହୋଇ ରହିଅଛି । ଏହା ଦେଖି ହୃଦୟର ଅନ୍ତଃସ୍ଥଳରୁ ମୁନ୍ସଫ୍‌ମହୋଦୟଙ୍କ ଶତ ଶତ ଧନ୍ୟବାଦ ଦେଲି । ବାସ୍ତବିକ ଏ ଦେଶର ବଡ଼ ବଡ଼ ଲୋକଙ୍କ ହୃଦୟଭାବର ପରିଚାୟକ ଏପରି କାର୍ଯ୍ୟକଳାପକୁ କିଏ ପ୍ରଶଂସା ନ କରିବ !

 

ମୋହର ପାଚକ ସ୍ଥାନାନ୍ତେ ଅତିଶୀଘ୍ର ପ୍ରସ୍ତୁତ କଲେ, ଦୁଇ ଦିବସର ଅନ୍ନାଭାବ ପରେ, ଆଜି ଭୋଜନ କେଡ଼େ ମଧୁର ଏବଂ ତୃପ୍ତିପ୍ରଦ, ତାହା ଭୁକ୍ତଭୋଗୀ ମାତ୍ରଙ୍କୁ ଜଣା ।

 

ପୂର୍ବାହ୍ନ ଘ ୧୦ ଟିକା ସମୟରେ ମୁନ୍‌ସଫ୍‌ମହୋଦୟ ସ୍ୱୟଂ ପାନ୍ଥଶାଳାକୁ ଆସିଲେ । ଠିକ୍‌ମଧ୍ୟାହ୍ନର ଗାଡ଼ୀରେ ଏଠାରୁ ବିଡ଼ାମବରାମ୍‌ଯିବି, ସୁତରାଂ ଏହାଙ୍କଠାରୁ ଶେଷ ବିଦାୟ ଗ୍ରହଣ କଲି । ଭଗୀର ଦୁଃଖ ଉଭୟଙ୍କ ମନ ଅଧିକାର କଲା । ‘‘ଭୀତିମତ ପତ୍ରଦ୍ୱାରା ସାକ୍ଷାତ୍‌ହେବ’’ ଏତିକି କହି ମୁ ତାହାଙ୍କ ଦୁଃଖର କିଞ୍ଚିନ୍ନାତ ଲାଘବ କଲି, ମାତ୍ର ତାହାଙ୍କ ଉଦାର ମନ ଯେ ଏ ଅକିଞ୍ଚନ ସାମାନ୍ୟ ଲୋକକୁ ପାସୋରିବ ନାହିଁ, ଏହା ତାହାଙ୍କ ମୁଖମଣ୍ଡଳରୁ ସ୍ଫଷ୍ଟରୂପେ ପ୍ରତୀୟମାନ ହେଲା । ଏହି କଠୋର ସ୍ୱାର୍ଥପର ବଣିଗ୍‌ଭାବାପନ୍ନ ସଂସାରରେ ହୃଦୟବତ୍ତା କଣିକାଏ ସୁଦ୍ଧା ପାଇଲେ ଜୀବନ ସାର୍ଥକ ବୋଧ ହୁଏ । ଏ ଲୋକଟିତ ହୃଦୟବତ୍ତାର ସାଗର । ଏହାଙ୍କୁ ମୁ ଯେତେବେଳେ ସ୍ମରଣ କରେଁ ତେତେବେଳେ ନିମ୍ନଲିଖିତ ପଂକ୍ତି ମନେ ଫଡ଼େ ଏବଂ ଚକ୍ଷୁରେ ଅଶ୍ରୂକଣା ଆସ ଦେଖର ଦିଏ;–‘‘ତୋପରି କରୁଣାମୟୀ ଭବେ ସିନା କୋଟିରେ ମିଳେ ଗୋଟିଏ’’ ।

 

ଠିକ୍‌ମଧ୍ୟାହ୍ନରେ ଆମ୍ଭେମାନେ ଷ୍ଟେସନକୁ ଆସି ଲୌହଶକଟ ରେ ଯାତ୍ରା କଲୁଁ । ଚପରାସୀଦ୍ୱୟ ଏବଂ କ୍ଲାର୍କ ମହୋଦୟ ଷ୍ଟେସନ ପର୍ଯ୍ୟନ୍ତ ଆସିଥିଲେ ।

 

ଅପରାହ୍ନ ଠିକ୍‌ଘ ୪ ଟିକା ବେଳେ ଆମ୍ଭେମାନେ ଚିଡ଼ାମ୍‌ବରାମ୍‌ଷ୍ଟେସନରେ ଅବତରଣ କରି ନିକଟସ୍ଥ ଗୋଟିଏ ପାନ୍ଥଶାଳାରେ ଆଶ୍ରୟ ଗ୍ରହଣ କଲୁଁ । ସେହିକ୍ଷଣି ଅପର ଦୁଇଜଣଙ୍କୁ ପାନ୍ଥଶାଳାରେ ରଖି ଗୋଟିଏ ଭୃତ୍ୟ ସଙ୍ଗେ ମୁ ଏଠାର ପ୍ରଧାନ ଦ୍ରଷ୍ଟବ୍ୟ ପଦାର୍ଥ ଦନ୍ଦର୍ଶନାର୍ଥ ବାହାରିଲି । ପଥି ମଧ୍ୟରେ ଗୋଟିଏ ରାବ୍ଦଭାଷାଭିଜ୍ଞ ବ୍ୟକ୍ତିଙ୍କ ସହିତ ଆଳାପ କରି ନେବାରୁ ବେଶ ସୁବିଧା ହେଲା । ଏହାଙ୍କ ନାମ ଶ୍ରୀଯୁକ୍ତ ମିତାସୀ ପିଲେ । ଉଭୟେ ଗଳ୍ପ କରୁଁ କରୁଁ ଗୋଟିଏ ବୃହତ୍‌ପୁଷ୍କରିଣୀ ନିକଟରେ ଆସି ଉପନୀତ ହେଲୁଁ । ଏହାର ଚତୁଷ୍ପୋଣରେ ଚାରୋଟି ଉଚ୍ଚ ଉଚ୍ଚ ଗୋପୁରମ୍‌ସ୍ଥାପିତ । ପୁଷ୍କରିଣୀଟି ବହୁ ପ୍ରାଚୀନ, ସୁତରାଂ ଜଳର ଅବସ୍ଥା ଶୋଚନୀୟ । ଆମ୍ଭେମାନେ ଗୋଟିଏ ଗୋପୁରମ୍‌ଭିତରେ ପ୍ରବିଷ୍ଟ ହୋଇ ଶିଶୁକଳାର ଗରିମାସ୍ୱରୂପ ଅପୂର୍ବ କରୁକାର୍ଯ୍ୟ ଦେଖିଲୁଁ । ଏଠାରେ ମଧ୍ୟ ଗୋଟିଏ ସହସ୍ରସ୍ତମ୍ଭର ଚୌଲଟ୍ରି ଦେଖିଲି । ପ୍ରତ୍ୟେକ ସ୍ତମ୍ଭରେ ନୁତନପ୍ରଣାଳୀର କାରୁକାର୍ଯ୍ୟର ସମାବେଶ ଦେଖି, ଶିଳ୍ପଚାତୁରୀର ଅସାଧାରଣ କ୍ଷମତା ଅନୁଭବ କଲି । ପୁଷ୍କରିଣୀର ପଶ୍ଚିମଦିଗରେ ୪୮ ଫୁଟ ଉଚ୍ଚ ପାର୍ବତୀଙ୍କର ଗୋଟିଏ ମନ୍ଦିର ଅଛି । ଏଥିରେ ମଧ୍ୟ କାରୁକାର୍ଯ୍ୟର ବିଚିତ୍ର ବିନ୍ୟାସ !

 

ପୁଷ୍କରିଣୀର ଦକ୍ଷିଣଦିଗରେ ଗୋଟିଏ ଶିବଙ୍କ ମନ୍ଦିର । ଶିବଙ୍କ ତାଣ୍ଡବମୂର୍ତ୍ତି ମନ୍ଦିରଭ୍ୟନ୍ତରେ ସ୍ଥାପିତ । ଏହା ବହୁଦିବସର ପ୍ରାଚୀନ ମନ୍ଦିର ବୋଲି ଦାକ୍ଷିଥାତ୍ୟରେ ପ୍ରସିଦ୍ଧ । ବିଗ୍ରହଙ୍କ ନାମ ସୁବର୍ଣ୍ଣେଶ୍ୱରମ୍‌ । କଥିତ ଅଛି ଯେ ୫୯୨ ଖ୍ରୀଷ୍ଟାବ୍ଦରେ ଏ ଦେଶର ଭୁପତିଙ୍କ କର୍ତ୍ତୃକ ଏହି ମନ୍ଦିର ନିର୍ମିତ ହୋଇଥିଲା । ଗଳିତକୃଷ୍ଠ ରୋଗରେ ରାଜାଙ୍କ ପ୍ରାଣସଂଶୟ ଉପସ୍ଥିତ ହେବାରୁ ଜଣେ ବୈଦ୍ୟ ଆସି ଉକ୍ତ ବୃହତ୍‌ପୁଷ୍କରିଣୀରେ ଗାଧୋଇବାକୁ ଉପଦେଶ ଦେଲେ । ତଦନୁସାରେ ସେ ସ୍ନାନ ସମାପନାନ୍ତେ ଜଳରୁ ଉଠି ଆସିବା ମାତ୍ରେ, ତାହାଙ୍କ ଦେହ ସୁବର୍ଣ୍ଣ ପ୍ରାୟ ହେଲା, ଏବଂ ତତ୍‌କ୍ଷଣାତ୍‌ରୋଗମୁକ୍ତ ହେଲେ । କୃତଜ୍ଞତାରେ ଚିହ୍ନସ୍ୱରୂପ ସେ ଶିବମନ୍ଦିର ସ୍ଥାପନ କରି ସୁବର୍ଣ୍ଣେଶ୍ୱରମ୍‌ଆଖ୍ୟା ପ୍ରଦାନ କଲେ ।

 

ଆମ୍ଭେମାନେ ଅନ୍ୟ ଏକ ଗୋପୁରମ୍‌ମଧ୍ୟ ଦେଇ ଏକ ବୃହତ୍‌ପ୍ରାଙ୍ଗଣରେ ଉପସ୍ଥିତ ହେଲୁଁ,–ଏହାର ଚତୁର୍ଦ୍ଦିଗରେ ସ୍ତମ୍ଭଶ୍ରେଣୀ ଯୁକ୍ତ ଦ୍ୱିତଳଗୃହ । ଏଠାରେ ଗୋଟିଏ ଅସାଧାରଣ ଭାସ୍କର୍ଯ୍ୟର ନିଦର୍ଶନ ଦେଖିଲି । ଅଷ୍ଟାଦଶ ହସ୍ତ ବ୍ୟବଧାନରେ ଦିଓଟି ସ୍ତମ୍ଭ,–ଏହା ମଧ୍ୟରେ ଗୋଟିଏ ପ୍ରସ୍ତରନିର୍ମ୍ମିତ ଶୃଙ୍ଖଳ । ଶୃଙ୍ଖଳଟି ଗୋଟିଏ ପ୍ରସ୍ତରରେ ପ୍ରସ୍ତୁତ ହୋଇଅଛି, ଏବଂ ସ୍ତମ୍ଭଦ୍ୱୟକୁ ଯୋଗ କରି ଝୁଲୁଅଛି । ଅଷ୍ଟାଦଶହସ୍ତପରିମିତ ଅଥଚ ଗୋଟିଏ ପ୍ରସ୍ତରରେ ପ୍ରସ୍ତୁତ ଶୃଙ୍ଖଳ ଅସମ୍ଭବ ନ ହେଲେହେଁ, ବିସ୍ମୟାବହ, ସନ୍ଦେହ ନାହିଁ ।

 

ସନ୍ଧ୍ୟାବେଳେ ଆମ୍ଭେମାନେ ପାନ୍ଥଶାଳାକୁ ଫେରି ଆସିଲୁଁ । ବନ୍ଧୁ ମଧ୍ୟ ସଙ୍ଗରେ ଆସିଲେ । ଏହି ଯଦୃଚ୍ଛାଲବ୍ଧ ବନ୍ଧୁଙ୍କ ସୌଜନ୍ୟ ଏବଂ ମିଷ୍ଟାଳାପରେ ମୁ ଅତ୍ୟନ୍ତ ପ୍ରୀତ ହୋଇଥିଲି । ବାନା କଥାବାର୍ତ୍ତା ପରେ ତାହାଙ୍କୁ ଅଗତ୍ୟା ବିଦାୟ ଦେଲି ।

 

ଅନ୍ନ ରନ୍ଧନ ସକାଶ ଆମ୍ଭମାନଙ୍କୁ ଏଠାରେ ପ୍ରଚୁର ସମୟ ମିଳିଲା, ସୁତରାଂ ରୀତିମତ ଭୋଜନସୁଖରୁ ବଞ୍ଚିତ ହେୁଁ ନାହିଁ । ରାତ୍ରି ଘ ୯ ଟିକାଠାରୁ ଘ ୧୧ ଟିକା ପର୍ଯ୍ୟନ୍ତ ସାମାନ୍ୟ ନିଦ୍ରା ଭୋଗ କରି, ଦ୍ୱିପ୍ରହର ରାତ୍ରିରେ ଏଠାରୁ ଗାଡ଼ୀ ବାହାରି ଯିବ ଜାଣି, ଦ୍ରୂତପଦବିକ୍ଷେପରେ ଷ୍ଟେସନ ଅଭିମୁଖକୁ ଅଗ୍ରସର ହେଲୁଁ ।

 

Unknown

ଟିକଟ କ୍ରୟ କରି ଅର୍ଦ୍ଧଘଣ୍ଟା ପର୍ଯ୍ୟନ୍ତ ଗାଡ଼ୀକୁ ଅପେକ୍ଷା କଲୁଁ । ଦକ୍ଷିଣାଭିମୁଖରୁ ଗାଡ଼ୀ ଆସି ଷ୍ଟେସନରେ ପହଁଚିଲା ମାତ୍ରେ ଆରୋହଣ କଲୁଁ, କାରଣ କ୍ଷୁଦ୍ର କ୍ଷୁଦ୍ର ଷ୍ଟେସନରେ ଗାଡ଼ୀର ବିଶ୍ରାମ ବହୁସମୟ ବ୍ୟାପୀ ନୁହେ । ରାତ୍ରି ୧୨ ଟା ବାଜି ୮ ମିନିଟରେ ଗାଡ଼ୀ ଛାଡ଼ିଲା ।

 

୧୫-୮-୯୫ ବୃହସ୍ପତିବାର–ପୁର୍ବାହ୍ନ ଘ ୮ ଟିକା ବେଳେ ମାନ୍ଦ୍ରାଜର Egmore ଷ୍ଟେସନରେ ପହଚିଲୁଁ ଏବଂ ଅର୍ଦ୍ଧଘଣ୍ଟା ମଧ୍ୟରେ ରାୟବାହାଦୁରଙ୍କ ଅଟ୍ଟାଳିକାରେ ଉପସ୍ଥିତ ହେଲୁଁ ।

 

ରାୟବାହାଦୁର ମହୋଦୟ ଗୋଟିଏ ବିଶେଷ ମୋକଦ୍ଦମା ଉପଲକ୍ଷରେ ମହୀଶୂର ଅନ୍ତର୍ଗତ ବେଙ୍ଗେଲୋର ପହରକୁ ଯାଇଥିଲେ । ତାହାଙ୍କ ଅନୁରୂପ ପୁତ୍ର ଆମ୍ଭମାନଙ୍କୁ ଯେ ରୀତିରେ ସମ୍ଭାଷଣ କଲେ, ତାହା ବର୍ଣ୍ଣନାତୀତ । ପିତାଙ୍କ ଅଶେଷ ସଦ୍ଗୁଣରାଶି ପୁତ୍ରଙ୍କଠାରେ ଯେପରି ସ୍ତରେ ସ୍ତରେ ବିଦ୍ୟମାନ । କ୍ଲାନ୍ତ ହୋଇଥିଲେହେଁ ଏହାଙ୍କ ସହିତୁ ମୁଁ ପ୍ରାୟ ଦୁଇଘଣ୍ଟାକାଳ ନାନା ବିଷୟରେ କଥାବାର୍ତ୍ତା କଲି । ଅତଃପର ଭୋଜନ ଶେଷ କରି ଦୀର୍ଘବିଶ୍ରାମସୁଖ ଉପଭୋଗ କଲି ।

 

ସମସ୍ତ ଦାକ୍ଷିଣାତ୍ୟର ପ୍ରଧାନ ପ୍ରଧାନ ସ୍ଥାନଗୁଡ଼ିକ ସନ୍ଦର୍ଶନ କରି କୃତ କୃତ ହୋଇଥିବାରୁ, ବିପତ୍ତାରଣ ଜଗଦୀଶ୍ୱରଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କଲି । ବର୍ତ୍ତମାନ ଦାକ୍ଷିଣାତ୍ୟ ସମ୍ବନ୍ଧରେ ସ୍ଥୂଳତଃ କେତୋଟି କଥା କହିବି ।

 

ପାଠକେ ! ଦାକ୍ଷିଣାତ୍ୟ ସମ୍ବନ୍ଧରେ ଆପଣମାନଙ୍କ ନୁତନ କିଛି କହିବାର ଅଧିକ ନାହିଁ । ଯାହା ଅବଶ୍ୟ ଜ୍ଞେୟ, ଆପଣମାନେ ପୁସ୍ତକ ଓ ସଂବାଦପ୍ରତି ପାଠରୁ ଏବଂ ଦାକ୍ଷିଣାତ୍ୟରୁ ଆଗତ ତୈଲଙ୍ଗ ବନ୍ଧୁମାନଙ୍କ ମୁଖରୁ ଅବଗତ ହୋଇଥିବେ । ମୁ ଅତ୍ୟନ୍ତ କାଳ ଦାକ୍ଷିଣାତ୍ୟରେ ଅତିବାହିତ କରିଥିଲି । ଏହି ଅବସରରେ ଦାକ୍ଷିଣାତ୍ୟ ସମ୍ବନ୍ଧରେ ମୋହର ଯେଉଁ ବିଶେଷ ଅନୁଭବ ହୋଇଅଛି. କେବଳ ସେତିକି ଲିପିବଦ୍ଧ କରିବାରେ ପ୍ରବୃତ୍ତ ହେଲି ।

 

ଦାକ୍ଷିଣାତ୍ୟ ଅତି ସୁନ୍ଦର ଦେଶ । ସ୍ଥୂଳରେ ଦାକ୍ଷିଣାତ୍ୟର ଜଳବାୟୁକୁ ଓଡ଼ିଶାରେ ଜଳବାୟୁ ଅପେକ୍ଷା ଉତ୍କୃଷ୍ଟ ବୋଲାଯାଇପାରେ । ଓଡ଼ିଶାର ସମୁଦ୍ରତଟବର୍ତ୍ତୀ ସ୍ଥାନମାନଙ୍କରେ ଗୋଦ ଏବଂ ତଜାତୀୟ ଅନ୍ୟାନ୍ୟ ରୋଗର ବିଶେଷ ପ୍ରାଦୁର୍ଭାବ ଦେଖି ମୋହର ଏହି ଧାରଣା ଜନ୍ମିଥିଲା ଯେ ଲବଣାମ୍ବୁ ସହିତ ଏହି ରୋଗମାନଙ୍କର କୌଣସି ଗୁଢ଼ ସମ୍ବନ୍ଧ ଅଛି । ଦାକ୍ଷିଣାତ୍ୟ ଭ୍ରଣଦ୍ୱାରା ଏ ଧାରଣା ଅମୂଳକ ଥିବାର ବୋଧ ହେଲା । ଦାକ୍ଷିଣାତ୍ୟରେ ସମୁଦ୍ରତଟସ୍ଥିତ ଅନେକ ସ୍ଥାନ ପରିଭ୍ରମଣ କରି ଉଲ୍ଲିଖିତ ରୋଗୀବ୍ୟକ୍ତି ମୁ କ୍ୱଚିତ୍‌କେବେ ଦେକିଅଛି । କେହି କେହି ଅନୁମାନ କରନ୍ତି ଯେ ଶୈଶବରେ ଦୀର୍ଘ ଚରୁ ଦେବାର ପ୍ରଥା ବହୁପରିମାଣରେ ପ୍ରଚଳିତ ଥିବାରୁ ଦାକ୍ଷିଣାତ୍ୟରେ ଉଲ୍ଲଖିତ ରୋଗମାନଙ୍କର ପ୍ରଭାବ ଊଣା ଅଟେ । କୃତ୍ରିମ ଉପାୟଦ୍ୱାରା ଜଳବାୟୁର ଅବଶ୍ୟମ୍ଭାବିଫଳର ଏପରି ପ୍ରତିରୋଧନ ସମ୍ୟକ୍‌ସମ୍ଭବପର ବୋଦ ହେଉ ନାହିଁ ।

 

ଦାକ୍ଷିଣାତ୍ୟରେ ଏତେ ଦ୍ରଷ୍ଟବ୍ୟ ପଦାର୍ଥ ଅଛି ଯେ ତାହାର କଳନା ହେବାର ଅସମ୍ଭବ । ଦାକ୍ଷିଣାତ୍ୟର ପ୍ରକୃତି ଯେପରି, ମନୁଷ୍ୟ ମଧ୍ୟ ସେହିପରି । ଏମାନଙ୍କଠାରେ ବିଦ୍ୟାବତ୍ତା ଏଂବ ଧନବିତ୍ତା, ଚିତ କ୍ଷଣତା ଏବଂ ସାରଲ୍ୟ ପ୍ରଭୃତି ଗୁଣମାନ ଏକାଧାରରେ ଦେଖାଯାଏ । ମଦୁରା, ତାଞ୍ଜୋର, ତ୍ରିଚିନାପଲୀ, କଞ୍ଜିରରମ୍‌, କୋମ୍‌ବାକୋମ୍‌ପ୍ରଭୃତି ପ୍ରସିଦ୍ଧ ପ୍ରସିଦ୍ଧ ସହରଗୁଡ଼ିକର ଆଲୌକିକ ଭାସ୍କର୍ଯ୍ୟ ଓ ଶିଳ୍ପକୌଶଳ ପ୍ରଚୀନ ଆର୍ଯ୍ୟ-ଗୌରବର ସାକ୍ଷ୍ୟ ଦିଏ, ଏବଂ ପୁର୍ବଘାଟ, ପଶ୍ଚିମଘାଟ, ପାଲ୍‌ନି ଓ ନୀଳଗିରି ପ୍ରଭୃତି ୭୦୦୦ ରୁ ୧୦୦୦୦ ପଟୁ ପର୍ଯ୍ୟନ୍ତ ଉଚ୍ଚ ଫର୍ବତଗୁଡ଼ିକ ପ୍ରକୃତିର ବଡ଼ଦେଉଳ ପରି ପ୍ରତିଭାତ ହୁଏ । ଦାକ୍ଷିଣାତ୍ୟର ଗୋଦାବରୀ, କୃଷ୍ଣା, କାବେରୀ, ପାନ୍ନାର, ତାମ୍ରପର୍ଣ୍ଣୀ, ତୁଙ୍ଗଭଦ୍ରା ପ୍ରଭୃତି ପବିତ୍ରତୋୟା ନଦୀଗୁଡ଼ିକ ପ୍ରାକୃତିକ ଶୋଭା ଏବଂ ପୌରାଣିକ ଅନୁସ୍ମୃତିରେ ପରିପୂର୍ଣ୍ଣ, ପୁଣି ଆର୍ଯ୍ୟଚକ୍ଷୁରେ ଏମାନେ ଦେବତାତ୍ମରୂପେ ପ୍ରତୀୟମାନ ।

 

ମାନ୍ଦ୍ରାଜ ସହରର ବନ୍ଦର (Port) ନିକଟରେ ଜନତା ଭେଦ କରି ଚାଲିବା ଏକପ୍ରକାର ଦୁର୍‌ହ ବ୍ୟାପାର ୧ ପ୍ରକାଣ୍ଡ ଯାତରଙ୍ଗ ହେବା ପରେ ଯେପରି କୋଳାହଳ ହୋଇଥାଏ, ଏଠାରେ ଆହୋରାତ୍ର ସେହିପରି । ଉତ୍କଳୀୟ ଦର୍ଶକ ପକ୍ଷରେ ଏ ସ୍ଥାନର ସମାରୋହ ଏବଂ କୋଳାହଳର ପ୍ରଥମଦର୍ଶନ ବାସ୍ତବିକ ବିସ୍ମୟାବହ ।

 

ଏତେ କୋଳାହଳ କାହିଁକି ? ଅର୍ଚ୍ଚନସ୍ପୃହା ଏବଂ ଅର୍ଚ୍ଚନସ୍ପୃହାସମ୍ଭୂତ ବାଣିଜ୍ୟ ଏ ଅଞ୍ଚଳୀୟ ଲୋକଙ୍କର ପ୍ରକୃତିସିଦ୍ଧି । ସମସ୍ତ ପ୍ରେସିଡେନ୍ସିର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ବାଣିଜ୍ୟ ଚାଲିଅଛି, ଯେ ଜିଲାରେ ଯାହା ଭଲ ପଦାର୍ଥ ଅଚି ତାହା ମାନ୍ଦ୍ରାଜକୁ ଆନୀତ ହେଉଅଛି, ଏବଂ ମାନ୍ଦ୍ରାଜର ଯାହା କିଛି ଭଲ, ତାହା ଅନ୍ୟ ଦେଶକୁ ପ୍ରେରିତ ହେଉଅଛି । ସମୁଦ୍ରଯାତ୍ରାର କଷ୍ଟ କେଡ଼େ ଭୟଙ୍କର, ତାହା ଗୃହସୁଖଭୋଗିଙ୍କର କଳ୍ପନାକୁ ଅତୀତ, କିନ୍ତୁ ଏଡ଼େ ଭୀଷଣ କଷ୍ଟ ମାନ୍ଦ୍ରାଜବ୍ୟବସାୟୀମାନଙ୍କ ନିକଟରେ କଷ୍ଟହିଁ ନୁହେଁ । ଏମାନଙ୍କ ବ୍ୟବସାୟ ସୁଦୁର ଚୀନ, ଜାପାନ, ଏବଂ ପ୍ରଶାନ୍ତ ମହାସାଗରୀୟ ପ୍ରସିଦ୍ଧ ପ୍ରସିଦ୍ଧ ଦ୍ୱୀପ ପର୍ଯ୍ୟନ୍ତ ବିସ୍ତୃତ । ଉତ୍କଳରେ ସୁଦ୍ଧା ଦେଖ ଜାହାଜକାର୍ଯ୍ୟରେ ତୈଲଙ୍ଗର ସଂଖ୍ୟା ସବୁଠାରୁ ଅଧିକ । ଅର୍ଥଲାଭର ଉପାୟ ଆବିଷ୍କରଣାର୍ଥ ପ୍ରାୟ ସମସ୍ତେ ମସ୍ତିଷ୍କ ପରିଚାଳନା କରୁଅଛନ୍ତି । ଆଳସ୍ୟ କଅଣ, ଅଧିକାଂଶ ଲୋକେ ଜାଣନ୍ତି ନାହିଁ । ‘‘ବର୍ତ୍ତମାନ କାର୍ଯ୍ୟଶୂନ୍ୟ’’ ଏ କଥା କହିବାକୁ ଅଧିକାଂଶ ଲୋକେ ପଶ୍ଚାତ୍‌ପଦ; ଯେ କୌଣସି ଉପାୟରେ ହେଉ ସମୟର ସଦ୍ବ୍ୟବହାର କରିବାକୁ ସମସ୍ତେହିଁ ଅଗ୍ରସର । ବ୍ୟବସାୟୀ ବା ଦୋକାନୀ ହେବାକୁ କେହି ସଙ୍କୁଚିତ ହୁଅନ୍ତି ନାହିଁ । ବ୍ୟବସାୟର କୌଣସି ପନ୍ଥା ପାଇଲେ ଏମାନେ ଆପଣାକୁ ଚରିତାର୍ଥ ମଣନ୍ତି । ଆଉ ଆମ୍ଭେମାନେ ? ଆମ୍ଭମାନେ କୂପସ୍ଥ ଭେକ ପରି କଟକ ସହରକୁ ନିଖିଳ ଜଗତ୍‌ମଣି ସନ୍ତୁଷ୍ଟ । ‘‘ବାଣିଜ୍ୟେ ବସତି ଲକ୍ଷ୍ମୀଃ’’ ଏହି ପ୍ରବାଦ ଯେଉଁ ଜାତି ମଧ୍ୟରେ ଚିରପ୍ରସିଦ୍ଧ ହୋଇ ରହିଅଛି, ସେ ଜାତି ପୁର୍ବେ ଯେ ବାଣିଜ୍ୟକୁଶଳ ଥିଲେ, ଏଥିରେ ସନ୍ଦେହ କି ? କିନ୍ତୁ ମୁ କ୍ଷୁଧିତ, ବାଲ୍ୟକାଳରେ ଯେଉଁ ହସ୍ତରେ ଘୃତାହାର କରିଅଛି, ବର୍ତ୍ତମାନ ସେହି ହସ୍ତର ଆଘ୍ରାଣ ନେଲେ କି ମୋହର କ୍ଷୁଧା ନିବୃତ୍ତି ହେବ ? ଅତୀତ ମହାନ୍‌ହେଲେ ଭବିଷ୍ୟତ ମହାନ୍‌ହେବାର ସମ୍ଭାବନା ଥାଇ ପାରେ । ମହାଦୁର୍ବଶୋଦୁତ ହେଲେ ନିଜେ ହୁଏତ ମହାନ୍‌ହୋଇ ପାରେ, କିନ୍ତୁ ସେହି ପୁର୍ବପ୍ରତିଷ୍ଠା ରୋମକ୍ରନରେ ବ୍ୟାପୃତ ରହି ବର୍ତ୍ତମାନକୁ ବିସ୍ମୃତ ହେବା କି ବୁଦ୍ଧିମାନର କାର୍ଯ୍ୟ ? ଯେପରି ବଂଶବିଶେଷର ସନ୍ତାନମାନଙ୍କର ବଂଶାଭିମାନହିଁ । ସେମାନଙ୍କ ଆଳସ୍ୟ, ଜଡ଼ତା ଏବଂ ପରିଶେଷରେ ଅବନତିର କାରଣ ହୋଇଥାଏ, ସେହିପରି ଅଭିଜାତ୍ୟ ଏବଂ ଅତୀତ ଗର୍ଜିତ ହୋଇ ଉପସ୍ଥିତ କର୍ତ୍ତବ୍ୟ ବିସ୍ମିତ ହୋଇ ଆମ୍ଭେମାନେ ସମୟ ଓ ବାକ୍ୟ ବୃଥା କର୍ତ୍ତବ୍ୟ ବିସ୍ମିତ ହୋଇ ଆମ୍ଭେମାନେ ସମୟ ଓ ବାକ୍ୟ ବୃଥା ବ୍ୟୟ କରୁଅଛୁଁ । ବର୍ତ୍ତମାନ ମୁଁ କଅଣ ? ହୋଇପାରେ, ମୋହର ପିତାମହ ଦେଶପ୍ରସିଦ୍ଧ ଧନୀ ଥିଲେ; ଧନ ବ୍ୟୟ ହୋଇ ଯାଇଅଛି, ନିର୍ଦ୍ଧନ ହୋଇ ମୁଁ, ତକିଆ ଆଉଜିବସି ତାହାଙ୍କ ଦୃଷ୍ଟାନ୍ତର ଅନୁକରଣ କଲେ କି ମୋହର ଉଦର ପୁରଣ ହୋଇ ପାରିବ ? ବିଦେଶୀୟ ବାଣିଜ୍ୟ ଦୂରେ ଥାଉ, ଦେଶୀୟ ବାଣିଜ୍ୟପ୍ରତି ସୁଦ୍ଧା ଆମ୍ଭମାନଙ୍କର ଦୃକ୍‌ପାତ ନାହିଁ ।

 

ପରିଚ୍ଛେଦରେ ସାଇଲ୍ସ ଏବଂ ଜାତୀୟତା ରକ୍ଷା ବିଷୟରେ ଦାକ୍ଷିଣାତ୍ୟ ବାସିମାନେ ସମଧିକ ଆସ୍ଥାବାନ୍‌ । ଏମାନେ ନବ୍ୟ ଫେସନରେ ଦାସ ନୁହନ୍ତି । ଫେସନରେ ଦାସ ନୁହନ୍ତି । ଫେସନର ଦାସ ନୁହନ୍ତି ବୋଲି ଯେ ଏମାନେ କୃପଣ, ତାହା ନୁହେଁ । ବରଂ ସଂସାରରେ ସାଧାରଣତଃ ଦେଖାଯାଏ ଯେମାନେ ଫେସନ ଅନୁସରଣରେ ପଟୁ, ସୁନ୍ଦର ଗୃହ, ସୁନ୍ଦର ଗୃହସଜ୍ଜା, ସୁନ୍ଦର ଯାନବାହନ, ସୁନ୍ଦର ପରିଚ୍ଛେଦ ନ ହେଲେ ଯେମାନଙ୍କର ଚଳେ ନାହିଁ, ସେହିମାନେ ପ୍ରାୟ ସମଧିକ ହୃଦୟ ଏବଂ କୃପଣ ହୋଇଥାନ୍ତି । ନିଜର ତଥାକଥିତ ସୁରୁଚି ଚରିତାର୍ଥ କରିବା ବିଷୟରେ ଏମାନେ ମୁକ୍ତହସ୍ତ ହୋଇ ସୁଦ୍ଧା ଅନ୍ନାହାରକ୍ଲିଷ୍ଟ ଭିକ୍ଷୁକକୁ ପଇସାଟିଏ ସୁଦ୍ଧା ଦେବାକୁ କୁଣ୍ଠିତ ହୁଅନ୍ତି । ଦାକ୍ଷଣାତ୍ୟବାସୀଙ୍କର ରୁପଚ୍ଛେଦ-ସାରଳ୍ପର ପ୍ରଧାନ କାରଣ ସ୍ୱଦେଶପ୍ରେମିକତା । ନବ୍ୟଫେସନରେ ଦାସ ହେଲେ ସ୍ୱଦେଶୀୟ ଶିଳ୍ପର ସର୍ବନାଶ ହେବ, ମାତ୍ର ପରିଚ୍ଛେଦାଦିରେ ସାରଲ୍ୟ ଏବଂ ଜାତୀୟତା ରକ୍ଷାକରି ପାରିଲେ ବିଦେଶୀୟ ଦ୍ରବ୍ୟର ପରିହାଲ ଏବଂ ଦେଶୀୟ ଶିଳ୍ପର ସଂରକ୍ଷଣ ଓ କ୍ରମୋନ୍ନତି ହେବ, ଏହା ଏମାନେ ଉତ୍ତମରୂପେ ବୁଝନ୍ତି, ଏବଂ ଯେପରି ବୁଝନ୍ତି ସେହିପରି ଚଳନ୍ତି ।

 

ଏହି ହେତୁରୁ ମାନ୍ଦ୍ରାଜ ପ୍ରେସିଡ଼େନ୍ସିରେ ଇଉରୋପୀୟ ଶିଳ୍ପର ସଙ୍ଗଗ୍ରାସିନୀ ପ୍ରତିଯୋଗିତାସତ୍ତ୍ୱେ, ଅବିଧି ଦେଶୀୟ ଶିଳ୍ପ ପ୍ରାୟ ଅକ୍ଷୁର୍ଣ୍ଣ ଅବସ୍ଥାରେ ବିଦ୍ୟମାନ । କଟକରେ ସୁଦ୍ଧା ଦେଖ ଶତଶତ ତୈଲଙ୍ଗ ତନ୍ତୀ ବସ୍ତ୍ରବ୍ୟବସାୟରେ ସୁନ୍ଦର ଜୀବିକା ଚଳାଉଅଛନ୍ତି । ତୈଲଙ୍ଗୀୟମାନେ ଏମାନଙ୍କର ଲୁଗା ଛାଡ଼ିପ୍ରାୟ ଅନ୍ୟଲୁଗା ବ୍ୟବହାର କରନ୍ତି ନାହିଁ । ମାତ୍ର ଆମ୍ଭେମାନେ ଆମ୍ଭମାନଙ୍କର ତନ୍ତୁବାୟକୁଳପତି ଏପରି ସହାନୁଭୁତି କେବେ ଦେଖାଇଥିଲୁ ?

 

ମାନ୍ଦ୍ରାଜ ଅଞ୍ଚଳର ବିଶ୍ୱବିଦ୍ୟାଳୟେତ୍ତୀର୍ଣ୍ଣ ଯୁବକମାନେ ଆମ୍ଭମାନଙ୍କ ପରି ଚାକିରି ସକାଶେ ଲାଳାୟିତ ହୁଅନ୍ତି ନାହିଁ । ସର୍ବାଦୌ ଏମାନଙ୍କ ଦୃଷ୍ଟି ପ୍ରାୟଶଃ ବାଣିଜ୍ୟ ଏବଂ ବ୍ୟବସାୟପ୍ରତି ଆକୃଷ୍ଟ ହୁଏ । କିରାଣୀ ହେବାଠାରୁ ଦୋକାନୀ ହେବାକୁ ଏମାନେ ଅଧିକ ଶ୍ରେୟସ୍କର ମଣନ୍ତି । ପରର ଦାସତ୍ୱ ସ୍ୱୀକାର ନ କରି ଯେ ସ୍ୱାଧୀନଭାବର ଜୀବନଯାତ୍ରା ନିର୍ବାହ କରିବାକୁ ପ୍ରୟାସୀ ସେ ଆମ୍ଭମାନଙ୍କ ଚକ୍ଷୁରେ ଦୋକାନୀ ବୋଲି ଘୃଣ୍ୟ, ଏବଂ ଯେ ଇଂରେଜ ପ୍ରଭୁଙ୍କଠାରୁ ଲାଞ୍ଛନା ଭୋଗ କରି ଦିନଯାକ ରଜକଗର୍ଦ୍ଦଭ ପରି ପରିଶ୍ରମ କରନ୍ତି, ସେ ମହତ ବ୍ୟକ୍ତି, ସମାଜରେ ତାଙ୍କର ଅଧିକ ଆଦର । ‘ବେତନ’ ଅପେକ୍ଷା ମହତ୍ତ୍ୱର ଉତ୍କୃଷ୍ଟତର ମାନଦଣ୍ଡ ଅବିଧି ଓଡ଼ିଶାରେ ପ୍ରଚଳିତ ହୋଇ ନାହିଁ । ବଙ୍ଗଦେଶରେ ମଧ୍ୟ କିଛି ଦିନ ପୂର୍ବେ ଏହିପରି ଥିଲା । ନଡ଼ାଲରେ ମୃତ ମହାତ୍ମା ଭୂଦେବ ଙ୍କୁ ଅଭ୍ୟର୍ଥନା ସେଥିରେ ପରିଚାୟକ ବାବୁ ସେ ସମୟରେ ମାସିକ ଟ ୩୦୦ ଙ୍କା ବେତନରେ ସହକାରୀ ସ୍କୁଲ ଇନ୍ସପେକ୍ଟର ଥିଲେ । ଲକ୍ଷପତି ନଡ଼ାଲ ଜମିଦାରଙ୍କ ସହିତ ସାକ୍ଷାତ୍‌କରିବାକୁ ଗଲେ । ବୃଦ୍ଧ ଜମିଦାର ତାହାଙ୍କର ପଦମାତ୍ରର ପରିଚୟ ପାଇ ତାହାଙ୍କୁ ବସିବା । ସକାଶେ ଆସନେ ସୁଦ୍ଧା ଦେଲେ ନାହିଁ । ଭୂଦେବବାବୁ ଛିଡ଼ାହୋଇ ତାହାଙ୍କର ରୀତିଗତି ଦଖୁଥିଲେ । ହଠାତ୍‌ଜମିଦାର ପଚାରିଲେ,–

 

‘‘ତୋମାର ବେତନ କତ ?’’

 

ଉତ୍ତର ପାଇ ଚକିତ ହୋଇ କହିଲେ,–

 

‘‘ଓ ସର୍ବନାଶ ! ପତ୍ରିଶ ଟାକା ! ଓ ରେ ଚେୟରଆନ, ଚେୟରଆନ,ଏ କି କରେ ଜାନବ, ବଲ । ତିନିଶ ଟାକା ବେତନ, ବୋସତେ ଆଜ୍ଞା ହୋକ୍‌; ତିନିଶ ଟାକ ! ମାଫ କରବେଳ ମହାଶୟ ।’’

 

ବଙ୍ଗଦେଶରେ ଏହା ଗୋଟିଏ କୌତୁକାବହ ଗଳ୍ପରୁପେ ପ୍ରଚଳିତ ମାତ୍ର ଓଡ଼ିଶାରେ ଏହା ପ୍ରାୟ ଘଟିଥାଏ । ଓଡ଼ିଶାରେ ଏହା ପ୍ରାୟ ଘଟିଥାଏ । ଓଡ଼ିଶାରେ ଲୋକର୍‌ମହତ୍ତ୍ୱ କଳିକା ସକାଶ ପ୍ରଥମ ପ୍ରଶ୍ନ ‘‘ତୁମେ କି ଚାକରୀ କର ?’’ ଦ୍ୱୀତୀୟ ପ୍ରଶ୍ନ ‘‘ତମର ଦରମାହା କେତେ ?’’ ଶୁଣିବାର ଏପରି ଦିନ ସୁଦ୍ଧା ଥିଲା ଯେତେବେଳେ ବଡ଼ବଡ଼ ଜମିଦାରମାନେ ଉପାଧିମାନବଲମ୍ବୀ ଜଣେ ସାମାନ୍ୟ ମୋହରର କୃତାର୍ଥ, ଏବଂ ଗଡ଼ଜାତୀୟ ରାଜାମାନେ କମିଶନର ସାହେବଙ୍କ ଜମିଦାରଙ୍କ ସଙ୍ଗାତ ହୋଇ ଆପଣାକୁ ଗୌରବାନ୍ୱିତ, ମଣୁଥିଲେ । ବର୍ତ୍ତମାନ ଓଡ଼ିଶାର ଏ ସମ୍ବନ୍ଧରେ କେତେକ ପରିବର୍ତ୍ତନ ହୋଇଅଛି ସନ୍ଦେହ ନାହିଁ, ମାତ୍ର ଆହୁରି ପ୍ରବର୍ତ୍ତରିନର ଅବକାଶ ଅନେକ ଅଛି ।

 

ଦାକ୍ଷିଣାତ୍ୟରେ ଚାକରୀଭୋଗୀ ଲୋକମାନେ ବଣିକ କିମ୍ବା ବ୍ୟବସାୟିକମାନଙ୍କଠାରୁ ଅଧିକ ସମ୍ମାର୍ନାହ ବିବେଚିତ ହୁଅନ୍ତି ନାହିଁ । ଏ ଅଞ୍ଚଳରେ ବଣିକ, ଶିଳ୍ପି, ବ୍ୟବହାରାଜୀବ, ଚିକିତ୍ସକ, ଶିକ୍ଷକ ପ୍ରଭୁତିଙ୍କ ସାମାଜିକ ପ୍ରତିଷ୍ଠା ଚାକରିଆଙ୍କଠାରୁ କୌଣସି ଅଂଶରେ ନ୍ୟନ ଦୁହେଁ, ବରଂ ଅଧିକ । ଇଉରୋପୀୟ ଏବଂ ମାର୍କିନ ସାମାଜିକ ବ୍ୟବସ୍ଥା ମଧ୍ୟ ଏହିପରି । ଇଂଲଣ୍ଡରେ ଶାସନପ୍ରଣାଳୀ ଯେଉଁ ମହସଭାଦ୍ୱାରା ପରିଚାଳିତ, ସେହି ପାର୍ଲାମେଣ୍ଟର ଅଧିକାଂଶ ସଭ୍ୟ ଭୁସ୍ୱାମୀ, ବଣିକ ଏବଂ ଦେକାନୀ । ମାତ୍ର ଓଡ଼ିଶାରେ ମନୁଷ୍ୟ ବୋଲି ପରିଗଣିତ ହେବାପାଇଁ ଚାକରିର ନିତାନ୍ତ ଲୋଡ଼ା । ବିଶ୍ୱାସସୁତ୍ରରୁ ମୁଁ ଶୁଣିଅଛି ଯେ ବାଲେଶ୍ୱରର ଜଣେ ଲକ୍ଷପତି କରଣ ଭୁସ୍ୱାମୀ ଏହି ସଂସ୍କାରରେ ବଶବର୍ତ୍ତୀ ହୋଇ ମାସିକ ଟ ୧୫ ଙ୍କା ବେତନର ଖଣ୍ଡିଏ ମୋହରିର କାର୍ଯ୍ୟ ସ୍ୱୀକାର କରିଥିଲେ ।

 

ଭଦ୍ରତା ବିଷୟରେ ଦାକ୍ଷିଣାତ୍ୟବାସିମାନେ ଭାରତବର୍ଷୀୟ ଅନ୍ୟ କୌଣସି ଜାତି ଅପେକ୍ଷା ହୀନକଳ୍ପ ନୁହନ୍ତି । ବରଂ ତୁଳନାରେ ସେ ମାନଙ୍କର ଉତ୍କର୍ଷ ଲକ୍ଷିତ ହୁଏ । ସଙ୍କୀର୍ଣ୍ଣ ପ୍ରାଦେଶିକ ଭାବ ଏମାନଙ୍କ ମନରେ ପ୍ରାୟ ସ୍ଥାନ ପାଏ ନାହିଁ । ସାଧାରଣତଃ ଏହା ପ୍ରାୟ ଦେଖାଯାଏ ଯେ ଲୋକ ନିଜର ଭାଷା କିମ୍ବା ରାଜନିତୀଠାରୁ ଅନ୍ୟର ଭାଷା କିମ୍ବା ରାଜନୀତିର ଯତ୍ନସମାନ୍ୟ ପ୍ରଭେଦ ଦେଖିଲାକ୍ଷଣି ଉପହାସ କିମ୍ବା ଅବଜ୍ଞା ପ୍ରଦର୍ଶନ କରିଥାନ୍ତି । ବଙ୍ଗଦେଶରେ ପୁଣି ଏହି ଦୋଷ ପୂର୍ଣ୍ଣମାତ୍ରାରେ ବିରାଜମାନ । ବଙ୍ଗଦେଶୀୟଙ୍କ ଅବଜ୍ଞାଭିଧାନରେ ପଶ୍ଚିମାମାନେ ‘‘ଛାତୁଖୋର’’, ପୂର୍ବବଙ୍ଗୀୟମାନେ ‘‘ପ୍ରେତ’’, ଓଡ଼ିଆମାନେ ‘‘ଜନ୍ତୁ’’, ଉତ୍କଳୀୟ ବଙ୍ଗାଳିମାନେ ‘‘କେରାବାଙ୍ଗାଲୀ’’ । ଅବଶ୍ୟ ବଙ୍ଗଦେଶୀୟ ମହାମହିମ ବ୍ୟକ୍ତିମାନେ (ଯଥା, ଈଶ୍ୱରଚନ୍ଦ୍ର, ଅକ୍ଷୟକୁମାର, ଭୁଦେବ ପ୍ରଭୃତି) ଏ ଦୋଷରୁ ସମ୍ପୂର୍ଣ୍ଣ ରୁପେ ମୁକ୍ତ । ଏମାନଙ୍କର ଉଦାରପ୍ରକୃତି ଭିନ୍ନ ଉପାଦାନରେ ଏବଂ ସାର୍ବଭୌମିକ ଭିତ୍ତି ଉପରେ ଗଠିତ ଥିଲା । ଭାଷା ଏବଂ ରୀତିନୀତିରେ ପ୍ରଭେଦ ଅନିବାର୍ଯ୍ୟ ପ୍ରାକୃତିକ କାରଣ ଉପରେ ବହୁପରିମାଣରେ ନିର୍ଭର କରେ, ଏହା ଏମାନେ ଉତ୍ତମରୁପେ ଅବଗତ ଏବଂ ବାସ୍ତବ କୌଣସି ତ୍ରୁଟି ଦେଖିଲେ ଏ ଶ୍ରେଣୀରେ ଲୋକେ ସରଳଭାବରେ ତାହା ସଂଶୋଧନ କରିବାକୁ ପ୍ରୟାସୀ ହୁଅନ୍ତି, ତ୍ରୁଟିକୁ ଉପହାସାର୍ହ କିମ୍ବା ଅବଜ୍ଞାର୍ହ ମଣନ୍ତି ନାହିଁ । ମାତ୍ର ସାଧାରଣ ବଙ୍ଗାଳିଙ୍କର ସଙ୍କୀର୍ଣ୍ଣତା ଦେଖି ସମୟ ସମୟରେ ମର୍ମାହତ ହେବାକୁ ହୁଏ । ଦାକ୍ଷିଣାତ୍ୟରେ ଏ ଭଳି ସଙ୍କୀର୍ଣ୍ଣତା ପ୍ରାୟ ଲକ୍ଷିତ ହୁଏ ନାହିଁ । ମୁ ଗଞ୍ଜାମଠାରୁ ତୃଣବଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଅନେକ ଲୋକଙ୍କ ସହିତ ପରିଚୟ ଆଳାପାଦି କରି କୌଣସିଠାରେ ଏପରି ପାର୍ଥକ୍ୟ ଏବଂ ଅବଜ୍ଞାସୁଚକ ଭାବ ଦେଖି ନାହିଁ । ମୋହର ଲିଖିତ ବିବରଣର ଭିନ୍ନ ଭିନ୍ନ ଅଂଶରୁ ପାଠକେ ଏହାର ପ୍ରମାଣ ପାଇଥିବେ ।

 

ଅତିର୍ଥେୟତା ବିଷୟରେ ଦାକ୍ଷିଣାତ୍ୟ ଦାକ୍ଷିଣାତ୍ୟକୁ ପଟାନ୍ତର । ଓଡ଼ିଶା ଯେ ଅତିଧେୟତା ବିଷୟରେ ନିତାନ୍ତ ହୀନକର୍ମ, ଏହା ବୋଲା ଯାଇ ନ ପାରେ । ବାଲେଶ୍ୱରର ରାଜା ଶ୍ରୀ ବୈକୁଣ୍ଠନାଥ ଦେବ ବାହାଦୁରଙ୍କର ଏବଂ ଗଡ଼ଜାତରେ ବାମଣ୍ଡାଧିପତି ଶ୍ରୀଯୁକ୍ତ ସର୍‌ବାସୁଦେବ ସୁତଳଦେବ କେ, ସି, ଅଇ, ଇ, ଙ୍କର ଶିଷ୍ଟାଚାରସମ୍ମତ ଅତିଥେୟତା ସମଗ୍ର ଉତ୍କଳରେ ପ୍ରସିଦ୍ଧି ଲାଭ କରିଅଛି । ଉତ୍କଳର ଉତ୍ତରାଞ୍ଚଳରେ ଆତିଥେୟତାର ପ୍ରକୃଷ୍ଟ ଉଦାହରଣ ସ୍ଥଳେ ସ୍ଥଳେ ଲକ୍ଷିତ ହେଉଥିଲେ ସୁଦ୍ଧା ଦାକ୍ଷିଣାତ୍ୟରେ ସାଧାରଣ ମଧ୍ୟବିତ୍‌ଲୋକଙ୍କଠାରେ ଯେପରି ଆତିଥେୟତା ଦେଖାଯାଏ, ଉତ୍କଳରେ ତାହା ସ୍ୱପ୍ନ । ଫଳତଃ ଏ ବିଷୟରେ ଉତ୍କଳ-ଦାକ୍ଷିଣାତ୍ୟର ତୁଳନା ଏରଣ୍ଡ-ଶ୍ରୀଖଣ୍ଡ ତୁଳନାରେ ସମତୁଳ ।

 

ଜାତ୍ୱିକ ଧର୍ମଜ୍ଞାନଦ୍ୱାରା ପରିଚାଳିତ ହୋଇ ଦାକ୍ଷିଣାତ୍ୟରେ ଧନିମାନେ ସୁକୀର୍ତ୍ତୀ ସ୍ଥାପନ ବିଷୟରେ କେଡ଼େ ଯତ୍ନପରାୟଣ । ଦାକ୍ଷିଣାତ୍ୟର ପ୍ରାୟ ପ୍ରତ୍ୟେକ ନଗରରେ ଏହାର ଭୁରି ଭୁରି ନିଦର୍ଶନ ସୁଲଭ । ପ୍ରତ୍ୟେକ ନଗରରେ ଏମାନଙ୍କ ବ୍ୟୟରେ ନିର୍ମିତ ପାନ୍ଥଶାଳା, ଜଳାଶୟ, କୂପ, ପ୍ରପା, ନିପାନ ପ୍ରଭୃତି ଏମାନଙ୍କର ହୃଦୟବତ୍ତା ଏବଂ ପରିହିତୈଷଣାରେ ମୁକସାକ୍ଷିରୁପେ ବିରଜମାନ । ଓଡ଼ିଶାରେ ଏମାନଙ୍କର ସମକକ୍ଷ ଧନୀ ବିରଳ ସନ୍ଦେହ ନାହିଁ, ତଥାଚ ଅନୁପାତିକ ଦୃଷ୍ଟିରେ ନ୍ୟାୟତଃ ଓଡ଼ିଶାରେ ଯେତେ ସତ୍କାର୍ଯ୍ୟର ଆଶା କରାଯାଇ ପାରେ ସେଥିରେ ଦଶମାଂଶତ ଦେଖା ଯାଉ ନାହିଁ । ଜଣେ ବଙ୍ଗୀୟ ଧନୀ (ରାଜା ସୁଖମୟ) ଓଡ଼ିଶାର ଯେତେ କୀର୍ତ୍ତୀସ୍ଥାପନ କରିଥିଲେ, ଓଡ଼ିଶାର କେହି ତାହାର ଏକଚତୁର୍ଥାଂଶ କରିଅଛନ୍ତି କି ? ପ୍ରାଚୀନ କାଳରେ ଏ ଶ୍ରେଣୀର ଲୋକ ଓଡ଼ିଶାରେ ଥିଲେ ସେଥିର ଅନେକ ପ୍ରମାଣ ମିଳେ । ପ୍ରାଚୀନ ଓଡ଼ିଶାର ରାଜମନ୍ତ୍ରୀ ବିଦ୍ୟାଧରଙ୍କ ନାମରେ ଓଡ଼ିଶାର ଅନେକ ବୃହତ୍‌ବୃହତ୍‌ସରୋବର ନାମିତ । ଅଦ୍ୟାପି ଲକ୍ଷ ଲକ୍ଷ ପ୍ରାଣୀ ସେହି କୀର୍ତ୍ତିଦ୍ୱାରା ଉପକୃତ ହେଉଛନ୍ତି । ଏତ ପୂର୍ବର କଥା, ବର୍ତ୍ତମାନ କଅଣ ଦେଖାଯାଏ ? ଅତି ପ୍ରାଚୀନ କାଳର କଥା ଦୁରେ ଥାଉ, ଆଜିକି ୨୦ ।୩୦ ବର୍ଷ ପୁର୍ବେ ଓଡ଼ିଶାରେ ଯେପରି ସାତ୍ୱିକକୀର୍ତ୍ତିମାନ୍‌ବ୍ୟକ୍ତି ଥିଲେ, ବର୍ତ୍ତମାନ୍‌ସେପରି ଜଣେ ପାଇବାର କଠିନ । ବାଲେଶ୍ୱରର ପ୍ରାତଃସ୍ମରଣୀୟ ରାଜା ଶ୍ୟାମାନନ୍ଦ ଦେ, ବାବୁ ଉଦ୍ଧବଚରଣ ଦାସ ଏବଂ ବାବୁ ଚୈତନ୍ୟ ଦେଙ୍କ ପରି କୀର୍ତ୍ତିମାନ୍‌ପୁରୁଷ ଏ ରଜୋଗୁଣ ପ୍ରଧାନ କାଳରେ ଖପୁଷ୍ପ ଅଳୀକ ପ୍ରତୀୟମାନ ହେଉ ନାହାନ୍ତି କି ? ଏମାନେ ଯେପରି ସତ୍‌ପରିଶ୍ରମଦ୍ୱାରା ଅନେକ କୀର୍ତ୍ତୀ ସ୍ଥାପନ କରି ଯାଇଅଛନ୍ତି । ରାଜୋପାଧିଲାଳସା କିମ୍ବା ପ୍ରାକୃତ ଯୋଶଲିପ୍ସା ଏମାନଙ୍କୁ ବିକୃତ କରି ନ ଥିଲା । ରାଜା ଶ୍ୟାମାନନ୍ଦ ଦେ ଉପାଧି ଭୁଷିତ ହୋଇଥିଲେ ସତ୍ୟ, ମାତ୍ର ସେ ଉପାଧି ଲୋଡ଼ିବାର ପାତ୍ର ନ ଥିଲେ, ଉପାଧି ତାହାଙ୍କୁ ଲୋଡ଼ି ନେଇଥିଲା । ଶୁଣିବାରେ ଚୈତନ୍ୟ ହୋଇଥିଲେ, ମାତ୍ର ସେହି ଜୀବନରେ ସେ ଶତାଧିକ ବୃହତ୍‌ଜଳାଶୟ ଖୋଳାଇ ନିଃସ୍ୱାର୍ଥଭାବରେ ଲୋକଙ୍କର ଉପକାର କରି ଯାଇଅଛନ୍ତି । ଦାକ୍ଷିଣାତ୍ୟରେ ଅଦ୍ୟାପି ଏ ଶ୍ରେଣୀର ଲୋକ ଅନେକ ଦେଖାଯାନ୍ତି । ମାତ୍ର ଓଡ଼ିଶାର କି ସମୟ ଉପସ୍ଥିତ ହୋଇଅଛି ଯେ ସାତ୍ୱିକତା ଏଠାରୁ ପ୍ରାୟ ଅନ୍ତର୍ହିତ କହିଲେ ଚଳେ । ପ୍ରତ୍ୟକ୍ଷବାଦ ଆଧୁନିକ ଓଡ଼ିଶାର ମୂଳମନ୍ତ୍ର ହୋଇଅଛି । ପହରାକ୍ଷ ପାରଲୌକିକ ସଦ୍ଗତି ପରିବର୍ତ୍ତନରେ ପ୍ରତ୍ୟକ୍ଷ ରାଜୋପାଧି–ଲିପ୍ସା ଉତ୍କଳବାସୀଙ୍କର କାର୍ଯ୍ୟର ଏକମାତ୍ର ନିୟମାକ ହୋଇ ଅଛି ।

 

ଆର୍ଯ୍ୟାବର୍ତ୍ତ ଅପେକ୍ଷା ଦାକ୍ଷିଣାତ୍ୟର ଗୋଟିଏ ପ୍ରଧାନ ବିଶେଷତ୍ୱ ଏହି ଯେ ବୈଦେଶିକ ଆକ୍ରମଣ ଆର୍ଯ୍ୟାବର୍ତ୍ତରେ ଯେତେ ବିପ୍ଳବ ଏବଂ ପରିବର୍ତ୍ତନ ଘଟାଇଅଛି ଦାକ୍ଷିଣାତ୍ୟରେ ତେତେ କରି ପାରି ନାହିଁ । ଆର୍ଯ୍ୟାବର୍ତ୍ତର ଅଧିକାଂଶ ପ୍ରାଚୀନ ଧର୍ମ୍ମସମ୍ବନ୍ଧୀୟ କୀର୍ତ୍ତୀମାନ୍‌ମୁସଲମାନଙ୍କଦ୍ୱାରା ବିଧ୍ୱସ୍ତ ଓ ସେଥି ପରିବର୍ତ୍ତରେ ମୁସଲମାନ କୀର୍ତ୍ତି ସ୍ଥାପିତ ହୋଇଅଛି । ଦାକ୍ଷିଣାତ୍ୟ ଅପେକ୍ଷାକୃତ ଦୂର ଏବଂ ପର୍ବତାଦିରେ ଦୁର୍ଗମ ହୋଇଥିବା ହେତୁରୁ ମୁସଲମାନ ଆକ୍ରମଣ ସ୍ରୋତ ଦାକ୍ଷିଣାତ୍ୟରେ ଅନେକ ବିଳମ୍ବରେ ପହଁଚିଥିଲା । ଏହି ହେତୁରୁ ଦାକ୍ଷିଣାତ୍ୟରେ ଆର୍ଯ୍ୟଭାବ ଅପେକ୍ଷାକୃତ ବିଳମ୍ବରେ ଅଧିକ ଜାଗ୍ରତ, ଏବଂ ଆର୍ଯ୍ୟକୀର୍ତ୍ତି ଜୀବିତ ଅଛି । ପ୍ରାଚୀନ ଭାରତବର୍ଷରେ କିପରି ଧର୍ମ୍ମ ଚର୍ଚ୍ଚା ଏବଂ ବିଦ୍ୟାଚର୍ମ ହେଉଥିଲା ସେଥିର ନିଦର୍ଶନ ବର୍ତ୍ତମାନ ଆର୍ଯ୍ୟାବର୍ତ୍ତ ଅପେକ୍ଷା ଦାକ୍ଷିଣାତ୍ୟରେ ଅଧିକତର ସୁଲଭ । ଆର୍ଯ୍ୟଚକ୍ଷୁରେ ଦାକ୍ଷିଣାତ୍ୟ ଏହି ହେବୁରୁ ଅଧିକତର ପ୍ରିୟଦର୍ଶନ ।

 

ଦାକ୍ଷିଣାତ୍ୟରେ ମିଷ୍ଟାନ୍ନ ପ୍ରସ୍ତୁତ କରିବାର ରୀତି ଆର୍ଯ୍ୟବର୍ତ୍ତଠାରୁ ସମ୍ପୂର୍ଣ୍ଣରୁପେ ପୃଥକ । ସୁତରାଂ ଉତ୍କଳବାସୀଙ୍କ ପକ୍ଷରେ ଦାକ୍ଷିଣତ୍ୟରେ ଜଳଖିଆ ସୁପଥ୍ୟ ନୁହେ, ମାତ୍ର ଉପାଦେୟ ଫଳ ସର୍ବୋତ୍ର ପ୍ରଚୁର ପରିମାଣରେ ମିଳୁଥିବାରୁ ଏ ଅଭାବ ବହୁପରିମାଣରେ ପୁର୍ଣ୍ଣ ହୁଏ । କମଳା, ଆମ୍ବ, ଶେଓ, ନାସପାତି ପ୍ରଭୃତି ସୁଖାଦ୍ୟ ଫଳ ପ୍ରାୟ ସର୍ବତ୍ର ସୁଲଭ । ନାରିକେଳରତ କଥା ନାହିଁ । ଦାକ୍ଷିଣାତ୍ୟବାସିମାନଙ୍କ ଆହାରରେ ଫଳ ଗୋଟିଏ ପ୍ରଧାନ ଉପାଦାନ । କଟକସ୍ଥ ପାଠକ ମହୋଦୟମାନେ ତୈଲଙ୍ଗାୟ ଏବଂ ଦ୍ରାବିଡ଼ ସୈନିକଙ୍କ ସଂଚରଣସ୍ଥଳୀ ବକ୍ସିବଜାରରୁ ଏହାର ପ୍ରମାଣ ପାଇଥିବେ । ଏ ବଜାରରେ ଯେଉଁ ପରିମାଣରେ ଫଳ ବିକ୍ରୟ ହୁଏ, କଟକର ଅନ୍ୟ କୌଣସି ବଜାରରେ ତାହା ହୁଏ ନାହିଁ ।

 

ଦାକ୍ଷିଣାତ୍ୟନିବାସିମାନଙ୍କର ଏହି ଫଳପ୍ରିୟତା ଦାକ୍ଷିଣାତ୍ୟର ଉଦ୍ୟାନବାହୁଲ୍ୟର ପ୍ରଧାନ ହେତୁ ଅଟେ । ମାନ୍ଦ୍ରାଜ ‘‘ଉଦ୍ୟାନ ନଗରୀ’’ ବୋଲି ପ୍ରତିଷ୍ଠିତ ଏହା ମୁଁ ପୁର୍ବେ କହିଅଛି । ସମଗ୍ର ମାନ୍ଦ୍ରାଜହତା ନ୍ୟନାଧିକ ଏହି ଲକ୍ଷଣାକ୍ରାନ୍ତ । ଭାରତବର୍ଷରେ ବୋଧ ହୁଏ ଏପରି କୌଣସି ପ୍ରଦେଶ ନାହିଁ ଯେ ଏ ବିଷୟରେ ଦାକ୍ଷିଣାତ୍ୟର ପ୍ରତିଦ୍ୱନ୍ଦୀ ହେବ । ଓଡ଼ିଶା କଥା ଛାଡ଼ିଦିଅ । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ସବ୍‌ଡ଼ିଭିଜନ୍, ଏବଂ ଅନେକଗୁଡ଼ିଏ ଗଡ଼ଜାତ ପରିଭ୍ରମଣ କରି ଯଥାର୍ଥନାମା ଗୋଟିଏ ସୁଦ୍ଧା ଉଦ୍ୟାନ ଦେଖିବାର ମୋହ ଭାଗ୍ୟରେ ଘଟି ନାହିଁ । ବାମଣ୍ଡା ରାଜଧାନୀ ଦେବଗଡ଼ର ସୁପ୍ରସିଦ୍ଧ ଉଦ୍ୟାନ ମୁଁ ଅବିଧି ପ୍ରତ୍ୟକ୍ଷ କରି ନାହିଁ । ଶୁଣିବାରେ କି ପୁଷ୍ପ, କି ଫଳ ଉଭୟ ସମ୍ବନ୍ଧରେ ସେ ଉଦ୍ୟାନ ଓଡ଼ିଶାରେ ଆଦର୍ଶ ସ୍ଥାନୀୟ । ତାହାହେଲେ ଆଦର୍ଶ, ଆଦର୍ଶ ମାତ୍ର ହୋଇ ରହିଲା, ଆଦର୍ଶ ଅନୁକୃତ ହେବାର ତ କୌଣସି ଲକ୍ଷଣ ଦେଖା ଯାଉ ନାହିଁ ।

 

ବୃକ୍ଷ ରୋପଣ ଏବଂ ଉଦ୍ୟାନ ରୋପଣ ବିଷୟରେ ଦାକ୍ଷିଣାତ୍ୟବାସିମାନେ ଆମ୍ଭମାନଙ୍କର ଗୁରୁ ହୋବାକୁ ସମ୍ପୂର୍ଣ୍ଣରୁପେ ଉପଯୁକ୍ତ; ମାତ୍ର ଆମ୍ଭେମାନେ ଶିଷ୍ୟ ହେବାକୁ ଉପଯୁକ୍ତ କି ନା, ଏ ବିଷୟରେ ସନ୍ଦେହ ଜାତ ହୁଏ । ବୃକ୍ଷର ମୂଲ୍ୟ ବୁଝିବାକୁ ଆମ୍ଭମାନେ ନିତାନ୍ତ ଅସମର୍ଥ । ମୋହର କ୍ଷୁଦ୍ର ବିବେଚନାରେ ଗୋଟିଏ ଲୋକ ଯେବେ ଆଉ କିଛି ନ କରି ଜୀବନରେ କେବଳ ଗୋଟିଏ ଭଲ ଆମ୍ବଗଛ ଉତାରି ପାରେ ସେ ନିଃସ୍ୱାର୍ଥଭାବରେ ସଂସାରରେ କିଛି ଉପକାର କଲା । ମାତ୍ର ଆମ୍ଭେମାନେ ଏପରି ଅର୍ଦ୍ଧାଚୀନ ଯେ ନୂତନ ଗଛ ଉତାରିବାରତ ଦୂରର କଥା, ଜାଳିବାର କାଠର ଅଭାବ ହେଲେ ଅସଙ୍କୋଚରେ ବୃହତ୍‌ବୃହତ୍‌ଫଳବୃକ୍ଷମାନଙ୍କୁ ଭୁମିସାତ୍‌କରୁଁ । ବାଲେଶ୍ୱର ଜିଲ୍ଲା ପୁଣି ଏ ବିଷୟରେ ସର୍ବ୍ବେପେକ୍ଷା ହୀନ । ବାଲଶ୍ୱର ଜିଲ୍ଲାର କୌଣସି କୌଣସି ବିଳାସପ୍ରିୟ ଯୁବକ ଜମିଦାର, ନିଜର ଦୁଷ୍ପ୍ରବୃତ୍ତ ଚରିତାର୍ଥ କରିବା ସକାଶ ଅର୍ଥ ଆବଶ୍ୟକ ହେବାରୁ, ବର୍ଷକ ମଧ୍ୟରେ ଏହିପରି ଶତ ଶତ ବୃକ୍ଷ ବିକ୍ରୟ କରିବାକୁ ଲେଶମାତ୍ର କୁଣ୍ଠିତ ହୋଇ ନାହାନ୍ତି । ଅରୁଦିବସ ପୁଙ୍କେ କଟକର କୌଣସି କୌଣସି ସୁବିଖ୍ୟାତ ଜମିଦାର ଗୃହରେ ଏହିରୀତିରେ ଦୁଷ୍କାର୍ଯ୍ୟ ପ୍ରବଳ ହୋଇଥିଲା । ମାତ୍ର ଆଜିକାଲି ତାହା ଅନ୍ତର୍ହିତ ହୋଇଅଛି । କଟକ ଏବଂ ପୁରୀରେ ବରଂ ବୃକ୍ଷ ରୋପଣ ବିଷୟରେ ଲୋକଙ୍କର ଆସ୍ଥା ଦେଖାଯାଏ । ଏହି ହେତୁରୁ ଏ ଦୁଇ ଜିଲ୍ଲାରେ ତୋଟାର ସଂଖ୍ୟା ଅନେକ । ମାତ୍ର ବାଲେଶ୍ୱର ଜିଲାର ଅଧିକାଂଶ ମରୁଭୁମିବତ୍‌ପ୍ରତୀୟମାନ ହୁଏ ।

 

ଆଜି ଅପରାହ୍ନରେ ରାୟବାହାଦୁରଙ୍କ ପୁତ୍ରସହିତ ତାହାଙ୍କ ଉଦ୍ୟାନରେ ଭ୍ରମଣ କରୁ କରୁ ନାନାବିଷୟିଣୀ କଥାବାର୍ତ୍ତା ପଡ଼ିଲା । ଏ ମହାଶୟ କେବଳ ଆମୋଦ ନିମନ୍ତେ ଅତି ସୁନ୍ଦର ଫଟୋଗ୍ରାଫ ଶିକ୍ଷା କରଛନ୍ତି । ଏହି ବିଦ୍ୟାରେ ସଂପୁର୍ଣ୍ଣ ପାରଦର୍ଶିତା ଲାଭ କରି ପ୍ରାୟ ୫ ।୬ ସହସ୍ର ମୁଦ୍ରା ବ୍ୟୟ କରିଥିବାର ଶୁଣିଲି । ପ୍ରସଙ୍ଗକ୍ରମେ ମୋହର ଫଟୋଗ୍ରାଫ ନେବା ସକାଶେ ଏ ମହୋଦୟ ଅତ୍ୟନ୍ତ ଆଗ୍ରହ ପ୍ରକାଶ କଲେ । ଉଦ୍ୟାନରୁ ଅଟ୍ଟାଳିକା ମଧ୍ୟରୁ ଆସି ଏ ସମ୍ବନ୍ଧୀୟ ଯାବତୀୟ ଯନ୍ତ୍ରଗୁଡ଼ିକ ମୋତେ ଦେଖାଇଲେ । ବିଭିନ୍ନପ୍ରକାର ୮ ।୧୦ ଗୋଟି Camera ଦେଖିଲି, ଏବଂ ତାହାଙ୍କ ନିଜ ପ୍ରସ୍ତୁତ କେତେଗୁଡ଼ିଏ ଫଟୋଗ୍ରାଫ ଦେଖିଲି ଆଉମାନଙ୍କ କଥା ଦୁରେ ଥାଉ କଲିକତାର ପ୍ରସିଦ୍ଧ Bourne & Shepherd ଙ୍କ ଠାରୁ ମୁ ସ୍ୱୟଂ ଆଜକୁ ୩ ।୪ ବର୍ଷ ହେବ ଯେଉଁ ଫୋଟଗ୍ରାଫ ତୋଳାଇ ଆଣିଥିଲି, ତାହା ଏଗୁଡ଼ିକ ଠାରୁ ବହୁଗୁଣରେ ନିକୃଷ୍ଟ । ଏ ମହୋଦୟ ମଦୁରା ଏବଂ ତାଞ୍ଜୋର ପ୍ରଭୃତି ସ୍ଥାନରେ ବିଖ୍ୟାତ ବିଖ୍ୟାତ ମନ୍ଦିରରେ ଯେଉଁ ସବୁ ଫଟୋଗ୍ରାଫ ତୋଳାଇ ଆଣିଛନ୍ତି, ସେଗୁଡ଼ିକ ଏହାଙ୍କର ଅସାଧାରଣ ସିଦ୍ଧହସ୍ତ ତାର ସୁନ୍ଦର ନିଦର୍ଶନ । ଆଗାମୀ କଲ୍ୟାଣ ପ୍ରାତଃକାଳରେ ମୋହର ଫଟୋଗ୍ରାଫ ନେବାର ସ୍ଥିର ହେଲା ।

 

ପାକକାର୍ଯ୍ୟ ଶେଷ ହୋଇଥିଲା, ସୁତରାଂ ସନ୍ଧ୍ୟା ହେଲା ମାତ୍ରେ ଭୋଜନ ଉତ୍ତାରି ଶୋଇଲି । ଏଦେଶୀୟମାନଙ୍କ ମଧ୍ୟରେ ମଧ୍ୟ ଏହି ରୀତିର ପ୍ରଚଳନ ଦେଖିଲି । ସନ୍ଧ୍ୟା ହେଲା ମାତ୍ରେ ଏମାନେ ଆହାର କରନ୍ତି ।

 

୧୬-୮-୯୫-ଶୁକ୍ରବାର–ପ୍ରାତଃକୃତ୍ୟ ସମାପନାନ୍ତେ ଫଟୋଗ୍ରାଫ ନେବାର ଉଦ୍ୟେଗ ହେଲା । ପ୍ରଥମେ ଭୃତ୍ୟମାନଙ୍କ ସହିତ ଭ୍ରମଣ ବେଶରେ ମୋହର ଫଟୋଗ୍ରାଫ ତୋଳା ହେଲା । ଏ ଫଟୋଗ୍ରାଫ ରେ ମୋହ ସଙ୍ଗେ ଆନୀତ ଦ୍ରବ୍ୟଗୁଡ଼ିକର ମଧ୍ୟ ଚିତ୍ର ଉଠିଥିଲା । ଦ୍ୱିତୀୟରେ ‘‘ବଙ୍ଗାଳୀବାବୁ’’ ବେଶରେ କେବଳ ମୋହର ଫଟୋଗ୍ରାଫ ତୋଳା ହେଲା । ଏହି ଫଟୋଗ୍ରାଫ ତୋଳିବା ଶେଷରେ ଶ୍ରୀନିବାସ ଚାର୍ଲ ମହୋଦୟ ପରିହାସରେ ସ୍ୱରର କହିଲେ ‘‘ The dress of a Bengali Babu is some what new to these regions’’ (ବଙ୍ଗାଳୀ ବାବୁଙ୍କ ପରିଚ୍ଛେଦ ଏ ଦେଶରେ ଗୋଟିଏ ଅପୂର୍ବ ପଦାର୍ଥ), କାରଣ, ସବୁ ଅଛି, କେବଳ ମସ୍ତକରେ ପଗଡ଼ି ନାହିଁ । ପରିଶେଷରେ ତାଙ୍କ ଉଦ୍ୟାନମଧ୍ୟସ୍ଥିତ ଗୋଟିଏ ଜଙ୍ଗଲ ମଧ୍ୟରେ ଗାତ୍ରାବରଣଶୂନ୍ୟ ମୋହର ଫଟୋଗ୍ରାଫ ନିଆ ହେଲା ।

 

ପୂର୍ବାହ୍ନେ ଘ ୮ ଟିକା ସମୟରେ ରାୟବାହାଦୁର ମହୋଦୟ ବେଙ୍ଗେଲେରରୁ ଆସି ଉପନୀତ ହେଲେ । ପରିଶ୍ରାନ୍ତ ହୋଇ ସୁଦ୍ଧା ମୋହର ଭ୍ରମଣ ସମ୍ବନ୍ଧରେ ଦୀର୍ଘକ୍ଷଣବ୍ୟାପୀ ଅନେକ ପ୍ରଶ୍ନ କରିବାକୁ ତ୍ରୁଟି କଲେ ନାହିଁ । ଏକଘଣ୍ଟା ମଧ୍ୟରେ ସେ ସ୍ନାନହାର ଶେଷ କରି ହାଇକୋର୍ଟକୁ ଗଲେ ।

 

ଘ ୧୦ ଟିକା ସମୟରେ ଆହାର ସମାପନ କରି କିଞ୍ଚିତ୍‌ବିଶ୍ରାମସୁଖ ଉପଭୋଗ କଲି ।

 

ଅପରାହ୍ନ ଘ ୧ ଟିକା ସମୟରେ ଶ୍ରୀଯୁକ୍ତ ଶ୍ରୀନିବାସ ଚାଲୁ ମହୋଦାୟକ ସହିତ ତାହାଙ୍କ ଗାଡ଼ୀରେ ସହରର କେତେକ ପ୍ରଧାନ ପ୍ରଧାନ ସ୍ଥାନ ଦର୍ଶନାର୍ଥ ବାହାରିଲି । ପ୍ରଥମେ ଆମ୍ଭମାନେ ଏ ସ୍ଥାନର Museum (ଚିତ୍ରଶାଳାରେ ଉପସ୍ଥିତ ହେଲୁ । କଲିକତାର Museum ପରି ଏହା ପ୍ରକାଣ୍ଡ ନ ହେଲେ ହେଁ, ଏଥିରେ ପ୍ରକୃତ ଦର୍ଶନୀୟ ପଦାର୍ଥ ଅନେକ ଅଛି । ସମସ୍ତ ପ୍ରେସିଡ଼େନ୍ସିରେ ଯେତେ, ରକମ ଉତ୍କୃଷ୍ଟ ଶିଳ୍ପକାର୍ଯ୍ୟ ହୋଇଥାଏ, ଏଠାରେ ସେ ସମସ୍ତର ପ୍ରକୃଷ୍ଟ ନିଦର୍ଶନ ବିଦ୍ୟମାନ । ହସ୍ତୀଦନ୍ତ ଏବଂ ପିତ୍ତଳର କାରୁକାର୍ଯ୍ୟ ଯେ ଏପରି ସୁକ୍ଷ୍ମ ଏବଂ ଉତ୍କୃଷ୍ଟ ହୋଇପାରେ, ଏହା ପ୍ରଥମେ ପ୍ରତ୍ୟେକ୍ଷ ଜାଣିଲି । ଏହା ଛଡ଼ା ବିବିଧ ପଶୁ ପକ୍ଷୀ ସର୍ପ ପୁତ୍ରଦି ମୃତାବସ୍ଥାରେ ସୁରକ୍ଷିତ । ସାମୁଦ୍ରିକ ଜନ୍ତୁଙ୍କ କଙ୍କାଳ କିଛି ବେଶି ପରିମାଣରେ ଦୃଷ୍ଟ ହେଲା ।

 

ଦ୍ୱିତଳ ଉପରେ ବିବିଧ-ପ୍ରକାର ମୃତ୍ତିକା ପ୍ରସ୍ତୁତ ମୂର୍ତ୍ତିଗୁଡ଼ିକ ଏବଂ ତାଞ୍ଜୋରରେ ଭୁତପୁର୍ବ ରାଜାଙ୍କ ବିଭିନ୍ନପ୍ରକାରର ଯୁଦ୍ଧାସ୍ତ୍ର ଯତ୍ନପୂର୍ବକ ସଂଗୃହୀତ । ତାଞ୍ଜୋର ରାଜାଙ୍କ ପରାକ୍ରମ ଏହି ସବୁ ଅସ୍ତ୍ରରୁ ପ୍ରତୀୟମାନ ହେଲା । ନାନା ରକମ ତରବାରି,–କଜ୍ୱଳଗାତ୍ର, କାଳଗିରି, କୁଟୀରକ, କେତକୀବଜ୍ର, କାନ୍ତିଲୌହ ପ୍ରଭୃତି ପ୍ରସିଦ୍ଧ ପ୍ରସିଦ୍ଧ ତରବାରିରେ ଯେପରି ବର୍ଣ୍ଣନା ଶୁଣିଅଛି, ଏଗୁଡ଼ିକ ସେମାନଙ୍କ ଠାରୁ କୌଣସି ଅଂଶରେ ହୀନ ନୁହେ । ଗୋଟିଏ ତରବାରିକୁ ଆମ୍ଭେମାନେ ପ୍ରାୟ ୪ ଜଣ ଉତ୍ତୋଳନ କରି ପାରିଲୁଁ ନାହିଁ । ଚାରି ଜଣରେ ଉଠିଲା ନାହିଁ । ଅଥଚ ଜଣେ ଲୋକ ଏହା ବ୍ୟବହାର କରୁଥିଲେ ! ଏତଦ୍‌ଭିନ୍ନ ଶକ୍ତି, ଦ୍ରୁଘଣ, ତୋମର, ପରଶୁ ପ୍ରକୃତି ଅସ୍ତ୍ରଗୁଡ଼ିକର ମଧ୍ୟ ଶ୍ରେଣୀବଦ୍ଧ ସମାବେଶ । ଅନ୍ୟୁନ ପ୍ରାୟ ଦୁଇଶତ ଭିନ୍ନ ଭିନ୍ନ ରକମର ଅସ୍ତ୍ର ଏଠାରେ ଦୃଷ୍ଟ ହେଲା । ଏକ ସ୍ଥାନରେ ଏତେ ଗୁଡ଼ିଏ ପୌରାଣିକ ଅସ୍ତ୍ରଶସ୍ତ୍ରର ସଂସ୍ଥିତି ପୁର୍ବେ ଦେଖି ନ ଥିଲି । ଶୁକ୍ରନୀତି ଗ୍ରନ୍ଥରେ ଯେତେପ୍ରକାର ଅୟୁଧର ଉଲ୍ଲେଖ ଅଛି, ପ୍ରାୟ ସମସ୍ତଙ୍କର ଉଦାହରଣ ଏଠାରେ ସୁଲଭ ।

 

ସ୍ଥଳାନ୍ତରରେ ପ୍ରସ୍ତରଶିଳ୍ପକାର୍ଯ୍ୟର ଆଦର୍ଶ । ପ୍ରେସିଡ଼େନ୍ସିପ୍ତ ଲଭି ଭଲ ଭଲ ଶିଳ୍ପକାର୍ଯ୍ୟ ମଧ୍ୟରେ ଅନେକ ସଂଗୃହୀତ ପ୍ରସ୍ତରଖଣ୍ଡ ଦେଖିଲି ।

 

ଏହା ମଧ୍ୟରୁ ବହିର୍ଗତ ହୋଇ ଆମ୍ଭେମାନେ Techinical School (ଶିଳ୍ପବିଦ୍ୟାଳୟ) ର ମନୋହର ସୌଧ ଦେଖିବାକୁ ଗଲୁଁ । ଏହା ବର୍ତ୍ତମାନ ନୂତନ ନିର୍ମିତ ହେଉଅଛି, ଏବଂ କାର୍ଯ୍ୟ ପ୍ରାୟ ଶେଷ ହୋଇ ଆସିଲାଣି । ନବନିର୍ମିତ ଅଂଶଗୁଡ଼ିକ, ବିଶେଷତଃ ଲାଇବ୍ରେରୀ ଗୃହଟିରେ ଯେ ପ୍ରକାର ଶିଳ୍ପନୈପୁଣ୍ୟ ପ୍ରଦର୍ଶିତ ହୋଇଅଛି, ଏକ ହାଇକୋର୍ଟ ଛଡ଼ା ମାନ୍ଦ୍ରାଜ ପହରର କୁତ୍ରାପି ତାହା ଲକ୍ଷିତ ହୁଏ ନାହିଁ । ବରଂ ହାଇକୋର୍ଟଠାରୁ ଚୂନ ଏବଂ କାଚର କାର୍ଯ୍ୟରେ ଏହାକୁ ଶତଗୁଣରେ ଉତ୍କୃଷ୍ଟ ବୋଲିବାକୁ ହେବ । ସୌଧଟି ହାଇକୋର୍ଟର ୧/୨୦ କମ ହେବ,–ଖରଚ ହୋଇ ଅଛି ୫ ଲକ୍ଷ ଟଙ୍କା କିନ୍ତୁ ହାଇକୋର୍ଟରେ ମୋଟ ଖରଚ ୧୬ ଲକ୍ଷ ଟଙ୍କା ମାତ୍ର ।

 

ଶ୍ରୀନିବାସ ଚାର୍ଲ ମହୋଦୟ ଘରୁ ବାହାରିଲାବେଳେ ଗାଡ଼ୀରେ ଗୋଟିଏ ଅତି କ୍ଷୁଦ୍ର ଫଟୋଗ୍ରାଫି ଯନ୍ତ୍ର (Hand Camara) ଆଣିଥିଲେ । ଏହିଠାରେ ହଠାତ୍‌ଗାଡ଼ୀରୁ ଓହ୍ଲାଇ Technical School ର ଫଟୋଗ୍ରାଫ ନେଲେ । ଏତେ ଅଳ୍ପ ସମୟରେ ଏହା ନିଷ୍ପନ୍ନ ହେଲା ଯେ ଆମ୍ଭେମାନେ ଦେଖି ସ୍ତମ୍ଭିତ ହୋଇଗଲୁଁ ।

 

ଏଠାରୁ ଆମ୍ଭେମାନେ ଭିନ୍ନ ଭିନ୍ନ ମାର୍ଗବାଟେ ସମସ୍ତ Egmore ନାମକ ଅଂଶଟି ପ୍ରଦିକ୍ଷଣ କରି Peoples Park ଅଭିମୁଖରେ ବାହାରିଲୁଁ । ମାନ୍ଦ୍ରାଜ୍‌ସହଚର ଏହି Egmore ଅଂଶଟି ଉଦ୍ୟାନରେହିଁ ପରିପୂର୍ଣ୍ଣ । Peoples Park ଉପନୀତ ହୋଇ ଗାଡ଼ୀରେ ଉଦ୍ୟାନମଧ୍ୟସ୍ଥିତ ସମଗ୍ର ଅଂଶଟି ଭ୍ରମଣ କଲୁଁ । ଏ ଉଦ୍ୟାନରେ ପରିମାଣ ପ୍ରାୟ ପ୍ରାୟ ୨ ବର୍ଗମାଇଲରୁ କମ ନୁହେ,–ମଧ୍ୟରେ ଭିକ୍ଟୋରିଆହଲ ନାମକ ପ୍ରକାଣ୍ଡ ଗୃହ ଏବଂ ଗୋଟିଏ କ୍ଷୁଦ୍ର ପଶୁଶାଳା (Zoo) । ଏ ପଶୁଶାଳାରେ କେତେକ ରକମ ବ୍ୟାଘ୍ର, ଭଲ୍ଲୁକ, ଏବଂ ପକ୍ଷୀ ଦେଖାଗଲେ । କଳିକତା ପଶୁଶାଳାରେ ଶତାଂଶରେ ଏହା ଏକାଂଶ ହେବ ନାହିଁ ।

 

ଉଦ୍ୟାନରେ ଅନ୍ୟ ପ୍ରବେଶଦ୍ୱାର ଦେଇ ଆମ୍ଭେମାନେ Black town ମଧ୍ୟରେ ଉପସ୍ଥିତ ହେଲୁଁ । Black town ହିଁ ସହରର ଜରାଜୀର୍ଣ୍ଣ ଏବଂ ଆବର୍ଜନାପୁର୍ଣ୍ଣ ଅଂଶ । ଯାବତୀୟ ଦୋକାନ, ବ୍ୟବସାୟ ଗୃହ, ମନ୍ଦିର, ମସଜିଦ୍‌ପ୍ରଭୁତି ଏହି ଅଂଶରେ ଦୁଷ୍ଟ ହୁଏ । Black town ର ପ୍ରାୟ ପ୍ରଧାନ ପ୍ରଧାନ ରାସ୍ତାରେ ଭ୍ରମଣ କରି କେତେକ ବଡ଼ ବଡ଼ ଦୋକାନ ପରିଦର୍ଶନ କରି Vepery ନାମକ ସହରର ଏକ ଅଂଶକୁ ଆସିଲୁଁ । Madras Christian Tract Scoiety ର ପୁସ୍ତକାଳୟରେ କିଛିକ୍ଷଣ ଅତିବାହିତ କରି ପ୍ରତ୍ୟାଗମନ କଳାବେଳକୁ ଅପରାହ୍ନ ଘ ୫ ଟିକା ।

 

ସନ୍ଧ୍ୟାବେଳେ ମୁଁ ମୋହର ବାତରୋଗ (ଯୋଷାପସ୍ମାର) ଦ୍ୱାରା ଅକ୍ରାନ୍ତ ହୋଇ ପ୍ରଳାୟ ଦୁଇଘଣ୍ଟା ପର୍ଯ୍ୟନ୍ତ ବଳଶୂନ୍ୟ ଏବଂ କାତର ହେଇ ପଡ଼ିଲି । ଏହି ପୀଡ଼ା ମୋହ ଜୀବନକୁ ପଣ୍ଡ ଏବଂ ମୋହର ସ୍ନେହମୟ ପିତାମାତାଙ୍କ ଜୀବନ ବିଷାଦମୟ କରିଅଛି ।

 

୧୭-୮-୯୫–ପ୍ରାତଃନୃତ୍ୟ ଶେଷ କରି ରାୟବାହାଦୁରଙ୍କ କୋଠରୀରେ ବସିଲି । ଆଜି ସନ୍ଧ୍ୟାସମୟରେ ମୋହର ଠାରୁ ପ୍ରସ୍ଥାନ କରିବାର କଥା, ସୁତରାଂ ବିଦାୟୋଚିତ ନାନା ରକମ କଥାବାର୍ତ୍ତା ହେଲା । ପରିଶେଷରେ ସେ ତାହାଙ୍କ ପ୍ରଣୀତ Vittue's Trimph (ପୁଣ୍ୟର ଜୟ) ନାମକ ବହିରୁ ଦୁଇଖଣ୍ଡିରେ (ଖଣ୍ଡିକରେ ମୋହର ପିତା ମହାଶୟଙ୍କର ଏବଂ ଖଣ୍ଡିକରେ ମୋହର) ନାମ ଲେଖି, ମୋହ ହସ୍ତରେ ପ୍ରଦାନ କଲେ । ଏତଦଭିନ୍ନ ନିଜର ଏବଂ ପ୍ରବୃତ୍ତ ଫଟୋଗ୍ରାଫି ଉପହାର ଦେଲେ । ଏ ଫୋଟଗ୍ରାଫ ଗୁଡ଼ିକ ଶ୍ରୀନିବାସ ଚାର୍ଲ ମହୋଦୟଙ୍କ ସ୍ୱହସ୍ତପ୍ରସ୍ତୁତ ହେଲେହେଁ, କଲିକତାର ବିଖ୍ୟାତ Bourue & Shepherd ଙ୍କର ଫଟୋଗ୍ରାଫ ଗୁଡ଼ିକ ସୁଦ୍ଧା ଧିକକୃତ କରୁଅଛି ।

 

ଭୋଜନାନ୍ତେ ରାୟବାହାଦୁରଙ୍କ ସହିତ ହାଇକୋର୍ଟକୁ ଗଲି । କୌଣସି ପ୍ରୟୋଜନୀୟ କାର୍ଯ୍ୟ ସକାଶେ ଅପରାହ୍ନ ଘ ୫ଟିକା ସମୟରେ ରାୟବାହାଦୁରଙ୍କ ମଦୁରା ଯିବାର କଥା ବୋଲି, ଚଞ୍ଚଳ ଫେରିଲୁଁ । ଫେରି ଆସିବାବେଳେ Electriv Tram Car Factory ନାମକ କଳକାରଖାନା ଘରଠାରୁ କିଛିକ୍ଷଣ ଅବସ୍ଥାନ କରି ନାନାପ୍ରକାର କାର୍ଯ୍ୟ ପ୍ରତ୍ୟକ୍ଷ କଲୁଁ ।

 

ଅପରାହ୍ନ ଘ ୪ ଟିକା ସମୟରେ ରାୟବାହାଦୁର ମହୋଦୟ ମୋହ ନିକଟରେ ବିଦାୟ ଗ୍ରହଣ କରି ମଦୁରା ଯିବା ସକାଶେ ଏଗ୍‌ମୋର ଷ୍ଟେସନ୍‌କୁ ଗଲେ । ପରକ୍ଷଣରେ ଆମ୍ଭେମାନେ ଆହାର ଶେଷ କରି ଶ୍ରୀନିବାସ ଚାର୍ଲ ଏବଂ ତାହାଙ୍କ ମାତା ମହୋଦୟାଙ୍କଠାରୁ ବିଦାୟ ଗ୍ରହଣ କଲୁ । ଏହାଙ୍କ ମାତା ମୋହପ୍ରତି ଏହି କେତେକ ଦିନ ଯେଉଁ ସ୍ନେହ ଏବଂ ବାତ୍ସଲ୍ୟ ପ୍ରକାଶ କରିଅଛନ୍ତି, ତାହା ମୁ ଶତମୁଖରେ ବର୍ଣ୍ଣନ କରି ବାରିବି ନାହିଁ । ସ୍ନେହମୟୀ ଜନନୀଙ୍କର ନିଜପୁତ୍ର ପ୍ରାୟ ମୋତେ ବିଗତ କେତେକ ଦିବସ ଦେଖୁଥିଲେ । ବିଦାୟ ନେଇ ଆସିଲାବ ବେଳେ ଅତ୍ୟନ୍ତ ଦୁଃଖ ଜାତ ହେଲା ।

 

ମୁଁ ପୁର୍ବେ କହିଅଛି ଯେ ରାୟବାହାଦୁର ଆମ୍ଭମାନଙ୍କର କଟକସ୍ଥ ବସାରେ କେତେକ ଘଣ୍ଟା ମାତ୍ର ଅବସ୍ଥାନ କରିଥିଲେ । ଆମ୍ଭମାନଙ୍କଠାରୁ ସା ଯେ ବିନ୍ଦୁମାତ୍ର ସେବା ପାଇଥିଲେ ତାହାଙ୍କ ଉଦାର ଚକ୍ଷୁରେ ତାହା ସିନ୍ଧୁବତ୍‌ହୋଇଥିଲା । କବି ଠିକ କହିଅଛନ୍ତି–

 

‘‘ବିନ୍ଦୁଃ ସିନ୍ଧୁଃ ରସୋକ ବିନ୍ଦୁଃ

ହୁଷ୍ଟୋଲୋକେ ସାଧୁ ନୀରପୋକାର ।’’

 

ସଦାଶୟ ଲୋକେ ଅନ୍ୟକୃତ ବିନ୍ଦୁମାତ୍ର ଉପକାରକୁ ସିନ୍ଧୁବତ୍‌ମଣନ୍ତି । ନୀରାଶ୍ରୟ ବ୍ୟକ୍ତି ଚକ୍ଷୁରେ ଅନ୍ୟକୃତ ସିନ୍ଧୁବତ୍‌ଉପକାର ବିନ୍ଦୁବକ୍‌ହୋଇଯାଏ । ପ୍ରତିଦାନସ୍ୱରୁପ ରାୟବାହାଦୁର ଏବଂ ତାହାଙ୍କ ପରିବାରବର୍ଗଠାରୁ ମୁଁ ଯେଉଁ ପ୍ରତୁପକାର ପାଇଲି ତାହା ଆମ୍ଭମାନଙ୍କ ଭୁତ ଉପକାରର ସସ୍ରହଗୁଣ ଅଟେ ।

 

ରାୟବାହାଦୂରଙ୍କ ଅପର ଖଣ୍ଡିଏ ବଚିଗାଡ଼ୀରେ ଆରୋହଣ ପଙ୍କଜ ଆମ୍ଭେମାନେ ଅପରାହ୍ନ ଘ ୫ ଟିକା ବେଳେ ମାନ୍ଦ୍ରାଜର ପ୍ରସିଦ୍ଧ ସେଣ୍ଟ୍ରାଲ ଷ୍ଟେସନରୁ ଆସି ଉପନୀତ ହେଲୁଁ ।

 

ଏ ଷ୍ଟେସନରୁ ଟିକଟ କିଣି ଗାଡ଼ୀରେ ବସିବା ବାସ୍ତବିକ ଦୁରୁହ ବ୍ୟାପାର । ଦୁଇଜଣ ରେଲଓଏ କନଷ୍ଟେବଳଙ୍କୁ କିଛିପ୍ରଦାନ କରି ଆମ୍ଭେମାନେ ଅଳ୍ପାୟାସରେ ଏ କାର୍ଯ୍ୟଗୁଡ଼ିକ ସମାଧା କଲୁଁ । ବକ୍ସିମ୍ବର ଐନ୍ଦ୍ରଜାଲିକ କ୍ଷମତା ସର୍ବୋଚ୍ଚ ଅପ୍ରତିହତ ।

 

ଠିକ୍‌ଘ ୬ ଟିକାବେଳେ ଗାଡ଼ୀ ଛାଡ଼ିଦେଲା । ବର୍ତ୍ତମାନ ସନ୍ଧ୍ୟା ଆଗତ ପ୍ରାୟ । ପଶ୍ଚାତରେ ମାନ୍ଦ୍ରାଜ ନଗରୀର ଧୂମାଚ୍ଛନ୍ନ ପ୍ରକାଣ୍ଡ ପ୍ରକାଣ୍ଡ ଅଟାଳିକାରାଜି କ୍ରମଶଃ ଦିକପଟରେ ଲୀନ ହୋଇଗଲା,–ଦେଖୁଁ ଦେଖୁଁ ମାନ୍ଦ୍ରାଜ ନଗରୀ ଅଦୃଶ୍ୟ !

 

ଗାଡ଼ୀର ଆମ୍ଭେମାନେ ନିଦ୍ରାସୁଖ ଉପଭୋଗ କଲୁ । ନିଦ୍ରିତ ଅବସ୍ଥାରେ ବଡ଼ ବଡ଼ ଷ୍ଟେସନରେ ଗାଡ଼ୀର ବିଶ୍ରାମଜନିତ ଲୋକସମୂହର ଚିତ୍କାରଧ୍ୱନି ଥରେ ଥରେ ସ୍ୱପ୍ନବତ୍‌କର୍ଣ୍ଣଗୋଚର ହେଉଥିଲା ମାତ୍ର ।

 

୧୮–୮–୯୫–ରବିବାର–ପୁର୍ବାହ୍ନ ୭ ଟା ବାଜି ୨୦ ମିନିଟରେ ଆମ୍ଭେମାନେ ଗୁଣ୍ଡାକାଲ ଷ୍ଟେସନରେ ଉପନୀତ ହେଲୁ । ଗାଡ଼ୀରୁ ଅବତରଣ କରି ଷ୍ଟେସନର ଏକପାର୍ଶ୍ୱରେ ଉପବିଷ୍ଟ ହେଲୁଁ;–କାରଣ କେବଳ ସଦର୍ଣ୍ଣ ମରହଟ୍ଟା ରେଲଓଏ ଗାଡ଼ୀର ପ୍ରତୀକ୍ଷା । ସ୍ନାନ କରିବାକୁଯାଇ ଷ୍ଟେସନର ଗୋଟିଏ ପାଣିପାଗ ନିକଟରେ ଦେଖିଲୁଁ ଯେ ଏଠାରେ ପୁଲିସପକରଭୁଙ୍କ କର୍ତ୍ତବ୍ୟନିଷ୍ଠାର ଅତୀବ ଦୌରାତ୍ମ୍ୟ । କିନ୍ତୁ କିଞ୍ଚିତ୍‌ବକ୍ସିସ ପ୍ରଭାବରୁ ଏ ଦୌରାତ୍ମ୍ୟ ଅଧିକକ୍ଷଣ ସ୍ଥାୟୀ ହୋଇ ନ ଥିଲା ।

 

୮ ଟା ବାଜି ୩୫ ମିନିଟରେ ଆମ୍ଭେମାନେ ଟିକଟ କିଣି ସଦର୍ଶ ମରହଟ୍ଟା ରେଲଓଏ କୋମ୍ପାନୀଙ୍କ ଗାଡ଼ୀରେ ବସିଲାମାତ୍ରେ ଗାଡ଼ିର ଚଢି ଅରବ୍ଧ ହେଲା ।

 

ରେଲଲାଇନରେ ଉଭୟପାର୍ଶ୍ୱରେ ମୃଗଯୂଥର ଶ୍ରେଣୀବଦ୍ଧ ବିଚରଣ ସ୍ଥାନେ ସ୍ଥାନେ ପ୍ରୀତିପଦ ହେଲା । ଅପରାହ୍ନ ଘ ୩ ଟିକା ସମୟରେ ଗାଡ଼ୀ ନଦୀଆଲରେ ପହଁଚିଲା ।

 

ଆମ୍ଭେମାନେ ପାନ୍ଥଶାଳାକୁ ଆସି ଦେଖିଲୁଁ ଯେ ଏ ସ୍ଥାନରେ ନବନିଯୁକ୍ତ ଷ୍ଟେସନମାଷ୍ଟର ଶ୍ରୀଯୁକ୍ତ ସି, ଡ଼ାରାସ୍ୱାମୀ ନାଏଡ଼ୁ, ଏବଂ କର୍‌ନୁଭ ସହରର ପୁଲିସକ୍ଲାର୍କ ଶ୍ରୀଯୁକ୍ତ ଲାଲା ଲଛମନପ୍ରସାଦ୍‌ପାନ୍ଥଶାଳାର ଦୁଇଗୋଟି କୋଠରୀରେ ଅବସ୍ଥାନ କରୁଅଛନ୍ତି । ସୁତରାଂ ଆମ୍ଭମାନଙ୍କୁ ୩ୟ କୋଠରୀରେ ରହିବାକୁ ପଡ଼ିଲା । ଲାଲା ମହୋଦୟ ଜାତିରେ ପଶ୍ଚିମର କାୟସ୍ଥ, ପୂର୍ବେ ଏହାଙ୍କ ଗୃହ ଉତ୍ତରପଶ୍ଚିମାନ୍ତରେ ଆରା ଜିଲ୍ଲାରେ ଥିଲା, ଆଜିକାଲି ଏକପ୍ରକାର ମାନ୍ଦ୍ରଜନିବାସୀ ହୋଇଅଛନ୍ତି । ଏହାଙ୍କ ସହିତ ହିନ୍ଦୁ ଭାଷରେ ଅନେକକ୍ଷଣ କଥାବାର୍ତ୍ତା ହେଲା । ଦୀର୍ଘକାଳ ଉତ୍ତାରୁ ହିନ୍ଦୁ ଶବ୍ଦ ବଡ଼ ମଧୁର ଲାଗିଲା ।

 

ସନ୍ଧ୍ୟାର କିଛିକ୍ଷଣ ପୁର୍ବେ କର୍‌ନ୍‌ଲର ପୁଲିସ ଇନ୍ସପେକ୍ଟର ଶ୍ରୀଯୁକ୍ତ ଟି ଏଥିଭାଇଲୁ ନାଏଡ଼ୁ ମହୋଦୟ ପାନ୍ଥଶାଳାରେ ଆସି ଉପସ୍ଥିତ ହେଲେ । ଏହାଙ୍କ ଲାଲା ମହୋଦୟ ମୋତେ ପରିଚର କରାଇ ଦେବାରୁ ଉଭୟେ ବହୁକ୍ଷଣବ୍ୟାପି ଗଳ୍ପରେ ପ୍ରବୃତ୍ତ ହେଲୁଁ । ଆଜି ଅତିଶୟ କ୍ଳାନ୍ତ । ସୁତରାଂ ସନ୍ଧ୍ୟାସମୟରେ ଆହାର ଶେଷ କରି ଶୟନ କଲି ।

 

ଶୀଘ୍ର ନିଦ୍ରିତ ହୋଇ ଗଭୀର ରାତ୍ରିରେ ନିଦ୍ରା ଭଙ୍ଗ ହେଲା । ଲାଲା ମହୋଦୟଙ୍କୁ ଉଠାଇ ପାନ୍ଥାଶାଳାର ବାରନ୍ଦାରେ ବସିଲି । ଅନେକ ଗଳ୍ପ କରୁ କରୁଁ ଉଭୟେ ଆକାଶ ଆଡ଼କୁ ଚାହିଁ ରହିଲୁଁ । ଚାରିଆଡ଼େ ବିସ୍ତୃତ ପ୍ରାନ୍ତର । ଶାରଦାକାଶର ନକ୍ଷତ୍ର-ଭାସ୍ୱର ନୈଶ ମୂର୍ତ୍ତି ଉର୍ଦ୍ଧ୍ୱରେ ବିରାଜିତ । ମଗ୍ନଭାବରେ କେତେକ ସମୟ ପର୍ଯ୍ୟନ୍ତ ସେହି ଶାଭା ଦେଖିଲି । ବାଲ୍ୟକାଳରୁ ମୁ ପ୍ରଧାନ ପ୍ରଧାନ ଗ୍ରହ ନକ୍ଷତ୍ରାଦି ଚିହ୍ନି ଶିଖିଥିଲି । ପ୍ରତ୍ୟହ ରାତ୍ରର ଶେଷପ୍ରହରରେ ଶଯ୍ୟା ତ୍ୟାଗ କରି ସ୍ନାନାର୍ଥ କାଠଯାଡ଼ିକି ଯାଇ ସୁବସ୍ତିୃତ ନଦୀସୈକୃତରେ ନକ୍ଷତ୍ର ଦୃଶ୍ୟ ଦେଖିବାରେ ମୁଁ ପ୍ରାୟ ଚିରଭ୍ୟସ୍ତ । ଶାରଦାକାଶର ଜ୍ୟୋତିଷ ଦୃଶ୍ୟ ପରି ଉଜ୍ଜ୍ୱଳ ଏବଂ ମହାନ୍‌ଦୃଶ୍ୟ ଜଗତରେ ଆଉ କାହିଁ ? ବିଶ୍ୱରାଜାଙ୍କର ଅନନ୍ତ ଐଶ୍ଚର୍ଯ୍ୟରେ ଏପରି ଆଭାସ ଆଉ କିଏ ଦେଇପାରେ ? ଶାରଦୀୟା ଶଙ୍କରୀରେ ବାସ୍ତବ ‘‘ଜ୍ୟୋତିର୍ଧାମର କୋଟି ଗବାକ୍ଷ’’ ଉନ୍ମୁକ୍ତ ହୁଏ । ଶୁକ୍ର ବୃହସ୍ପତ୍ତି ପ୍ରଭୁତିଙ୍କର ସ୍ତିମିତ ଜ୍ୟୋତି ଏବଂ ପୁନର୍ବସ୍ଥ ଅଗସ୍ତ୍ୟ ପ୍ରଭୁତିଙ୍କର ସ୍ପୁରଦ୍ରଶିରେ ଥରେ ଦୃଷ୍ଟି ପଡ଼ିଲେ ସେଥିରେ ତାହା ଲାଖି ରହିଯାଏ । ଅନେକ ଦିନ ଉତ୍ତାରୁ ପୁଣି ଆଜି ସେହି ଦୃଶ୍ୟ ଦର୍ଶନର ଉପଯୋଗୀ ସ୍ଥାନ ଏବଂ ସମୟ ଘଟିଲା । ଅମସ୍ତ୍ୟ କଟକ ଅପେକ୍ଷା ଏ ଅଞ୍ଚଳରେ ଉଚ୍ଚବସ୍ଥିତ ଏବଂ ଧ୍ରୁବତାରା ନିମ୍ନାବସ୍ଥିତ ବୋଧ ହେଲେ । ଭୁଗୋଳ ପାଠକଙ୍କୁ ହେତୁ ବୋଲିବାର ଅନାବଶ୍ୟକ ।

 

ନିଶୀଥର ଏହି ଜ୍ୟେତିଷ୍କଦୃଶ୍ୟରେ ଶିକ୍ଷା କେଡ଼େ ଗମ୍ଭୀର । କବି ଯଥାର୍ଥ କହିଅଛନ୍ତି;-

 

‘‘କି ଗମ୍ଭୀର କି ପ୍ରଶାନ୍ତ ଭାବ ଶର୍ବରୀରା,

ଜାଗର ଭାବୁକ ମନେ ତୋର ଦରଶନ ।

କି ମହାନୀରବ ବେଦ ପ୍ରଚାରୁ ଗମ୍ଭୀରେ,

ଶୁଣଇ ନୀରବ ବିଶ୍ୱ ଭୟସ୍ତରମନେ ।’’

 

ଏହି ଦିଗନ୍ତ ପ୍ରସାରିତ, ମେଘ ବିରହିତ, ଗାଢନୀଳମମୟ ଆକାଶ ପଟରେ ଲକ୍ଷ ଲକ୍ଷ ନକ୍ଷତ୍ରପୁଞ୍ଜର ଜ୍ୟେତିର୍ମୟୀ ଶୋଭା ସନ୍ଦର୍ଶନ କରି କାହା ପ୍ରାଣରେ ଅନିର୍ବାଚନୀୟ ଭାବଚ୍ଛ୍ୱାସ ଉଛୁଳି ଉଠେ ନାହିଁ ? ସୃଷ୍ଟିର ବିରାଟତ୍ୱ ଗଭୀରରୁନେ ହୃଦୟରେ ଉପଲବ୍ଧି କରିବାକୁ ହେଲେ ମେଘଶୂନ୍ୟ ହୀରକଦୀପାବଳୀଖଚିତ ନୀରବ ନୈଶକାଶପଟ ଚକ୍ଷୁ ସମକ୍ଷରେ ଉଦ୍ଘାଟିତ ହେବାର ଆବଶ୍ୟକ । ସଂସାର କଳରବରେ ନିମଗ୍ନ ଥାଇ, ଦିବାଲୋକରେ ଯାହା ଦେଖାଯାଏ ନାହିଁ, ତମସ୍ୱିନୀ ଯାମିନୀର ନୀରବଦୃଶ୍ୟ ଦେଖି ସେହି ଗାମ୍ଭୀର୍ଯ୍ୟ ଏବଂ ସୌନ୍ଦର୍ଯ୍ୟର ବିଶେଷ ଅନୁଭୁତି ହୋଇଥାଏ । ପ୍ରତିଦିନ ବାହ୍ୟଜଗତ୍‌ଆଡ଼କୁ ଦୃଷ୍ଟି ନିକ୍ଷେପ କରି ଆମ୍ଭେମାନେ ମନେ କରିଥାଉଁ ମନୁଷ୍ୟହିଁ ସର୍ବେସର୍ବା, ଏବଂ ଏହି ପୃଥିବୀ ଭିନ୍ନ ବିଶ୍ୱରେ ଆଉ କିଛି ନାହିଁ । ତାରାଖଚିତ ଏ ଆକାଶ ଦେଖିଲେ ଏ ଭାବ ଦୂର ହୋଇ ଯାଏ ଏବଂ କଳ୍ପନା ଅନନ୍ତ ଦେଶରେ ବୁଲି, ଥଳ କୁଳ ନ ପାଇ ଆକୁଳହୋଇ ବାହୁଡ଼ି ଆସେ ।

 

ଦେଶର ବିସ୍ତୃତିଜ୍ଞାନ ସମ୍ବନ୍ଧରେ ଆଧୁନିକ ଗଣିତ ଜ୍ୟୋତିଷ ବାସ୍ତବ ଯୁଗନ୍ତର ପ୍ରବର୍ତ୍ତିତ କରାଇଅଛି । ପୁର୍ବେ ସବୁ ଧର୍ମ୍ମ, ସବୁ ସମ୍ପ୍ରଦାୟର ଲୋକେ ଜଗତକୁ ଗୋଟିଏ ତ୍ରିତଳଗୁହ ପରି ଏବଂ ମନୁଷ୍ୟକୁ ସେହି ତ୍ରିଳତଗୃହର ମଧ୍ୟତଳ-ବାସୀ ମଣୁଥିଲେ । ସ୍ୱଦେଶର ନିକଟବର୍ତ୍ତୀ ଉଚ୍ଚତମ ପର୍ବତକୁ (ଯଥା ଗ୍ରୀକ୍‌ମାନେ ପାରନାୟମ୍‌ଖ୍ରୀଷ୍ଟଆନ୍‌ମାନେ ସିନାଇ, ଆର୍ଯ୍ୟମାନେ ହିମାଳୟକୁ) ସ୍ୱର୍ଗର ସମତଳ ମଣି ତାହାକୁ ଦେବାଧିଷ୍ଠା୍‌ଭୂମି ବୋଲି ବିଶ୍ୱାସ କରୁଥିଲେ । ଗଣିତ ଜ୍ୟୋତିଶଷ ମନୁଷ୍ୟର ଦେଶ ଜ୍ଞାନର ସୀମା ବହୂଦୂର ପ୍ରସାରିତ କରାଇ ଏହି ବିଶ୍ୱାସକୁ ବହୁପରିମାଣରେ ଶିଥିଳ କରି ଦେଇଛି ।

 

ଏହା ପୃଥିବୀ ପରି ୧୪ ଲକ୍ଷ ପୃଥିବୀ ରୁଣ୍ଡୀଭୂତ ହେଲେ ସୂର୍ଯ୍ୟର ସମାନ ହେବ । ଉତ୍ତର ଦକ୍ଷିଣ ପ୍ରସାରିତ ଏହି ଯେ ଧୂଳଦାଣ୍ଡ (ଛାୟାପଥ) ଦିଶୁଅଛି, ଏହାର ଗୋଟିଏ ରେଣୁ ଗୋଟିଏ ସୂର୍ଯ୍ୟ ! ପୁଣି ଗ୍ରହ ଉପଗ୍ରହ ପ୍ରଭୃତି ଅସଂଖ୍ୟ ପରିବାର ପ୍ରତ୍ୟେକ ସୂର୍ଯ୍ୟ ସହିତ ମାଧ୍ୟାକର୍ଷଣ ସୁତ୍ରରେ ଆବଦ୍ଧ ! ଛାର କୀଟ ମନୁଷ୍ୟ ବିରାଟ ପୁରୁଷର ଏ ବିରାଟ ଲୀଳା କଅଣ ବୁଝିବ ?

 

ଏତେ ଯେ ନକ୍ଷତ୍ର ଲକ୍ଷିତ ହେଉଅଛନ୍ତି ଗଣିତ ଜ୍ୟୋତିଷ: ମତା ପୃଥବୀଠାରୁ ଏମାନଙ୍କ ଦୁରତ୍ୱ ଅତ୍ୟନ୍ତ ଅଧିକ । ପୃଥିବୀର ଅତ୍ୟନ୍ତ ଅଧିକ । ପୃଥିବୀର ଅତ୍ୟନ୍ତ ନିକଟରେ ଯେଉଁ ନକ୍ଷତ୍ର, ସେଥିରୁ ତୀବ୍ରଗତିଶୀଳ ଆଲୋକ ଏଠାରେ ପହଁରିବାରୁ ୩ ବର୍ଷ ୭ ମାସ ଲାଗିଥାଏ ! ଆଲୋକ ଏକ ସେକେଣ୍ଡ ପରିମାଣ ସମୟରେ ୧୯୦୦୦୦ ମାଇଲ ଗମନ କରି ପାରେ ! କି ଦୂରବ ! ‘‘ସିରିୟସ୍‌’’ ନାମରେ ଯେ ଗୋଟିଏ ଅଭୁଜ୍ଜ୍ୱଳ ନକ୍ଷତ୍ର ଅଛି, ତାହାର ଆଲୋକ ଏହି ମର୍ତ୍ତ୍ୟଧାମରେ ପହଁରିବାକୁ ଦ୍ୱାବିଂଶତ ବର୍ଷ ଗତ ହୁଏ । ଜ୍ୟୋତିର୍ବେତ୍ତା ପଣ୍ଡିତ ହର୍ଶେଲ ଦୂରବୀକ୍ଷଣ ସାହାଯ୍ୟରେ ଯେ ସୁଦୂରସ୍ଥ ଜ୍ୟୋତିର୍ମୟ ମେଘରୂପୀ ନକ୍ଷତ୍ର ପୁଞ୍ଜ ଦେଖିଥିଲେ, ସେଥିରୁ ଆଲୋକରଶ୍ମି ପୃଥିବୀରେ ପଡ଼ିବାକୁ ପ୍ରାୟ ୭ ଲକ୍ଷ ଅତିକ୍ରାନ୍ତହୋଇ ପାରିବ ! ମକି ଅଚନ୍ତ୍ୟ ଦୂରତ୍ୱ ! !

 

ଅଥଚ ବିଶ୍ୱସ୍ରଷ୍ଟା ଏହି ଅନନ୍ତ ଦେଶବ୍ୟାପୀ ପ୍ରତ୍ୟେକ ଗ୍ରହରେ ପ୍ରତ୍ୟେକ ଜଗତରେ ସର୍ବଦା ବିଦ୍ୟମାନ ! ଏହି କ୍ଷୁଦ୍ରଦପି କ୍ଷୁଦ୍ର ପୃଥିବୀ ଉପରେ ତାହାଙ୍କର ଯେ ପ୍ରକାର ଦୃଷ୍ଟି, ଅତିଦୂରସ୍ଥ ଜ୍ୟୋତିଷ୍କ ମଣ୍ଡଳରେ ମଧ୍ୟ ତାହାଙ୍କ ସେହିପରି ଦୃଷ୍ଟି ଚିରଜାଗ୍ରତ ହୋଇ ରହି ଅଛି । ଏହା ମଧ୍ୟରେ ଏପରି ଗୋଟିଏ ସ୍ଥାନ ବା ବିନ୍ଦୁ ବା ପରମାଣୁ ନାହିଁ ଯାହା ଅଘମର୍ଷଣଙ୍କ ଅଚିନ୍ତ୍ୟ ଲୀଳାରୁ ବିଚ୍ଛିନ୍ନ !

 

୧୯-୮-୯୫ ସୋମବାର-ଲାଲାମହୋଦୟଙ୍କ ସଙ୍ଗେ ଗଳ୍ପ କରୁଁ ପୁର୍ବାହ୍ନ ଅତିବାହିତ ହେଲା । ଷ୍ଟେସନମାଷ୍ଟର ମହୋଦୟ ସବୁ ସମୟ ରେ ପାନ୍ଥଶାଳାରେ ରହନ୍ତି ନାହିଁ, ସମୟ ସମୟରେ ଏହାଙ୍କ ସହିତ ଯେଉଁ କଥାବାର୍ତ୍ତା ହେଲା, ତହିଁରୁ ଏହାଙ୍କର ସହୃଦୟତାର ବିଶେଷ ପରିଚୟ ପାଇଲି ।

 

ଆଜି ଅତି ଶୀଘ୍ର ଅର୍ଥାତ୍‌ପୂର୍ବାହ୍ନ ଘ ୮ ଟିକା ବେଳେ ଆହାର କରି ଆଲକ୍ଷ୍ମଣ ବିଶ୍ରାମ ପୁନଶ୍ଚ ପାକ କରିବାକୁ ଆଦେଶ ଦେଲି । ଏପରି ଅସ୍ଥିରତାପୂର୍ଣ୍ଣ ପ୍ରବାସ ଯାତ୍ରାରେ ଅନେକ ସମୟରେ କେବଳ ମନ ବୁଝାଇବା ସକାଶ ଆହାର କରିବାକୁ ହୁଏ । କ୍ଷୁଧାର ଉଦ୍ରେକ ପର୍ଯ୍ୟନ୍ତ ବିଳମ୍ବ କରିବାର ନ ଥାଏ । ଦ୍ୱିତୀୟ ଥର ଆହାର କରିବା ବେଳକୁ ପ୍ରାୟ ଅପରାହ୍ନ ଘ୨ ଟିକା ।

 

ଅପରାହ୍ନ ଘ ୩ ଟିକା ବେଳେ ଆମ୍ଭେମାନେ ଷ୍ଟେସନରେ ଉପସ୍ଥିତ ହେଲୁଁ । ଷ୍ଟେସନମାଷ୍ଟର ଷ୍ଟେସନର ଥିଲେ, କିନ୍ତୁ ଲାଲା ଏବଂ ପୁଲିସ ଇନ୍ସପେକ୍ଟର ମହୋଦୟଦ୍ୱୟ ନିଜ ସୌଜନ୍ୟ ବଶତଃ କୋହ ସଙ୍ଗେ ଷ୍ଟେସନ ପର୍ଯ୍ୟନ୍ତ ଆସିଲେ । ଏଠାରେ ବିଦାୟସୂଚକ ନାନା କଥାବାର୍ତ୍ତା ଉତ୍ତାରୁ ପୁଲିସର ଉଚ୍ଚକର୍ମ୍ମଚାରୀ ଏବଂ ଷ୍ଟେସନମାଷ୍ଟରଙ୍କ ପ୍ରଭାବରେ ଆମ୍ଭେମାନେ ଗାଡ଼ୀର ଉତ୍ତମ ସ୍ଥାନ ଅଧିକାର କଲୁଁ । ଆମ୍ଭମାନଙ୍କ କୋଠରୀରେ (Compartment) ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ ବୋଲି, ଦୁଇ ଦିଗରେ ଷ୍ଟେସନମାଷ୍ଟର ମହୋଦୟ ତାଲା ଦେଇ ଆମ୍ଭମାନଙ୍କର ଆଶାତୀତ ସୁବିଧା ବିଧାନ କରି ଦେଲେ ।

 

ଅପରାହ୍ନ ଠିକ୍‌୫ ଟା ବେଳେ ଗାଡ଼ୀର ଗତ ଆରମ୍ଭ ହେଲା । ଗାଡ଼ୀର ସର୍ବପ୍ରଥମ ଗତି ସମୟରେ ବନ୍ଧୁମାନେ ଷ୍ଟେସନ ପ୍ଳାଟଫର୍ମ ଉପରେ ଦଣ୍ଡାୟମାନ ହୋଇ ସ୍ୱ ରୁମାଲ ଉତ୍ତୋଳନ ପୂର୍ବକ ବାରମ୍ବାର ପତ୍ର ଲେଖିବାକୁ ଅନୁରୋଧ କଲେ । ମୁଁ ମଧ୍ୟ ପ୍ରତ୍ୟୁତ୍ତରରେ ମସ୍ତକ ସଞ୍ଚାଳନ କରି ଅଭିପ୍ରାୟ ଜଣାଇଥିଲି ।

 

ସୂର୍ଯ୍ୟାସ୍ତର ଅବ୍ୟବହିତ ପୁର୍ବେ ଆମ୍ଭେମାନେ ପୂର୍ବଘାଟ ପର୍ବତ ମଧ୍ୟରେ ପ୍ରବେଶ କଲୁଁ । ଆଲୋକ ପରେ ଅନ୍ଧକାର ଯେତେବେଳେ ପର୍ଯ୍ୟନ୍ତ ପ୍ରଗାଢ଼ ନ ହୁଏ, ସେହି ସମୟଟି କେଡ଼େ ଭାବପୁର୍ଣ୍ଣ ! ଗୋଟିଏ ଯାଉଅଛି, ସେଥିର ବିପରୀତ ଆଉ ଗୋଟିଏ ଆସୁଅଛି । ସନ୍ଧିସ୍ଥଳ ବୋଲି ଏହାର ନାମ ସନ୍ଧ୍ୟା । ଏହା ପୁଣି ସାୟଂସନ୍ଧ୍ୟା । ପ୍ରାତଃ ସନ୍ଧ୍ୟା ଏହାର ସମ୍ପୂର୍ଣ୍ଣ ବିପରୀତ । ମାନବ ଜୀବନର ଏହିପରି କେତେ ସାୟଂସନ୍ଧ୍ୟା ଅଦୃଶ୍ୟ ଭାବରେ ରହଅଛି ! ଦୁଃଖ ପରେ ସୁଖ ଆସିଲେ ଅତୀତ ଦୁଃଖର କଥା କି କାହାରି ସ୍ମୃତିକୁ କ୍ଳିଷ୍ଟ କରିଥାଏ ? ବଂର ପୁନଃ ରୋମନ୍ଥନ ଦ୍ୱାରା ସ୍ମୃତି ସେହି ଅତୀତ ଦୁଃଖକୁ ସୁଖରେ ପରିଣତ କରାଇଦିଏ । କିନ୍ତୁ ସୁଖରବି ଅସ୍ତଗତ ହେଲେ କେତେ ଜଣ ଅବଶ୍ୟମ୍ଭାବୀ ଦୁଃଖ ତିମିରକୁ ସାନନ୍ଦରେ ଆଲିଙ୍ଗ କରିବା ପାଇଁ ସକ୍ଷମ ହୁଅନ୍ତି ? ଦରିଦ୍ର ସୌଭାଗ୍ୟ କ୍ରମେ ଧନଶାଳୀ ହେଲେ ପୂର୍ବଦରିଦ୍ରତା ତାହାୀ ସ୍ମୃତିପଥରୁ ଧୀରେ ଅପସୃତ ହୋଇଯାଏ; କିନ୍ତୁ ଆଜନ୍ମ ସୁଖଲାଳିତ ସମ୍ପନ୍ନ ବ୍ୟକ୍ତି ସହସା ନିର୍ଧନ ହେଲେ ତାହାର ଦୁଃଖରେ ଅବଧି ରହେ ନାହିଁ । ଗୋଧୂଳିର ଦୃଶ୍ୟ ଏହି ଚିନ୍ତା ଉଦ୍ଦୀପକ, ଏବଂ ପାର୍ଥିବ ନଶ୍ୱରତା ଏବଂ ଅପୂର୍ଣ୍ଣତାର ସ୍ମାରକ । ଏହି ସାନ୍ଧ୍ୟ ସମୀରଣ ବିଶାଳ ପୃଥିବୀର କୋଟି ନର ନାରୀର ଆକ୍ଷେପ ସୂଚକ ଦୀର୍ଘଶ୍ୱାସରେ ପରିପୂରିତ ! ଆମ୍ଭମାନଙ୍କୁ ପୁଣି ଏକ ସମୟରେ ଦୃଶ୍ୟଳର ଦ୍ୱିତୀୟ ବୈପରୀତ୍ୟ ଅନୁଭବ କରିବାକୁ ହେଲା । ଯୁଗପତ୍‌ଆମ୍ଭେମାନେ ପ୍ରାନ୍ତରରୁ ପର୍ବତ ସାଗରରେ ଏବଂ ଆଲେକାରୁ ତିମିର ସାଗରରେ ବୁଡ଼ିଗଲୁଁ ।

 

ଆଜି କୃଷ୍ଣପକ୍ଷୀୟ ତ୍ରୟୋଦଶୀ । ନିଶୀଥିନୀ ଗାଢ଼ କୃଷ୍ଣବସନରେ ପରିବୃତା । ପୂର୍ବଘାଟର ଆରଣ୍ୟ–ପ୍ରଦେଶ–ଏହି ଗାଢ଼ତମିସ୍ରା ଯାମିନୀରେ ଅତି ଭାଷଣଭାବ ଧାରଣ କରିଅଛି । କାହାର ଏପରି ସାଧ୍ୟ ଯେ ଏହି ଭୟଙ୍କର ସମୟରେ ଏହି ‘‘ଝିଝିଝଂ କାରିତ’’ ବନଭୂମିରେ ନିର୍ଭୀକ ହୃଦୟ ହୋଇ ଏକାକୀ ବିଚରଣ କରିପାରେ ।

 

ବିଜ୍ଞାନବଳରେ ଏହି ଅସାଧ୍ୟ ବ୍ୟାପାର ସାଧ୍ୟ ହୋଇଅଛି । ବିଜ୍ଞାନ ପ୍ରସାଦରେ ଆମ୍ଭେମାନେ ଏହି ବିଭୀଷିକାମୟୀ ରଜନୀକୁ ଉପେକ୍ଷା କରି–ଏହି ଭୀଷଣ ବନଭୂମିର ହୃଦୟ ଶୋଷଣକାରୀ ଦାରୁଣ ଦୃଶ୍ୟ ଭେଦ କରି,–ନରମାଂସ ଲୋଲୁପ ହିଂସ୍ର ଶ୍ୱାପଦକୁଳକୁ ଆଗ୍ରହ୍ୟ କରି, ଏପରି ଗହନପଥରେ ଧାବିତ ହେଉଅଛୁଁ !

 

ରାତି ୧୧ ଟା ଉତ୍ତାରୁ ଆମ୍ଭେମାନେ ନିଦ୍ରିତ ହେଲୁଁ । ଦେହ ଟ୍ରେନରେ ଏବଂ ଆତ୍ମା ସ୍ୱପ୍ନ ରାଜ୍ୟରେ ବିଚରଣ କରିବାକୁ ଲାଗିଲା ।

 

୨୦-୮-୯୫ ମଙ୍ଗଳବାର-କୃଷ୍ଣାସେତୁ ଅତିକ୍ରମ କରି ପୂର୍ବାହ୍ନ ଘ ୮ ଟିକା ବେଳେ ଆମ୍ଭେମାନେ ବେଜବାଡ଼ା ଷ୍ଟେସନରେ ଉପସ୍ଥିତ ହେଲୁଁ । ଏହିଠାରୁ ବୃଷ୍ଟିର ପ୍ରାଦୁର୍ଭାବ ଅନୁଭୂତ ହେଲା । ଇଷ୍ଟକୋଷ୍ଟ ରେଲଓଏର ଗାଡ଼ୀ ରାଜମ-

 

ହେନ୍ଦ୍ରୀ ଅଭିମୁଖରେ ଠିକ୍‌୧୧ ଟା ବେଳେ ବାହାରିବ, ସୁ ତରାଂ ଜଳ,ଖିଆ ପ୍ରଭୃତି କରି ଷ୍ଟେସନର ବିଶ୍ରାମ ଘର ପ୍ରସ୍ତୁତି ରହିଲୁଁ ।

 

ଏଠାରୁ ଦକ୍ଷିଣାଭିମୁଖୀନ ହେଲା ସମୟରେ ଯେଉଁ କନଷ୍ଟବଲଙ୍କ ପ୍ରସାଦରୁ ଆମ୍ଭମାଡ଼ଙ୍କୁ ଯତ୍‌କିଞ୍ଚିତ ନିଗ୍ରହ ସହିବାକୁ ହୋଇଥିଲା, ତାହାଙ୍କୁ ପୁନଶ୍ଚ ଦେଖି ପରମାପ୍ୟାୟିତ ହେଲି । ନାନା କଥାବାର୍ତ୍ତା ଉତ୍ତାରୁ ସେ ଭଲସ୍ଥାନ ଦେଖି ଆମ୍ଭମାନଙ୍କୁ ଗାଡ଼ୀରେ ବସେଇ ଦେଲା, ଏବଂ ଶେଷକୁ ପାରଶ୍ରମିକରୁ ମଧ୍ୟ ବଞ୍ଚିତ ହୋଇ ନାହିଁ । ପୂର୍ବାହ୍ନ ଘ ୧୧ ଟିକାରେ ଗାଡ଼ୀ ଛାଡ଼ି ଦେଲା ।

 

ବୀରବଲ୍ଲୀ ଷ୍ଟେସନରୁ ଖୁବ୍‌ବୃଷ୍ଟ ଆରମ୍ଭ ହେଲା । ଗାଡ଼ୀର ଗତବେଳେ ବର୍ଷାଜଳ ପତନର ଶବ୍ଦ ବଡ଼ କୌତୁକାବହ ହେଉଥାଏ ।

 

୧୬ ମାଇଲ ପରେ ଇଲୋର ଷ୍ଟେସନକୁ ଆସି ଦେଖିଲୁଁ ବର୍ଷାର ଚିହ୍ନମାତ୍ର ନାହିଁ । ବୃଷ୍ଟିର କୌଣସି ଲକ୍ଷ୍ମଣ ଦେଖା ଗଲା ନାହିଁ । ଏହି କେତକ ମିନିଟ ବାଟରେ ଏତେ ପରିବର୍ତ୍ତନ ଦେଖି ବାସ୍ତବିକ ଆଶ୍ଚର୍ଯ୍ୟନ୍ୱିତ ହୋଇଥିଲୁ ।

 

ରେଲ ବାସ୍ତବ ବଡ଼ ବିଚିତ୍ର ଯାନ । ରେଲ ପ୍ରସାଦରୁ ମାସିକ ମଧ୍ୟରେ କାହିଁକି, ଦିନମ ମଧ୍ୟା ସବୁଋତୁର ସୁଖ ଏବଂ କଷ୍ଟ ଅନୁଭୂତ ହୋଇପାରେ । କୌଣସି ପ୍ରସିଦ୍ଧ କବି (ରଟ୍ଟିକାବ୍ୟକାର) ପ୍ରାଚୀନ ଅଯୋଧ୍ୟାକୁ ‘ସର୍ବେତୁ ସୁଖା’ ବୋଲି ବର୍ଣ୍ଣନା କରିଅଚନ୍ତି । ମାତ୍ର ଏହି ବିଶେଷଣରେ ସାର୍ଥକତା କେବଳ ରେଲରେ ଦେଖାଯାଏ । କଲିକତାରେ ଦାର୍ଜିଲିଙ୍ଗ ଯାତ୍ରିମାନେ ଦିନକ ମଧ୍ୟରେ ଗ୍ରୀଷ୍ମ, ବର୍ଷା ଶୀତ, ଏହି ତିନିଣତୁରେ ପୂର୍ଣ୍ଣ ପ୍ରଭାବ ଭୋଗ କରନ୍ତି । ଇଉରୋପ ଏବଂ ଆମେରିକାରେ ବିଜ୍ଞାନର ଯେପରି ଉନ୍ନତି ହେଉଅଛି, ଏପରି ସମୟ ସମ୍ଭବତଃ କେବେ ଆସିବ ଯେ ଲୋକେ ଦିନରୁ ରାତ୍ରକୁ ଏବଂ ରାତ୍ରରୁ ଦିନକୁ ଯାଇ ପାରିବେ ।

 

ଅପରାହ୍ନ ଘ ୫ ଟିକା ସମୟରେ ଗାଡ଼ୀ ଦକ୍ଷିଣ ଗୋଦାବରୀ ଷ୍ଟେସନରେ ଉପନୀତ ହେଲା । ଏଠାରୁ ଷ୍ଟିମାରରେ ଗୋଦାବରୀ ପାରି ହୋଇ ଉତ୍ତର ଗୋଦାବରୀ ଷ୍ଟେସନରେ ପହଁଚିଲୁ ।

 

ଗୋଧୂଳି ସମୟରେ ହରିହର ବାବୁଙ୍କ ବସାରେ ଉପସ୍ଥିତ ହୋଇ ପୂର୍ବ ପରିଚିତ ବନ୍ଧୁମାନଙ୍କ ଆତିଥ୍ୟ ସ୍ୱୀକାର କଲି । ଏମାନଙ୍କ ନିକଟରେ ମୋହର ଭ୍ରମଣବୃତ୍ତାନ୍ତ ପ୍ରକାଶ କରୁ, କ୍ରମଶଃ ରାତ୍ରି ଅଧିକ ହେବାରୁ ଭୋଜନ ପରେ ନିଦ୍ରା ଗଲି ।

 

୨୧-୮-୯୫ ବୁଧବାର–ପୂର୍ବାହ୍ନ ଘ ୮ ଟିକା ସମୟରେ ଶ୍ରୀଯୁକ୍ତ ମଞ୍ଜୁଷା ରାଜାଙ୍କ ନିକଟକୁ ମୋହର ମଞ୍ଜୁଷା ଗମନ ସମ୍ବନ୍ଧରେ ଗୋଟିଏ ଟେଲିଗ୍ରାମ୍‌କଲି । ମଞ୍ଜୁଷା ଷ୍ଟେସନରେ ରାଜାଙ୍କ ପ୍ରଶଇଭେଟ ସେକ୍ରେଯଣୀ ମହୋଦୟ ମୋତେ ବାରମ୍ବାର ଅନୁରୋଧ କରିଥିଲେ ବୋଲି ଏହି ଟେଲିଗ୍ରାମ ।

 

ଏ ସ୍ଥାନର କଲେଜର ପ୍ରୋଫେସର ଶ୍ରୀଯୁକ୍ତ ବୀରେଶ୍ୱର ଲିଙ୍ଗମ୍‌ମହୋଦୟ ହିନ୍ଦୁମତରେ ପ୍ରାୟ ଦିବସ ପୂର୍ବେ ତିନୋଟି ବାଳବିଧବାକୁ ବିବାହ ଦେଇ୍‌ଥିଲେ ବୋଲି ଶୁଣିଲି । କାର୍ଯ୍ୟଟି ଅତି ମହତ୍‌ଏବଂ ଉତ୍କଷ୍ଟ ହୃଦୟବତ୍ତାରୀ ସୁନ୍ଦର ନିଦର୍ଶନ । ଆମ୍ଭମାନଙ୍କ ସମାଜ ସମକ୍ଷରେ ଏହା ହୋଇ ପାରିବ କି ? ହିନ୍ଦୁଧର୍ମ୍ମ ଅତି ଉତ୍କୃଷ୍ଟ ଧର୍ମ୍ମ କିନ୍ତୁ କଦର୍ଯ୍ୟ ଦେଶାଚାର ଏହାକୁ କଳଙ୍କିତ କରିଅଛି । ବାଳବିଧବାର ଓଷ୍ଠରେ ଭାଷଣ ଚିହ୍ନ ଦେଖି ଯେ ନିଷ୍ଠୁର ସମାଜର ହୃଦୟ ବିକଳିତ ହୁଏ ନାହିଁ, ଲଲାଟର ବୈଧବ୍ୟର ଘୋର ମସୀଲେଖା ଦେଖି ଯାହାର କଠୋର ଚକ୍ଷୁ ଜଳଭାରକ୍ରାନ୍ତ ହୁଏ ନାହିଁ, ସେ ସମାଜର ଧର୍ମ୍ମ ସହିତ କଅଣ ? ଧର୍ମ୍ମର ଦୋହି ଦେି ଏମାନେ ଦୟାକୁ ହୃଦୟରୁ ନିର୍ବାସିତ କରିଅଛନ୍ତି । ଲୋକଙ୍କ ସହିତ ଏ ବିଷୟରେ ଯୁକ୍ତି କରିବାର ବୃଥା, କାରଣ ସେମାନେ ଯୁକ୍ତିକ୍ଷମ ନୁହନ୍ତି । ପ୍ରଥମେ କହିବେ ଶାସ୍ତ୍ରବିରୁଦ୍ଧ କଥା କିପରି ହେବ ? ଶାସ୍ତ୍ର ଦେଶାଇଲେ ମହାଜ୍ଞାନୀ ପରି କହିବେ–

 

‘‘ଯଦ୍ୟପି ଶୁଦ୍ଧହ

ଲୋକକ ରୁଦ୍ଧଂ

ନାଦରଶୀୟଂ

ନାଚରଶୀୟଂ ।

 

ଏପରି ଅବସ୍ଥାରେ ଦେଶସଂସ୍କାରବ୍ରତ ଯେ କେଡ଼େ ଦୁରୂହ ତାହା ବୋଲିବା ବାହୂଲ୍ୟ । ଆମ୍ଭମାନଙ୍କ ଦେଶରେ ଶ୍ରୀଯୁକ୍ତ ବୀରେଶ୍ୱର ଲିଙ୍ଗ୍‌ମ ମହୋଦୟଙ୍କଜ ପରି କେହି ସ୍ୱାଧୀନମନା ହିନ୍ଦି ବାହାରିବେ ନାହିଁ କି ?

 

ବଙ୍ଗଦେଶରେ ମନସ୍ୱୀ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଏ ବିଷୟରେ ଜାଜ୍ୱଲ୍ୟମାନ ଉଦାହରଣ । ଆମ୍ଭମାନଙ୍କ ସାମାଜିକ ଦୁର୍ଦ୍ଦିନରେ ଏ ଯେଉଁ ଶ୍ରେଣୀର ମନସ୍ବିତ ଦଷଖାଇ ଯାଇଅଛନ୍ତି ତାହା ଆମ୍ଭମାନଙ୍କ ପରି କ୍ଷୁଦ୍ରବ୍ୟକ୍ତିଙ୍କ କ୍ଷୁଦ୍ରମନରେ ଧରବାର ନୁହେ । ବୋଧ ହୁଏ ଏହାଙ୍କର ପବିତ୍ର ଆତ୍ମା ଗଙ୍ଗାଠାରୁ ବାହାରି ଓଡ଼ିଶାରଜଳବାୟୁ ନିତାନ୍ତ ପ୍ରତିକୂଳ ଦେଖି, ଏକାବେଳକେ ଗୋଦାବରୀ ପର୍ଯ୍ୟନ୍ତ ଆସି, ବୀରଶ୍ୱର ଲିଙ୍ଗମ୍‌ମହୋଦୟଙ୍କ ଉଦାର ହୃଦୟରେ ଅଧିଷ୍ଠାନ କରୁଅଛି ।

 

ଅପରାହ୍ନ ଘ ୪ ଟିକା ପରେ ଶ୍ରୀଯୁକ୍ତ ଟି.ଭି. ସୁଦ୍ଧା ରାଓ ମହୋଦୟ କଲେଜରୁ ମୋହଠାକୁ ଆସିଲେ । ହଠାତ୍‌ତାହାଙ୍କୁ ମୋହ ନିକଟରେ ଦେଖି ଅତିଶୟ ଲଜ୍ଜିତ ହେଲି, ପରକ୍ଷଣରେ ବେଶଭୂଷା ଆଡ଼କୁ ଦୃଷ୍ଟି ନିକ୍ଷେପ କରି ଆଶ୍ଚର୍ଯ୍ୟନ୍ୱିତ ହେଲି । କଲେଜର ଭାଇସ ପ୍ରିନ୍ସିପଲଙ୍କ ଏପରି ବେଶ ହୋଇପାରେ ବୋଲି ମୋହର ସ୍ୱପ୍ନରେ ସୁଦ୍ଧା ଧାରଣା ହେବାର ଅସମ୍ଭବ । ଅତି ସାମାନ୍ୟ ଧୋତି, ସମାନ୍ୟ କୋଟ, ଏବଂ ମସ୍ତକରେ ଚିରାଭାସ୍ତ ପଗଡ଼ି । ପୁଣି ପାପଦ୍ୱୟ ଉପାନହୂ ଶୂନ୍ୟ । ଏହାଙ୍କ ସଙ୍ଗେ ନାନା ବିଷୟରେ ଦୀର୍ଘକ୍ଷଣ ବ୍ୟାପୀ କଥାବର୍ତ୍ତା ହୋଇଥିଲ । ପରିଶେଷରେ ଆଜତି ସନ୍ଧ୍ୟାବେଳେ ଏଠାରୁ ବାହାରି ଯିବ ବୋଲି ବିଦାୟ ନେଲି । ଏହାଙ୍କ ମଧୁର ସମ୍ଭାଷଣରୁ ବଞ୍ଚିତ ହବେ ଭାବି ନିତାନ୍ତ ଦୁଃଖିତ ହୋଇଥିଲି ।

 

ସନ୍ଧ୍ୟାର ଅଳ୍ପପୂର୍ବରୁ ଆମ୍ଭେମାନେ ଭୋଜନାଦି ଶେଷ କରି, ‘‘ରାଜ ମାହେନ୍ଦ୍ରୀ’’ ଷ୍ଟେସନକୁ ଗଲୁଁ । ହରିହର ବାବୁ, ଶ୍ରିବତ୍ସ ବାବୁ, ଏବଂ ହୃଦୟାନନ୍ଦ ବାବୁ ଆମ୍ଭମାନଙ୍କ ସଙ୍ଗେ ଯାଇ ଟିକଟ ପ୍ରଭୃତି କ୍ରୟରେ ଯଥେଷ୍ଟ ସାହାଯ୍ୟ କରିଥିଲେ । ଆମ୍ଭେମାନେ ଏକତ୍ରିତ ହୋଇ ପ୍ରାୟ ଏକଘଣ୍ଟା ପର୍ଯ୍ୟନ୍ତ ଷ୍ଟେସନର ପ୍ଳାଟଫରମ୍‌ଉପରେ ବିଚରଣ କରି ଗଳ୍ପରେ ପ୍ରବୃତ୍ତି ହେଲୁଁ । ଦେଖୁଁ ଉତ୍ତର ଗୋଦାବରୀ ଷ୍ଟେସନ ରୁ ଗାଡ଼ୀ ପହଁଚି ଗଲା । ଗାଡ଼ୀରେ ଉଠି ବନ୍ଧୁତ୍ରୟଙ୍କଠାରଚୁ ବିଦାୟ ଗ୍ରହଣ କଲି । ଏମାନଙ୍କ ମାୟାପାଶ ଛିନ୍ନ କରିବାକୁ ବଡ଼ କଷ୍ଟ ବୋଧ ହୋଇଥିଲା ।

 

ଗାଡ଼ୀରେ ଆମ୍ଭେମାନେ ଅଗ୍ରସର ହେଲୁ । ଆଜି ଆମାବସ୍ୟା ରଜନୀର ତିମିର ସ୍ରୋତ ଭେଦ କରି ଗାଡ଼ୀର ଅପ୍ରତିହିତ ଗତି । ଦ୍ୱାର ପୁଡି ଷ୍ଟେସନରୁ ଲାଇନର ଉଭ୍ରୟ ପାର୍ଶ୍ୱରେ କ୍ଷୁଦ୍ର ପର୍ବତ ଶ୍ରେଣୀ ବିକଟାକାର ଦୈତବତଥ ଦଣ୍ଡାୟମାନ । ସୁଚିଭେଦ୍ୟ ଅନ୍ଧକାର, ଆକାଶରେ ପୁଣି ଘନମେଘ ପୁଞ୍ଜର ଦୃଶ୍ୟ । ସମୟ ସମୟରେ ସୌଦାମିନୀ ଜଳଦ କ୍ରୋଡ଼ଭ୍ରଷ୍ଟ ହୋଇ ଯେପରି ପୃଥୀବୀର କୌଣସି ପଦାର୍ଥକୁ ଅନ୍ୱେଷଣ କରୁଅଛି ବୋଲି ବୋଧ ହେଲା, ପୁଣି ଅଦୂରସ୍ଥିତ ତରୁଶାଖା ଲଗ୍ନ ଖଦ୍ୟୋତପକ୍ତ, ସ୍ୱର୍ଗର ବୃଷ୍ଟିଜଳକୁ ଆହ୍ୱାନ କରୁଥିଲା । ଶେଷ ବିଷୟଟିରେ ମୁଁ ବେଶ ଅଭିଜ୍ଞ । ତରୁ ଦେହରେ ଖଦ୍ୟୋତ ସମୂହ ମୃତ୍ତିକାରେ ଥିଲେ ବୃଷ୍ଟି ହୁଏ ନାହିଁ ।

 

ବିକଭୋଳ ଷ୍ଟେସନରୁ ଆମ୍ଭେମାନେ ନିଦାକୃଷ୍ଟ ହେଲୁ ।

 

୨୨-୮-୯୫-ବୃହସ୍ପତିବାର-ପ୍ରତ୍ୟୁଷରେ ଆମ୍ଭେମାନେ ରେଲଓଏ କୋମ୍ପାନିଙ୍କ ସଦର ମହକୁମା ମାଲଟେୟାର ଷ୍ଟେସନରେ ପହଚିଲୁଁ । ଏଠାରେ ଅର୍ଦ୍ଧ ଘଣ୍ଟା ରହି, ଗାଡ଼ୀ ଏକମାଇଲ ଦୂରବର୍ତ୍ତୀ ଶାଖା ଲାଇନରେ ବିଶାଖାପତ୍ତନ (Vizigapatatam) ପର୍ଯ୍ୟନ୍ତ ଗଲା । ଏଠାରେ ଗାଡ଼ୀ ବିଶ୍ରାମ ପ୍ରାୟ ଅର୍ଦ୍ଧଘଣ୍ଟା ।

 

ବିଶାଖାପତ୍ତନ ସହରର ଦୃଶ୍ୟ ବର୍ଣ୍ଣନାର ଅତୀତ । ପ୍ରକୃତିର ନିରଙ୍କୁଶ ଲୀଳାସ୍ଥଳୀରେ ନଗରରେ ଅବସ୍ଥାନ ବାସ୍ତବିକ ଲୋଚନାନଦ ବର୍ଦ୍ଧକ । ପାଦତଳରେ ଅତଳ ଜଳଧି ଏବଂ ପାର୍ଶ୍ୱ ତ୍ରୟରେ ବିଶାଳ ଶୈଳଶ୍ରେଣୀ । ପର୍ବତଶିଖରରେ ତିନିଧର୍ମର ତିନୋଟି ନିଦର୍ଶନ ସ୍ୱରୂପ ଖ୍ରିୀଷ୍ଟିୟାନ ଗିର୍ଜ୍ଜା, ମୁସଲମାନ ମସଜିଦ୍‌, ଏବଂ ହିନ୍ଦୁ ମନ୍ଦିରର ଅତୁଳନୀୟ ଶୋଭା । ସହରଟି ବାଣିଜ୍ୟର ଅନ୍ୟତର କେନ୍ଦ୍ର, ମାନ୍ଦ୍ରାଜ ପ୍ରେସିଡେନ୍ସିର ଗୋଟିଏ ପ୍ରଧାନ ବନ୍ଦର । ଏହାର ସାଧାରଣ ପ୍ରଚଳିତ ନାମ ଭାଇଜାଗ୍‌ । ଏଠାରେ ସିଙ୍ଗ ଏବଂ ହସ୍ତୀଦନ୍ତର ଉତ୍କୃଷ୍ଟ କାରୁସମ୍ବଳିତ ବିବିଧ ପଦାର୍ଥ ପ୍ରସ୍ତୁତ ହୁଏ ।

 

ଏଠାରୁ ଗାଡ଼ୀ ପୁଣି ବାଲ୍‌ଟେୟାର ଷ୍ଟେସନକୁ ଫେରି ଆସି, ସେଠାରେ ପ୍ରାୟ ଅର୍ଦ୍ଧ ଘଣ୍ଟା ସ୍ଥାୟୀ ବିଶ୍ରାମ ନେଲା । ଏ ଷ୍ଟେସନରୁ ଗାଡ଼ୀ ବାହାରିବା ସମୟକୁ ପ୍ରାୟ ପୂର୍ବାହ୍ନ ଘ ୭ ଟିକା ।

 

ଗାଡ଼ୀର ଗତି ସଙ୍ଗେ ସଙ୍ଗେ ବିଶାଳ ପର୍ବତଶ୍ରେଣୀର ମଧ୍ୟ ବିରାମ ନାହିଁ । ଏଗୁଡ଼ିକ ପୂର୍ବଘାଟ ମଧ୍ୟରେ ମଧ୍ୟ କରି ଗଣିତ ହୋଇଥାଏ । ସୀମହଚିଲମ୍‌ଷ୍ଟେସନରୁ ଆମ୍ଭେମାନେ ଅଦୂରବର୍ତ୍ତୀ ପ୍ରସିଦ୍ଧ ସୀମାଚଳ, କ୍ଷେତ୍ରର ଶ୍ରୀନୃସିଂହ ଦେବଙ୍କ ମନ୍ଦିର ସ୍ପଷ୍ଟ ଦେଖିଲୁଁ । ଜଣେ ରକ୍ତ ତୈଲିଙ୍ଗ ଭାଷାରେ ଏହାଙ୍କ ଏକଶତ ସ୍ତୁତି ରଚନା କରି, ‘‘ନରସିଂହଶତକମ୍‌’’ ନାମ ପ୍ରଦାନ କରିଅଛନ୍ତି । ଜଣେ ସହଯାତ୍ରଙ୍କ ମୁଖରୁ କେତୋଟି ତୈଲଙ୍ଗସ୍ତୃତିର ଇଂରା ଅନୁବାଦ ଶୁଣି ରଚନାର ପାରିପାଟ୍ୟ ହୃଦୟଙ୍ଗମ କଲି । ନୃସିଂହ ଦେବଙ୍କ ମନ୍ଦିର ପର୍ବତର ମୂଳଦେଶରେ ଅବସ୍ଥିତ ।

 

ପୂର୍ବାହ୍ନ ଘ ୧୧ ଟିକା ସମୟରେ ଗାଡ଼ୀ ଭିଜିଆନଗ୍ରାମ ଷ୍ଟେସନରେ ଉପନୀତ ହୋଇ ପ୍ରାୟ ୨୦ ମିନିଟ ରହିଲା । ଏଠାରେ ମୋହର ପରମବନ୍ଧୁ ଇଷ୍ଟକୋଷ୍ଟ ରେଲଓଏର କର୍ମଚାରୀ ଶ୍ରୀଯୁକ୍ତ ଭେଙ୍କଟ ସ୍ୱାମୀ ମହୋଦୟ ଆମ୍ଭମାନଙ୍କ ସଙ୍ଗେ ଟିକଟ ପରିଦର୍ଶନାର୍ଥ ଝାଡ଼ପୁଡ଼ି ଷ୍ଟେସନ ପର୍ଯ୍ୟନ୍ତ ଯିବେ ବୋଲି ଗାଡ଼ୀରେ ଆରୋହଣ କଲେ । ଉଭୟେ ଏକତ୍ର ବସି ବହୁକ୍ଷଣ ବ୍ୟାବୀ କଥାବାର୍ତ୍ତାରେ ପ୍ରବୃତ ହେଲୁଁ ।

 

ଆଜି ସ୍ନାନ ବନ୍ଦ ଏବଂ ଜଳଖିଆ ଆହାର । ବନ୍ଧୁଙ୍କ ସଙ୍ଗେ କଥୋପକଥନ କରୁଁ କରୁଁ ସଯୌରକରୋଦ୍ଭାସିତ ପର୍ବତମାଳାର ଦୁର୍ବାଦଳଶ୍ୟାମଳ ଶିଖରମାନ ଦେଖି ଦେଖି ଅଗ୍ରସର ହେଉଥିଲି । କ୍ରମଶଃ ଗିରିଧି, ଚିକାକୋଲ, ପାରଳାଖିମିଡ଼ି ପ୍ରଭୃତି ଷ୍ଟେସନ ସମୂହ ଉତ୍ତାରୁ ମଞ୍ଜୁଷା ଷ୍ଟେସନରେ ଗାଡ଼ୀ ଅପରାହ୍ନ ପ୍ରାୟ ଘ ୨ ଟିକା ସମୟରେ ଉପନୀତ ହେଲା ।

 

ଏଠାରେ ଆମ୍ଭମାନଙ୍କ ଅବତରଣ କରିବାର କଥା । କିନ୍ତୁ ଭାବିଲୁଁ ମଞ୍ଜୁଷାଗଡ଼ ଏଠାରୁ ପ୍ରାୟ ୨ ମାଇଲ, ଭାରବାହ ପ୍ରଭୃତିର ଅଭାବ ହେତୁରୁ ଅନେକ ଅସୁବିଧା ହୋଇପାର, ସୁତରାଂ ସଂକଳ୍ପ ତ୍ୟାଗହିଁ ଶ୍ରେୟଃ । ମାତ୍ର ଏଣେ ମୋହର ଟେଲିଗ୍ରାମ ପାଇ ପରମମାନନୀୟ ସଦାଶୟ ଶ୍ରୀଯୁକ୍ତ ରାଜା ମହୋଦୟ ଯେଉଁ ଆୟୋଜନ କରାଇଥିଲେ ଆମ୍ଭେମାନେ ଯେ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିବାରୁ ସେଥିର ସୁବିଧା ଗ୍ରହଣ କରି ପାରିଲୁଁ ନାହିଁ । ଷ୍ଟେସନର ପଶ୍ଚାତ୍‌ରେ ଯେ ପାଲକୀ ଏବଂ ଗୋଶକଟ ଆମ୍ଭମାନଙ୍କର ପ୍ରତୀକ୍ଷା କରୁଅଛି ଏ କଥା କିଏ ଜାଣିଥିଲା ? ଜାଣିଥିଲେ ରାଜା ମହୋଦୟଙ୍କ ଏପରି ଆୟୋଜନ ବ୍ୟର୍ଥ ହୋଇ ନ ଥାଆନ୍ତା, ଏବଂ ଆମ୍ଭେମାନେ ମଧ୍ୟ ମଞ୍ଜୁଦର୍ଶନ ମଞ୍ଜୁଷାଗଡ଼ ଦେଖି ପରିତୃପ୍ତ ହୋଇଥାଆନ୍ତୁ । ପରେ ଶୁଣିଲି ମୋହର ଦର୍ଶନାନ ପାଇ ରାଜାମହୋଦୟ କ୍ରମାଗତ ତିନିଦିନ ଏହିରୂପ ଯାନାଦିପଠାଇଥିଲେ । ଏଥି ସକାଶେ ମୁଁ ଅତୀବ ଲଜ୍ଜିତ ହୋଇ ତାହାଙ୍କ ଶ୍ରୀଛାମୁରୁ କ୍ଷମା ପ୍ରାର୍ଥନା କରୁଅଛି ।

 

ଏ ଗୋଟିଏ କ୍ଷୁଦ୍ର ଷ୍ଟେସନ, ସୁତରାଂ ଗାଡ଼ୀର ବିଶ୍ରାମ ପ୍ରାୟ ୨ ମିନିଟ୍‌ରୁ ବେଶି ନୁହେ । ଆମ୍ଭେମାନେ ଯେଉଁ ଟିକିଟ ନେଇଥିଲୁଁ, ତାହାର କାର୍ଯ୍ୟକାରିତା ଏ ଷ୍ଟେସନରୁ ଶେଷ ହେଲା, ସୁତରାଂ ପୁନଶ୍ଚ ନୂତନ ଟିକିଟର ଆବଶ୍ୟକ । ଏଣେ ଗାଡ଼ୀ ଅତିଶୀଘ୍ର ବାହାରିଯିବ, ଷ୍ଟେସନ ନିକଟକୁ ଯାଇ ଟିକିଟି କିଣି ଗାଡ଼ୀରେ ବସିବାର ନିତାନ୍ତ ଅସମ୍ଭବ । ଗତ୍ୟନ୍ତର ନ ଦେଖି ବନ୍ଧୁବରଙ୍କୁ କହିବାରୁ, ସେ ସେହିକ୍ଷଣି ଗାର୍ଡ଼ଙ୍କୁ କହି ପ୍ରାୟ ୨ ମିନିଟ୍‌ଗାଡ଼ୀ ବନ୍ଦ ରଖିଲେ, ଏବଂ ସ୍ୱୟଂ ବୁକିଂ କ୍ଲାର୍କ ନିକଟକୁ ଯାଇ ଆମ୍ଭମାନଙ୍କ ସକାଶେ ଚାରିଖଣ୍ଡି ଟିକିଟ ଆଣିଲେ । ବନ୍ଧୁବର ସଙ୍ଗେ ନ ଥିଲେ ଆମ୍ଭମାନଙ୍କ ଦୁର୍ଦ୍ଦଶାର ସୀମା ରହନ୍ତା ନାହିଁ । କାରଣ ଗାଡ଼ୀ ବାହାରିଗଲେ ଆମ୍ଭେମାନେ ଅନ୍ୟ ଷ୍ଟେସନରେ ଟିକିଟ ଦେଖାଇ ନ ପାରି ରେଲଓଏର ଆଇନାନୁସାରେ ଅବଶ୍ୟ ଦ୍ରଣ୍ଡାର୍ହ ହୁଅନ୍ତୁ ।

 

ଝାଡ଼ପୁଡ଼ି ଷ୍ଟେସନରେ ବନ୍ଧୁବର ଦୁଃଖିତାନ୍ତଃକରଣରେ ବିଦାୟ ନେଲେ । ଏ ଆମ୍ଭମାନଙ୍କର ଯେଉଁ ଉପକାର କରିଅଛନ୍ତି, ସେଥି ସକାଶେ ଆମ୍ଭେମାନେ ଆଜୀବନ ଋଣୀ ।

 

ସନ୍ଧ୍ୟା ପୂର୍ବରୁ ଗାଡ଼ୀ ବ୍ରହ୍ମପୁର ଷ୍ଟେସନରେ ପହୁଁଚିଲା । ଆମ୍ଭେମାନେ ସ୍ୱ ସ୍ୱ ହସ୍ତରେ ଜିନିସାଦି ଘେନି ଆମ୍ଭମାନଙ୍କ ପୂର୍ବବସାଘରକୁ ଗଲୁଁ । ଏହା ଏକପ୍ରକାର ସ୍ୱଦେଶ, ସୁତରାଂ ଦୀର୍ଘଭ୍ରମଣ ପରେ ସ୍ୱଦେଶୀୟ ଓଡ଼ିଆଭାଷା ପ୍ରଚଳନର ସ୍ଥାନ ଏତେ ଦିବସରେ ମିଳିଲା ବୋଲି ଆଜି ଆନନ୍ଦର ସୀମା ନାହିଁ !

 

ରାତ୍ରି ପ୍ରାୟ ୮ ଘଟିକା ବେଳେ କୂପୋଦକରେ ସ୍ନାନ କଲି । ଏତେ ଦିବସର କ୍ଲାନ୍ତି ପରେ ଆଜି ଆହାରାନ୍ତେ ଗଭୀର ନିଦ୍ରା !

 

୨୩-୮-୯୫ ଶୁକ୍ରବାର-ପ୍ରାତଃକାଳରେ ଶ୍ରୀଯୁକ୍ତ ବିପ୍ରବାବୁଙ୍କ ବସାକୁ ଯାଇ ସାକ୍ଷାତ୍ କଲି । ନାନା କଥାବାର୍ତ୍ତା ଉତ୍ତାରୁ ମୋହର ବଡ଼କୂଳ ଯିବାର କଥା ଉଠିଲା । ଆଜିକାଲି ବର୍ଷା ପ୍ରଭାବରୁ ଋଷିକୁଳ୍ପାନଦୀର ପ୍ଲାବନ, ଏବଂ ଗୋଶକଟ ପାରି ହେବାର ମଧ୍ୟ ତାଦୃଶ ସୁବିଧା ନାହିଁ । ଅଗତ୍ୟା Ballast ରେଲଗାଡ଼ୀରେ ଯିବାକୁ ହେବ, ସୁତରାଂ ଆଗାମୀ ପରଶ୍ୱ ଏଠାରୁ ଖଲିକୋଟ (ରେଲଲାଇନର କାର୍ଯ୍ୟ ଯେତେଦୂର ଯାଇଅଛି,-Railhead) ପର୍ଯ୍ୟନ୍ତ କତିପୟ ରେଲଓଏ କଣ୍ଟ୍ରାକ୍ଟରଙ୍କ ସହିତ ଯିବାର ପ୍ରସ୍ତାବ ହେଲା । ଏହିଠାରୁ Railhead ପର୍ଯ୍ୟନ୍ତ ଯାତ୍ରୀ ଯାତାୟାତର ଏ ପର୍ଯ୍ୟନ୍ତ କୌଣସି ସୁବିଧା ହୋଇ ନାହିଁ, କାର୍ଯ୍ୟପରୀକ୍ଷା ହେଉଅଛି ମାତ୍ର, ସୁତରାଂ ସ୍ଥାନେ ସ୍ଥାନେ ବିପଦର ସମ୍ପୂର୍ଣ୍ଣ ସମ୍ଭାବନା ଶୁଣି ହୃଦୟ ଆଶଙ୍କିତ ହୋଇଥିଲା । ପୂର୍ବହ୍ନା ୧୦ ଘଟିକା ସମୟରେ ବସାକୁ ଫେରି ଆସିଲି ।

 

ଅପରାହ୍ଣ ୨ ଘଟିକାଠାରୁ ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ ଅତ୍ୟନ୍ତ ବର୍ଷା ହେଲା ।

 

୨୪-୮-୯୫-ଶନିବାର-ପୂର୍ବାହ୍ଣଟି ବିପ୍ରବାବୁଙ୍କ ବସାରେ କଟାଇଲି ଅନେକ କଥାବାର୍ତ୍ତା ହେଲା । ପରିଶେଷରେ ସେ ରେଲଓଏ କଣ୍ଟ୍ରାକର ଶ୍ରୀଯୁକ୍ତ ଭବତାରଣବାବୁଙ୍କ ନିକଟକୁ ମୋହ ହସ୍ତରେ ଖଣ୍ଡିଏ ପତ୍ର ଦେଲେ ।

 

ଅପରାହ୍ଣରେ ଆଜିସାମାନ୍ୟ ବୃଷ୍ଟି । ଅପରାହ୍ଣରେ ମଧ୍ୟ ବିପ୍ରବାବୁଙ୍କର ବସାକୁ ଯାଇ ଶେଷ ବିଦାୟ ନେଇ ଆସିଲି ।

 

୨୫-୮-୯୫-ରବିବାର-ପ୍ରାତଃକାଳରୁ ବୃଷ୍ଟି ଆରମ୍ଭ ହେଲା,-ଆଉ ଛାଡ଼ିବାକୁ ନାହିଁ ! ରେଲଓଏ କଣ୍ଟ୍ରାକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ପ୍ରଭୃତିଙ୍କ ପୂର୍ବାହ୍ନ ୯ ଘଟିକାବେଳେ ଏଠାରୁ ବାହାରିବାର କଥା, ସୁତରାଂ ଅତ୍ୟନ୍ତ ବ୍ୟସ୍ତ ହୋଇ ପକାନ୍ତେ ଆମ୍ଭେମାନେ ଆହାର କରି ନେଲୁଁ । ଆମ୍ଭମାନଙ୍କ ବସାର ଅଦୂରସ୍ଥ ରେଲଲାଇନ ନିକଟର ସମସ୍ତଙ୍କ ଏକତ୍ର ହେବାର ପୂର୍ବରୁ କଥା ହୋଇଥିଲା, ସୁତରାଂ ଆମ୍ଭେମାନେ ସର୍ବପ୍ରଥମ ଯାଇ ସେଠାରେ ଉପସ୍ଥିତ ହେଲୁଁ । ବୃଷ୍ଟିଜଳସିକ୍ତ ହୋଇ ଆମ୍ଭେମାନେ ଅନେକକ୍ଷଣ (ପ୍ରାୟ ୨ ଘଣ୍ଟା) ଅପେକ୍ଷା କଲୁଁ, କିନ୍ତୁ କାହାରି ଦେଖା ନାହିଁ । ପୂର୍ବାହ୍ନ ୧୧ ଘଟିକା ଉତ୍ତୀର୍ଣ୍ଣ ହେବା ପରେ କେତେକ ଜିନିଷ ପତ୍ରାଦି ଏଠାରେ ପହଁଚିଲା, ପରକ୍ଷଣରେ ଦଳବଳ ସହିତ କଣ୍ଟ୍ରାକ୍ଟରଗଣ ଏବଂ ଅନ୍ୟାନ୍ୟ ରେଲକର୍ମଚାରିମାନେ ଉପସ୍ଥିତ ହେଲେ । ରେଲଓଏ ଅଫିସ ଏଠାରୁ ଖୋରଧା ସବ୍‌ଡ଼ିଭିଜନସ୍ଥ ଜଟଣୀ ଗ୍ରାମକୁ ଉଠି ଯାଉଅଛି, ସୁତରାଂ ରେଲବିଭାଗୀୟ ତାବତୀୟ ଜିନିଷ ଏବଂ ମନୁଷ୍ୟବର୍ଗ ସକାଶେ ଗୋଟିଏ ସ୍ୱତନ୍ତ୍ର ଗାଡ଼ୀ (Special Ballast) ର ବନ୍ଦୋବସ୍ତ ହୋଇଥିବାରୁ ଅତିଶୟ ସୁବିଧା ହୋଇଥିଲା । କିନ୍ତୁ ଇଞ୍ଜିନ ପଶ୍ଚାତରେ ପ୍ରାୟ ୪୦ ଖଣ୍ଡୀ Ballast ଏବଂ Luggagevans ଆବଦ୍ଧ ରଖି ସୁଦ୍ଧା, ସମସ୍ତ ଗାଡ଼ୀଗୁଡ଼ିକ ଲୋକ ଏବଂ ଜିନିଷାଦିରେ ପୂର୍ଣ୍ଣ ହୋଇଗଲା । ଗାଡ଼ି ଛାଡ଼ିଲାବେଳକୁ ଅପରାହ୍ଣ ପ୍ରାୟ ୨ ଘଟିକା ।

 

ଗାଡ଼ୀ ନବନିର୍ମିତ ଲାଇନ ଉପରେ ତୀବ୍ରବେଗରେ ଚାଲୁ ନାହିଁ, କାଳେ କୌଣସି ବିପଦ୍‌ପାତ୍‌ହୋଇପାରେ । ଛତ୍ରପୁର ଷ୍ଟେସନକୁ ଆସି ଏଠାରେ ପ୍ରାୟ ଅର୍ଦ୍ଧଘଣ୍ଟା ସମୟ ବିଶ୍ରାମ ନେଲା । ପୁନଶ୍ଚ ଅନ୍ୟାନ୍ୟ କେତେକ କର୍ମଚାରୀ ଏଠାରୁ ବାହାରିବାରୁ, ଆଉ ଦୁଇଖଣ୍ଡି Luggagevans ଆମ୍ଭମାନଙ୍କ ଗାଡ଼ୀଗୁଡ଼ିକ ସହିତ ଆବଦ୍ଧ ହେଲା ।

 

ବର୍ଷାର ଆଜି ଅତ୍ୟନ୍ତ ପ୍ରାଦୁର୍ଭାବ ଥିଲା, ମାତ୍ର କ୍ରମଶଃ ଉଣା ହୋଇଗଲା । ଆମ୍ଭେମାନେ ଗୋଟିଏ Luggagevan ରେ ବସିଲୁ । ଭବତାରଣ ଏବଂ ଯୋଗନ୍ଦ୍ର ବାବୁଦ୍ୱୟଙ୍କ ସହିତ ଗଳ୍ପ କରୁଁ କରୁଁ ପଥଅତିକ୍ରାନ୍ତ ହେଉଥାଏ । ବାବୁଦ୍ୱୟ ରେଲଓଏ କଣ୍ଟ୍ରାକ୍ଟର, ଜଟଣୀ ଅଫିସକୁ ଯାଉଅଛନ୍ତି । ଜଟଣୀ ଇଷ୍ଟକୋଷ୍ଟ ରେଲଓଏର ଗୋଟିଏ ବୃହତ୍ ଜଙ୍କସନ୍ ହେବ, ସୁତରାଂ ସେଠାରେ ଗୋଟିଏ ପ୍ରକାଣ୍ଡ ଅଫିସ ରହିବା ସକାଶେ ଏତେ ଲୋକ ଏବଂ ଜିନିଷାଦି ନୀତ ହେଉଅଛି । ଛତ୍ରପୁରରୁ ଗାଡ଼ୀ ବାହାରିବାବେଳକୁ ପ୍ରାୟ ଅପରାହ୍ଣ ୩ଟା ବାଜିଗଲା ।

 

ଅଳ୍ପଦୂର ଯିବା ପରେ ହଠାତ୍ ଏ ପୁଣି କଅଣ ? ଘନ ଘନ ବଜ୍ରଧ୍ୱନି ପ୍ରାୟ ଆମ୍ଭମାନଙ୍କ ଗାଡ଼ୀକୁ ଆଘାତ କରୁଅଛି କିଏ ? କିଛି ନ ବୁଝି ପାରି ଭବତାରଣ ବାବୁଙ୍କୁ କାରଣ ପଚାରିବାରେ ସେ ଉତ୍କଣ୍ଠିତ ଅବସ୍ଥାରେ ନୀରବ ରହିଲେ ! ଦେଖୁଁ ଦେଖୁଁ ଏକ ପ୍ରକାଣ୍ଡ କାଠ ଆସି ପ୍ରଥମେ ଆମ୍ଭମାନଙ୍କ ଗାଡ଼ୀର ଦ୍ୱାର ଭାଙ୍ଗି ଦେଲା, ପରମୂହୁର୍ତ୍ତରେ ଗାଡ଼ୀ ଛାତର ଏକ କୋଣ ଖସାଇ ଦେଇ ଗାଡ଼ୀ ଭିତରେ ପ୍ରବିଷ୍ଟ ହୋଇ, ଆମ୍ଭମାନଙ୍କୁ ବିଷ୍ପେଷିତ କରି ଦେବାକୁ ବସିଲା । ଏଣେ ଗାଡ଼ୀ ଚାଳକ (Engine Driver) ଗାଡ଼ୀର ଗତି ଅନବରତ ବନ୍ଦ କରିବାର ଚେଷ୍ଟା କରୁଅଛନ୍ତି, କିନ୍ତୁ ଏ ହଠାତ୍ କାହିଁକି ମନୁଷ୍ୟର ବାରଣ ଶୁଣିବ ? କ୍ରମେ କ୍ରମେ ପ୍ରାୟ ୨ ମିନିଟ୍ ପରେ ଗାଡ଼ୀର ଗତି ହଠାତ୍ ବନ୍ଦ ହୋଇଗଲା ।

 

ପାଠକେ ! ଏ ଅବସ୍ଥାରେ ପଡ଼ି ଆମ୍ଭମାନଙ୍କ ମନରେ ଯେ କିପରି ଭାବର ସଞ୍ଚାର ହୋଇଥିଲା ତାହା ସ୍ୱରୂପରେ ବର୍ଣ୍ଣନା କରିବା, ଭାଷାର ସାଧ୍ୟାତୀତ । କି ବିପଦରେ ବର୍ତ୍ତମାନ ଯେ ଆମ୍ଭେମାନେ ପଡ଼ିଅଛୁଁ, କ୍ଷଣମୁହୂର୍ତ୍ତପରେ ଅଦୃଷ୍ଟରେ କଅଣ ଘଟିବ, ଏହି ଭୟଙ୍କର ଚିନ୍ତାରେ ଆମ୍ଭମାନଙ୍କ ହୃଦୟ ଆଲୋଡ଼ିତ ହେଉଥିଲା । ସେହି ଭୀତ, ଚକିତ, ସ୍ଥଗିତ, ଆତ୍ମବିସ୍ମୃତ ଅବସ୍ଥାକୁ ସ୍ୱୟଂ ସରସ୍ୱତୀ ଭାଷାରେ ବ୍ୟକ୍ତ କରିପାରିବେ କି ନାହିଁ ସନ୍ଦେହ ! ଯେଉଁ ଅନାଥନାଥ ଦୟାମୟ ଜଗଦୀଶ୍ୱରଙ୍କ କୃପାରୁ ଦାକ୍ଷିଣାତ୍ୟଭ୍ରମଣଜନିତ ମହା ମହା ସଙ୍କଟରୁ ପରିତ୍ରାଣ ପାଇ ଆସିଲୁଁ, ଯେଉଁ ମଙ୍ଗଳମୟଙ୍କ କରୁଣାପ୍ରସାଦରୁ ଦାକ୍ଷିଣାତ୍ୟର ଦସ୍ୟୁମାନଙ୍କ ହସ୍ତରୁ ପ୍ରାଣ ନେଇ ଆସିଅଛୁଁ, ସେହି ବିପଦରଞ୍ଜନ ଦୟାମୟ ଦୀନବନ୍ଧୁ ଏ ବିପଦରୁ ଆମ୍ଭମାନଙ୍କୁ ଅବଶ୍ୟ ରକ୍ଷା କରିବେ ! ସେହି ସର୍ବମଙ୍ଗଳମୟ ପରାତ୍ପରର ବିପତ୍ତାରଣ ପାଦପଦ୍ମହିଁ ଆମ୍ଭମାନଙ୍କ ଭରସା !

 

କାଠଟି ଆସି ଆମ୍ଭମାନଙ୍କୁ ନିଷ୍ପେଷିତ କରିବାପାଇଁ, ଆଉ ଏକ ସେକେଣ୍ଡ ବାକୀ, ଏହି ସମୟରେ ଗାଡ଼ୀର ଗତି ବନ୍ଦ ହେଲା । ଆଉ ଗୋଟିଏ ଚକ୍ର ଚାଲିଥିଲେ ମୋତେ ଏ ବୃତ୍ତାନ୍ତ ଲେଖିବାକୁ ହୁଅନ୍ତା ନାହିଁ । କାଳର ମୁଖକୁହରରେ ପ୍ରବିଷ୍ଟ ହେବାକୁ ଆମ୍ଭମାନଙ୍କର ଏକସୂତା ମାତ୍ର ବାକି ରହିଗଲା । ବର୍ତ୍ତମାନର ଘଟଣାବଳୀ ଲେଖିବାକୁ ଯେଉଁ ସମୟ ଗତ ହେଲା, ସବୁ ବିପଦର ସଂଘଟନ ସମୟ ଏହାର ଶତାଂଶରୁ ଏକାଂଶ ନୁହେ । ରେଲଗାଡ଼ୀ ବନ୍ଦ ହେଲା ପରେ ଗାର୍ଡ଼, ଡ୍ରାଇଭର ପ୍ରଭୃତି ସମସ୍ତେ ଆମ୍ଭମାନଙ୍କ ଗାଡ଼ୀ ନିକଟକୁ କୌଣସି ମନୁଷ୍ୟ ନଷ୍ଟ ହୋଇଅଛି କି ନା ଦେଖିବାକୁ ବ୍ୟଗ୍ରଭାବରେ ଦଉଡ଼ି ଆସିଲେ । ସୌଭାଗ୍ୟକ୍ରମେ ମନୁଷ୍ୟ ନଷ୍ଟ ହୋଇ ନାହିଁ, କିନ୍ତୁ ଦୁଇ ମିନିଟ୍ ମଧ୍ୟରେ କୋମ୍ପାନିଙ୍କ ୮୦୦ ।୧୦୦୦ ଟଙ୍କାର କ୍ଷତି ହୋଇଗଲା । ଗୋଟିଏ ଗୋଟିଏ ବହୁମୂଲ୍ୟ ମ୍ୟାନିଲା ରଜ୍ଜୁ (Manilla-rope) ଲୌହଶକଟ ଚକ୍ରତଳେ ପଡ଼ି ଖଣ୍ଡ ଖଣ୍ଡ ହୋଇଗଲା ।

 

ବର୍ତ୍ତମାନ ଏ ଅଞ୍ଚଳରେ ରେଲଓଏ କାର୍ଯ୍ୟ ଲାଗିଅଛି, ଏ ଅବସ୍ଥାରେ ଗାଡ଼ୀରେ ମନୁଷ୍ୟ ନେବା କୋମ୍ପାନିଙ୍କ ଉଚିତ ହୋଇ ନାହିଁ । ପରୀକ୍ଷା ପ୍ରଭୃତିର କାର୍ଯ୍ୟ ଉତମରୂପେ ସମାଧାନ ହୋଇଗଲେ, ଗାଡ଼ୀରେ ମନୁଷ୍ୟ ନେବାର ଏବଂ ସର୍ବଶେଷରେ ଯାତ୍ରୀଗାଡ଼ୀର ପ୍ରଚଳନ ବିଧେୟ । ଈଶ୍ୱର ଯାହା କରନ୍ତି, ସମସ୍ତ ଭଲ ସକାଶେ, ମନ୍ଦ ସକାଶେ ନୁହେ । ଏ ବିପଦରୁ ଶିକ୍ଷା ମିଳିଲା ଯେ ରେଲଓଏ କାର୍ଯ୍ୟ ଲାଗିଥିବା ସମୟରେ Ballast ଗାଡ଼ୀରେ ଆରୋହଣ କରିବାର ନିତାନ୍ତ ଅନୁଚିତ । ରେଲରେ ସମୟ ସମୟରେ ଯେପରି ଲୋମହର୍ଷଣ ଘଟନା ଏବଂ ଘୋରତର ବିପତ୍‌ପାତ ହୁଏ, ପୂର୍ବେ ସେଥିର ବିବରଣ ପଢ଼ିଥିଲି । ଏଥର ସ୍ୱୟଂ ତାହା କିୟତ୍‌ପରିମାଣରେ ଅନୁଭବ କଲି । ସଂସାରରେ ଗତି ଏହିପରି ! ଅଧିକ ସୁଖ ସହିତ ଅଧିକ ଦୁଃଖ, ଅଧିକ ସୁବିଧା ସହିତ ଅଧିକ ଆପତ୍ ନିତ୍ୟସମ୍ବନ୍ଧରେ ସମ୍ବନ୍ଧ ହୋଇ ରହିଅଛି । ଫଳତଃ

 

‘‘ମହାସୁଖ ବୋଲଇ

ବୋଲନ୍ତି ଜଗତେ ଯାକୁ, ଜଡ଼ିତ ସେ ସଦା

ମହାଦୁଃଖେ, ଆଲୋକ ସେ ଜଡ଼ିତ ତମସେ ।’’

 

ଏହି ଉକ୍ତିଟି ଏଠାରେ ସମ୍ପୂର୍ଣ୍ଣ ପ୍ରଯୋଜ୍ୟ ।

 

ଏହା ଉତ୍ତାରୁ ଗାଡ଼ୀ ଋଷିକୁଲ୍ୟା ସେତୁ ଉପର ଦେଇ ଚାଲିଲା । ଦୁର୍ଘଟନାଟି ଏହିଠାରେ ହୋଇଥିଲେ ଗାଡ଼ୀଗୁଡ଼ିକ ନଦୀଗର୍ଭରେ ନିକ୍ଷିପ୍ତ ହୋଇଥାଆନ୍ତା ବୋଲି ସମସ୍ତେ ଅନୁମାନ କଲେ । ଅପରାହ୍ଣ ୪ ଘଟିକାରେ ଆମ୍ଭେମାନେ ରମ୍ଭା ଷ୍ଟେସନରେ ପହଁଚିଲୁଁ । ଗାଡ଼ୀର ସ୍ଥିତି ଏଠାରେ ପ୍ରାୟ ୧୫ ମିନିଟ୍ ।

 

ପୁନଶ୍ଚ ଗାଡ଼ୀ ଚାଲିଲା । ଅଳ୍ପଦୂର ଉତ୍ତାରୁ ୩୦ ।୪୦ ଫୁଟ ଉଚ୍ଚର ପାହାଡ଼ କଟା ହୋଇ ଲୌହବର୍ତ୍ତୃ ପ୍ରସ୍ତୁତ ହୋଇଅଛି, ତଳେ ପୁଣି ଚିଲିକା । ଏହି ସ୍ଥାନରେ ଦୃଶ୍ୟ ଅତି ସୁନ୍ଦର । ହରିଡ଼ାମୁଳ ଘାଟି ଅଦୂରରେ ଥିବାରୁ ଗୋଶକଟ ଯିବାର ରାସ୍ତାଟି ଶୈଳଶିଖରାଙ୍କିତ ସିନ୍ଦୂରରେଖା ପରି ଦିଶୁଥିଲା । ସ୍ଥାନେ ସ୍ଥାନେ ଚିଲିକା ଜଳ ଉପରେ ଲୌହବର୍ତ୍ତୃ ପ୍ରସ୍ତୁତ ହୋଇଅଛି । ଏସବୁ ସ୍ଥାନରେ ମାଟି ଧଷି ପଡ଼ୁଅଛି ବୋଲି ଗାଡ଼ୀ ଦ୍ରୁତବେଗରେ ଚାଲିଲା ନାହିଁ । ଘଣ୍ଟାରେ ୪ ମାଇଲ ଲେଖାଏଁ ହୋଇଥିବାର ଦେଖିଲି (Trains to run 4 miles per hour) ।

 

ସନ୍ଧ୍ୟାର ପ୍ରାୟ ଅର୍ଦ୍ଧଘଣ୍ଟା ପୂର୍ବରୁ ଆମ୍ଭେମାନେ ଖଲିକୋଟ ଷ୍ଟେସନରେ ପହଁଚି ଗାଡ଼ୀରୁ ଅବତରଣ କଲୁଁ । ଏ ଷ୍ଟେସନରୁ ଖଲିକୋଟ ଦୁର୍ଗ ୩ ମାଇଲ ହେବ । ରେଲଓଏ କର୍ମ୍ମଚାରୀ ପ୍ରଭୃତି ଷ୍ଟେସନରେ ରହିଲେ, କିନ୍ତୁ ଆମ୍ଭେମାନେ ଆଜି ଯେପରି ବଡ଼କୂଳ ପର୍ଯ୍ୟନ୍ତ ଚାଲି ଯାଇ ପାରୁ, ଏହା ଭାବି ପଣ୍ଡିଗ୍ରାମକୁ ଅଗ୍ରପରି ହେଲୁଁ । ପଣ୍ଡିତଗ୍ରାମ ଏଠାରୁ ଅର୍ଦ୍ଧମାଇଲ, ସୁତରାଂ ପହଁଚିବାକୁ ପ୍ରାୟ ସନ୍ଧ୍ୟା ହୋଇଥିଲା । ଏପର୍ଯ୍ୟନ୍ତ ଆମ୍ଭେମାନେ ନିଜ ନିଜ ହାତରେ ଜିନିଷଗୁଡ଼ିକ ବହନ କରି ନେଇଥିଲୁଁ, କିନ୍ତୁ ମୋହାର ଗୋଟିଏ ଭୃତ୍ୟ ଏବଂ ପାଚକ, ଉଭୟଙ୍କୁ ବ୍ରହ୍ମପୁରଠାରୁ ଜ୍ୱର ହୋଇଥିବାରୁ, ସେମାନେ ଜିନିଷାଦି ବହିବାକୁ ଅସମର୍ଥ ହେଲେ ।

 

ଦାକ୍ଷିଣାତ୍ୟ ଆଡ଼କୁ ଅଗ୍ରସର ହେଲା ସମୟରେ ପଣ୍ଡିତଗ୍ରାମସ୍ଥ ଚଟିଘର କଥା ଭୁଲି ନାହୁଁ, ବିଶେଷତଃ ସେତେବେଳେ ସଙ୍ଗରେ ଗୋଶକଟ ଥିଲା, ବର୍ତ୍ତମାନ ତାହାର ଏକାନ୍ତ ଅଭାବ । ଏଠାରେ ଶକଟ ମିଳିବାର ମଧ୍ୟ ଆଦୌ ସମ୍ଭାବନା ନାହିଁ, ଏଣେ ଚଟିଘର; ତହିଁରେ ଅବସ୍ଥାନ କରିବାକୁ ମଧ୍ୟ ଆଦୌ ପ୍ରବୃତ୍ତ ହେଉ ନାହିଁ । ଅଗତ୍ୟା ଗୋଟିଏ ଭାରବାହର ଅନୁସନ୍ଧାନରେ ପ୍ରବୃତ୍ତ ହେଲୁଁ । ବାହକ ସୁଲଭ କିନା ? ଏହି ପ୍ରଶ୍ନର ଉତ୍ତରରେ ଗ୍ରାମସ୍ଥ ସମସ୍ତେ ଏକବାକ୍ୟରେ କହିଲେ ‘‘ଆଜିକାଲି ରେଳ ପାଇଟିରେତ ଖୁବ୍‌ମିଳୁଛି, ତମ ସଙ୍ଗେ ଗଲେ କଣ ହବ କି ?’’ ଯେଉଁ ରେଲ ପ୍ରସାଦରୁ ଆମ୍ଭେମାନେ ପ୍ରାୟ କୁମାରିକା ପର୍ଯ୍ୟନ୍ତ ଯାଇ ଏତେ ଅଳ୍ପ ସମୟ ମଧ୍ୟରେ ଫେରି ଆସିଲୁଁ ସେହି ରେଲ ଆଜି ଆମ୍ଭମାନଙ୍କ ପ୍ରତି ବିମୁଖ । ପରିଶେଷରେ ଗୋଟିଏ ଭାରବାହକୁ ଅଧିକ ଦେବାକୁ ସ୍ୱୀକୃତ ହେବାରୁ, ସେ ଆମ୍ଭମାନଙ୍କ ଜିନିଷ ପତ୍ରାଦି ବହନ କରି ସଙ୍ଗେ ସଙ୍ଗେ ଅଗ୍ରସର ହେଲା । ଆମ୍ଭେମାନେ ୪ ଜଣ ଏବଂ ଭାରବାହ ୧ ଜଣ ଏହି ପାଞ୍ଚଜଣ ସନ୍ଧ୍ୟାର ପରକ୍ଷଣରେ ପଣ୍ଡିତଗ୍ରାମ ଛାଡ଼ିଲୁଁ ।

 

ଆଜି ଶୁକ୍ଳପକ୍ଷୀୟ ଚତୁର୍ଥୀ, କିନ୍ତୁ ସମୀରଣ-ସଞ୍ଚାଳିତ-ନିବିଡ଼ ଜଳଦକାଳ, ଚନ୍ଦ୍ରକିରଣର ଏକପ୍ରକାର ଅନ୍ତରାୟ ହୋଇଥିଲା । ଆମ୍ଭମାନଙ୍କ ମଧ୍ୟରୁ ଦୁଇଜଣ ପୀଡ଼ିତ, ସୁତରାଂ ଗମନକାଳୀନ ବଡ଼ କଷ୍ଟରେ ପଡ଼ିଲୁଁ । ଏକ ମାଇଲ ମଧ୍ୟରେ ୩ ।୪ ଥର ବସି ବସି ଚାଲୁଥିଲୁଁ । ରାତ୍ରି ୯ ଘଟିକା ସମୟରେ ଆମ୍ଭେମାନେ ଲାଙ୍ଗେଳଶ୍ୱର ଗ୍ରାମ ପାର ହୋଇ ଏକମାତ୍ର ଈଶ୍ୱରଙ୍କ କରୁଣା ଉପରେ ନିର୍ଭର କରି ଘୋରାରଣ୍ୟ ମଧ୍ୟରେ ଚାଲିଲୁଁ । ଗୋଟିଏ ମାତ୍ର ଲଣ୍ଠନର ଆଲୁଅ, ଏବଂ ସମୟ ସମୟରେ ମେଘମୁକ୍ତ ଜୋସ୍ନା ଆମ୍ଭମାନଙ୍କ ଏକପ୍ରକାର ସହାୟ ହୋଇଥିଲା । ଦସ୍ୟୁଭୟ, ହିଂସ୍ର ଶ୍ୱାପଦାଦିର ଭୟକୁ ମଧ୍ୟ ତୁଚ୍ଛଜ୍ଞାନ କରି ସାହସାବଲମ୍ବନପୂର୍ବକ ଆସୁଁ ଆସୁଁ ଛତ୍ରଗଡ଼ ଘାଟି ନିକଟରେ ରାତ୍ରି ପ୍ରାୟ ୧୦ ଘଟିକା ହୋଇଗଲା । ଏହିଠାରୁ ସ୍ୱଦେଶରେ ପ୍ରବେଶ କରିବାକୁ ହେବ ଭାବି, ହୃଦୟାବେଗରେ ସମସ୍ତେ କରତାଳି ଦେଇଥିଲୁଁ ଏବଂ ଏ ସ୍ଥାନର ୨୩୦ ନମ୍ବରର ସେତୁ (କଟକଠାରୁ ମାନ୍ଦ୍ରାଜର କାଣ୍ଡରଥ୍ୟାରେ ଏପର୍ଯ୍ୟନ୍ତ ୨୩୦ ଗୋଟି ସେତୁ ଅଛି ବୋଲି, ଏଥିରେ ଉକ୍ତ ନମ୍ବର ପ୍ରଦତ୍ତ ହୋଇଅଛି) ଉପରେ କିୟତ୍‌କ୍ଷଣ ବସି ପୁଣି ବାହାରିଲୁଁ । ଆକାଶରେ ମେଘାଡ଼ମ୍ବର ଏବଂ ବିଶାଳ ଭାଲେରିର ନୈଶଦୃଶ୍ୟ ଦେଖୁଁ ଦେଖୁଁ, ଅଦୂରରେ ଚିଲିକାର ଚିରକଲ୍ଲୋଳ ଶୁଣୁ ଶୁଣୁ ଆମ୍ଭେମାନେ କିଛିଦୂର ଆସି ବ୍ୟାଘ୍ରର ଗନ୍ଧ ଅନୁଭବ କଲୁଁ । ନିକଟରେ ବ୍ୟାଘ୍ର ଥିବାରଜାଣି, ପୁନଃପୁନଃ କୁହାଟ ମାରି, ଦ୍ୱିଗୁଣ ସାହସରେ ଶୀଘ୍ର ଶୀଘ୍ର ଚାଲିବାକୁ ପ୍ରବୃତ୍ତ ହେଲୁଁ । ଯାହାହେଉ କୌଣସିରୂପେ ଅନାହାରରେ ୮ ମାଇଲ ପଥ ଚାଲି ରାତ୍ରି ଦ୍ୱିପ୍ରହର ବେଳେ ବଡ଼କୂଳ ସ୍କୁଲଗୃହରେ ପହଁଚିଲୁଁ ।

 

ସ୍କୁଲଗୃହରେ ବାଣପୁରର ସର୍କଲ ଇନ୍ସପେକ୍ଟିଂ ପଣ୍ଡିତ ଶ୍ରୀଯୁକ୍ତ ବାବୁ କୁଞ୍ଜବିହାରୀ ପଟ୍ଟନାୟକ ମହାଶୟ ପୂର୍ବରୁ ଉପସ୍ଥିତ ଥିଲେ । ଏ ମହୋଦୟ ଆହାରରେ ବସିବାକୁ ଉଦ୍ୟତ, ଏହି ସମୟରେ ହଠାତ୍ ମୋତେ ଦେଖି ଉଠି ପଡ଼ିଲେ । ମୁଁ ଏହାଙ୍କ ଔଦାର୍ଯ୍ୟରେ ବିସ୍ମିତ ହୋଇ ପୁନଶ୍ଚ ଆହାର କରିବାକୁ ଅନୁରୋଧ କଲି, ସୁତରାଂ ଆହାର କରୁଁ କରୁଁ ମୋହ ସହିତ କଥା ବାର୍ତ୍ତାରେ ପ୍ରବୃତ୍ତ ହେଲେ । ଏଣେ ଏ ସ୍କୁଲର ପଣ୍ଡିତ ଶ୍ରୀଯୁକ୍ତ ବିଶ୍ୱନାଥ ମିଶ୍ର ମହୋଦୟ ଆହାର ଶେଷ କରି ମୋହ ସହିତ ଯୋଗ ଦେଲେ । ଆଜି କି ଆନନ୍ଦର ଦିନ । ହୃଦୟର ଆନନ୍ଦ-ପ୍ରସ୍ରବଣ ବହିଲା, ମନର ଆବେଗରେ ବନ୍ଧୁଦ୍ୱୟଙ୍କୁ କେତେ କଥା କହି ପକାଇଲି । ଦୀର୍ଘ ଏବଂ ଦୂରପ୍ରବାସ ଉତ୍ତାରୁ ଏପରି ମିଳନ କେଡ଼େ ଆନନ୍ଦଦାୟକ ।

 

ରାତ୍ରି ଦ୍ୱିପ୍ରହର ଅତୀତ ହୋଇଅଛି, ଆମ୍ଭେମାନେ ମଧ୍ୟ ଅତ୍ୟନ୍ତ କ୍ଲାନ୍ତି । ଆଜିର ଦିବସ ଏବଂ ରାତ୍ରି, ଏକପ୍ରକାର ଅନାହାରରେ ଯାଇଅଛି କହିବାକୁ ହେବ । ଏ ଗ୍ରାମରେ ପୁଣି ଏତେବେଳେ ଜଳଖିଆ ମିଳିବ ନାହିଁ । ପାଚକକୁ ଜ୍ୱର ହୋଇଅଛି, ଏବଂ ସେ ବିଶେଷ କ୍ଲାନ୍ତ, ସୁତରାଂ ଅନ୍ନାହାରର ଉପାୟ ନାହିଁ । ସ୍ୱଦେଶରେ ପ୍ରବିଷ୍ଟ ହୋଇ ଆଜି କଷ୍ଟର ବୋଧ ହୁଏ ଚରମସମୟ ଭାବି ଅନାହାରରେ ନିଦ୍ରାକୃଷ୍ଟ ହେଲୁଁ ।

 

୨୬-୮-୯୫-ସୋମବାର-ଆଜି କେଡ଼େ ସୁପ୍ରଭାତ ! ସ୍ୱଦେଶର ସମୀରଣ ସତେ ଯେମନ୍ତ ସୌରଭପୂର୍ଣ୍ଣ ବୋଧ ହେଲା । କୁଞ୍ଜବିହାରୀ ବାବୁ ଏବଂ ବିଶ୍ୱନାଥ ବାବୁ ମୋହ ସଙ୍ଗେ ମିଶି ସୁପ୍ରଭାତର ସାର୍ଥକତା ସମ୍ପାଦନ କଲେ । କ୍ରମଶଃ ପ୍ରାତଃକୃତ୍ୟ ପ୍ରଭୃତିସମାପନ କରି, ସ୍କୁଲ ସମ୍ମୁଖସ୍ଥ ବାରନ୍ଦାରେ ଆସି ବସିଲୁଁ । ବାରନ୍ଦାର ଠିକ୍ ସମ୍ମୁଖରେ ନବାଗତ ରେଲଓଏର ଟେଲିଗ୍ରାଫସ୍ତମ୍ଭ ସହିତ ଭାବୀ ପଥ ଦିଶୁଥାଏ । ଆଉ ଏକମାସ ମଧ୍ୟରେ ପଥଟି ଗାଡ଼ୀ ଯାତାୟାତ କରିବାର ଉପଯୁକ୍ତ ହୋଇଯିବ !

 

ଏହି ଯେ ରେଲ ଆସୁଅଛି, ଏହା କେଡ଼େ ଦାରୁଣ ଜୀବନସଂଗ୍ରାମ ଓଡ଼ିଶାକୁ ଆଣିବ, ଏ ବିଷୟରେ କେତେଜଣର ଚୌତନ୍ୟୋଦୟ ହୋଇଅଛି ? ଉଦ୍ୟୋଗୀ, ପରିଣାମଦର୍ଶୀ ଏବଂ ମିତବ୍ୟୟୀ ବ୍ୟକ୍ତିଙ୍କ ପ୍ରତି ରେଲ ଅବଶ୍ୟ ଅନୁକୂଳ, ମାତ୍ର ଓଡ଼ିଶାରେ କେତଜଣ ଏହି ବିଶେଷଶାର୍ହ ? ଦରିନ୍ଦ୍ର ଅଥଚ ଅଳସ ଉତ୍କଳବାସୀମାନେ ଧନୀ ଅଥଚ ପରିଶ୍ରମୀ ବିଦେଶୀମାନଙ୍କ ସଙ୍ଗେ ପ୍ରତିଯୋଗିତା କରି ପାରିବେ କି ? ଅଳ୍ପଦିନ ଉତ୍ତର ଅନୁଚିନ୍ତା ପନ୍ୟ ସମସ୍ତ ଚିନ୍ତାକୁ ଗ୍ରାସ କରିବ, ଏବଂ ଏମାନେ ଶସ୍ୟପ୍ରସ ଓଡ଼ିଶାରେ ଥାଇ ସୁଦ୍ଧା ‘‘କଳ୍ପଲତା ମୁଳେ ବସି, ଚିର ଉପବାସୀ ’’ ହେବେ ।

 

ଗୋଟିଏ ରେଳଭାଇନ ଅବିକଳ ଗୋଟିଏ ମହାନଦୀ ପରି । ମହାନଦୀ ଯେପରି ସହସ୍ର ଉପନଦୀ, ଦହ, ପୋଖରୀ ଏବଂ କୂପରୁ ସୁଦ୍ଧା ଜଣ ଆକଷର୍ଣ କରି ନିଏ ଏହି ଯେ ରେଲ ଆସୁଅଛି ଏ ଆମ୍ଭମାନଙ୍କ ଦେଶର ପ୍ରତ୍ୟେକ ନଗର, ଗ୍ରାମ ସାହି ଏବଂ ଗୃହରୁ ସୁଦ୍ଧା ଶସ୍ୟ ସେହିପରି ଶୋଷଣ କରି ନେବ । ଯାହା ସର୍ବପ୍ରଧାନ ପ୍ରୟୋଜନୀୟ ଦ୍ରବ୍ୟ, ତାହା ନିଶ୍ଚୟ ଅଧିକତର ଦୁର୍ମ୍ମଲ୍ୟ ହେବ, ଦୁର୍ଭିକ୍ଷର ମାର୍ଗ ରୋଧ କରିବ ସତ୍ୟ,ମାତ୍ର ସେଥି ସଙ୍ଗେ ସଙ୍ଗେ ନିତ୍ୟଦୁର୍ଭିକ୍ଷ ପୋଷି ରଖିବ ।

 

ରଜାଙ୍କର ରେଲପ୍ରସାରଣର ମୂଳଉଦ୍ଦେଶ୍ୟ ସାମରିକ ସୁବିଧା, ଏବଂ ଦ୍ୱିତୀୟ ଉଦ୍ଦେଶ୍ୟ ଇଉରୋପୀୟ ବାଣିଜ୍ୟ ପ୍ରସାର । ଇଉରୋପୀୟ ବାଣିଜ୍ୟ ନ୍ରସାରର ଅପର ନାମ ଦେଶୀୟ ଶିଳ୍ପର ମୃତ୍ୟୁ । ସିମ୍ପୋଲର ଦରଜି, ମାଣିଅବନ୍ଦର ତନ୍ତୀ, ରେବଣା, କଣ୍ଟିଲୋ, ରଥିଜାମା ଏବଂ ଟାଙ୍ଗୀରେ କଂସାର, ନୀଳଗିରିର ପଥୁରିଆ, ଜଳେଶ୍ୱର ବଉଦ, ପ୍ରଭାତିର ତସରବିତ୍ରେତାମାନେ ଅବଧି କିୟତପରିମାଣରେ ଓନିଶାରେ ବିଶେଷତ୍ୱ ସଜୀବ ରଖିଥିଲେ । ମାତ୍ର ଏମାନଙ୍କର ବ୍ୟବସାୟର ପାରମାୟୁ ଅବସାନ ପ୍ରାୟ ।

 

ବାକି କେବଳ ଉତ୍କଳବାସିଙ୍କ ହସ୍ତରେ ଭୁମି ଏବଂ ଲଙ୍ଗଳ ରହିବ, ମାତ୍ର ଏଥିରେ ସୁଦ୍ଧା ସନ୍ଦେହ । ଓଡ଼ିଶାର ଜମିଦାର-ରୂପ-ବୃକ୍ଷ, ୠଣ-କୀଟଦ୍ୱାରା ଫମ୍ପା ହୋଇ ରହିଥିଲା, ବନ୍ଦୋବସ୍ତ-କୁଠାର ସେହି ବୃକ୍ଷ ଭୁମିସାତ୍ତ କରିବ । ପ୍ରଚ୍ଚାମାନେ ଯେ ଏହି ବନ୍ଦୋବସ୍ତ-ଦ୍ୱାରା ଉପକୃତ ହେବେ, ତାହା ମଧ୍ୟ ନୁହେ । କି ଜମିଦାର, କି ପ୍ରଜା, ସମସ୍ତଙ୍କର ଅବସ୍ଥା ଦରିଦଅରୁ ଦରିଦ୍ରତର ହେବ । ଏଣେ ବିଦେଶୀୟ ଧନିମାନେ ରେଲପ୍ରସାଦରୁ ଓଡ଼ିଶାକୁ ପଲପଲ ହୋଇ ଆସି ଭୁମି କିଣିବେ, ଏବଂ ସ୍ଥାନେ ସ୍ଥାନେ କୃଷି, ବାଣିଜ୍ୟ ଏବଂ କୁସୀଦର ଫାରମ୍‌ମାନ ସ୍ଥାପନ କରିବେ ।

 

ଏପରି ଗୁରୁତର ବିଷୟରେ ମୋପରି ସାମନ୍ୟ ଲୋକର ବାଗ୍ବ୍ୟୟ କରିବାର ଶୋଭନୀୟ ନୁହେ । ଅର୍ଥତତ୍ତ୍ୱବିତ୍‌ମାନଙ୍କର ଏଥିରେ ଅଧିକାର । ଅଦାବେପାରିର ଜାହାଜର ଖବର ନେଇ କଅଣ ହେବ ? ମୁ କେବଳ ମୋହର ବିଡ଼ିଥିବା କଥା ଅର୍ଥାତ ରେଲମାର୍ଗରେ ଭ୍ରମଣର ସୁବିଧା ଅସୁବିଧା ସମ୍ୱନ୍ଧରେ ପଦେ ଅଧେ କହୁଅଛି ।

 

୧ । ପ୍ରତ୍ୟେକ ରେଲପଥିକର ଜାଣିବାର ଆବଶ୍ୟକ ଯେ ପ୍ରତ୍ୟେକ ରେଲଓଏ ଷ୍ଟେସନ ଗୋଟିଏ ଗୋଟିଏ ମୁନିସିପାଲିଟୀ । ସୁତରାଂ ଷ୍ଟେସନମାନଙ୍କରେ ଆବର୍ଜ୍ଜନାଦି ନିକ୍ଷେପ ବିଷୟରେ ସମସ୍ତଙ୍କର ସାବଧାନ ହେବାର ଉଚିତ ।

 

୨ । ରେଲଓଏ ଭ୍ରମଣରେ ଆମ୍ଭମାନଙ୍କର ପ୍ରାଚୀନ ଜାଉଳି କିମ୍ୱାକୋକଚ ବାନ୍ଧ ଅଷ୍ଟବତ୍ର ହୋଇ ବାହାରିଲେ ମହା ଅସୁବିଧାରେ ପଡ଼ିବାକୁ ହେବ । ୩ୟ ଶେଣୀର ଯାତ୍ରୀ ଅଧିକ । ୩ୟ ଶେଣୀରେ ପ୍ରତ୍ୟେକ ଯାତ୍ରିକ ୧୫ ସେର ଓଜନର ଦ୍ରବ୍ୟ ସଙ୍ଗେ ନେବାର ଅଧିକାର ଅଛି । ତାହା ପୁଣି କଟକୀ ସେରର ଓଜନ ନୁହେ, ବାଲେଶ୍ୱରୀ ସେରର । ସମସ୍ତ ପଦାର୍ଥ ଗୋଟିଏ ବେଗରେ (Bag) ପଚାର ନେଲେ ଯେପରି ସୁବିଧା ହେବ, ଅନ୍ୟ କୌଣସି ଉପାୟରେ ତାହା ହେବ ନାହିଁ ।

 

୩ । ଦୂରପ୍ରବାସକୁ ବାହାରିଲେ ସଙ୍ଗରେ ଯେତେ କମ ଦ୍ରବ୍ୟ ତାଏ, ତେତେ ଭଳ । ନିଜେ ଏବଂ ସହଚର ଭୃତ୍ୟମାନେ ଯାହା ବହିପାରିବେ ସେତିକିରେ ଆବଦ୍ଧ ରହିବାର ବାଞ୍ଛନୀୟ । ମାଲଗରଡ଼ୀରେ (Luggage Van) ଦ୍ରବ୍ୟ ଦେଇ ପୁଣି ସେଥିରୁ ନିରାପଦରେ ତାହା ପାଇବାର ବଡ଼ ସହଜସାଧ୍ୟ ନୁହେ ।

 

୪ । ରେଲଓଏ ଭ୍ରମଣରେ କେତେଗୁଡିଏ ଅତ୍ୟାବଶ୍ୟକ ଔଷଧ ସଙ୍କଦା ସଙ୍ଗରେ ଥିବା ଉଚିତ ।

 

୫ । ରେଲଓଏ ଯାତ୍ରିର ଗୋଟିଏ ଘଡ଼ି, ଗୋଟିଏ କ୍ଷୁଦ୍ର କୋମ୍ପାସ (ଦିଗବାରଣଯନ୍ତ୍ର), ଗୋଟିଏ ଦୂରବୀକ୍ଷଣ, ନିତାନ୍ତ ଆବଶ୍ୟକ । ସମୟ ଜାଣିବାର, ଦିଗ କଳିବାର, ଏବଂ ଦୂରସ୍ଥିତ ପଦାର୍ଥ ଦେଖିବା ସକାଶ ଏମାନଙ୍କର ଲୋଡ଼ା । ଏହା ଉପରେ ଗୋଟିଏ Barometer ଥିଲେ ଆହୁରି ଭଲ ।

 

୬ । ବର୍ତ୍ତମାନ ଭିନ୍ନ,ସ୍ଥାନର ଏବଂ ପ୍ରଧାନ, ରେଳମାର୍ଗର ଅନେକ Guide books (ପ୍ରଦର୍ଶକପୁସ୍ତକ) ପ୍ରକାଶିତ ହୋଇଅଛି । ବାହାରିବା ପୁଙ୍କରୁ କିମ୍ୱା ପ୍ରବାସର ଭିନ୍ନ, ସ୍ଥଳମାନଙ୍କରେ ସେଗୁଡ଼ିକ ସଂଗ୍ରହ କରି ରଖିବାର ଆବଶ୍ୟକ । ବିଶେଷତଃ Newman & ICo ଙ୍କ Indian Bradshaw ସଂଗ୍ରହ କରିବାର ସଚ୍ଚାଂଦୌ ବାଞ୍ଚନୀୟ । ଏଥିରେ ସମସ୍ତ ଭାରତବର୍ଷର ସମସ୍ତ ରେଲର ବିବରଣ ଏବଂ ଭାରତ ବର୍ଷର ଖଣ୍ଡିଏ ସୁନ୍ଦର ମାନଚିତ ମଧ୍ୟ ଅଛି । ଏହା ବ୍ୟତୀତ ରେଲଓଏ ଷ୍ଟେସନମାନଙ୍କୁ ସ୍ଥାନୀୟ Railway guide ମଧ୍ୟ ସଂଗ୍ରହ କରିବାର ଉଚିତ । ଏହି ପୁସ୍ତକମାନଙ୍କ ଅଭାବରୁ ଅନେକ ଯାତ୍ରୀ ଅଜ୍ଞତାବଶତଃ ଅଚ୍ଚିନିକଟବର୍ତ୍ତୀ ଦ୍ରଷ୍ଟବ୍ୟସ୍ଥାନମାନ ନ ଦେଖି ଚାଲି ଯାଆନ୍ତି ।

 

୭ । ରେଳଗାଡ଼ି, ଷ୍ଟେସନରେ ପହଚି ସ୍ଥିର ନ ହେବା ପର୍ଯ୍ୟନ୍ତ ସେଥିରୁ ଓହ୍ଲାଇବାର ନିରାପଦ ନୁହେ । ଯେଉଁ ମୂଖରେ ଗାଡ଼ୀ ଯାଉଥାଏ, ସାହି ଦିଗରୁ ଅନେକ ସମୟରେ କୋଇଲାର କଣା ଅତି ତୀବ୍ରବେଗରେ ପଛ ଆଡ଼କୁ ଉଡ଼ି ଆସେ । ତେଣୁ ରେଲରେ ବସି ରେଲଗବାକ୍ଷରୁ ମୂଖ ବାହାର କରି ସମ୍ମୁଖ ଆଡ଼କୁ ଅନାଇବାର ମଧ୍ୟ ନିରାପଦ ନୁହେ । ଏହି ଅସାବଧାନତା ହେତୁରୁ ଲୋକଙ୍କୁ କେତେବେଳେ ଦାରୁଣ ଚକ୍ଷୁଃପୀଡ଼ା ଭୋଗ କରିବାକୁ ପଡ଼େ ।

 

୮ । ଦାକ୍ଷିଣାତ୍ୟ ଭ୍ରମଣରେ ଉତ୍କଳୀୟ ଯାତ୍ରିଙ୍କୁ ଗୋଟିଏ ବିଷୟରେ ବିଶେଷ ଅସୁବିଧା ଭୋଗ କରିବାକୁ ପଡ଼େ । ଓଡ଼ିଶାର ଜଳଖିଆ ଆର୍ଯ୍ୟାବର୍ତ୍ତପ୍ରଚଳିତ ଜଳଖିଆର ଅନୁରୂପ । ଦାକ୍ଷିଣାତ୍ୟରେ ଏପରି ଜଳଖିଆ ସୁଲଭ ନୁହେ । ଏ ସମ୍ୱନ୍ଧରେ ପୂର୍ବରୁ ସୁବନ୍ଦୋବସ୍ତ କରି ନ ରଖିଲେ ଅପଥ୍ୟାହାର କିମ୍ୱା ଅନାହାର ଅପରିହାର୍ଯ୍ୟ ।

 

ଆଜି ଦିନଟି କେବଳ ନାନାରୂପ ଗଳ୍ପରେ କଟିଗଲା । ମୋହର ଭୃତ୍ୟ ଏବଂ ପାଚକର ଜ୍ୱର ଇତିମଧ୍ୟରେ ବୃନ୍ଧିଲଭିଥିଲା, କିନ୍ତୁ ସନ୍ଧ୍ୟା ସମୟରେ କିଛି କମିବାକୁ ଆରମ୍ବ ହେଲା । ଏମାନଙ୍କ ସକାଶ ଗୋଟିଏ ଗୋଶକଟର ପ୍ରୟୋଜନ ହେବାରୁ କୁଞ୍ଜବିହାରୀ ବାବୁଙ୍କ ମହିଲି । ସେ ଅନୁଗ୍ରହ କରି ଅଣାଇ ଦେବାକୁ ସ୍ୱୀକୃତ ହେଲେ, ଏବଂ ଆମ୍ୱମାନଙ୍କ ସଙ୍ଗରେ ଜଙ୍କିଆ ପର୍ଯ୍ୟନ୍ତ ଯିବେ ବୋଲି ଅଭିମତ ପ୍ରକାଶ କରିବାକୁ ନିତାନ୍ତ ଅପ୍ୟାୟିତ ହେଲି ।

 

୨୭-୮–୯୫–ମଙ୍ଗଳବାର–ପ୍ରତ୍ୟୁକ୍ଷରେ ଚିଲିକା ଆଡ଼କୁ ଯାଇ ଚିଲିକାର ସୁର୍ଯ୍ୟାଦୟ ଦେଖିଲି । ସମୁଦ୍ର ଏବଂ ଚିଲିକାରେ ସୁର୍ଯ୍ୟଦୟ ଦାଖିବା ମୋହ ଭାଗ୍ୟରେ ଅବଶ୍ୟ କେତେଥା ଘଟିଥିଲେହେଁ, ପ୍ରତିଥରରହିଁ ନୂତନ । ଏପରି ଦୃଶ୍ୟମାଧୁରୀ ସନ୍ଦର୍ଶନରେ ବାସ୍ତବିକ ଜୀବନ ସାର୍ଥକ ହୋଇଥାଏ । ମୋହ ମତରେ ଯେ ସମୁଦ୍ରରେ ସୂର୍ଯ୍ୟଦୟ ଦେଖି ନାହିଁ, ତାହାର ଦୟନଯୁଗଳ ଗୋଟିଏ ପ୍ରଧାନ ଦର୍ଶନୀୟ ବସ୍ତୁରୁ ବଞ୍ଚିତ ।

 

ପୂର୍ବାହ୍ନ ପ୍ରାୟ ଘ ୭ ଟିକା ସମୟରେ କୁଞ୍ଜବିହାରୀ ବାବୁ ମୋହ-ଠାରୁ ବିଦାୟ ଗ୍ରହଣ କରି ବାଳୁଗାଁ ଗଲେ । ଝୁଲପରିଦର୍ଶନହିଁ ଅଭିପ୍ରାୟ ମୂ ଅଚ୍ଚି ଆହାରାନ୍ତେ ବାହାରିବି, ସୁତରାଂ ସେ ବାଲୁଗାଁ ସ୍କୁଲରେ ଅପେକ୍ଷା କରୁଥିବେ ବୋଲି କହିଗଲେ ।

 

ପୂର୍ବାହ୍ନ ଘ ୧୦ ଟିକା ଉତ୍ତରୁ ଆମ୍ୱେମାନେ ବାହାରିଲୁଁ । ବାଳୁଗାଁ ଏଠାରୁ ୨ ମାଇଲ ବାଟ, ସୁତରାଂ ପହଚିବାକୁ ପେଶି ସମୟ ଲାଗି ନ ଥିଲା । ସ୍କୁଲଗୃହରେ ପ୍ରାୟ ଏକ ଘଣ୍ଟା ବିଶ୍ରାମ ନେଇ କୁଞ୍ଜବିହାରୀ ବାବୁଙ୍କ ସହିତ ପୁନଶ୍ଚ ଯାତ୍ରା କଲୁଁ । ଅପରାହ୍ନ ଘ ୩ ଟିକା ସମ୍ରରେ କଂସାରୀ ନଦୀ ନିକଟରେ ପହଚଁଲୁ ।

 

ବର୍ଷାପ୍ରଭାବରେ ଜଳାଧିକ୍ୟବଶରୁ ନଦୀକ ନୌକାଯୋଗେ ଉତ୍ତୀର୍ଣ୍ଣ ହେଲୁଁ । ମୋହର ଚାଲିବାର ବେଶି ଅଭ୍ୟାସ ଥିବାରୁ ଗାଡ଼ୀରେ ଅଧିକକ୍ଷଣ ବସି ପାରିଲି ନାହିଁ, ଗାଡ଼ୀକୁ ଆଗକୁ ବିଦାୟ କରି ଦେଇ, ଗୋଟିଏ ମାତ୍ର ଭୃତ୍ୟସହିତ ଚାଲିଲି । କାର୍ଯ୍ୟବଶତଃ କୌଣସି ସ୍ଥାନରେ କିଛି ବିଳମ୍ୱ ହୋଇଯିବାରୁ ଗାଡ଼ୀ ଅନେକଦୂର ଅଗ୍ରବର୍ତ୍ତୀ ହୋଇଗଲା, ଏଣେ ପୁଣି ସୋଲରୀ ଶିଖରରେ ଭୀଷଣ ମେଘୋଦୟ । ଅଳ୍ପପଥ ଅତିତ୍ରମ କରିବା ଉତ୍ତରୁ ବିଜ୍ର-ବିଦ୍ୟୁତ୍‌, ଏବଂ ବୁଷ୍ଟିର ତୁମ୍ୱଳ ଯୁଦ୍ଧ ଆରମ୍ୱ ହେଲା, ଏବଂ ଆଶ୍ରୟଭାବରେ ଭୃତ୍ୟ ସହିତ ସେମହି ବୃଷ୍ଟି ଏବଂ ପବନ ମୋତେ ସହ୍ୟ କରିବାକୁ ହେଲା । ନିକଟରେ କେହି ନାହିଁ, ଅଦୂରରେ ହିଂସ୍ରଜନ୍ତୁର ଭୟ ମନକୁ ଆକୁଳ କରୁଥିଲା । କିନ୍ତୁ ବୃଷ୍ଟି ଛାଡ଼ିଲା ନାହିଁ,ବରଂ ତାହାର ପ୍ରଭାବ ତ୍ରମଶ ଦ୍ୱଗୁଣିତ ହେଲା, ବଜ୍ରର ଗମ୍ୱୀରଗର୍ଜ୍ଜନରେ ସୋଲେରିର କନ୍ଦରମାନ ସମୁଚିତ ପ୍ରତ୍ୱୁତ୍ତର ଦେଉଥିଲେ । ଅବଶେଷରେ ଦ୍ରୁତଗମନରେ ଯିବାରୁ ଗାଡ଼ୀର ନିକଟବର୍ତ୍ତୀ ହେଲୁଁ, କିନ୍ତୁ ଆଦ୍ରର୍ବସ୍ତ୍ର ପରିହିତ ହୋଇଥିବାରୁ ଗାନୀରେ ବସି ନ ପାରି ଗାଡ଼ୀରେ ସଙ୍ଗେ, ମୃଦୁପଦବିକ୍ଷେପରେ ଚାଲିଲୁ । ଠିକ୍‌ସନ୍ଧ୍ୟା ସମୟରେ ସମସ୍ତେ ସୁନାଖଳା ସ୍କୁଲରେ ଉପସ୍ଥିତ ।

 

ଆର୍ଦ୍ରବସ୍ତ୍ର ପରିତ୍ୟାଗ କରି କିଞ୍ଚିତ୍‌ସୁସ୍ଥ ହେଲି । ମୋହର ସମସ୍ତ ଜୀବନରେ ଏପରି ବୃଷ୍ଟି କେବେହେଁ ସହ୍ୟ କରି ନ ଥିଲି, ସୁତରାଂ ନିତାନ୍ତ କାତର ହୋଇ ପଡ଼ିଲି ।

 

ଏ ସ୍କୁଲରେ ପଣ୍ଡିତ ଶ୍ରୀ ସତ୍ୟବାଦୀ ଦାସଙ୍କ ଆମ୍ୱେମାନେ ଆଜି ଅତିଥି ହୋଇ ରହିଲୁ । ଏହାଙ୍କର ସାଧୁଜନୋଚିତ ବ୍ୟବହାରଦ୍ୱାରା ସମସ୍ତ ରାତି ଆମ୍ୱମାନଙ୍କ ପକ୍ଷରେ ଆତି ଆନନ୍ଦପ୍ରଦ ହୋଇଥିଲା ।

 

୨୮-୮-୯୫ ବୁଧବାର–ଅତି ପ୍ରତ୍ୟୁକ୍ଷରେ ସମସ୍ତେ ଅଗ୍ରସର ହେଲୁଁ । ପଥର ଅଧିକାଂଶ ସ୍ଥଳରେ ଭଜ୍ଜୁକର ବିଶେଷ ଦୌରାତ୍ୟ ବୋଲି ଶୁଣିଲି । ଗତବର୍ଷ ଏହି ସବୁ ଅଞ୍ଚଳରେ ପ୍ରାୟ ୮ ।୯ ଜଣ, ଭଲ୍ଲୁକ କର୍ତ୍ତୁକ ବିନଷ୍ଟ ହୋଇଅଛନ୍ତି ।

 

ପୂର୍ବାହ୍ନ ଘ ୧୧ଟିକା ସମୟରେ ଆମ୍ଭେମାନେ ଟାଙ୍ଗୀ ଗ୍ରାମରେ ଉପସ୍ଥିତ ହୋଇ ତଢ଼ତ୍ୟ ବାଳିକାସ୍କୁଲରେ ରହିଲୁଁ । ଟାଙ୍ଗୀ ଗୋଟିଏ ଖୋର୍ଦ୍ଧା ସବ୍‌ଡ଼ିଭିଜନ୍‌ମଧ୍ୟରେ ବୃହତ୍‌ଗ୍ରାମ, ଏବଂ ଏହା ସଡ଼କର ଏକମାଇଲ ପୁର୍ବରେ ଅବସ୍ଥିତ । ଗ୍ରାମରେ ଅନେକ ଧନୀ ଏବଂ ମହାଜନମାନେ ଥିଲେହେଁ, ଗ୍ରାମର ଅବସ୍ଥିା ନିତାନ୍ତ ଶୋଜନୀୟ । ଏପରି ଅପରିଷ୍କୃତ ଗ୍ରାମ ଖୋରଧା ସବ୍ଡ଼ିଭିଜନ୍ ମଧ୍ୟ୍ୟରେ କ୍ୱଚିତ୍ର ଦୃଷ୍ଟ ହୁଏ । ସ୍କୁଲର ଅବସ୍ଥା ମଧ୍ୟ୍ୟ ଇଦ୍ରୁପ । ପର ବରାକାର ଏବଂ ମହାଜନମାନେ ଏ ବିଷୟରେ ଏଡ଼େ ଉଦାସୀନ କାହିକି ?

 

ଏ ସ୍ଥାନରୁ କଟକକୁ ଅନେକ ଲବଣ ରପ୍ତାନି ହୋଇଥାଏ । ଏଠାରୁ ଚିଲିକା ଅତି ନିକଟ, ପ୍ରତ୍ୟହ ଲବଣ ହୋଇ କଟକ ଯାଉଅଛି । ଲବଣବ୍ୟବସାୟିଙ୍କ ସଂଖ୍ୟା ଏଠାରେ ଅଧିକ ବୋଧ ହେଲା ।

 

ଆହାର କରି ବିଶ୍ରାମାନନ୍ତର ଏଠାରୁ ଚାନ୍ଦପୁର ସ୍କୁଲକୁ ଉଠି ଯାଇ ସେହିଠାରେ ରାତ୍ରିଯାପନର ପ୍ରସ୍ତାବ କଲି । ଚାନ୍ଦପୁର ରଣପୁର ରାଜ୍ୟର ଅନ୍ତର୍ଗତ ହେଲେହେଁ, ଏଠାରୁ ଏକ ମାଇଲ ଦୂର–ବର୍ତ୍ତୀ ଏବଂ ସଡ଼କର ଅତି ନିକଟରେ ଅବସ୍ଥିତ । ଅପରାହ୍ନ ଘ୪ଟିକା ରେ ବାହାରି ଅଳ୍ପ ସମୟ ମଧ୍ୟ୍ୟରେ ସେଠାରେ ଉପନୀତ ହେଲୁଁ ।

 

ଏ ସ୍କୁଲର ସୁଯୋଗ୍ୟ ଶିକ୍ଷକ ଶ୍ରୀଯୁକ୍ତ ବାବୁ ଉଦୟନାରାୟଣ ରାୟ ମହୋଦୟ ଆମ୍ଭମାନଙ୍କୁ ବିଶେଷ ଅଭ୍ୟର୍ଥନା କରି ସାଦରେ ସ୍ଥାନଦାନ କଲେ । ସେ କୁଞ୍ଜବିହାରୀ ବାବୁ ଏବଂ ମୁ ତିନିହେଁ ସ୍କୁଲବାରନ୍ଦାରେ ବସି ନାନା ଗଳ୍ପରେ ପ୍ରବୃତ୍ତ ହେଲୁଁ । ସ୍ଥାନଟିର ଦୃଶ୍ୟରେ ମୁଗ୍ଧ ହୋଇଗଲୁଁ । ସମ୍ମୁଖରେ ବିସ୍ତୀର୍ଣ୍ଣ ପ୍ରାନ୍ତରର ଅପର–ପାର୍ଶ୍ୱସ୍ଥିତ ଅରଣ୍ୟ ମଧ୍ୟ୍ୟରୁ ‘‘ଭାଲୁଖିଆ ମୁଣ୍ତିଆ’’ ଫୁଟି ଦିଶୁଥାଏ । ଏ ପର୍ବତଟି ଯଥାର୍ଥନାମା ଅଟେ । ଏହାର ବୃହତ ବୃହତ ଶିଳାଗୁଡ଼ିକ ପ୍ରାୟ ସର୍ବଦା ଭଲ୍ଲୁକ-ଖଟ୍ଟ୍ୱାୟିତ । ଏହି ସ୍କୁଲର ଚତୁଷ୍ପାର୍ଶ୍ୱରେ ନିଶୀଥରେ ଅନେକ ଭଲ୍ଲୁକ ବିଚରଶ କରଚ୍ତି । ନାସିକାର ମାୟା ପରିତ୍ୟାଗ କରି ଏମାନଙ୍କ ସହିତ ପରିଚିତ ହେବା ସକାଶ ଆମ୍ଭେମାନେ ବିଶେଷ ଅଗ୍ରହାନ୍ୱିତ ନ ଥିଲେୁଁ । ରାତ୍ରି ଅଧିକ ହୋବାରୁ ଶୀଘ୍ର୨ ଆହାର କରି ନିଦ୍ରିତ ହେଲୁଁ ।

 

୨୯-୮-୯ଟି-ବୃହପ୍ପତିବାର–ପ୍ରାତଃନୃତ୍ୟ ଶେଷ କରି, ଏବଂ ଉଦୟନାରାୟଶ ବାବୁଙ୍କଠାରୁ ବିଦାୟ ଗ୍ରହଣ କରି, ସୁଯ୍ୟୋଦୟ ପୂର୍ବରୁ ବାହାରିଲୁଁ । କୁଞ୍ଜବିହାରୀ ବାବୁ ଏବଂ ମୁ ଗଳ୍ପ କରୁଁ ୨ ପ୍ରାୟ ୪ ମାଇଲ ବାଟ ଚାଲିଲୁଁ । ଏମହାଶୟ ଅତ୍ୟନ୍ତ ମିଷ୍ଟାଳାପୀ । ନାନା ଗଳ୍ପରେ ହାସ୍ୟ ପରିହାସ ଲାଗିଥିଲା ପୂର୍ବାହ୍ନ ଘ ୮ ଟିକା ବେଳେ ପ୍ରଖର ରୌଦ୍ରବଶତଃ କ୍ଲାନ୍ତି ହେବାରୁ ଗାଡୀରେ ନିଦ୍ରିତ ହୋଇ ପଡ଼ିଲି ।

 

ନିଦ୍ରାଭଙ୍ଗ ହେଲା ସମୟେ ଆମ୍ଭେମାନେ ମନ୍ଦାକିନୀ ନଦୀ ନିକଟରେ ଉପସ୍ଥିତଁ ହେଲୁଁ । ନଦୀରେ ପାଣି ନାହିଁ, ସୁତରାଂ ଅକ୍ଲେଶରେ ପାର ହେଲୁଁ । ଜଳ ନିର୍ମ୍ମଳ ଦେଖି ମୋହର ଦ୍ୱିତୀୟ ସ୍ନାନ ସମାପନରେ ତ୍ରୁଟି କଲି ନାହିଁ । ଅଳ୍ପଜଳରେ ଏପରି ସ୍ରୋତ ହୋଇ-ଥିଲା ଯେ ମୋତେ ପ୍ରାୟ ୩ ।୪ ହାତ ଭସାଇ ନେଇଥିଲା ।

 

ପୂର୍ବାହ୍ନ ପ୍ରାୟ ଘ ୧୧ ଟିକାରେ ଆମ୍ଭମାନେ ଜଙ୍କିଆ ଜଟିରେ ପହଁଚି ପୋଷ୍ଟ ଅପିସରେ ଆଶ୍ରୟ ନେଲୁଁ । ଖୋରଧାର ସ୍କୁଲ ସବ୍‌ଇନ୍‌ସ୍ପକ୍ଟର ମୋହର ପରମସୁହୁଦ୍‌ମଧୁବାବୁଙ୍କ ସୁବନ୍ଦୋବସ୍ତରୁ ଇନ୍‌ସ୍ପେକ୍ଟର ପଣ୍ତିତ ଶ୍ରଦ୍ଧାସ୍ପଦ ଶ୍ରୀୟକ୍ତ ବାବୁ କୁଳମଶି ମହାପାତ୍ରଙ୍କୁ ଦେଖିଲି । ଏଠାରୁ ଏ ମହୋଦୟ ମୋହ ସଙ୍ଗେ ଖୋରଧା ପଯ୍ୟନ୍ତ ଯିବେ, ଏବଂ କୁଞ୍ଜବିହାରା ବାବୁ ଏଠାରୁ ବିଦାୟ ନେବେ ।

 

ଭୋଜନ ପ୍ରଭୃତି ଶେଷ କରି କୁଞ୍ଜବିହାରୀ ବାବୁଙ୍କଠାରୁ ବିଦାୟ ଗ୍ରହଣ କଲି । ତିନିଦିନର ଏକତ୍ର ସହବାସ ଏଡ଼େ ମଧୁର ବୋଧ ହୋଇଥିଲା ଯେ ଛାଡ଼ି ଆସିବାକୁ ବଡ଼ କଷ୍ଟ ବୋଧ ହେଲା । ପ୍ରାୟ ଅପରାହ୍ନ ଘ ୨ ଟିକା ସମୟରେ ଆମ୍ଭେମାନେ କୁଳମଣି ବାବୁଙ୍କ ସହିତ ପୁଖର ପୁନଶ୍ଚ ବାହାରିଲୁଁ ।

 

ପ୍ରଖର ରୌଦ୍ର ହେତୁରୁ ଗାଡ଼ୀ ମଧ୍ୟ୍ୟରେ ନିଦ୍ରକୃଷ୍ଟ ହେଲି । ଗାଡ଼ୀ ଅନବରତ ଚାଲି ୨ ‘‘କାଉଗାଧିଆ ବେଳେ ‘‘ ଅମଣିଆ ଆମ୍ର–ଉଦ୍ୟାନ ନିକଟରେ ପହଁଚିଲା । ଏଠାରେ କେତେକ କ୍ଷଣ ଗାଡ଼ୀ ସ୍ଥଗିତ କରି କାକସ୍ନାନ ଦେଖିଲି । ସାଧାରଣର ବିଶ୍ୱାସ ଏହି ଯେ ବକ୍ଷିମାନ ଦିନଯାକ ନାନାବିଧ ଅମେଧ୍ୟ ଭୋଜନ କରି ଏହି ସମୟରେ ସ୍ନାନ କରନ୍ତି ଏବଂ ସ୍ନାନନ୍ତେ ଆଉ କିଛି ଆହାର ନ କରି ଶୁଚିମହିତ ନିଜ ନିଜ ନୀଡ଼ାଭୁମୁଖରେ ପ୍ରସ୍ଥାନ କରନ୍ତି । ବିଶ୍ୱାସ କଲ୍ପନା-ପ୍ରସୁତ ପରି ବୋଧ ହେଉଅଛି । ପକ୍ଷିମାନଙ୍କର ସ୍ନାନ ଦେଖି କୌଣସି ନିଷ୍ଠପରାୟଣ ବ୍ୟକ୍ତି ଅବଶିଷ୍ଟ କଥାଗୁଡ଼ିକ ସମ୍ଭବତଃ ନିଜ ମନରୁ ଉଭାବନ କରିଥିବେ ।

 

କ୍ରମଶଃ ଆମ୍ଭେମାନେ କୁଠାରମଲ୍ଲ ଗ୍ରାମ ଛାଡ଼ିଲୁଁ । ଏହିଠାରୁ ମୁକୁଳମଣି ବାବୁଙ୍କ ସହିତ ପଦବ୍ରଜରେ ଚାଲିଲି । ଉଭୟଙ୍କ ମଧ୍ୟ୍ୟରେ ନାନା ପ୍ରସଙ୍ଗ ପଡ଼ିଲା,–ଏହାଙ୍କ ସାରଲ୍ୟ ବାସ୍ତବ ପ୍ରଶଂସନୀୟ । କେତକୀଝର ନିକଟରେ ସନ୍ଦ୍ୟା ହେଲା, ସୁତରାଂ ଖୋରଧାରେ ପହଁଚିବାବୁ ରାତି ଘ ୭ ଟିକା । ଆମ୍ଭେମାନଙ୍ଗୁ ସ୍କୁଲରେ ଛାଡ଼ି କୁଳମଣି ବାବୁ ବସାକୁ ଫେରି ଗଲେ ।

 

ଖଣ୍ତିଏ ପୁସ୍ତକ ପାଠ କରୁଅଛି, ଏହି ସମୟେ ମୋହର ଅଜ୍ଞା ତାସରେ ସ୍କୁଲ ସବ୍‌ଇନ୍‌ସ୍ପକ୍ଟର ମଧୁବାବୁ ମୋହର ପଶ୍ଚାଦ୍ଦିଗରେ ଆସି ଉପସ୍ଥିତ । ହଠାତ ତାହାଙ୍କୁ ଏପରି ଅବସ୍ଥାରେ ଦେଖି ଚକିତ ପ୍ରାୟ ହୋଇ ଗଲି । ପୁର୍ବରୁ ଶୁଣିଥିଲି ସେ ଗସ୍ତରେ ଯାଇଅଛିନ୍ତି, ସୁତରାଂ ଏପରି ଅବସ୍ଥାରେ ଦେଖିଲେ ମନରେ ହଠାତ୍ ବିସ୍ମୟ ଉପସ୍ଥିତ ହେବାର ବିଚିତ୍ର ନୁହେ । ପ୍ରଥମମିଳନ ଅତିଶୟ ପ୍ରୀତିକର ହୋଇଥୁଲା । ପ୍ରାୟ ତିନିଘଣ୍ଟା କାଳ ନାନା ବିଷୟର ଗଲ୍ପ ହେଲା । ଏ ମହୋଦୟଙ୍କ ଔଦାର୍ଯ୍ୟରେ ସମସ୍ତେ ପ୍ରୀତ ହେବେ ସନ୍ଦେହ ନାହିଁ । ସୁଶୀଳତା ଏବଂ ସାଧୁତା ଏହାଙ୍କର ମୁଖମଣ୍ତଳରେ ମୁଦ୍ରିତ । ପ୍ରଥମ ଦର୍ଶନମାତ୍ରେ ଏହାଙ୍କ ପ୍ରତି ଲୋକଙ୍କର ବିଶ୍ୱାସ ଆକୃଷ୍ଟ ହେବ । ରାତ୍ରି ଅଧିକ ହେବାରୁ ମଧୁବାବୁ ବସାକୁ ଗଲେ ।

 

୩୦୮-୯୫ ଶୁକ୍ରବାର-ଆଜି ଖୋରଧାରେ ଅବସ୍ଥାନ । ସ୍କୁଲର ଶିକ୍ଷକଗଣ, ସବଡିଭିଜନେଲ୍ ଅଫିସର କ୍ଲାର୍କ ଶ୍ରୀଯୁକ୍ତ ବାବୁ ବାୟୀ ଧରା ରାୟ, ଏବଂ ଫରେଷ୍ଟ ଅପିସର କ୍ଲାର୍କ ଶ୍ରୀଯୁକ୍ତ ବାବୁ ନଟବର ଦାସ ପ୍ରଭାତିଙ୍କ ସହିତ ପରିଚିତ ହେଲ । ଅଳ୍ପ ପରିଚୟରେ ମୋହୋ ପ୍ରତି ଅଶାଖତ ସୌଜନ୍ୟ ପ୍ରଦର୍ଶନ କରି ଏମାନେ ମୋହର ଧନ୍ୟବାଦାର୍ହ ହୋଇଅଛନ୍ତି ।

 

୩୧-୮-୯ଟି–ଶନିବାର-ସମସ୍ତ ଦିବସଟି ସ୍କୁଲଗୃହରେ ବ୍ୟୟକରି ଅରାହ୍ନ ଘ୫ଟିକା ସମୟରେ ବଉଦ ରାଜ୍ୟର ଦେବାନ ଶ୍ରୀଯୁକ୍ତ ବାବୁ ମଧୁସୁଦନ ରାଉତରାୟଙ୍କ ବାସଭୂମି ଗୁରୁଜଙ୍ଗ ଗ୍ରାମକୁ ଗଲି । ବିଗତବର୍ଷରେ ଦକ୍ଷିଣମହାନଦୀ ଗଡ଼ଜାତ ପରିଭ୍ରମଣ ସମୟରେ ମଧୁସୁଦନ ବାବୁଙ୍କ ସହିତ ମୁ ପରିଚିତ ହୋଇଥିଲି, ଏବଂ ଏହାଙ୍କ ସୁବନ୍ଦୋବସ୍ତ ହେତୁରୁ ଚଉଦ ଏବଂ ସୋନପୁର ପରିଭ୍ରମଣ ମୋହୋ ପକ୍ଷରେ ଅତି ନିରାପଦ ଏବଂ ପ୍ରୀତିପଦ ହୋଇଥିଲା । ଗୁରୁଜଙ୍ଗ ଗ୍ରାମଟି ଖୋରଧା ସହରରୁ ପ୍ରାୟ ଅର୍ଦ୍ଧମାଇଲ ବାଟ । ପୂର୍ବରୁ ଶୁଣିଥିଲି ଏ ମହୋଦୟ ଅନେକ ଦିବସ ଉତ୍ତାରୁ ଗୃହକୁ ଆସିଅଛିନ୍ତି, ସୁତରାଂ ତାହାଙ୍କ ସଙ୍ଗେ ସାକ୍ଷାତ କରିବା ଉଦ୍ଦେଶ୍ୟରେ ସେଠାକୁ ଗଲି ଯିବା ମାତ୍ରେ ସାକ୍ଷତ ମିଳିଲା, ଏବଂ ଅନେକ କଥାବାର୍ତ୍ତାପରେ ବାବୁମହୋଦୟ ମୋତେ ଛାଡିବାକୁ ଅନେକ ବାଟ ମୋହ ସଙ୍ଗରେ ଆସିଲେ ।

 

ଗୁରୁଜଙ୍ଗ ଗ୍ରାମର ଅବସ୍ଥିତି ଅତି ସୁନ୍ଦର । ବହୁକ୍ରୋଶବ୍ୟପୀ ଅରଣ୍ୟ ଗ୍ରମର ପଶ୍ଚିମରେ ସଂଲଗ୍ନ । ବରୁଣୀ ପାହଡ଼ର ସର୍ବୋକୃଷ୍ଟ ଦୃଶ୍ୟ ଏହିଠାରୁ ସୁଲଭ । ରାଉତରାୟବଶ ଅଳ୍ପଦିନ ହେଲା ଜନାକୀର୍ଣ୍ଣ ଖୋରଧା ପରିତ୍ୟାଗ କରି ଏଠାରେ ଅବସ୍ଥାନର ନିର୍ବାଚନ ସୁରୁଚିପରିଚାୟକ ସନ୍ଦେହ ନାହିଁ ।

 

ଉକ୍ତ ଗ୍ରାମରେ ମଧୂସୂଦନବାବୁଙ୍କ ଅଗ୍ରଜଦ୍ୱୟ ଖୋରଧାର ପୋଷ୍ଟମାଷ୍ଟର ଶ୍ରୀଯୁକ୍ତ ବାବୁ ଜୟକୃଷ୍ଣ ରାଉତରାୟ ଏବଂ ଦକ୍ଷିଣ ମହାନଦୀ ବିଭାଗୀୟ ସ୍କୁଲ ସବ୍ଇନ୍‌ସ୍ପେକ୍ଟର ଶ୍ରୀଯୁକ୍ତ ବାବୁ ହୃଷୀକେଶ ରାଉତରାୟଙ୍କ ଘରମାନେ ମଧ୍ୟ ଦେଖି ଆସିଲି । ତିନିଭାଇଙ୍କର ଘର ପରସ୍ପର ସଂଲଗ୍ନ ହୋଇଅଛି ।

 

୧-୯-୯୫ ରବିବାର-ବଡକୂଳରୁ ଖୋରଧା ପର୍ୟନ୍ତ ଯେଉଁ ଯୋଡିଏ ଗୋଶକଟ ଭଡ଼ା କରି ଆଣିଥିଲି, ସେମାନେ ପୂର୍ବରୁ ବୀଦାୟ ହୋଇ ଯାଇଥିଲେ, ନୂତନ ଶକଟର ଆବଶ୍ୟକ । ଖୋରଧା ସ୍କୁଲର ହୋଡ଼ପଣ୍ତିତ ମାନନୀୟ ଶ୍ରୀଯୁକ୍ତ ଜଗବନ୍ଧୁ ମହାପାତ୍ର ଶର୍ମ୍ମା ମହୋଦୟ ଅନୁଗ୍ରହ କରି ମୋତେ ତାହାଙ୍କ ନିଜର ଶକଟ କଟକ ପର୍ଯ୍ୟନ୍ତ ଦେବାକୁ ସ୍ୱୀକୃତ ହେଲେ । ଏ ମହୋଦୟ ଖୋରଧା ଅଞ୍ଚୁଳରେ ଜଣେ ପ୍ରବୀଣ ଏବଂ ମାନନୀୟ ବ୍ୟକ୍ତି । ଓଡିଶାରେ ନବ୍ୟଶିକ୍ଷାର ପ୍ରାୟ ପ୍ରଚଳନ ଆରମ୍ଭ ସମୟରୁ ଏ ମହାଶୟ ସେହି ବିଭାଗରେ କାର୍ଯ୍ୟ କରୁଅଛନ୍ତି । ଶଣିବାରେ ଏହାଙ୍କର ସମବୟସ୍ଥ ଶିକ୍ଷାବିଭାଗୀୟ କର୍ମଚାରୀ ସମଗ୍ର ଓଡିଶାରେ ଆଉ ଜଣେ ଅଛନ୍ତି । ଏକକଥାରେ ଏହାଙ୍କୁ ନବ୍ୟ ଉତ୍କଳୀୟ ଶିକ୍ଷାର ଜୀବନ୍ତ ଇତିହାସ ବୋଲା ଯାଇ ପାରେ ।

 

ସନ୍ଧ୍ୟା ସମୟରେ ମଧୂବାବୁଙ୍କ ବସାରେ ମୋତେ ନିମନ୍ତ୍ରଣ । ଆୟେଜନର ଅଭାବ ନ ଥିଲା, ଅଭାବ କେବଳ ଆଡମ୍ୱରର । ଆହର କରିବାକୁ ବସିଲାବେଳେ ମଧୁବାବୁ କହିଲେ ସାବଧାନ, ବ୍ରାହ୍ମଣ ଭାତ, କପାଳେ ହାତ, ମାତ୍ର କାର୍ଯ୍ୟତଃ ସେ ଏ ପ୍ରବାଦର ସମ୍ମାନ ରକ୍ଷା କଲେନାହିଁ । ଆଗାମୀ କାଲି ପ୍ରତ୍ୟୂଷରୁ ପ୍ରସ୍ଥନ କରିବି, ଅଗତ୍ୟା ମଧୂବାବୁଙ୍କ ନିକଟରୁ ଦୂଃଖତାନ୍ତଃକରଣରେ ବିଦାୟ, ନେଇ ଆସିଲି ।

 

୨-୯-୯୫ ସୋମବାର–ପ୍ରତ୍ୟୂଷ ଘ ୩ ଟିକା ସମୟରେ କଟକାଭିମୁଖରେ ବାହାରିଲି । ଛତାବର ଗ୍ରାମ ନିକଟରେ ସୂର୍ଯ୍ୟୋଦୟ ହେଲା । ଏହିଠାରେ ଦେଖିଲି ପ୍ରାୟ ୫୦ ।୬୦ଟି ବାଳିକା ସ୍ନାନ ଶେଷ କରି ଏକତ୍ରିତ ହୋଇ, ଆନନ୍ଦରେ ଗୃହମନ କରୁଅଛନ୍ତି । ପ୍ରାତଃକାଳରୁ ଏତେଗୁଡିଏ ବାଳିକାର ଏକତ୍ର ସ୍ନାନ ଆନନ୍ଦର କାରଣ ଭିନ୍ନ ଆଉ କିଛି ନୂହେ, କେବଳ ଗତ କାଲି କ୍ଷୁଦକୁଣି ପୂଜାର ଶେଷପାଳି ଥିଲା, ଆଜି ବିସର୍ଜ୍ମନାନ୍ତେ ସ୍ନାନ କରି ଆସୁଅଛନ୍ତି । ଏ ଦୃଶ୍ୟ ଅତି ଚମତ୍କାର । ସମସ୍ତଙ୍କ ମନ ପ୍ରଫୁଲ୍ଲ, ସମସ୍ତଙ୍କ ମୁଖ ଆଶାବିଭାସିତ । ଏ ଦୃଶ୍ୟ କେବଳ ବାଳାବସ୍ଥାରେ ଦେଖାଯାଏ । ସଂସାରସାଗରରେ ପ୍ରବିଷ୍ଟା ହେଲେ ଦୁର୍ଦ୍ଦାର ଭାଗ୍ୟସ୍ରୋତ ଏମାନଙ୍କ ମଧ୍ୟରୁ କାହକୁ କେଉଁ ଆଡକୁ ଟାଣି ନେଇଯିବ, ଏ ଚିନ୍ତା ଅବଧି ଏମାନଙ୍କ ସ୍ପର୍ଶ କରି ନାହିଁ । ସୁଖ ସେହିପର୍ଯ୍ୟନ୍ତ ସିନା ।

 

ପୂର୍ବାହ୍ନ ଘ୮ ଟିକା ବେଳେ ଆମ୍ଭେମାନେ କଟକରୁ ୧୮ ମାଇଲ ଦୂରବର୍ତ୍ତୀ ଗିରିଙ୍ଗାପୁଟ ନାମକ ସ୍ଥାନରେ ଗାଡ଼ୀ ରଖି ବୃକ୍ଷର ମୂଳରେ ପାକର ଆୟୋଜନ କଲୁଁ । ବୃକ୍ଷ ନିମ୍ନରେ ଗୋଟିଏ ପୁଷ୍କରିଣୀ, କିନ୍ତୁ ଜଳ ତାଦୃଶ ଅପରିଷ୍କୃତ ନୁହେ ।

 

ପ୍ରବାସରେ ବୃକ୍ଷମୂଳରେ ଆହର କେଡ଼େ ତୃପ୍ତିପ୍ରଦାୟକ । ଗୃହାବସ୍ଥାନ ସମୟରେ ସୁପରିଷ୍କୃତ ସ୍ଥାନରେ ଉପବିଷ୍ଟା ହୋଇ ନାନାବିଧ ବ୍ୟଞନସଂଯୁକ୍ତ ଉପାଦେୟ ଅନ୍ନଠାରୁ ବୃକ୍ଷମୂଳରେ ବ୍ୟଞନବିହୀନ ଅନ୍ନ, ବାସ୍ତବିକ ରସନାର ଆନନ୍ଦବର୍ଦ୍ଧକ ହୋଇଥାଏ । ଦୃଶ୍ୟର ନୂତନତା ଏବଂ ବିଚିତ୍ରତା, ଏବଂ ବିଶୁଦ୍ଧବାୟୁସଂଧୁକ୍ଷିତ କ୍ଷୁଧା ଏହାର କାରଣ ନୁହେ କି ?

 

ମଧ୍ୟାହ୍ନରେ ଆମ୍ଭେମାନେ ଅଗ୍ରସର ହୋଇ ଅପରାହ୍ନ ଘ ୩ ଟିକା ସମୟରେ ଚନ୍ଦକାରେ ଉପନୀତ ହେଲୁଁ । ଏଠାରୁ ମୁଣ୍ତମୁହାଣ ୭ ମାଇଲ, ସୁତରାଂ ସେହିଠାରେ ସନ୍ଧ୍ୟାସମୟକୁ ପହଁଚି ପାରିବୁଁ ଭାବୁ, ଏଠାରେ ରହିବାର ପ୍ରସ୍ତାବ ପରିତ୍ୟାଗ କଲୁଁ ।

 

ସନ୍ଧ୍ୟାର ଏକଘଣ୍ଟା ପୂର୍ବରୁ ଆମ୍ଭେମାନେ ମୁଣ୍ତମୁହାଣ କୋଠିରେ ଉପସ୍ଥିତ ହେଲୁଁ । ପୂଜନୀୟ ପିତା ମହାଶୟଙ୍କ ପ୍ରେରିତ ଲୋକ ଏହାଠାରେ ଆମ୍ଭେମାନଙ୍କ ଅପେକ୍ଷା କରୁଥିଲା, ଏବଂ କାଠଯୋଡି ନଦୀର ପ୍ରବଳବନ୍ୟାବଶତଃ ଆଜି କଟକ ଯାଇ ପାରିବୁଁ ନାହିଁବୋଲି ସଂବାଦ ଦେଲା । ଅଗତ୍ୟା ଆଜି ରାତ୍ରିରେ ଏଠାରେ ଅବସ୍ଥିତି । କୌମୂଦୀ-ରାଶି ଲିପ୍ତ ହେଲେ କାଠଯୋଡୀର ଆବିଳଜଳରଶି ରାତ୍ରିରେ ବେଡ଼େ ଶୋଭା ଧାରଣ କରେ । ‘‘ବିଶ୍ୱଲକ୍ଷ୍ମୀ’’ ର ଏହି ‘‘ବିଶାଳଦର୍ପଣ’’ ଆଜି କୋଠିତଳେ ଶୋଭମାନ !

 

୩-୯-୯୫-ମଙ୍ଗଳବାର କାଠଯୋଡୀର ଭୀଷଣ ଜଳପ୍ରବାହ ନୌକାଯୋଗେ ପାରି ହେବାକୁ ଅବଶ୍ୟ ବିଳମ୍ବ ହେଇଥିଲା । ପୂର୍ବାହ୍ନ ଘ ୮ ଟିକା ସମୟରେ କୃପାମୟଙ୍କ ଇଚ୍ଛାରୁ ନିର୍ବିଘ୍ନରେ ଗୃହାଗମନ କଲି । ପରିବାର ଏବଂ ବନ୍ଧୁବର୍ଗଙ୍କ ଔତ୍ସୁକ୍ୟ ଏତେବେଳେ ଆନନ୍ଦରେ ପରିଣତ ।

Image